ଜହ୍ନ ଡାକୁଛି ଆ

Janha Dakuchi Aa

ଗୋଟିଏ ଗ୍ରାମରେ ଏକ ଗରିବ ପରିବାର ବସବାସ କରୁଥିଲେ । ସେହି ଗରିବ ପରିବାର ମଧ୍ୟରେ ଗୋଟେ ଝିଅ ଆଉ ତା’ର ବିଧବା ମାଆ । ଝିଅଟିର ନାମ ପୂର୍ଣ୍ଣିମା ଏବଂ ତା’ର ବିଧବା ମାଆଙ୍କ ନାମ କୁନ୍ତଳା ଦେବୀ । ସେମାନେ ଦୁଇଜଣ ବାସ କରୁଥିଲେ । ଏବଂ ମା’ କୁନ୍ତଳା ଦେବୀ ଜଣେ ଧନୀ ଲୋକ ଘରେ ରହି ପାଇଟି କରିକି ଜୀବନ ନିର୍ବାହ କରନ୍ତି । ପୂର୍ଣ୍ଣିମାର ବୟସ ୪ ବର୍ଷ ହୋଇଥାଏ ।

ଦିନକର ଘଟଣା ସେଦିନ କାର୍ତ୍ତିକ ପୂର୍ଣ୍ଣିମା ଥାଏ । ଆକାଶରେ ଜହ୍ନ ଉଜ୍ୱଳ ଦେଖାଯାଉଥାଏ । କୁନ୍ତଳା ଦେବୀଙ୍କୁ ପୂର୍ଣ୍ଣିମା ପଚାରୁଛି, “ମାଆ ଆକାଶରେ ଦେଖାଯାଉଥିବା ଧଳା ଗୋଲ୍‌ଟି କ’ଣ?”
କୁନ୍ତଳା ଦେବୀ ହସି ଦେଇ କହିଲେ, “ଆରେ ତୁ ଚିହିଁପାରୁନୁ… ତୁ ପା ଦେଖିକି ତାକୁ ଭାତ ଖାଇଦେଉ । ତୁ ଜାଣିପାରିନୁ କିଏ? ଇଏ ପା ଜହ୍ନ ମାମୁଁ । ତୁ ପା ଜହ୍ନ ମାମୁଁକୁ ଦେଖି ଭାତ ଖାଇଦେଉ ।”

ପୂର୍ଣ୍ଣିମା: ମାଆ ଆମେ ଜହ୍ନ ମାମୁଁଙ୍କ ପାଖକୁ ଯାଇପାରିବାନି?
ମାଆ: ଆରେ ଆମେ ତ ଗରିବ ଲୋକ ଅମର କୁଆଡ଼ୁ ଧନ ଆସିବ ଯେ ଆମେ ଯିବା । କିନ୍ତୁ ମୁଁ ଶୁଣିଛି ଯେ ଭଲ ପାଠ ପଢ଼େ ସେ ଜହ୍ନ ମାମୁଁ ପାଖକୁ ଯାଇପାରେ ।

ପୂର୍ଣ୍ଣିମା ଏହା ଶୁଣିଲା ପରେ ମନେ ମନେ ଚିନ୍ତା କଲା କେମିତି ସେ ଜହ୍ନ ମାମୁଁ ପାଖକୁ ଯିବ । ସେ ରାତିରେ ଶୋଇଥାଏ, ତାଙ୍କ ଘରର ଚାଳ କଣା ଦେଇ ଜହ୍ନଙ୍କ କୋମଳ କିରଣ ପୂର୍ଣ୍ଣିମା ଉପରେ ପଡ଼ୁଥାଏ । ସତେ ଯେପରି ଝିଅଟିକୁ ଲାଗୁଥିଲା ଜହ୍ନ ତାକୁ ହାତଠାରି ଡାକୁଛି । ସେ ସେହିଦିନଠାରୁ ମନେ ମନେ ଚିନ୍ତା କଲା ଯେମିତି ହଉ ଜହ୍ନ ମାମୁଁ ପାଖକୁ ଯିବ ।

ପୂର୍ଣ୍ଣିମା ଶ୍ରେଣୀରେ ଏମିତି ପାଠ ପଢ଼ିବାକୁ ଲାଗିଲା ଯେ ବିଦ୍ୟାଳୟ ସବୁ ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କ ପ୍ରିୟର ପାତ୍ର ହୋଇଗଲା । ସବୁ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ତାକୁ ବହୁତ ଭଲ ପାଆନ୍ତି । ଏବଂ ତା’ର ପାଠପଢ଼ା ପାଇଁ ଆବଶ୍ୟକ ସମସ୍ତ ଜିନିଷ ତାକୁ ମାଗଣାରେ ଦିଅନ୍ତି । ସେ ସ୍କୁଲରେ ଯେପରି ଅଧିକାରୁ ଅଧିକ ନମ୍ବର ଆଣି ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କଲା । ତା’ ପରେ ସେ +୨ ବିଜ୍ଞାନ ପଢ଼ିଲା ଏବଂ ସେଥିରେ ସେ ଓଡ଼ିଶା ଟପ୍ପର ହେଲା । ତା’ ପରେ କଷ୍ଟମଷ୍ଟରେ +୩ ପଢ଼ିଲା । ତାକୁ ଆଉ ପଢ଼େଇବା ପାଇଁ କୁନ୍ତଳା ଦେବୀଙ୍କ ପାଖରେ ଧନ ନଥିଲା । ପୂର୍ଣ୍ଣିମା ତା’ର ଜହ୍ନ ପାଖକୁ ଯିବାର ଆଶାକୁ ପୂରଣ କରିବା ପାଇଁ ନିଜେ ଟ୍ୟୁସନ କରି ପାଠ ପଢ଼ିଲା । ମହାକାଶଚାରୀ ହବା ପାଇଁ ଅଗ୍ରହ ପ୍ରକାଶ କରିଥିଲା; ସେ ପଢ଼ିଚାଲିଲା ।

ଥରେ ସେ ଯାଉଥିବା ବାଟରେ ଦେଖିଲା ବୈଜ୍ଞାନିକମାନଙ୍କର ଟ୍ରେନିଂ ଚାଲୁଥାଏ । ସେତେବେଳେ ପୂର୍ଣ୍ଣିମା ଟ୍ୟୁସନ କରିକି ଫେରୁଥାଏ । ସେଠାରେ ସେ ଅଟକିଗଲା ଏବଂ ପଚରା ଯାଉଥିବା ପ୍ରଶ୍ନକୁ ଶୁଣିଲା । ସେଠାରେ ଥିବା ବୈଜ୍ଞାନିକମାନେ କେହି ହେଲେ ବି ଉତ୍ତର ଦେଇପାରୁନଥିଲେ କାରଣ ସେମାନେ ଟଙ୍କା ଲାଞ୍ଚ ଦେଇ ବୈଜ୍ଞାନିକ ହେବା ପାଇଁ ଆସିଥିଲେ । ତା’ପରେ ପୂର୍ଣ୍ଣିମା ସେଠାକୁ ଗଲା ଏବଂ ସେଠାରେ ଥିବା ସମସ୍ତ ଛୋଟ ବଡ଼ ବୈଜ୍ଞାନିକମାନଙ୍କୁ ପ୍ରଣାମ କଲା । ତା’ପରେ କହିଲା, “ଆଜ୍ଞା ଆପଣ ପଚାରୁଥିବା ପ୍ରଶ୍ନର ମୁଁ ଉତ୍ତର ଦେଇପାରିବି । ଆପଣ ଅନୁମତି ଦେଲେ ମୁଁ କହବି ।”

ତା’ ପରେ ବଡ଼ ଅଫିସରମାନେ ଅନୁମତି ଦେଲେ ଏବଂ ପୂର୍ଣ୍ଣିମା ନିର୍ଭୁଲ ଭାବରେ ସେ ଉତ୍ତର ଦେଲା । ଅଫିସରମାନେ ପୂର୍ଣ୍ଣିମାର ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ବଡ଼ ଅଫିସର ପଚାରିଲେ, “ତୁମ ନାମ କ’ଣ ଆଉ ତୁମେ କ’ଣ କର?” ପୂର୍ଣ୍ଣିମା ତା’ର ନାମ କହିଲା ଏବଂ ସେ କ’ଣ କରୁଛି ସେ କଥା ମଧ୍ୟ କହିଲା । ବଡ଼ ଅଫିସର ପଚାରିଲେ, “ତମେ ଆଉ କ’ଣ କରିବା ପାଇଁ ଇଚ୍ଛୁକ ଅଛ?” ପୂର୍ଣ୍ଣିମା କହିଲା, “ମୁଁ ମହାକାଶଚାରୀ ହେବାପାଇଁ ଇଚ୍ଛୁକ ହେଲେ ଆମ ଘରେ ଧନର ଅଭାବ ହେତୁ ମୁଁ ଆଗକୁ ବଢ଼ିପାରୁନି କି କିଛି ପଢ଼ିପାରୁନି ।”

ସମସ୍ତ ଅଫିସରମାନଙ୍କ ମଧ୍ୟରୁ ମୁଖ୍ୟ ଅଫିସର ପଚାରିଲେ, “ତମେ ଆମ ସହ ବିଦେଶ ଯିବ ମହାକାଶଚାରୀ ହେବାକୁ ପାଠ ପଢ଼ିବା ପାଇଁ?” ପୂର୍ଣ୍ଣିମା କହିଲା, “ମୋର ଇଚ୍ଛା ଅଛି ହେଲେ ଘରେ ମୋର ବିଧବା ମାଆ । ମୁଁ ଯଦି ଏ ବୟସରେ ତାକୁ ଛାଡ଼ି ଚାଲିଯିବି ସେ କେମିତି ବଞ୍ଚିବ? ସେ କ’ଣ ଖାଇବ? ତାକୁ କିଏ ଖାଇବାକୁ ଦବ? ମୋ ମାଆ ମୋ ସହିତ ଯଦି ଯାଇପାରିବ, ତେବେ ମୁଁ ପଢ଼ିବା ପାଇଁ ଯାଇପାରିବି ।” ମୁଖ୍ୟ ଅଫିସର ପୂର୍ଣ୍ଣିମା କଥାରେ ମଧ୍ୟ ରାଜି ହେଇଗଲେ ।

ମା’ଝିଅ ଦୁହେଁ ସାଙ୍ଗରେ ବିଦେଶ ଗଲେ ଏବଂ ୪/୫ ବର୍ଷ ପଢ଼ିଲା ପରେ ସେ ୭ ଜଣକ ମଧ୍ୟରେ ବଛା ହେଲା ମହାକାଶ ଯିବାକୁ । ଏଥର ପୂର୍ଣ୍ଣିମାର ମନ ବହୁତ ଖୁସି ଥିଲା; ତା’ ସ୍ୱପ୍ନ ସାକାର ହବାକୁ ଯାଉଛି । ପୂର୍ଣ୍ଣିମା ବାହାରେ ଛିଡ଼ା ହୋଇ ଦେଖୁଥାଏ ଜହ୍ନକୁ ଏବଂ ସେ ମନେ ମନେ ଭାବୁଥାଏ କି ଜହ୍ନ ତାକୁ ଉପରେ ଥାଇ ହାତଠାରି ଡାକୁଛି । ପୂର୍ଣ୍ଣିମା ମନେ ମନେ କହୁଥାଏ ଆସନ୍ତାକାଲି ସକାଳ ହେଲେ ମୁଁ ତୋ ପାଖକୁ ଯିବି ।

ଘର ଭିତରକୁ ଆସି ମାଆକୁ କହିଲା, “ମାଆ ମୁଁ ତୋତେ ଛୁଆବେଳେ ପଚାରିଥିଲି ନା କେମିତି ଜହ୍ନ ପାଖକୁ ଯାଇପାରିବି ବୋଲି । ଆଉ ଆଜି ସେ ବେଳ ଆସିଯାଇଛି ମାଆ । ଆସନ୍ତାକାଲି ସୂର୍ଯ୍ୟୋଦୟ ସମୟରେ ମୁଁ ଜହ୍ନ ପାଖକୁ ଯିବି । ତୁ ମୋତେ ଆଶୀର୍ବାଦ କର ମୁଁ ଯେମିତି ଯାଇକି ତୋ’ ପାଖକୁ ଫେରିଆସିବି ।” ମାଆ କାନ୍ଦ କାନ୍ଦ ମୁହଁରେ କହିଲେ, “ତୋ’ ବାପା ଥିଲେ ଆଜି କେତେ ଖୁସି ହୋଇଥାନ୍ତେ । ତୁ ଯାଉଛୁ ଜହ୍ନ ପାଖକୁ ସେ ଶୁଣି ବହୁତ ଖୁସି ହୋଇଥାନ୍ତେ ।”

ତା’ ପରଦିନ ସେ ବାହାରିଗଲେ ମହାକାଶଚାରୀ ହୋଇ । ପୂର୍ଣ୍ଣିମାର ନାଁ ଖବରକାଗଜ, ଦୂରଦର୍ଶନ ଇତ୍ୟାଦିରେ ପ୍ରକାଶ ପାଇଲା ଏବଂ ତା’ ଗରିବ ବିଧବା ମାଆରେ ମନ ଯେତିକି ଖୁସି ଥାଏ ସେତିକି ଦୁଃଖ ଥାଏ । ପୂର୍ଣ୍ଣିମା କିପରି ଘରକୁ ଭଲରେ ଭଲରେ ଫେରି ଆସିବ, ଭଗବାନଙ୍କ ନିକଟରେ ମନାସୁଥାଏ ।

କିନ୍ତୁ ଦୁର୍ଭାଗ୍ୟ ବଶତଃ ପୂର୍ଣ୍ଣିମା ଚନ୍ଦ୍ର ପୃଷ୍ଠରୁ ଫେରିବା ସମୟରେ ମହାକାଶଯାନରେ କୌଣସି ତ୍ରୁଟି ହେତୁ ଅଧା ବାଟରେ ଏହା ନଷ୍ଟ ହୋଇଗଲା ଏବଂ ପୂର୍ଣ୍ଣିମା ଜହ୍ନ ଭଳି ସବୁବେଳ ପାଇଁ ପୂର୍ଣ୍ଣିମା ହୋଇ ରହିଗଲା…

– ଶୁଭମ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...