ନୋବଲ ହସ୍ପିଟାଲ (କାଳ୍ପନିକ), ଭୁବନେଶ୍ୱର…
ସମୟ ରାତି ୨ଟା । ଚାରିଆଡ଼ ଶୂନଶାନ୍ । ରିସେପ୍ସନ୍ ମଧ୍ୟ ବନ୍ଦ ଥାଏ । ଓପିଡ଼ି ତ ପୂରା ନିସ୍ତବ୍ଧ ଆଉ ନିଶଦ୍ଦ ସତେ ଯେମିତି ମଶାଣି । କେବଳ ଜରୁରୀକାଳିନ ବିଭାଗ ଖୋଲା ଥାଏ । ହଠାତ୍ ଆମ୍ୱୁଲାନ୍ସର ସାଇରନ୍ ଶବ୍ଦର ରାତ୍ରି ଅନ୍ଧକାରର ନିଶବ୍ଧତାକୁ ଚିରି ବୁକୁଫଟା ଚିତ୍କାର ଛାଡ଼ୁଥାଏ । ଭୟରେ ଛାତି ଥରୁଥାଏ । କ୍ୟାଜୁଆଲ୍ଟିରେ କିଛି ଲୋକଙ୍କ ଭିଡ଼ । କିଛି ସମୟ ଅନ୍ତରାଳରେ ଏମିତି ଆମ୍ୱୁଲାନ୍ସ ଆସୁଥାଏ ଯାଉଥାଏ । ଏ ରୋଗୀ ବି ଅଳ୍ପ ସମୟ ପୂର୍ବେ ଆସିଥିଲା ଏମିତି ସାଇରନ୍ ଲଗା ଆମ୍ୱୁଲାନ୍ସରେ । ପ୍ରାଥମିକ ଚିକିତ୍ସା ପରେ ସାଙ୍ଗେ ସାଙ୍ଗେ ରୋଗୀକୁ ଆଇ.ସି.ୟୁକୁ ସ୍ଥାନାନ୍ତରିତ କରିଦିଆଗଲା । ଆଇ.ସି.ୟୁ. ବେଡ୍ ନମ୍ୱର ୨୧, ଫାଦର ଅଫ ମିଷ୍ଟର ନାୟକ । ଆଇ.ସି.ୟୁ. ବାହାରକୁ ଆସି ଦେଖିଲି ପତ୍ନୀ ସୁଁ…ସୁଁ… ହେଇ କାନ୍ଦୁଥାଏ । କିଛି ସମୟ ପରେ କାନ୍ଦ ବନ୍ଦ ହେଇଗଲା ପୁଅର ନାଲି ଆଖି ଦେଖି । ପତ୍ନୀ ଗୁଣୁ ଗୁଣୁ ହେଇ କହୁଥାନ୍ତି ମୁଁ ଭଗବାନ ହେଇଥିଲେ ଏଇ ଭୟଙ୍କର କୋରୋନା ଜୀବାଣୁକୁ ସମଗ୍ର ବିଶ୍ୱରୁ ହଟେଇ ଦେଇଥାନ୍ତି ! ପୁଅ ତ କାନ୍ଦୁ ନଥାଏ, ହଁ ! ବୋଧେ ବାପର କରିକରି ଥକି ଗଲାଣି । ବୋହୂ ଫୋନରେ କହି ହେଉଥାଏ କାହାକୁ; “ହଁ ପରା ! ଏତେ ଦିନ ପଡ଼ିରହି ଆମକୁ ହଇରାଣ କରୁଥିଲେ । ଯିବାର ଥିଲା ତ ଆଉ ଟିକେ ଡେରିରେ ଯାଇଥାନ୍ତେ ନ ହେଲେ ବର୍ଷେ ତଳୁ ପଳେଇ ଥାନ୍ତେ ! ଏଇ କୋରୋନାବେଳେ ଯିବାର ଥିଲା !!! ଲୋକ ଏବେ ଭୟରେ ମୁହଁ ଫେରେଇ ନେବେ… ମାସେ ଦି ମାସ କିଏ ଘରକୁ ଆସିବ ନା ଆମେ କାହା ଘରକୁ ଯାଇପାରିବୁ । ସେଥିରେ ମୋ’ ଶାଶୁ କାନ୍ଦିକାନ୍ଦି ସାଇପଡ଼ିଶାଙ୍କୁ ଜଣେଇ ସାରିଲେଣି । ସତ କହୁଛି ମୁଁ ଡାକ୍ତରାଣୀଟେ ହେଇଥିଲେ ନିଶ୍ଚୟ ଶଶୁରଙ୍କୁ ଭଲ କରି ଦେଇଥାନ୍ତି ନହେଲେ ଏତେ କଷ୍ଟରୁ ମୁକ୍ତି ଦେଇଥାନ୍ତି ।”
କିଛି ସମୟ ପରେ ଡାକ୍ତର ଆଇ.ସି.ୟୁ.ରୁ ବାହାରି ଆସି କହିଲେ, “ଆମେ ଅକ୍ସିଜେନ୍ ଲଗେଇ ଦେଇଛୁ ଆଉ ଦରକାର ପଡ଼ିଲେ ଭେଣ୍ଟିଲେଟର ବି ଦେବୁ, ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ସବୁକିଛି ଠିକ୍ ହେଇ ଯାଇପାରେ । ବଞ୍ଚିବାର ସମ୍ଭାବନା କଥା ଶୁଣି ପତ୍ନୀର କାନ୍ଦ ବନ୍ଦ ହେଇଗଲା ଆଉ ଡାକ୍ତର ତାକୁ ସେତେବେଳେ ଭଗବାନ ଭଳି ଦୃଶ୍ୟ ହେଉଥିଲେ । ପୁଅ ଦ୍ୱନ୍ଦରେ ଛିଡ଼ାହେଇ ଭାବୁଥାଏ, ସାଇପଡ଼ିଶା ସମ୍ପର୍କୀୟଙ୍କୁ ବର୍ତ୍ତମାନ ଜଣେଇବ ନା ଅପେକ୍ଷା କରିବ ! ବଞ୍ଚିବାର ଆଶା ଅଛି ଶୁଣି ବୋହୂର ମନ ଖରାପ ହେଇଗଲା । ହଠାତ୍ ପୁଅର ଫୋନ୍ ବାଜି ଉଠିଲା, ଭଉଣୀ କାନ୍ଦି କାନ୍ଦି ସେପଟୁ ପଚାରୁ ଥାଏ । ପୁଅଠାରୁ ସବୁ ଶୁଣିବା ପରେ ଝିଅ ତା’ର କୁମ୍ଭୀର କାନ୍ଦଣା ବନ୍ଦ କରି କହିଲା, “ଭାଇ କିଛି ଭାବିବୁନି ମୋ ଶାଶୁଶ୍ୱଶୁର ବି ଡାଇବେଟିସ୍ ରୋଗୀ ସେଥିରେ ସ୍ୱାମୀ ଛୁଆ ଘରକାମ ବହୁତ ରହୁଛି, ଆଉ ଏଇ କୋରୋନାବେଳେ ବାରମ୍ୱାର ହସ୍ପିଟାଲ ଯିବା ଉଚିତ ହେବନି । ସତ କହୁଛି ଭାଇ ମୁଁ ତୋ’ ଭଳିଆ ପୁଅ ହେଇଥିଲେ ନା କେତେ କ’ଣ କରି ଯାଇଥାନ୍ତି ।” ଏହା କହି ଫୋନ୍ ରଖି ତା’ ଦାୟିତ୍ଵ ଛିଣ୍ଡେଇ ଦେଲା ।
