ଟାଇଁ ଟାଇଁ ଖାରାରେ ବିସ୍ତୀର୍ଣ୍ଣ ଟାଙ୍ଗରା ଭୂଇଁ
ଦୂର ଅଦୂରେ ଆଖିକୁ ଜନବସତି ଦୃଷ୍ଟ ନାହିଁ
ନିଃସଙ୍ଗ ଖଜୁରୀ ଗଛଟି, ଦୁଇ ସନ୍ତାନ ସନ୍ତତି ନେଇ
ପତ୍ର ତା’ ଅବୁଝା କଥା କହେ ଶୂନ୍ୟତା ସହ ସାଇଁ ସାଇଁ
କାହିଁ କେଉଁ କାଳରୁ ଏକାକୀ ସେ ଛିଡ଼ା ହୋଇଛି ଯହିଁ
ଠିକଣା ସେ ‘ବିଲ ଝାମ୍ପୁଡ଼ି’ର ଯେ, ତହିଁ ।୧।
କେତେ ପରିତ୍ୟକ୍ତା ଚଢ଼େଇ ବସା, ବୋଧେ, ଦଉଡ଼ି ଦେଇ
ଓହୋଳୁଥାଆନ୍ତି ତା’ଦେହରେ, ଏପାଖ ସେପାଖ ହୋଇ
ଦୂର ଦିଗ୍ବଳୟେ ଉଡ଼ିଯାଏ ପକ୍ଷୀ,
ଭୟେ ସେଠି ଆଶ୍ରା ନ ନେଇ
ଠିକଣା ସେ ‘ବିଲ ଝାମ୍ପୁଡ଼ି’ର ଯେ, ତହିଁ ।୨।
ଧୁ ଧୁ ଖାରାବେଳରେ ତା’ ପାଖେ ଯିବାକୁ ବାରଣ
ଭୟଙ୍କରି ଚିତ୍ର ତା’ର, ପୂର୍ବରୁ ମନେ ହୋଇଛି ଅଙ୍କନ
କଳା ମଚମଚ ଦେହେରା, ନୁଖୁରା ବାଳ,
କ୍ରୋଧରେ ଦାଉ ଦାଉ ଜଳେ ତା’ ଦୁଇ ନୟନ
ଦେଖି ଦେଲେ ତାକୁ ଥରୁଟେ, ସବୁ ହୋଇବ ଯେ ଆନ ।୩।
ଜହ୍ନ ଆସେ ପୁଣି ଫେରିଯାଏ, ତା’ ମସ୍ତକକୁ ଛୁଇଁ
ଡରରେ କେବେବି ସେଠାରେ ସିଏ ଓହ୍ଲାଏ ନାହିଁ
କୋକିଶିଆଳ ଭୟରେ ତା’ ପାଖ ମାଡ଼େ ନାହିଁ
ଠିକଣା ସେ ‘ବିଲ ଝାମ୍ପୁଡ଼ି’ର ରହିଅଛି ତହିଁ ।୪।
କେବେ ଲୁଚେ ବନ୍ଧତଳେ, ପୁଣି ଆଶ୍ରା ନଈର ଜଳେ
କିନ୍ତୁ !
ଚିରସ୍ଥାୟୀ ଠିକଣାଟି ତା’ର,
ନିଃସଙ୍ଗ ଖଜୁରୀ ଗଛର ମୂଳେ
କଅଁଳା ଛୁଆର ମାଂସ ପାଇଁ ନିତି, ତା’ ଉଦର ଜଳେ
ଠିକଣା ତା’ର ସେହି ନିଃସଙ୍ଗ ଖଜୁରୀ ଗଛର ମୂଳେ ।୫।
ଦେଖିବାକୁ ତା’ ଚେହେରା ଦିନେ ମନସ୍ତ କଲି
ଦିନ ଦ୍ୱିପ୍ରହରେ ଯାଇ ଲୁଚି ଗଛ ମୂଳେ ବସିଲି
ବିକଟାଳ ଛାଇ ଗୋଟି ମୋ ମୁହାଁ ମାଡ଼ି ଆସିଲା
ବିଲ ଝାମ୍ପୁଡ଼ି, ବିଲ ଝାମ୍ପୁଡ଼ି ବିକଳ ଚିତ୍କାରେ
ମୋ ହୋସ୍ ଉଡ଼ିଲା
ଝଡ଼ା, ଫୁଙ୍କା ପରେ ଚେତା ଫେରି ପାଇଲି
ସେଇ ଦିନୁ କାନ ମୁଣ୍ଡ ଆଉଁସି ମୁଁ ହେଲି,
ତା’ ନାମ ତୁଣ୍ଡେ ଆଉ କେବେ ନ ଧରିଲି ।୬।
ସେ ବିଲ ଝାମ୍ପୁଡ଼ି ଚରିତ୍ର ଆଉ ଜୀବିତ ନାହିଁ
ସେ ଗଛ ବି ମରିଛି ବନ୍ୟାରେ,
ତା ଚିହ୍ନ-ବର୍ଣ୍ଣ ଜଣା ପଡ଼େ ନାହିଁ
ଆଜି ମୋବାଇଲ୍ ଟିଭି ଭୂତଟା ରହୁଛି ଘରେ,
ତାକୁ ଅବା କିଏ କାହିଁକି ଡରେ ।୭।
ବି.ଦ୍ର. – ଚରିତ୍ରଟି କାଳ୍ପନିକ ହୋଇଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ । ପିଲାଦିନେ ଅହେତୁକ ଭୟ ଥିଲା ସେ ବିଲ ଝାମ୍ପୁଡ଼ି ନାମରେ । ସେ ଆମ ସମସ୍ତଙ୍କ ମନରେ ଏମିତି ବସିଯାଇଥିଲା ଯେ ଆମେ ତା ଡରରେ ଘରୁ ବାହାରୁ ମଧ୍ୟ ନ ଥିଲୁ । ଆଜି କିନ୍ତୁ ତା ଭୟର ଅବସାନ ଘଟିଛି । ବିଲ ଝାମ୍ପୁଡ଼ି କହିଲେ କେହି କିଛି ବୁଝି ପାରିବେ ନାହିଁ । ବରଂ ପରିହାସର ପାତ୍ରଟିଏ ।
– କାଳି କୁମାର
Comments
କାଳି କୁମାର ଓଡ଼ିଆ ଲେଖିକା ଯିଏକି ବିଭିନ୍ନ ସାମାଜଧର୍ମୀ ରଚନା ଆଦି କରିଥାନ୍ତି । ତାଙ୍କ ଆଲେଖ୍ୟଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।