ସାମାଜିକ ବହିର ଚିତ୍ରକୁ ଦେଖି
ଝିଅ ପଚାରିଲା ବାପାଙ୍କୁ
“ଏଇ ଦେଖ ବାପା,
କେଡ଼େ ସୁନ୍ଦର ଏ ଗାଁ ।
ଚାରିପଟେ ତୋଟା ମାଳ,
ଗାଁ ପଛପଟେ ଧାଡ଼ି ଧାଡ଼ି ପାହାଡ଼
ପାହାଡ଼ ପଛରେ ଲୁଚି ଯାଉଥିବା ସୂର୍ଯ୍ୟ,
ସୁନାର ସୋରିଷ କ୍ଷେତ,
ଗାଁ ଦାଣ୍ଡର ଦି’ପଟେ ଘର
କେଉଁଠି କେମିତି କୂଅ, ତୁଳସୀ ଚଉରା
ଦି ପଟେ ପହରାଦାର ପରି
ଠିଆ ହୋଇଛନ୍ତି ନଡ଼ିଆ ଗଛ ।
କି ପରିଷ୍କାର ଏ ରାସ୍ତା ସବୁ !
ଆଉ ଏପଟେ ଅନା !
ପାହାଡ଼ରୁ ବାହାରି, ଗାଁ ପାଖ ଦେଇ
ବହି ଯାଉଛି ନଈ,
ନଈରେ ଭାସୁଛି କେତେ ସୁନ୍ଦର ଡଙ୍ଗା,
ଦୂର ଆକାଶରେ ଉଡ଼ି ଯାଉଛନ୍ତି ପକ୍ଷୀ ।
ଏମିତି ଏକ ଗାଁରେ
ଆମେ ରହନ୍ତେନି ବାପା?
ଆମ ଗାଁରେ ତ ଏ ସବୁ କିଛି ନାହିଁ
ନା ନଈ, ନା ପାହାଡ଼, ନା ଝରଣା
ନା ଗୋଟାଏ ତୋଟା?
ଚାଲନା, ଏମିତି ଗୋଟାଏ ଗାଁକୁ ଆମେ ଯିବ ।”
ମୋଟା ଚଷମାର କାଚ ତଳୁ
ଆଖି ଉଠାଇ ବାପା, ଝିଅକୁ ଚାହିଁଲେ
ଚାହିଁଲେ ଥରେ ଚିତ୍ରକୁ
ଭାରି ସୁନ୍ଦର ।
ଅଝଟ ପ୍ରତିମାର ଅଭିଯୋଗଠାରୁ
ଆହୁରି ଚମତ୍କାର ।
ଓଠରେ ପହଁରିଲା ହସ –
“କିନ୍ତୁ ଏଠି ଲୋକ କାହାନ୍ତି ମାଆ?
ସବୁଆଡ଼େ ଭାରି ଶୁନଶାନ୍
କାହା ସାଙ୍ଗରେ ତୁ ଖେଳିବୁ?
କାହାର ହାତଧରି
ତୁ ନଈକୂଳ କୁ ଯିବୁ?
ଜହ୍ନ ଆଲୁଅରେ ଘୁରି ବୁଲିବୁ?
ଝୁଣ୍ଟିପଡ଼ିଲେ, ତୋତେ ଉଠାଇ ନେବା ପାଇଁ
ହାତଟିଏ କାହିଁରେ ମାଆ?
କାହିଁ, ସେଠି ସ୍ନେହ ଛଳ ଛଳ ମୁହଁଟିଏ?
କିଏ ତୋତେ ଦେଖେଇ ଦେବ ସେଠି
ଉଦୟ ସୂର୍ଯ୍ୟର ଆଭା
ଆଉ ଅସ୍ତ ସୂର୍ଯ୍ୟର ଲାଲିମା?
ନିର୍ବାକ ହୋଇ ଚାହିଁଲା ଝିଅ ।
ଅନୁଭବ କଲା ବାପାଙ୍କ ଶୀତଳ ହାତର ସ୍ପର୍ଶକୁ
ଆବେଗ ମିଶ୍ରିତ ସ୍ୱରକୁ ।
‘ବହିର ଚିତ୍ର ଭିତର
ସବୁ ସୁନ୍ଦର ଦିଶେ ମାଆ
ସବୁଜ, ଶ୍ୟାମଳ, ସମତଳ,
ଠିକ୍ ଦୂର ଦିଗନ୍ତର ପାହାଡ଼ ପରି ।
କିନ୍ତୁ ସତ ଜୀବନର ଚିତ୍ରିତ ଅଲଗା
ପାହାଡ଼, ଖାଲ, ଖମା, କଣ୍ଟା-ଝଣ୍ଟା ଭରା
ବନ୍ଧୁର ଶିଳାର ଆଘାତ ପରି ।
ବହିର ଚିତ୍ର, ସ୍ଵପ୍ନ, କଳ୍ପନା
ଏସବୁ ଦେଖି ହୁଏ ମା’
କିନ୍ତୁ ଏଥିରେ ଜିଇଁବାକୁ ପଡ଼େ
ତାକୁ ଦେଖି ହୁଏନା
ବହି କାଗଜରେ ଆଙ୍କି ହୁଏନା ।’
– ମୃତ୍ୟୁଞ୍ଜୟ ପାତ୍ର
Comments
ମୃତ୍ୟୁଞ୍ଜୟ ପାତ୍ର ଓଡ଼ିଆ ଲେଖିକା ଯିଏକି ବିଭିନ୍ନ ସାମାଜଧର୍ମୀ ରଚନା ଆଦି କରିଥାନ୍ତି । ତାଙ୍କ ଆଲେଖ୍ୟଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।