(୧୪୨ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ)
ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ । ସେଥିମଧ୍ୟରୁ ନାଟ୍ୟକାର ଆପନ୍ନା ପରିଚ୍ଛା ଥିଲେ ଅନ୍ୟତମ । ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜ ସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା ।
୧୮୭୯ ମସିହା ମଇ ମାସ ୨୨ ତାରିଖରେ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ରାଜଧାନୀ ପାରଳାଖେମୁଣ୍ଡି ସହରରେ ଜନ୍ମ ଗ୍ରହଣ କରିଥିଲେ ଆପନ୍ନା । ପିତା ଲକ୍ଷ୍ମୀନରାୟଣ ଥିଲେ ଗାନ୍ଧିବାଦୀ ସଂଗ୍ରାମୀ ଓ ଏକ ବିତ୍ତଶାଳୀ ମଠର ପରିଚାଳକ । ଯାହା ଓଡ଼ିଶାର ଆନନ୍ଦ ମଠ ରୂପେ ଖ୍ୟାତ । ଯାହା ସର୍ବଦା ସଙ୍ଗୀତ, ନୃତ୍ୟ ଓ ନାଟକର ପୃଷ୍ଠଭୂମି ରୂପେ ପରିଚିତ ଥିଲା । ଏଭଳି ପରିବେଶ ଆପନ୍ନାଙ୍କୁ ଓଡ଼ିଶାରେ ସାମାଜିକ ନାଟ୍ୟ ପରମ୍ପରାର ଆଦ୍ୟ ଆବାହକ ରୂପେ ଗଢ଼ି ତୋଳିବାରେ ସହାୟକ ହୋଇଥିଲା । ଚଉଦ ବର୍ଷ ବୟସରେ ସେ ପ୍ରଥମେ ଲେଖିଥିଲେ “ଚନ୍ଦ୍ରହାସ” ନାଟକ, ଯାହା ଥିଲା ଜୈମିନୀ ମହାଭାରତର ଏକ ଆଖ୍ୟାୟିକା ଉପରେ ପର୍ଯ୍ୟବେଷିତ । ଯାହା ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ପୃଷ୍ଠପୋଷକତାରେ ମଞ୍ଚସ୍ଥ ହୋଇ ବେଶ ଲୋକପ୍ରିୟତା ସାଉଁଟିପରିଥିଲା । ଏହା ଥିଲା ତାଙ୍କ ବାଲ୍ୟ ଜୀବନର ପ୍ରଥମ କୃତିତ୍ୱ ଯାହା ପରବର୍ତ୍ତୀ ସମୟରେ ଅଟକି ଯାଇନଥିଲା ।
ପ୍ରଥମ ଭ୍ରାମ୍ୟମାଣ ରାସଦଳର ଜନ୍ମଦାତା
ଆପନ୍ନା ନିଜସ୍ୱ ମଠ ସମେତ ପ୍ରାଚୀନ କଳିଙ୍ଗର ମୁଖଲିଙ୍ଗ, କୂର୍ମ, ଚାଙ୍ଗୁଡ଼ି, ବାଘଶଳା, ତରଳା, ଟିକାଲି, ପୁରୁଷୋତ୍ତମପୁର ମଠ ମନ୍ଦିର ଆଦିର ପରିଚାଳନା କରିବାରେ ଏକାକୀ ସିଦ୍ଧ ଥିଲେ । ଓଡ଼ିଶାରେ ଭକ୍ତିକୈନ୍ଦ୍ରିକ ସ୍ଥଳକୁ ଉତ୍କଳୀୟ ବୈଷ୍ଣବ ଧର୍ମ ଧାରାରେ ଜଡ଼ିତ କରି “ବୈଷ୍ଣବାନନ୍ଦ ଦାୟିନୀ ସମାଜ” ନାମକ ରାସ ଦଳ ଗଢ଼ିଥିଲେ । ଏହା ଓଡ଼ିଶାର ପ୍ରଥମ ରାସ ଦଳ ଯାହା ଭିନ୍ନ ଭିନ୍ନ ସ୍ଥାନରେ ହରିନାମ ଦ୍ୱାରା ଓଡ଼ିଆଙ୍କୁ ଏକତା ରଜ୍ଜୁରେ ବାନ୍ଧିଥିଲା । ଏହା ପରେ ତରଳା ରାଜଭ୍ରାତା ଗୋବିନ୍ଦଚନ୍ଦ୍ର ଶୁର ଦେଓ ନୟାଗଡ଼ରେ ଓ ତତ୍ପରେ ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରୀରେ ରାସ ଦଳ ଗଢ଼ିଥିଲେ ।
ଦକ୍ଷିଣ ଓଡ଼ିଶାର ପ୍ରଥମ ଅସ୍ଥାୟୀ ଓ ସ୍ଥାୟୀ ରଙ୍ଗମଞ୍ଚ
ଓଡ଼ିଶାରେ ଲୀଳା, ସୁଆଙ୍ଗ, ସଂକୀର୍ତ୍ତନ ପ୍ରତି ଆଗ୍ରହ କେଉଁ ଅନାଦି କାଳରୁ ଥିଲା । କିନ୍ତୁ ମଞ୍ଚନାଟକର ବ୍ୟବସ୍ଥାଟି ଉନବିଂଶ ଶତାବ୍ଦୀରେ ଲୋକଙ୍କୁ ବେଶ ଆଦୃତ କରିପାରିଥିଲା, ଏହା ନିଃସନ୍ଦେହ । ପରିବର୍ତ୍ତିତ ସମାଜକୁ ଧରି କଳାର ପୃଷ୍ଠଭୂମିକୁ ବଦଳାଇବାରେ ସକ୍ଷମ ହୋଇଥିଲେ ଆପନ୍ନା ପରିଚ୍ଛା । ସେ ସ୍ୱ-ଉଦ୍ୟମ ବଳରେ ପ୍ରଥମେ ୧୮୯୬ରେ ଗଢ଼ିଥିଲେ “ଶ୍ରୀ ଶ୍ରୀ ରସିକରାଜ ପ୍ରସାଦୈକ ସୁଜ୍ଞଜନ ମନୋରଞ୍ଜନ ନାଟ୍ୟମଣ୍ଡପ” । ଏହା ଓଡ଼ିଶାରେ ଦ୍ଵିତୀୟ ଅସ୍ଥାୟୀ ରଙ୍ଗମଞ୍ଚ ରୂପେ ମଧ୍ୟ ପରିଚିତ (ପ୍ରଥମଟି କଟକର ରାଧାକାନ୍ତ ରଙ୍ଗମଞ୍ଚ) । ଏହାପରେ ଯଦି ସ୍ଥାୟୀ ରଙ୍ଗମଞ୍ଚକୁ ବି ଦେଖାଯାଏ, ତା’ହାଲେ ମଧ୍ୟ ଆପନ୍ନାଙ୍କ ଭୂମିକାକୁ ବାଦ ଦିଆଯାଇପାରେନା । ୧୮୮୨ ମସିହାରେ ନିର୍ମାଣ ହୋଇଥିଲା “ପଦ୍ମନାଭ ରଙ୍ଗାଳୟ” । ଯାହା ଓଡ଼ିଶା ତଥା ଓଡ଼ିଶା ବାହାରେ ବେଶ ପରିଚିତ । ସାହିତ୍ୟ ଅନୁରାଗୀ ରାଜଭ୍ରାତା ପଦ୍ମନାଭଙ୍କ ନାମରେ ଏହା ନାମିତ ହୋଇଥିଲା । ଯାହାର ପରିଚାଳନା ସହ ସମସ୍ତ ଆନୁଷଙ୍ଗିକ ଦାୟିତ୍ୱ ନେଇଥିଲେ ନାଟ୍ୟକାର ପରିଚ୍ଛା । ଯଉଁଥିରେ ପ୍ରସିଦ୍ଧ ଧ୍ରୁବ, ପ୍ରହ୍ଲାଦ, ଦାନ ପରୀକ୍ଷା, ଉଷାପରିଣୟ, ଅହଲ୍ୟା ଶାପ ମୋଚନ ଭଳି କାଳଜୟୀ ନାଟକ ମଞ୍ଚସ୍ଥ ହୋଇପାରିଥିଲା ।
