ନାରୀ ଭିତରର ଯନ୍ତ୍ରଣାକୁ ପଢ଼ିଛ କି କେହି?
କେବେ ତା’ ମନର ସିନ୍ଦୁକରେ
ଲୁଚେଇଥିବା ଇଚ୍ଛାକୁ
କେହି ଖୋଜନ୍ତିନି,
ତା’ ଇଚ୍ଛାର ଚାରିପାଖରେ ଲକ୍ଷ୍ମଣରେଖା
ସେ ଡେଇଁଲେ ଅନେକ କୁତ୍ସାରଟନା
ତା’ ଭାବିବାରେ ଅଙ୍କୁଶ
ସେ ଭାବିଲେ ବି ଅଶୌଚ ହେଇଯାଏ
ସମଗ୍ର ସଂସ୍କୃତି ।
ନାରୀ ତା’ ପରିସୀମାର ପରିସରରେ
ଶ୍ଵାସରୁଦ୍ଧ ନିର୍ବାକ ଚରିତ୍ର
ସେ ବାସ୍ତବ ଜୀବନ ଜିଇଁବାରୁ ଉପେକ୍ଷିତ
ଅଭିନୟରେ ଅଭିନୟରେ ତା’ ଜୀବନ ଜିଇଁବାରେ ଅଭ୍ୟସ୍ତ
ନାରୀ ଜଳେ ଖୁବ୍ ଭିତରେ ଭିତରେ ଜୀବନ୍ତ ଶରୀରରେ
ଅର୍ଦ୍ଧମୃତ ଆତ୍ମାର ବିବସନାରେ
କେହି ବୁଝନ୍ତିନି ଅଘୋଷିତ ଇସ୍ତାହାରକୁ
ସେ ଜଳେ ଇଚ୍ଛାକୁ ଜଳାଏ ।
ହିସାବୀ ସମାଜର ଆକ୍ଷେପର ବାରୁଦ ଗଦାରେ
ନାରୀ ଏକ ବିବିଧ କଳାକାର
ନିଜ ଭିତରୁ ନିଜକୁ ବହିଷ୍କାର କରି
ଆପଣେଇ ନିଏ ଅଜଣା ଲୋକଙ୍କୁ
ତା’ ରୁଚି ଅଭିରୁଚି ସବୁକୁ କବର ଦିଏ
ଦେହକୁ କଙ୍କାଳ କରିଦିଏ
ରକ୍ତକୁ ଜୀବନ୍ୟାସ ଦିଏ ।
ନୂଆ ଗୋଟେ ପୃଥିବୀ ତିଆରି କରିପାରେ କେବଳ ନାରୀ
ତା’ ଆଖିର ଚାହାଣୀରେ ଅନେକ କାରୁଣ୍ୟତା, ବିବଶତା
ବେସାହାରା ସ୍ଵପ୍ନର ଭସାଣି
କେହି କେବେ ପଢ଼ନ୍ତିନି
କେବଳ ବିବସ୍ତ୍ର କରନ୍ତି
ପରାହତ କରନ୍ତି
ପ୍ରତି ମୋଡ଼ରେ ସହରଠାରୁ ଗାଁ’ ଯାଏ ।
ସବୁଠି ଓହ୍ଲେଇ ଆସେ ପାଷାଣ ମଣିଷ
ସମସ୍ତକଙ୍କର ବିବୃତିର ଝାମ୍ପ
ରକ୍ତାକ୍ତ କରିଦିଏ ନାରୀର ଚରିତ୍ର
ତା’ ଭିତରୁ ଅନେକ ଆସ୍ଥାକୁ
ହରାଇବା ପରେ
ସେ ଖୁବ ପମ୍ଫା ହୋଇଯାଏ ।
ପୁଣି କିନ୍ତୁ ସ୍ୱୟଂ ସମ୍ପୂର୍ଣ୍ଣରେ
କଳା ଚଷମା ପିନ୍ଧି
କହେ ମୋର ଆଉ ମୋର
ଭାଙ୍ଗିଯାଉଥିବା ମନରେ
ସ୍ୱାଭିମାନର ଢିରା ଦେଇ
ସମାଜରେ ଜିଇଁବା ଶିଖି ଯାଏ
ପଡ଼ିଉଠି ।
– ଅନସୂୟା ପଣ୍ଡା
Comments
ଅନସୂୟା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।