ପ୍ରଭାତର ନୂତନ ଆଲୋକରେ ଜାଜୁଲ୍ୟମାନ ପ୍ରକୃତିର ସମ୍ଭାର ଗବାକ୍ଷରେ ଅବଲୋକନ କରୁଥିବାବେଳେ, ପୂଜ୍ୟ ଅଜାଙ୍କର ମହାପରାୟଣର ଦୁଃଖଦ ସମ୍ବାଦ, ତାତ୍ତ୍ୱିକ କରିଦେଇଥିଲା ଜୀବନମୂହୁର୍ତ୍ତର କିଛି ଅବକାଶକୁ । ଜନ୍ମ ମୃତ୍ୟୁର ଛକାପଞ୍ଝା ଖେଳ ଚେତାଇ ଦିଏ ପଥଭ୍ରଷ୍ଟ ମଣିଷକୁ ଜୀବନର ମର୍ମ । ପାଣିଫୋଟକା ସମ ଜୀବନର ସ୍ୱଳ୍ପ ଅବଧିରେ ଗର୍ବ, ଅଭିମାନ, କ୍ରୋଧ, ହିଂସାର ଗଗନଶ୍ଚୁମ୍ଭୀ ଅଟ୍ଟାଳିକା ନିର୍ମାଣରେ ବ୍ୟସ୍ତ ବିବ୍ରତ ମଣିଷ ସ୍ନେହ, ଶ୍ରଦ୍ଧା, ତ୍ୟାଗ, ଭଲପାଇବାପୂର୍ଣ୍ଣ ଝାଟିମାଟି କୁଡ଼ିଆର ଅସୁମାରୀ ପରିତ୍ରୁପ୍ତିକୁ ପାଶୋରି ଯାଇଛି ପ୍ରାୟ । ନିଜ ଗଣିତରେ ଜୀବନ ମହାଯାତ୍ରାର ସଫଳତା ପରିସୀମା ଆଙ୍କୁ ଆଙ୍କୁ ମଣିଷ ଆଜି ମୂଲ୍ୟବୋଧ, ସମ୍ପର୍କ, ସିଦ୍ଧାନ୍ତ ଆଦିକୁ ଜାଗତୀକରଣର ଉପାଦାନଭାବେ ବିବେଚନା କରିବାକୁ କୁଣ୍ଠିତ । କହିବା ବାହୁଲ୍ୟ ଯେ କେଉଁ ଏକ ଅବସାଦ ମୂହୁର୍ତ୍ତରେ ଶ୍ରମକ୍ଳାନ୍ତ ମଣିଷ ଯେତେବେଳେ ତା’ର ବିଗତ ଜୀବନରାଶିକୁ ଅନ୍ୱେଷଣ କରେ, ସେତେବେଳେ ଅଦ୍ୟାବଧି ଉପଲବ୍ଧିକୁ ନେଇ ଅନୁଶୋଚନା କରିବା ହିଁ ସାର ହୋଇଥାଏ । ଲେଡ଼ିଗୁଡ଼ କହୁଣିକୁ ବୋହିଯାଇଥାଏ… ଅଦିନ ବର୍ଷା ପରି ଅପରିକଳ୍ପିତ ମୃତ୍ୟୁ ଯେତେବେଳେ ପଲକସାମ୍ନାରେ ଉପନୀତ ହୋଇଯାଏ ଜୀବନର ମନୋରମ ବାଲିକାସ୍ତୁପ କ୍ଷଣିକେ କାଳ ସମୁଦ୍ରର ଜୁଆରରେ ବିଲୀନ ହୋଇଯାଏ ।
ସବୁ ପିଲାଙ୍କ ପରି ମୋର ବି ମାମୁଁଘର ସ୍ମୃତି ବେସ୍ ମଧୁର । ଗ୍ରୀଷ୍ମ ଅବକାଶରେ ସ୍କୁଲ୍ ବନ୍ଦ ହେଲାପରେ ବୋଉ ସହ ମାମୁଁଘରକୁ ଅତିକମରେ ସପ୍ତାହେ ଦୁଇ ସପ୍ତାହ ପାଇଁ ଯିବା ପ୍ରାୟତଃ ସ୍ଥିର । ଅଜାଆଈଙ୍କର ସ୍ନେହପୂର୍ଣ୍ଣ ସାନ୍ନିଧ୍ୟ, ମାମୁଁଙ୍କ ସହ ସାଇକେଲରେ ଗାଁ ଛକ ଅବା ବଜାରକୁ ଯାଇ ଗରମ କାକରା, ଛେନାପୋଡ଼ ଖାଇବା, ମାଉସୀମାନଙ୍କ ସହ ନାନା ଥଟ୍ଟାମଜା, ନଈକୂଳ ବାଡ଼ିକୁ ଯାଇ ଖଜୁରୀ, ଖିରିକୋଳି, ଜାମୁକୋଳି ଖାଇବା, ମାଇଁଙ୍କର ରୋଷେଇଘରେ ନାନାଦି ସ୍ୱାଦିଷ୍ଟ ବ୍ୟଞ୍ଜନ ଏବଂ ସନ୍ଧ୍ୟାଆଳତିରେ ଘଣ୍ଟାଏକାଳ ସାଇନାଥଙ୍କର ଭଜନ ଜଣାଣ ଆଜିବି ମନମାନସରେ ବେଶ୍ ପରିସ୍ପୃଷ୍ଟ । ରଜ, ଅଷ୍ଟମୀରେ ଅଜାଙ୍କର ଆଗମନକୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା ଥାଏ, ଅଜା ଆସିଲେ ପ୍ରଥମେ ତାଙ୍କ ହାତରେ ଥିବା ଝୁଲା ଉପରେ ନଜର । ସୁଦୀର୍ଘ ଦୁର୍ବଳ ଶରୀର, ବୟସ ଭାରାକ୍ରାନ୍ତ ହୋଇ ମେରୁଦଣ୍ଡ ସମ୍ୟକ ନଇଁ ଯାଇଥାଏ, ଖଦି କପଡ଼ାର ଟ୍ରାଉଜର୍ ପଞାବି ଏବଂ ହାତରେ ଏକ ଗାନ୍ଧୀ ବଙ୍କୁଲୀବାଡ଼ି, ସମ୍ଭ୍ରାନ୍ତ ନହେଲେ ବି ଭିଡ଼ ଭିତରେ ସହଜରେ ବାରି ହେବାପରି ଚେହେରାଟିଏ । ଅଜାଙ୍କର ସିଦ୍ଧାନ୍ତ କେବଳ ସେ ଝୁଲାକୁ ମୋ ପିଉସୀମା କିମ୍ବା ମୋ ବଡ଼ମାଙ୍କ ହାତକୁ ଦେବେ, ନା ମୋ ବୋଉ କିମ୍ବା ଘରର ଆଉ କାହାରିକୁ । ପ୍ରାୟତଃ କିଛି ଘଣ୍ଟା ପରେ ଅଥବା ଅତି ବେଶୀରେ ଗୋଟିଏ ରାତି ହିଁ ତାଙ୍କର ରହଣି ଆମଘରେ । ସେଦିନ ରାତିରେ ଶୋଇବା ପୁର୍ବରୁ ଅଜା ଜଣ ଜଣ କରି ପର୍ଯାୟକ୍ରମେ ସମସ୍ତଙ୍କ ସହ ମନଖୋଲା ଆଳାପ କରିବେ ଓ ମଝିଆଁ ବାପା ଦେଇଥିବା ଓ୍ୱିଲସ୍ ସିଗାରେଟକୁ ପାଟିରେ ପୁରାଇ ଫୁକ୍ ଫୁକ୍ କରି ଧୂଆଁ ଛାଡ଼ିବେ । ପରଦିନ ସକାଳେ ପ୍ରଥମ ବସ୍ ଧରିବା ପାଇଁ ଅଜା ପ୍ରସ୍ତୁତ । ଆମେ ସବୁ ସାନ ବଡ଼ ନାତି ନାତୁଣୀ, ତାଙ୍କ ସହ ଥଟ୍ଟା ମଜା ହୋଇ ଗାଁ ମୁଣ୍ଡ ଛକ ପର୍ଯ୍ୟନ୍ତ ଯାଉ । ବସ୍ ହର୍ଣ୍ଣ ଶୁଣିବା କ୍ଷଣି ଅଜା ଆମଠୁ ବିଦାୟ ନିଅନ୍ତି, ଝରକା କାଚ ଖୋଲି ଆମକୁ ହାତ ହଲାଇଲେ ଆମେ ସବୁ ଉତ୍ସାହରେ ଦୃଷ୍ଟିଗୋଚର ହେବାଯାଏ ତାଙ୍କୁ ହାତ ହଲାଇ ଚାଲିଥାଉ । ପରିସମାପ୍ତି ଘଟେ ବିଗତ ଦିବସରେ ଆରମ୍ଭ ହୋଇଥିବା ଏକ ସୁଖଦ ଅନୁଭୂତିର ।
ଏ ଥିଲେ ମୋ ଅଜା, ସେ ବି ଆଜି କିଛି ବର୍ଷ ହେଲା ସୁଦୂର ଆରପାରିରେ । ଅଜାଙ୍କର ଆଉ ଦୁଇଜଣ କନିଷ୍ଠ ଭ୍ରାତା, ମୋର ପ୍ରିୟ ସାନ ଅଜା (୨ ନଂ) ଓ ଛୁଆ ଆଜା (୩ ନଂ) ଏମାନେ ଗତ ପନ୍ଦର ଦିନ ମଧ୍ୟରେ ଜଣକପରେ ଜଣେ ଶେଷ ନିଃଶ୍ୱାସ ତ୍ୟାଗ କରି ଆମକୁ ଶୋକସନ୍ତପ୍ତ କରିଯାଇଛନ୍ତି । ନିଃସନ୍ଦେହ ତାଙ୍କର ଅମରାତ୍ମାର ସଦଗତି ହୋଇଛି ଏବଂ ଧରାଧାମରେ ତାଙ୍କର ଜୀବନ ନାଟିକାରେ ଅଭିନୟ ପାଇଁ ଜନମାନସରେ ଆଦୃ ତ ତଥା ପରମାତ୍ମାଙ୍କ ଦରବାରରେ ପୁରସ୍କୃତ ପ୍ରାୟ ।
କଳାକାରମାନଙ୍କର ଦୈବିନିର୍ଦ୍ଦିଷ୍ଟ ଅବଧି ପର୍ଯାୟକ୍ରମେ ସମାପ୍ତ ହେଲେହେଁ ଜୀବନର ରଙ୍ଗମଞ୍ଚ ସଦେବ ଚଳଚଞ୍ଚଳ । ଜୀବନର ଅନିର୍ଦ୍ଦିଷ୍ଟ ସିମିତ ଅବଧିରେ ମାୟାମୋହପୂର୍ଣ୍ଣ ସଂସାରରେ କାମାସକ୍ତ ନହୋଇ, ଉର୍ଦ୍ଧ୍ୱଚେତନାଭିମୁଖୀ ହୋଇ ମହାମାନବିକ ଧର୍ମାନୁସରଣକରି ମାନବୀୟ ଜନ୍ମପରି ସୃଷ୍ଟିକର୍ତ୍ତାଙ୍କ ଅମୂଲ୍ୟ ଦାନର ଦକ୍ଷିଣା ପରିତୋଷ କରିବା ଏକାନ୍ତ କାମ୍ୟ ।
– ମାନସ ରଞ୍ଜନ ନାୟକ
Comments
ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।