ଆସନ୍ତୁ ଜାଣିବା ଆମ ଗାଁ ପୋଖରୀର କଥା,
ଯେତେ ଗାଇଲେ ବି ସରେନି ଯାହାର ଗାଥା ।
ଆମ ପୋଖରୀରେ ଅଛି ବିଶୁଦ୍ଧ ପାଣି,
ଉପହାର ଦେଇଛନ୍ତି ଆମକୁ ବର୍ଷା ରାଣୀ ।
ସ୍ପର୍ଶ କରନ୍ତି ଯେବେ ପୋଖରୀକୁ ସୁବର୍ଣ୍ଣ ରବି କିରଣ,
ଅର୍ଘ୍ୟ ସମର୍ପଣ କରି ମନ୍ଦିର ପୂଜାରୀ ମାଗନ୍ତି ସୂର୍ଯ୍ୟଙ୍କୁ ଶରଣ ।
ଏହି ପୋଖରୀ ପାଖରେ ଘର କରି ରହୁଛନ୍ତି ମୋ ଅଜା ଆଈ,
ଏ ପୋଖରୀର ପାଣି ପିଅନ୍ତି ତାଙ୍କ ଦୁଇ ଗାଈ ।
ସବୁଦିନେ ଫୁଟନ୍ତି ଏଥିରେ ସୁନ୍ଦର କମଳ,
ଶ୍ରୀଜୀଉ ଏବଂ ଗ୍ରାମଦେବୀଙ୍କ ପୁଷ୍ପାଞ୍ଜଳୀ ପାଇଁ ଯେ ସର୍ବଦା ବିମଳ ।
ଆମ ପୋଖରୀରେ ବଞ୍ଚିଛନ୍ତି ବହୁପ୍ରକାର ମୀନ,
ଜଳ ଭିତରେ ହିଁ ଅଛି ତାଙ୍କ ଜୀବନ ।
ପୋଖରୀ ପାଣିର ଦିନସାରା ବିଭିନ୍ନ ରଙ୍ଗ,
ଛୋଟ ଛୋଟ ଲହରୀରୁ ହେଉଛି ଅନନ୍ତ ତରଙ୍ଗ ।
ଅପେକ୍ଷା କରୁଛୁ କେବେ ଆସିବ ପୂର୍ଣ୍ଣିମା ରାତିର ଚନ୍ଦ୍ରବିମ୍ବ,
ପୋଖରୀରେ ଦେଖିବାକୁ ଆତୁର ଜହ୍ନମାମୁଁଙ୍କ ପ୍ରତିବିମ୍ବ ।
ପୋଖରୀରେ ସନ୍ତରଣ କରନ୍ତି ଶ୍ୱେତହଂସ ପରି ବିଭିନ୍ନ ସୁନ୍ଦର ପକ୍ଷୀ,
ଏ ମନୋରମ ଦୃଶ୍ୟକାବ୍ୟର ବର୍ଣ୍ଣନାର ମୋ ଆଖି ସାଜିଛି ସାକ୍ଷୀ ।
ଛୋଟ ପିଲାମାନେ ପୋଖରୀର କୂଳରୁ କୂଳ ଯାଆନ୍ତି ପହଁରୀ,
ପୁଣି ଖୁସିରେ ଖେଳନ୍ତୁ ଚକା ଭଉଁରୀ ।
ପୋଖରୀ ପାଖରେ ଏକତ୍ର ହୁଅନ୍ତି ସାଙ୍ଗମାନେ ଖୋଜି ଖୋଜି,
କରନ୍ତି ବେଳେ ବେଳେ ଆମ୍ବ ଗଛ ଛାଇରେ ଛୋଟ ବଣଭୋଜି ।
ପୋଖରୀ ଘାଟରେ କେବେ କେବେ ହୁଏ ସ୍ତ୍ରୀଲୋକଙ୍କ କଥା କଥାରେ କଳି,
କିଛି ଚଗଲା ପିଲାଏ ଯାହା ଦେଖି ହସିହସି ପାଳି କରି ମାରନ୍ତି ତାଳି ।
ପୋଖରୀ ପାଖର ପଣସ ଗଛ ତଳେ ଲୋକେ ତାସ୍ ଖେଳି କରନ୍ତି ଖଟି,
