ରକ୍ଷା କବଚ

Raksha Kabacha by Rajesh Kumar Barik

ପଶ୍ଚିମ, ଘାଟି ଦକ୍ଷିଣ ଭାରତର ସହର ୱାଏନାଡ଼ ଭିନ୍ନ ଏକ ଜୈବ ବିବିଧତା ସତେ ଯେମିତି ବର୍ଷା ବନର ମୁକ୍ତା ପରୀର କାହାଣୀ । ଲାଗୁଛି ! ଆରବ ସାଗରରୁ ଆସୁଥିବା ମୌସୁମୀ ବାୟୁକୁ ସବୁ ନିଜ ପାଖରେ ଅଟକାଇ ଶୋଭା ବଢ଼ାଉଛି । ମେଘୁଆ ଆକାଶରେ ଟିମ୍ ଟିମ୍ ତାରାସବୁ ମେଘ ସହ ଲୁଚକାଳି ଖେଳୁଥାନ୍ତି, ଜହ୍ନ ଆସିବାକୁ ଆହୁରି ପନ୍ଦର ଦିନ ବାକି, ଗାଢ଼ ଅନ୍ଧାରରେ ଭୟଙ୍କର ପଶୁମାନଙ୍କର ଆଖି ସବୁ ଚକଚକ କରୁଥାନ୍ତି । ମନରେ ଯେତିକି ରୋମାଞ୍ଚ ଖେଳୁଥାଏ ସେତିକି ଶରୀରରେ ଡର ଭରୁଥାଏ । ଜଙ୍ଗଲ ଭିତରେ ଲାଗିଥିବା ୱାଇଲ୍ଡ୍ ଲାଇଫ୍ କେମରାରେ ସଂଗୃହୀତ ଦୃଶ୍ୟକୁ ମାଲୟାଲମ୍ ଭାଷାରୁ ହିନ୍ଦୀରେ ପରିବର୍ତ୍ତିତ ଭାଷା ଚ୍ୟାନେଲକୁ ଟିଭିରେ ଭାଇ ଭଉଣୀ ଦୁହେଁ ବସି ଦେଖୁଥାନ୍ତି ।

ଭାଇ ! ସବୁ ସୁନ୍ଦର ସ୍ଥାନ କ’ଣ ଭଗବାନ ଓଡ଼ିଶା ବାହାରେ ରଖିଛନ୍ତି ଓଡ଼ିଶାରେ କିଛି ବି ରଖି ନାହାନ୍ତି? ଆମ ପାଇଁ ଏ ଅନ୍ୟାୟ କ’ଣ ପାଇଁ ଭାଇ? ଓଡ଼ିଶାରେ ଖାଲି ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ଆଉ ବିଶ୍ଵ ମୋନହରରେ ସ୍ଥାନ ପାଇଥିବା କୋଣାର୍କର ସୌନ୍ଦର୍ଯ୍ୟକୁ ଛାଡ଼ିଦେଲେ, ୱାଏନାଡ଼ ଭଳି ଜଙ୍ଗଲି ସୌନ୍ଦର୍ଯ୍ୟ କ’ଣ ପାଇଁ ଓଡ଼ିଶାରେ ନାହିଁ?

କିଏ କହିଲା ଓଡ଼ିଶାରେ କିଛି ନାହିଁ ବୋଲି ! ଯାହା ଲୋକଙ୍କୁ ଦେଖାଯାଏ, ସେସବୁକୁ ବିକାଯାଏ ବୋଲି ଏକ ଲୋକକଥା ଅଛି, ବାସ୍ତବ କଥା ହେଲା  ଓଡ଼ିଶାରେ ପ୍ରାୟ ୭୨ ପ୍ରଜାତିର ଆଦିବାସୀ ସଂପ୍ରଦାୟ ବାସକରନ୍ତି । ସେସବୁକୁ ସୁରକ୍ଷା ଦେବା ଆଉ ସେମାଙ୍କ ସଂସ୍କୃତିକୁ ନଷ୍ଟ ନକରିବା ପାଇଁ ଓଡ଼ିଶାର ୱାଇଲ୍ଡ୍ ଲାଇଫ୍ ଉପରେ ବେଶି କିଛି ଆଲୋଚନା କରାଯାଏ ନାହିଁ । ଆଉ ଏହି ସବୁ ସଂପ୍ରଦାୟ ଲୋକମାନେ ପ୍ରାୟତଃ ଭିନ୍ନ ଭିନ୍ନ ଉପାୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାମରେ ନିଯୁକ୍ତ ହୁଅନ୍ତି ।

ଥରେ ଫନି ବାତ୍ୟା ସମୟରେ ଓ.ଡ଼ି.ଆର୍.ଏଫ୍. କ୍ୟାମ୍ପ୍‌ରେ ଥିବା ସମୟରେ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯିବାକୁ ସୁଯୋଗ ମିଳିଥିଲା କିଟମିଟ ଅନ୍ଧାରରେ ବାଘମାନଙ୍କର ଗର୍ଜନ, ବିଲୁଆମାନଙ୍କ ପାଟିରୁ ବାହାରୁଥିବା ନିଆଁ, ଜୁଳୁଜୁଳିଆ ପତଙ୍ଗ ସବୁ ମିଶି ଜଙ୍ଗଲକୁ  ଆଲୋକରେରେ ଭରିଦେବା ଦୃଶ୍ୟ ଏଇ ଟିଭିର ଦୃଶ୍ୟଠାରୁ ଖୁବ ମନୋରମ ଥିଲା ।

ଆଉ ୧୫ ଦିନ ବାକି ରହିଲା ରାକ୍ଷୀ ପୂଣ୍ଣିମା ଏଥର ରାକ୍ଷୀ ପୂର୍ଣ୍ଣିମାରେ ମୋତେ କିଛି ଉପହାର ଦରକାର ନାହିଁ ଓଡ଼ିଶାରେ ଏମିତି ଗୋଟିଏ ସ୍ଥାନକୁ ନେଇଯିବୁ ଯେମିତି ଏମିତି ପ୍ରକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହୋଇଥିବ । ତେବେ ଯାଇ ତୋ’ ରାକ୍ଷୀ ପଇସା ସୁଝିବ !

ତୁ ଖାଲି କହ କେଉଁଠିକୁ ଯିବୁ? ବଲାଙ୍ଗୀରର ହରିଶଙ୍କର, କନ୍ଧମାଳର ଦାରିଙ୍ଗବାଡ଼ି ନା ମୟୂରଭଞ୍ଜର ବରେହିପାଣି ନା ବାଲେଶ୍ଵରର କୁଲଡ଼ିହା ନା ଯାଜପୁରର ସିଦ୍ଧିବିନାୟକ କେଉଁଠିକୁ ଯିବୁ?

ଆଉ କିଛି କହିବା ପୂର୍ବରୁ ଫୋନ ରିଂ ହୋଇଉଠିଲା… ସେପାଖରୁ ଶୁଣାଗଲା ମିଷ୍ଟର ଅଥର୍ବ କୁମାର ଆମକୁ କିଛି ସମୟ ଭିତରେ ଆମକୁ ୱାଏନାଡ଼ ବାହାରିବାକୁ ହେବ ତୁମେ ସଠିକ ସ୍ଥାନରେ ସଠିକ ସମୟରେ ଆସି ପହଞ୍ଚିବ । କାଳ ବିଳମ୍ବ ନକରି ନିଜର ଜିନିଷପତ୍ର ସଜାଡ଼ିନେଲା ଅଥର୍ବ ।

ଆଉ ୧୫ ଦିନ ବାକି ରହିଲା ରାକ୍ଷୀ ପୂର୍ଣ୍ଣିମା । ୪ ରୁ ୫ ଦିନ ଭିତରେ କ୍ୟାମ୍ପ୍ ଶେଷ ହେବ ମୁଁ ଫେରି ଆସେ ତୋ’ର ସବୁ କଥା ବୁଝିନେବି ତୁ ବ୍ୟସ୍ତ ହୁଅନା ତୋତେ ନେଇ ସବୁ ସ୍ଥାନ ବୁଲାଇବି ତୋ’ ବାହାଘର ପୂର୍ବରୁ ମାନି । ମୋତେ ଏବେ ବିଦାୟ ଦେ ! ଏବେ ମୋର ସାହାଯ୍ୟ ୱାଏନାଡ଼ର ଅନେକ ଭାଇ-ଭଉଣୀଙ୍କୁ ଦରକାର ଅଛି । ମୁଁ ସେମାନଙ୍କ କଥା ବୁଝିସାରେ ତୋ’ କଥା ବୁଝିନେବି ।

ଟିଭିରେ ୱାଏନାଡ଼ର ପ୍ରକୃତିକ ବିପର୍ଯ୍ୟୟକୁ ଦେଖି ମାନି ଯେତିକି ମନରେ ଭୟ ଆଣୁଥିଲା ସେତିକି ଗର୍ବ ଅନୁଭବ କରୁଥିଲା ଅସହାୟ ଲୋକଙ୍କୁ ତା’ ଭାଇ ସାହାଯ୍ୟ କରୁଛି ବୋଲି । ଶହଶହ ସଂଖ୍ୟାରେ ଲୋକ ମୃତାହତ ହୋଇଥିବାବେଳେ ଅନେକ ଏବେବି ନିଖୋଜ ଥା’ନ୍ତି । ଏନ.ଡ଼ି.ଆର୍.ଏଫ୍. ଟିମ୍ ଆଉ ଓ.ଡ଼ି.ଆର୍.ଏଫ୍. ଟିମ୍ ମିଳିତ ସହଯୋଗରେ ଲୋକଙ୍କୁ ସାହାଯ୍ୟ କରୁଥାନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଡାକି ଖାଲି ଦିନ ଗଣୁଥାଏ ମାନି ରାକ୍ଷୀ ପୂର୍ଣ୍ଣିମାରେ ଭାଇ ଆସିବ ଆଉ ତା’ ହାତରେ ରାକ୍ଷୀ ବାନ୍ଧିବ ।

ଏହା ଭିତରେ ୪-୫ ଦିନ ଶେଷ ହୋଇ ୧୫ ଦିନ ଶେଷ ହେବାକୁ ବସିଥାଏ । ଖାଲି ଟିଭି ମିଡ଼ିଆରେ ବାରମ୍ବାର ଦେଖାଉଥିବା ୱାଏନାଡ଼ର କିଛି ଦୃଶ୍ୟ ସାଙ୍ଗକୁ ନେତା, ମନ୍ତ୍ରୀମାନଙ୍କର ଜଣେ ଅନ୍ୟ ଜଣଙ୍କ ଉପରେ ଆରୋପ ପ୍ରତ୍ୟାରୋପ; ଦର୍ଶକଙ୍କୁ ଖାଲି ଭ୍ରମିତ କରିବା ଛଡ଼ା ଆଉ କିଛି କରୁନଥାଏ । ହଠାତ କିଛି ସ୍ଥାନରେ ପୂର୍ବରୁ ଭଗ୍ନ ଅବସ୍ଥାରେ ଥିବା ଭୁସ୍ଖଳନର କିଛି ଅଂଶ ଖସିବାରେ ଲାଗିଲା । ସୁରକ୍ଷିତ ସ୍ଥାନ ଭାବି ଯାଉଥିବା ଲୋକ ଆଉ ସ୍ଵେଛାସେବୀ ସଂଗଠନର ସଦସ୍ୟମାନେ ମାଟିତଳେ ଚାପି ହୋଇଗଲେ । ଲାଇଭ୍ ଟିଭି କ୍ୟାମରାରେ ଦେଖୁଥିବା ଦୃଶ୍ୟକୁ ଦେଖି ମାନିର ମନ ଆଉ ମନିଲା ନାହିଁ । ତୁରନ୍ତ ଭାଇ ପାଖକୁ ଫୋନ୍ କରିବାକୁ ଲାଗିଲା । କିନ୍ତୁ ଫୋନ୍ ସ୍ୱିଚ୍‌ଅଫ୍ ଦେଖାଉଥାଏ ।  ଖିନ୍‌ଭିନ୍ ହୋଇଥିବା ଶରୀର, ତାସ୍‌ଘର ଭଳି ଭାଙ୍ଗିଯାଉଥିବା ଘର, ଅଧା ପୋତା ଶରୀର ସାଙ୍ଗକୁ ଅନାହାରରେ ବସିଥିବା ଲୋକଙ୍କୁ ଦେଖି ଆଉ ଥୟ ହୋଇ ରହିପାରିଲା ନାହିଁ । ଡରରେ ଫୋନ୍ ଉପରେ ଫୋନ୍ କରିଚାଲିଥାଏ କିନ୍ତୁ ସବୁଥର ଉତ୍ତର ନା’ରେ ହିଁ ସମାପ୍ତ ହେଉଥାଏ । ମନକୁ ପାପ ଛୁଉଁ ଥାଏ, ହେଲେ ମନ ମାନିବାକୁ ନାରାଜ, ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା ଭାଇ ବିନା ରକ୍ଷାବନ୍ଧନ?  ମହାପ୍ରଭୁଙ୍କୁ ଡାକି ଡାକି କେତେବେଳେ ନିଦ ଲାଗିଯାଇଥାଏ ସେ ଜାଣି ନଥାଏ ।

କବାଟ କେହି ବାଡ଼େଇବାର ଶବ୍ଦ ଶୁଣି ନିଦ ଭାଙ୍ଗିଲା ମାନିର । ଅଳସ ଭରା ଆଖିରେ କବାଟ ଖୋଲି ଦେଖେତ ଓ.ଡ଼ି.ଆର୍.ଏଫ୍ ଟିମ୍‌ର ସଦସ୍ୟମାନେ ସବୁ ଛିଡ଼ା ହୋଇଛନ୍ତି । ଆଶ୍ଚର୍ଯ୍ୟ ହୋଇଗଲା ମାନି, କିଛି ଗୋଟେ ବଡ଼ ଅଘଟଣ ହୋଇଛି ବୋଲି ଭାବି ମାନି ଆଉ ନିଜର କୋହ ସମ୍ବାଳି ପାରିଲା ନାହିଁ । ମୁହଁକୁ ପୋତି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ଭିଡ଼କୁ ଆଡ଼େଇ କେହିଜଣେ ଆସି ମାନିର ମୁଣ୍ଡକୁ ଆଉଁସିବାରେ ଲାଗିଲା । ମାନି ଚମକିପଡ଼ି କହିବାକୁ ଲାଗିଲା ଭାଇ !

କ’ଣ ହେଲାରେ ମାନି ଏମିତି କାନ୍ଦୁଛୁ କାହିଁକି? ତୋ ସାଙ୍ଗମାନଙ୍କ ଭିତରେ ତୋତେ ନଦେଖି ମନକୁ… ଛାଡ଼ ସେକଥା ଘର ଭିତରକୁ ଚାଲ । ତୁ ସବୁବେଳେ ସେଇ ଟିଭି ଖବର ଦେଖି ମୁଣ୍ଡକୁ ଖରାପ କରିଦେଇଛୁ । ମୋବାଇଲରେ ନେଟୱାର୍କ ନଥିବାରୁ ତୋ’ ଫୋନ ଲାଗୁନଥିଲା । ଚାଲ ଆମେ ଏକ ସୁନ୍ଦର ସ୍ଥାନକୁ ଯିବା ଯେଉଁଠିକୁ ତୁ ଯିବା ପାଇଁ ଚାହୁଁଥିଲୁ ।

ଘଞ୍ଚ ସବୁଜ ବନାନୀ ଆଉ ତା’ ଭିତରେ କିଛି ଆଦିବାସୀ ସମ୍ପ୍ରଦାୟ ଲୋକମାନେ ମିଳି ଗଛ ଦେହରେ ରାକ୍ଷୀ ବାନ୍ଧୁଥାନ୍ତି । ମାନି ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ପଚାରିଲା, “ଭାଇ ଏମାନଙ୍କର କ’ଣ ଭାଇ ନାହିଁ? ଆଉ ଏଠି ଖାଲି ମହିଳାମାନେ ନୁହଁନ୍ତି ଏଠି ତ ପୁରୁଷ ମାନେ ମଧ୍ୟ ରାକ୍ଷୀ ବାନ୍ଧିବାକୁ ଆସିଛନ୍ତି ।”

ହଁ ଲ ମାନି, ଏଇ ଗଛମାନେ ତ ଆମର ଅସଲି ଭାଇ ଆମ ରକ୍ଷାକର୍ତ୍ତା ସେଇମାନେ ହିଁ ଆମ ବିଶ୍ଵକୁ ଆମ ପରିବେଶକୁ ସୁରକ୍ଷା ଦେଉଛନ୍ତି ସେମାନଙ୍କ ଅନୁପସ୍ଥିରେ ଭାରତରେ ୱାଏନାଡ଼ ଠାରୁ ବି ଭୟଙ୍କର ବିପର୍ଯ୍ୟୟ ହୋଇ ସାରିଛି । ଆମେ ଅତ୍ୟାଧୁନିକ ହୋଇ ସିନା ଜାଣିପାରୁନୁ ଏଇ ଦେଖ ଅର୍ଦ୍ଧଶିକ୍ଷିତ ଆଦିବାସୀମାନେ ଆମ ସମାଜକୁ କି ବାର୍ତ୍ତା ଦେଇଛନ୍ତି । Butterfly effect ପରି ଗୋଟିଏ ସ୍ଥାନର ଘଟଣା ଅନ୍ୟ ସ୍ଥାନରେ ପ୍ରଭାବ ପକାଇଥାଏ । ଏଇ ଦେଖୁନୁ ୱାଏନାଡ଼ର ଘଟଣାରେ ଆମେ କିପରି ବ୍ୟତିବସ୍ତ ହୋଇପଡ଼ିଛୁ !

ମାନି ପ୍ରାକୃତିକ ପରିବେଶର ସୌନ୍ଦର୍ଯ୍ୟକୁ ଦେଖି ଖୁସି ହେଲା ଆଉ ଗଛ ଦେହରେ ରାକ୍ଷୀ ବାନ୍ଧି କହିଲା, “ଭାଇ ଯେମିତି ଗୋଟିଏ ଭଉଣୀକୁ ରକ୍ଷା କରେ ଠିକ୍ ପ୍ରକୃତି ମାଆକୁ ରକ୍ଷା କରିବା ପାଇଁ ତା’ ଭାଇ ଗଛ ସବୁବେଳ ସଜାଗ ଥାଏ ।”

ରାଜେଶ କୁମାର ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...