ମୋ ବାପା କେମିତି

ଯେତେବେଳ କେହି ମୋତେ କୁହନ୍ତି, “ଦେଖିଲ ବାପାର ସବୁ ଗୁଣ ଆଣିଛି ଏ ଛୁଆ । ମା’ର ତ ଅବିକଳ ମୁହଁ ଛଡ଼େଇ ଆଣିଛି ସେ !”, ସେତେବେଳ ମୋତେ ଭାରି ଖୁସି ଲାଗେ । ମନରେ ଗୋଟେ ଅକୁହା ଖୁସି ଭରିଯାଏ । ଆମେ ତିନି ଭଉଣୀ; ମୁଁ ସାନ ଝିଅ । ସମସ୍ତେ କୁହନ୍ତି ବାପା ମାଆଙ୍କର ସାନ ଝିଅ କୁଆଡ଼େ ବେସି ଗେହ୍ଲା, ହେଲେ ମୋତେ ଲାଗେ ଏଇ ସବୁ ମିଛ କଥା । ମୋ ବାପା ଆମ ସମସ୍ତଙ୍କୁ ସମାନ ଭାବେ ହିଁ ଭଲ ପାଆନ୍ତି । ହଁ ଅବଶ୍ୟ ମୋ ଦୁଇ ଭଉଣୀଙ୍କ ତୁଳନାରେ ମୁଁ ଟିକିଏ ଅଧିକ ଦୁଷ୍ଟ ଥିଲି ତେଣୁ ଦିନ ରାତି ଘରେ ମୋର ପାଟି ଚାଲୁ ଥାଏ । ବଡ଼ ପାଟିରେ କଥା ହେବା, ଆଉ କିଛି କାମ ନଥିଲେ ଭଉଣୀମାନଙ୍କ ସହ ମାଡ଼ଗୋଳ କରି ମୋର ଦିନ ସରିଯାଏ । ଏସବୁକୁ ନେଇ ସବୁଦିନେ ରାତିରେ ବୋଉର ବାପାଙ୍କ ପାଖରେ ଫେରାଦ । ଆଉ ବାପାଙ୍କର ଉତ୍ତର ଥାଏ ସୃଷ୍ଟି ଏପଟସେପଟ ହୋଇ ଯିବ ହେଲେ ମୋ ଝିଅର ଦୁଷ୍ଟାମି ଶେଷ ହେବନି । ବାପା ଆଉ ମୁଁ ହସାହସି ହୋଇ ଓଲଟା ବୋଉକୁ ଚିଡ଼ାଇ ଦେଉ । ତା’ପରେ ବୋଉ ବି ରାଗିଯାଇ ବାପାଙ୍କୁ କୁହେ, “ତୁମେ ତାକୁ ସବୁ ମୁହଁ ଦେଉଛ । ସେଥିପାଇଁ ଦିନକୁ ଦିନ ବେଶି ଦୁଷ୍ଟ ହେଉଛି ସେ ।” ଏମିତି ବାପା ବୋଉଙ୍କର କଥା କଟା କଟି ଚାଲେ ।

ବାପାଙ୍କର ମୋର ଦୁଇ ସାଙ୍ଗ ପରି ଥିଲୁ । ବାପାଙ୍କର ପେଟ ଥିଲା ମୋ ପାଇଁ ଦୁନିଆର ସବୁଠାରୁ ନିରାପଦ ସ୍ଥାନ । ଆଉ ବାପାଙ୍କର ହାତ ମୋ ପାଇଁ ଥିଲା ଆରାମଦାୟକ ତକିଆ । ଦୁଃଖରେ ଥିଲେ ତାଙ୍କ ପେଟ ତଳେ ମୁହଁ ଲୁଚାଇ କାନ୍ଦି କାନ୍ଦି ଓଦା କରିଦିଏ । ପୁଣି ରାଗିଲେ କେତେ ବିଧା, ଚାପୁଡ଼ା ମାରେ । ପୁଣି ଖୁସିହେଲେ ବାପାଙ୍କ ଉପରେ ହାତ ଗୋଡ଼ ଲଦି ତାଙ୍କ ପେଟ ତଳେ ଶୋଇ ପଡ଼େ । ସବୁଦିନ ରାତିରେ ଶୋଇବା ବେଳକୁ ବାପାଙ୍କର ମୋର ମାଡ଼ଗୋଳ ଲାଗୁ । ଏମିତିବି ବାପା ମୋ ବିନା ପସନ୍ଦର କୌଣସି ପୋଷାକ ବି ପିନ୍ଧନ୍ତି ନିହିଁ । ବାପାଙ୍କର ମୋର କଥାବାର୍ତ୍ତା ଶୁଣି ସମସ୍ତେ କୁହନ୍ତି ଏତେ ବଡ଼ ଝିଅଟାଏ ହେଲୁଣି ବାପାଙ୍କ ସହ ଏମିତି କ’ଣ କଥା ହେଉଛୁ । ମୁଁ କଛି କହିବା ଆଗରୁ ବାପା ସେପଟେ କୁହନ୍ତି, “ହଁ ମା ! ତୁ ମୋ ସହ ସେମିତି ହିଁ କଥା ହେବୁ । ତୋ ବୋଉକୁ ଟିକିଏ ସମ୍ମାନ ଦେଇକି କଥା ହେଲେ, ସିଏ ଖୁସି ହେଲେ ମୁଁ ବି ଖୁସି ।” ମୁଁ ଘରର ସାନ ଥିଲି ସତ ହେଲେ ବାପା, ମାଆ, ଦିଦିମାନେ ସମସ୍ତେ ନିଜର ସୁବିଧା ଅସୁବିଧା, ଦୁଃଖ ସୁଖ ମୋ ସହ ଆଲୋଚନା କରନ୍ତି । ଦୁଃଖରେ ଥିଲେ ମୋ ପାଖରେ ବସି ବାପା କେତେ ଥର କାନ୍ଦିଛନ୍ତି । ମୋତେ ଲାଗେ ମୋ ବାପା ଦୁନିଆର ସବୁଠାରୁ ଭଲ ବାପା । ମୁଁ ମୋର +୨ ପଢ଼ିବା ସମୟରେ ଯେତେବେଳେ ହଷ୍ଟେଲରେ ରହୁଥିଲି ବାପାଙ୍କ କଥା ଭାରି ମନେ ପଡ଼େ ଆଉ ପୁଣି ହଷ୍ଟେଲ ଖାଇବା ମଧ୍ୟ ମୋତେ ଭଲ ଲାଗେନି । ସେଥିପାଇଁ ସବୁଦିନ ସନ୍ଧ୍ୟାରେ ବାପା ଏକ ନିର୍ଦ୍ଧିଷ୍ଟ ସମୟରେ ମୋ ପାଇଁ ଖାଇବା ନେଇ ମୋତେ ଦେଖା କରି ଆସନ୍ତି । ଆଉ ମୁଁ ମଧ୍ୟ ଦୂରରୁ ବାପାଙ୍କର ଗାଡ଼ି ଶବ୍ଦରେ ଦଉଡ଼ି ଆସି ହଷ୍ଟେଲ ଗେଟ୍ ପାଖରେ ଠିଆ ହୋଇଯାଏ । ସେମିତି ମୁଁ ଭୁବନେଶ୍ୱରରେ ପଢ଼ିବା ସମୟରେ ସବୁଦିନ ମୋ ପାଖକୁ ଯିବା ସମ୍ଭବ ହୋଇ ନଥାଏ । ସେଥିପାଇଁ ବାପା ଦିନରେ ତିନି ଥର ମୋ ପାଖକୁ ଫୋନ୍ କରନ୍ତି । ତା’ପରେ ମଧ୍ୟ ମୁଁ ଯଦି ଘରର ଅନ୍ୟମାନଙ୍କ ପାଖକୁ ଫୋନ କରେ ସେମାନଙ୍କ ଫୋନ ନେଇ ବାପା କଥା ହୁଅନ୍ତି ଆଉ କୁହନ୍ତି, “ବାପାକୁ ଫୋନ ନ କରି ଆଉ ସମସ୍ତଙ୍କୁ ଫୋନ୍ କରିବାକୁ ତୋତେ ଟାଇମ୍ ହେଉଛି, ହଁ ବାପା ବୁଢ଼ା ହେଲାଣି କାହିଁକି ତାକୁ ପଚାରିବୁ ।” ମୋ ପାଖରେ ବାପା ଛୁଆଙ୍କଠାରୁ ବି ଛୁଆ ବନିଯାଆନ୍ତି । ବାପା ମୋ ମୁହଁ ଦେଖି ମୋ ମନ କଥା ଜାଣି ଦିଅନ୍ତି ଆଉ ମୁଁ ମଧ୍ୟ ମୋ ବାପାଙ୍କ କଥା ବୁଝିପାରେ । ମୁଁ ପନିପରିବା ବେଶି ଖାଇବାକୁ ଭଲ ପାଏ ନାହିଁ ବୋଲି ମୋ ବାପା ସବୁଦିନେ ମୋ ପାଇଁ ମୋ ପସନ୍ଦର ଆଳୁ ଦଳା, ବଢ଼ି ଚୁରା କରନ୍ତି ଆଉ ମୋତେ ନିଜ ହାତରେ ଖୁଆଇ ଦିଅନ୍ତି । ଆଉ ମୁଁ ବି ମୋ ବାପାଙ୍କ ହାତ ଚାଟି ଚାଟି ଖାଉଥାଏ । କେବେକେବେ ଉଭୟେ ଉଭୟଙ୍କ ମୌନତା ବି ବୁଝି ପାରୁ ।

ମୋ ବାପାଙ୍କ ପାଖକୁ ବହୁ ବଡ଼ ବଡ଼ ଲୋକ ଆସନ୍ତି । ଆମ ଆଖପାଖ ଲୋକ ମଧ୍ୟ ନିଜର ସମସ୍ୟା ନେଇ ବାପାଙ୍କ ପାଖକୁ ସମାଧାନ ପାଇଁ ଆସନ୍ତି । ବୃତ୍ତିଗତ ଭାବେ ମୋ ବାପା ଥିଲେ ଜଣେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ । ହେଲେ ବହୁ ବଡ଼ ବଡ଼ ସୁନାମଧନ୍ୟ ଲୋକମାନଙ୍କର ଆମ ଘରକୁ ଯିବା ଆସିବା ଥାଏ । ସେଥିପାଇଁ ମୁଁ ମନେ ମନେ ଭାରି ଗର୍ବ କରେ । ମୋତେ ଲାଗେ ମୋ ବାପା ହେଉଛନ୍ତି ମୋର ରିଏଲ୍ ହିରୋ । ଦୁନିଆରେ କେହି ମୋ ବାପାଙ୍କୁ ହରାଇ ପାରିବେନି । ବହୁ ସ୍ଥାନରେ ମୁଁ ମୋ ବାପାଙ୍କର ଝିଅ ବୋଲି ମୋତେ ମଧ୍ୟ ଅନେକ ସମ୍ମାନ ମିଳେ । ବହୁ ବଡ଼ ବଡ଼ ଲୋକଙ୍କ ସହ ମୋର ମଧ୍ୟ କଥାବାର୍ତ୍ତ ହୁଏ । ମୁଁ ଯେତେବେଳ ବାପାଙ୍କ ଗାଡ଼ି ପଛରେ ବସି କଲେଜ ଯାଏ ସେତେବେଳ ମୋତେ ଭାରି ଖୁସି ଲାଗେ । ସବୁ ସହକର୍ମୀମାନେ ବାପାଙ୍କୁ ନମସ୍କାର କରନ୍ତି । ବାପାଙ୍କର ଛାତ୍ରଛାତ୍ରୀମାନେ ଆସି ସାରଙ୍କ ଝିଅ ବୋଲି ମୋ ସହ କେତେ କଥା ହୁଅନ୍ତି । ମୋ ବାପା ବାହାରୁ ଯେତେ କଠୋର, ଭିତରୁ ସେତେ ନରମ । ମୁଁ ସବୁବେଳେ ଚେଷ୍ଟାକରେ ମୋ ବାପାଙ୍କ ପରି ହେବା ପାଇଁ । ସବୁ ଦୁଃଖି ଲୋକମାନଙ୍କର ମୋ ବାପା ସାହାରା ଥା’ନ୍ତି । କେଜାଣି କାହିଁକି ବାପାଙ୍କୁ ଦେଖିଲେ ମୋର ଆତ୍ମବିଶ୍ୱାସ ଦ୍ୱି’ଗୁଣିତ ହୋଇଯାଏ । ସବୁ କଥାରେ ମୁଁ ଆଗକୁ ମାଡ଼ି ଯାଏ ମନରେ ଗୋଟିଏ ବିଶ୍ୱାସ ନେଇ, “ମୋ ପଛରେ ମୋ ବାପା ଅଛନ୍ତି, ସବୁ ସମ୍ଭାଳି ଦେବେ ।” ମୁଁ ଭାବେ ମୁଁ ବୋଧହୁଏ ଦୁନିଆର ଗୋଟେ ବୋଲି ଭାଗ୍ୟବାନ ପିଲା ।

ମୋ ବାପା ଆଜିଯାଏ କେବେ ମୋତେ ମୋ ଘରର କାମ ତ ଦୂରର କଥା ମୋ ନିଜ କାମ ବି କରିବାକୁ ଦେଇ ନାହାନ୍ତି । ବୋଉର ଦେହ ଖରାପ ହେବା ଦିନରୁ ଘର କାମ ମୋ କାମ ସବୁ ବାପା କରନ୍ତି । ଥରୁଟିଏ ମୋ ମଝିଆଁ ଭଉଣୀର ମୋର ମାଡ଼ଗୋଳ ଲାଗିଥିଲୁ ଆଉ ମୁଁ ମୋ ଭଉଣୀକୁ ମାରିଥିଲି ବୋଲି ମୋତେ ବାପା ଘର ବାହାରେ ଖରାରେ ଠିଆ କରି ଦେଇଥିଲେ । ଆଉ ଆଜିଯାଏ ସେମିତି କେବେ ମୋ ବାପା ମୋ ଉପରକୁ ଦିନଟିଏ ହାତବି ଉଠେଇ ନାହାନ୍ତି । ଦୁଷ୍ଟାମି ଅଧିକ କରିଲେ ବାପାଙ୍କର ଟିକିଏ କଠୋର ତାଗିତ୍ ହିଁ ମୋ ପାଇଁ ଦୁଃଖର ପାହାଡ଼ ନେଇ ଆସେ । ତା’ପରେ ଓଲଟା ମୋର ରାଗ ଅଭିମାନ ଆରମ୍ଭ ହୋଇ ଯାଏ ଆଉ ଶେଷରେ ବାପାଙ୍କୁ ନିଜର ରାଗ ଶାନ୍ତ କରି ଆସି ମୋତେ ବୁଝାଇବା ପରେ ହିଁ ମୁଁ ଶାନ୍ତ ହୁଏ । ପ୍ରତି ମୁହୂର୍ତ୍ତରେ ସିଏ ମୋ ଖୁସି ବିଷୟରେ ହିଁ ଚିନ୍ତା କରିଛନ୍ତି । ବାପାଙ୍କୁ କେବେ ମୁଁ ମନ୍ଦିର ଯିବା କି ଠାକୁର ପୂଜା କରିବାର ଦେଖିନାହିଁ । ବାପା ସବୁବେଳେ କୁହନ୍ତି କର୍ମ ହିଁ ଭଗବାନ । ମୁଁ ମଧ୍ୟ ତାଙ୍କଠାରୁ ଏମିତି ଶିଖି ଆଜିଯାଏ ନା କେବେ ମନ୍ଦିର ଯାଏ, ନା ଠାକୁର ପୂଜା କରେ । ସିଏ ମୋ ପାଇଁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଥିଲେ, ଥିଲେ ଏକ ଚଳନ୍ତି ଦେବତା ।

ଭଗବାନଙ୍କ ପାଖରେ ମୁଁ ଏତିକି ପ୍ରାର୍ଥନା କରେ କି ସବୁ ପିଲା ମାନଙ୍କୁ ଏମିତି ବାପାମାଆ ମିଳନ୍ତୁ । ସବୁଦିନ ମୋ ବାପାମା’ ଏମିତି ମୋର ମେରୁଦଣ୍ଡ ହୋଇ ରୁହନ୍ତୁ । ସମ୍ପୂର୍ଣ୍ଣ ତାଙ୍କ ପରି ହୋଇ ନପାରିଲେ ମଧ୍ୟ ମୁଁ ପ୍ରତି ମୁହୂର୍ତ୍ତରେ ତାଙ୍କୁ ଦୁନିଆର ସବୁ ସୁଖ ଦେବାକୁ ଚେଷ୍ଟା କରିବି ।

– ବାତ୍ୟା ବିଜୟୀନି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...