ସମସ୍ତେ କୁହନ୍ତି ଯେ ଗୋଟିଏ ଜିନିଷର ମୂଲ୍ୟ ସେତେବେଳେ ବଢ଼ିଯାଏ, ଯେତେବେଳେ ଆମେ ତା’ର ଅଭାବ ପରିଲକ୍ଷିତ କରୁ । ଏ ଯେମିତି ମୁଁ ଆଜି ମୋ ବୋଉ ହାତରନ୍ଧା ଖାଦ୍ୟର ଅଭାବ ପରିଲକ୍ଷିତ କରୁଛି । ଜୀବନର ଚବିଶବର୍ଷ ପରେ ମୁଁ ଆଜି ବୁଝି ପାରୁଛି, ମୋ ବୋଉ ହାତର ସେଇ ପୁରୁଣା ଗାଉଁଲି ଖାଦ୍ୟ- ବାସି ପଖାଳ ତା’ସାଙ୍ଗକୁ ଶୁଖୁଆ ଭଜା, ବାଇଗଣ ପୋଡ଼ା, ବାଡ଼ିର ସଜନା ଶାଗ ଭଜା, ଆମ୍ବୁଲ ସହ ଶୁଖିଲା ଲଙ୍କା ଲୁଣ ପାଣିର ମିଶ୍ରଣ । ଆହା କି ସ୍ଵାଦ ! ସେତେବେଳେ ସିନା ବିରକ୍ତ ହୋଇ ବହୁତ ଥର ବୋଉକୁ କହିଛି, କାହିଁକି ଏମିତି ଗାଉଁଲି ଖାଦ୍ୟ ସବୁ ବନାଉଛୁ, ଯୁଗ ଯାଇ କି କୋଉଠି ପହଞ୍ଚିଲାଣି ଆଉ ତୁ ସବୁବେଳେ ସେଇ ପାରମ୍ପାରିକ ରୋଷେଇକୁ ଆପଣାଉଛୁ । ଆରେ ତୋତେ ଯଦି ଏ ଯୁଗର ଆଧୁନିକ ରୋଷେଇ କଳା ଜଣାନାହିଁ ତା’ହେଲେ ଟିଭି, ଖବରକାଗଜରୁ ଦେଖି ଶିଖୁନୁ, ସେଥିରେ ପ୍ରତିଦିନ ନୂଆ ନୂଆ ଖାଦ୍ୟ ପ୍ରଣାଳୀ ସବୁ ପ୍ରକାଶ ହେଉଛି । ବୋଉ ସେତେବେଳେ ସାମାନ୍ୟ ଦୁଃଖ ପ୍ରକାଶ କରି କହେ, “ଆରେ ଆଜି ସିନା ତୁ ମୋର ଏଇ ହାତରନ୍ଧାକୁ ଗାଉଁଲି ଖାଦ୍ୟର ଆଖ୍ୟା ଦେଉଛୁ, କିନ୍ତୁ ଦିନ ଆସିବ ତୁ ଏଇ ଗାଉଁଲି ଖାଦ୍ୟର ଅଭାବ ଅନୁଭବ କରିବୁ ଆଉ ତା’ର ମୂଲ୍ୟ ବି ବୁଝି ପାରିବୁ । ଆଉ ଆଜି ମୁଁ ବଡ଼ ହୋଇ ଚାକିରି କରି ସହରରେ ଆସି ରହୁଛି, ପର୍ବପର୍ବାଣୀରେ ଛୁଟି ନେଇ ଗାଆଁ ଆଡ଼େ ଯାଇ ବୁଲିକି ଆସୁଛି । ସହରରେ ସବୁ ଜିନିଷ ସହଜରେ ମିଳି ଯାଉଛି କିନ୍ତୁ ମିଳୁନି ବୋଉର ସେଇ ହାତ ତିଆରି ଗାଉଁଲି ଖାଦ୍ୟର ସ୍ଵାଦ । ବୋଉ ବି ଆଜିକାଲି ଆଉ ସେଇ ଖାଦ୍ୟସବୁ ରୋଷେଇ କରୁନି । ଘରକୁ ଗଲେ ମଧ୍ୟ ଏ ଯୁଗର ଆଧୁନିକ ଖାଦ୍ୟର ପସରା ପଡ଼ୁଛି । ଯୁଗ ସହ ତାଳ ଦେଇ ବୋଉ ମଧ୍ୟ ଆଧୁନିକ ରୋଷେୟା ବନିଗଲାଣି । ଆଜିକାଲି ଆମ ରୋଷେଇ ଘରୁ ମଧ୍ୟ ପାରମ୍ପରିକ ଖାଦ୍ୟର ବାସ୍ନା ଆଉ ଆସୁନି । ମୋତେ ଲାଗୁଛି ପିଲାଦିନର ମୋର ସେଇ ବିରକ୍ତିଭାବ ହିଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏଥିପାଇଁ ଦାୟୀ, ଯାହାକି ଆଜି ମୋ ବୋଉ ସହ ଆମ ରୋଷେଇ ଘରର ପରିବେଶକୁ ମଧ୍ୟ ବଦଳେଇ ଦେଇଛି । ବେଳେବେଳେ ଘରକୁ ଯାଇଥିବାବେଳେ ମନ କରେ, ବୋଉକୁ କହିବି ସେ ପୁରୁଣା ଖାଦ୍ୟ ସବୁ ବନେଇବା ପାଇଁ । କିନ୍ତୁ ପିଲାଦିନର ସେଇ ବିରକ୍ତିଭାବ କଥା ମନେ ପକାଇ ଚୁପ୍ଚାପ୍ ରହି ବୋଉକୁ ଆଉ କିଛି ନ କହି ଛୁଟି ସରିଲେ ସହରକୁ ଆସି ଚାକିରୀରେ ଯୋଗ ଦିଏ । ଆଉ ସବୁଦିନ ପରି ସହରରେ ଝୁରି ହୁଏ ବୋଉର ସେଇ ପୁରୁଣା ଗାଉଁଲି ଖାଦ୍ୟକୁ ।
– ଡା. ରାଜକୁମାରୀ ବେହେରା
Comments
ଡ. ରାଜକୁମାରୀ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।