କଥାଚିତ୍ର ସମୀକ୍ଷା: ଦମନ

Odia Movie Daman Review

ପୂର୍ବକଥା: ଓଡ଼ିଆ ଫିଲ୍ମଟିଏ ଆସୁଛି ଦମନ । ନାନାଦି କାରଣରୁ ଚର୍ଚ୍ଚା ସାଉଣ୍ଟିଥିଲା ଫିଲ୍ମଟି ରିଲିଜ୍‌ର ବହୁ ପୂର୍ବରୁ । ରିଲିଜ୍ ତାରିଖ ଘୁଞ୍ଚିବା, ହଲ୍ ନମିଳିବା, ଅଭିନେତାଙ୍କ ପାରିବାରିକ ବିବାଦ, ଭାରରେ ରୋଗୀ ବୋହିଥିବା ଡାକ୍ତରଙ୍କ ବାୟୋପିକ ଗୁଜବ… ଏମିତି କେତେ କ’ଣ ।

ଡାକ୍ତର ବାବୁଙ୍କ ଭାରବୁହା ଘଟଣାଟି ସେତେବେଳେ ବହୁଚର୍ଚ୍ଚିତ ଓ ବହୁପ୍ରଶଂସିତ ଥିଲା । ଘଟଣା ଚର୍ଚ୍ଚିତ ହେଲେ ୟୁ-ଟ୍ୟୁବରେ ଆଲବମ ଓ ସିନେମା ଘରେ ଫିଲ୍ମ ତିଆରି ହେବାର ‘ଶସ୍ତା’ ଟ୍ରେଣ୍ଡ ଆମେ ଅନେକ ଦେଖିଛୁ । ପାଟଣାଗଡ଼ର ବମ୍ବବ୍ଲାଷ୍ଟ, ସାରଥୀ ବାବାଙ୍କ ଲୀଳା, ପପୁ ପମପମ ବିବାଦକୁ ନେଇ ଅତୀତରେ ଫିଲ୍ମ ଆସିଥିଲେ ବି ପରଦାରେ ସେମିତି କିଛି କାରସାଦି ଦେଖେଇ ପାରିନଥିଲେ ।

ଦମନ କାହାଣୀ:

ଫିଲ୍ମ ଆରମ୍ଭ ହୁଏ ବସ୍ ଗଡ଼ିବା ଦୃଶ୍ୟରୁ । ପାହାଡ଼ ପର୍ବତ, ବଣ ଜଙ୍ଗଲ, ଝରଣା ଘେରା ଅଙ୍କାବଙ୍କା ରାସ୍ତାରେ ବସ୍ ଗଡ଼ି ଚାଲିଛି । ଝରକା କଡ଼ ସିଟ୍‌ରେ ବସି ଅଭିନେତା ବାବୁଶାନ୍ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ମଝିରେ ମଝିରେ ଫଟୋ, ଭିଡ଼ିଓ ନିଜ ମୋବାଇଲରେ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି ।

କୁନମୁନ ଟ୍ରାଭେଲ୍ସର ବସଟି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ପରେ ବସରୁ ଓହ୍ଲାଇ ସକାଳୁଆ ଚା’ର ମଜା ଉଠେଇଛନ୍ତି ବାବୁଶାନ୍ । ଲତା ଦିଦିଙ୍କ କଣ୍ଠରୁ “ଆଜି ମୁଁ ଶ୍ରାବଣୀ” ଚା’ ବାଲାର ରେଡ଼ିଓରୁ ଭାସି ଆସି ଦୃଶ୍ୟଟିକୁ ବହଳିଆ କରିଛି । ଚା’ ପ୍ରେମୀ ଦର୍ଶକେ ଦୃଶ୍ୟଟିକୁ ମନଭରି ଉପଭୋଗ କରିଆସୁଥିଲା ବେଳେ ବାବୁଶାନ୍‌ଙ୍କର ମନେପଡ଼ିଛି ନିଜ ଗନ୍ତବ୍ୟସ୍ଥଳ ‘ଜାମବାଇ’ ।

ଚା’ ବାଲା ଠାରୁ ଗମନାଗମନ ବିଷୟରେ ପଚାରି ବୁଝିଲା ପରେ ତାଙ୍କ ହୋସ ଉଡ଼ିଯାଇଛି । ସଙ୍ଗେ ସଙ୍ଗେ ଦଶ ଟଙ୍କିଆ ନୋଟ୍‌ଟିଏ ଚା’ ବାଲା ହାତକୁ ବଢ଼େଇଦେଇ keep the change ନକହି ସିଧା ଧାଇଁଛନ୍ତି ଜାମବାଇକୁ ଅପେକ୍ଷାରତ ଯାନ, ୯୦ ଦଶକର ବହୁ ପ୍ରତୀକ୍ଷିତ, ବହୁ ପ୍ରଶଂସିତ ତଥା ବହୁଳ ଉପଯୋଗୀ ଯାନ ‘ଟ୍ରେକର’ ନିକଟକୁ । ସୋସିଆଲ ମିଡ଼ିଆରେ 90s Kids ହାସଟ୍ୟାଗ ଦେଇ ଲେଖୁଥିବା ଦର୍ଶକଙ୍କ ପାଇଁ ସତେ nostalgiaର ଭଣ୍ଡାର ଖୋଲିଦେଇଛି ଏ ଟ୍ରେକର । ଭାବପ୍ରବଣ ସହ ଗଦଗଦ ହୋଇଛନ୍ତି 90s kids ଦର୍ଶକେ ।

ବାବୁଶାନ୍ ଆଜିର ପିଢ଼ୀର ପିଲା । ଟ୍ରେକର ଓହଳା ସହ ଅନଭିଜ୍ଞ । ତେଣୁ ଟ୍ରେକର ଯାତ୍ରାର ମଜା ନେଇ ପାରିନି । ବ୍ୟାକଗ୍ରାଉଣ୍ଡରୁ ଗାୟକ ବି “ଫେରିଯା ବାଇଚଢ଼େଇ”, “କଣ୍ଟେଇ କୋଳି ଖାଇବାକୁ ଟିସୁ ପେପର ମାଗୁଛୁ” ଆଦି ଗାଇ ଛୁଆକୁ ଆହୁରି ହତୋତ୍ସାହିତ କରିବାର ଚେଷ୍ଟା କରିଛନ୍ତି । ସେ ଯାହାହେଉ ଟ୍ରେକର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି । ହେଲେ ବାବୁଶାନ୍‌ଙ୍କର ଗନ୍ତବ୍ୟସ୍ଥଳ ଏବେବି ଆସିନି । ଭୁଟୁଭୁଟି ଡଙ୍ଗାରେ ବସି ସ୍ୱଦେଶ ଫିଲ୍ମ ଭଳି ସେ ଚାଲିଛନ୍ତି ବିରାଟ ଜଳାଶୟର ସେପାରୀ । ସେ କୂଳରେ ପହଞ୍ଚିଲା ପରେ ବି ବହେ ବାଟ ଚାଲିଛନ୍ତି । ଗୋଟେ ଲୁହା ଗେଟ୍ ପାଖରେ ଅଟକି ଦେଖିଛନ୍ତି ଅମିତାଭ ବଚ୍ଚନଙ୍କ ପୋଲିଓ ଦୁଇ ବୁନ୍ଦା ବାଲା ପୋଷ୍ଟର ଏବଂ ନିଶ୍ଚିତ ହୋଇଛନ୍ତି ଏଇଟା ହିଁ ତାଙ୍କ ଗନ୍ତବ୍ୟସ୍ଥଳ ଜାମବାଇ PHC । ଏଇଠୁ ଆମେ ମଧ୍ୟ ଜାଣିଲେ ବାବୁଶାନ୍ ଆଉ କେହି ନୁହଁନ୍ତି, ସେ ହିଁ ଏଠିକାର ନୂଆ ଡାକ୍ତର, ଡା. ସିଦ୍ଧାର୍ଥ ।

PHC ଭିତରେ ଝଡ଼ାଝଡ଼ି ସଫାସଫି କାମ ଜୋରସୋରରେ ଚଲେଇଛନ୍ତି ଲାବ୍ ଆସିଷ୍ଟାଣ୍ଟ ‘ଠକ’ ରମେଶ ଓ କମ୍ପାଉଣ୍ଡର ରବି । ଠକ ଏଥିପାଇଁ ଲେଖିଲି ଯେ ରମେଶ ଲୋକଟି ଝଡ଼ାଝଡ଼ି କରି କୁଆଡ଼େ ଉଭାନ ହୋଇଯାଇଛି ଏବଂ ଦେଖାଦେଇଛି ଫିଲ୍ମ ସରିଲା ସରିଲା ବେଳକୁ ।

ନିର୍ଦ୍ଦେଶନା, ସଂଳାପ, କାହାଣୀ ଓ ଚିତ୍ରନାଟ୍ୟ ମିଳିମିଶି ତୁଲେଇଛନ୍ତି ଦୁଇ ‘ନବାଗତ’ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା । ନବାଗତ କି ନୁହଁନ୍ତି ନିଶ୍ଚିତ ନୋହୁଁ, ଯେହେତୁ ଅନେକ ବର୍ଷ ପରେ ଆମେ ଓଡ଼ିଆ ଫିଲ୍ମ ଦେଖୁଛୁ, ତେଣୁ ଆମ ପାଇଁ ନବାଗତ । କ୍ୟାମେରାକୁ କାନ୍ଥଘଣ୍ଟା ଉପରେ ପକେଇ ନିର୍ଦ୍ଦେଶକ ଦ୍ୱୟ ଆମକୁ ଜଣେଇ ଦେଇଛନ୍ତି ଯେ ସମୟ ଏବେ ସକାଳ ୮.୧୫ । ମାଠିଆ ପାଣି ଗିଲାସେ ପିଇ ଡାକ୍ତର ଫେରିଛନ୍ତି ନିଜ ବସା ଦେଖିବାପାଇଁ କମ୍ପାଉଣ୍ଡରର ସାଇକେଲରେ, ଧକଡ଼ଚକଡ଼ ରାସ୍ତା ମଧ୍ୟ ଦେଇ । ବସାଘରେ ପୁଣି କାନ୍ଥଘଣ୍ଟା ଉପରେ କ୍ୟାମେରା ପକେଇ ନିର୍ଦ୍ଦେଶକ ଜଣେଇ ଦେଇଛନ୍ତି ଯେ ଡାକ୍ତରଖାନାରୁ ବସା ପାଖାପାଖି ୧୦/୧୫ ମିନିଟ ଦୂର, ସାଇକେଲରେ ଗଲେ ।

ଭୁବନେଶ୍ୱରର ଚକାଚକ ଆଲୋକମାଳା, ଗହଳଚହଳରୁ ଦୂର ମାଲକାନଗିରିର ଏ ନିଛାଟିଆ ବହଳ ଅନ୍ଧାର ଭିତରେ, ରାସ୍ତାଘାଟ ଶୂନ୍ୟ, ମୋବାଇଲ ଟାୱାର ଶୂନ୍ୟ ଜାଗା ଜାମବାଇ । ଯୁବ ଡାକ୍ତରଙ୍କୁ ବାନ୍ଧି ରଖିବ ବା କେମିତି ! ଫେରିଯିବାକୁ ବାହାରିଛନ୍ତି । ହେଲେ ଡାକ୍ତରଙ୍କୁ ବାନ୍ଧି ରଖିଛି ତାଙ୍କ ପେଶା । ରୋଗ ଓ ରୋଗୀ । ଅପହଞ୍ଚ ଇଲାକାରେ ସାଧାରଣ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନିରୀହ ମଣିଷ ମାନଙ୍କର ମୁହଁ । ଏକଲା ଚଲୋରେ ନୀତି ଧରି ଅଣ୍ଟା ଭିଡ଼ିଛନ୍ତି ସେ । ଏ ସଂଘର୍ଷରେ କ’ଣ ତାଙ୍କର ସାଥୀ ହୋଇ ଚାଲିଛନ୍ତି କମ୍ପାଉଣ୍ଡର ରବି ! କେମିତି ମୁକାବିଲା କରିଛନ୍ତି ସେମାନେ ଅପହଞ୍ଚ, ମାଓ ପ୍ରାଦୁର୍ଭାବ ଭରା ଏ ଜାଗାରେ ! କେତେ ମିଳିଛି ସରକାରୀ ପ୍ରୋତ୍ସାହନ ! ସବୁ ଜାଣିବା ପାଇଁ ଦେଖନ୍ତୁ ଫିଲ୍ମଟି ପ୍ରେକ୍ଷାଳୟରେ ।

ଅଭିନୟରେ ଛାଇ ଯାଇଛନ୍ତି କମ୍ପାଉଣ୍ଡର ରବି ମୁଦୁଲି ଓରଫ ଦୀପନ୍ୱିତ । ଫିଲ୍ମଟି ଯଦିଓ ଡାକ୍ତର ସିଦ୍ଧାର୍ଥଙ୍କର କିନ୍ତୁ ପାର୍ଶ୍ୱ ଅଭିନେତା ରବି ମୁଦୁଲି ଟିକେ ବି ଢିଲା ଛାଡ଼ିନାହାଁନ୍ତି । ଅଳ୍ପ ସମୟ ପରଦାରେ ରହି ଜୀବନ ଭରି ଦେଇଛନ୍ତି ଫିଲ୍ମଟିରେ ଲୋକାଲ୍ ଅଭିନେତା ଓ ଅଭିନେତ୍ରୀମାନେ । ସେମାନଙ୍କ ସରଳ ମୁହଁ ଓ ଦେଶିଆ ଭାଷା ସିଧା ହୃଦୟକୁ ଛୁଉଁଛି । ନିର୍ଦ୍ଦେଶକ ଦ୍ୱୟ ବୃତ୍ତଚିତ୍ର (ଡକ୍ୟୁମେଣ୍ଟାରୀ) ଓ କମର୍ସିଆଲ ଫିଲ୍ମ ବନେଇବାର କୌଶଳକୁ ମିକ୍ସ କରି ବହୁତ ସୁନ୍ଦର ଭାବେ ପରଷିଛନ୍ତି ଦର୍ଶକଙ୍କ ଆଗରେ । ଗୋଟିଏ ବି ସଂଳାପ ଫିଲ୍ମରେ ଅସଜଡ଼ା ଲାଗୁନି । ଗୀତ ଓ ସଂଗୀତ ବହୁତ ସୁନ୍ଦର । ଲୋକଗୀତ ଓ ଲୋକବାଦ୍ୟକୁ ଆଣି ମିଶେଇଛନ୍ତି ପ୍ରତ୍ୟେକ ଗୀତରେ । ଗୀତରେ ବ୍ୟବହୃତ ଶବ୍ଦ ସବୁ ଆମରି ଆଖପାଖରୁ । ହିନ୍ଦୀ ଉର୍ଦ୍ଦୁରୁ ଭଡ଼ାରେ କିଛି ବି ଶବ୍ଦ ମଗେଇ ନାହାଁନ୍ତି, ଯାହା ଫିଲ୍ମକୁ ଆହୁରି ନିଚ୍ଛକ କରିଛି । କ୍ୟାମେରାରେ ବନ, ଜଙ୍ଗଲ, ଝରଣା, ଜନଜୀବନକୁ ବହୁ ସୁନ୍ଦର ଭାବେ ତୋଳିଛନ୍ତି ।

ବାବୁଶାନ୍‌ଙ୍କର ଅଭିନୟ ଜୀବନରେ ଏହା ନିଶ୍ଚିତ ଶ୍ରେଷ୍ଠ ଚଳଚ୍ଚିତ୍ର । ସଂଳାପ ତାଙ୍କର ଏତେ ନାହିଁ ଯଦି କମ୍ପାଉଣ୍ଡର ରବିଙ୍କ ସହ ତୁଳନା କରିବା । ହେଲେ expressionରେ ସେ ନିଜ ଅଭିନୟ ଦକ୍ଷତା ଦେଖେଇଛନ୍ତି ପୁରା ଦମ୍ଭର ସହ । ଶୂନ୍ୟ ଆଖି, ନିର୍ବାକ ମୁହଁ, ଶୁଖିଲା ମନ, ଦରପୋଡ଼ା ସ୍ୱପ୍ନ… ଏସବୁକୁ ସଂଳାପ ଦ୍ୱାରା ନୁହେଁ, ବରଂ expression ଦ୍ୱାରା ହିଁ ପରଦାରେ ଦର୍ଶକଙ୍କ ଆଗରେ ପରଷାଯାଏ । ବହୁତ ସୁନ୍ଦର ଭାବେ ଜଣେ ପୁରୁଖା ଅଭିନେତା ଭଳି ନିଜ ଦାୟିତ୍ୱ ସମ୍ପନ୍ନ କରିଛନ୍ତି ବାବୁଶାନ୍ ।

ଢୁକୁ ଢୁକୁ ହେଉଥିବା ଓଡ଼ିଆ ଫିଲ୍ମକୁ ‘ଇମିଡିଏଟ୍‌ଲି’ ସାଲାଇନ, ମେଡ଼ିସିନ ଓ ସେବା ଦେଇ ସୁସ୍ଥ କରି ଆଣି ଠିଆ କରିଦେଇଛନ୍ତି ଡାକ୍ତର ସିଦ୍ଧାର୍ଥ, ଫାର୍ମାସିଷ୍ଟ ରବି ଓ ଦମନ ଟିମ୍ । ଦର୍ଶକ ବି ଭରପୁର ସହଯୋଗ ଦେଉଛନ୍ତି । ଆପଣମାନେ ବି ନିଜ ସହଯୋଗ ଦେଇ ଆଗକୁ ବଢ଼ାନ୍ତୁ ଓଡ଼ିଆ ଫିଲ୍ମ ଜଗତକୁ ।

– ନିଧି ଅଜା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...