ଛାତ ଉପରେ ବସି ରାତିର ଅନ୍ଧାରରେ ଆକାଶର ବିଶାଳତାକୁ ପରଖୁଥିଲି । ଆକାଶରେ ଝଲସୁଥିବା ଟିକି ଟିକି ତାରାମାନେ ଅତି ଛୋଟ ଛୋଟ ଦିଶୁଥିଲେ ବି ସେମାନେ ବାସ୍ତବରେ ବହୁତ ବିଶାଳ । ଏହି ସୀମାହୀନ ଆକାଶରେ କେତେ ଯେ ବଡ଼ ବଡ଼ ଗ୍ରହ ଏବଂ ତାରା ପୁଞ୍ଜ ଅଛନ୍ତି ତାହା କେବଳ ସେହି ବିଶ୍ୱ ନିୟନ୍ତାଙ୍କୁ ଜଣା । ଏତେ ବଡ଼ ବିଶାଳ ବିଶ୍ୱ ତୁଳନାରେ ମୋର ଅବସ୍ଥିତି କେତେ ଯେ ନଗନ୍ୟ ତାହା ସହଜରେ ଅନୁମେୟ । ଏହି ଅନନ୍ତ ଆକାଶ ଓ ଅଗଣିତ ତାରାକୁ ଦେଖି ମନ ଭିତରେ ଅନେକ ପ୍ରଶ୍ନ ଉଙ୍କିମାରେ । ମୋର ଏ ଦୁନିଆକୁ ଆସିବା ପୁର୍ବରୁ ଏ ସବୁ ଥିଲା ଏବଂ ମୋ ପରେ ବି ଏ ସବୁ ଥିବ । ମୋର ଉପସ୍ଥିତି ଓ ଅନୁପସ୍ଥିତରେ କିଛି ଯାଏ ଆସେ ନାହିଁ । ତା’ ପରେ ବି ମୋ ମନରେ କେତେ ପ୍ରକାର କାମନା ଏବଂ ଭାବନା । ଭାବନାରର ଅନ୍ତ ନାହିଁ । ଏଠାକୁ ମୁଁ ଏକୁଟିଆ ଆସିଛି, ଦିନେ ପୁଣି ଚାଲିଯିବି ଆଉ ଏହା ହିଁ ବିଧିର ବିଧାନ ।
ସେହି ପରମ ପିତାଙ୍କ ସୃଷ୍ଟିରେ ସବୁକିଛି ଶୃଙ୍ଖଳିତ ଭାବରେ ଚାଲିଥାଏ । ସକାଳ ଆସେ, ସନ୍ଧ୍ୟା ବି ହୁଏ । ଋତୁଚକ୍ର ଏକ ବେଗରେ ଚାଲେ, ପୃଥିବୀ ତା’ କକ୍ଷ ଚାରିପଟେ ଘୂରିବୁଲେ । ଏ ସବୁରେ ମୋର ଭୂମିକା କିଛି ନାହିଁ । ଏ ସବୁ ତା’ ବାଟରେ ନିରବରେ ଘଟି ଚାଲିଛି । ବାସ୍ତବରେ କି ବିଚିତ୍ର ଏ ସୃଷ୍ଟି !! ଏ ସୃଷ୍ଟି କ୍ରମରେ ମଣିଷ ହିଁ ଏକମାତ୍ର ଜୀବ ଯାହା ଭିତରେ କି ଅପୂର୍ବ ସମ୍ଭାବନା ଏବଂ ସୃଷ୍ଟିକୁ ଉପଭୋଗ କରିବାର କ୍ଷମତା ରହିଛି । କେବଳ ମଣିଷ ହିଁ ଇଶ୍ୱରଙ୍କ ସତ୍ତା ଉପଲବ୍ଧି କାରିପାରିବ । ସେଥିପାଇଁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଲେଖିଛନ୍ତି, “ଜନ୍ତୁନାଂ ନର ଜନ୍ମ ର୍ଦୁଲଭଃ ।” ଏ ଦୁର୍ଲ୍ଲଭ ଜୀବନ ପାଇ ବି ମଣିଷ ସେହି ପରମ ପିତାଙ୍କ ସାନ୍ନିଧ୍ୟ ହାସଲ କାରିବା ପରିବର୍ତ୍ତେ ସାମୟିକ ଆନନ୍ଦରେ ନିଜକୁ ନିୟୋଜିତ କରିଥାଏ ।
“ସଂସାର ସିନ୍ଧୁ ରୂପେଣ, ମୀନ ରୂପେଣ ମାନବାଃ
ଜଞ୍ଜାଳ ଜାଲ ରୂପେଣ, କାଳ ରୂପେଣଂ ଧୀବରା ।”
ଏ ସଂସାର ହେଉଛି ସାଗର । ଯେଉଁଠାରେ ଜୀବମାନେ ମୀନ ପରି ଭାସି ବୁଲନ୍ତି । ରାଗ, ଦ୍ୱେଷ, ଇର୍ଷା, ହସ, କାନ୍ଦ ଏବଂ ପରିବାର, ସମାଜରେ ଘଟୁଥିବା ଘଟଣାସବୁ ଜାଲ ଭଳି ଆମକୁ ଛନ୍ଦି ରଖି ଧୀବର ରୂପକ କାଳ ହାତରେ ରହିଥାଏ । କେତେବେଳେ ଯେ ଏହି କାଳର କରାଳ ଗର୍ଭରେ ହଜିଯାଉ ତାହା ବି ଜାଣି ହୁଏନା । ସେଥିପାଇଁ ଆଦିଗୁରୁ ଲେଖିଛନ୍ତି, “ମା କୁରୁ ଧନଜନ ଯୌବନ ଗର୍ବଂ ହରତି ନିମିଷାତ୍ କାଳଃ ସର୍ବଂ ।”
