“ଗତ ଅର୍ଦ୍ଧଶତାବ୍ଦୀ ଭିତରେ ଭାରତବର୍ଷ ବହୁତ କିଛି ପାଇଛି; ବହୁତ କିଛି ହରାଇଛି । ହରାଇଥିବା ବିଭବସବୁ ଭିତରେ ବୋଧହୁଏ ସବୁଠାରୁ ମୂଲ୍ୟବାନ ତା’ର ପଲ୍ଲୀ ବାତାବରଣ । ହୁଏତ ଏ କ୍ଷତି ଥିଲା ଅନିବାର୍ଯ୍ୟ । ଅନିବାର୍ଯ୍ୟ… କିନ୍ତୁ ଅପୂରଣୀୟ ।”
ଭାରତର ତତ୍କାଳୀନ ପଲ୍ଲୀ ଜୀବନର ସୁନ୍ଦର ଚିତ୍ର ନିଜ ଅଗଣିତ ଲେଖା ମାଧ୍ୟମରେ ଉଦଜୀବିତ କରିଥିବା ଶବ୍ଦର ଯାଦୁକର ଶ୍ରୀ ମନୋଜ ଦାସଙ୍କ ଉପରୋକ୍ତ ଉକ୍ତି ଆଜି ବି ମାନସ ପଟରୁ ଅପସରି ଯାଇନାହିଁ । ଜୀବିକା ଯାପନର ଅନେକ ବର୍ଷ ବିଦେଶରେ ତଥା ରାଜ୍ୟ ବାହାରେ ରହିବା ଭିତରେ ଯତ୍ କିଞ୍ଚିତ୍ ସମୟ ମିଳେ ଚେଷ୍ଟା କରେ ଗାଁରେ ବିତାଇବାକୁ । ଛୋଟବେଳର ଜହ୍ନମାମୁଁର କନକ ଉପତ୍ୟକାର କାହାଣୀରୁ ଆରମ୍ଭ କରି ସଚିତ୍ର ବିଜୟାର ଧାରାବାହିକ ଉପନ୍ୟାସ ପଢ଼ିବା ପାଇଁ ଅର୍ଥାଭାବରୁ ବିଗତ ସଂଖ୍ୟା କିଣିବାରୁ କି ନୂତନ ସଂଖ୍ୟା ଉଧାର ଆଣିବାରୁ ନେଇ ଚାକିରୀ କରିବା ପରେ ତାଙ୍କ ଉପନ୍ୟାସ କି ଗଳ୍ପ ସଂକଳନ କିଣିବା ପାଇଁ ସକ୍ଷମ ହେବା ଭିତରେ ଜାଣି ଯାଇଥିଲି ଯେ ଯାହାଙ୍କ ଲେଖା ଏତେ ଶ୍ରଦ୍ଧାର ସହ ପଢ଼ୁଛି ସିଏ ମୋ ପୈତୃକ ଗାଁ’ର ଅନତି ଦୂରରେ ଅନ୍ୟ ଏକ ଗାଁରେ ଜନ୍ମ ନେଇଥିଲେ ।
ଅନେକ ବର୍ଷ ଧରି ସେଇ ଗାଁକୁ ଯିବାର ଅନେକ ଯୋଜନା ହେବାପରେ ବି କାହିଁକି କେଜାଣି ଯାଇ ହେଉନଥିଲା କୌଣସି ଅନ୍ୟ ଅସୁବିଧା ପାଇଁ । ଶେଷରେ ଆରାଧ୍ୟ ଠାକୁର ବାବା ଚନ୍ଦନେଶ୍ୱରଙ୍କ ପୀଠକୁ ଥରେ ନୀଳ ପର୍ବ ଉପଲକ୍ଷେ ଯିବା ସମୟରେ ଅନତି ଦୂରରେ ଥିବା ଶଙ୍ଖାରୀକୁ ଯାଇ କିଛି କ୍ଷଣ ଆନନ୍ଦରେ ଅତିବାହିତ କରିଥିଲି ଆଉ ଦାସ ଘର ସେଇ କୋଠାକୁ ଯାଇ ଭାବୁଥିଲି ସତରେ କ’ଣ ହାଡ଼ମାଂସଧାରୀ ମନୋଜ ଦାସ କେବେ ବାଲ୍ୟକାଳ ଓ ଶୈଷବର ଦିନ ସବୁ ଏଇଠି ଅତିବାହିତ କରିଥିଲେ !?
