ରସିକ ନାଗର ତୁ … ଠିକ୍ ଜାଣିଛୁ କେମିତି ମାନଭଞ୍ଜନ କରାଯାଏ । ତୋତେ କ’ଣ କିଛି ଶିଖେଇବାକୁ ହୁଏ କି…!! କେବଳ ଏଇ ରସିକପଣିଆ ପାଇଁ ତ…
ତୋ’ ଭକ୍ତ ଜୟଦେବ ତୋ’ ପ୍ରେମଭକ୍ତିର ଅପୂର୍ବ ଗାଥା ‘ଗୀତ ଗୋବିନ୍ଦ’ ରଚନା କରି ଚାଲିଥିଲେ । ପ୍ରେମରସରେ ଉଦବୁଦ୍ଧ ହେଲାବେଳେ ହଜି ଯାଉଥିଲେ ଜୟଦେବ । ଏମିତି ଲେଖୁ ଲେଖୁ ମାନୀନି ଗୋପାଳୁଣୀ ରାଧିକା ରାଣୀଙ୍କ ମାନଭଞ୍ଜନ ଉଦ୍ଦେଶ୍ୟରେ ତୋତେ ତାଙ୍କ ପାଦ ଧରିବାକୁ ହେବ ବୋଲି ଭାବଟି ଆସିଥିଲେ ମଧ୍ୟ ନିଜ ପ୍ରଭୁଙ୍କ ପାଇଁ ସେ ଏହା ଲିପିବଦ୍ଧ କରିବାରେ ସକ୍ଷମ ହେଇ ନ ଥିଲେ । ମନ ତାଙ୍କର ବହୁତ ଖରାପ ଥାଏ । ଏତେ ବଡ଼ ପ୍ରେମଗ୍ରନ୍ଥର ସମାପ୍ତି ହୋଇ ନ ପାରିବାଟା ତାଙ୍କ ହୃଦୟକୁ ମନ୍ଥି ପକାଉଥିଲା । ତୁ ତ ପ୍ରେମର ମୂର୍ତ୍ତିମନ୍ତ ଦେବତା । ପ୍ରେମିକାର ମାନଭଞ୍ଜନ ପାଇଁ ଏଇଟା କରିବା ତୋ’ ପାଇଁ ଛୋଟିଆ କାମଟିଏ ଥିଲା । ଆଉ ତୋ’ ମନ ମଧ୍ୟ ତୋ’ ଭକ୍ତର ଦ୍ୱିଧାକୁ ବି ବୁଝି ସାରିଥିଲା । ଭାବରଠାକୁର ବୋଲି ତ ଜୟଦେବଙ୍କ ଅନୁପସ୍ଥିତିରେ ତାଙ୍କ ରୂପ ନେଇ ତୁ ଆସି ଲେଖି ଦେଇଥିଲୁ ସେହି ଅମୂଲ୍ୟ ଧାଡ଼ି… “ଦେହି ପଦ ପଲ୍ଲବ ମୁଦାରଂ”… ଆଉ ସମ୍ପୂର୍ଣ୍ଣ ହୋଇଯାଇଥିଲା ଐତିହାସିକ ପ୍ରେମଭକ୍ତିର ଅଦ୍ୱିତୀୟ ଅମ୍ଳାନ କୀର୍ତ୍ତି…!! ଏହି ଗୀତଗୋବିନ୍ଦର ରସ ଆସ୍ଵାଦନ କରିବା ପାଇଁ ତୋ’ ମନ ଏତେ ବ୍ୟାକୁଳ ଯେ ସବୁଦିନ ରାତିରେ ବଡ଼ସିଂହାର ବେଶ ହେଲା ପରେ ଶୋଇବା ଆଗରୁ ତୁ ଗୀତଗୋବିନ୍ଦ ଗାଥା ଶୁଣିଥାଉ । ତୁ ପିନ୍ଧୁଥିବା ଖଣ୍ଡୁଆ ପାଟରେ ମଧ୍ୟ ଗୀତଗୋବିନ୍ଦ ଲେଖା ହୋଇଥାଏ…!! ଏହି ହୃଦୟ ନିସୃତ ସଙ୍ଗୀତର କେବଳ ଦୁଇଧାଡ଼ି ଶୁଣିବାକୁ ଛୁଟି ଯାଇଥିଲୁ ତୁ ସେଇ ବାଇଗଣ କିଆରିକୁ ଯେଉଁଠି ସେଇ ପରିବା ବିକାଳି ଝିଅଟି ଜୟଦେବ ଗାଉଥିବା ବେଳେ ଶୁଣି ଶୁଣି ଅଳପ ଟିକେ ମନ ରଖିଦେଇ ଗାଇ ଚାଲିଥିଲା । ସେତେବେଳେ ତୋ’ ଦେହରେ ଥିବା ବସ୍ତ୍ର ଚିରି ଯାଇଥିଲା ଆଉ ତାକୁ ଦେଖି ବଡ଼ପଣ୍ଡା ଜାଣି ପାରିଥିଲେ ସବୁକିଛି । ମାଦଳା ପାଞ୍ଜିରେ ଉଲ୍ଲେଖ ଥିବା ପରମ୍ପରା ଅନୁଯାୟୀ ଗୀତଗୋବିନ୍ଦ ଗାନ ତୋ’ର ପୂଜାବିଧିର ଅଂଶ ବିଶେଷ ହୋଇପାରିଛି ।
ଆଉ ଲକ୍ଷ୍ମୀ ଠାକୁରାଣୀଙ୍କୁ ମନେଇବାକୁ ତୁ କ’ଣ ଠିକ୍ ରାସ୍ତା ପାଇ ନଥାନ୍ତୁ…!! ତାଙ୍କ ମନଲାଗି ରସାଳ ରସଗୋଲା ଦେଇ ଆରାମରେ ତାଙ୍କୁ ମନେଇ ଦେଉ ତୁ କାଳିଆ…!! ମା’ ମାନିଯାଆନ୍ତି ତୋ’ କଥାକୁ ଯେତେବେଳେ ତୁ କହୁ ଯେ ଆଉ ତାଙ୍କୁ ଛାଡ଼ି ଏକୁଟିଆ ବୁଲିଯିବୁନି…!! କିନ୍ତୁ ତୁ ତ ଜଗତନାଥରେ… ଲକ୍ଷେ ଯୋଜନ ଦୂରରେ ଗଜରାଜ ଡାକି ଦେଲା ବୋଲି ଦୌଡ଼ି ଆସିଥିଲୁ ନା ତୁ ବୈକୁଣ୍ଠରୁ…!! ଚକ୍ରପେଶି ନକ୍ରନାଶି ତାକୁ ଉଦ୍ଧାର କରିଥିଲୁ…!! କୁରୁସଭା ସ୍ଥଳେ ଦ୍ରୌପଦୀ ବସ୍ତ୍ରହରଣ ସମୟରେ ହାତଟେକି ମାନରକ୍ଷା କରିବାକୁ ଗୁହାରି କରିବାରୁ ତାଙ୍କୁ କୋଟି ବସ୍ତ୍ର ଦେଇ ଲଜ୍ଜା ନିବାରଣ କରିଥିଲୁ ନା…!! ଘୋର ବନ ମଧ୍ୟରେ ମୃଗୁଣିର ଡାକ ଶୁଣି ପହଞ୍ଚି ଯାଇଥିଲୁ ନା ତାକୁ ଉଦ୍ଧାର କରିବାକୁ… ଆଉ ତୁ ରଥରେ ଦର୍ଶନ ଦେଇ ପତିତଜନଙ୍କୁ ଉଦ୍ଧାର କରିବାକୁ କ’ଣ ଆସି ନ ଥାନ୍ତୁ…!!
ଦାସିଆ ବାଉରୀ ଅଚ୍ଛବ ବୋଲି ତୋ’ ନିକଟକୁ ଯାଇ ପାରିଲାନି ହେଲେ ନିଜେ ହାତ ବଢ଼େଇ ତା’ ନଡ଼ିଆକୁ ଗ୍ରହଣ କରି ନେଇଥିଲୁ ନା ଦୟାନିଧି…!! ଆଉ ତା’ ପରେ ଭାତ ଉପରେ ଶାଗକୁ ଥୁଆ ହୋଇଥିବା ଦେଖି ସେ ତୋ’ ଚକାଡୋଳା ଦେଖିଦେଲା ପରି ଆନନ୍ଦରେ ଡେଇଁ ଚାଲିଥିଲା ନା କାଳିଆ…!! ଭକ୍ତି ନୈବେଦ୍ୟର କି ଅନନ୍ୟ ଉଦାହରଣ ସତରେ…!! ଶ୍ରୀଚୈତନ୍ୟ ମଧ୍ୟ ଏମିତି ଭକ୍ତିରସରେ ବୁଡ଼ି ରହି ନୃତ୍ୟ କରୁଥିଲେ କୀର୍ତ୍ତନର ତାଳେ ତାଳେ…!! ତୋତେ ନାଚ ଗୀତ ଭଲ ଲାଗେ ବୋଲି ତ ଦେବଦାସୀ ନିଜକୁ ସମର୍ପିଦିଏ ତୋ’ ଭକ୍ତିର ତାଳେ ତାଳେ ନିଜ ହୃଦୟର ଘୁଙ୍ଗୁରକୁ ବଜାଇଦେଇ… ଅବଶ୍ୟ ଏହି ପରମ୍ପରା ବର୍ତ୍ତମାନ ଆଉ ନାହିଁ । କିନ୍ତୁ କି ନାରୀ କି ନର… ତୋ’ ଭଜନ ଜଣାଣ ତାଳେ ତାଳେ କହ କାହାର ମନ ନ ଝୁମେରେ ବଂଶୀଧର…!!
ବିଦୁର ଘରେ ଶାଗଭଜା ଖିଆ ହେଉ କି କାଳିଆ ଷଣ୍ଢ ରୂପରେ ଭକତ ବାରିରୁ କଦଳୀଖିଆ ହେଉ … ଦେଖାଯାଏ ତୋ’ ମହାନତା…!! ଭାରି ମନୁଆ ଠାକୁର ନା ତୁ…?? ମନ ନ ପାଇଲେ କାହା କଥା ଟିକେ ବି ଶୁଣିବୁନି । କେତେବେଳେ ବନ୍ଧୁ ମହାନ୍ତିର ଭୋକ ନ ସହି ନିଜ ରତ୍ନଥଳୀ ତାକୁ ଦେଇ ଆସିଛୁ ତ କେତେବେଳେ ଗୀତା ପଣ୍ଡା ଘରେ ନିଜେ ଭାର ନେଇ ପହଞ୍ଚେଇ ଆସିଛୁ…!! ଖାଲି ସେତିକି ନୁହେଁ ତାଙ୍କ ପତ୍ନୀ ଭଗବତ ଗୀତାକୁ ଚିରି ଦେଇ ଥିବାରୁ ତାଙ୍କୁ ଦେଖେଇ ଦେଇଥିଲୁ ତୋ’ ଜିଭ କେମିତି ଦୁଇଫାଳ ହୋଇ ଯାଇଥିଲା…!! କେତେବେଳେ ବଳରାମ ଦାସଙ୍କ ବାଲିରଥରେ ଉଭା ହୋଇ ଯାଇଛୁ ତ କେତେବେଳେ ସାଲବେଗ ନ ଆସିବା ଯାଏଁ ନନ୍ଦିଘୋଷରେ ସେମିତି ଗୁମ୍ ମାରି ବସି ରହିଛୁ; ଦୀର୍ଘ ସାତଦିନ ଯାଏଁ…!! ହାତୀ ଆସିଲେ ବି ତୋତେ ହଲେଇ ପାରେନା… ହେଲେ ଭକ୍ତଟିଏ ବିକଳ ହୋଇ ଡାକିଦେଲେ ତୁ ସମ୍ପୂର୍ଣ୍ଣ ଦୋହଲିଯାଉ…! କେତେବେଳେ ଭକ୍ତ ପ୍ରାଣଧନ ତୁ ଭକ୍ତ ତଳିଛା ମହାପାତ୍ରଙ୍କୁ ବଞ୍ଚେଇବା ପାଇଁ ଗହଳ କେଶକୁ ଧାରଣ କରିଛୁ ତ ଅନ୍ୟ କେତେବେଳେ ଗଣପତି ଭଟ୍ଟ ତୋତେ ମନ ପୂରେଇ ଦେଖିବେ ବୋଲି ସ୍ନାନ ମଣ୍ଡପରେ ଗଜରାଜଙ୍କର ବେଶରେ ସଜେଇ ହୋଇଛୁ…!! କ’ଣ କହିହେବ ତୋ’ ମହିମା କଥାରେ ଜଗା…!! ତୁ ତ କୋଣ କୋଣରେ ବିଦ୍ୟମାନ…!! ଘଟ ଘଟରେ ଭ୍ରାମ୍ୟମାନ…!!
ଗୀତା, ରାମାୟଣ ପାଠରେ ଯେତିକି ପୁଣ୍ୟ ମିଳେନି ତାଠୁଁ ଢେର୍ ଅଧିକ ପୁଣ୍ୟ ମିଳେ ତୋ’ ବେତବାଡ଼ି ପ୍ରହାର ମୁଣ୍ଡରେ ଥରେ ବାଜିଲେ…!! ଜପ ତପ ଉପବାସ ଯେତେ ତୋ’ ନିକଟକୁ ନେଇ ପାରେନି ତା’ଠୁଁ ତୋ’ର ନିକଟକୁ ଯିବା ପାଇଁ କେବଳ ଭକ୍ତି ସମର୍ପଣରେ ଦୁଇ ହାତ ଟେକିଦେଲେ ଯଥେଷ୍ଟ ହୋଇଥାଏ…!! ତୋ’ ଡୋରି ନ ଲାଗିଲେ ତୋ’ ଦର୍ଶନ ମିଳେ ନାହିଁ । ଦେଉଳ ଭିତରକୁ ପ୍ରବେଶ କଲା ମାତ୍ରେ ଶିବଶକ୍ତିଙ୍କ ଯୁଗଳ ମୂର୍ତ୍ତି ପାଖରେ ସଧବା ସ୍ତ୍ରୀଲୋକମାନେ ଅଟକିଯାଇ ନିଜର ପାଣି କାଚ ବଜ୍ର ହେବାକୁ ପ୍ରାର୍ଥନା କରନ୍ତି ଆଉ ସ୍ଵୟଂ ପାର୍ବତୀ ସେମାନଙ୍କ ଗୁହାରୀ ଶୁଣନ୍ତି…!! ତୋ’ ଦେଉଳ ସାମ୍ନାରେ ଥିବା ମୁକ୍ତିମଣ୍ଡପ ଉପରେ କାଳେ ନିଜେ ଦେବତାମାନେ ବସି ବ୍ରାହ୍ମଣ ବେଶରେ ଆଶିଷ ଦିଅନ୍ତି…!! ମନ୍ଦିର ପ୍ରାଙ୍ଗଣରେ ଅନେକ ଛୋଟ ବଡ଼ ମନ୍ଦିର ଅସରନ୍ତି ବିଶ୍ଵାସର ଗାଥା ଶୁଣେଇ ଚାଲନ୍ତି । ପ୍ରତ୍ୟେକ ଦେବାଦେବୀ, ଗ୍ରହ ନକ୍ଷତ୍ରଙ୍କର ଅବସ୍ଥିତି ଆଉ ଉପସ୍ଥିତି ସହ ଶ୍ରୀମନ୍ଦିର ଭାବମୟ ହୋଇଉଠେ । ଏଇଠି ଦିନରାତି କିଛି ଫରକ ଜଣା ପଡ଼େନି…!! କାର୍ତ୍ତିକ ମାସର ଲକ୍ଷାଦୀପ ନୀତି ହେଉ କି ରାଇ ଦାମୋଦର ଓଷା… ଏକାଦଶୀ ତିଥିର ସ୍ଵତନ୍ତ୍ର ପୂଜା ହେଉ କି ମଦନମୋହନଙ୍କ ବେଢ଼ା ପରିକ୍ରମା… ଦେବ ଦୀପାବଳୀ ହେଉ କି ଜନ୍ମାଷ୍ଟମୀ ଉତ୍ସବ…!! ସବୁକିଛି ବହୁତ ନିଆରା ଆଉ ସବୁ ତର୍କବିତର୍କ ଠାରୁ ଯଥେଷ୍ଟ ଉର୍ଦ୍ଧ୍ୱରେ…!! ଏଠି ଥିବା ପୁରାତନ ବଟବୃକ୍ଷ ସୃଷ୍ଟି ଆରମ୍ଭରୁ ଅଛି ବୋଲି ବିଶ୍ୱାସ କରାଯାଏ । ସେହି କଳ୍ପବଟକୁ ଛୁଇଁ ଯାହା ମନାସିବ ତାହା ପାଇବ ବୋଲି କୁହାଯାଏ । ଏଠି ଥିବା ରୋହିଣୀକୁଣ୍ଡ ଜଳ ସ୍ପର୍ଶ ମାତ୍ରକେ କାକଟିଏ ନାରାୟଣ ସ୍ୱରୂପ ପ୍ରାପ୍ତ କରିଥିବା ବିଶ୍ୱାସ କରାଯାଏ । ଏଠି ଥିବା ଦେବ ମଣ୍ଡପରେ ପ୍ରତ୍ୟହ ଦେବସଭା ହେଉଥିବା ବିଶ୍ୱାସ କରାଯାଏ…!! ଏଠି ଯଦି ବିଶ୍ୱାସ ପ୍ରମାଣ ଖୋଜେ ତେବେ ନିଜେ ତା’ ଅସ୍ତିତ୍ୱ ହରେଇ ବସେ । ଏତେ ଗହଳି ଚହଳି ଦିନରେ ଲାଗିଥିଲେ ମଧ୍ୟ ତୋ’ ପହଡ଼ ପଡ଼ିବା ପୂର୍ବରୁ ମନ୍ଦିରକୁ ଜନଶୂନ୍ୟ କରି ଦିଆଯାଏ । ଏଠି ପ୍ରାଙ୍ଗଣ ଭିତରେ କେବେ କୌଣସି ଭକ୍ତ ଇହଲୀଳା ତ୍ୟାଗ କରନ୍ତିନି ବୋଲି ବିଶ୍ୱାସ ଅଛି । ସବୁ ନୀତି ଅନୀତି ଉପରେ… ସବୁ ନିୟମ ବେନିୟମ ଉର୍ଦ୍ଧ୍ୱରେ… ସବୁ ବିଶ୍ୱାସ ଅବିଶ୍ୱାସ ଆଗରେ ଅଛୁ ତୁ… କେବଳ ତୁ ଜଗତ ଠାକୁର…!! ତୋ’ ବିନା ଆଉ କିଏ ଅଛିରେ କାଳିଆ…??
ତୋତେ ସର୍ପ ଜଣାଣ କଲେ ବି ତୁ ଖୁସି ହୋଇଛୁ… ତୋତେ ପଥର କହିଲେ ବି ଶାଳଗ୍ରାମ ରୂପ ନେଇ ସାମ୍ନାକୁ ଆସିଛୁ…!! ତୋ’ ରତ୍ନବେଦୀ ତଳେ କାଳେ ଅସଂଖ୍ୟ ଶାଳଗ୍ରାମ ଅଛନ୍ତି । ତେଣୁ ଭିତର କାଠ ଆଗକୁ ଯିବା ପାଇଁ ପ୍ରାୟତଃ ଅନୁମତି ମିଳି ନ ଥାଏ…!! ଚକା ଚକା ତୋ’ ଦୁଇ ଆଖିରେ ଏ ଚର୍ମ ଆଖି ଦୁଇଟି ମିଶିଗଲା ପରେ ମନଟା କେମିତି କେଜାଣି ପୂରା ଖାଲି ହୋଇଯାଏ…!! କେତେ କ’ଣ ମାଗିବାକୁ ଇଚ୍ଛା କରି ଛୁଟି ଆସିଥିବା ତୋ’ ଭକ୍ତମାନେ ତୋତେ ଦେଖି ସବୁ ଭୁଲି ଯାଆନ୍ତି । କି କିମିଆ ଜାଣିଛୁ କେଜାଣି ତୁ…!! ଥରୁଟିଏ ତୋତେ ଦେଖିଦେବା ପରେ ସତରେ ଆଉ କ’ଣ କିଏ ମାଗି ପାରିବ କି ରେ ଦୟାନିଧି…!!
ତୋ’ ଦେଉଳ, ତୋ’ ଦାଣ୍ଡ, ତୋ’ ଦୁଆର, ତୋ’ ନେତ; ସବୁ ତ ତୋ’ ପରି ବଡ଼ ଆଉ ସବୁ ମଧ୍ୟ ଅଟନ୍ତି ଠାକୁର…!! ତୋ’ ଅରୁଣ ସ୍ତମ୍ଭ ଠାକୁର… ତୋ’ ଗରୁଡ଼ ସ୍ତମ୍ଭ ଠାକୁର…!! ତୋ’ ମହାପ୍ରସାଦ ଠାକୁର… ତୋ’ ମହାଦୀପ ବି ତ ଠାକୁର…!! ଆଶ୍ଚର୍ଯ୍ୟ ଲାଗେ ଯେତେବେଳେ ମହାଲକ୍ଷ୍ମୀଙ୍କ ମନ୍ଦିର ସାମ୍ନାରୁ ଉପରକୁ ଦେଖିଲେ ଥରକରେ ତୋ’ର ଆଉ ମା’ଙ୍କର ମନ୍ଦିର ଚୂଡ଼ାର ଏକ ସଙ୍ଗେ ଯୁଗଳଦର୍ଶନ ମିଳିଯାଏ…!! ଯେଉଁ ସ୍ଥାନରୁ ବଳିରାଜ ପାତାଳୀ ହୋଇଛନ୍ତି ବିଶ୍ୱାସ କରାଯାଏ ସେହି ବଳିବାମନ ମନ୍ଦିରକୁ ପିଠି କରି ଠିଆ ହୋଇଯିବା ପରେ ଦୁଇହାତ ଯୋଡ଼ି ତୋ’ ପତିତପାବନ ନେତକୁ ତୋ’ ନୀଳଚକ୍ରକୁ ଚାହିଁ ପୁଣି ଡାକିବାକୁ କହିଦେଲେ ତୁ ପୁଣି ବହୁତ ଶୀଘ୍ର ନିଜ ପାଖକୁ ଡାକୁରେ କାଳିଆ…!! ଭୂତପ୍ରେତ ଭୟ ଲାଗିଲେ ବିଶ୍ୱାସ ଅଛି ତୋ’ ଦେଉଳର ଦକ୍ଷିଣଦ୍ଵାର ଯେଉଁଠି ଚିମିନ ଚଢ଼େଇମାନେ ବସାବାନ୍ଧି ରହିଛନ୍ତି… ତା’ ଭିତର ଦେଇ ଥରେ ଚାଲିଗଲେ ମନରୁ ସେ ଭୟ ସବୁଦିନ ପାଇଁ କୁଆଡ଼େ ଉଭେଇ ଯାଏ…!!
କେତେ ବିଶ୍ୱାସ, କେତେ ଲୋକକଥା, କେତେ ସାକ୍ଷୀ ପ୍ରମାଣ, କେତେ ଯେ ତୋ’ ଅମ୍ଳାନ ଗାଥାରେ ଜଗା…!! ଭକ୍ତ ସହିତ ଆସି ସାକ୍ଷୀ ଦେଇଛୁ ବୋଲି ତୁ ବୋଲାଉ ସାକ୍ଷୀ ଗୋପାଳ… ବଙ୍କେଇ ମୁକୁଟକୁ ପିନ୍ଧୁ ବୋଲି ଯେ ତୋ’ର ବାଙ୍କଚୂଳ…!! ତୋ’ କଥା ଯଦି କଥାରେ କହିହେବ ତେବେ ସବୁ କଥା ଏଇଠି ନୂଆ ଭାଷାକୁ ଖୋଜିବ । ତୁ ଶୂନ୍ୟ, ତୁ ବ୍ରହ୍ମ, ତୁ ପୁଣ୍ୟ, ତୁ ସ୍ୱୟଂସମ୍ପୂର୍ଣ୍ଣ…!! ମୋ ମନରେ ତୁ… ମୋ ଧ୍ୟାନରେ ତୁ… ମୋ କର୍ମରେ ତୁ… ମୋ ଧର୍ମରେ ତୁ…!! ଯେଉଁଠି ନିଜେ ବେଦ, ଗ୍ରନ୍ଥ, ପୁରାଣ ନେତି ନେତି କହି ଅସମର୍ଥ ହୋଇଯାଇଛନ୍ତି ତୋ’ ଲୀଳାଖେଳା ପ୍ରକାଶ କରିବାକୁ… ସେଠି କହ ମୁଁ ବା କି ଶବ୍ଦସବୁ ସଂଯୋଜନା କରିପାରିବି ଯେଉଁଥିରେ ଜଗତପତି ବିଷୟରେ କିଛି କହି ପାରିବି…!? କେବଳ ଏତିକି କହିବି… ମୋ ସତ୍ୟ ତୁ… ମୋ ସ୍ୱପ୍ନ ତୁ… ମୋ ନିଦ୍ରା ତନ୍ଦ୍ରା କଳ୍ପନା ବି ତୁ… ମୋ ଦୃଷ୍ଟି ତୁ… ମୋ ନଜରରେ ତୁ… ମୋ ଶକ୍ତି ତୁ… ମୋ ମୁକ୍ତି ବି ତୁ… ମୋ ଭକ୍ତି ତୁ… ମୋ ଯୁକ୍ତି ବି ତୁ…!! ତୋତେ ମନରେ ହୃଦରେ ଦେଖୁଛିରେ କାଳିଆ… ଦେଖ… ମୋ ଆଖିରେ ଅଛୁ ତୁ… ମୋ ଆଖିରେ ତୁ… ଜୟ ଜଗନ୍ନାଥ… ଜୟ ଜଗନ୍ନାଥ… ଜୟ ଜଗନ୍ନାଥ…!!
ହରି ଅନନ୍ତ… ହରିକଥା ଅନନ୍ତ…
– ମଧୁମିତା ମିଶ୍ର
Comments
ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।