ଆମ ଝିଅ ବୁଝୁଛି

Odia Poem Ama Jhia Bujhuchi (ଆମ ଝିଅ ବୁଝୁଛି) by Sreema Satapathy

ସେ ଆଫଗାନ ଝିଅଟି ପାଇଁ
ଆମ ଘରେ ବି
ଝିଅଟେ କାନ୍ଦେ
ଘର ଚଉଁରା ପାଖରେ
ବୋଉ ଥୋଇଥିବା
ସଞ୍ଜ ସଳିତାକୁ ଦେଖି
ଆଫଗାନର ନିଆଁ କଥା ଭାବେ

ସେ ଦେଖେ ଦୂର ପାହାଡ଼କୁ
ହୁଏତ ଏଇ ପାହାଡ଼ ଭଳି
ଅଫଗାନର ପାହାଡ଼
ତା ଚଉଡ଼ା ଛାତିରେ
ଲୁଚେଇ ରଖିଥିବ
ଆଫଗାନ ଝିଅଙ୍କ ଚିତ୍କାର
ହେଲେ ସେ ଜାଣେନା
ଅବିରତ ଝରୁଥିବା ଲୁହକୁ
ସେ ବୁହାଇବ କେଉଁଠି?

ଘର ଚୁଲିମୁଣ୍ଡରେ ପରା
ବିଧା ଗୋଇଠାରେ ମସଲା ପୂରେଇ
ସାନ ଭାଇ ପାଇଁ ମାଛ ରାନ୍ଧୁଛି ବୋଉ
ଓଢ଼ଣା ଫାଙ୍କରେ ତା’ର
କେତେ କଟା ଫଟା ଦାଗ
ହେଲେ ସକାଳୁ ଦାଣ୍ଡ ପହଁରାରେ
ତା’ର କେତେ କଷ୍ଟ
ପହଁରି ଦେଉଥିବା ଦେଖିଛି ।

ନଈ ହିଁ ନାରୀ,
ନିଆଁ ନୁହଁ !
ସାହିତ୍ୟକୁ ତାତ୍ସଲ୍ୟ କରିବା
ସାମର୍ଥ୍ୟ ବା ତା’ର କାହିଁ?
ସେ ଲେଖିବା ଆଗରୁ
ହାତରୁ ଛଡ଼େଇ ନିଆଯାଇଛି କଲମ
ଜୋର ଜବରଦସ୍ତି ନୁହଁ ମ
ସ୍ୱର୍ଗ ସୁଖ ଟିକେ ପାଇଁ ତ
ସେ ନିଜେ ଏ କଲମ ବିସର୍ଜନ କରିଛି

ତଥାପି ଆମ ଝିଅ
ଖବର ଦେଖୁଛି,
ବୁଝୁଛି ଧର୍ମ କ’ଣ,
ଧର୍ମ ରଖିବାକୁ ସଂସ୍ଥାଟେ କରେ କ’ଣ
କିଏ ଆଫଗାନ କିଏ ତାଲିବାନ
ଏସବୁ ଏବେ ବୁଝୁଛି ଆମ ଝିଅ
ଉସୁନା ଭାତକୁ ଭାବୁଛି କାଗଜ
କଲମ ପାଇଁ କାଳି ଖୋଜୁଛି
ଏଇ ତ କିଛି ଲେଖିବ ବୋଧେ
ପାହାଡ଼କୁ ସେ ବି ମାରିବ ଟେକା
ପ୍ରସ୍ତୁତ ହେଉଛି ଆମ ଝିଅ
ଆମ ଝିଅ ଏବେ ଖୁବ ବୁଝୁଛି ।

– ଶ୍ରୀମା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...