କେବଳ ଯେ ନାଟକ ମଞ୍ଚସ୍ଥ କରିବାରେ ସେ ନିପୂଣ ନଥିଲେ । ସେ ଲେଖିଯାଇଥିଲେ ୬୦ରୁ ଉର୍ଦ୍ଧ୍ୱ ନାଟକ । ବିଜୟ ବସନ୍ତ, ନବାନୁରାଗ, ସ୍ଵର୍ଣ୍ଣଲତା, କନୌଜ କୁମାରୀ, ହେମଲତା ଭଳି ସୁପ୍ରସିଦ୍ଧ ନାଟକ ସେ ବିରଚି ଓଡ଼ିଶାରେ ଐତିହାସିକ ନାଟକ ଧାରାକୁ ପ୍ଲାବିତ ଯେ ଖାଲି କରିନଥିଲେ, ଠିକ ସେହିଭଳି ମାନଭଞ୍ଜନ, ଗୋଷ୍ଠମିଳନ, ସୀତା ବନବାସ ଭଳି ପୌରାଣିକ ଓ ସାଂସ୍କୃତିକ ନାଟକର ପ୍ରବାହମାନ ଧାରାକୁ ବି ବଜାୟ ରଖିଥିଲେ ।
ସ୍ୱାଧୀନତା ଆନ୍ଦୋଳନ ଓ ଆପନ୍ନା
ଜାତୀୟ ଆନ୍ଦୋଳନର ପ୍ରାରମ୍ଭିକ ସୋପାନରେ ହିଁ ଆପନ୍ନା ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ସେ ଥିଲେ ଗୋପବନ୍ଧୁ ଅନ୍ୟତମ ଅନ୍ତରଙ୍ଗ ବନ୍ଧୁ । ଗୋପବନ୍ଧୁ ତାଙ୍କର ଭ୍ରମଣ କାଳରେ ଆପନ୍ନାଙ୍କ ମଠରେ ହିଁ ରହୁଥିଲେ । ଖାଲି ସେତିକି କାହିଁକି ଗାନ୍ଧୀଙ୍କ ପାରଳା ଗସ୍ତ ସମୟରେ ମଧ୍ୟ ପରିଚ୍ଛା ମଠ ହିଁ ଏକ ମାତ୍ର ଜାତୀୟବାଦୀ ଆନ୍ଦୋଳନର ଆଲୋଚନା ଗୃହ ପାଲଟି ଥିଲା । ସେ ନିଜ ପୁଅ ପୁତୁରାଙ୍କଠାରୁ ଆରମ୍ଭ କରି ସହରର ଅନେକ ମେଧାବୀ ଛାତ୍ରଙ୍କୁ ସତ୍ୟବାଦୀ ବନ ବିଦ୍ୟାଳୟକୁ ପଠାଇଥିଲେ । ୧୯୨୪ରେ ଗଞ୍ଜାମ ରୟତ ଆନ୍ଦୋଳନ ହୋଇଥିଲା, ସେଥିରେ ନିର୍ଭୀକତାର ସହ ଚାଷୀମାନଙ୍କ ସପକ୍ଷରେ ସମର୍ଥନ ଦେଇଥିଲେ । ଏହା ବ୍ୟତୀତ ନୀଳକଣ୍ଠ, ଗୋଦାବରୀଶ, ଅନନ୍ତଙ୍କ ଦେଶମିଶ୍ରଣ ଆନ୍ଦୋଳନ ପାଇଁ ପାରଳା ଆସି ଆପନ୍ନାଙ୍କ ସହ ଅନେକ ଚର୍ଚ୍ଚା କରିବାର ପ୍ରମାଣ ରହିଛି । ଏଥିସହିତ ଆପନ୍ନା ମଞ୍ଜୁଷା, ମୁକ୍ତାପୁର ଆଦି ବିଛିନ୍ନାଞ୍ଚଳରେ ପଲ୍ଲୀ ସମ୍ମିଳନୀ ଆୟୋଜନର ଗୁରୁଦାୟିତ୍ୱ ବହନ କରିଥିଲେ ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ପରିଚ୍ଛା
ମାତ୍ର ସାତ ବର୍ଷ ଶିଶୁ ବୟସରୁ ହିଁ ସେ ଯୋଗ ଦେଇଥିଲେ ଉତ୍କଳ ସମ୍ମିଳନୀର ଆଦ୍ୟ ସ୍ୱରୂପ “ଉତ୍କଳ ହିତୈଷିଣୀ ସମାଜ”ରେ । ଓଡ଼ିଆଙ୍କ ଦୁର୍ଦଶା ତାଙ୍କୁ ଭାରି ବ୍ୟଥିତ କରିଥିଲା । ୧୮୮୬ରେ ନିର୍ମିତ ଏହି ସଭା ୧୯୧୨ରେ ଶ୍ୟାମସୁନ୍ଦର ରାଜଗୁରୁଙ୍କ ମୃତ୍ୟୁ ପରେ ଶିଥିଳ ହୋଇପଡ଼ିଥିଲା । ଏହା ପରେ ଏହି ସଭାର ମଙ୍ଗ ଧରିଥିଲେ ଆପନ୍ନା ପଣ୍ଡା, ବୃନ୍ଦାବନ ସାହୁ ଓ ଆପନ୍ନା ପରିଚ୍ଛାଙ୍କ ଭଳି ବ୍ୟକ୍ତିବୃନ୍ଦ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗଞ୍ଜାମରେ ଇଂରାଜୀ, ତେଲୁଗୁ ଆଦି ପତ୍ରିକା ବନ୍ଦ କରି ନବସମ୍ବାଦ, ମଧୁପର ପ୍ରଚାର, ମାଡ଼୍ରାସରେ ଓଡ଼ିଆ ଛାତ୍ରଙ୍କୁ ଓଡ଼ିଆ ପଢ଼ିବା ବନ୍ଦୋବସ୍ତ ଓ କଚେରୀ ଓଡ଼ିଆ ଭାଷାକୁ ଅକ୍ଷୂର୍ଣ୍ଣ ରଖିବା ।
ସେତେବେଳେ ପାରଳା ସହର ସହ ଉପାନ୍ତ ଗଞ୍ଜାମ ମାଡ଼୍ରାସ ପ୍ରେସିଡେନ୍ସିରେ ଥିଲା । ତେଣୁ ତେଲେଙ୍ଗାଙ୍କ ପ୍ରଭାବ ମହାବିଦ୍ୟାଳୟରେ ଅଧିକ ଥାଏ । ଦକ୍ଷିଣାତ୍ୟ ରୀତିରେ ଓଡ଼ିଆ ଛାତ୍ରମାନଙ୍କୁ ମଧ୍ୟ ଟୋପି ପିନ୍ଧିବା ବାଧ୍ୟତାମୂଳକ ଥିଲା । ଆପନ୍ନା ଏହାକୁ ବିରୋଧ କରି ନାଲି ଗାମୁଛା ପରିଧାନ ପ୍ରଚଳନ ଆରମ୍ଭ କରିଥିଲେ । ଏହା କେବଳ ନିୟମ ବଦଳାଇବା ଯେ ନଥିଲା ତା’ ନୁହଁ । ବରଂ ଓଡ଼ିଆ ଯୁବ ଗୋଷ୍ଠୀକୁ ପ୍ରଦେଶ ଗଠନ ପାଇଁ ଏକତ୍ର ଆହ୍ଵନ ସମ ଥିଲା ।
ଉତ୍କଳ ସମ୍ମିଳନୀରେର ଯେଉଁ ଦଶମ ଅଧିବେଶନଟି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ତା’ର ପ୍ରଚ୍ଛଦ ପଟର ନାୟକ ଆପନ୍ନା ଥିଲେ ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ । ୧୯୧୩ ମସିହା ପୁରୀ ଅଧିବେଶନ ଚାଲିଥାଏ । ସେଥିରେ ପରିଚ୍ଛା ଯୋଗ ଦେଇ ଗୋରଚାନ୍ଦ ମିଶ୍ରଙ୍କ ଜରିଆରେ ପାରଳା ଅଧିବେଶନର ଆବଶ୍ୟକତାର ପ୍ରମାଣ ଦେଇ ଏକ ପ୍ରସ୍ତାବ ଦେଇଥିଲେ । ଖାଲି ଏତିକି ନୁହଁ ଦଶମ ଅଧିବେଶନର ସମସ୍ତ ଗୁରୁ ଦାୟିତ୍ୱ ତାଙ୍କରି ଉପରେ ନ୍ୟସ୍ତ ଥିଲା । ସେ ଅତିଥିଙ୍କ ରହଣି ହେଉ କି ସମ୍ମିଳନୀ ଶେଷରେ ନାଟକ ପରିବେଷଣ । ଏଥିରୁ ତାଙ୍କ ଜାତିପ୍ରେମ ଧାରା ସୁସ୍ପଷ୍ଟ । ପାରଳାଖେମୁଣ୍ଡିର ସଙ୍ଗୀତ ଓ ସାଂସ୍କୃତିକ ଉତ୍କର୍ଷତାରେ ବିଭୋର ହୋଇ ଅନେକ ମହାପୁରୁଷ କଳାକାରମାନଙ୍କ ସହ ଆପନ୍ନାଙ୍କ ଭୂୟସୀ ପ୍ରଶଂସା କରିଥିଲେ ।
କେବଳ ନାଟକ ନୁହେଁ, ସଙ୍ଗୀତ ବିଦ୍ୟାପ୍ରତି ମଧ୍ୟ ତାଙ୍କର ଗଭୀର ଅନୁରାଗ ଥିଲା । ସ୍ୱଲିଖିତ ନାଟକରେ ସେ କୌଣସି ପ୍ରକାରେ କର୍ଣ୍ଣାଟକୀ କିମ୍ବା ଉତ୍ତର ଭାରତୀୟ ରାଗ ନିର୍ଦେଶ ଦେଇନଥିଲେ । ଏହା ତଙ୍କର ଓଡ଼ିଆ ରାଗ ରାଗିଣୀ ପ୍ରେମର ନିଦର୍ଶନ । ବିଶେଷ କରି ତାଙ୍କରି ବହୁ ପ୍ରସିଦ୍ଧ ନାଟକ “ବିଜୟ ବସନ୍ତ” ଯାହାକି ସମଗ୍ର ଓଡ଼ିଶାରେ ଥରେ ଅଧେ ସେ କାଳର ଲୋକ ଦେଖିଛନ୍ତି । ସେଥିରେ ଏକମାତ୍ର ଗୀତର ରାଗ କୌଣସି ବାହ୍ୟ ସଙ୍ଗୀତ ଶାସ୍ତ୍ରରୁ ଆହରଣ କରାଯାଇନାହିଁ । ଯେପରି;
ରାଗ: ଝିଞ୍ଜୋଟି ରୂପକ ତାଳ
ଶୁଭଦିନ ଆଜି ମୋହର ଅଟଇଟି ନିକର
ପାଇଅଛି ଯାହା, ପାଦ ସେବନ ତୁମ୍ଭର ।ସୁଧାମୟ ପ୍ରେମ, ପବିତ୍ର ସ୍ନେହ ଆଜି ପାଇଣ,
ନିଶ୍ଚୟ ପାଇବ ଚିର ସୁଖ ଏ ଜୀବନ ॥
ଖାଲି ସଙ୍ଗୀତ ରଚନା ନୁହେଁ, ସଙ୍ଗୀତର ଉନ୍ନତି ସକାଶେ ଓଡ଼ିଶାର ସୁରଦାସ ଆପନ୍ନା ପାଣିଗ୍ରାହୀଙ୍କ ଭଳି ଲୋକଙ୍କୁ ସେ ସଙ୍ଗୀତ ଶିକ୍ଷା ଦେଇଥିଲେ । ପୁଣି ସେତିକି ନୁହଁ ମଞ୍ଚଶ୍ରୀ ସତ୍ୟନାରାୟଣ ପଣ୍ଡା ଯେ କି ପସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର “ମହାଲକ୍ଷ୍ମୀ ପୂଜା”ର ଗୀତ ଲେଖକ ଓ ନିର୍ଦେଶକ ଥିଲେ, ତାଙ୍କରି ଗୁରୁ ହେବାର ସୌଭାଗ୍ୟ ଆପନ୍ନାଙ୍କୁ ମିଳିଥିଲା । ନାରାୟଣ ସଦେଇଙ୍କ ଭଳି ମହାନ ବ୍ୟକ୍ତିମଧ୍ୟ ଆପନ୍ନାଙ୍କୁ ଗୁରୁ ରୂପେ ମଣିଥିଲେ । ସେ ପାରଳାର ତଥା ଉତ୍କଳର ସର୍ବ ପ୍ରାଚୀନ ନୃତ୍ୟ ସଖୀ ନାଟର ଧାରାକୁ ବଜାୟ ରଖିବାରେ ସକ୍ଷମ ହୋଇପାରିଥିଲେ । ମଠ ଓ ମନ୍ଦିରର ସହର ପାରଳାରେ ବର୍ଷକରେ ଦୁଇଥର ଝୁଲଣ ହୁଏ । ଏ ଉତ୍ସବରେ ଆପନ୍ନା ପରିଚ୍ଛାଙ୍କ ମଠରେ ଏଭଳି ଓଡ଼ିଆ ନୃତ୍ୟ, ନାଟକର ଆସର ଜମିରହୁଥିଲା, ଯାହା ଇତିହାସ କୁହେ ।
ଉପାନ୍ତ ଅଞ୍ଚଳରେ ଭାଷା, ସାହିତ୍ୟର ବିକାଶ, ନାଟ୍ୟକାଦିର ପ୍ରଚାର ଯେତେ ସହଜ ଶୁଭାଯାଉଛି ସେତେ ସରଳ କାର୍ଯ୍ୟ ନଥିଲା । ତାହା ପୁଣି ତେଲୁଗୁ ଭାଷାଭାଷୀ ଲୋକଙ୍କ ଗହଳି ମଧ୍ୟରେ ସତେ ଯେପରି ଥିଲା ଏକ ଦୂରୁହ ବ୍ୟାପାର । ଏଥି ସହ ନିଜସ୍ୱ ପ୍ରଚେଷ୍ଟାରେ ୫୦୦୦ରୁ ଅଧିକ ବହି ସଂଗ୍ରହ କରି ଏକ ପଠାଗାରର ନିର୍ମାଣ କରାଇଥିଲେ ପରିଚ୍ଛା ମହାଶୟ । ଯାହାଦ୍ୱାରା ଅନେକ ଶିକ୍ଷାର୍ଥୀ ଉପକୃତ ହୋଇ ଆସିଛନ୍ତି । ତାଙ୍କ ଜୀବନ କାଳରେ ଅନେକ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ ସହ ମଠରେ ରହିବା, ଖାଇବା ବ୍ୟବସ୍ଥା କରିଦେଉଥିଲେ । ଏହା ତାଙ୍କ ଉଦାର ମାନବିକତାର ପରିଚୟ ଦିଏ ।
ବାସ୍ତବରେ ସେ ଥିଲେ ସାହିତ୍ୟ, ସଙ୍ଗୀତ ଓ କଳାର ଉଦୀୟମାନ ସାରସ୍ୱତ ସାଧକ । ୧୯୩୯ ଜୁଲାଇ ୧୪ରେ ଇହଧାମରେ ତାଙ୍କ ଚିହ୍ନ ରହିଲାନି ସତ, କିନ୍ତୁ ତାଙ୍କ ଜୀବନର ଅମ୍ଳାନ ସ୍ମୃତି କଦାଚିତ ବିସ୍ମୃତ ହେବନାହିଁ । ଯଦି ଓଡ଼ିଆ ସାହିତ୍ୟ ଓ ସମାଜର ଧାରାବାହିକ ଇତିହାସ ଲେଖାଯାଏ, ତା’ହାଲେ ଆପନ୍ନାଙ୍କ ବିନା ଏହା ଅସମ୍ପୂର୍ଣ୍ଣ । ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଆପନ୍ନା ଜୟନ୍ତି ପାଳନ ହେବାର ଆଶା ଆଶାରେ ରହିଗଲା । ସମୟ ବଡ଼ ବଳବାନ । ପରିସ୍ଥିତିର ଅସମ୍ଭାଳ ସମୟ ପୂର୍ବବତ ହେଲେ ଆଗାମୀ ବର୍ଷମାନଙ୍କରେ ଆମେ ଆମ ପୂର୍ବସୁରିଙ୍କ ପୂଜ୍ୟପୂଜା କରିବାର ସୁଯୋଗ ପୁଣିଥରେ ପାଇପାରିବା ।
ରଚନା: ବିଷ୍ଣୁମୋହନ ଅଧିକାରୀ
Comments
ବିଷ୍ଣୁ ମୋହନ ଅଧିକାରୀ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ବିଭିନ୍ନ କଥା ସୋସିଆଲ ମିଡ଼ିଆ ଏବଂ ବ୍ଲଗ୍ ଜରିଆରେ ଲୋକଲୋଚନକୁ ଆଣିଥାନ୍ତି ।