ହେ ଦିବ୍ୟାତ୍ମା ! ଧନ, ଜନ ଓ ଯୌବନକୁ ନେଇ କଦାପି ଗର୍ବ କରନି । କାହିଁକି ନା ଗୋଟିଏ କ୍ଷଣରେ ହିଁ ସମୟ ତାକୁ ହରଣ କରିନିଏ । ଏଠାରେ ସବୁକିଛି ପରିବର୍ତ୍ତନଶୀଳ କିନ୍ତୁ କେବଳ ଭଗବାନ ହିଁ ସତ୍ୟ । ସେ ହିଁ ଏକ ମାତ୍ର ସ୍ଥିର ସତ୍ତା ଯାହାଙ୍କ ଉପସ୍ଥିତି ପାଇଁ ସବୁ କିଛି ଚାଳିତ ହୁଏ । ସତ୍ୟଂ ଜ୍ଞାନଂ ଅନନ୍ତଂ ବ୍ରହ୍ମଂ । ସବୁ ଶବ୍ଦ ନିରବତାରୁ ଆରମ୍ଭ ପୁଣି ନିରବତାରେ ହିଁ ଶେଷ । ନିରବତାର ସଂଜ୍ଞା ଆମେ ଯାହା ବି କହିବା ତାହା ମିଥ୍ୟା ହେବ । ନିରବତା ହିଁ ନିରବତାର ସଂଜ୍ଞା । ଆମେ ଯାହା କହିବା ତାହା ଏକ ଶବ୍ଦ ହେବ । ଠିକ ସେହିପରି ଇଶ୍ୱର ଯିଏକି ସର୍ବ ବ୍ୟାପି, ଅନନ୍ତ, ଅସୀମ, ନିରାକାର ତାଙ୍କୁ କେଉଁ ନାମରେ ଡାକିବି ଓ କେଉଁ ରୂପେ ଦେବି !? ଇଶୋପନିଷଦ କୁହନ୍ତି,
“ଇଶାବାସ୍ୟଂ ଇଦଂ ସର୍ବଂ ୟତକିଞ୍ଚ ଜଗତ୍ୟାଂ ଜଗତ ।
ତେନ ତ୍ୟକ୍ତେନ ଭୁଞ୍ଜିଥା ମା ଗୃଧଃ କସ୍ୟଶ୍ୱିଦ୍ଧନମ୍ । ।”
ଏହି ଜାଗତରେ ଥିବା ସବୁକିଛି ହିଁ ଇଶ୍ୱରଙ୍କ ସାମ୍ରାଜ୍ୟ । ଧନର ଆଶା ପରିତ୍ୟାଗ କରି ସୁଖମୟ ଜୀବନ ଯାପନ କରିବା ଉଚିତ । ସେ ଇଶ୍ୱରଙ୍କର ମୁଁ ବି ଅଂଶ । ସେ ମହାସିନ୍ଦୁ ହେଲେ ମୁଁ ଏକ ତଟିନୀ ଧାରା । ଏ ଧାରାଟି ଗତି କରେ କେବଳ ସେହି ଅନନ୍ତ ମହାସିନ୍ଧୁରେ ମିଶିବା ପାଇଁ । ଏହି ଧାରାଟି ପ୍ରବାହିତ ହେଲାବେଳେ ଅନେକ ବାଧା ବିଘ୍ନ ଦେଇ ଆଗକୁ ଆଗକୁ ଚାଲିଥାଏ ।
ପିଲାଟି ଦିନରୁ ଶୁଣିଥିବା ଗୀତଟିଏ ମନେପଡ଼େ,
“ମହାସିନ୍ଧୁ ତୁମେ ଅନନ୍ତ ଅସୀମ
ମୁଁ ଯେ ତଟୀନୀର ଧାରା…”
ଏ ଗୀତ ଟି ଶୁଣିଲେ ମନ ଭିତରେ ଏକ ଅଦ୍ଭୁତ ଶିହରଣ ଖେଳିଯାଏ । କିଛି କ୍ଷଣ ପାଇଁ ଦିବ୍ୟ ଅନୁଭବରେ ବୁଡ଼ିଯାଏ । ଏହି ଅନୁଭବ ଭିତରେ ନିଜେ କେତେବେଳେ ହଜିଯାଏ ତାହା ଜାଣି ହୁଏନା । ବୋଧହୁଏ ଏହା ହିଁ ଇଶ୍ୱରଙ୍କ ଅନୁଭବ । ଯେଉଁଠାରେ କୌଣସି ଦୁଃଖର ଲେଶମାତ୍ର ନ ଥାଏ ।
– ଜ୍ଞାନ ରଞ୍ଜନ ପଣ୍ଡା
Comments
ଜ୍ଞାନ ରଞ୍ଜନ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଲେଖନ୍ତି । ତାଙ୍କ ରଚିତ ଲେଖାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି । ଏତଦ୍ବ୍ୟତୀତ ସେ ଜଣେ ସମାଜସେବୀ ଭାବରେ ନିସ୍ୱାର୍ଥପର ଭାବରେ ଅନେକ ସେବାକାର୍ଯ୍ୟ କରନ୍ତି ।