You are currently viewing କରୋନା ପାଇଁ ସତର୍କ ଘଣ୍ଟି
CoronaVirus

କରୋନା ପାଇଁ ସତର୍କ ଘଣ୍ଟି

ଯଦି ଆପଣମାନେ ସାଙ୍ଗମାନଙ୍କ ସହିତ ବୁଲୁଛନ୍ତି, ରେଷ୍ଟୁରାଣ୍ଟକୁ ଯାଉଛନ୍ତି, ଏବଂ ଭାବୁଛନ୍ତି କରୋନା କିଛି ନୁହେଁ, ତେବେ ସଜାଗ ହେବା ଆରମ୍ଭ କରିଦିଅନ୍ତୁ ।
ଆଉ ହଁ ଏହି ନିମ୍ନଲିଖିତ ପ୍ରସଙ୍ଗଟି ନିଶ୍ଚିତ ରୂପେ ପଢ଼ନ୍ତୁ, ଯାହାକି ଜଣେ ଇଟାଲୀୟ ନାଗରିକଙ୍କ ଲେଖାର ଅନୁବାଦ ଅଟେ ।

“ପୃଥିବୀବାସୀ, ତୁମମାନଙ୍କର ଲେଶ ମାତ୍ର ଜ୍ଞାନ ନାହିଁ ଯେ ତୁମ ପାଖକୁ କ’ଣ ଆସୁଛି?” (ଥେନସ୍ ଆସୁଛି…. ନା, ତା’ଠାରୁ ବି ଭୟଙ୍କର ହେଇପାରେ ଏହି ଘଟଣା ।)

“ଯେହେତୁ ସମସ୍ତେ ଜାଣନ୍ତି, କରୋନା ଭୁତାଣୁ ଆକ୍ରାନ୍ତ ହେବାରୁ ଇଟାଲୀ ଏବେ କ୍ଵାରେଣ୍ଟିନରେ ଅଛି ।
ଏହି ଅବସ୍ଥା ଅତ୍ୟନ୍ତ ଖରାପ, କିନ୍ତୁ ସବୁଠାରୁ ଖରାପ ହେଉଛି ଅବଶିଷ୍ଟ ପୃଥିବୀବାସୀ ଏପରି ଆଚରଣ କରୁଛନ୍ତି ଯେପରି ସେମାନଙ୍କ ସହିତ କିଛି ଘଟିବ ନାହିଁ ।
ଆମେ ଜାଣୁ ତୁମେ କ’ଣ ଭାବୁଛ, କାରଣ ଦିନ ଥିଲା, ଆମେ ମଧ୍ୟ ତୁମ ସ୍ଥାନରେ ଥିଲୁ ।”

ଆସନ୍ତୁ ଦେଖିବା ଜିନିଷଗୁଡ଼ିକ କିପରି ବିକଶିତ ହେଲା…

ପ୍ରଥମ ପର୍ଯ୍ୟାୟ:

ଆପଣ ଜାଣିବାକୁ ପାଇଲେ ଯେ ଯେ କରୋନା ଭାଇରସ୍ କିଛି ଅଛି ଏବଂ ପ୍ରଥମ ମାମଲା ଆପଣଙ୍କ ଦେଶରେ ଦେଖାଯିବା ଆରମ୍ଭ କରେ ।

“ହେ.., ଚିନ୍ତା କରିବାର କିଛି ନାହିଁ, ଏହା କେବଳ ଏକ ଥଣ୍ଡାଜ୍ୱର ବେମାର ! ମୁଁ ତ ୭୫+ ବୟସର ନୁହେଁ, ମୋର କରୋନା କ’ଣ ଓପାଡ଼ିବ? ମୁଁ ସୁରକ୍ଷିତ, ସମସ୍ତେ ଗୋଟେ ଅଯଥାରେ ପ୍ରତିକ୍ରିୟାଶୀଳ ହେଉଛନ୍ତି ନା !! ହାତ ଧୋଇବା, ଏତେ ପରିଷ୍କାର ପରିଚ୍ଛନ୍ନ ହେବାର ଆବଶ୍ୟକତା କ’ଣ? ମୁଁ ଯେମିତି, ସେମିତି ରହିବି, ଅଯଥା ମୁଣ୍ଡ ଖେଳେଇବା କିଛି ଦରକାର ନାହିଁ ।”

ଦ୍ଵିତୀୟ ପର୍ଯ୍ୟାୟ:

ମାମଲା ଓ ରୋଗୀ ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ହେବା ଆରମ୍ଭ କରେ

ସରକାର “ରେଡ୍ ଜୋନ୍” ଘୋଷଣା କରନ୍ତି ଏବଂ ଗୋଟିଏ ଦୁଇଟି ଛୋଟ ସହରକୁ କ୍ଵାରେଣ୍ଟିନ କରନ୍ତି ଯେଉଁଠାରେ ପ୍ରଥମ ମାମଲା ପାଇଥିଲେ ଏବଂ ବହୁ ଲୋକ ସଂକ୍ରମିତ ହୋଇଥିଲେ (ଫେବୃଆରୀ ୨୨) ।

“ହୁଁ… ଘଟଣାଟା ବଡ଼ ଦୁଃଖଦାୟକ ଏବଂ କିଛି ମାତ୍ରାରେ ଚିନ୍ତାଜନକ ମଧ୍ୟ । କିନ୍ତୁ ସରକାର ଏହାର ଯତ୍ନ ନେଉଛନ୍ତି ନା ! କିଛି ଲୋକ ମଲେଣି, କିନ୍ତୁ ସେମାନେ ସମସ୍ତେ ବୁଢ଼ା । ଗଣମାଧ୍ୟମ କେବଳ ଆତଙ୍କ ସୃଷ୍ଟି କରୁଛି, ଧିକ୍ ସେ ମିଡ଼ିଆବାଲାଙ୍କୁ ଧିକ୍ । ଆଗରୁ କ’ଣ ମହାମାରୀ ହଉ ନଥିଲା? ଲୋକମାନେ ପୁଣି ବଞ୍ଚୁଥିଲେ ଆଉ ଜୀବନକୁ ଆଗେଇ ନେଉଥିଲେ ନା ନାହିଁ… କରୋନା ମତେ ଖାଇଯାଉନି । ଆମର ଏଠି ସମସ୍ତେ ଭଲ ଅଛନ୍ତି ।”

ତୃତୀୟ ପର୍ଯ୍ୟାୟ:

ମାମଲା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗୋଟିଏ ଦିନରେ ପ୍ରାୟ ଦୁଇଗୁଣ ହୋଇଛି । ଅଧିକ ମୃତ୍ୟୁ ଘଟିବା ଆରମ୍ଭ କରିଛି । ଚାରୋଟି ଅଞ୍ଚଳ ଯେଉଁଠାରେ ଅଧିକାଂଶ ମାମଲା ପଞ୍ଜିକୃତ ହୋଇଛି (ମାର୍ଚ୍ଚ ୭), ସରକାର ରେଡ୍ ଜୋନ୍ ଘୋଷଣା କରନ୍ତି ଓ କ୍ଵରେଣ୍ଟିନ କରିଦିଅନ୍ତି । ଇଟାଲୀରେ ୨୫% କାଉଣ୍ଟି କ୍ଵରେଣ୍ଟିନରେ ଅଛି ।

ଏହି ଅଞ୍ଚଳରେ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ବନ୍ଦ ଅଛି କିନ୍ତୁ ବାର, କାର୍ଯ୍ୟାଳୟ, ରେଷ୍ଟୁରାଣ୍ଟ ଇତ୍ୟାଦି ଖୋଲା ଅଛି । ଏହି ନିୟମ କିଛି ଖବରକାଗଜ ଦ୍ୱାରା ପ୍ରକାଶିତ ହୁଏ । କିନ୍ତୁ ହଠାତ୍ ରେଡ୍‌ ଜୋନ୍‌ର ପ୍ରାୟ ଦଶ ହଜାର ଲୋକ ସେହି ରାତିରେ ସେହି ଅଞ୍ଚଳରୁ ପଳାୟନ କରି ଇଟାଲୀରେ ଅବସ୍ଥିତ ନିଜ ନିଜ ଘରକୁ ଫେରିଯାନ୍ତି (ଏହାପରେ ଗୁରୁତ୍ୱପୂର୍ଣ୍ଣ ହେବ) ।

ଇଟାଲୀର ଅବଶିଷ୍ଟ ୭୫% ଜନସଂଖ୍ୟାର ଅଧିକାଂଶ ଲୋକ ଏଯାବତ୍ ନିଜର ପୂର୍ବ ଜୀବନଧାରା ଅବ୍ୟାହତ ରଖନ୍ତି । ଲୋକମାନେ ତଥାପି ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରନ୍ତି ନାହିଁ । ଯେଉଁଆଡ଼େ ଯାଆନ୍ତି, ସରକାର ହାତ ଧୋଇବାକୁ ପରାମର୍ଶ ଦିଅନ୍ତି, ସାମାଜିକ ସମାବେଶକୁ ବାରଣ କରାଯାଏ, ଟିଭି/ମିଡିଆରେ ପ୍ରତି ମିନିଟରେ ଆପଣଙ୍କୁ ଏହି ନିୟମ ମନେ ପକାଇ ଦିଆଯାଏ । କିନ୍ତୁ, ତଥାପି ଏହା ଲୋକଙ୍କ ମନରେ ଭରସା ପାଇନାହିଁ ।

ଚତୁର୍ଥ ପର୍ଯ୍ୟାୟ:

ମାମଲା ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି । ଅତିକମରେ ଏକ ମାସ ପାଇଁ ବିଦ୍ୟାଳୟଗୁଡ଼ିକ ସବୁ ସ୍ଥାନରେ ବନ୍ଦ ରହିଛି । ଏହା ଏକ ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି । ଡାକ୍ତରଖାନାଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ଅଛି, କରୋନା ରୋଗୀଙ୍କ ପାଇଁ ସ୍ଥାନ ସୃଷ୍ଟି କରିବାକୁ ସମ୍ପୂର୍ଣ୍ଣ ୟୁନିଟ୍ ଖାଲି ହେଉଛି । ବର୍ତ୍ତମାନ, ପର୍ଯ୍ୟାପ୍ତ ଡାକ୍ତର ଏବଂ ନର୍ସ ନାହାଁନ୍ତି । ଅବସରପ୍ରାପ୍ତ ଡାକ୍ତର ଏବଂ ଡାକ୍ତରୀ ଛାତ୍ରମାନଙ୍କୁ ଡକାହେଉଛି । ଆଉ କୌଣସି ଶିଫ୍ଟରେ କାମ ହେଉନାହିଁ । ଡାକ୍ତର ଓ ନର୍ସ ଯେତେ ସମ୍ଭବ କାମ କରି ଚାଲିଛନ୍ତି । ଡାକ୍ତର ଏବଂ ନର୍ସମାନେ ସଂକ୍ରମିତ ହେଉଛନ୍ତି ଏବଂ ଏହାକୁ ନିଜ ପରିବାରରେ ବିସ୍ତାର କରୁଛନ୍ତି ।

ନିମୋନିଆର ବହୁତଗୁଡ଼ିଏ ମାମଲା ସୃଷ୍ଟି ହୋଇଛି, ଲୋକେ ବର୍ତ୍ତମାନ ଆଇସିୟୁ ଆବଶ୍ୟକ କରୁଛନ୍ତି ଏବଂ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ଯୁଦ୍ଧକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି; ଡାକ୍ତରମାନେ ବଞ୍ଚିବାର ସୁଯୋଗକୁ ଆଧାର କରି କାହାକୁ ଚିକିତ୍ସା କରିବେ ଓ କାହାକୁ ନ କରିବେ ତାହା ଚୟନ କରୁଛନ୍ତି । ଏହାର ଅର୍ଥ ବୃଦ୍ଧ ଏବଂ ଆଶୁ ଚିକିତ୍ସା/ହୃଦ୍‌ରୋଗୀ ଚିକିତ୍ସିତ ହୋଇପାରିବେ ନାହିଁ । କାରଣ କରୋନା ରୋଗର ପ୍ରାଥମିକତା ରହିଛି । ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ହେଇ ପାରୁନାହିଁ ।

ଆପଣମାନଙ୍କୁ ଏଯାବତ୍ ଲାଗୁଥିବ ଯେ, ମୁଁ ଥଟ୍ଟା କରୁଛି, କିନ୍ତୁ ଇଟାଲୀରେ ଏହା ପ୍ରକୃତରେ ଘଟିଛି । ପର୍ଯ୍ୟାପ୍ତ ସ୍ଥାନ ନ ଥିବାରୁ ଲୋକମାନେ ମରିବା ଆରମ୍ଭ କରିଛନ୍ତି । ଜଣେ ଡାକ୍ତର ବନ୍ଧୁ ହତାଶ ହୋଇ ଫୋନ୍ କରିଲେ, କାରଣ ଏକକାଳୀନ ତିନୋଟି ମୃତ୍ୟୁକୁ ସେ ରୋକି ପାରିଲେ ନାହିଁ । ନର୍ସମାନେ କାନ୍ଦୁଛନ୍ତି, କାରଣ ସେମାନେ ଦେଖୁଛନ୍ତି ଯେ କିଛି ଅମ୍ଳଜାନ ଦେବା ବ୍ୟତୀତ ସେମାନେ ଆଉ କିଛି କରିପାରୁ ନାହାନ୍ତି । ଜଣେ ବନ୍ଧୁଙ୍କ ସମ୍ପର୍କୀୟ ଗତକାଲି କରୋନାରେ ମୃତ୍ୟୁବରଣ କରିଲେ, କାରଣ ସେମାନେ ତାଙ୍କୁ ଚିକିତ୍ସା କରିପାରିଲେ ନାହିଁ ।

ବର୍ତ୍ତମାନ ସବୁ ସ୍ଥାନରେ ବିଶୃଙ୍ଖଳା, ବ୍ୟବସ୍ଥା ଭୁଶୁଡ଼ି ପଡ଼ୁଛି । କରୋନାଭାଇରସ୍ ଏବଂ ଏହା ସୃଷ୍ଟି କରିଚାଲିଛି ସଙ୍କଟ- ଏହାହିଁ ଆପଣ ଚାରିଆଡ଼େ ଶୁଣି ଚାଲିଛନ୍ତି ।

ପଞ୍ଚମ ପର୍ଯ୍ୟାୟ:

ମନେ ଅଛି ଯେଉଁ ଦଶ ହଜାର ମୂର୍ଖ ରେଡ୍‌ ଜୋନ୍‌ରୁ ପଳାୟନ କରି ବାକି ଇଟାଲୀରେ ନିଜ ଘରକୁ ଚାଲି ଆସିଥିଲେ?

ସେମାନଙ୍କ ହେତୁ, ବର୍ତ୍ତମାନ ସମଗ୍ର ଦେଶକୁ କ୍ଵରେଣ୍ଟିନ ଘୋଷଣା କରିବାକୁ ପଡ଼ିବ (ମାର୍ଚ୍ଚ ୯) ।

ଲକ୍ଷ୍ୟ: ଯଥାସମ୍ଭବ ଜୀବାଣୁ ବିସ୍ତାର କରିବା ପ୍ରକ୍ରିୟାରେ ବିଳମ୍ବ କରିବା ।

ଲୋକମାନେ କାମକୁ ଯାଇପାରିବେ, ସଉଦା/ପରିବା କିଣି ପାରିବେ, ଔଷଧ କିଣି ପାରିବେ, ଏବଂ ଏ ସମସ୍ତ ବ୍ୟବସାୟ ଖୋଲା ଅଛି । ଅନ୍ୟଥା ଅର୍ଥନୀତି ନଷ୍ଟ ହୋଇଯିବ (ଏହା ପୂର୍ବରୁ ମଧ୍ୟ ହୋଇଛି), କିନ୍ତୁ ଯଦି ଆପଣଙ୍କର ଏକ ବଳିଷ୍ଠ କାରଣ ନଥାଏ ତେବେ ଆପଣ ଆପଣଙ୍କର କମ୍ୟୁନିଟିରୁ ବାହାରକୁ ଯାଇପାରିବେ ନାହିଁ ।

ବର୍ତ୍ତମାନ ମନକୁ ଭୟ ଆସିଛି, ମାସ୍କ ଏବଂ ଗ୍ଲୋଭସ୍ ସହିତ ଅନେକ ଲୋକଙ୍କୁ ଦେଖୁଛନ୍ତି କିନ୍ତୁ ତଥାପି କିଛି ଲୋକ ଅଛନ୍ତି ଯେଉଁମାନେ ଭାବୁଛନ୍ତି ଯେ ସେମାନେ ଭଗବାନ, ବଡ଼ ବଡ଼ ଗୋଷ୍ଠୀ ହୋଇ ରେଷ୍ଟୁରାଣ୍ଟକୁ ଯାଉଛନ୍ତି, ସାଙ୍ଗମାନଙ୍କ ସହିତ ପିଇବା ଲାଗି ବାର୍‌କୁ ଯାଉଛନ୍ତି ଏବଂ ଆହୁରି ଅନେକ ।

ଷଷ୍ଠ ପର୍ଯ୍ୟାୟ:

ଦୁଇ ଦିନ ପରେ, ଘୋଷଣା କରାଯାଇଛି ଯେ ସମସ୍ତ (ଅଧିକାଂଶ) ବ୍ୟବସାୟ ବର୍ତ୍ତମାନ ବନ୍ଦ ଅଛି: ବାର୍, ରେଷ୍ଟୁରାଣ୍ଟ, ସପିଂ ସେଣ୍ଟର, ସମସ୍ତ ପ୍ରକାର ଦୋକାନ ଇତ୍ୟାଦି । ଖାଦ୍ୟ ସାମଗ୍ରୀ ଏବଂ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସବୁକିଛି । ଯଦି ତୁମ ସହିତ ସାର୍ଟିଫିକେଟ୍ ଅଛି ତେବେ କେବଳ ତୁମେ ବାହାରେ ବୁଲାବୁଲି କରିପାରିବ । “ସାର୍ଟିଫିକେଟ୍” ହେଉଛି ଏକ ଅଫିସିଆଲ୍ ଦସ୍ତାବେଜ ଯେଉଁଠାରେ ତୁମେ ନାମ ଘୋଷଣା କର, କେଉଁଠାରୁ ଆସୁଛ, କେଉଁଠାକୁ ଯାଉଛ ଏବଂ କ’ଣ ପାଇଁ ଯାଉଛ ।

ବର୍ତ୍ତମାନ ଆମେ ଅନେକ ପୋଲିସ୍ ଚେକ୍ ପଏଣ୍ଟ ଦେଖୁଛୁ । ଯଦି ଆପଣ ବୈଧ କାରଣ ବିନା ବାହାରେ ଦେଖାଯାଉଛନ୍ତି ତେବେ ଆପଣଙ୍କୁ ୨୦୬ ୟୁରୋର (ପାଖାପାଖି ୧୭୦୦୦/- ଭାରତୀୟ ମୁଦ୍ରା) ଜୋରିମାନା କରାଯାଉଛି । ଯଦି ଆପଣ ଜଣେ ଜଣାଶୁଣା କରୋନା ରୋଗୀ, ତୁମେ ଏହି ଜଘନ୍ୟ ଅପରାଧ ପାଇଁ ୧ ରୁ ୧୨ ବର୍ଷ ଜେଲଦଣ୍ଡ ହେବାର ଆଶଙ୍କା ଅଛି ।

ଅନ୍ତିମ ଚିନ୍ତାଧାରା:

ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ଆଜିର ପରିସ୍ଥିତି ଏପରି । ମନେରଖନ୍ତୁ ଯେ ଏହା ମାତ୍ର ଦୁଇ ସପ୍ତାହ ମଧ୍ୟରେ ଘଟିଛି…
ତୃତୀୟ ପର୍ଯ୍ୟାୟରୁ ଆଜି ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଦିନ । ଇଟାଲୀ, ଚୀନ୍ ଏବଂ କୋରିଆ ବ୍ୟତୀତ ବାକି ବିଶ୍ୱ ବର୍ତ୍ତମାନ ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିବା ଆରମ୍ଭ କରିଛି, ତେଣୁ ଏତିକି କହିରଖୁଛି ଯେ, “ଆଲିଙ୍ଗନ କରିବାକୁ କ’ଣ ଆସୁଛି ତୁମର କୌଣସି ଧାରଣା ନାହିଁ ।”

“ମୁଁ ଜାଣେ କାରଣ ୨ ସପ୍ତାହ ପୂର୍ବରୁ ମୁଁ ମଧ୍ୟ ସେହି ବ୍ୟକ୍ତି ଥିଲି, ଯାହାର କୌଣସି ଧାରଣା ନଥିଲା ଏବଂ ଯଦିଓ ଏହା ଏତେ ଖରାପ ମଧ୍ୟ ନଥିଲା । କିନ୍ତୁ ଏହା ସତ୍ୟ ଅଟେ ।”

କେବଳ ଭୂତାଣୁ ବିଶେଷ ବିପଜ୍ଜନକ କିମ୍ବା ମାରାତ୍ମକ ତାହା ନୁହେଁ, ବରଂ ଏହା ଆଣିଥିବା ସମସ୍ତ ପରିଣାମ ପାଇଁ ଏହା ବିପଦଜନକ । ଆଜି ବି ଏପରି ଅନେକ ଦେଶ ଅଛନ୍ତି ଯେ ବ୍ୟବହାର କରୁଛନ୍ତି ଯେପରି କରୋନା କେବେ ତାଙ୍କ ନାଗରିକଙ୍କୁ ଛୁଇଁବ ନାହିଁ ଯଦିଓ ସମସ୍ତ ସାଧନ ତାଙ୍କ ପାଖରେ ମହଜୁଦ ଅଛି ।

ଦୟାକରି ଯଦି ଆପଣ ଏହାକୁ ପଢ଼ୁଛନ୍ତି, ତେବେ ଆପଣ ଓ ଆପଣଙ୍କ ସମାଜର ଉତ୍ତମ ସ୍ୱାର୍ଥ ଓ ହିତରେ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଏହି ସମସ୍ୟାକୁ ଅଣଦେଖା କଲେ ଏହା ଆପେ ଆପେ ସମାଧାନ ହୋଇଯିବ ନାହିଁ । ଚିନ୍ତା କରୁଛି କେବଳ ଆମେରିକାରେ କେତେ ଅଜ୍ଞାତ ମାମଲା ଥାଇପାରେ, ଏବଂ ଏହା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରେ କାରଣ ସେମାନଙ୍କ ଦେଶ ଯେପରି ପରିଚାଳିତ ହେଉଛି । ଆମ ସରକାର ଗୋଟିଏ ଭଲ କାମ କଲା ବୋଲି ମୁଁ ନିଶ୍ଚୟ କହିବି । କାରଣ, ନିଆଯାଇଥିବା ପନ୍ଥାଗୁଡ଼ିକ କଠୋର କିନ୍ତୁ ଆବଶ୍ୟକ ଥିଲା, ଏବଂ ବିସ୍ତାରକୁ ସୀମିତ ରଖିବାରେ ହୁଏତ ଏହା ଏକମାତ୍ର ଉପାୟ ହୋଇପାରେ ।

ଏହା ଚାଇନାରେ କାମ କରୁଛି, ତେଣୁ ଆମେ ଆଶା କରୁଛୁ ଏହା ମଧ୍ୟ ଏଠାରେ କାମ କରିବ (ଏହା ପୂର୍ବରୁ କିଛି ରେଡ୍ ଜୋନ୍‌ରେ କାମ କରିସାରିଛି ଯାହା ଅନ୍ୟମାନଙ୍କ ସମ୍ମୁଖରେ ରଖାଯାଇଛି) ।

ଆମ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ଯେପରିକି ବୋଧହୁଏ ଆସନ୍ତା ମାସ ପାଇଁ ବନ୍ଧକ ଦେୟ ସ୍ଥଗିତ ରଖିବା, ଯେଉଁ ଦୋକାନୀମାନେ ଦୋକାନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ସେହି ମାଲିକଙ୍କ ପାଇଁ ସହାୟତା, ଇତ୍ୟାଦି ।

ମୁଁ ହୃଦୟଙ୍ଗମ କରେ ଯେ କେତେକ ଦେଶରେ ଏପରି ପନ୍ଥା ଗ୍ରହଣ କରିବା ପ୍ରକୃତରେ କଷ୍ଟସାଧ୍ୟ, ଯଦିଓ ଅସମ୍ଭବ ନୁହେଁ, ଏବଂ ବିଶ୍ୱ ସ୍ତରରେ ଏହାର ଅର୍ଥ କ’ଣ ହୋଇପାରେ ତାହା ଚିନ୍ତା କରିବା ପ୍ରକୃତରେ ଚିନ୍ତାଜନକ ବିଷୟ ଅଟେ । ମୁଁ ଭାବୁଛି ଏହି ମହାମାରୀ ଆମ ସମାଜରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ କି?

ଯଦି ଆପଣ ଯେଉଁଠାରେ ରହୁଛନ୍ତି ସେଠାରେ ଏପରି ଘଟଣା ଘଟୁଛି, ତେବେ ଜୀବାଣୁ ବିସ୍ତାର ହେଉଛି, ଏବଂ ଆପଣ ହୁଏତ ଆମଠାରୁ ଏକ-ଦୁଇ ସପ୍ତାହ ପଛରେ ଅଛନ୍ତି । କିନ୍ତୁ ଆପଣ ଶେଷରେ ଆମ ପର୍ଯ୍ୟାୟରେ ପହଞ୍ଚିବେ । ଦୟାକରି ସତର୍କତା ଅବଲମ୍ବନ କରନ୍ତୁ ଯାହାକୁ ଆପଣଙ୍କ ପାଇଁ ପ୍ରଯୁଜ୍ୟ ଓ ଉପଯୁକ୍ତ ।

“କରୋନା ତୁମ ପାଖକୁ କେବେବି ଆସିବ ନାହିଁ, ସେଭଳି ଚିନ୍ତାଧାରା ଓ କାର୍ଯ୍ୟ କରନ୍ତୁ ନାହିଁ । ଯଦି ପାରୁଛନ୍ତି, ଯେତେ ସମ୍ଭବ ଘରେ ରୁହନ୍ତୁ ।”

– – – X – – –

ଅନୁବାଦକ: ବିକାଶ ରଞ୍ଜନ ରଥ
ମୂଳ ରଚନା: ୟୋନା (Yano)

ମୂଳ ଟୁଇଟ୍

ଅନୁବାଦିତ ଟୁଇଟ୍

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।