ଜ୍ଞାନକୋଷ ବା ଏନ୍ସାଇକ୍ଲୋପିଡ଼ିଆ ବିନା କୌଣସି ଭାଷା ଶତ ପ୍ରତିଶତ ସମୃଦ୍ଧ ବୋଲି କୁହାଯାଇପାରିବନାହିଁ । ଜ୍ଞାନକୋଷ ରଚନା ଏତେ ସହଜ କଥା ନୁହେଁ । ଏଥିପାଇଁ ଲୋଡ଼ା ମିଳିତ ଉଦ୍ୟମ ସାଙ୍ଗକୁ ଆର୍ଥିକ ସହାୟତା ଓ ମାନସିକ ପ୍ରୋତ୍ସାହନ । ଆଉ ଏସବୁର ଅଭାବ ସତ୍ତ୍ୱେ ଏ ଭଳି ଜଣେ ଓଡ଼ିଆ ଥିଲେ, ଯିଏ ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ସୃଷ୍ଟି କରିପାରିଥିଲେ, ଆମ ଭାଷାର ଅଦ୍ୟାବଧି ସବୁଠାରୁ ଉନ୍ନତ ଜ୍ଞାନକୋଷ । ସେ ହେଉଛନ୍ତି ଜ୍ଞାନପ୍ରଦୀପ ବିନୋଦ କାନୁନ୍ଗୋ ।
ମହାତ୍ମା ଗାନ୍ଧୀଙ୍କ ଜୀବନ ମନ୍ତ୍ର ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ବିନୋଦ । ସ୍ୱାଧୀନତା ସଂଗ୍ରାମର ଅମ୍ଳାନ ଯୋଦ୍ଧା ମହାତ୍ମାଙ୍କ ପଟ୍ଟଶିଷ୍ୟ ଥିଲେ । ଆଜୀବନ ଜ୍ଞାନ ତପସ୍ୱୀ ରହିଥିଲେ । ସେ ଓଡ଼ିଆ ବିଶ୍ୱକୋଷ ‘ଜ୍ଞାନ ମଣ୍ତଳ’ର ଏକକ ରଚୟିତା, ଭାରତର ବିଶ୍ୱକୋଷ ଆନ୍ଦୋଳନର ଅଗ୍ରଦୂତ, ପଣ୍ତିତ, ଗବେଷକ, ସାମ୍ୱାଦିକ ଓ ସଂସ୍କାରକ । ଲେଖନୀ ମାଧ୍ୟମରେ ବିଜ୍ଞାନକୁ ଲୋକପ୍ରିୟ କରାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଆ ଶିଶୁ ସାହିତ୍ୟକୁ ନୂଆ ଧାରା ଦେଇଥିଲେ । ନିରକ୍ଷରତା ଓ ଅଜ୍ଞତା ବିରୋଧରେ ନିରନ୍ତର ସଂଗ୍ରାମ ଚଳାଇଥିଲେ । ସେ ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଶିକ୍ଷାର ଏକ ନବଜାଗରଣର ଅପ୍ରତିଦ୍ୱନ୍ଦ୍ୱୀ ପୁରୋଧା ତଥା ଏକ ସମ୍ୱେଦନଶୀଳ, ଅନୁଭୂତିସମ୍ପନ୍ନ ଓ ମାନବବାଦୀ ଚିନ୍ତାଧାରାର ବାହକ; ତପସ୍ୟା, ତନ୍ମୟତା, ନିଷ୍ଠା ଓ ଧୈର୍ଯ୍ୟର ଜୀବନ୍ତ ପ୍ରତୀକ; ଅମିତ ମନୋବଳ ଓ ଦୃଢ଼ ଆତ୍ମ-ପ୍ରତ୍ୟୟର ଅଧିକାରୀ । ଓଡ଼ିଶାର ଏହି ଜ୍ଞାନଗୁରୁ କେବଳ ‘ଜ୍ଞାନ ମଣ୍ତଳ’ର ସମ୍ପାଦନା ଓ ପ୍ରଣୟନ କ୍ଷେତ୍ରରେ ନୁହେଁ, ଶିଶୁ ଓ ନବ-ସାକ୍ଷର ଜନସାଧାରଣଙ୍କ ପାଇଁ ମୌଳିକ ଜ୍ଞାନ ସମ୍ୱଳିତ ସାହିତ୍ୟ ସୃଷ୍ଟି କରିବାରେ ବ୍ରତୀ ହୋଇ ନିଜର ଅନନ୍ୟ ଓ ଅନୁପମ କୃତିତ୍ୱ ଏବଂ ସିଦ୍ଧିର ପରିଚୟ ଦେଇଥିଲେ । ‘ଚଳନ୍ତି ବିଶ୍ୱକୋଷ’ ଭାବେ ପରିଚିତ ଏହି ଚିନ୍ତାନାୟକ ବିଜ୍ଞାନ, ଅର୍ଥନୀତି, ଦର୍ଶନ ଓ ଆଧ୍ୟାତ୍ମିକତାର ଜଟିଳ ତଥ୍ୟରାଶି, ସମସ୍ତଙ୍କ ପାଇଁ ବୋଧଗମ୍ୟ ସରଳ ଭାଷାରେ ବ୍ୟକ୍ତ କରିବାରେ ସଫଳ ହୋଇଥିଲେ ।
ସେ ବିଧିବଦ୍ଧ ଭାବେ କୌଣସି ପ୍ରକାରର ଉଚ୍ଚ ଶିକ୍ଷା ପାଇ ନ ଥିବା ମଣିଷ । ତଥାପି ନିଜର ଅସୀମ ଜ୍ଞାନ, ପ୍ରଗାଢ଼ ନିଷ୍ଠା ବଳରେ ସୃଷ୍ଟି କରିପାରିଥିଲେ ଜ୍ଞାନକୋଷ । ସେ ଥିଲେ ପରମ ଗାନ୍ଧୀବାଦୀ । ଗାନ୍ଧୀଙ୍କ ଆଦର୍ଶକୁ ଗ୍ରହଣ କରି ଜ୍ଞାନର ପ୍ରସାର ପାଇଁ ଆଜୀବନ ଉଦ୍ୟମ କରିଥିଲେ । ଏକଦା ବିନୋଦ ଥିଲେ ମେଧାବୀ ଛାତ୍ର । ତାଙ୍କ ମାମୁଁ ଥିଲେ ପ୍ରସିଦ୍ଧ ପୋଥି ଓ ସାହିତ୍ୟ ଗବେଷକ ପ୍ରଫେସର୍ ଆର୍ତ୍ତବଲ୍ଲଭ ମହାନ୍ତି । ମାମୁଙ୍କ କଟକସ୍ଥିତ ବସାରେ ରହି ସେ କଲିଜିଏଟ୍ ସ୍କୁଲ୍ରେ ପଢ଼ୁଥିଲେ । ସେହି ସମୟରେ ଜାତୀୟକବି ବୀରକିଶୋରଙ୍କ ଏକ ଗୀତ, ତାଙ୍କୁ ଗଭୀର ଭାବେ ଅନୁପ୍ରାଣିତ କରିଥିଲା: ‘ରଣ ସମୟରେ ବହି ଘୋଷିବାକୁ ମୋତେ ଆଉ ତୁମେ ବଳାନା; ଛାତିର ରକତ ତାତିଉଠେ ମୋର, ବାଜିବାରୁ ଯୁଦ୍ଧ ବାଜଣା । ଯୁଦ୍ଧ ଇତିହାସ ହୋଇଲେ ପଠିତ, ଶୁଣି ବଂଶଧର ହୋଇବେ ପଣ୍ତିତ; ନରହନ୍ତାର କଂସେଇଶାଳେ ମୁଁ ଲେଖୁଥିବି ବସି ରଚନା ।’ ବିନୋଦ ଲେଖିଛନ୍ତି: ‘୧୯୩୦ ଏପ୍ରିଲ୍ ୯ ତାରିଖ ସନ୍ଧ୍ୟାରେ ଏହି ଗୀତ ମୋ ମନରୁ ସମସ୍ତ ସନ୍ଦେହ ଦୂରକରିଦେଲା ଏବଂ ମୋ’ର କର୍ତ୍ତବ୍ୟ କ’ଣ, ତାହା ସୂଚେଇଦେଲା ।’ ପରଦିନ ହିଁ ସେ କେତେକ ସହପାଠୀଙ୍କ ସହ ବିଦ୍ୟାଳୟ ଛାଡ଼ି, ଧର୍ମଘଟରେ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ସଚ୍ଚି ରାୟ, ମାମୁଁ ଆର୍ତ୍ତବଲ୍ଲଭ ଏବଂ ଡ. ପ୍ରାଣକୃଷ୍ଣ ପରିଜା ବହୁତ ବୁଝାଇବା ସତ୍ତ୍ୱେ ତାଙ୍କୁ ରୋକିପାରି ନ ଥିଲେ । ତାହା ଥିଲା ବିଦ୍ୟାଳୟରେ ଶେଷ ଦିନ । ବିଦ୍ୟାଳୟରୁ ବହିଷ୍କୃତଙ୍କ ତାଲିକାରେ ସର୍ବାଗ୍ରେ ଥିଲା ବିନୋଦଙ୍କ ନାମ । ତାହା ପରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ, ବାରମ୍ୱାର କାରାବରଣ । ଅନୁଷ୍ଠାନଭିତ୍ତିକ ଶିକ୍ଷା ପାଇଁ ଆଉ ସୁଯୋଗ ମିଳି ନ ଥିଲା । ତେବେ, କୌଣସି ସମୟରେ ସେ ପଠନରୁ ବିରତ ହୋଇ ନ ଥିଲେ । ସବୁବେଳେ ପାଖରେ ରହୁଥିଲା ବିଭିନ୍ନ ପୁସ୍ତକ, ପତ୍ର-ପତ୍ରିକା । କାରାଗାର ଥିଲା ପଠନର ମୁଖ୍ୟ କ୍ଷେତ୍ର ।
ବିନୋଦଙ୍କର ଥିଲା ଏକ ସୁସଂଗତ, ସମର୍ପିତ ଓ ସାର୍ଥକ ଜୀବନ । ଓଡ଼ିଆ ଜାତୀୟ ଜୀବନକୁ ବିଶ୍ୱ ମାନବ ଜୀବନ ସହ ଐକ୍ୟବଦ୍ଧ କରି ଆଗେଇନେବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ଥିଲା । ଶୁଚିତା ଓ ସାଧୁତା ଥିଲା ତାଙ୍କର ବ୍ୟକ୍ତିଗତ ଭୂଷଣ । ମାଇନର୍ ପାସ୍ କରିବାର ମାତ୍ର ଦୁଇ ବର୍ଷ ତିନି ମାସ ପରେ ଯାହାଙ୍କର ବିଦ୍ୟାଳୟ ବସ୍ତାନିରେ ଡୋରି ବନ୍ଧାହେଲା, ଉତ୍ତର ଜୀବନରେ ସେ ଯେ ସମଗ୍ର ଭାରତରେ ଜ୍ଞାନ ସାଧନାର ଏକ ଅଦ୍ୱିତୀୟ ପରମ୍ପରା ସୃଷ୍ଟି କରିବେ ଏବଂ ଲକ୍ଷ ଲକ୍ଷ ଲୋକଙ୍କର ଜ୍ଞାନଗୁରୁ ହେବେ, ଏହା ହୁଏ ତ କେହି କଳ୍ପନା କରି ନ ଥିବେ ! ସେ ନିଜେ କହିଛନ୍ତି- ‘ମୁଁ ଜଣେ ସ୍କୁଲ୍ ଡ୍ରପ୍ ଆଉଟ୍ ବା ଦଶମ ଶ୍ରେଣୀ ଆରମ୍ଭରୁ ପାଠ ଛାଡ଼ିବା ଲୋକ । ଯେଉଁ ଦିନ ସ୍କୁଲ୍ ଛାଡ଼ି ଗାନ୍ଧୀ ଆନ୍ଦୋଳନରେ ଯୋଗଦେଲି, ସେହି ଦିନ ହିଁ ଶପଥ ନେଇଥିଲି, ସ୍କୁଲ୍ ଛାଡ଼ିଲି ସିନା ପାଠ ଛାଡ଼ିବିନାହିଁ ।’ ସେ ସର୍ବଦା ସୁଅର ବିପରୀତ ଦିଗରେ ଗତି କରି, ସେଥିରୁ ଆନନ୍ଦ ପାଉଥିଲେ । ଜ୍ଞାନର ବିଶାଳ ଅମାପ ସାଗରରେ ସନ୍ତରଣର ଆନନ୍ଦ ପାଉଥିଲେ ଏବଂ କିସମ କିସମର ମୁକ୍ତା ଆହରଣ କରି, ଅକାତରେ ବାଣ୍ଟିଦେବାର ଅପୂର୍ବ ଅନୁଭବ ଲାଭକରିଥିଲେ । ଏହା ହିଁ ତାଙ୍କୁ ଆଜୀବନ ଜ୍ଞାନପାଗଳ କରିରଖିଥିଲା ।
ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ସେ କିଛି କାଳ କଟକ ଓ ବ୍ରହ୍ମପୁର ଜେଲ୍ରେ ବନ୍ଦୀ ଥିଲେ । ୧୯୫୨ ସାଧାରଣ ନିର୍ବାଚନରେ ପରାଜିତ ହେବା ସହ ସବୁଦିନ ପାଇଁ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ । ରାଜନୀତିରେ ନ ମାତି ଜ୍ଞାନର ପ୍ରସାରକ ସାଜିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ମାତ୍ର ଏକ ଟଙ୍କା, ଖଣ୍ତିଏ ଖଦଡ଼ ଶତରଞ୍ଜି, ଖଦଡ଼ ପୋଷାକ ଓ କିଛି ବହି-ପତ୍ର ଧରି ଆସିଥିଲେ କଟକ । ଉଦ୍ଦେଶ୍ୟ ଥିଲା, ଜ୍ଞାନକୋଷ ରଚନା । ଦିନଟି ଥିଲା ୧ ଜାନୁଆରି ୧୯୫୪ । ପରବର୍ତ୍ତୀ ଜୀବନ ଥିଲା ବେଶ୍ ସଂଘର୍ଷମୟ । ୨ ଡିସେମ୍ୱର୍ ୧୯୬୦ରେ ପ୍ରକାଶ ପାଇଥିଲା ତାଙ୍କ ‘ଜ୍ଞାନମଣ୍ତଳ’ର ପ୍ରଥମ ଖଣ୍ତ । ତାହାର ଉନ୍ମୋଚନ ଉତ୍ସବରେ ଭାଷଣ ଦେବା ବେଳେ ଭାବବିହ୍ୱଳ ହୋଇ କାନ୍ଦିପକାଇଥିଲେ ମାମୁଁ ଆର୍ତ୍ତବଲ୍ଲଭ । ୧୯୬୧-୮୮ ମଧ୍ୟରେ ଏହାର ଚାଳିଶ ଖଣ୍ତ ପ୍ରକାଶ ପାଇଥିଲା । ୧୯୮୪ରେ ଆତ୍ମଚରିତ ‘ଋଣ ପରିଶୋଧ’ ପାଇଁ ବିନୋଦ ପାଇଥିଲେ ଓଡ଼ିଶା ସାହିତ୍ୟ ଏକାଡ଼େମି ପୁରସ୍କାର । ୧୯୮୬ରେ ‘ପଦ୍ମ ଶ୍ରୀ’ରେ ସମ୍ମାନିତ ହୋଇଥିଲେ । ୧୯୧୨ ଜୁନ୍ ୬ରେ କିଶନନଗର ଅନ୍ତର୍ଗତ ମଲ୍ଲିପୁରରେ ଜନ୍ମ ହୋଇଥିଲେ ଏହି ମହାନ ଜ୍ଞାନକୋଷ ପ୍ରଣେତା । ୧୯୯୦ ଜୁନ ୨୨ରେ ତାଙ୍କର ପରଲୋକ ହୋଇଥିଲା ।
– ସିନ୍ଧୁଜ୍ୟୋତି ତ୍ରିପାଠୀ
Comments
ସିନ୍ଧୁଜ୍ୟୋତି ତ୍ରିପାଠୀ ଜଣେ ଓଡ଼ିଆ ସ୍ତମ୍ଭକାର । ସେ ଓଡ଼ିଆ ସମ୍ବାଦପତ୍ର “ସମ୍ବାଦ” ସଂସ୍ଥାର ଜଣେ ବେତନଭୋଗୀ କର୍ମଚାରୀ ।