ସଖୀ:
କାହିଁ ଗଲେ ସଖା, ତାଙ୍କ
ବଂଶୀସ୍ୱର ଶୁଭେନି କାନକୁ,
ଚାଲିଗଲେ କି ଶ୍ୟାମ
ଚନ୍ଦ୍ରାବଳୀ ସଦନକୁ?
ସଖା:
ଯାଏ ଯେବେ ଚନ୍ଦ୍ରାବଳୀ ଅବା
ରାଧାର ସଦନେ,
ସଖୀ ରହି ଥାଏ ଚିର
ପ୍ରାଣ ସଖା ଅନ୍ତର୍ମନେ ।
କର୍ତ୍ତବ୍ୟର ଆବାହନେ
କରେ ପ୍ରେମ ନିବେଦନ,
ସଖୀର ଡାକକୁ ସଖା
ଡେରି ଥାଏ ବେନି କର୍ଣ୍ଣ ।
କ୍ଷଣିକ ବିଳମ୍ବ କିବା
ସଖୀ ସହିପାରେ ନାହିଁ,
ଈର୍ଷା କାତର ପ୍ରେମ
ପ୍ରମାଣ ହୁଅଇ ।
ଐଶ୍ୱରୀୟ ବନ୍ଧନ ସେ
କୃଷ୍ଣ-କୃଷ୍ଣା ଭାବ,
ମୂହୁର୍ତ୍ତେ ବିଚ୍ଛେଦ ଲାଗେ
ସତେ ଏକ ଯୁଗ ।
ସହସ୍ର ଗୋପୀଙ୍କ ମେଳେ
ଥାଇ ବି ମୋହନ,
ତୁମ କଥା ଭାବେ ସଖୀ
କର ନାହିଁ ଅଭିମାନ ।
ସଖୀ
ଯଦି ତୁମେ ଅଛ ସଖା
ସଭା ମଧ୍ୟେ ହେଲା କିମ୍ପା ଅପମାନ,
ପ୍ରତି ପଦକ୍ଷେପେ କେହି ଜଣେ
ଦୁଃଶାସନ କରେ ବିବସନ ।
ଭାଗ୍ୟେ ଯଦି ଲେଖା ଅଛି
ସଖା ଏତେ ହୀନିମାନ,
କୁହ କେଉଁ ମହତ ଉଦ୍ଦେଶ୍ୟେ
ଦେଲ ମୋତେ ଏଇ ନାରୀ ଜନ୍ମ?
ସଖା
ସଖୀ ଗୋ….
ବିଶ୍ୱାସ ଅତୁଟ, ସ୍ନେହ ବି ଅତୁଟ,
ପୁଣି କିମ୍ପା ହୁଅ ବିଚଳିତ?
ଯୁଗ ଯୁଗ ପାଇଁ କୃଷ୍ଣ କୃଷ୍ଣାର,
ସାଥେ ଅଛି ମୁହିଁ ଅବିରତ ।
କାଳର ଗତିରେ ସମସ୍ତେ ବିବଶ,
କାଳର ଉର୍ଦ୍ଧ୍ୱରେ ମୁହିଁ,
ପାପୀ କିଏ ତାକୁ ଚିହ୍ନାଇବା ପାଇଁ,
ଜନ୍ମିଛ ତ ନାରୀ ହୋଇ ।
ଦୁଷ୍ଟ ଦୂର୍ଯ୍ୟୋଧନ କରି ପାରେ ସିନା
ତୁଚ୍ଛ ଶରୀର ବିବସନ,
ତୁମ ଆତ୍ମାରେ ମୁଁ ବିରାଜିତ,
ତାହା କି ହେଇପାରେ ମଳିନ ।
ଶରୀରର ଭ୍ରମେ ପଡ଼ ନାହିଁ ସଖୀ,
ଏହି ଧରା ଧାମେ ନଷ୍ଟ ହେବ ।
ଦୁଇ ହାତ ଟେକି ସମର୍ପଣ କର,
ମୋ ହୃଦୟେ ସଦା ବିରାଜିବ ।
ବିବାହ ବନ୍ଧନ ପାଞ୍ଚ ପତି ପୁତ୍ର
ସବୁ କିଛି ମିଛ ମୋହ,
କୃଷ୍ଣା କୃଷ୍ଣର, କୃଷ୍ଣ କୃଷ୍ଣାର
ନିଶ୍ଚିନ୍ତ ହୋଇ ରୁହ ॥
– ବିଶ୍ୱନାଥ କିଙ୍କର ରାଉତ
Comments

ବିଶ୍ୱନାଥ କିଙ୍କର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।