ଯିଏ ଲେଖିଥିଲା ଠିକ୍ ଲେଖିଥିଲା ଜୀବନଟା ଗୋଟେ ନାଟକ । ପରଦା ଉଠିଲେ ନାଟକ ଆରମ୍ଭ ହୁଏ ଆଉ ପରଦା ପଡ଼ିଲେ ନାଟକ ସରିଯାଏ । “ଭୁଲ୍ କହିଲେ, ଜୀବନଟା ଗୋଟେ ପ୍ରହସନ ଛଡ଼ା କିଛି ନୁହଁ । ଏଠି ତ୍ୟାଗ, ସ୍ନେହ, ମମତା ଆଉ କର୍ତ୍ତବ୍ୟର ମୂଲ୍ୟ ବୋଧ କେହି ବୁଝନ୍ତିନାହିଁ ।” ବୁଲିପଡ଼ି ଦେଖିଲା ବେଳକୁ ଜଣେ ଅଶରୀରି ଆଇ.ସି.ୟୁ ବାହାରେ ଛିଡ଼ା ହେଇ ମୋତେ କହୁଛନ୍ତି ! ଟିକେ ଭୟ ପାଇଗଲି । ସେ ନିଜକୁ ଚିହ୍ନା କରେଇ ପାନଖିଆ ଦାନ୍ତ ଦେଖେଇ କହିଲେ, “ଆଜ୍ଞା ନମସ୍କାର ମୁଁ ଆଇ.ସି.ୟୁ. ବେଡ୍ ନମ୍ୱର ପନ୍ଦର । ଆପଣ ବୋଧେ ନୂଆ ଆସିଛନ୍ତି; New Joinee !! ଆପଣଙ୍କ ସାମ୍ନା ବେଡ୍ରେ ଅଛି ।” ମୋ ସାମ୍ନା ବେଡ୍ !!! ଆଶ୍ଚର୍ଯ୍ୟ ହେଲି । ମୋର ଆଉ ଟିକେ ପାଖକୁ ଆସି କହିଲେ, “ମୃତ୍ୟୁ କେତେବେଳେ ହେଲା? “
ମୃତ୍ୟୁ !… ମୋ ମୃତ୍ୟୁ କେତେବେଳେ ହେଲା??? ମୁଁ ତ ସମ୍ପୂର୍ଣ୍ଣ ଠିକ୍ ଅଛି!
– ଆପଣ ବେଡ୍ ନମ୍ୱର ୨୧ ତ? ଏମାନେ ଆପଣଙ୍କ ଘର ଲୋକ ତ? ଆଇ.ସି.ୟୁ ଭିତରକୁ ଯାଇ ନିଜ ଶରୀରଟାକୁ ଦେଖି ଦିଅନ୍ତୁ ଟିକେ !
ମୁଁ ଏକ ରକମର ଭିତରକୁ ଦୈାଡ଼ିଗଲି । ଏ କ’ଣ ! ମୋ ଶରୀର ପୂରା ଶୀତଳ, ନିସ୍ତେଜ ହେଇ ଆଇ.ସି.ୟୁ.ର ବେଡ୍ ନମ୍ୱର ୨୧ରେ ଶୋଇଛି !! ସେ ଅଶରୀରି ପାଖକୁ ଆସି କହିଲେ, “ବ୍ୟସ୍ତ ହୁଅ ନାହିଁ ! କିଛି ଗୋଟେ ସମାଧାନ ନିଶ୍ଚୟ ହେଇଯିବ !”
– ମାନେ?
– ଏଇ ବଞ୍ଚିଲେ କି ମରିଯିବେ? ଏବେ ଆପଣ ଜୀବନ ମରଣର ମଝି ଦରିଆରେ ଝୁଲୁଛନ୍ତି, ମାନେ ନାମରଣ !
ମୁଁ ବୁଝି ପାରୁ ନଥାଏ । ଏମିତି ବି କିଛି ଗୋଟେ ଅଛି ! ନା ଜୀବନ ନା ମୃତ୍ୟୃ ! ମଧ୍ୟବର୍ତ୍ତୀ କାଳୀନ ସମୟ । ଏହି ଅନୁଭୂତି ପ୍ରଥମଥର ପାଇଁ ଥିଲା । ସେ ପୁଣି କହିଲେ, ତାଙ୍କର ବି ସମଦଶା । ମାଲ୍ଦାର ପାର୍ଟି ଆଉ ଇନସ୍ୟୁରାନ୍ସ ଅଛି ବୋଲି ଜାଣିଲା ପରେ ଦି’ମାସ ହେଲାଣି କୋରୋନା ରିପୋର୍ଟ ବାରମ୍ଵାର ପଜିଟିଭ ଆସୁଛି ଆଉ ଭେଣ୍ଟିଲେଟର୍ ପଇସାଦେଇ ଦୁଇ ପୁଅ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି, ସମ୍ପର୍କୀୟମାନଙ୍କ ସମ୍ମୁଖରେ ନିଜ ଷ୍ଟାଟସ୍ ଦେଖେଇ ହେଉଛନ୍ତି । ସବୁଦିନ ସାକ୍ଷାତକାର ସମୟରେ ଆଇ.ସି.ୟୁ ବାହାରୁ ସେଲଫି ନେଇ ଷ୍ଟାଟସ ଦେଇ ଶହେରୁ ଉର୍ଦ୍ଧ୍ୱ ଲାଇକ୍କୁ ଆଲିଙ୍ଗନ କରୁଛନ୍ତି । ସବୁ ଶଳା ଏଇ ପଇସାଲୋଭୀ ଡାକ୍ତରଙ୍କ ଚାଲବାଜି । ମୁଁ କେବେଠାରୁ ମରି ସାରିଲିଣି ମ ! ଖାଲି ତୁଚ୍ଛାଟାରେ ଯନ୍ତ୍ରପାତି ଲଗେଇ ଛାତିଟାକୁ ଦୁକୁ ଦୁକୁ କରେଇ ରଖିଛନ୍ତି !
– ବେଡ୍ ନମ୍ୱର ୧୫ କହିଲା, ଆଜ୍ଞା ଡାକ୍ତରଙ୍କୁ କାହିଁ ଗାଳି ଦେଉଛନ୍ତି । ଏ କଳି ଯୁଗରେ ସମ୍ପୂର୍ଣ୍ଣ ରାମ ଅବତାର କିଏ ହେଇ ପାରିବ? ରାମ ଭିତରେ ବି ରାବଣ ଥାଏ । ଠିକ୍ ସେମିତି ଡାକ୍ତର ଭିତରେ ବି ରାବଣ ଅଛି, ଯେମିତି ଆମେମାନେ । ଆମେ ବି ନିଜକୁ ରାମ ଭାବୁଛୁ କିନ୍ତୁ ଆମ ଭିତରେ ମଧ୍ୟ ରାବଣ ଅଛି ! ନହେଲେ ସ୍ତ୍ରୀକୁ ହୁକୁମ୍ ଚଳେଇବା, ସନ୍ତାନମାନଙ୍କୁ କୁମ୍ଭୀର କାନ୍ଦଣା ଦେଖେଇ ଭାବପ୍ରବଣତାର ଶିକାର କରି ନିଜ କଥାରେ ଉଠ୍ବସ୍ କରେଇବା, ଆଉ ଦରକାର ପଡ଼ିଲେ ସମ୍ପତ୍ତି ପାଇଁ ଭାଇର ଭଗାରୀ ସାଜିବା… ଆମେ ବି ତ ସାଧୁ ନୁହଁନ୍ତି !! ତା’ ହେଲେ ଆମେ ରାମ କେମିତି ହେଲେ !?
– ଛାଡ଼ନ୍ତୁ ସେ କଥା… ହେଲେ ଏମିତି କେତେଦିନ ଚାଲିବ ବୋଲି ମୁଁ ପଚାରିଲି?
ହଠାତ୍ ଆଉ ଗୋଟେ ଅଶରୀରି କହିଲା, “ପୁଅ ବାଙ୍ଗାଲୋରରୁ ଫେରିବା ଯାକେ ! ମୁଁ ବେଡ୍ ନମ୍ୱର ୨୬, ମୋତେ ବି ଭେଣ୍ଟିଲେଟର୍ ଲାଗିଛି । ମୋର କାଲି ସକାଳ ପର୍ଯ୍ୟନ୍ତ ସମୟ ଅଛି । ପୁଅ କାଲି ସକାଳେ ଆସି ମୋ ମୁହଁ ଚାହିଁବ, ତା’ ପରେ ମୋତେ ମାରିବ ଓ ମୋ କ୍ରିୟା କର୍ମ ସାରି ଫେରିଯିବ !”
ମୁଁ ବୁଝି ପାରୁ ନଥିଲି ହସିବି ନା କାନ୍ଦିବି… ଠିକ୍ ଏତିକିବେଳେ ସେ କହିଲେ, “ଡ଼ାକ୍ତର ଯେତେବେଳେ ଶେଷଥର ପ୍ରୟାସ କରିବା ପାଇଁ ତାଙ୍କୁ ଇଞ୍ଜେକସନ ଦେଉଥିଲେ, ସେତେବେଳେ ତାଙ୍କ ଝିଅଜ୍ୱାଇଁ ଅପେକ୍ଷା ତାଙ୍କ ସ୍ତ୍ରୀର ମନ ଦୁଃଖ ବେଶୀ ହେଇଗଲା, କାଳେ ପୁଣି ତାକୁ ତାଙ୍କ ସେବା କରିବାକୁ ପଡ଼ିବ ! ବିରକ୍ତ ହେଇ ସେ କହିଲେ, “ଶଳା ମୁଁ ଯମ ହେଇଥିଲେ ନା ପ୍ରାଣବାୟୁ ନେଇଗଲା ବେଳକୁ ଏମାନଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଇଥାନ୍ତି !”
ମୁଁ ହସି ହସି କହିଲି, “କି ଯୁଗ ଆସିଲା ମଣିଷର ଜନ୍ମ ମୃତ୍ୟୁ ତା’ର ଭାଗ୍ୟ କି ରାଶି ନକ୍ଷତ୍ର ନୁହଁ, ଏବେ ଡାକ୍ତରମାନେ ସ୍ଥିର କରୁଛନ୍ତି । କିଏ ଜାଣେ କେତେବେଳେ ଡାକ୍ତର ଆସିବେ ଏଇ ଲାଇଫ୍ ସପୋର୍ଟ୍ କାଢ଼ିଦେବେ ଆଉ କିଏ କେତେବେଳେ ମୃତ୍ୟୁବରଣ କରିବ ! ଏବେ ଡାକ୍ତରମାନେ ଠିକ୍ ଶନି ଦେବତାଙ୍କ ଭଳିଆ ହେଇଛନ୍ତି… ଜ୍ଞାନୀ ବିଦ୍ୱାନୀ ମହାପ୍ରତାପୀ ରାବଣ ଡରରେ ରାଶି ନକ୍ଷତ୍ର ସବୁ ଏମିତି ସ୍ଥାନରେ ଯୋଗ ବନେଇଲେ ଯେ ତା’ର ସର୍ବଗୁଣସମ୍ପନ୍ନ ପୁତ୍ର ଜନ୍ମ ହେଲା, କିନ୍ତୁ ତଥାପି ଶନିଙ୍କର କୋପ ରହିବାରୁ ସେ ପୁତ୍ରର ଅକାଳମୃତ୍ୟୁ ଯୋଗ ହେଲା । ଦେଖୁ ନାହାଁନ୍ତି ପ୍ରଥମେ କହିଲେ, ଟୀକା ଆସିଲେ କୋଭିଡ୍ ହେବନି । କିନ୍ତୁ ଟୀକା ନେବା ପରେ ବି କୋଭିଡ୍ ହେଉଛି । କି ବିଡ଼ମ୍ୱନା !!! ଟୀକା ନେଇ ମଧ୍ୟ ମାସ୍କ ଆଉ ସୂଚୀବାଇର ପ୍ରୟୋଗ କରିବାକୁ ବାଧ୍ୟ । ମୁଁ ଭାବୁଥିଲି ସବୁଠାରୁ ଭଲ ହେବ ଯଦି ଆମେ ହେଇଥାନ୍ତେ ରାବଣ… ମନ୍ଦୋଦରୀ ଭଳି ସ୍ତ୍ରୀ ମିଳିଥାନ୍ତା । ମେଘନାଦ ଭଳିଆ ଆଜ୍ଞାକାରୀ ପୁତ୍ର ଯିଏ କି ବାପ ପାଇଁ ଜୀବନ ଦେଇଥାନ୍ତା । ଆଉ କୁମ୍ଭକର୍ଣ୍ଣ ଭଳି ଭାଇ ରାଜ୍ୟ ସମ୍ପତ୍ତି ସବୁ ବଡ଼ଭାଇକୁ ଦେଇ ନିଜେ ନିଶ୍ଚିନ୍ତରେ ଶୋଇଥାଆନ୍ତା !! ଜୀବନଟା ସେତେବେଳେ ପ୍ରହସନ ନୁହଁ ସରଳ ଲାଗିଥାନ୍ତା । ରାମ ହିଁ ଏକମାତ୍ର ସତ୍ୟ । ରାମ ସମସ୍ତ ଭିତରେ ଅଛନ୍ତି… ରାବଣ ଦେହରେ ମଧ୍ୟ !”
ଧୀରେ ଧୀରେ ଅନ୍ଧକାରକୁ ଦୂରେଇ ସକାଳ ଫର୍ଚ୍ଚା ହେଉଥାଏ । ଆଇ.ସି.ୟୁ. କରିଡର୍ରେ, ଶବଗୃହ ବାହାରେ, କ୍ୟାଜୁଲ୍ଟିରେ ଦୂର ଦୂର ପର୍ଯ୍ୟନ୍ତ ଯେଉଁଆଡ଼େ ଦେଖିଲେ ବି ସବୁ ସମାନ ଚରିତ୍ର । ବଞ୍ଚିଥିବା ପରିବାର ଲୋକଙ୍କୁ ମୃତ୍ୟୁଠାରୁ କୋରୋନାର ଭୟ ଆଉ ଆମ ଭଳି ସଭିଙ୍କୁ ପରିବାରର ଚରିତ୍ରମାନଙ୍କର ଦୁଃଖ ବୋଝ ସଦୃଶ ଲାଗୁଥାଏ । ଏସବୁ ଦେଖି ମୋତେ ସେଠି ଆଉ ବସି ରହିବାକୁ ଭଲ ଲାଗିଲାନି । ଆଇ.ସି.ୟୁକୁ ଆସି ଦେଖିଲା ବେଳକୁ ଜାଣିଲି ମୋର କୋଭିଡ୍ ରିପୋର୍ଟ ନେଗେଟିଭ ଆସିଛି । ପୁଅକୁ ଖୁସି ହେବା ଦେଖି ମୋ ଆଖି ଛଳଛଳ ହେଇ ଆସୁଥିବା ବେଳେ ପର ମୂହୁର୍ତ୍ତରେ ଏକ ଶକ୍ତ ଧକ୍କାରେ ମୋତେ ଲାଗିଲା ଏଥର ମୁଁ ସୁନିଶ୍ଚିତ ମରିଯିବା ଭଲ ହେବ । ପୁଅ କହୁଥାଏ ଡାକ୍ତରକୁ, “ଆପଣ ସେମି ଆଇ.ସି.ୟୁକୁ ସ୍ଥାନାନ୍ତରିତ କରନ୍ତୁ ନତୁବା ମୁଁ ଘରକୁ ନେଇ ଯିବି । ଏତେ ଖର୍ଚ୍ଚ ଉଠେଇ ପାରିବିନି । ବାପାଙ୍କ କଥାରେ ପଡ଼ି ଦି’ଦିଟା ଝିଅ ପରେ ପୁଅ । ତିନିଟାଯାକ ପିଲାଙ୍କୁ ପାଠ ପଢ଼େଇବା କଷ୍ଟକର ହେଇଗଲାଣି । ସେଥିରେ ପୁଣି ଝିଅ ଦି’ଟାଙ୍କ ବାହାଘର, ଫାଲତୁରେ ପଇସା ଖର୍ଚ୍ଚ କରି ପାରିବିନି । ତା’ ପରେ ନିଜ ଶରୀର ଭିତରେ ପଶି ଥରୁଟିଏ ବଞ୍ଚିବାକୁ ଚେଷ୍ଟା କରିବାକୁ ଇଚ୍ଛା ହେଲା ନାହିଁ ମୋର । ପାଦ ବେଡ୍ ଆଡ଼କୁ ଆଗେଇ ପାରିଲାନି ! ସେମିତି ଅସାଢ ନିର୍ଜୀବ ହେଇ ପଡ଼ି ରହିଥିଲା ମୋ ଶରୀର ! କିଛି ସମୟପରେ ଡାକ୍ତର ନର୍ସ ମୋ ବେଡ୍ ପାଖକୁ ଆସି ମୋ ନାଡ଼ି ଚିପି ଦେଖିଲେ, ମୋ ଛାତିକୁ ବହେ ବାଡ଼େଇଲେ । ମୁଁ ଦୂରରେ ଛିଡ଼ା ହେଇ ଦେଖୁଥାଏ… ତା’ପରେ ସବୁ ଯନ୍ତ୍ରପାତି କଢ଼ା ହେଇଗଲା । ମୋର୍ ଡେଥ୍ ସାର୍ଟିଫିକେଟ୍ ହାତରେ ଧରି ପୁଅ ସବୁ ବନ୍ଧୁବାନ୍ଧବମାନଙ୍କୁ କହୁଥାଏ, “ବହୁତ ଚେଷ୍ଟା କଲି, ପଇସା ପାଣି ଭଳିକି ଖର୍ଚ୍ଚ କଲି ହେଲେ ବାପା ଚାଲିଗଲେ…”
ବି.ଦ୍ର.:- କାହାରି ଭାବନାକୁ ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନୁହଁ । କେବଳ ମନୋରଞ୍ଜନ ଓ ନିଜସ୍ୱ ମତାମତ ଉଦ୍ଦେଶ୍ୟରେ ହିଁ କାହାଣୀଟି ଲେଖିଛି । ମୁଁ ସମସ୍ତ କୋରୋନା ଯୁଦ୍ଧରେ ସାମିଲ୍ ଥିବା ଡାକ୍ତର, ନର୍ସ, ସ୍ୱେଚ୍ଛାସେବୀଙ୍କୁ ଶତ ଶତ ପ୍ରଣାମ କରୁଛି🙏🙏 । ଆଶାକରେ ଆପଣମାନେ ଲେଖାଟିକୁ ଦିହକୁ ନେବେନି… ! ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ ରହିଲି ।
– ଶ୍ୱେତପଦ୍ମା ପାଢ଼ୀ
Comments
ଶ୍ୱେତପଦ୍ମା ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକା ତଥା ତାଙ୍କର ସୋସିଆଲ୍ ମିଡିଆ ସାଇଟ୍ଗୁଡ଼ିକରେ ପ୍ରକାଶ ପାଇଥାଏ, ଯାହାକି ପାଠକୀୟ ଆଦୃତି ଲାଭ କରିଛି ।