ଜନମ ଯେଉଁଠି ହୋଇଥିଲି ମୁହିଁ
ଯାହାର ମାଟିକୁ ଆଗ ଛୁଇଁଲି
ସେହି ମୋର ପ୍ରିୟ ଜନମ ଭୂଇଁ ଯେ
ତାହାରି ଚରଣେ ମୁଣ୍ଡ ନଇଁଲି ॥୧॥
ମୋ ଗାଆଁ ଅଟେ ଗୋପଦାଣ୍ଡ ସତେ
ସେଠି ଜଣାପଡ଼େ ସକାଳ ସଞ୍ଜ
ସକାଳେ ସୁରୁଜ ମୁରୁଜ ବୁଣଇ
ଗୋଧୂଳି ଲଗନେ ବୁଡ଼େ ସୁରୁଜ ॥୨॥
ଗାଆଁ ତୋଟା ମାଳେ କୋଇଲିର ସୁର
ଫଗୁଣରେ ମନ ନିଅଇ କିଣି
ସକାଳରେ ଶୁଭେ କୁଆ କାଆ କାଆ
ରାତିରେ ପେଚାର ଗମ୍ଭୀର ଧ୍ୱନି ॥୩॥
ମନ୍ଦିର ପ୍ରାଙ୍ଗଣେ ଘଣ୍ଟ ଘଣ୍ଟି ଶୁଭେ
ସକାଳେ ସଞ୍ଜରେ ହୁଏ ଆରତି
ବେଦର ଓଁ କାର ମନ୍ତ୍ରର ଝଙ୍କାର
ଆଙ୍କିଦିଏ ମନେ ବିଭୁ ମୂରତି ॥୪॥
ଗାଆଁ ଗଛ ଲତା ସବୁଜ ବନାନୀ
ସୌନ୍ଦର୍ଯ୍ୟ ତାହାର ନାହିଁ ତୁଳନା
ରଙ୍ଗ ବେରଙ୍ଗ ର ଫୁଲ ଫଳ ଏଠି
କି ଅବା ତାହାର ଦେବା ଉପମା ॥୫॥
ଗାଆଁକୁ ଯେ ଦିନେ ଟିକି ବୋହୂଟିଏ
ଆସିଥିଲା ଲାଜେ ଓଢ଼ଣୀ ଟାଣି
ବୟସ ଗଡ଼ିଛି ଜେଜେମା ହୋଇଛି
ସଙ୍ଗରେ ଅଛନ୍ତି ନାତି ନାତୁଣୀ ॥୬॥
ଭଜନ ମଣ୍ଡପେ ଜଣାଣ ଶୁଭୁଛି
ମାୟା ଅଟେ ଜୀବ ନୁହେଁ କାହାରି
ମନବୋଧ ଚଉତିଶାର ସୁରରେ
ମନ ଯେ ଉଦାସେ ଯାଇଛି ଭରି ॥୭॥
ନିଧୁମ ଖରାରେ ଜଣାପଡ଼େ ଗାଆଁ
ସତେ ଅବା ସିଏ ରୁଷି ଯାଇଛି
ଖରାର ପ୍ରକୋପ ବର୍ଷାର ତାଣ୍ଡବ
ଶୀତର ଲହରୀ ସବୁ ସହିଛି ॥୮॥
ରାତିର ଅଧିକ ସମୟରେ ଶୁଭେ
ବିଲୁଆ ଭାଇର ହୁକେ ହୋ ଡାକ
ସାରା ଗାଆଁ ସତେ ଶୋଇପଡ଼େ ଅବା
ପରଦିନ ରବି ଆସିବା ଯାକ ॥୯॥
ଯେଉଁ ଗାଆଁ ମାଟି ଏନ୍ତୁଡ଼ି ଶାଳାଟି
ସେ ମୁଣ୍ଡରେ ପୁଣି ମଶାଣି ଅଛି
ଖାଲି ହାତେ ଯିଏ ଆସିଥିଲା ପୁଣି
ଖାଲି ହାତେ ଦେଖ ସିଏ ଯାଉଛି ॥୧୦॥
ମାଟିର ମହକ ଫୁଲ ହାରଟିଏ
ପଲ୍ଲୀ ରଜ୍ଜୁ କେବେ ଛିଡ଼ାଅ ନାହିଁ
ଯୁଆଡ଼େ ଗଲେ ବି ପଲ୍ଲୀ ଭୂମି ଖୋଜେ
ତାର ସେନେହକୁ ଏଡ଼ାଅ ନାହିଁ ॥୧୧॥
ସେହି ଗାଆଁ ମାଟି ପଲ୍ଲୀ ଜନ୍ମଭୂମି
କେତେ କେତେ କଥା ଅଛି ସତରେ
ମୁଣ୍ଡକୁ ମୋହର ନୁଆଁଇ ଦେଉଛି
ପ୍ରଣତି ବାଢ଼ୁଛି ତା’ର ପୟରେ ॥୧୨॥
– ସଦାନନ୍ଦ ପାଣିଗ୍ରାହୀ
Comments
ସଦାନନ୍ଦ ପାଣିଗ୍ରାହୀ ପେଶାରେ ଜଣେ ଶିକ୍ଷକ ଏବଂ ନିଶା ତାଙ୍କର କବିତା ଲେଖିବା । ସେ କବିତା ଲିଖନ ପାଇଁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।