ଟୋକାମାନେ ପୁଣି ଖୁସିରେ ଖେଳନ୍ତି ଏଇଠି ବାଟି ।
ପୋଖରୀର ପଦ୍ମନାଡ଼ରୁ ରନ୍ଧାହୁଏ ବାଟବସା ତରକାରୀ ପିଠୋଉ ଭଜା,
ଅମିତ ଜିଭ ଲାଳସା ହୁଏ ନେବାକୁ ଏହି ରୁଚିକର ବ୍ୟଞ୍ଜନର ମଜା ।
ପୋଖରୀ ପାଖର ମସାଣିରେ ହୁଏ ମୃତ ଲୋକଙ୍କର ଅନ୍ତିମ ସଂସ୍କାର,
ନଶ୍ୱର ଜୀବନର ନିବାଡ଼ ସତ୍ୟ ସ୍ୱୀକାର କରିବାକୁ କହିଛି ସଂସାର ।
ପୋଖରୀ ସାମନା ସ୍ଥଳରେ ହୁଏ ସାପ୍ତାହିକ ହାଟ,
ଲୋକଙ୍କ ଗହଳି ଯୋଗୁଁ ବନ୍ଦ କରାଯାଏ ପୋଖରୀକୁ ବାଟ ।
ହୁଏ ପୋଖରୀ ସମୀପ ପ୍ରଦର୍ଶନୀ ପଡ଼ିଆରେ ବାର୍ଷିକ ଉତ୍ସବ ମେଳା,
ପ୍ରଦର୍ଶନ ହୁଏ ସଖୀ କଣ୍ଢେଇ, ପ୍ରହଲ୍ଲାଦ ନାଟକ, ଲୋକନାଟ୍ୟ ଓ ହସ୍ତକଳା ।
କାର୍ତ୍ତିକ ପୂର୍ଣ୍ଣିମାରେ ଗ୍ରାମ୍ୟ ପୋଖରୀରେ ହୁଏ ବୋଇତ ବନ୍ଦାଣ, ଦୀପଦର୍ଶନ,
ଯାହା ହେଉଛି ଓଡ଼ିଆ ପୂର୍ବଜଙ୍କ ବାଲିଯାତ୍ରା ପ୍ରୟାଣର ନିଦର୍ଶନ ।
ହୁଏ ଯେବେ ସାର୍ବଜନୀନ ପୂଜା ସମାଗମର ସମାପନ,
ପୋଖରୀରେ ହୁଏ ଠାକୁରଙ୍କ ମୂର୍ତ୍ତିର ବିସର୍ଜନ ।
ବୃଦ୍ଧ ଲୋକଙ୍କ ସହିତ ସରପଞ୍ଚ ପ୍ରତ୍ୟହ କରନ୍ତି ଅଳିଆ ଯୋଗୁଁ ଜଳପ୍ରଦୂଷଣର ବୋଧ,
ଆମ ପୋଖରୀ ଜଳ ସ୍ରୋତକୁ ଦୂଷିତ କରିବା ସମ୍ପୂର୍ଣ୍ଣ ନିଷେଧ ।
ରଖାଯାଉ ଆମ ଗ୍ରାମ୍ୟ ପୋଖରୀକୁ ନିର୍ମଳ,
ତା’ହେଲେ ମିଳିବ ସବୁଦିନ ପାଇଁ ସଲିଳ ।
ଆମ ପଲ୍ଲୀର ପୋଖରୀ ଆମ ପାଇଁ ସଦା ସୁନେଲି ସ୍ମୃତି,
ଯେତେ କହିଲେ ଗାଇଲେ ବି ଇଚ୍ଛା ହୁଏ କରିବାକୁ ଯାହାର ନିରନ୍ତର ସ୍ତୁତି ।
– ରାଜ ଶେଖର ଶ୍ରୀ ଚିମା
Comments
ରାଜ ଶେଖର ଶ୍ରୀ ଚିମା ଓଡ଼ିଆ ତଥା ତେଲୁଗୁ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।