ଝିଅଟି ଶାଗବିଡ଼ା ପରି

ଆନ୍ତର୍ଜାତିକ କନ୍ୟା ଦିବସର ଅନୁଚିନ୍ତା: ଝିଅଟି ଶାଗବିଡ଼ା ପରି (Jhiati Shaga Bida Pari: Odia poem by Madhumita Mishra on National Girl Child Day)

ପରିବା କିଣିଲା ବେଳେ ସେ ସ୍ତ୍ରୀ ଲୋକଟି ଧୀରେ ହସିଲା…
“ମାଆ, ଆମେ ନାରୀ ସବୁ ଶାଗବିଡ଼ା” କହି ମୋତେ ଚାହିଁଲା…!!

ଆଶ୍ଚର୍ଯ୍ୟ ହେଇ ପଚାରିଲି, “ଏମିତି କେମିତି କହୁଛୁ କିରେ…??”
ନାରୀ ଆଉ ଶାଗ..!! ଆଉ ଶୁଣିଲି ଅତି କୌତୁହଳରେ…!!

ଦେଖୁନ! ଶାଗ ପରି ଛନଛନ ହୋଇ ବାପା ଘରେ ଥାଏ…
ଶାଶୁ ଘରକୁ ଯାଇ ସେ ଉତ୍‌ଫୁଲ୍ଲତା ଶୁଖିଲା ପତ୍ର ହୋଇଯାଏ !!

ବର୍ଷସାରା ଆଦର ନ ଥିଲେ ବି କାର୍ତ୍ତିକ ଆସିଲେ ଯେ ଖୋଜା ହୁଏ…
ବ୍ରତ କି ଓଷା ଆସିଲେ ପୁରୁଷକୁ ନୁହେଁ ମାଇପିକୁ ହିଁ ତ ଡକା ଯାଏ..!!

ବିଦେଶୀ ଖାଇବା ପାଖରେ ଥିଲେ, ଶାଗକୁ କୁହ ତ କିଏ ପଚାରେ?
ବାହାରକୁ ଗଲେ କହିଲ ମା’ ଘରଣୀ କଥା କି କେ ମନ ପକାଏ??

କିନ୍ତୁ ଦେଶୀ ପଖାଳ ଆସିଲେ ବିନା ଶାଗରେ ରୁଚେ ନାହିଁ ନା…
ଘରେ ପାଦ ଦେଉ ଦେଉ ଘରଣୀକୁ ଆଗ ଖୋଜା ହୁଏ ନା??

ଲୁଣ କମିଲେ ରୁଚେନି… ଅଧିକ ହେଲେ ହୁଏ ସେ ଖାର…
ଝିଅ ଆଧୁନିକ ହେଲେ ଚଳେନି… ନ ହେଲେ ବି ଲାଗେ ଅସାର..!!

ଦେଖିଲେ ବହୁ ଆଡ଼ମ୍ବର ପରି ଲାଗେ, କାଠିକର ପାଠଟେ ପରି…
ଶିଝିଗଲେ ପ୍ରେମରେ ମୁଠେଇ ହୁଏ, କିଛି ବି ପରିଶ୍ରମ ନକରି…!!

ଯେତେ ଦର ବଢ଼ିଲେ ବି ଶାଗ ଦରଟି ସୁଲଭ ଲାଗେ,
କିନ୍ତୁ କୁହ ତ କେବେ କିଏ ଏ ଶାଗ ଜୀବନ କଥା କି ଭାବେ??

ଯେତେ ଖାଇଲେ ଭିଟାମିନ ସବୁ ଶାଗ ପରି କେ ସମାନ ହୁଏନି,
ଘର ସଂସାର କଲେ ବି ନାରୀକୁ କେହି ବଂଶର ନାଁ ତ ଦିଏନି…

ଖରା ବର୍ଷା ସହି ଗୁଣ ତ କମେନି, ନକଲି ବି କେବେ ଇଏ ହୁଏନି,
ନିଜ ଗୁଣ ସହ ଦମ୍ଭରେ ରହିବା; ଝିଅ ଶାଗକୁ କେହି ଶିଖାଏ ଦିଏନି…

ମୋଡ଼ିଦେଲେ, ଦଳିଦେଲେ, ମାଟି ମା’ କୋଳେ ମିଶିଯାଏ
ମୁଣ୍ଡ ଟେକି କିନ୍ତୁ କେବେ ସେ ନିଜ ଲୋକଙ୍କୁ ପଦେ ନ କୁହେ…

ହାତେ ଧରି ଶାଗବିଡାଟି ମୁଗ୍ଧ ହୋଇ ସ୍ତବ୍ଧ ରହିଗଲି…
ଉପକାରୀ ନାରୀ ଶାଗ କଥାକୁ ଭାବି ସ୍ମିତହସଟି ମୁଁ ହସିଦେଲି..!!

– ମଧୁମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...