ମୋ ଆଖିରେ ତୁ… (ତୃତୀୟ ଭାଗ)

Mo Akhire Tu - 3rd Part

ଆଖି ସାମ୍ନାରେ ଅଦ୍ଭୁତ ଦୃଶ୍ୟ ଥିଲା… !! ହାତ ନାହିଁ ପାଦ ନାହିଁ… ଅଧାଗଢ଼ା ତିନୋଟି ମୂର୍ତ୍ତି ଥିଲେ… !! ତିନୋଟି ରଙ୍ଗର ତିନୋଟି ଅପୂର୍ବ ଗଢ଼ଣ ହୋଇଥିଲା… !! କଳା ଧଳା ଆଉ ହଳଦିଆ… !! କଳା ମୂର୍ତ୍ତିର ଚକା ଚକା ଦୁଇଟି ବଡ଼ ବଡ଼ ଆଖିରେ ଆଖି ଲାଗି ଯାଇଥିଲା ରାଜାରାଣୀଙ୍କର… !! ଧଳା କଳା ମୂର୍ତ୍ତି ଦୁଇଟି ଅଧା ଖଣ୍ଡିଆ ହାତ ଆଗକୁ ବଢ଼େଇ ଏପରି ଠିଆ ହୋଇଥିଲେ ଯେପରି ହାତ ଠାରି ଡାକୁଥିଲେ… ଆସ… ମୋ ଭିତରେ ନିଜକୁ ବିଲୀନ କରିଦିଅ… !! ମୂର୍ତ୍ତିମାନଙ୍କର ଅଣ୍ଟାର ତଳ ଭାଗ ନିର୍ମିତ ହୋଇ ନ ଥିଲା… !! ହଳଦିଆ ମୂର୍ତ୍ତିର ଅଧା ହାତ ମଧ୍ୟ ତିଆରି ହୋଇ ନଥିଲା… !!

କାନ୍ଦି ପକେଇଲେ ରାଣୀ ଗୁଣ୍ଡିଚା… !! କି ଅପରାଧ ହୋଇଗଲା ସତରେ… !!?? କଳିଯୁଗର ଆରାଧ୍ୟଦେବତାଙ୍କ ମୂର୍ତ୍ତି ଅଧାଗଢ଼ା ରହିଗଲା… !!?? ବୁଢ଼ା ବଢ଼େଇଙ୍କ କୁଶଳ ସମ୍ବାଦ ପାଇବା ପାଇଁ ସେ ଯେପରି ତରବରିଆ କାର୍ଯ୍ୟଟିଏ କରି ପକେଇଲେ… କ’ଣ ଇତିହାସ ତାଙ୍କୁ କେବେ ସେଥିପାଇଁ କ୍ଷମା ଦେବ… !!?? ସେ କ’ଣ ନିଜକୁ କେବେ କ୍ଷମା କରି ପାରିବେ?

ଦୁଃଖରେ ଭାଙ୍ଗି ପଡ଼ିଥିବା ମହାରାଣୀଙ୍କୁ ଶୂନ୍ୟବାଣୀ ହେଲା… ତାଙ୍କୁ କହିଲୁ ତୁ କାଳିଆ… ଆଉ ଦୁଃଖ ନ କରିବାକୁ । କାରଣ କଳିଯୁଗର ଅବତାରୀ ପୁରୁଷ ନିଜ ପାଇଁ ଏହି ରୂପ ହିଁ ନିଶ୍ଚିତ କରିଥିଲେ … !!

ଅଭୟ ବର ପାଇ ଦୁଃଖ ଦୂର ହେଲା ରାଜାରାଣୀଙ୍କର । ଆଉ ବରଦାନ ମାଗିବା ଆଳରେ ସମନେଇ ମାଗିନେଲେ ନିଜ ପାଇଁ ଏକ ଅଦ୍ଭୁତ ଭବିଷ୍ୟତ… ନିର୍ବଂଶ ହେବାର ବର ମାଗି ଦେଇଥିଲେ… !! କାରଣ ମଧ୍ୟ ଥିଲା ଅପୂର୍ବ… ! ତାଙ୍କ ବଂଶରେ କେହି ଉତ୍ତରାଧିକାରୀ ରହିଲେ ତ ସେମାନେ ଗର୍ବ କରିବେ ନା ମହାପ୍ରଭୁଙ୍କୁ ରୂପ ଦେଇଥିବା କାର୍ଯ୍ୟରେ ତାଙ୍କ ପୂର୍ବପୁରୁଷଙ୍କ ଯୋଗଦାନ ଯୋଗୁଁ… !!

ଧନ୍ୟ ତୁ କାଳିଆ… ଧନ୍ୟ ତୋ’ ଭକ୍ତ… !! ଏପରି ଏକ ମହାନ୍ ଭକ୍ତର ଭକ୍ତି ନିବେଦନ ସ୍ୱୀକାର କରି ତୁ ନିଜେ ବଚନ ଦେଇଥିଲୁ ଯେ ତୁ ନିଜେ ତାଙ୍କ ବଂଶର ଉତ୍ତରାଧିକାରୀ ହେବୁ । ଜଗାରେ… ଏଇଥିପାଇଁ ତ ତୁ ପ୍ରତିବର୍ଷ ଶ୍ରାଦ୍ଧ ଦେଉଛୁ ନା ରାଜା ଇନ୍ଦ୍ରଦ୍ୟୁମ୍ନ ଆଉ ରାଣୀ ଗୁଣ୍ଡିଚାଙ୍କ ପାଇଁ । ଖାଲି ଏତିକି ନୁହେଁ ତୁ ନିଜକୁ ତାଙ୍କ ପୁଅ ବୋଲି କହୁ ନା… ସେଇଥିପାଇଁ ତ ଛୁଟି ଆସୁ ପ୍ରତିବର୍ଷ ମା’କୁ ଥରୁଟିଏ ଦେଖା କରିବାକୁ… !!

ବିଗ୍ରହ ସିନା ନିର୍ମିତ ହେଲା… ହେଲେ ମନ୍ଦିର? ପୁନଃ ଆଦେଶ ଦେଲୁ ତୁ… ମହୋଦଧି କୂଳରେ ତୋ’ ବଡ଼ ଦେଉଳ ତୋଳିବାକୁ… !! ଦିନରାତି ଲାଗି ପଡ଼ିଲେ ମଣିମା… ଆଉ ତୋ’ ଭବ୍ୟ ମନ୍ଦିର ମଧ୍ୟ ନିର୍ମାଣ ହେଲା । ସେହି ମନ୍ଦିର ପ୍ରତିଷ୍ଠା କରିବାକୁ ମହାରାଜ ଭାବିଲେ ବ୍ରହ୍ମଲୋକ ଯାଇ ସ୍ଵୟଂ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଆମନ୍ତ୍ରଣ କରିବା ପାଇଁ… !!

ଧରିତ୍ରୀ ପୃଷ୍ଠରୁ ଇନ୍ଦ୍ରଲୋକ ଯିବା ପରେ ବ୍ରହ୍ମା ମାତ୍ର ଏକ ମୁହୂର୍ତ୍ତ ପରେ ବାହାରିଲେ ଯିବା ପାଇଁ… ହେଲେ ତୋ’ ଲୀଳା ଅଦ୍ଭୁତ… ବ୍ରହ୍ମାଙ୍କ ଗୋଟିଏ ମୁହୂର୍ତ୍ତ ଧରଣୀର ଅନେକ ବର୍ଷ ସହ ସମାନ ଥିଲା । ଇନ୍ଦ୍ରଦ୍ୟୁମ୍ନ ରାଜା ଆସି ପହଞ୍ଚିବା ସମୟରେ ବହୁତ କିଛି ବଦଳି ଯାଇଥିଲା ପୃଥିବୀରେ… !!

ଅଶ୍ୱର ଖୁର ଲାଗି ଯାଇଥିଲା ସେହି ସ୍ଥାନରେ ଯେତେବେଳେ ଗାଲମାଧବ ମନ୍ଦିର ଥିବା ସ୍ଥାନ ଉପର ଦେଇ ଗତି କରୁଥିଲେ । ଏକଥା କହିବା ବାହୁଲ୍ୟ ଯେ ପୃଥିବୀରେ ଏହି ବର୍ଷମାନଙ୍କ ମଧ୍ୟରେ ଦେଉଳ ଉପରେ ବାଲୁକାର ପ୍ରସ୍ତର ଚଢ଼ି ଯାଇଥିବାରୁ ତାହା ପୋତି ହୋଇ ଯାଇଥିଲା । ଆଉ ଏତେ ବଡ଼ କୀର୍ତ୍ତିରାଜି ଉଦ୍ଧାର କରିଥିବାରୁ ସେ ତାହାର ଶ୍ରେୟ ମଧ୍ୟ ନେବାକୁ ଚାହିଁଲେ । ବ୍ରହ୍ମା ଅଡ଼ୁଆରେ ପଡ଼ିଲେ । ଉଭୟ ପକ୍ଷଙ୍କୁ ନିଜ ନିଜ ସାକ୍ଷ୍ୟ ପ୍ରମାଣ ଦେବାକୁ କହିଲେ । କୁହାଯାଏ କଇଁଛମାନେ ନିଜ ପିଠିକୁ ଦେଖେଇଲେ । ମନ୍ଦିର ନିର୍ମାଣ ସମୟରେ ପଥର ବୋହି ନେଇଥିବାରୁ ସେମାନଙ୍କ ପିଠି ପଥର ପରି ହୋଇଯାଇଥିବା କଥା କହିଲେ । ଆଉ ସବୁଠୁ ବଡ଼ ପ୍ରମାଣ ଦେଲେ କାକ ଭୂଷଣ୍ଡି । ସେ ପ୍ରତ୍ୟେକ ଘଟଣା ନିଜ ଆଖିରେ ଦେଖିଥିବା ବର୍ଣ୍ଣନା କଲେ । ଅତଏବ ଗାଲମାଧବଙ୍କ ମିଥ୍ୟା ସମସ୍ତଙ୍କ ସାମ୍ନାକୁ ଆସି ଯାଇଥିଲା । ମହାରାଜ ଇନ୍ଦ୍ରଦ୍ୟୁମ୍ନ ମଧ୍ୟ ତାଙ୍କର ଉଚିତ୍ ବିଚାର କରି ତାଙ୍କୁ ଦେଉଳ ପାଖରେ ଏକ ସ୍ଥାନରେ ରହିବାକୁ ଆଦେଶ ଦେଇଥିଲେ ।

ତୋ ଲୀଳା ଖେଳା ଅଦ୍ଭୁତରେ ଜଗା… !! ତୋ’ ମନ୍ଦିର, ତା’ର ବୈଶିଷ୍ଟ୍ୟ କିଏ ଭଲା ନିଜ କଥାରେ କହି ପାରିବ କହ?? ରାଜା ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ଅଶ୍ଵମେଧ ଯଜ୍ଞ କରିଥିଲେ ଶୁଣାଯାଏ ସେତେବେଳେ ସେହି ସହସ୍ର ଅଶ୍ଵ ମାନଙ୍କ ଖୁରା ପ୍ରହାର ଏବଂ ଗୋମୁତ୍ର ଗୋମୟ ଦ୍ଵାରା ଉକ୍ତ ସ୍ଥାନରେ ଏକ ବିରାଟ ବଡ଼ ପୁଷ୍କରିଣୀ ସୃଷ୍ଟି ହୋଇଥିଲା । ପରମପିତାଙ୍କ ନିର୍ଦ୍ଦେଶ ଅନୁସାରେ ସେହି ପବିତ୍ର ପୋଖରୀ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ନାମରେ ନାମିତ ହୋଇଥିଲା । ବିଶ୍ୱାସ ଅଛି ଯେ ସେହି ପବିତ୍ର ସ୍ଥାନରେ ମୃତ୍ୟୁପୋରାନ୍ତ ଶ୍ରାଦ୍ଧ ଆଦି କର୍ମ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ତୋ’ ବଡ଼ ଦେଉଳ କଥା କାହାକୁ ଅଜଣାରେ କାଳିଆ !! କିମ୍ବା ଏମିତି କହ କିଏ ବା ସମ୍ପୂର୍ଣ ଜାଣି ପାରିବ ତୋ’ ବଡ଼ ଦେଉଳର ମହିମା କଥା?? ଦୁନିଆରେ ଏମିତି କେଉଁ ସ୍ଥାନ ଅଛି ଯେଉଁଠି ପକ୍ଷୀ ବସା ତିଆରି କରେନାହିଁ? କିନ୍ତୁ ତୋ’ ଦେଉଳରେ କୌଣସି ପକ୍ଷୀ ବସା ବାନ୍ଧି ପାରି ନାହାଁନ୍ତି । ବସା ବାନ୍ଧିବା ଦୂରର କଥା ତୋ’ ଦେଉଳ ଉପରେ ପକ୍ଷୀ ଉଡ଼ି ପାରନ୍ତି ନାହିଁ । ଏହି ଅପୂର୍ବ ଯୁକ୍ତିର କାରଣ କେବଳ ତୋ’ ମହିମା ନା କଳା ଠାକୁର…!! କୁହାଯାଏ କୌଣସି ଉଡ଼ାଜାହାଜ ମଧ୍ୟ ମନ୍ଦିର ଉପର ଦେଇ ଗତି କରନ୍ତି ନାହିଁ… !! ଆଶ୍ଚର୍ଯ୍ୟ…

ଠିକ୍ ସେହିପରି ତୋ’ ବଡ଼ ଦେଉଳ ଭିତରେ କେତେ ଛୋଟବଡ଼ ମନ୍ଦିର ଅଛି । ପ୍ରାୟ ସବୁ ଦେବାଦେବୀଙ୍କ ମନ୍ଦିର ସେହି ପ୍ରାଙ୍ଗଣ ଭିତରେ ଅଛି । ତଥାପି ଆଶ୍ଚର୍ଯ୍ୟ… !! କେଉଁ ମନ୍ଦିରର ଛାୟା ଅନ୍ୟ ମନ୍ଦିର ଉପରେ ପଡ଼େନି… !! ଏକଥା କେମିତି ହୁଏ କାହିଁକି ହୁଏ ସେଇୟା କେବଳ ତୁ ହିଁ ଜାଣିଛୁ ନା… !! ଭକତ ମନ ତ କେବଳ ଲାଖିଯାଏ ସେହି ଦୁଇ ଚକାଡୋଳାରେ… ଯେଉଁ ଆଖିକୁ ଥରେ ଦେଖିଦେବା ପରେ ଆଉ କିଛି ଦେଖିବାକୁ ହୁଏତ ବାକି ରୁହେନା… !!

କୁହାଯାଏ ତୋ’ ଆଖି ଦୁଇଟି ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କର ପ୍ରତୀକ । ଦିନ ଆଉ ରାତିର ପ୍ରତୀକ । ସୁଖ ଆଉ ଦୁଃଖର ପ୍ରତୀକ । ସତରେ… ତୋ’ ଚତୁର୍ଦ୍ଧା ମୂର୍ତ୍ତି କ’ଣ ଯେ ସବୁ କହେ… ତାହା ସାରା ଦୁନିଆ ପାଇଁ ଶିକ୍ଷାର ଦ୍ଵାର ଖୋଲିଦିଏ ଚିରଦିନ ପାଇଁ… !!

ଏଇ ଯେମିତି କୁହାଯାଏ ତୁ ଶଙ୍ଖକ୍ଷେତ୍ରରେ ଶତଦଳ କମଳ ଉପରେ ରତ୍ନ ସିଂହାସନ ଉପରେ ବସିଛୁ । ସତରେ ଜଗା ଯେଉଁଠି ମା’ କମଳା ତୋ’ର ଅର୍ଦ୍ଧାଙ୍ଗିନୀ ତୁ କ’ଣ କମଳ ଉପରେ ଆସୀନ ହୋଇ ନଥାନ୍ତୁ କି !! କେତେ କଷ୍ଟରେ ପାଇଥିଲୁ ନା ତୁ ମହାଲକ୍ଷ୍ମୀଙ୍କୁ…??

ଋଷି ଦୂର୍ବସାଙ୍କ ପାରିଜାତ ମାଳର ଅସମ୍ମାନ କରି ଦେଇଥିଲେ ଦେବରାଜ ଇନ୍ଦ୍ର । ଋଷିବର ତାଙ୍କୁ ଭେଟି ଦେଇଥିଲେ ଏହି ଦୂର୍ଲଭ୍ୟ ମାଳ । କିନ୍ତୁ ସେ ନିଜର ଇନ୍ଦ୍ରପଦ ଅଭିମାନ ପାଇଁ ସେହି ମାଳକୁ ନିଜ ଐରାବତ ହସ୍ତୀକୁ ପିନ୍ଧେଇ ଦେଇଥିଲେ । ହାତୀଟା ଭଲା କେମିତି ଜାଣନ୍ତା ଏହି ଫୁଲମାଳର ରହସ୍ୟ? ସେ ତାକୁ ତା’ ପାଦରେ ଦଳିଦେଇ ଆଗକୁ ବଢ଼ିଲା । ଆଉ ଏହା ଦେଖି କ୍ରୋଧିତ ଋଷି ଅଭିଶାପ ଦେଇଥିଲେ ସମସ୍ତ ଦେବଗଣଙ୍କୁ ଲକ୍ଷ୍ମୀଛଡ଼ା ହେବା ପାଇଁ । ଶ୍ରୀହୀନ ହୋଇଗଲା ସ୍ୱର୍ଗଲୋକ । ଦେବତାମାନେ ବିବ୍ରତ ହୋଇ ଉଠିଲେ…

ଶେଷରେ ସାଗର ମନ୍ଥନ ହେଲା । ଦେବ ଦାନବଙ୍କ ମିଳିତ ଶକ୍ତିର ମନ୍ଥନ ଆଣିଲା ଧରାବକ୍ଷରେ ନୂତନ ସୂର୍ଯ୍ୟାଲୋକ । ଅନେକ କିଛି ହେଇଥିଲା ନା କାଳିଆ ସେହି ସମୟରେ !! ହଳାହଳ ବିଷ ପ୍ରଭାବରୁ ମହାଦେବଙ୍କ ନୀଳକଣ୍ଠ ଅବତାରଠାରୁ ଆରମ୍ଭ କରି ଐରାବତ ହସ୍ତୀ, ଉଚୈଶ୍ରବା ଅଶ୍ଵ, ବହୁମୂଲ୍ୟ ରତ୍ନ ସବୁ ବାହାରିଥିଲା ନା… !! ଆଉ ସେତେବେଳେ ନିଜେ ସାଗର ଦେବ ନିଜ କନ୍ୟା ରୂପରେ ମାତା ମହାଲକ୍ଷ୍ମୀଙ୍କୁ ଧରି ତୋ’ ସମ୍ମୁଖରେ ଦଣ୍ଡାୟମାନ ହେଲେ । ଆଉ ହେ ତ୍ରିଲୋକନାଥ ତୁ ନିଜେ ମାତାଙ୍କୁ ବିବାହ କରି ନିଜ ବାମାଙ୍ଗୀ କରିଥିଲୁ । ଆଉ ଆଜି କେମିତି ମାତାଙ୍କ ବିନା ତୁ ଦର୍ଶନ ଦେଇଥାନ୍ତୁରେ କମଳାକାନ୍ତ?? କେବଳ ସେଇଥିପାଇଁ ବୋଧେ ଶ୍ରୀମନ୍ଦିରର ପ୍ରବେଶ ଦ୍ଵାର ଉପରେ ମା’ ବିରାଜମାନ ହୋଇଛନ୍ତି । ଆଉ ତାଙ୍କର ଆଜ୍ଞା ବିନା ଯଦି ପ୍ରବେଶ କରାଯାଏ ତେବେ ବିଶ୍ୱାସ ଅଛି ତୋ’ ଦର୍ଶନ ପ୍ରାପ୍ତି ହୁଏନା । ଯେତେବେଳେ ମା’ଙ୍କ ଅନୁମତି ମାଗି ମନ୍ଦିରକୁ କେହି ଯାଏ ତେବେ ତୋ’ ଦର୍ଶନରେ କୌଣସି ବାଧା ଉପୁଜି ନଥାଏ । ସତରେ କାଳିଆ… !! ତୋ ବିଷୟରେ କେତେ ଗୁପ୍ତ ରହସ୍ୟ ଅଛିରେ… !! ଯେତେ ବୁଝିଲେ ମନ ବୁଝେନା କି ଯେତେ କହିଲେ ବି କଥା ସରେନା ।

ଏଇ ଯେମିତି ମା’ ବାଟମଙ୍ଗଳା ଜଗି ରହିଛନ୍ତି ପୁରୀ ପ୍ରବେଶ ଦ୍ଵାର ଆଗରୁ… !! ପ୍ରତ୍ୟେକ ଯାନବାହାନ ଟିକେ ଅଟକି ଯାଆନ୍ତି ତାଙ୍କ ଚରଣ ତଳେ ମୁଣ୍ଡ ନୋଇଁବାକୁ । ବିଶ୍ୱାସ କହେ ମା’ର ଆଶିଷ ନେଇ ତୋ’ ଦୁଆରକୁ ଗଲେ ଆଉ କିଛି ବିପତ୍ତି ରୁହେନା । ସେଥିପାଇଁ ମା ଶକ୍ତିରୂପିଣୀ ବିଭିନ୍ନ ରୂପରେ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ଜଗି ରହି ମନ୍ଦିରର ସୁରକ୍ଷା କରୁଛନ୍ତି…!!

ଠିକ୍ ସେହିପରି ବୀର ହନୁମାନ ମଧ୍ୟ ବିଭିନ୍ନ ରୂପରେ ତୋ’ ଚାରିଆଡ଼େ ଜଗି ରହି ମନ୍ଦିର ସୁରକ୍ଷାର ଭାର ତୁଲାଉଛନ୍ତି । କେବଳ ମନ୍ଦିର ବେଢ଼ା ଭିତରେ ନୁହେଁ ବରଂ ପୁରୀ ମନ୍ଦିର ଚାରିଆଡ଼େ ମହାବୀର ଏହି କାର୍ଯ୍ୟ କରି ଆସୁଛନ୍ତି । କିନ୍ତୁ ହେ ଜଗତପାଳକ… ତୋ’ ରକ୍ଷା ବା କରିବ କିଏ? ନିଜେ ଅନାଥର ନାଥ ତୁ… ଅଗତିର ଗତି । ସେଇଥିପାଇଁ ତ ତୋ’ର ଦେଉଳ ଆଗ ଦେଇ ତୋ’ ପତିତପାବନ ବାନାକୁ ଚାହିଁ ମଣିଷ ସବୁବେଳେ ଚାହେଁ ସ୍ଵର୍ଗଦ୍ଵାରକୁ ଚାଲିଯିବା ପାଇଁ ।

ହଁ… ସ୍ଵର୍ଗଦ୍ଵାର… !! କୁହାଯାଏ ଏହି ସ୍ଥାନରେ ଦାରୁଦିଅଁ ଦାରୁ ସ୍ୱରୁପରେ ଭାସି ଆସିଥିଲେ । ଆଉ ପ୍ରତ୍ୟେକ ଅମାବାସ୍ୟା ରାତିରେ ନିଜ ଶ୍ଵଶୁର ଘରକୁ ତୁ କୁଆଡ଼େ ଏହି ବାଟ ଦେଇ ଆସୁ । ମା’ ମହାଲକ୍ଷ୍ମୀ ସାଗର କନ୍ୟା । ଅନ୍ୟ ପକ୍ଷରେ ଦେବୀ ଶ୍ମଶାନ କାଳୀ ମଧ୍ୟ ତୋ’ ଭଗିନୀତୁଲ୍ୟା ହୋଇଥିବାରୁ ତୁ ତାଙ୍କୁ ଭେଟିବାକୁ ଆସିଥାଉ । ତେଣୁ ଏହି ସ୍ଥାନ ଅତ୍ୟନ୍ତ ପବିତ୍ର ହୋଇଥାଏ । ଏହା ସ୍ୱର୍ଗକୁ ଦ୍ୱାର ସଦୃଶ ହୋଇଥିବାରୁ ଏହାର ଏପରି ନାମକରଣ ହୋଇଛି । ମୃତ୍ୟୁ ପରେ ପ୍ରତ୍ୟେକ ଓଡ଼ିଆର ଶରୀର ଏହି ପାବନ ମାଟିରେ ଅଗ୍ନି ତତ୍ତ୍ଵ ପ୍ରାପ୍ତ କରି ସ୍ୱର୍ଗଗାମୀ ହେବାକୁ ଇଚ୍ଛା ରଖନ୍ତି । କାହିଁକି କରିବେନି କହିଲୁ ଜଗା…?? ଏଇଟା ପରା ତୋ’ ଲୀଳାକ୍ଷେତ୍ର… ଆଉ ତୋ’ ବିନା ସତରେ କଣ ଅଛି କହିଲୁ ଏ ଦୁନିଆରେ…??

କ୍ରମଶଃ…

– ମଧୁମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...