ଆଲିଙ୍ଗନର ବୟଃପ୍ରାପ୍ତି

Alinganara Bayaprapti (ଆଲିଙ୍ଗନର ବୟଃପ୍ରାପ୍ତି): Odia Poem by Madhumita Mishra on Hug Day

ପ୍ରଥମ ବର୍ଷ;
କୋଳରେ ଧରି ବକ୍ଷ୍ୟାମୃତ ଦିଏ ନିବିଡ଼ ଆଲିଙ୍ଗନରେ ଜୀବନ ସଂଚାର ଆଗ୍ରହରେ ।

ଦ୍ଵିତୀୟ ବର୍ଷ;
ଚାଲୁ ଚାଲୁ ପଡ଼ିଯାଉଥିବା ବେଳେ କୋଳେଇ ନିଏ ନିଜ ସୁରକ୍ଷା ବଳୟରେ ।

ତୃତୀୟ ବର୍ଷ;
ନୂଆ କରି ପାଠ ପଢ଼ା ଆରମ୍ଭ କଲାବେଳେ ଡର ଯିବା ପାଇଁ କୋଳେଇ ନିଏ ଆଗେଇ ଯିବା ଉଦ୍ଦେଶ୍ୟରେ ।

ଚତୁର୍ଥ ବର୍ଷ;
ସାଙ୍ଗ ପିଲାଙ୍କ ସଙ୍ଗେ ଖେଳିବାକୁ ଗଲାବେଳେ କିମ୍ବା ଶରୀର ଅସୁସ୍ଥତା ବେଳେ କୋଳେଇ ନିଏ ଶକ୍ତି ଟିକେ ଦେବା ପ୍ରୟାସରେ ।

ପଞ୍ଚମ ବର୍ଷ;
ନୂଆ ନୂଆ ଖଣ୍ଡି ଗୀତ ଗାଇ ନାଚ ଶିଖି ଚିତ୍ର ଆଙ୍କିଲା ବେଳେ କୋଳେଇ ନିଏ ସନ୍ତୋଷରେ ।

ଷଷ୍ଠ ବର୍ଷ;
ପେନସିଲ୍ ଛାଡ଼ି କଲମ ଲେଖା ଅଭ୍ୟାସ କଲା ବେଳେ କୋଳେଇ ନିଏ ତୃପ୍ତିରେ ।

ସପ୍ତମ ବର୍ଷ;
ନୂଆ ନୂଆ ପ୍ରତିଯୋଗିତା ଜିତି ଖୁସିରେ ଆତ୍ମହରା ହେଲେ କୋଳେଇ ନିଏ ଗର୍ବରେ ।

ଅଷ୍ଟମ ବର୍ଷ;
ସାଙ୍ଗ ମେଳରେ ମନ ଦୁଃଖ ହେଲେ ବୁଝେଇ ଦେଇ କୋଳେଇ ନିଏ ମନ ଭୁଲେଇବା ଛଳରେ ।

ନବମ ବର୍ଷ;
ପଢା ଉପରେ ଗୁରୁତ୍ୱ ଦେଇ ଖେଳ କମେଇବାକୁ କହିଥିବାରୁ ମନ କଷ୍ଟ କଲେ କୋଳେଇ ନିଏ ସତ କ’ଣ ବୁଝେଇଦେବା ଆଶାରେ ।

ଦଶମ, ଏକାଦଶ, ଦ୍ୱାଦଶ, ତ୍ରୟୋଦଶ, ଚତୁର୍ଦ୍ଦଶ ବର୍ଷ;
ଜୀବନ ସଂଘର୍ଷ ଶିଖାଇ କୋମଳ କଠୋରତାରେ ଶିକ୍ଷା ଦେଉ ଦେଉ କୋଳେଇ ନିଏ ମଜବୁତ କରିବା ପ୍ରତ୍ୟାଶାରେ ।

ପଞ୍ଚଦଶ, ଷୋଡ଼ଶ ବର୍ଷ;
ନୂତନ ଉଦ୍ଦୀପନାଠୁ ଦୂରେଇବା ପାଇଁ କୁସଙ୍ଗ ପରିତ୍ୟାଗ ପାଇଁ ବୁଝେଇ ବୁଝେଇ କୋଳେଇ ନିଏ ଅହେତୁକ ଆଶଙ୍କାରେ ।

ସପ୍ତଦଶ ବର୍ଷ;
ଆଲିଙ୍ଗନରେ ଥିବା ଛଳନା ଓ ବ୍ୟବହାର ପରିବର୍ତ୍ତନ ଜାଣି ସୁଦ୍ଧା କୋଳେଇ ନିଏ ନିଜକୁ ନିଜେ ଆଶ୍ୱାସନା ଦେବା ଆଶାରେ ।

ଆଉ ଅଷ୍ଟାଦଶ ବର୍ଷ;
ସନ୍ତାନ ପାଦ ଦିଏ ଏକ ନୂତନ ଅଧ୍ୟାୟରେ ଯେଉଁଠି ଆଉ ମା’ କୋଳ ତାକୁ ଭଲ ଲାଗେନା । ଧରାକୁ ସରା ମନେ କରି ନିଜ ବନ୍ଧୁ ମହଲରେ ଏକ ନୂତନ ବ୍ୟୂହ ଚକ୍ରରେ ନିଜ ବର୍ଦ୍ଧିତ ବୟସର ଅୟସ ଭିତରେ ସେ ଭୁଲିଯାଏ ସେ ଦୃଢ଼ ମମତାଭରା ନିବିଡ଼ ଅଭୟ ଆଲିଙ୍ଗନକୁ ତାକୁ ଆଉ ତା’ର ଆବଶ୍ୟକ ହୁଏନି କି ପ୍ରୟୋଜନ ଆଉ ସେ ଖୁସିରେ କୁହେ ।
“ମୁଁ ବଡ଼ ହୋଇଗଲି !!”

– ମଧୁମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...