ଧୀରେ ଧୀରେ ଭିତରକୁ ତୁ ପ୍ରବେଶ କରିବା ଲକ୍ଷ୍ୟକରି ନବବଧୂଟିଏ ପରି ମହାଲକ୍ଷ୍ମୀ ସ୍ମିତହାସ୍ୟ ଦେଉଥିଲେ । ମହାମାନବୀୟ ମହାଳୀଳାର ସମାପନ ହେବାକୁ ଯାଉଥିଲା । ସାରା ସଂସାର ସାକ୍ଷୀ ରହିଥିଲା କିପରି ତୁ ମାନବ ସମାଜକୁ ସମାନତାର ଶିକ୍ଷା ଦେବାକୁ ଚାହୁଁଥିଲୁ… ତାହା ଦେଖିବା ପାଇଁ । ଜଣେ ଆଦର୍ଶ ପତ୍ନୀ ପରି ମାଆ ତୋ’ର ପଦକ୍ଷାଳନ କରି ସେହି ପାଦୁକ ପାଣିକୁ ଗର୍ଭକୁ କ୍ଷେପିଥିଲେ…!!
କାଳିଆରେ… ତୋ’ର ଏଇ ପଦଧୁଆ ପ୍ରସଙ୍ଗ ସତରେ କେତେ ଅଦ୍ଭୁତ ନା…?? ଶ୍ରୀରାମ ଅବତାରରେ ତୁ ଯେତେବେଳେ ପିତୃସତ୍ୟ ପାଳନ କରିବା ଉଦ୍ଦେଶ୍ୟରେ ଅଯୋଧ୍ୟା ତ୍ୟାଗ କରି ବନଗମନ ପାଇଁ ସୀତା ଆଉ ଲକ୍ଷ୍ମଣଙ୍କ ସହିତ ବାହାରିଥିଲୁ ସେତେବେଳେ ଗଙ୍ଗାନଦୀ ପାର ହେବା ପାଇଁ କେଉଟକୁ କହିଥିଲୁ…!! ଇଏ ଅତୀତର ସେହି ନାବିକ ଥିଲେ ଯେ କି ତୋ’ର କଚ୍ଛପ ଅବତାରରେ ଖୋଳରୁ ବାହାରିଥିବା ତୋ’ର ପାଦ ଧୋଇବାକୁ ଚେଷ୍ଟା କରି ଅସଫଳ ହୋଇଥିଲେ । ସେଥିପାଇଁ ସେ କଠିନ ତପସ୍ୟା କରିବା ସହ ଥରୁଟିଏ ମାତ୍ର ତୋ’ ପାଦ ଧୋଇବାକୁ ବରଦାନ ମାଗିଥିଲେ । ସେଇଥିପାଇଁ ତ୍ରେତାରେ ତୁ ତାଙ୍କରି ନାବ ନିକଟକୁ ଆସି ନଦୀ ପାର କରେଇ ଦେବାକୁ ଆଗ୍ରହ ପ୍ରକାଶ କରିଥିଲୁ ।
କେଉଟ ମଧ୍ୟ ବହୁତ୍ ଚାଲାକ୍ ଥିଲେ । ସେଇଥିପାଇଁ ସେ ତୋ’ ପାଦ ନ ଧୋଇଲେ ତୋତେ ନାଆ ଉପରକୁ ଚଢ଼େଇ ଦେବେନି ବୋଲି ସିଧା ମନା କରିଦେଲେ । ତୁ ପରା ସେହି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଯିଏ ନିଜ ରାସ୍ତାରେ ମାତା ଅହଲ୍ୟାଙ୍କୁ ତାଙ୍କ ପାଶାଣ ସ୍ୱରୂପରୁ ମୁକ୍ତି ଦେଇଥିଲେ…!! କାଳ କାଳ ଧରି ପଥର ହୋଇ ପଡ଼ିରହି ଗୌତମ ପତ୍ନୀ ଅହଲ୍ୟା ଚାହିଁ ବସିଥିଲେ ତୋ’ ଆସିବା ବାଟକୁ । ଆଉ ତୁ ମଧ୍ୟ ଆସିଥିଲୁ । ଯିଏ ବି ତୋତେ ମନ ଦେଇ ଡାକିଲେ ତୁ ଚାଲି ଆସୁ ନା…!! ଅହଲ୍ୟା କିଛି ଦୋଷ ନ କରି ମଧ୍ୟ ଗୌତମ ଋଷି ତାଙ୍କୁ ଭୁଲ୍ ବୁଝିଥିଲେ । ଇନ୍ଦ୍ର ଅହଲ୍ୟାଙ୍କର ସୋନ୍ଦର୍ଯ୍ୟରେ ବିମୋହିତ ହୋଇ ଗୌତମ ମୁନି ଆଶ୍ରମରେ ନ ଥିବା ସମୟରେ ଛଦ୍ମବେଶରେ ତାଙ୍କରି ରୂପ ନେଇ ଆସି ଯାଇଥିଲେ ଆଶ୍ରମ ଭିତରକୁ । ଆଉ କଳଙ୍କିତ କରି ଦେଇଥିଲେ ମହାସତୀ ଅହଲ୍ୟାଙ୍କୁ…!! କାଳିଆରେ… ଗୌତମ ମୁନି ଏତେ ସିଦ୍ଧ ଯୋଗୀ ହୋଇ ମଧ୍ୟ କ’ଣ ଜାଣି ପାରିଲେନି ତାଙ୍କ ପତ୍ନୀ କେତେବଡ଼ ଷଡ଼ଯନ୍ତ୍ରର ଶିକାର ହୋଇ ସାରିଛନ୍ତି ବୋଲି…!! ତଥାପି ସେ ଅଭିଶାପ ଦେଇଦେଲେ ଯେ ଅହଲ୍ୟା ପଥର ହୋଇ ପଡ଼ି ରହିବେ ଚିରକାଳ ପାଇଁ । ଯେଉଁଦିନ ପ୍ରଭୁ ଚରଣର ପାବନ ସ୍ପର୍ଶ ମିଳିବ ସେଦିନ ଯାଇ ସେ ଜୀବନ ଫେରି ପାଇବେ ।
ସତରେ ସବୁ ଖରାପ ପଛରେ କିଛି ଭଲ ନିଶ୍ଚୟ ଲୁଚି ରହିଥାଏ । ଏଇ ଯେମିତି ଅହଲ୍ୟା ପଥର ହୋଇଯିବା ପଛରେ ସେ ତୋ’ ସାନିଧ୍ୟ ଲାଭ କରିବା ପରି ସୌଭାଗ୍ୟ ନିହିତ ଥିଲା…!!
ସନ୍ତାନ ଯେପରି ମା’ ପେଟ ଭିତରେ ରହି ତାକୁ ନିଜ ପଦାଘାତ କରି ନିଜ ଉପସ୍ଥିତି ଦ୍ଵାରା ତା’ ଅସ୍ତିତ୍ୱକୁ ପରିପୂର୍ଣ୍ଣ କରିଥାଏ… ଠିକ୍ ସେହିପରି ଶ୍ରୀରାମରୂପୀ ତୁ ଅହଲ୍ୟାଙ୍କୁ ମାତା ବୋଲି ସମ୍ବୋଧନ କରି ତାଙ୍କୁ ନିଜ ପାଦ ସ୍ପର୍ଶ କରି ପୁନଃ ଜୀବନ୍ତ କରି ଦେଇଥିଲୁ । ସତରେ କାଳିଆ… ସନ୍ତାନ ହିଁ ତ ମାତାକୁ ଜୀବନ୍ତ କରିଥାଏ ନା…!! ତୋ’ ସତ୍ତାର ସ୍ପର୍ଶ ତ କଡ଼କୁ ଚେତନ ଦେଇଥାଏ… ଏହା ହିଁ ଏହି ଦିବ୍ୟ ଲୀଳାର ସନ୍ଦେଶ ବୋଧେ ଥିଲାରେ ଜଗା…!! ଆଉ ସେଇୟା ହିଁ ହେଲା । ବିଭୁକୃପା ଲାଭ କରି ଅହଲ୍ୟା ଶାପମୁକ୍ତ ହୋଇଥିଲେ ।
ଏହି କଥାକୁ ସ୍ମରଣ କରେଇ କେଉଟ ଜିଦ୍ ଧରିଲେ ଯେ ସେ ତୋ’ ପାଦ ଧୋଇଦେବା ପରେ ଯାଇ ତୋତେ ତାଙ୍କ ନୌକାରେ ଚଢ଼େଇବେ । ଭାବଗ୍ରାହୀ ତୁ…ଭକ୍ତର ଜିଦ୍ ଆଗରେ ହାରିଯାଇ ତାକୁ ଜିତିଯାଉ ସବୁଦିନ ପାଇଁ…!!