ଚନ୍ଦନେଶ୍ୱର ମନ୍ଦିର ପୂର୍ବ ପଟ ପାଚେରୀକୁ ଲାଗି ରାସ୍ତାରେ କିଛି ଦୂର ଯିବା ପରେ ଭୋଗରାଇର ପ୍ରସିଦ୍ଧ ପାନ ବୁରୁଜ ସବୁର ସବୁଜିମା ଭିତରେ ଦୂରରୁ ଦେଖାଯାଉଥିଲା ଏକ ମନ୍ଦିରର ଚୂଡ଼ା, ବିସ୍ତୀର୍ଣ୍ଣ ସବୁଜ ପ୍ରାନ୍ତରର ଶେଷଭାଗରେ ଦଣ୍ଡାୟମାନ ଥିଲା ଶ୍ରୀ ରାଧା ଗୋପୀନାଥଙ୍କ ମନ୍ଦିର । ଶଙ୍ଖାରୀ ଗ୍ରାମର ସୀମା ଆରମ୍ଭ ହୋଇଯାଇଥିବା କଥା ବି ଜାଣି ପାରିଥିଲି ।
ହାଟ ଛକ ପୂର୍ବରୁ ଡାହାଣ ପଟେ ଦିଶିଥିଲା ଶଙ୍ଖାରୀ ପ୍ରାଥମିକ ବିଦ୍ୟାଳୟ; ଏଇ କ’ଣ ସେଇ ବିଦ୍ୟାଳୟ ଯେଉଁଠି ପଢ଼ିବା ସମୟର କଥାକୁ “ପ୍ରଭଞ୍ଜନର ପାଦଚିହ୍ନ”ର ସେ ଦୁର୍ଭିକ୍ଷର କାହାଣୀ କି “ଏକ ଚୋରୀର ବୃତ୍ତାନ୍ତ” ମାଧ୍ୟମରେ ଲେଖିଥିଲେ !?
ହାଟ ଛକରୁ ବାମକୁ ବୁଲିବା ସମୟରେ କିଛି ଛୋଟ ପଦ୍ମ ପୋଖରୀ ଆଖିରେ ପଡ଼ିଥିଲା, ଇଏ କ’ଣ ସେଇ “ଦୁଇ ସରୋବର”, ଯେଉଁଠି ଦୁଇ ତରୁଣ ପ୍ରେମିକ ପ୍ରେମିକା ନିଜ ଜୀବନ ହାରିଥିଲେ ଓ ଅନେକ କାଳ ପର୍ଯ୍ୟନ୍ତ ଯେଉଁଠି ଶ୍ୱେତ ଓ ଲାଲ୍ ପଦ୍ମ ଫୁଟୁଥିଲା !? ନାଁ, ସିଏ ତ “ଗୋଟିଏ ମୁମୂର୍ଷୁ, ଅନ୍ୟଟି ଲୁପ୍ତ ପ୍ରାୟ” ୧୯୮୫ ମସିହାରୁ ।
ଗାଁ ଭିତରେ କିଛି ବାଟ ଯିବାପରେ ବାମ ପଟେ ଥିଲା ବିରାଟ ବାଡ଼ି । ସ୍ଥାନୀୟ ପରିଚିତଙ୍କ ସହ ଥିବାରୁ ଘର ଖୋଜିବାରେ ବିଶେଷ ଅସୁବିଧା ହୋଇନଥିଲା । ବାଉଁଶ ତାଟିକୁ ଖୋଲି ଭିତରକୁ ଯିବା ପୂର୍ବରୁ ଆଖ ପାଖ ଘର ଆଡ଼କୁ ଆଖି ବୁଲେଇ ଖୋଜୁଥିଲି ବୈକୁଣ୍ଠ ମଉସାଙ୍କ ଘରକୁ । କୁମା ଓ ଚପଳ ମଣ୍ଟୁ ଯେଉଁଠି ଲୁଚକାଳି ଖେଳୁଥିଲେ ସେହି ସ୍ଥାନକୁ ମନେ ମନେ ଖୋଜୁଥିଲି ଆଉ ତା’ ସହିତ ‘ଉ’ସହ ଏକ ଗୋଧୂଳିର ସେଇ ରୋମାଞ୍ଚକର ଅନୁଭବକୁ ମନେ ପକାଉଥିଲି ।
ରାସ୍ତାରୁ ଦିଶୁଥିଲା ଦାସ ପରିବାରର ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମନ୍ଦିର, ମୁଣ୍ଡିଆ ମାରି ଉଠିବା ସମୟରେ ମନରେ ସେଇ ନିଆଶି ନନାଙ୍କ ଅନୁତପ୍ତ ଦିଅଁଙ୍କ କଥା ! ହେଲେ ନିଆଶି ନନାଙ୍କ ସେ କୁଡ଼ିଆ ବୋଧେ ଦୂରରେ ଥିଲା ଘରଠୁ ।
ଜମିଦାରୀ ଘର ଭଳି ବଡ଼ ସିମେଣ୍ଟ ଖୁଣ୍ଟ ଥିବା ଦ୍ୱିତଳ ପ୍ରାସାଦର ପିଣ୍ଡାରେ ପାଦ ଦେବା କ୍ଷଣି ଆଖିରେ ପଡ଼ିଥିଲା ଦାସ ବଂଶର ତାରକାମାନଙ୍କର ନାମ ତାଲିକା ଲେଖାଥିବା ଏକ କାନ୍ଥ । ପଢ଼ୁ ପଢ଼ୁ ସେ ସ୍ନେହୀ ଯୁଧିଷ୍ଠିର ମାଷ୍ଟ୍ରେଙ୍କ ମଣ୍ଟୁବାବୁଙ୍କୁ ପାଠ ପଢ଼ାଇବାର ଚେଷ୍ଟା ମନେପଡ଼ିଥିଲା । ଏଇ କ’ଣ ସେଇ ପିଣ୍ଡା ଯେଉଁଠି ବସି କେବେ ମନୋଜ ଦାସ ସଶରୀରେ ପାଠ ପଢ଼ୁଥିଲେ ନିଜ ଭାଇ ଭଉଣୀମାନଙ୍କ ସହ !
ମୁଖ୍ୟ ଦୁଆର ପାଖରେ ପହଞ୍ଚିଲା ବେଳକୁ ଘରେ ରହୁଥିବା ଜଣେ ମହିଳା ଆସି ନିଜ ପରିଚୟ ଦେଇ ଘର ଭିତରକୁ ପାଛୋଟି ନେଇଯାଇଥିଲେ । ଭିତର କାନ୍ଥରେ ମନୋଜ ଦାସଙ୍କ ଯୁବାବସ୍ଥାର ଫଟୋ ସହ ଅନ୍ୟାନ୍ୟ ପରିବାର ଲୋକଙ୍କ ଫଟୋ ସହ ଶ୍ରୀମା ତଥା ସତ୍ୟସାଇ ବାବାଙ୍କ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଥିଲି । ବାମ ପଟର ଘର ଥିଲା ତାଙ୍କ ପିତାଙ୍କର, ତା’ପରେ ଯେଉଁ ଘର ସେଇଟା ବୋଧେ ସେଇ ଘର ଯେଉଁଠି ବସି ତାଙ୍କ ଆଇ ସେଦିନ ରୋକଠୋକ କହିଥିଲେ, “ହୁଁ… ଏ ବାହାଘର ହେବନାହିଁ, ହେବାକୁ ଦେବି ନାହିଁ । ସ୍ନେହ ଭଳି ଝିଅ ବଳି ପଡ଼ିବ ଗୋଡ଼ରେ ଗୋଟିଏ ବି ଅଙ୍ଗୁଳି ନଥିବା ଗୋଟାଏ ଟୋକା ପାଖରେ !! କାହିଁକି? ପ୍ରଜାପତିଆ ନିଶକୁ ଧିକ୍ !! ଡାକିଆଣ ମୋ ଜୁଆଇଁକୁ !” ଅନ୍ତର୍ହିତ ପାଦାଙ୍ଗୁଳି ରହସ୍ୟ କାହାଣୀର ପୃଷ୍ଠଭୂମି ମନେ ପଡ଼ିଯାଇଥିଲା ।
ମଝିରେ ଅଗଣା, ସେପାରିରେ ଆଉ ବିଶେଷ କିଛି ଦେଖିବାର ନଥିଲା ବୋଲି ମନହେଲା, ଆଖି ଖୋଜି ବୁଲୁଥିଲା କିନ୍ତୁ ବାଳକ ମନୋଜ ଓ ତାଙ୍କ ପରିବାରର ସେଇ “ବିଭୀଷିକାମୟ ଦୁଇ ରଜନୀ” କଟାଇଥିବା ଘର ଉପରେ, ବୋଧହୁଏ ମୋ ମନର କଥାକୁ ବୁଝିପାରିଲେ ଘରେ ରହୁଥିବା ମହିଳା ଜଣକ ଡାହାଣ ପଟ କୋଣ ଘର ଆଡ଼କୁ ଇଙ୍ଗିତ କରି କହିଥିଲେ ଏଇ ସେଇ ଡକାୟତି ହୋଇଥିବା ଘର ! ସେ ଦୁଇ ରାତିରେ ଡକାୟତ ଦଳର ଆତଙ୍କର ଚିହ୍ନ ସେଘରୁ ଲିଭିନଥିବା କଥା କାହିଁକି କେଜାଣି ହୃଦବୋଧ ହେଲା ଘରର ଭିତରେ ସେ ଗୁପ୍ତ ଦ୍ୱାର ତଥା ଆସବାବପତ୍ର ଦେଖି ।
ସ୍ନେହ ଅପାଙ୍କ ଘରୁ ସେଦିନର ମଣ୍ଟୁ ଆଣିଥିବା ସାଥି ଜଣକର କାଠ ପିଞ୍ଜରାକୁ ବି ଖୋଜିଥିଲି କିନ୍ତୁ ପାଇ ନଥିଲି, “ଭୀଷଣ ସହ ବନ୍ଧୁତା”କୁ ତ ବି ଅର୍ଦ୍ଧ ଶତାବ୍ଦୀରୁ ଅଧିକ ହୋଇଯାଇଛି !!
ବାରଣ୍ଡାରେ ପଦ ଚାରଣା କରୁଥିବା ସମୟରେ ମନେ ପକାଇବାକୁ ଚେଷ୍ଟା ଥିଲା “ପାଗଳୀ”ର ସେ ମୁହଁ, ଏଇଠି କ’ଣ ଆଣି ଦେଇଥିଲେ ପାନ ଭାଙ୍ଗୁଥିବା ମା’ଙ୍କୁ ସେ ସୁନା ପରି ଦିଶୁଥିବା ଉଜ୍ଜ୍ୱଳ ଚିଜ !?
ବାରଣ୍ଡାରୁ ଓହ୍ଲାଇ ଘର ଆଗରେ ଥିବା ଗଛସବୁ ଆଡ଼କୁ ଆଖି ପକାଇ ଥିଲି । ମଣ୍ଟୁବାବୁଙ୍କ ସମୟର ସେ ପିଜୁଳି ଗଛ ଇତ୍ୟାଦି ତ ନଥିଲା ଆଉ ! ଆଖି ପଡ଼ିଲା ଆଗରେ ଥିବା ପୋଖରୀ ଉପରେ, ଏଇ କ’ଣ ସେଇ ପୋଖରୀ ଯେଉଁଠି ଦିନେ ନୂଆବୋଉ ମୟୂରଭଞ୍ଜରୁ ଆଣିଥିବା ମୟୂରଟି ଅପରାହ୍ନର ସେ ମେଘ ଡାକରେ ମତୁଆଲା ହୋଇ ନୃତ୍ୟ କରୁକରୁ ଅଚାନକ ବିଲୁଆର ଲୋଲୁପ ନଜରରେ ପଡ଼ି ମୃତ ହୋଇଥିଲା !?
