ତୋ ବିଗ୍ରହକୁ ଦେଖିଦେଲେ ହଜି ଯିବାକୁ ମନେ ହୁଏରେ କାଳିଆ…!! ମୁଁ ତ ଆଉ ଖୋଜି ପାଏନା ନିଜକୁ । କିନ୍ତୁ ଜାଣିଛୁ ତୋତେ ଦେଖିଲେ ମୋ ମନରେ ଗୋଟିଏ ଭାବନା ଆପଣାଛାଏଁ ଚାଲିଆସେ । ମନେ ମନେ ମୁଁ ବହୁତ ଭାବେ ତୋ’ ଅବୟବ ଏମିତି କାଠରେ ଗଢ଼ା ହେଉ ବୋଲି ତୁ କାହିଁକି ନିଷ୍ପତ୍ତି ନେଲୁରେ…!? ଯେତେବେଳେ କି କାଠ ଅତ୍ୟଧିକ ପରିମାଣରେ ଦହନଶୀଳ ହୋଇଥାଏ । ନିଆଁ ପାଣିର ଭୟ ସବୁବେଳେ କାଠ ପାଇଁ ରହିଥାଏ । ତେବେ କାଳିଆ… ଏମିତି ଏକ ସମ୍ୱେଦନଶୀଳ ବସ୍ତୁରେ ନିଜ ପ୍ରତିମା ଗଢ଼େଇବାକୁ ତୁ ମନସ୍ଥ କରିବା ପଛରେ ମୋତେ କେବଳ ତ୍ରେତାଯୁଗର ତୋ’ ରାମାବତାର ହିଁ ବିଦ୍ୟମାନ ଲାଗୁଛି ।
ତୋ’ର ସେହି ଅବତାର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଯିଏ ନିଜ ପିତୃସତ୍ୟ ପାଳନ ପାଇଁ ରାଜା ହେବା ସୁଖକୁ ତ୍ୟାଗ କରି ଘୋର ବନ ଭିତରକୁ ଚାଲି ଯାଇଥିଲେ ବିନା ସର୍ତ୍ତରେ…!! ଆଉ ମା’ ଜଗତଜନନୀ ମହାଲକ୍ଷ୍ମୀ ସ୍ୱରୂପା ମାତା ସୀତା ତୋ’ ହାତ ଧରି ଆଗେଇ ଯାଇଥିଲେ ନିଜ ପତ୍ନୀଧର୍ମକୁ ନିର୍ବାହ କରିବା ପାଇଁ । ପଛରେ ଛାଡ଼ି ଯାଇଥିଲେ ସବୁ ସୁଖ ସୁବିଧା, ସବୁ ସ୍ୱପ୍ନ… କିନ୍ତୁ ଦିନେ ମଧ୍ୟ କୌଣସି ପ୍ରତିବାଦ କିମ୍ୱା ଅଭିଯୋଗ ସେ ଆଣି ନ ଥିଲେ ତୋ’ ବିରୁଦ୍ଧରେ…!!
ସେହି ସୁନ୍ଦରୀ ସୀତାଙ୍କ ଜୀବନରେ ଘୋର ବିପଦ ଘୋଟି ଆସିଲା ଯେତେବେଳେ ସୂର୍ପଣଖାର କୁମନ୍ତ୍ରଣା ଯୋଗୁଁ ଲଙ୍କାପତି ରାବଣ ତାଙ୍କୁ ହରଣ କରି ନେଇଯିବା ପାଇଁ ଘୃଣ୍ୟ ଯୋଜନା ପ୍ରସ୍ତୁତ କଲା । ଜାଣିଥିଲୁ ତୁ ସବୁକିଛି । ତୁ ନିଜେ ପରା ଭାଗ୍ୟ ବିଧାତା… କିନ୍ତୁ ଚୁପ୍ ରହିଲୁ ଆଉ ନୀୟତିକୁ ତା’ ଖେଳ ଖେଳିବାକୁ ହିଁ ଛାଡ଼ିଦେଲୁ । ସେହି କଳାମେଘ ତୋ’ ଜୀବନର ବଳକା ଖୁସି ସବୁକୁ ସତେ ଯେପରି ଧୋଇ ନେଇ ଚାଲିଗଲା…!!
ବଣ ଜଙ୍ଗଲ ଭିତରେ ବିକଳ ହୋଇ ପଶୁପକ୍ଷୀ ଗଛ ପାହାଡ଼ ସମସ୍ତଙ୍କୁ ପଚାରି ଚାଲିଲୁ ପାଗଳପ୍ରାୟ ହୋଇ… ତୋ’ ପ୍ରାଣପ୍ରୀୟାଙ୍କୁ ଖୋଜି ବୁଲିଲୁ । କହିଲୁ କାଳିଆ… ସେହି ଗଛପତ୍ରମାନଙ୍କୁ ନିଜର ଭାବି ମନକଥା କହୁଥିଲୁ ବୋଲି କ’ଣ ଶେଷରେ ଏହି କାଷ୍ଠ ସ୍ୱରୂପ ତୋ’ ମନକୁ ଏତେ ଆପଣାର ଲାଗିଲା…??
ରାବଣର ଅନ୍ତ ପରେ ଜୀବନର ସର୍ବୋଚ୍ଚ ସମ୍ପତ୍ତି ପାଇଗଲା ପରି ମାତା ସୀତା ତୋ’ ବାହୁ ବନ୍ଧନୀ ଭିତରେ ଟିକେ ଶାନ୍ତିରେ ନିଃଶ୍ୱାସ ମାରିବା ସମୟରେ ମଧ୍ୟ ତୋ’ ଦୁଃଖର ଅନ୍ତ ହୋଇ ପାରିଲାନି ଯେ ଧୋବଣୀ କଥା ଶୁଣି ନିଜ ଅନ୍ତଃସତ୍ୱା ପତ୍ନୀଙ୍କୁ ତୋତେ ତ୍ୟାଗ କରିବାକୁ ହେଲା । ରାଜା ହିସାବରେ ପ୍ରଜା ପାଳନର ଧର୍ମ ସେଦିନ ତୋତେ ପୁନଃ କାଷ୍ଠ ପ୍ରାୟ କରି ଦେଇଥିଲା ନା କାଳିଆ…??
ଦୁଇଟି କୋମଳ ପୁତ୍ରଙ୍କୁ ଜନ୍ମ ଦେଇ ବଣରେ ଅକଥନୀୟ କଷ୍ଟର ସାମ୍ନା କରୁଥିବା ନିଜ ଅର୍ଦ୍ଧାଙ୍ଗିନୀଙ୍କ ଦୁଃଖ ବୁଝିପାରି ତୁ ମଧ୍ୟ ଦୂରେଇ ଯାଇଥିଲୁ ନା କାଳିଆ ଭୋଗବିଳାସ ଠାରୁ…!! ଆଉ ନିର୍ଜୀବ କାଠଟେ ପରି କେବଳ ସବୁ କାର୍ଯ୍ୟ କରି ଚାଲିଥିଲୁ…!! କ’ଣ ସେଥିପାଇଁ ନିଜକୁ କାଠ ବୋଲି ତୁ ଭାବି ବସିଲୁ କି’ରେ ଜଗା??
ବିଧିର ଅଦ୍ଭୁତ ସଂଯୋଗ ପୁଣି ଆଣି ଠିଆ କରେଇଲା ତୋତେ… ଏକ କାଠଗଡ଼ାରେ…!! ସେଦିନ ଧର୍ମ ସ୍ଥାପନ ପାଇଁ ତୋତେ ଆବାହନ କରିବାକୁ ହୋଇଥିଲା ଅକ୍ଷୟ ପୁଣ୍ୟକୁ । ଆଉ ସେଇଥିପାଇଁ ଅଶ୍ଵମେଧ ଯଜ୍ଞର ଆୟୋଜନ କରିବା ହିଁ ଏକମାତ୍ର ମାର୍ଗ ହୋଇ ରହିଲା ତୋ’ ସାମ୍ନାରେ । ହେଲେ ସୀତା ବିନୁ ରାମ କିପରି ଭଲା ଯଜ୍ଞ କରି ପାରିଥାନ୍ତେ…?? ସେଥିପାଇଁ ତୋତେ ନିର୍ମାଣ କରିବାକୁ ହୋଇଥିଲା ସୁବର୍ଣ୍ଣ ସୀତାଙ୍କ ନିର୍ଜୀବ ପ୍ରତିମା । ଜୀବିତା ପ୍ରାଣ ସଙ୍ଗିନୀକୁ ଏହି ରୂପରେ ଦେଖି ତୋ’ ମନ ମଧ୍ୟ ପ୍ରାଣହୀନ ହୋଇ ଯାଇଥିବ ନା ସୀତାକାନ୍ତ…?? ଆଉ ସେଇ କଷ୍ଟ କ’ଣ ତୋତେ ଅଥୟ କରି ଦେଇଛି କି??
ପରମପିତାଙ୍କ ଅପାର କରୁଣାରୁ ତୁ ସନ୍ଧାନ ପାଇଲୁ ନିଜ ଉତ୍ତରାଧିକାରୀମାନଙ୍କର । ଲବକୁଶଙ୍କ ସହିତ ସୀତାଙ୍କୁ ଫେରି ପାଇବା ସ୍ୱପ୍ନରେ ବିହ୍ୱଳ ହେଲୁ ତୁ ଜଗା । ଫେରେଇ ଆଣିବାକୁ ଉଦ୍ୟମ ମଧ୍ୟ କଲୁ । ହେଲେ…!!
ମଣିଷ ରୂପରେ ରହିଥିବା କାଳିଆ ଠାକୁର ରାଜାରାମ ନିଜ ସହିତ ସେଦିନ ନ୍ୟାୟ କରିବାକୁ ସକ୍ଷମ ହେଲୁନି । ଦୁନିଆ ଯାହା କହିଲା ତାହା ତାକୁ କହିବାକୁ ସୁଯୋଗ ଦିଆଗଲା । ଆଉ ସେଇଥିପାଇଁ ସୀତାଙ୍କ ଚରିତ୍ର ଉପରେ ପୁନଃ ଅବାନ୍ତର ପ୍ରଶ୍ନ ଉଠିଲା ।
ରାବଣବଧ ପରେ ଯେତେବେଳେ ତୁ ଯାଇଥିଲୁ ସୀତାଙ୍କୁ ଆଣିବା ପାଇଁ ସେତେବେଳେ ଦୁନିଆ ତାଙ୍କ ସତୀତ୍ୱ ଉପରେ ସନ୍ଦେହ କରିଥିଲା । ଆଉ ସେହି ସନ୍ଦେହର ମୂଳୋତ୍ପାଟନ ପାଇଁ ତୁ ମାତା ସୀତାଙ୍କର ଅଗ୍ନିପରୀକ୍ଷା କରେଇଥିଲୁ । ନିଜ ସ୍ତ୍ରୀକୁ କିଏ କ’ଣ ଏମିତି ନିଆଁରେ ପଶିବା ପାଇଁ ଆଦେଶ କେହି ଦେଇପାରେ କି କାଳିଆ?? ଯଦି ବିଶ୍ୱାସ ନ ଥିଲା ତେବେ ଆପଣେଇ ନେବାର ବି ଆବଶ୍ୟକତା ନ ଥିଲା ନା…!! ହଁ ତୁ କହିପାରୁ ସେତେବେଳେ ରାକ୍ଷସ ରାଇଜରୁ ଆସିଥିଲେ ବୋଲି ଏପରି ନ୍ୟାୟ ଅନିବାର୍ଯ୍ୟ ଥିଲା । କିନ୍ତୁ ଆଜି କ’ଣ ହେଲା?? ଆଜି ତ ମହାରାଣୀ ସୀତା ତୋ’ ସାମ୍ନାରେ ଠିଆ ହୋଇଥିଲେ । ସତୀ ସାଧ୍ୱୀ ହୋଇ ସାଧୁଙ୍କ ଗହଣରେ ଥିଲେ । ଆଉ ବର୍ତ୍ତମାନ ତ ତୋ’ର ରାମରାଜ୍ୟ ମଧ୍ୟ ସ୍ଥାପିତ ହୋଇସାରିଥିଲା…!!!
ତୋ’ର ଏହି ପଦକ୍ଷେପ ବୋଧେ ଅତ୍ୟନ୍ତ ବ୍ୟଥିତ କରି ଦେଇଥିଲା ମାତା ସୀତାଙ୍କୁ । ଅଥବା ତୋତେ ଅପରାଧୀଟେ ପରି ଲାଗିଥିଲା । ସେଥିପାଇଁ ଆଜି ତୁ ଏପରି ଏକ ରୂପ ନେଇଛୁ କି କାଳିଆ ଯେଉଁଥିରେ ତୁ ରାଜାଧୀରାଜ ହୋଇ ଆସନ ଉପରେ ତ ବସିଛୁ କିନ୍ତୁ କିଛି ବି କହୁନୁ । ଖାଲି ବଡ଼ ବଡ଼ ଆଖିରେ ଅସହାୟ ହୋଇ ଚାହିଁ ରହିଛୁ । ମାତାସୀତା ଭୂପ୍ରବେଶ କରିବା ସମୟରେ ଯେମିତି ବଡ଼ ବଡ଼ ବିସ୍ଫାରିତ ଆଖିରେ ତୁ ଖାଲି ଚାହିଁ ରହି ଯାଇଥିଲୁ ଏବେ ବି ଠିକ୍ ସେମିତି ରହିଛୁ କି କାଳିଆ?? ମାତା କ’ଣ ତୋତେ ମନେ ମନେ ଅଭିଶାପ ଦେଇଗଲେ କି? ଯେମିତି କାଠ ପରି ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଦେଖି ଚୁପ୍ ରହୁଥିଲୁ ସେମିତି କାଠବିଗ୍ରହ ଭିତରେ ତୋ’ ହୃଦୟ ରହିବ ବୋଲି ସେଦିନ ସେ କହିଗଲେ କି ଜଗା…!! ମୁଁ ଏକଥା ଜାଣେନା । ହେଲେ ଏତିକି ଜାଣିଛି ତୋ’ ଦିବ୍ୟଲୀଳା ପଛର କାରଣ କେବଳ ତୋତେ ହିଁ ଜଣା…!!
ତୋ’ ବିଗ୍ରହକୁ ଦେଖି କେତେ ଲୋକେ କେତେ କଥା କୁହନ୍ତି…!! କିଏ କହେ ଚତୁର୍ଦ୍ଧାମୂର୍ତ୍ତି ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଆଉ ମହେଶ୍ୱର । କିଏ କହେ ଯେତେବେଳେ ଲକ୍ଷ୍ମଣ ବହୁତ ମନଦୁଃଖ କଲେ ଯେ ସେ କେବଳ ଛୋଟ ଭାଇ ହୋଇଥିବା କାରଣରୁ ଶ୍ରୀରାମଙ୍କ କଷ୍ଟ ଦେଖି ମଧ୍ୟ ତାଙ୍କୁ କୌଣସି କାର୍ଯ୍ୟ କରିବାରୁ ନିବୃତ କରି ରଖି ପାରିଲେନି । ସେଥିପାଇଁ କେବଳ ସେ ନେହୁରା ହେଲେ ତୋତେ ଯେ ପର ଜନମରେ ଯେମିତି ସେ ବଡ଼ ହୁଅନ୍ତେ ଆଉ ତୋ’ତେ ଏମିତି କଷ୍ଟ ସହିବାରୁ କ୍ଷାନ୍ତ କରନ୍ତେ…!! କେବଳ ସେହି କାରଣରୁ ଏହି ଜନ୍ମରେ ତୁ ଛୋଟ ହେଲୁ ଆଉ ଶେଷନାଗ ରୂପୀ ଲକ୍ଷ୍ମଣ ହୋଇଛନ୍ତି ବଡ଼ ଭାଇ ବଳଭଦ୍ର । କିଏ ପୁଣି କୁହେ ଦୁନିଆର ସବୁ ବ୍ୟକ୍ତିଙ୍କ ରଙ୍ଗ ଏହି ବିଗ୍ରହ୍ରରୁ ହିଁ ଆସିଛି । କିଏ ପୁଣି କୁହେ ତୁ ଶୂନ୍ୟବ୍ରହ୍ମ… ତେଣୁ ଯେଉଁଠୁ ଆରମ୍ଭ ସେଇଠି ଶେଷ… ଏକ ଶୂନ୍ୟତା ଭିତରେ ତୁ ପୁର୍ଣ୍ଣବ୍ରହ୍ମ… ଆଉ ସବୁ ପୂର୍ଣ୍ଣତା ମଧ୍ୟ କୁହେ ସବୁ ମିଶିଯାଏ ସେହି ଶୂନ୍ୟତାରେ…!! ସତରେ କାଳିଆ ଜୀବନ ଆରମ୍ଭ ହୋଇଛି ସେହି ଶୂନ୍ୟରେ ଆଉ ସବୁ ସମାପ୍ତ ହୋଇଛି ମଧ୍ୟ ସେହି ଶୂନ୍ୟରେ… ସେହି ଚକାଚକା ଦୁଇ ଆଖିରେ ଲୁଚି ରହିଛି ଏହି ଅନନ୍ତ ବ୍ରହ୍ମାଣ୍ଡ…!!
ଭକ୍ତ ପ୍ରାଣର ତୁ କୋଟିନିଧି… କରୁଣା ସିନ୍ଧୁ… ତୁ ପୁଣି କେତେବେଳେ ଲବଣୀଖିଆ ଗୋପାଳ ଆଉ କେତେବେଳେ ତୁ ହେଲୁ ଗୋବର୍ଦ୍ଧନ ଗିରିଧାରୀ…!! କାଳିଆରେ… ତୋ’ ବଡ଼ ଦେଉଳକୁ ଥରେ ଚାହିଁଦେଲେ ସାରା ଦୁନିଆଟା ବହୁତ୍ ଛୋଟ ଦେଖାଯାଏ । ତୋ’ ପତିତପାବନ ବାନା ଫରଫର ହୋଇ ଉଡ଼ି ବୁଲିଲେ ସବୁ ଦୁଃଖ ଶୋକ ତା’ ସହିତ ଉଡ଼ି ଚାଲିଯାଏ । ଅରୁଣସ୍ତମ୍ଭ ପାଖରୁ ତୋ’ ପତିତପାବନ ବିଗ୍ରହର ଦର୍ଶନ ପାଇବା ପରେ ଦ୍ଵାରପାଖରୁ ମା’ ମହାଲକ୍ଷ୍ମୀଙ୍କ ଅନୁମତି ନେଇ ପ୍ରବେଶ କରେ ଭକ୍ତ ତୋ’ ବଡ଼ ଦେଉଳକୁ । ସେଠି ଦୁଆର ମୁହଁରେ ଏକ ବିରାଟ ଲୌହ ପଥର ସଦୃଶ କଳା ବିଶାଳ ଶିଳା ଅପେକ୍ଷା କରିଥାଏ ଭକ୍ତମାନଙ୍କ ପାଇଁ । କୁହାଯାଏ ଦର୍ଶନ ପୂର୍ବରୁ ତା’ ଉପରେ ପାଦ ଥୋଇ ଆଗେଇଲେ ସେହି ଯମଶିଳା ସମସ୍ତଙ୍କ ପାପ ହରଣ କରି ନେଇଯାଏ । କିନ୍ତୁ ଆସିବା ସମୟରେ ପାଦ ରଖିଦେଲେ ପୁଣ୍ୟ ସବୁ ମଧ୍ୟ ସେ ସାଉଁଟି ନେଇଯାଏ । ଏଇଆ ମଧ୍ୟ ଲୋକକଥାରେ ପ୍ରଚଳିତ ଅଛି ଯେ ଏହି ଯମଶିଳା ଉପରେ ପାଦ ରଖିଦେଲେ ଯମଦଣ୍ଡରୁ ମୁକ୍ତି ମିଳେ । ଖାସ ଏହି କାରଣରୁ ଭକ୍ତମାନେ ଗଲାବେଳେ କ୍ଷଣେ ଅଟକି ଯାଆନ୍ତି… ସେହି ସ୍ଥାନରୁ ପତିତପାବନ ବାନାକୁ ଟିକେ ଦର୍ଶନ କରି ହାତ ଯୋଡ଼ି ଦିଅନ୍ତି ଆଉ ଆସିଲା ବେଳେ କିନ୍ତୁ ଶୀଘ୍ର ଶୀଘ୍ର ଫେରି ଆସି ଯାଇଥାନ୍ତି ।
ବାଇଶି ପାହାଚ ଚଢ଼ିବା ଆଗରୁ ଦର୍ଶନ ଦିଅନ୍ତି କାଶୀ ବିଶ୍ଵନାଥ । ବାଇଶି ପାହାଚର ମହିମା ମଧ୍ୟ ଅଦ୍ଭୁତ । କୁହାଯାଏ ଏହି ବାଇଶି ପାହାଚରେ ପ୍ରତ୍ୟେକ ଦେବାଦେବୀ ନିଜର କୃପା ବର୍ଷା କରନ୍ତି ଭକ୍ତମାନଙ୍କ ଉପରେ । ପ୍ରଥମ ପାଞ୍ଚୋଟି ପାହାଚକୁ ପଞ୍ଚେନ୍ଦ୍ରୀୟ ମନେ କରାଯାଏ । ଯାହା ଚଢ଼ିବା ପରେ ଭକ୍ତ ନିଜ ଇନ୍ଦ୍ରିୟ ସଞ୍ଜମକୁ ଶିଖିଯାଏ । ତା’ ପର ପାଞ୍ଚୋଟି ପାହାଚ ପଞ୍ଚବାୟୁର ପ୍ରତୀକ ମନେ କରାଯାଏ ଯାହା ନିରନ୍ତର ମନୁଷ୍ୟ ଶରୀରରେ ପ୍ରବାହିତ ହେଉଛି । ବିଶ୍ୱାସ ଅଛି ଏହି ପାଞ୍ଚଟି ପାହାଚ ଉଠିବା ସମୟରେ ମନୁଷ୍ୟ ନିଜ ନିଃଶ୍ୱାସ ପ୍ରଶ୍ୱାସ ଉପରେ ନିୟନ୍ତ୍ରଣ ଆଣିବା ମଧ୍ୟ ଶିଖିଯାଇଥାଏ । ପରବର୍ତ୍ତୀ ପାଞ୍ଚ ପାହାଚ ପଞ୍ଚବିକାରକୁ ବା ଶରୀରର ପାଞ୍ଚକ୍ରିୟାକୁ ଦର୍ଶେଇ ଥାଆନ୍ତି । ଏହି ପାହାଚଗୁଡ଼ିକରେ ଉପରକୁ ଉଠିବା ସହିତ ମନୁଷ୍ୟ ନିଜ ଶରୀରର ବିକାର ସବୁ ଉପରେ ବିଜୟ ପାଇବା ଶିଖି ଯାଇପାରେ । ତା’ ପର ପାଞ୍ଚପାହାଚକୁ ପଞ୍ଚମହାଭୂତ ସହ ତୁଳନା କରାଯାଏ । ଏହି ପାହାଚ ସବୁ ଚଢ଼ିବା ସହିତ ବ୍ୟକ୍ତି ନିଜକୁ ପଞ୍ଚମହାଭୂତ ସହିତ ଏକାକାର ହେବାପରି ମନେକରି ଭୌତିକ ଜଗତରୁ ଉର୍ଦ୍ଧ୍ୱକୁ ଯିବା ପାଇଁ ସକ୍ଷମ ହୁଏ । ପରବର୍ତ୍ତୀ ପାହାଚକୁ ଜ୍ଞାନ କୁହାଯାଏ ଏବଂ ସବା ଶେଷ ପାହାଚଟି ନିଜ ମୁଁତ୍ଵ ବା ସ୍ଵହମ୍କୁ ବୁଝାଏ । ଅତଏବ ଏହି ବାଇଶି ପାହାଚ ଚଢ଼ିବା ସହିତ ଜୀବାତ୍ମା ପରମାତ୍ମାଙ୍କ ନିକଟତର ହେବା ପାଇଁ ସବୁ ବାଧାବିଘ୍ନ ଅତିକ୍ରମ କରି ତାଙ୍କ ସହ ଭେଟ କରିବାକୁ ଯୋଗ୍ୟ ହୋଇଯାଏ । ପ୍ରକୃତରେ ଏହି ବାଇଶିଟି ଶୃଙ୍ଖଳ ମନୁଷ୍ୟ ଆତ୍ମାର ଗତିକୁ ତା’ ଶରୀର ସହିତ ଯୋଡ଼ି ଦେଇ ନିୟନ୍ତ୍ରଣ କରିଦେଇ ଥାଆନ୍ତି । ଆଉ ବିଶ୍ୱାସ ଅନୁଯାୟୀ ଶ୍ରୀମନ୍ଦିରର ବାଇଶି ପାହାଚ ଚଢ଼ିବା ସହିତ ମନୁଷ୍ୟ ଦେହ ଅପେକ୍ଷା ଦେହୀ ହେବାକୁ ଆରମ୍ଭ କରେ ଆଉ ବିଭୁ ଦର୍ଶନ ପାଇଁ ନିଜକୁ ପ୍ରସ୍ତୁତ କରେ ।
କ୍ରମଶଃ…
– ମଧୁମିତା ମିଶ୍ର
Comments
ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।