ବଢ଼େଇ ଦେଇଥିଲୁ ନିଜ ପାଦ…!! ଆହା…କି ଆନନ୍ଦ…!! ଯେଉଁ ପାଦପଦ୍ମ ଧୌତ କରିବା ପାଇଁ ସ୍ଵୟଂ ବେଦବ୍ରହ୍ମା ଅକ୍ଷମ ହୋଇଥିଲେ…ସେହି ପାଦ ଫେରେ ଛାର କୈବର୍ତ୍ତ ଧୋଇଲା…!! ମନେ ଅଛି ନା କାଳିଆ… ମହାଦାନୀ ବଳୀ ରାଜାଙ୍କର ଗର୍ବ ଚୂର୍ଣ୍ଣ କରିବାକୁ ତୁ ବାମନ ଅବତାରରେ କଶ୍ୟପ ମୁନିଙ୍କ ପୁତ୍ର ହୋଇ ଅଦିତି ମାତାଙ୍କଠାରୁ ଜନ୍ମ ନେଇଥିଲୁ ଆଉ ତ୍ରିପଦ ଭୂମି ମାଗିବା ଛଳରେ ଭୁଃ…ଭୁବ…ସ୍ୱହ ନେଇଯାଇଥଲୁ…!! ବଳୀ ତାଙ୍କ ନିଜ ମସ୍ତକ ଦେଖେଇ ଦେବା ପରେ ତୁ ତାଙ୍କ ଉପରେ ନିଜ କୃପାଶୀର୍ବାଦ ଢାଳି ଦେଇ ପାତାଳପୁରର ରାଜା ବି କରେଇ ଥିଲୁ…!! ସେତେବେଳେ ତୋ’ର ଯେଉଁ ପାଦ ଭୁବ ଅର୍ଥାତ୍ ନଭକୁ ଆଚ୍ଛାଦିତ କରି ରଖିଥିଲା ସେହି ପାଦକୁ ଧୋଇବା ପାଇଁ ବ୍ରହ୍ମା ନିଜ କମଣ୍ଡଳୁରେ ଗଙ୍ଗାଜଳ ଭର୍ତ୍ତି କରି ଢାଳି ଚାଲିଲେ…!! ହେଲେ ତୋ’ ଲୀଳା କାରଣରୁ ସେହି ଜଳ ବୃଦ୍ଧାଙ୍ଗୁଳିର କୋଣରେ ହିଁ ରହିଗଲା । ଆଉ ତୋ’ ପାଦୁକ ଟିକେ ପାଇବା ଆଶା ନେଇ ପ୍ରତୀକ୍ଷା କରିଥିବା ମହାଦେବଙ୍କୁ ନିରାଶ ହେବାକୁ ପଡ଼ିଥିଲା…!! ଆଜି ସେହି ପଦ୍ମଚରଣ ଧୋଇବାକୁ ସକ୍ଷମ ହୋଇଛି ଜଣେ କୈବର୍ତ୍ତ…!! ଏହା ହିଁ ତ ସାର୍ଥକତା ତୋ’ ପତିତପାବନ ନାମର ରେ କାଳିଆ…!! ତୋ’ ରାଇଜରେ ଧନ, ସମ୍ପତ୍ତି, ପ୍ରତିପତ୍ତି କିଛି କାମକୁ ଆସେନି । ଏଇଠି କେବଳ ସମ୍ପୂର୍ଣ ସମର୍ପଣ ଆଉ ଅନାବିଳ ଭକ୍ତିର ହିଁ ରାଜୁତି ହୋଇଥାଏ…ପ୍ରମାଣ କରିଦେଲୁ ତୁ…!!
ତୋ’ର ସେହି ପାଦ ଧୋଇଦେଇ ବିଜ୍ଞାନୀ କୈବର୍ତ୍ତ ସେହି ପାଦୁକକୁ ପିଇ ଦେଇଥିଲା ଚରମ ସନ୍ତୋଷରେ…!! ଆଃ…କି ତୃପ୍ତି…!! ସତେ ଯେପରି ଜନ୍ମ ଜନ୍ମାନ୍ତରର ତୃଷ୍ଣା ତା’ର ମରି ଯାଇଥିଲା…!! ଆଉ ସେ ପ୍ରାର୍ଥନା କରି ବସିଥିଲା ତୋତେ… ଯେମିତି ତୋତେ ସେ ନଦୀ ପାର କରେଇ କୂଳରେ ଲଗାଉଛି… ତୁ ମଧ୍ୟ ସେମିତି ଏ ଭବସାଗରରୁ ପାର କରି ତାକୁ କୂଳରେ ଲଗେଇବୁ…!! ସତରେ କାଳିଆ… କେଉଟକୁ ସିନା ସୁଯୋଗ ମିଳିଲା ସେ ନିଜ ପାଇଁ ଉତ୍ତମ ଭବିଷ୍ୟଟେ ବାଛି ଦେଇ ପାରିଲା… ହେଲେ ତୋ’ର ସବୁ ଭକ୍ତ କ’ଣ ସେମିତି କରି ପାରିବେ କି? ସେଇଥିପାଇଁ ତ…
ସେଇଥିପାଇଁ ଯେତେବେଳେ ତୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ମାନ ତ୍ୟଜ୍ୟ କରି ତୋ’ ସହିତ ବଡ଼ ଦେଉଳକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କଲୁ ସେ ତୋ’ ଆଗରେ ସର୍ତ୍ତ ରଖିଥିଲେ ଯେ ଯେମିତି ତୋ’ ମହାପ୍ରସାଦ ଉପରେ ସମସ୍ତଙ୍କ ସମାନ ଅଧିକାର ରହିବ…!! ଧର୍ମ, ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ବଡ଼ ଦେଉଳକୁ ପ୍ରବେଶ ଅଧିକାର ପାଇବେ । ଚଣ୍ଡାଳ ହାତରୁ ବ୍ରାହ୍ମଣ ଛଡ଼ାଇ ଖାଇବେ ଆଉ ଖାଇସାରି ସମସ୍ତେ ହାତକୁ ମୁଣ୍ଡରେ ପୋଛିବେ…!!
ସତରେ ଅବଢ଼ା କେବେ ଅଇଁଠା ହୁଏନି…!! ଅବଢ଼ା ବଢ଼ା ବି ହୁଏନି…!! ଅବଢ଼ା ନାଁ ନେଇଗଲେ ଆଖି ଆଗରେ ନାଚି ଉଠେ ଘମ୍ ଘମ୍ ବାସ୍ନା ହେଉଥିବା ଠାକୁରର ସେ ମହାପ୍ରସାଦ ଯାହା ପାଟିରେ ଦେବା କ୍ଷଣି ପେଟ ସହିତ ମନ ପୂରିଯାଏ । କାଳିଆରେ… କଦଳୀ ପତ୍ରଟିଏ ପକେଇ ଲେମ୍ବୁ ଲଙ୍କା ଲୁଣ ଟିକିଏ ମନ୍ଥିଦେଲା ପରେ ଗରମ୍ ଗରମ୍ ଅବଢ଼ା ଘିଅ ଅନ୍ନ, କାନିକା, ଖେଚୁଡ଼ି, ଡ଼ାଲମା, ମିଠା ଡାଲି, ମହୁର, ବେସର, ଶାଗ, ଖଟା, ପୋଟଳ କଷା ଆଦି ସୁସ୍ୱାଦୁ ବ୍ୟଞ୍ଜନ ଭକ୍ତ ମନକୁ ଆନମନା କରିଦିଏ । ପ୍ରତ୍ୟେକ ଥର ପାଟିକୁ ଅବଢ଼ା ଗଲାବେଳେ ମା’ ଅନ୍ନପୂର୍ଣ୍ଣାଙ୍କ ସ୍ନେହ ପରଶ ଅନୁଭବ କରିହୁଏ । ତା’ ସହିତ ପୋଡ଼ପିଠା, କ୍ଷୀରି, ବଲ୍ଲଭ, ପୂଳି, ମିଠା ପୁଳି, ଝିଲ୍ଳି, ଖଜା, ଗଜା, କାକରା, ଆରିସା, ଚକୁଳି, ମାଲପୁଆ ଇତ୍ୟାଦି ଇତ୍ୟାଦି… କ’ଣ ଭାଷାରେ କହିହେବ କି ସେ ଅସରନ୍ତି ସ୍ୱାଦର ସୁଆଦ କଥା…!! କେବଳ ପାଟିର ସୁଆଦ କାହିଁକି ଏହି ଅବଢ଼ା ମନକୁ ବି ସମ୍ପୂର୍ଣ୍ଣ ତୃପ୍ତ କରି ଦେଇଥାଏ । ତୋ’ ଆନନ୍ଦବଜାର ମହିମା କାହାକୁ ଅଜଣାରେ କାଳିଆ…? ଏଇ ସ୍ଥାନକୁ ଆସିଲେ ଧନୀ, ଗରୀବ… ଜାତି, ଅଜାତି… ପୁରୁଷ, ମହିଳା… ପିଲାଠାରୁ ବୁଢ଼ା ଯାଏଁ ସମସ୍ତେ ପେଟପୂରା ଖାଇବାକୁ ପାଆନ୍ତି । କୁହାଯାଏ… ଆନନ୍ଦ ବଜାରରୁ କେହି କେବେ ଖାଲି ପେଟରେ ଫେରି ଆସିନି । ରାତି ହେଉ କି ସଞ୍ଜ ସକାଳ…!! ତୋ’ର ଛପନ ଭୋଗ ଭିତରୁ କିଛି ନିଶ୍ଚୟ ମିଳିଯାଏ । ସକାଳ ବାଳଧୂପଠାରୁ ଆରମ୍ଭ କରି ଶଙ୍କୁଡ଼ି, ନିସଙ୍କୁଡ଼ି ହେଉ କି ଶୁଖିଲା ଭୋଗ… ନିଶ୍ଚୟ ଭକ୍ତର କ୍ଷୁଧା ନିବାରଣ କରି ଦେଇଥାଏ । ବୋଧେ ଏଇଥିପାଇଁ ଯେ ତୁ ଜାଣିଛୁ ଭୋକରେ ରହିଲେ କେତେ କଷ୍ଟ ହୁଏ…!! ଦୁଇଭାଇ ଖାଇବାକୁ ନ ପାଇ କେତେ ହନ୍ତସନ୍ତ ହୋଇଛ…!!?? ସତରେ ଜଗା… ଖାଦ୍ୟ ପ୍ରିୟ ଠାକୁର ତୁ… ସେଥିପାଇଁ ତ ନୀଳକନ୍ଦର ଛାଡ଼ି ଛୁଟି ଆସିଛୁ ଏଇ ନୀଳାଭ ବେଳାଭୂମିକୁ…!!