ସନ୍ଧ୍ୟା ହୋଇ ଆସୁଥିଲା, ବାରଣ୍ଡା ଉପରକୁ ଚଢ଼ିଯାଇ ମନେ ପକେଇବାକୁ ଚେଷ୍ଟା କଲି ସେ ସମୟର ରାଧାକୃଷ୍ଣ ନାଟକର ପରିବେଷଣ ପୂର୍ବର ପ୍ରସ୍ତୁତି । ଆଉ ସେ ରାଧାକୃଷ୍ଣ ଭୁମିକାରେ ଅଭିନୟ କରୁଥିବା ଦୁଇ କିଶୋରଙ୍କ “ଚେତନା ରାଜ୍ୟର ରାଜକନ୍ୟା” କାହାଣୀ ।
ଏଇଠୁ ତ ସୁବର୍ଣ୍ଣରେଖା ଦେଖାଯାଉନି ଆଉ ! ଯେଉଁ ନଦୀର ବାଲୁକା ଶଯ୍ୟାରେ ମନୋଜ ଦାସଙ୍କ ପାଦଚିହ୍ନ ପଡ଼ିଥିଲା ଜମାଳପୁର ବିଶ୍ୱନାଥ ଏକାଡ଼େମୀରୁ ମାଇଲ ମାଇଲ ବାଟ ଚାଲି ଶଙ୍ଖାରୀ ଆସିବା ସମୟରେ !? ନାଁ, ନଦୀ ପଛକୁ ଫେରି ଯାଇଛି । “ଏକ ଜଳଯାତ୍ରା: ଏକ ସଜଳ ସଞ୍ଜ”ର ଟୁଣି ସହ ବିସ୍କୁଟ ଆଦାନପ୍ରଦାନର ସରଳ କଥୋପକଥନକୁ ମନେ ପକାଉଥିଲି ହଠାତ୍ ଚା’ ପିଇବାକୁ ନିମନ୍ତ୍ରଣ ମିଳିଲା ସେ ଘରେ ରହୁଥିବା ପରିବାର ତରଫରୁ ।
“ସମୁଦ୍ର ତ ଆହୁରି ପଛକୁ ଚାଲି ଗଲାଣି ବୋଧହୁଏ?” ଚା’ ପିଉ ପିଉ ମୋର ଏ ପ୍ରଶ୍ନର ଉତ୍ତରରେ ମହିଳା ଜଣକ କହିଲେ, “ହଁ, ଅନେକ ଦୂର ଚାଲିଗଲାଣି; ପାଖାପାଖି ୨ କିଲୋମିଟର ହେବ !”
ଫେରିବା ସମୟ ହୋଇଯାଇଥିଲା ସେ ସମୁଦ୍ର କୂଳର ଗ୍ରାମରୁ, ଆଣିଥିଲି ସାଥିରେ ମନୋଜ ଦାସଙ୍କ ଲେଖାର ପ୍ରତ୍ୟେକ ଚରିତ୍ରକୁ ହୃଦୟରେ ବାନ୍ଧି । ସମୁଦ୍ର ପଛକୁ ଫେରି ଯାଇଥିଲେ ବି ଆଜି ସେଇ ଶଙ୍ଖାରି ରହିଛି ଓଡ଼ିଶାର ଅନେକ ସାହିତ୍ୟ ପ୍ରେମୀଙ୍କ ହୃଦୟରେ “ସମୁଦ୍ର କୂଳର ଏକ ଗ୍ରାମ” ହୋଇ ।
ବି.ଦ୍ର.: ଉପରୋକ୍ତ ଲେଖା କିଛି ବର୍ଷ ତଳର ଶଙ୍ଖାରି ଗ୍ରାମ ଭ୍ରମଣ ସମୟର । ଆଜି ମନୋଜ ଦାସ ଇହଧାମକୁ ଛାଡ଼ି ଚାଲିଯାଇଛନ୍ତି ସତ କିନ୍ତୁ ତାଙ୍କ ଲେଖା ବିଶ୍ୱର ଅଗଣିତ ପାଠକଙ୍କ ହୃଦୟରେ ଘର କରି ରହିଯାଇଛି । ମନୋଜ ଦାସଙ୍କ ସ୍ମୃତିରେ ତାଙ୍କ ପାଦ ପଦ୍ମରେ ପ୍ରଣାମ କରି ତାଙ୍କ ଅମର ଆତ୍ମାର ସତଗତି କାମନା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଏଥି ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଉଛି ଘରଟିକୁ ମନ୍ମଥ-ମନୋଜ ସ୍ମୃତିରେ ଏକ ବିଶିଷ୍ଟ ସଂଗ୍ରାହାଳୟରେ ପରିଣତ କରାନ୍ତୁ ।
– ସାଇ ପ୍ରକାଶ ଜେନା
Comments
ସାଇ ପ୍ରକାଶ ପେଶାରେ ଜଣେ ଇଞ୍ଜିନିୟର ଏବଂ ନିଶା ତାଙ୍କର ଫଟୋଗ୍ରାଫି ଓ ଟ୍ରାଭେଲ୍ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିବା ସହ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି ।