ଓଡ଼ିଶାରେ ସାରା ବର୍ଷ ଅନେକ ପର୍ବ ପର୍ବାଣୀ ପାଳନ ହୁଏ, ଆଉ ଅନେକ ଓଷା ବ୍ରତ ମଧ୍ୟ । କେଉଁ ବ୍ରତ ସ୍ୱାମୀ ପାଇଁ ସ୍ତ୍ରୀ କରେ ଆଉ କେଉଁଟି ପିଲାମାନଙ୍କ ପାଇଁ ମା’ମାନେ କରନ୍ତି। ସେମିତି ଏକ ଓଷା ହେଉଛି ଷଷ୍ଠୀ ଓଷା (Sasthi Osha) । ଭାଦ୍ରବ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଏହି ଓଷା ପାଳନ କରାହୁଏ ।
ତେବେ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ପ୍ରକାରେ ପାଳନ ହୁଏ ଏହି ଓଷା । ପିଲାଦିନୁ ଆମ ଘରେ ଯେମିତି ବିଧିରେ ପାଳନ ହୁଏ ସେ କଥା କହୁଛି ।
ସକାଳୁ ଆମେ ସମସ୍ତେ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି ବସୁ । ବୋଉ ଅଟାରେ ହଳଦୀ ମିଶାଇ ୬ଟି କଣ୍ଢେଇ ତିଆରି କରେ । ୬ ଖଣ୍ଡ ହଳଦୀ ଆଣି ସବୁଖଣ୍ଡରେ ୭ ଖିଅ ଧଳା କିମ୍ବା ହଳଦୀ ରଙ୍ଗ ସୂତା ଗୁଡ଼ାଏ । ଗୋଟିଏ ଜାଗାରେ ଗେରୁ ଲିପି ଚିତା ପକାଏ । ତା’ପରେ ଅଟାରେ ତିଆରି କଣ୍ଢେଇଙ୍କୁ ପିଢ଼ାରେ ବସାଇ ବସ୍ତ୍ର ପିନ୍ଧାଇ ଟୋପା ସିନ୍ଦୁର ଲଗାଏ, ଫୁଲରେ ସଜେଇ ଦିଏ ବୋଉ । ଆଉ ସୂତାରେ ଗୁଡ଼ା ହୋଇଥିବା ସେ ହଳଦୀ ଖଣ୍ଡ ସବୁ ବି ତାଙ୍କୁ ପିନ୍ଧାଇଦିଏ । ତା’ପରେ ବାଡ଼ିରୁ ଆଣିଥିବା ୭ଟି ଡାଳ ସେଗୁଡ଼ିକ ହେଉଛି ଅପାମାରଙ୍ଗ, ବଜ୍ରମୂଳି, ଅଁଳା, ଓଲ, ମଲ୍ଲୀ, ଇଟଳା, ଖଡ଼ା, ଇତ୍ୟାଦିକୁ କଣ୍ଢେଇଙ୍କ ପାଖରେ ରଖେ । ଷଷ୍ଠୀ ମା’ଙ୍କୁ ସୁମରି କଳସ ବସାଏ, ଚକୁଳି ପିଠା ଆଣି ଭୋଗ ପାଇଁ ରଖେ । ଆମେ ସମସ୍ତେ ବସିବା ପରେ ଆଗେ କଣ୍ଢେଇମାନଙ୍କୁ ଫୁଲ, ଦୁବ, ବରକୋଳି ପତ୍ର ଦେଇ, ଦୀପ ଦେଖାଇ ବନ୍ଦାଣ କରେ । ଆଉ ବାଡ଼ିରୁ ଆଣିଥିବା ଡାଳରେ ସେମାନଙ୍କୁ ୭ଥର ଲେଖାଏଁ ପିଟେ । ତା’ ପରେ ଆମ ସମସ୍ତଙ୍କୁ ଚନ୍ଦନ ସିନ୍ଦୂର ଲଗାଏ । ବନ୍ଦାଣ କରେ, ଆଉ ସେଇ ଡାଳରେ ୭ ଥର ଲେଖାଏଁ ପିଟେ । ପିଟିଲା ବେଳେ କୁହେ, “ହେ ମା ମୋ ପିଲାଙ୍କ ଦେହ ବଜ୍ର କରି ରଖିଥା’ ।”
ପୂଜା ସରିଲେ ସମସ୍ତେ ପିଠା ଖାଉ । ଠାକୁରଙ୍କୁ ଚଢ଼ା ହୋଇଥିବା ସୂତାରେ ଗୁଡ଼ା ହଳଦୀ ଖଣ୍ଡ ସବୁ ଆମ ହାତରେ ବାନ୍ଧି ଦିଏ ବୋଉ । ସେ ୬ କଣ୍ଢେଇ ମା’ ଷଠି ଓ ତାଙ୍କ ଭଉଣୀମାନେ ବୋଲି କୁହେ ବୋଉ ।
ପିଲାଙ୍କ ସୁରକ୍ଷା ପାଇଁ ଏହି ଓଷା କରାଯାଏ ଯାହା ଖୁବ ଆନନ୍ଦ ଦିଏ ।
– ବିଷ୍ଣୁପ୍ରିୟା ମହାପାତ୍ର
Comments
ବିଷ୍ଣୁପ୍ରିୟା ମହାପାତ୍ର ଓଡ଼ିଆ ତଥା ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।