ତୋ’ ମହାପ୍ରସାଦ ବିଷୟରେ ଯେତେ କହିଲେ ମଧ୍ୟ କମ ହେବ । କୁହାଯାଏ ଥରେ ନାରଦ ମୁନି ଶ୍ରୀବିଷ୍ଣୁଙ୍କୁ ଦେଖା କରିବାକୁ ବୈକୁଣ୍ଠ ଯାଇଥିଲେ । ସେତେବେଳେ ମା’ ମହାଲକ୍ଷ୍ମୀ ଛପନ ଭୋଗ ପରସି ଦେଇଥିଲେ । ପ୍ରଭୁ ଖାଇବାକୁ ଉଦ୍ୟତ ହେଲାବେଳେ ନାରଦ ଆସି ପହଞ୍ଚି ଯିବାରୁ ସେ ସେହିପରି ଅଇଁଠା ହାତରେ ଲକ୍ଷ୍ମୀଙ୍କ ରାନ୍ଧଣାର ସ୍ଵାଦ ନେବାକୁ ତାଙ୍କୁ ନିଜ ଅନ୍ନରୁ କିଛି ଦେଇ ଦେଇଥିଲେ…!! ନାରଦ ସେହି ହରିପ୍ରସାଦ କଣିଏ ଖାଇଦେଇ ପରମାନନ୍ଦରେ ଝୁମି ଝୁମି ହରି କୀର୍ତ୍ତନ କରି ଯାଉଥିବା ବେଳେ ବାଟରେ ଭୋଳାନାଥଙ୍କୁ ଦେଖି ଅଭିବାଦନ ଜଣେଇବାକୁ ମଧ୍ୟ ସମ୍ବିତ ପାଇ ନ ଥିଲେ । ଆଉ ତାଙ୍କର ଏପରି ଅବସ୍ଥା ଦେଖି ଶିବଶମ୍ଭୁ ସେହି ଆନନ୍ଦର କିଛି ଅଂଶ ମାଗି ନିଜେ ପାଇ ଯାଇଥିଲେ ।
ନାରଦ ଆଉ ମହାଦେବ ଉଭୟେ ଏପରି ପରମାନନ୍ଦରେ ହରିନାମ ଗାଇ ନୃତ୍ୟ କରୁଥିବା ଦେଖି ଦେବୀ ପାର୍ବତୀ ମଧ୍ୟ ସେହି ଦୁର୍ମୂଲ୍ୟ ହରିପ୍ରସାଦ ପାଇବାକୁ ଚାହିଁଲେ । ହେଲେ ଉଭୟଙ୍କ ପାଖରେ ତାହା ଆଉ କିଛି ବାକି ରହିବା ନ ଦେଖି ସେ ଅତ୍ୟନ୍ତ କ୍ରୋଧ, ଅଭିମାନ ଆଉ ଦୁଃଖର ସହିତ ବିଷ୍ଣୁଙ୍କ ଆରାଧନା କରିବାକୁ ଆରମ୍ଭ କଲେ…!!
ମା’ ପାର୍ବତୀଙ୍କ କଠୋର ତପ ଦେଖି ତୁ ନିଜେ ଆସି ପ୍ରକଟ ହେବା ସହ ତାଙ୍କ ଆବାହନର ମୂଳ କାରଣ ଜାଣିବାକୁ ପାଇଲୁ । ତୋ’ ପ୍ରସାଦ ପାଇବା ପାଇଁ ସେ ଏତେ କଷ୍ଟ କରିଥିବା ଦେଖି ତୁ ତାଙ୍କୁ ବିମଳା ସ୍ଵରୁପରେ ଶ୍ରୀମନ୍ଦିରରେ ବିରାଜମାନ ହେବାକୁ ବିନତି କଲୁ । ଆଉ କହିଲୁ ଯେ ପ୍ରତ୍ୟହ ତୋ’ ପାଇଁ ବଢ଼ା ଯାଇଥିବା ଭୋଗ ମା’ ବିମଳାଙ୍କ ପାଖରେ ପୁନଃ ଭୋଗ ଲାଗିଲେ ଯାଇ ତାହା ମହାପ୍ରସାଦ ହେବ । ଆଉ ସେଇ ମହାପ୍ରସାଦ ପାଇ ଭକ୍ତମାନେ ଧନ୍ୟ ହେବେ…!!
କ୍ରମଶଃ…
– ମଧୁମିତା ମିଶ୍ର
Comments
ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।