ବାଇଶି ପାହାଚର ମାହାତ୍ମ୍ୟ ଯେତେ କହିଲେ ମଧ୍ୟ କେବେ ସରିବନି । କୁହାଯାଏ ବୈକୁଣ୍ଠକୁ ଯିବାକୁ ହେଲେ ବାଇଶି ପ୍ରକାର ତଳକୁ ପାର କରିବାକୁ ହୁଏ । ତା’ପରେ ଯାଇ ବୈକୁଣ୍ଠବିହାରୀଙ୍କ ଦର୍ଶନ ହୁଏ । ଠିକ୍ ସେମିତି ତୋ’ ବାଇଶି ପାହାଚ ପାର କରିବା ପରେ ହିଁ ଯାଇ ତୋ’ ଦିବ୍ୟ ଦର୍ଶନ ଲାଭ କରିହୁଏ । ଏମିତିରେ ହେ ହରିବିଷ୍ଣୁ ଯୁଗ ଯୁଗ ଧରି ଭକ୍ତମାନଙ୍କୁ ଉଦ୍ଧାର କରିବା ପାଇଁ ଆଉ ଦୁନିଆରେ ଧର୍ମର ସ୍ଥାପନା କରିବା ପାଇଁ ତୁ ଚବିଶ ଥର ଧରାବକ୍ଷରେ ଅବତାର ନେଇଥିଲୁ । ତା’ ମଧ୍ୟରୁ ବାଇଶିଟି ଅବତାର ସର୍ବତ୍ର ବିଦିତ । ଆଉ ସେଥିପାଇଁ ବୋଧେ ତୋ’ର ବାଇଶି ପାହାଚ ଅଛି । ବାଇଶି ପାହାଚ ମହିମା ସତରେ ଅନେକ । ସେଥିପାଇଁ ତ ପିତୃପୁରୁଷ ମଧ୍ୟ ଏହି ପାବନ ପାହାଚରେ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଲେ ପିଣ୍ଡ ପାଇ ପୁଣ୍ୟ ଲଭନ୍ତି । କୁହାଯାଏ ଏହି ବାଇଶି ପାହାଚରେ ପଡ଼ିଥିବା ଭକ୍ତଙ୍କ ପଦରେଣୁ ମୁଣ୍ଡରେ ମାରିଲେ ଜନ୍ମ ଜନ୍ମର ସମସ୍ତ ପାପ କ୍ଷୟ ହୁଏ । ଭକ୍ତମାନେ ସେଥିପାଇଁ ଗଡ଼ି ଗଡ଼ି ଯାଆନ୍ତି ଏହି ପବିତ୍ର ସ୍ଥାନରେ । ଛୋଟ ଶିଶୁମାନଙ୍କୁ ମଧ୍ୟ ଗଡ଼େଇ ଦେଇ ଗୁରୁଜନମାନେ ସେମାନଙ୍କ ଆରୋଗ୍ୟ ଆଉ ଦୀର୍ଘଜୀବନ କାମନା କରନ୍ତି ।
କେମିତି ହେବନି କହ ତ ଜଗା ଏହି ବାଇଶି ପାହାଚ ଏତେ ଚମତ୍କାରୀ? ଏହି ପାହାଚ ଦେଇ ପରା ତୁ ବଡ଼ ଦେଉଳରୁ ଓହ୍ଲେଇ ଆସୁ ନନ୍ଦିଘୋଷ ରଥ ଉପରେ ଚଢ଼ିବା ପାଇଁ… !! ତୋ’ ରଥଯାତ୍ରାର ମହିମା କ’ଣ ଶବ୍ଦରେ ବର୍ଣ୍ଣନା କରିହେବ କି କାଳିଆ… !! ପତିତଜନଙ୍କୁ ଉଦ୍ଧାର କରିବା ପାଇଁ, ସେମାନଙ୍କୁ ଟିକେ ଦର୍ଶନ ଦେବା ପାଇଁ ବରଷକୁ ଥରେ ରତ୍ନବେଦୀରୁ ତୁ ସ୍ଵୟଂ ଆସିଥାଉ ରଥାରୂଢ଼ ହୋଇ ଜନ୍ମବେଦୀକୁ ଯିବାକୁ… !!
ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହିଁ ତ ତୋ’ର ସବୁଠାରୁ ବିଶେଷ ପର୍ବରେ କାଳିଆ… !! ରାଣୀ ଗୁଣ୍ଡିଚାଙ୍କ ଭକ୍ତିରେ ପ୍ରୀତ ହୋଇ ତୁ ତାଙ୍କୁ ବରଦାନ ଦେଇଥିଲୁ ବର୍ଷକୁ ଥରେ ଶ୍ରୀମନ୍ଦିର ଛାଡ଼ି ଯିବୁ ତୁ ଗୁଣ୍ଡିଚା ମନ୍ଦିରକୁ ଆଉ ସେହି ଯାତ୍ରା ଶ୍ରୀଗୁଣ୍ଡିଚା ରଥଯାତ୍ରା ନାମରେ ବିଖ୍ୟାତ ହେବ । ଭାଇଭଉଣୀ ସହିତ ତୁ ବଡ଼ଦାଣ୍ଡର ଶୋଭା ବଢ଼େଇ ଦୌଡ଼ି ଆସୁ… !! ତୁ ଭଲ ରୂପେ ଜାଣିଛୁ ଯେ ତୋ’ର ଅଣହିନ୍ଦୁ ଭକ୍ତମାନେ ପ୍ରବେଶ କରି ପାରନ୍ତିନି ବଡ଼ଦେଉଳ ଭିତରକୁ । କିନ୍ତୁ ତୋ’ ଦର୍ଶନ ଟିକେ ପାଇବା ପାଇଁ ସେମାନେ କେତେ ବ୍ୟାକୁଳ ହୋଇ ଅନେଇ ରହିଥାନ୍ତି… କେବଳ ଏଥିପାଇଁ ତୁ ରଥରେ ବସି ସମସ୍ତଙ୍କୁ ଦର୍ଶନ ଦେଉ । କୁହାଯାଏ “ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ଲଭ୍ୟତେ ।” ଥରେ ତୋତେ ରଥ ଉପରେ ଦେଖିଦେଲେ ଆଉ ପୁନର୍ଜନ୍ମ ଚକ୍ରରେ ମଣିଷ ଘାଣ୍ଟି ହୁଏନି । ତେଣୁ ହେ କଳା ସାଆନ୍ତେ… ତିନି ରଥରେ ଚଢ଼ି ତିନି ଦିଅଁ ଚତୁର୍ଦ୍ଧା ମୂର୍ତ୍ତି ଜନ ସମୁଦ୍ର ଭିତରକୁ ଚାଲିଆସ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ । ସେଦିନ ଅପୂର୍ବ ଶୋଭାରେ ସଜ୍ଜିତ ହୋଇ ଟାହିଆ ପିନ୍ଧି ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଯେତେବେଳେ ତିନି ଠାକୁର ଜଗନ୍ମୋହନ ପାଖରେ ପହଞ୍ଚିଯାଅ କୋଟି କୋଟି ଭକ୍ତଙ୍କ ଆଖି ଲୁହରେ ଭିଜିଯାଇଥାଏ… !! ହାତୀ ଝୁଲି ଝୁଲି ଆସିଲା ପରି ତୁ ଝୁଲି ଝୁଲି ଆସିଥାଉ । ସତେ ଯେମିତି ଛୋଟ ଶିଶୁଟି ନୂଆ ନୂଆ ଗୁରୁଣ୍ଡି ଚାଲିବା ଶିଖିଥାଏ ଠିକ୍ ସେହିପରି ଲାଗେ ଜଗା । ମୁଁ ଭାବେ ତୋ’ର ଏହି ଅପୂର୍ବ ଚାଲିବା ଶୈଳୀ ଦ୍ଵାରା ତୁ ଜଗତକୁ ସନ୍ଦେଶ ଦେଉଛୁ ଯେ ଆମେ ସମସ୍ତେ ସବୁବେଳେ ଛୋଟ ଛୁଆ ପରି କିଛି ନା କିଛି ଶିକ୍ଷା ଲାଭ କରୁଛୁ । ଏଣୁ ବଡ଼ ବୋଲି ଗର୍ବ କରିବା ଅନାବଶ୍ୟକ ।
ସେବାୟତମାନଙ୍କ ଦେହରେ ଘଷି ହୋଇ… ସେମାନଙ୍କ କାନ୍ଧରେ ହାତରେ ଭରା ଦେଇ ତୁ ସତରେ ଦୌଡ଼ି ଦୌଡ଼ି ଆସୁ… ସତେ ଯେମିତି ଛୁଆମାନେ ନିଜ ମାତୁଳ ଗୃହକୁ ଦୌଡ଼ି ଯାଇଥାଆନ୍ତି… !! ତାଳଧ୍ଵଜ, ନନ୍ଦିଘୋଷ, ଦର୍ପଦଳନ ରଥ ତିନୋଟି ଶ୍ରୀମନ୍ଦିର ଆଗରେ ଅପେକ୍ଷା କରି ରହିଥାଏ । ସତେ ଯେମିତି ଯାତ୍ରା ପାଇଁ ବାହନ ପ୍ରସ୍ତୁତ ହୋଇ ରହିଥାଏ… !! ତୋ’ ଦେହରେ ସେନାପଟା ବନ୍ଧା ହୋଇଥାଏ । ଆଉ ଏହି ସେନାପଟାକୁ ତୋ’ର ରକ୍ଷାକବଚ ବୋଲି କୁହାଯାଏ । କି ମାନବୀୟ ଲୀଳାରେ କାଳିଆ… !!
ଅକ୍ଷତୃତୀୟା ଦିନ ତୋ’ ରଥକାମ ଆରମ୍ଭ ହୁଏ । ବିଶ୍ଵକର୍ମାମାନେ ଦିନରାତି ଧରି ଲାଗି ପଡ଼ନ୍ତି ତୋ’ ରଥ ତିଆରି କରିବାରେ । ରଥ ନିର୍ମାଣ ସହିତ ସାରଥୀ ଓ ଘୋଡ଼ା ମଧ୍ୟ ତିଆରି କରାଯାଇଥାଏ । ଆଜ୍ଞାମାଳ ବିଜେ ହେବା ପରେ ରଥ ବଡ଼ ଦେଉଳ ଆଗରେ ଆସି ଲାଗି ଯାଇଥାଏ । ଆଉ ତା’ପରେ ଅପେକ୍ଷା କରି ରହିଥାଏ ତୋ’ ଆସିବା ବାଟକୁ । ଚାରମାଳ ବନ୍ଧା ହେବା ପରେ ତା’ ଉପରେ ଚଢ଼ି ତୁ ରଥ ଉପରେ ବିରାଜମାନ ହେଉ । ଟାହିଆ ଖୋଲି ଦିଆଯାଏ । ଚାରମାଳ ଫିଟାଇ ଦିଆଯାଏ । ଆଉ ରଥ ଦଉଡ଼ି ଯୋଖି ଦିଆଯାଏ । ତା’ ପରେ ଭକତମାନଙ୍କୁ ଡାହୁକ ଡକା ଦିଏ… “ଓ ଭକତେ…” ଆଉ ତା’ ପରେ ଘୋର ଘର୍ଘର ନାଦରେ ଗଡ଼ିଚାଲେ ତୋ’ ରଥ… ମାଉସୀମା ମନ୍ଦିର ଆଡ଼କୁ… !!
ତା’ ଆଗରୁ ଏକ ବିଶେଷ ନୀତି ସମ୍ପାଦିତ ହୁଏ । ଛେରା ପହଁରା ନୀତି । ତା’ ସହିତ ଯୋଡ଼ି ରହିଥିବା କାହାଣୀ ଆଜି ମଧ୍ୟ ଶୁଣିଲେ ଲୋମ ଟାଙ୍କୁରିଦିଏ… !!
ଗଜପତି ପୁରୁଷୋତ୍ତମ ଦେବ ନିଜ ଲାଗି ଏକ ପଦ୍ମିନୀ କନ୍ୟା ଖୋଜୁଥିବା ବେଳେ କାଞ୍ଚି ରାଜକୁମାରୀ ପଦ୍ମାବତୀ ହିଁ ସେଥିପାଇଁ ଯୋଗ୍ୟା ବୋଲି ଶୁଣି ସର୍ବସମ୍ମତି କ୍ରମେ କାଞ୍ଚିରାଜାଙ୍କୁ ତାଙ୍କ ସହିତ ବିବାହ ପାଇଁ ପ୍ରସ୍ତାବ ପଠେଇ ଥିଲେ । କିନ୍ତୁ କାଞ୍ଚିରାଜ ନିଜ ଅହଙ୍କାରରେ ଗଜପତି ଛେରା ପହଁରା କରୁଥିବାରୁ ସେ ଜଣେ ଝାଡ଼ୁଦାର ବୋଲି କହି ନିଜ କନ୍ୟା ସହ ତାଙ୍କର ବିବାହ ପାଇଁ ସହମତି ପ୍ରକାଶ ନ କରିବାରୁ ଗଜପତି ଆଗପଛ ବିଚାର ନ କରି ଯୁଦ୍ଧ କରିବାକୁ ଆଗେଇ ଯାଇଥିଲେ । କିନ୍ତୁ ପରାସ୍ତ ହୋଇ ଫେରି ଆସିଥିଲେ । ଅପମାନ ଆଉ ଦୁଃଖରେ ମ୍ରିୟମାଣ ହୋଇ ତୋ’ ଆଗରେ ନିଜର ଅସହାୟତାକୁ ବର୍ଣ୍ଣନା କରିଥିଲେ । ତୋ’ ରଥ ଉପରେ ଛେରା ପହଁରା କରୁଥିବାରୁ ସେ କ’ଣ ନ୍ୟୁନ ହୋଇଗଲେ କି ବୋଲି କହି ଭାଙ୍ଗିପଡ଼ିଲେ । ଏହି ଘଟଣା ସମଗ୍ର ଓଡ଼ିଆ ଜାତିର… ଓଡ଼ିଆ ପରମ୍ପରାର ଅପମାନ ବୋଲି ସେ ନିଜକୁ ଧିକ୍କାର କରିବାକୁ ଆରମ୍ଭ କଲେ । ସେତେବେଳେ ତୁ ତାଙ୍କୁ ଦ୍ଵିତୀୟଥର କାଞ୍ଚି ଅଭିଯାନରେ ବାହାରିବାକୁ ନିର୍ଦ୍ଦେଶ ଦେଲୁ । ସେ ପ୍ରାୟ ଭୁଲି ଯାଇଥିଲେ ନିଜର ଶୌର୍ଯ୍ୟକୁ… !! ପରାଜିତ ହେବା ପରେ ପୁନଃ କିପରି ନିଜକୁ ସେ ପ୍ରସ୍ତୁତ କରି ପାରନ୍ତେ ଯୁଦ୍ଧ ପାଇଁ?? ତେଣୁ ଅମଙ୍ଗ ହେଉଥିଲେ । କିନ୍ତୁ ତୁ ତାଙ୍କୁ ଅଭୟ ଦେଇ ତାଙ୍କ ସହିତ ଯୁଦ୍ଧ କରିବାକୁ ଯିବୁ ବୋଲି ବଚନ ଦେଲୁ । ତୋ’ କଥା ଅଦ୍ଭୁତ କାଳିଆ… ଯାହା ମନରେ ଦମ୍ଭ ଆଣିବାକୁ ଚାହୁଁ ନିଶ୍ଚୟ ଆଣି ଦେଇପାରୁ । ଯେମିତି ମହାଭାରତ ଯୁଦ୍ଧରେ ଭାଙ୍ଗି ପଡ଼ିଥିବା ଅର୍ଜୁନଙ୍କୁ କର୍ମ କରିବାକୁ ପ୍ରେରଣା ଦେଇ ଗୀତାଜ୍ଞାନ ପ୍ରଦାନ କରିଥିଲୁ… !!
ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଅଗାଧ ଭକ୍ତି କାରଣରୁ ପୁରୀର ଗଜପତି ମହାରାଜ ତୋ’ର ପ୍ରଥମ ସେବକ ହିସାବରେ ଗଣା ଯାଆନ୍ତି । ଆଉ ତୁ ତାଙ୍କ ସହିତ ସିଧା ସଳଖ କଥାବାର୍ତ୍ତା ମଧ୍ୟ କରୁ । ସେଇ କାରଣରୁ ସେଦିନ ପୁରୁଷୋତ୍ତମ ଦେବଙ୍କୁ ମଧ୍ୟ ନିଜ ଅଭୟ ବଚନ ପ୍ରଦାନ କରିଥିଲୁ । ସେ ତୋ’ କଥାରେ ବିଶ୍ୱାସ କରି ପୁନଃ କାଞ୍ଚି ଅଭିଯାନରେ ବାହାରିଥିଲେ… !! କିନ୍ତୁ ମନରେ ଅଳ୍ପ ସଂଶୟ ଅବଶ୍ୟ ଥିଲା… ମହାପ୍ରଭୁ କ’ଣ ସତରେ ତାଙ୍କ ସହିତ ଯୁଦ୍ଧ କରିବାକୁ ସ୍ଵୟଂ ଆସିବେ??
କଳା ଘୋଡ଼ା ଧଳା ଘୋଡ଼ା ଚଢ଼ି ବଳଭଦ୍ର ମହାପ୍ରଭୁଙ୍କ ସହିତ ତୁ ନିଜେ ଆଗେଇ ଆସିଥିଲୁ ଯୋଦ୍ଧା ରୂପରେ । ପ୍ରବଳ ପ୍ରତାପୀ କଳିଙ୍ଗ ସେନାର ପ୍ରମୁଖ ସେନାନୀ ହୋଇ ଘୋଡ଼ା ଛୁଟେଇ ଆଗେଇ ଚାଲିଥିଲୁ । ବାଟରେ ପ୍ରତୀକ୍ଷା କରିଥିଲା ମାଣିକ ଗଉଡ଼ୁଣି… !! ନିଃସନ୍ତାନ ହୋଇଥିବାର ଦୁଃଖ ତାକୁ ଅଥୟ କରି ପକାଉଥିଲା । ତଥାପି ସେ ନିଜ କର୍ତ୍ତବ୍ୟ ଆଉ ତୋ’ ପ୍ରତି ଥିବା ତା’ ଭକ୍ତିରେ କୌଣସି ପ୍ରକାରେ ଉଣା କରି ନ ଥିଲା । ପହଞ୍ଚିଗଲୁ ତୁ ଭକତବତ୍ସଳ ସେଇଠି ଆଉ ତାକୁ “ମା” ସମ୍ବୋଧନ କରି ତା’ ପାଖରୁ ଦହି ଟିକେ ମାଗିଲୁ ପିଇବା ପାଇଁ ।
ଆତୁର ହୋଇ ଅପେକ୍ଷା କରିଥିଲା ବୋଧେ ମାଣିକ… ଠିକ୍ ସେହିପରି… ଯେପରି ଅପେକ୍ଷା କରିଥିଲା ଶବରୀ ବର୍ଷ ବର୍ଷ ଧରି ତୋ’ ଆସିବା ବାଟକୁ… !! ଠିକ୍ ଯେମିତି ସେ ଅପେକ୍ଷା କରିଥିଲା ତୁ କେବେ ଆସିବୁ ଆଉ କେବେ ତା’ ହାତରୁ ଫଳ ଖାଇ ତାକୁ ଧନ୍ୟ କରିବୁ… !! ମାତୃତ୍ୱର ଅପୂର୍ବ ମମତା ନେଇ ତା’ ଧନକୁ ଯେମିତି ଖଟା ପିତା କି କଷା ଖାଇବାକୁ ହେବନି ସେଇୟା ଭାବି ସବୁତକ ଫଳ ନିଜେ ଆଗ ଚାଖି ଦେଉଥିଲା ଆଉ ମିଠା ମିଠା ବାଛି ବଢ଼େଇ ଦେଉଥିଲା ତୋ’ ପାଟିକୁ… !! ଭକତ ଭାବରେ ବନ୍ଧା ତୁ ଭାବଗ୍ରାହୀ ସେହି ଅଇଁଠା ଫଳସବୁ କେତେ ଖୁସିରେ ଖାଇ ଚାଲିଥିଲୁରେ… !! ତୋ’ର ଏମିତି କାମରେ ଲକ୍ଷ୍ମଣ କେତେ ବିରକ୍ତ ହୋଇ ଚାଲିଥିଲେ… ତ୍ରିଭୁବନ ପାଳକ ହୋଇ ତୁ ଶବରୀ ଅଇଁଠା ଖାଉଥିବା କଥା ତାଙ୍କୁ ବ୍ୟଥିତ କରି ଦେଉଥିଲା । କିନ୍ତୁ ତୁ ଅବିଳମ୍ବେ ଦେଖେଇ ଦେଇଥିଲୁ ତୋ’ ଅଦ୍ୱିତୀୟ ପ୍ରଭୂପଣ… !! ଯାହା ଭକ୍ତର ହୃଦୟ ନିସୃତ ଭାବ ଟିକକ ଛଡ଼ା ଆଉ କିଛି ବି ଖୋଜିନି । ଆଉ ଆଜି କେମିତି ଚୁପ୍ ରହିଥାନ୍ତୁ ତୁ?? ପଚଣ୍ଡ ଖରାରେ ତୋ’ ପାଟି ଶୁଖିଯାଉଥିବା ଦେଖି ମାଣିକ ବଢ଼େଇ ଦେଲା ଘୋଳଦହି… !!
ସତ କହିବୁ ତ ଜଗା… ସେ ଦହି ଖାଇ ତୁ ଗୋପ ଲଳନାଙ୍କୁ ମନେ ପକେଇ ଥିଲୁ ନା?? ସେମାନଙ୍କ ସ୍ନେହ ପରଶ ସହିତ ଲବଣୀ ଯେତେ ସ୍ଵାଦିଷ୍ଟ ଲାଗୁଥିଲା ସେମିତି ତୋତେ ସ୍ଵାଦିଷ୍ଟ ଲାଗିଲା ନା ସେହି ମାଣିକ ହାତର ଦହି?? ଦହି ଖାଇ ତୁ ଚାଲି ଯିବାକୁ ବାହାରି ଥିଲୁ । କିନ୍ତୁ ଭକ୍ତ ମନ ତୋତେ କ’ଣ ଏତେ ସହଜରେ ଯିବାକୁ ଦେଇଥାନ୍ତା କି? ସେ ଚାହୁଁଥିଲା ତୁ ଆଉ କିଛି ସମୟ ତା’ ସହିତ ରହି ଥାଆନ୍ତୁ । ସେଥିପାଇଁ ତ ସେ କହିଦେଲା ଯେ ପାଉଣା ନ ପାଇଲେ ତୋତେ ଯିବାକୁ ଦେବନି । ତୁ ତ ଭକତ ଭାବରେ ବନ୍ଧାରେ କାଳିଆ । ଭକତ ପାଖରେ ବନ୍ଧା ପଡ଼ିବାକୁ ବହୁତ୍ ଭଲ ପାଉ । ଆଉ ସେଥିପାଇଁ ଆଙ୍ଗୁଠିରେ ପିନ୍ଧିଥିବା ରାଜ ମୁଦ୍ରିକା ଦେଇଦେଲୁ ମାଣିକକୁ । ଆଉ କହିଲୁ ସେହି ମୁଦି ଦେଖେଇବ ସେ ଓଡ଼ିଆ ଜାତିର ମଉଡ଼ମଣୀଙ୍କୁ । ସେ ହିଁ ସେହି ଦହିର ପ୍ରକୃତ ମୂଲ୍ୟ ତାକୁ ଦେଇଦେବେ… !!
ସେଇୟା ହେଲା । ତୁ ପୁଣି ଘୋଡ଼ା ଛୁଟେଇ ଆଗକୁ ଚାଲିଗଲୁ । ପଛରେ ମଣିମା ତାଙ୍କ ଅନ୍ୟ ସୈନ୍ୟ ସାମନ୍ତ ସହିତ ଆସି ପହଞ୍ଚିଲେ ମାଣିକ ପାଖାପାଖି । ନିଜେ ଖୋଜି ହେଉଥିଲେ ବଡ଼ ଠାକୁରଙ୍କୁ… ସେ ସତରେ ତାଙ୍କ ସହିତ କାଞ୍ଚିକୁ ଯିବେ ତ?? ଅଧା ରାସ୍ତାରେ ଅଟକାଇ ମାଣିକ ତାଙ୍କୁ ଦେଖେଇଥିଲା ତୋ’ର ନାମାଙ୍କିତ ରତ୍ନ ମୁଦି… !! ଆଉ ଦୁଇ କଳା ଧଳା ସୈନିକଙ୍କୁ ପିଏଇଥିବା ଦହି ବାବଦରେ ମାଗିଥିଲା କିଛି ଅର୍ଥ… !!
ଆଖିରୁ ଅନବରତ ଆନନ୍ଦାଶ୍ରୁ ବାହାରିଥିଲା ପୁରୁଷୋତ୍ତମ ଦେବଙ୍କର । ଧନ୍ୟ ତୁ ମାଣିକ… ତୁ ସ୍ଵୟଂ କାଳିଆ ବଳିଆ ଠାକୁରଙ୍କୁ ନିଜ ହାତରେ ଦହି ପିଏଇଛୁ କହି ତୁରନ୍ତ ତା’ ନାମରେ ସେହି ଗ୍ରାମର ନାମ ମାଣିକପାଟଣା ରଖି ଦେଇଥିଲେ । ଆଉ ତୋ’ ଅପାର କରୁଣାରୁ ସେ ମାତୃତ୍ଵର ଅମୀୟ ସ୍ପର୍ଶ ମଧ୍ୟ ପାଇଥିଲାରେ କାଳିଆ… !!
ଧନ୍ୟ ତୁ ଆଉ ଧନ୍ୟ ତୋ’ ଭକ୍ତ ବତ୍ସଳତା… !!
କ୍ରମଶଃ…
– ମଧୁମିତା ମିଶ୍ର
Comments
ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।