ବଳରାମ ଦାସ କୃତ ମହାଲକ୍ଷ୍ମୀ ପୁରାଣ (ମାଣବସା ଗୁରୁବାର) ଏକ ବିଶେଷ ପୁରାଣ ଭାବରେ ଉତ୍କଳୀୟ ସଂସ୍କୃତି ପରମ୍ପରାକୁ ଆଧାର କରି ମଣିଷ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛି ଗୋଟିଏ ସୁସ୍ଥ ସୁନ୍ଦର ସମାଜ ଗଠନ ଦିଗରେ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତଙ୍କୁ ସମ ଦୃଷ୍ଟିରେ ଦେଖିବା ଓ ନାରୀ ପୁରୁଷ ଦୁଇଟି ଜାତି ଛଡ଼ା ଅନ୍ୟ ସବୁ ମଣିଷର ଭ୍ରମ ମାନସିକତା ମନ ଗଢ଼ା ବାର୍ତ୍ତା ଦେଉଥିବା କଥା କୁହା ଯାଇଛି । ଏଠାରେ ଭାବ ଭକ୍ତି, ନାରୀର ସ୍ୱାଭିମାନ, ତାର ଅଧିକାର ଏବଂ ପତି ଭକ୍ତି, ପତି ସେବା ତଥା ଅତିଥିଙ୍କୁ କିଭଳି ଭାବରେ ଅତିଥି ସଂସ୍କାର ଦେବା କଥା ଏଠାରେ ଜୀବନ୍ତ ଓ ହୃଦୟସ୍ପର୍ଶୀ କାହାଣୀ ଭାବରେ ବର୍ଣ୍ଣନା କରାଯାଇଛି ।
ଯେତେବେଳେ ମହାଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳୁଣୀର ଘରକୁ ଯିବା କଥା ଜାଣି ବଡ଼ଭାଇ ବଳଭଦ୍ର ଲକ୍ଷ୍ମୀ ଠାକୁରାଣୀ ଘଉଡ଼ାଇ ଦେବାକୁ ଆଜ୍ଞା ଦେଲେ ଓ ବଡ଼ଭାଇର ଆଜ୍ଞାକୁ ଅବଜ୍ଞା ନକରି ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ସ୍ତ୍ରୀଙ୍କୁ ଶ୍ରୀମନ୍ଦିରୁ ଘଉଡ଼ାଇ ଦେଲେ । ଏହି ସମୟରେ ମହାଲକ୍ଷ୍ମୀ ଅଭିଶାପ ଦେଇଥିଲେ କି,
“ସତେ ଯେବେ ଚନ୍ଦ୍ରସୂର୍ଯ୍ୟ ହୋନ୍ତି ଆତଯାତ ।
ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ ॥
ବାରବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ ।
ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନ ମିଳିବ ॥
ମୁହିଁ ଚଣ୍ଡାଳୁଣୀ ଯେବେ ଟେକି ଦେବି ଅନ୍ନ ।
ଭୋଜନ କରିବ ତେବେ କାଳୀୟଗଞ୍ଜନ ॥
ପରେ ମହାଲକ୍ଷ୍ମୀ ପିତା ଘରକୁ ନ ଯାଇ ନିଜେ ଅନ୍ୟଠାରେ ରହିଲେ ଏବଂ ଅଷ୍ଟ ବେତାଳଙ୍କ ଦ୍ଵାରା ଶ୍ରୀ ମନ୍ଦିର ସବୁ ସମ୍ପତ୍ତି ଆଣି ଶ୍ରୀ ମନ୍ଦିରକୁ ଶ୍ରୀହୀନ କରିଦେଲେ । ଯାହା ଫଳରେ ଦୁଇଭାଇ ଭୋକ ବିକଳରେ ଦ୍ଵାର ଦ୍ଵାରା ଭିକ୍ଷା ବୃତ୍ତି କରିବାକୁ ପଡ଼ିଲା । ପ୍ରତି ଘରେ ସେ ଦୁହିଁଙ୍କୁ ଚୋର, ପତ୍ନୀ ଛଡ଼ା, ଅଳସୁଆ ପରି କଟୁ କଥା ଶୁଣି ଖୁବ୍ ଅପମାନ ହେବାକୁ ମଧ୍ୟ ପଡ଼ିଥିଲା ।
ଶେଷରେ ସେଇ ବାଳିବନ୍ଧାପୁରେ ଯାଇ ପହଞ୍ଚି ଥିଲେ ଏବଂ ସେ ଚଣ୍ଡାଳୁଣୀ ବୋଲି ଘଉଡ଼ାଇ ଦେଇଥିବା ମହାଲକ୍ଷ୍ମୀ ଠାରେ ଶରଣାପନ୍ନ ହୋଇଥିଲେ । ମା’ ଲକ୍ଷ୍ମୀ ରୋଷେଇ କରି ଖାଇବା ପାଇଁ ପନିପରିବା ହାଣ୍ଡି ସବୁ ଯୋଗାଇ ଦେଇଥିଲେ ମଧ୍ୟ ତାହା ସମ୍ଭବ ହେଲା ନାହିଁ । ପରେ ଅତିଥି ଭାବରେ ଦୁଇ ଭାଇଙ୍କୁ ଘରକୁ ଡାକି ନୂଆ ବସ୍ତ୍ର, ନୂଆ ପଇତା ପୁଷ୍ପ ମାଳା ଦେଇ ଅତିଥ୍ୟ ପ୍ରଦାନ କଲେ ଆଉ ନିଜ ହାତରେ ଷାଠିଏ ପଉଟି ରାନ୍ଧି ପରିଷିଥିଲେ ।
ଜଣେ ନାରୀ ବିନା ଜଣେ ପୁରୁଷର ସ୍ଥିତ କେମିତି ହୋଇପାରେ ଏଠାରେ ବର୍ଣ୍ଣନା କରାଯାଇଛି । ନାରୀଙ୍କ ସ୍ୱାଭିମାନ ଓ ଅଧିକାର ପାଇବା ପାଇଁ ମହାଲକ୍ଷ୍ମୀ କେମିତି ନିଜେ ତାଙ୍କର ବୁଦ୍ଧି ବଳରେ ଦୁଇ ଜଣଙ୍କୁ ଦ୍ଵାର ଦ୍ଵାର ବୁଲେଇ ଥିଲେ ଓ ଶେଷରେ ନାରୀ ବିନା ପୁରୁଷ ଏକା ରହିବା ଅସମ୍ଭବର ବାର୍ତ୍ତା ବଳରାମ ଦାସ ମଣିଷ ସମାଜକୁ ଦେଇଥିଲେ । କିନ୍ତୁ, ଆଜି ମଧ୍ୟ ମଣିଷ ସମାଜରେ ସେ ନାରୀ ବାରମ୍ବାର ପ୍ରତ୍ୟେକ ଜାଗାରେ ଅପମାନ, ବଳାତ୍କାର, ଦୁଷ୍କର୍ମରେ ଶିକାର ହେଉଛି ଆମ୍ଭେ ଶିକ୍ଷିତ ବୋଲାଇ ମଧ୍ୟ ନାରୀ ପ୍ରତି ଖରାପ ଆଚରଣ ପ୍ରଦର୍ଶନ କରୁଚେ ଏହାହିଁ ସବୁଠାରୁ ଖରାପ କାର୍ଯ୍ୟ । ମାଟି ପିତୁଳାକୁ ମା’ ଲକ୍ଷ୍ମୀଙ୍କ ପ୍ରତିରୂପ ଭାବରେ ପୂଜା କରୁଛୁ କିନ୍ତୁ ନାରୀ ରୂପେ ନାରାୟଣ ଏକଥା ଭୁଲି ଯାଉଛେ …!
– ନୀଳାମ୍ବର ମହାନନ୍ଦ
Comments
ନୀଳାମ୍ବର ମହାନନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

