ଆଟଲାସ୍ ଉବାଚ (The Speaking Atlas)
ଆଟଲାସ୍ ଉବାଚ

ଆଟଲାସ୍ ଉବାଚ (The Speaking Atlas)

ପ୍ରଥମ ଦୃଶ୍ୟ: ୮ ମାର୍ଚ୍ଚ ୨୦୧୮, ଗୁରୁଗ୍ରାମ, ହରିୟାଣା

“ଛୋଟ ମୋର ଗାଁ ଟି
ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁ ଟି…”

ସଚ୍ଚି ରାଉତରାୟଙ୍କ ଏହି କବିତାକୁ ନବେ ଦଶକରେ ଆମ ଦୂରଦର୍ଶନ (ଡିଡି ଓଡ଼ିଆ)ରେ ପ୍ରଥମଥର ପାଇଁ ଦେଖି ମୋ ଆଇଙ୍କ ଖୁସି କହିଲେ ନ ସରେ… ସେତେବେଳେତ ଆଜିକାଲି ପରି ଶହ ଶହ ଚ୍ୟାନେଲ୍‌‌ ନଥିଲା । ସେ ଯୁଗରେ ଯଦି ଗୁଗୁଲ୍ ମାନଚିତ୍ର ଥା’ନ୍ତା, ହୁଏତ ମୁଁ କବି ମହୋଦୟଙ୍କୁ ସମ୍ବେଦନା ଦେଇ କହି ପାରିଥାନ୍ତି ଯେ “ଏଥିରେ ଦୁଃଖ କରିବାର କ’ଣ ଅଛି? ଭୂଗୋଳ ବହିରେ ଯଦି ନାହିଁ ଆମ ଆଟଲାସ୍‌ କି ଗୁଗୁଲ ମାନଚିତ୍ରରେ ତ’ ଅଛି । ଯଦି ନାହିଁ ଆମେ ମିଳିମିଶି ଆମର ସେଇ ଛୋଟ ପଲ୍ଲି ଗାଁ’ଟିକୁ କ’ଣ ଯୋଡ଼ିଦେଇ ପାରିବାନି ଆଟଲାସ୍ କି ଗୁଗୁଲ୍‌ ମାନଚିତ୍ରରେ? ବିଜ୍ଞାନ ପରା କେତେ ଆଗେଇଲାଣି !!! ଆମ ଗୁରୁଗ୍ରାମରେ ତ’ ଗୁଗୁଲ୍‌ର ଅଫିସ ଅଛି ମୁଁ ସେ’ଠି ମାନବ ସମ୍ବଳ ସଂଶାଧନ ବିଭାଗରେ କାମ କରେ, ଦରକାର ପଡ଼ିଲେ ଆମେ ସେ’ଠିକି ଯିବା- ଆମ ବୈଜ୍ଞାନିକଙ୍କୁ ମିଶିବା”… ସ୍ୱପ୍ନରେ ନିକ୍ୱଣ (Nikon)ର ଏହି ଯୁକ୍ତିକୁ ମୁଁ ଚୁପ୍‌ଚାପ୍‌ ଶୁଣୁଥାଏ ।

ଆଟଲାସ୍: MKCG ମେଡିକାଲ କ୍ୟାମ୍ପସ୍‌ ହାଇସ୍କୁଲ (ବ୍ରହ୍ମପୁର)ରେ ପଢ଼ୁଥିବା ବେଳେ ତୃତୀୟ ଶ୍ରେଣୀରେ ପ୍ରଥମ ଦେଖା ହୁଏ ମୋର ନିକ୍ୱଣ ସହିତ । ଦୀର୍ଘ ୨୨ ବର୍ଷର ମୋର ଘନିଷ୍ଠ ସମ୍ପର୍କ ତା’ ସହ । ମୋ ବିନା ଭୂଗୋଳ ବିଷୟ ପଢ଼ିବା ଓ ପଢ଼ାଇବା ଯେ ଅସମ୍ଭବ ଜାଣିଲେ ମୁଁ ନିଜକୁ ଖୁବ ଗର୍ବ ଅନୁଭବ କରେ । ହଁ, ମୁଁ ସେଇ ତୁମର ପ୍ରିୟ ଆଟଲାସ୍ । ଅଜନ୍ତା, ଅକ୍ସଫୋର୍ଡ଼, ମ୍ୟାକ୍‌ମିଲନ୍, ଇତ୍ୟାଦି ଇତ୍ୟାଦି ନାନା ଅବତାରରେ ମୁଁ ଦେଶ ବିଦେଶର ବହିଦୋକାନ, ପାଠାଗାର, ଆମାଜନ୍ ଅନ୍ ଲାଇନ୍‌ରେ ବିଭିନ୍ନ ଭାଷାରେ ମୁଁ ଉପଲବ୍ଧ ।

ଶୁଦ୍ଧ ଓଡ଼ିଆରେ ମୋ ନାଁ ‘ଭୂଚିତ୍ରାବଳୀ’.. କିନ୍ତୁ ଆମ ବହି ଦୋକାନରେ ଭୂଚିତ୍ରାବଳୀ ବୋଲି ମାଗିଲେ ଆପଣଙ୍କୁ ନିରାଶ ହେବାକୁ ପଡ଼ିପାରେ । ବୈଦେଶିକ ଶବ୍ଦ ଆଟଲାସ୍‌ର ବହୁଳ ବ୍ୟବହାରର ଏଇ କରାମତି ବୋଲି ନିକ୍ୱଣର ଓଡ଼ିଆ ଶିକ୍ଷକ ନୀରଦ ସାର୍‌ କହନ୍ତି ।

ନିକ୍ୱଣ: ‘ଅବତାର !’ ତୁ କ’ଣ ପ୍ରଭୁ ଜଗନ୍ନାଥ?
ଆଟଲାସ୍: ନା, ମୁଁ କ’ଣ ଭୁଲ କହିଲି କି? ଅବତାର ନହେଲେ ‘ବେଶ’ ! ପ୍ରଭୁ ଜଗନ୍ନାଥଙ୍କ ଯେପରି ହାତୀ ବେଶ, ସୁନା ବେଶ, ଚନ୍ଦନ ଲାଗି ବେଶ, ବଣଭୋଜି ବେଶ, ଆହୁରି ଅନେକ ବେଶ ଅଛି ମୋର ବି ସେମିତି ମାନଚିତ୍ର ବେଶ, ଗ୍ଲୋବ ବେଶ, ଗୁଗୁଲ ମ୍ୟାପ ବେଶ ବୋଲି ପଞ୍ଚମ ଶ୍ରେଣୀରେ ମହାପାତ୍ର ଦିଦି କହୁଥିଲେ MKCG ମେଡିକାଲ କ୍ୟାମ୍ପସ୍‌ ହାଇସ୍କୁଲ ରେ ।

ନିକ୍ୱଣ (ସ୍ୱପ୍ନରେ ହସି ହସି): ହଁ ସତ କଥା ! ଆଛା, ତୋ’ର ମନେ ଅଛି ଆମର ପ୍ରଥମ ଦେଖା ସାକ୍ଷାତ କଥା?
ଆଟଲାସ୍: ମୁଁ କେମିତି ଭୁଲି ଯିବି ଯେ? ବିଜୟ ବୁକ ଷ୍ଟୋର୍‌ରୁ ମଉସା ମୋତେ ନେଇ ଆସିଥିଲେ । ସେ ଥିଲା ମୋର ଅଜନ୍ତା ଅବତାର । ମୋ ଭାଷା ଥିଲା ଓଡ଼ିଆ ।
ନିକ୍ୱଣ: ହଁ… ଓଡ଼ିଆ ଭାଷା ପରା ମୋ ମାତୃଭାଷା । ମୁଁ ପ୍ରାଞ୍ଜଳ ଭାବେ ସାମାଜିକ ପାଠ ବୁଝିପାରିବି ବୋଲି ନନାଙ୍କ ମତ ଥିଲା । ହେଲେ ବୋଉର ମତ ଥିଲା ଟିକେ ଅଲଗା । ବୋଉ ତ’ ମୋତେ ଇଂରାଜୀ ମାଧ୍ୟମ କି ସୈନିକ ସ୍କୁଲରେ ପଢ଼ାଇବା ପାଇଁ ଜିଦି ଧରିଥିଲା- “ହିନ୍ଦୀ ମିଡିଅମ” ଚଳଚ୍ଚିତ୍ରର ମିତା ମାଉସୀ ଓରଫ ସାବା ମାଉସୀଙ୍କ ପରି, କିନ୍ତୁ ମୁଁ ଓଡ଼ିଆ ମାଧ୍ୟମ ରେ ପଢ଼ି ଆଜି ପ୍ରତିଦ୍ୱନ୍ଦିତା ମୂଳକ ଯୁଗରେ ପଛରେ ପଡ଼ି ଯାଇନାହିଁ !! ନନାଙ୍କୁ ମୋର ଧନ୍ୟବାଦ ଏଥିପାଇଁ…

ଆଟଲାସ୍: ହଁ ମାଉସୀ କହୁଥିଲେ ଯଦି ଇଂରାଜୀ କହି ପରୁଥାନ୍ତି, ମୁଁ ତୋର ଉଚ୍ଚ ଶ୍ରେଣୀରେ ବି କାମରେ ଆସିଥାନ୍ତି, କିନ୍ତୁ ମଉସା ସବୁବେଳେ ବର୍ତ୍ତମାନରେ ବିଶ୍ୱାସ ରଖନ୍ତି ।
ନିକ୍ୱଣ: ହଁ ନନା, ବୋଉକୁ ବୁଝାଇ କହି ଦେଇଥିଲେ ମୁଁ ବଡ଼ ହେଲା ପରେ ଆଉ ଏକ ଇଂରାଜୀ ଆଟଲାସ୍ ଆଣି ଦେବେ ନି କି?

ଦ୍ଵିତୀୟ ଦୃଶ୍ୟ: ୨୨ ବର୍ଷ ପୂର୍ବେ (୮ ମାର୍ଚ୍ଚ ୧୯୯୬), ବ୍ରହ୍ମପୁର, ଓଡ଼ିଶା

ଆଇ: ନିକ୍ୱଣ, ଆଟଲାସ୍‌ରେ ଆମ ଗାଁଟିକୁ ଦେଖାଇଲୁ… ମୁଁ ଚଷମା ନେଇ ଆସେ ।
(ନିକ୍ଵଣ ତା’ର ଅଜନ୍ତା ଆଟଲାସ୍‌ର ଗଞ୍ଜାମ ଜିଲ୍ଲା ପୃଷ୍ଠାରେ ଭଞ୍ଜନଗର ପାଖରେ ଖୋଜିବାରେ ବ୍ୟସ୍ତ ତା’ର ମାମୁଁ ଘର ଗାଁ… ହେଲେ ପାଇଲାନି)
ଆଇ: ନିକ୍ୱଣ ପାଇଲୁ? ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା ପାଖାପାଖି ଥିବ, ଭଲ ରେ ଖୋଜ ।
ନିକ୍ୱଣ: ନା ଆଇ, ପାଇଲିନି ।
ଆଟଲାସ୍: ସେଦିନ ମୁଁ ବି ନିଜକୁ ନିଃସହାୟ ମନେ କରୁଥିଲି ଆଇଙ୍କୁ ଦେଖି । ସେଇ ସମୟରେ ନିକ୍ୱଣର ବଡ଼ ଭଉଣୀ କାନନ ନାନୀ ଆସି ଯା’ନ୍ତି ପାଠ ପଢ଼ା ସାରି ।
କାନନ (Canon): ପୁଣି ଥରେ କୋଉ ପଲ୍ଲି ଖୋଜା ଚାଲିଛି ଆଇ-ନାତିଙ୍କର? ଅଜା ତ’ ‘ପଲ୍ଲିଶ୍ରୀ’ ଦେଖି କିଛି ଶିଖିବେ ଓ ପ୍ରୟୋଗ କରିବେ ଗାଁକୁ ଯାଇ.. ହେଲେ ତୁମେ ଆଇ ନାତିଙ୍କର ବୃଥା ପରିଶ୍ରମ ।
ଆଇ: ଆମ ଗାଁ ଟି ପରା ! ଖୋଜି ପାଇଲୁନି ।
କାନନ: ଆଛା ! ଭୂଗୋଳ ପୋଥି ବହି ଭୁଲି ଯା’ ଆଇ.. ଓଡ଼ିଆ ଆଟଲାସ୍‌ରେ ବି ପାଇଲନି । ଏତେ ନିପଟ ମଫସଲ ଗାଁ’କୁ କିଏ କାହିଁକି ଆଟଲାସ୍‌ରେ ଯୋଡ଼ି ଦେବ?
ନିକ୍ୱଣ: ନାଁ ଆଇ.. ଆମ ଗଞ୍ଜାମରେ ଏମିତି ଛୋଟ ବଡ଼ ହୋଇ ୩୨୫୦ଟି ଗାଁ ଅଛି । ଗୋଟିଏ ପୃଷ୍ଠାରେ କ’ଣ ସବୁ ଛାପିବା ସମ୍ଭବ?
ଆଟଲାସ୍: ଆଇକୁ ସେଦିନ ସାନ୍ତ୍ୱନା ଦେବା ପାଇଁ ନିକ୍ୱଣର ପ୍ରୟାସକୁ ମାନିବାକୁ ପଡ଼ିବ । ବୋଧହୁଏ ସେଥିପାଇଁ ଆଇ ତାକୁ ଟିକେ ଅଧିକ ସ୍ନେହ ଆଦର କରେ ! ଗପୁ ଗପୁ ମୁଁ ଟିକେ ଅଧିକ ଗପିଦେଲି ବୋଧେ !

ଯୁଗ ବଦଳିଛି । ରୁଚି ବଦଳୁଛି । ପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶ ପରି ମୋର ଆଉ ଏକ ନୂତନ ବେଶ ଗୁଗୁଲ ମାନଚିତ୍ର ଆସିଯାଇଛି ୨୦୦୫ ମସିହାରୁ । ଆଣ୍ଡରଏଡ୍, ଆଇ ଫୋନ ଆପରେ.. ସେ ଯୁଗରେ ମୁଁ ଥିଲେ ବୋଧହୁଏ ବିଦ୍ୟାପତିଙ୍କୁ ନୀଳମାଧବଙ୍କ ସନ୍ଧାନ ପାଇଁ ବିଶ୍ୱାବସୁ କିମ୍ୱା ସୋରିଷ ଚାରା ଉପରେ ନିର୍ଭର କରିବାକୁ ପଡ଼ି ନଥାନ୍ତା ବୋଲି ଅଜା କହନ୍ତି, ମୁଁ ସେସବୁ ଶୁଣି ମୋର ପର ପିଢ଼ୀଙ୍କ ପାଇଁ ଗର୍ବ ଅନୁଭବ କରେ । ଆଜିବି ମୋର ଚାହିଦା କମି ଯାଇନି । ଆଜି ବି ସ୍କୁଲ କଲେଜରେ ଭୂଗୋଳ ପଢ଼ୁଥିବା ପ୍ରତିଟି ଛାତ୍ରଛାତ୍ରୀଙ୍କ ମୁଁ ପ୍ରିୟ । ମୋର ଏମିତି ଅନେକ ଅନୁଭୂତି ରହିଛି । କହୁଥିଲେ ସରିବନି । ଆଜି ପାଇଁ ଏତିକି.. “ନବପଲ୍ଲବ”ର ଆଗାମୀ ସଂସ୍କରଣରେ ମୁଁ ଆଉ ଏକ ଅଭୁଲା ଅନୁଭୂତିକୁ ନେଇ ଆସିବି… ମୁଁ ତୁମ ପ୍ରିୟ ଆଟଲାସ୍… ମୋତେ ମୋଟେ ଭୁଲିବେନି….

(ଏହି ଲେଖାଟି ଭୂଗୋଳରେ ରୁଚି ରଖିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଓ ମୋର ପ୍ରଥମ ଆଟଲାସ୍ ଉଦ୍ଦେଶ୍ୟରେ ସମର୍ପିତ । ଏହି ଲେଖାଟି ଝରି ଯାଇଥିଲା ମୋର ପ୍ରଥମ ଆଟଲାସ୍ ପାଇଁ ଯେଉଁଦିନ ଗୁରୁଗ୍ରାମରୁ ବହୁତ ଦିନ ପରେ ବ୍ରହ୍ମପୁର ଆସି ଦେଖେ ମୋର ଆଟଲାସ୍‌ଟି ଆଉ ନାହିଁ । ଉଇଙ୍କ ଉପଦ୍ରବରେ ସେ କ୍ଷତାକ୍ତ ଛିନ୍ନ ବିଛିନ୍ନ । ଆଉ ବ୍ୟବହାର ଉପଯୋଗୀ ନଥିଲା ବୋଲି ନନା ତାକୁ କବାଡ଼ିବାଲାକୁ ମାଗଣାରେ ଦେଇ ଦେଇଥିଲେ । ତା’ ପାଇଁ ଆଖିରୁ ଦି’ ଧାର ଲୁହ ବି ଆସି ଯାଇ ଥିଲା…)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu