ଜଗନ୍ନାଥ ପ୍ରେମ
ଜଗନ୍ନାଥ ପ୍ରେମ

ଜଗନ୍ନାଥ ପ୍ରେମ

ପଙ୍କିଳ ଶରୀରୁ ପଙ୍କପକ୍ଷୀ ଜନ୍ମି
ନଲାଗେ ତନୁରେ ପଙ୍କ,
ପାପଗୃହେ ସତ୍ୟ ମାନବେ ଖୋଜିଲେ
ନାଶ ହେବ କଳିଅଙ୍କ ।୧।

ନୋହିଲେ ଧନରେ ନିଜେ ନାଶ ଯିବା
ଜନମିବ କଳିପୁତ୍ର,
ମହାକଳି ରୂପ ଧାରଣ କରିବ
ନେଇ ଅଗ୍ନି-ବାୟୁ ମିତ୍ର ।୨।

ସମୀର ବହୁଛି ଅଗ୍ନି ଯୋଗ ହୋଇ
କଳି ଛାଡ଼ୁଅଛି ରବ,
ଦେଖୁ ଦେଖୁ ଲୋକ ମରି ପଡୁଛନ୍ତି
ଅଂଶୁଘାତେ ଲିନ ଶବ ।୩।

ସଞ୍ଚରୁଛି ଏଠି ଅନେକ ରାକ୍ଷସ
ଜିଅନ୍ତା ଜଳୁଛି ଶବ,
ବାପ ପୁଅ କଳି ନୋହୁଛି ସମ୍ଭାଳି
ଧିକ ମଣିଷତ୍ୱ ଭାବ ।୪।

ବିଜୁଳି ଉଛୁଳି ନର ଯାଏ ଟଳି
ଜଳି ଜଳି ଛାଡ଼େ ରାବ,
ପୋଡ଼ା ଶରୀରକୁ କେହି ନ ଚିହ୍ନନ୍ତି
ପଚି ଷଢ଼ି ଯାଏ ଶବ ।୫।

ନିତ୍ୟ କର୍ମ ଯେତେ ଭୁଲିଲେ କେମନ୍ତେ
ଦେଖାଣିଆ ତୀର୍ଥଯାତ,
ସାଧୁସନ୍ଥ ଏଠି ବିଶ୍ଵାସ ନୋହିଲା
କୁକର୍ମେ ଭ୍ରମିଲେ ପଥ ।୬।

ଦୁଘର୍ଟଣା ସବୁ ଘଟୁଛି ଅନେକ
ଦିଶେ ନାହିଁ ଆମ୍ଭଠାରେ,
ଠାକୁର ନିନ୍ଦନ ଗୁରୁଜନ ଘୃଣ୍ୟ
ପାଷାଣ୍ଡ ବର୍ବର କରେ ।୭।

ନାହିଁ ବୁଦ୍ଧି ଜ୍ଞାନ ଘୋର କଳିକାଳେ
ଅଚାନକ ରଣ କରେ,
ଶୁଦ୍ଧ ବୁଦ୍ଧି ଚିତ୍ତ ହଜିଲା କେମନ୍ତ
କଣ୍ଟକିତ ପଥେ ମରେ ।୮।

ନୁହେଁ ମୁଁ ଭକତ ନୁହେଁ ସାଧୁସନ୍ଥ
ଯାହା ଦେଖେ ତାହା ଲେଖେ,
କାଳିଆ ସାଆଁନ୍ତ ହେବେ କିବା ଶାନ୍ତ
କଳିକୁ ଧ୍ଵଂସିବେ ନିଶ୍ଚେ ।୯।

ମୁଖେ ନାରାୟଣ ଦନ୍ତରେ ତିରଣ
ଚରଣେ ତୁମର ଗଲି,
ଦିବ୍ୟ ଜଗନ୍ନାଥ ଭକତ ସାମର୍ଥ୍ୟ
ଭଜରାମ କରେ ଅଳି ।୧୦।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu