ସ୍ୱାଧୀନତା ସଂଗ୍ରାମର ଅନେକ ଛୋଟ ଛୋଟ ଘଟଣାବଳୀ ଏବେ ଲୋକଙ୍କ ମନରୁ ବିସ୍ମୃତ ଏବଂ ସେ ବିଷୟରେ ଇତିହାସ ମଧ୍ୟ ନିରବ ।
ବିପ୍ଳବୀବୀର ବାଘାଯତୀନଙ୍କ ସଶସ୍ତ୍ର ସଂଗ୍ରାମରେ ମୟୂରଭଞ୍ଜ ଜିଲ୍ଲାର ଭୂମିକା ବିଷୟରେ ଅଳ୍ପ ବହୁତ ସମସ୍ତଙ୍କୁ ଜଣାଅଛି, କିନ୍ତୁ ସେଇ ମୟୂରଭଞ୍ଜ ଜିଲ୍ଲାର ଏକ କ୍ରାନ୍ତିତୀର୍ଥ ବିଷୟରେ ଖୁବ୍ କମ୍ ଲୋକଙ୍କୁ ଜଣା ।
ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରଠୁ ୩୪ କିମି ଦୂରରେ ପୂର୍ବ ଶିମିଳିପାଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏଇ ସ୍ଥାନ ବିଷୟରେ ସ୍ଥାନୀୟ ଲୋକଙ୍କୁ ବି ଅଜଣା । ଜଣେ ପରିଚିତ ଅବସରପ୍ରାପ୍ତ ସମାଜ ମଙ୍ଗଳ ଅଧିକାରୀଙ୍କ ସହ ଥରେ କଥୋପକଥନରୁ ଜାଣିବାକୁ ପାଇଲି, କେମିତି ଥରେ ସରକାରୀ ଅଫିସର ଫାଇଲ୍ ଖୋଜୁଖୋଜୁ ତାଙ୍କୁ ମିଳିଥିଲା ୨୯୪ ଜଣ କଏଦୀଙ୍କର ଲମ୍ୱା ତାଲିକା । ସମାନ ଦୋଷରେ ଅଭିଯୁକ୍ତ ହେଇ ଉଦଳା ସବ୍ ଜେଲରେ ବନ୍ଦୀଥିଲେ ସମସ୍ତେ । ପରବର୍ତ୍ତୀ ତଥ୍ୟାନୁସନ୍ଧାନରୁ ଜଣାପଡ଼ିଥିଲା ମୟୁରଭଞ୍ଜ ଇତିହାସର ପ୍ରଜାମେଳୀର ଏହା ଏକ ବିସ୍ମୃତ ଇତିହାସ ।
ଦିନେ ଅପରାହ୍ନରେ କିଛି ଉତ୍ସାହୀ ସାଥିଙ୍କୁ ନେଇ ବାହାରି ପଡ଼ିଲି ଇତିହାସ ପୃଷ୍ଠାରୁ ହଜିଯାଇଥିବା ସେଇ ସ୍ଥାନକୁ, ଯାହାର ଭୂଗୋଳ ବି ବହୁତ କମ୍ ଲୋକଙ୍କୁ ଜଣାଥିଲା । ରାସ୍ତା ପାଖ ଏକ ଗାଁର କିଛି ଯୁବକଙ୍କୁ ଶିଳଘାଟୀର ଅବସ୍ଥିତି ବିଷୟରେ ପଚାରିବାରୁ ସେମାନେ ଏପରି କୌଣସି ସ୍ଥାନ ବିଷୟରେ ଜାଣିନାହାନ୍ତି ବୋଲି କହିଥିଲେ । ଗାଁ’ର ଜଣେ ବୃଦ୍ଧଙ୍କ ଆଖି କିନ୍ତୁ ଚମକି ଉଠିଥିଲା ଶିଳାଘାଟୀର ନାମ ଶୁଣିବା ମାତ୍ରେ ! ହାତ ଦେଖାଇ କହିଲେ ସେଇ ଜଙ୍ଗଲ ଭିତରେ ଅଛି ଡେଲିଙ୍ଗୀ ବନ୍ଧ । ହେଲେ ତମେ ସେ କାଦୁଅ ଦଳରେ ଭର୍ତ୍ତି ଅଞ୍ଚଳକୁ ଯାଅନା ! ଲାଗିଲା ମନରେ ଥିଲା ତାଙ୍କର ପ୍ରଚୁର ଅଭିମାନ । ଅବଶ୍ୟ ତାଙ୍କ ଅଭିମାନ ଥିଲା ଯଥାର୍ଥ । ସରକାରଙ୍କ ବିନା କୌଣସି ସାହାଯ୍ୟରେ ସେ ବନ୍ଧ ଯେ ପୋତି ହେବାକୁ ବସିଥିଲା ତାହା ଦେଖି ବୁଝିଯାଇଥିଲୁ । ଜଙ୍ଗଲ ମଝିରେ କାଦୁଅରେ ଗାଡ଼ିର ଚକ ପଶିଯିବାରୁ ବନ୍ଧୁଙ୍କ ସହ ମାଟି ଖୋଳି ଚକ ବାହାର କରିବା ସମୟରେ ମନେ ପକାଇଥିଲି ୧୯୪୨ ମସିହା ମାର୍ଚ୍ଚ ମାସ ୨୪ ତାରିଖର ସେ ଘଟଣାକୁ ।
ମହାତ୍ମାଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ପୂର୍ବର ଘଟଣା । ବ୍ରିଟିଶ ସରକାରଙ୍କ ଦୃଢ଼ ସମର୍ଥକ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେବଙ୍କ ଦରବାରରେ ପ୍ରଜାମଣ୍ଡଳର କିଛି ସଭ୍ୟ ଜଙ୍ଗଲ ମଧ୍ୟରେ ଥିବା ଦୁଇ ହୁଡ଼ିକୁ ସଂଯୋଗ କରି ଏକ ବନ୍ଧ ନିର୍ମାଣ କରିବା ପ୍ରସ୍ତାବ ଆଗତ କରିଥିଲେ । ତାକୁ ପ୍ରତ୍ୟାଖ୍ୟାନ କରିଥିଲେ ମହାରାଜା । ଜଳ ସେଚନ କରି ସୁନେଲି ଫସଲ ଉତ୍ପାଦନ କରିବାର ସ୍ୱପ୍ନ କିନ୍ତୁ ମଉଳି ନଥିଲା ଲୋକଙ୍କ ମନରେ । ପ୍ରଜାମଣ୍ଡଳର ଦୃଢ଼ ନିଷ୍ପତି ରାଜତନ୍ତ୍ରର ବିନା ସହଯୋଗରେ ନିର୍ମାଣ କରିବା ବନ୍ଧ ।
ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗିରିଶଚନ୍ଦ୍ର ରାୟଙ୍କ ଡାକରାରେ ଉଦବୁଦ୍ଧ ସମସ୍ତ ଗ୍ରାମବାସୀ ନିଅନ୍ତି ଶପଥ ସମୂହ ଶ୍ରମଦାନର । ଖୁଣ୍ଟା ଗ୍ରାମପଞ୍ଚାୟତର ଶିଳଘାଟି ଓ କେନ୍ଦୁମୁଣ୍ଡି ମୌଜାରେ ଥିବା କିମ୍ଭିରା ଓ ଭାଗୀରଥି ହୁଡ଼ିକୁ ସଂଯୋଗ କରି ବନ୍ଧ ନିର୍ମାଣ ହେଲେ ଯେ ସ୍ଥାନୀୟ ଅଞ୍ଚଳର ଜଳସେଚନ ସମସ୍ୟା ସମାଧାନ ହେବ ସେଥିରେ ନିଶ୍ଚିତ ଥିଲେ ସ୍ଥାନୀୟ ଅଧିବାସୀମାନେ ।
୧୯୪୨ ମସିହା ମାର୍ଚ୍ଚ ୨୪ ତାରିଖ ଥିଲା ମୟୂରଭଞ୍ଜର କ୍ରାନ୍ତିତୀର୍ଥର ସେଇ ସୁବର୍ଣ୍ଣ ଦିନ । ସକାଳ ୮’ରୁ ପୂର୍ବ ସିଦ୍ଧାନ୍ତ ଅନୁସାରେ ଆଖପାଖ ଗ୍ରାମରୁ ହଜାର ହଜାର ପୁରୁଷ ଓ ମହିଳା ପ୍ରଜାମଣ୍ଡଳର ନେତୃତ୍ୱରେ କୋଦାଳ ଓ ଝୁଡ଼ି ଧରି ଦୌଡ଼ି ଆସିଥିଲେ ରାଜତନ୍ତ୍ରର ବିରୋଧରେ ପ୍ରଜାତନ୍ତ୍ରର ବିଜୟଗାଥା ଇତିହାସରେ ଲେଖିବାକୁ । ଦୀର୍ଘ ୮ ଦିନର ପରିଶ୍ରମର ଫଳ ଅପ୍ରେଲ ପହିଲାରେ ମିଳିଥିଲା ଶିଳଘାଟି ବନ୍ଧ ରୂପରେ । କାହାଣୀ ଏତିକିରେ ସରିଲା ନାହିଁ । ଇଂରେଜ ଓ ରାଜାଙ୍କ ପୋଲିସ ବାନ୍ଧି ନେଲେ ୨୯୪ ଜଣ ସଂଗ୍ରାମୀଙ୍କୁ । ତତ୍କାଳୀନ ଫରେଷ୍ଟ ଏକ୍ଟ ଅନୁଯାୟୀ ବିଚାର ଚାଲିଲା ଅଦାଲତରେ, ଦୋଷୀ ସାବ୍ୟସ୍ତ ହୋଇ ୧୫ ଟଙ୍କା ଜରିମାନା ନଦେଇ ଏକ ମାସ ସଶ୍ରମ କାରାଦଣ୍ଡ । ଆଦେଶକୁ ମାନି ନେଇଥିଲେ ସଂଗ୍ରାମୀଗଣ, କଟାଇଥିଲେ ବନ୍ଦୀ ଜୀବନ ଉଦଳା ସହରର ଉପ କାରାଗାରରେ ।
ଆଜି ସେହି ସ୍ୱାଧୀନତା ସଂଗ୍ରାମର କ୍ରାନ୍ତିତୀର୍ଥ ଶିଳଘାଟି ରହିଛି ଅବହେଳିତ ଅବସ୍ଥାରେ । ସରକାରଙ୍କ ନଜର ଟିକିଏ ବି ପଡ଼ୁନି । ସ୍ଥାନୀୟ ଅଞ୍ଚଳର ଲୋକଙ୍କ ବହୁ ଦିନର ଆଶା ବନ୍ଧକୁ ଖନନ କରାଯାଇ ଅଧିକ ଜଳ ଧାରଣା କ୍ଷମତା କରାଯାଇ ପାରିବ । ଇତିହାସ ପୃଷ୍ଠାରେ ସ୍ଥାନ ପାଇନଥିବା ଏଇ ସ୍ଥାନକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ କି କୌଣସି ସୂଚନା ଫଳକ ବି ନାହିଁ । କିଛି ମାସ ତଳେ କିଛି ସ୍ଥାନୀୟ ମାଣ୍ୟଗଣ୍ୟ ବ୍ୟକ୍ତିଙ୍କ ସହାୟତାରେ ନିର୍ମିତ ହୋଇଛି ଏକ ସ୍ମୃତି ସ୍ତମ୍ଭ ଯାହା !! ଏଭଳି ସ୍ଥଳୀ ପ୍ରତି କାହିଁକି ଯେ ସରକାରଙ୍କ ଉଦାସୀନତା ତାହା ବୋଧଗମ୍ୟ ହେଉନାହିଁ ।
– ସାଇ ପ୍ରକାଶ
Comments
ସାଇ ପ୍ରକାଶ ପେଶାରେ ଜଣେ ଇଞ୍ଜିନିୟର ଏବଂ ନିଶା ତାଙ୍କର ଫଟୋଗ୍ରାଫି ଓ ଟ୍ରାଭେଲ୍ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିବା ସହ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି ।