You are currently viewing ସ୍ୱର୍ଣ୍ଣପ୍ରସବିନୀ ଭାରତମାତା
ସ୍ୱର୍ଣ୍ଣପ୍ରସବିନୀ ଭାରତମାତା

ସ୍ୱର୍ଣ୍ଣପ୍ରସବିନୀ ଭାରତମାତା

ହିମାଳୟଠାରୁ କୁମାରିକା ଯାଏ
ସ୍ୱର୍ଣ୍ଣପ୍ରସବିନୀ ଭାରତମାତା
ପୁଣ୍ୟତୋୟା ପୁଣି ସୁଚିସ୍ମିତା ସିଏ
ସିଏ ଶତଦଳ ସ୍ନିଗ୍ଧା ଶୋଭିତା

ମା’ ଦୁର୍ଗା ସାହସେ ସମ୍ବର୍ଦ୍ଧିତା ସିଏ
ଲକ୍ଷ୍ମୀଙ୍କ ସମ୍ପଦେ ସେ ଅଳଂକୃତା
ବୀଣାବାଦିନୀଙ୍କ ସଙ୍ଗୀତ ମୂର୍ଚ୍ଛନା
ବିମୋହିତା ପୁଣି ସିଏ ବନ୍ଦିତା

ମୋ ମାଆର ମାଟି ପୁଣ୍ୟମୟୀ ଏଠି
ବେଦ ତା’ର ଦିଏ ବିସ୍ମୟ ବାର୍ତ୍ତା
ବ୍ୟାସ ବିରଚିତ ଜୀବନ ଜିଜ୍ଞାସା
କୃଷ୍ଣ ମୁଖବାଣୀ ଶ୍ରୀମଦ ଗୀତା

ମୁକ୍ତି ଓ ମୋକ୍ଷର ଭାଗବତ ଏଠି
ରଚିଛି ବିରହ ମିଳନ କଥା
ପ୍ରେମ ଓ ଭକ୍ତିର ରସ ଓ ରାସର
ମାଧୁର୍ଯ୍ୟରେ ଭରା ପବିତ୍ର ଗାଥା

କ୍ରୌଞ୍ଚ ବିରହେ ରାମାୟଣ ଭଳି
କାବ୍ୟ ଲେଖିଦେଲେ ବାଲ୍ମୀକି ଋଷି
କୃଷ୍ଣ ଦ୍ୱୈପାୟନ ମହାଭାରତରେ
କଥା ଗାଥା କେତେ ଅଛି ଭରସି

ବେଦ ଓ ବେଦାନ୍ତ ଉପନିଷଦ
ପୁରାଣ, ଦର୍ଶନ, ମହାପୁରାଣ
କାବ୍ୟ, ମହାକାବ୍ୟ ମନସ୍ତତ୍ୱ ଭରା
ରଚନା ତାହାର କେତେ ମହାନ

ଏବେବି ରହିଛି ଯକ୍ଷବଧୂ ପାଇଁ
ବାର୍ତ୍ତାବହ ମେଘଦୂତର ଚିନ୍ତା
ବୃନ୍ଦାବନେ ଶୁଭେ ବିରହ ବଂଶୀର
କେତେ ସୁମଧୁର ସୁର ଲଳିତା

ଆତ୍ମାପ୍ରତି ଏଠି ଆସ୍ଥା ରହିଛି
ରହିଛି ବିଶ୍ୱାସ ଜୀବନ ପ୍ରତି
ଶ୍ରଦ୍ଧା, ପ୍ରେମ ଆଉ ସ୍ୱାଭିମାନେ ଭରା
ସନ୍ତାନ ବତ୍ସଳା ସେନେହ ପ୍ରୀତି

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ସଦା ସୁହାସିନୀ ଏ ଦେଶ ମାଟି
ଗୁରୁ ଶିଷ୍ୟର ଶ୍ରେଷ୍ଠ ପରମ୍ପରା
ଅତିଥି ଦେବତା ଆସନ ଏଠି

କେତେ ଯୋଗୀଋଷି ଉଟଜ ସନ୍ୟାସୀ
ନିତ୍ୟ ଉପାସନା ଆବାସ ପୀଠ
ତାଙ୍କ ମୁଖ ସ୍ଵନ ବେଦ ଉଚ୍ଚାରଣ
ଶ୍ରବଣେ ନୟନେ ଭରେ ଲୋତକ

ଅଷ୍ଟାଦଶ ମହା- ପୁରାଣର ସାର
ବ୍ୟାସଙ୍କ ବଚନ ଦ୍ୱୟ ଗମ୍ଭୀର
ପରଉପକାରେ ସ୍ୱର୍ଗ ଲାଭ ପୁଣି
ପାପ ହୁଏ ପରେ ପୀଡ଼ା ଦେବାର

ଗଙ୍ଗା ଗୋଦାବରୀ ଯମୁନା, କାବେରୀ
ସ୍ରୋତସ୍ୱିନୀ ତା’ର ସଲିଳ ଧାରା
ବଦ୍ରିକା, ଦ୍ଵାରିକା ଶ୍ରୀକ୍ଷେତ୍ର ସହିତ
ରାମେଶ୍ୱର ଚାରିଧାମର ଲୀଳା

ମୋଦେଶ ଶ୍ରୀକ୍ଷେତ୍ରେ ଶ୍ରୀମନ୍ଦିରରେ
ବିଜେ କରିଛନ୍ତି ଜଗତ ନାଥ
ବାହୁର ଯୁଗଳ ଅନନ୍ତ ଅସୀମ
ଭକ୍ତ ଆଲିଙ୍ଗନେ ସଦା ପ୍ରସ୍ତୁତ

ବିହଗ ତାହାର କଳରବେ ଗାଏ
ମୋ ମାଟି ମାଆ ଜୟ ସଙ୍ଗୀତ
ମନ୍ଦ ମଳୟ ସମୀରଣେ ଶୁଭେ
ବୀର ପ୍ରସବିନୀ ମାଆ ଭାରତ

ହିମାଳୟ ଯାର ମୁକୁଟ ସଦୃଶ
ସାଗର ଯାହାର ଚରଣ ଚୁମେ
ସାର୍ଥକ ହୋଇଛି ଆମର ଜୀବନ
ଜନମିଛୁ ଆମେ ତାହାରି ଭୂମେ

ଏଇ ସ୍ୱର୍ଣ୍ଣପ୍ରସୁ ଭାରତ ମାଆକୁ
ନମନ, ବନ୍ଦନ, ଅଭିନନ୍ଦନ
ମୋ ମାଟି ମାଆର ସେବା କରୁଥିବି
ଦେହେ ଥିବା ଯାକ ମୋ ଟିକି ପ୍ରାଣ

ସଦାନନ୍ଦ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଦାନନ୍ଦ ପାଣିଗ୍ରାହୀ ପେଶାରେ ଜଣେ ଶିକ୍ଷକ ଏବଂ ନିଶା ତାଙ୍କର କବିତା ଲେଖିବା । ସେ କବିତା ଲିଖନ ପାଇଁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।