ଶିଶୁପାଳଗଡ଼- ଏକ ବିଲୁପ୍ତ ସହର
ଶିଶୁପାଳଗଡ଼- ଏକ ବିଲୁପ୍ତ ସହର

ଶିଶୁପାଳଗଡ଼- ଏକ ବିଲୁପ୍ତ ସହର

ଶିଶୁପାଳଗଡ଼, ଏହି ପ୍ରାଚୀନ ସହରର ଭଗ୍ନାବଶେଷ ଆବିଷ୍କୃତ ବର୍ତ୍ତମାନ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ । ଆଉ ମୁଁ ନିଜକୁ ଗୌରବାନ୍ୱିତ ମନେକରେ କି ମୁଁ ଏହି ସହରରେ ବାସକରେ । ବିଶ୍ୱର ଅନ୍ୟତମ ସଂରକ୍ଷିତ ଏହି ସହରରେ ମୁଁ ପାଏ ଅନେକ କିଛି ଯାହା ମୋ ରାଜ୍ୟର ଗୌରବ ଗାଥାକୁ ପରିସ୍ପୁଟ କରୁଛି ଅନେକାଂଶରେ । ଏହି ପ୍ରାଚୀନତ୍ତମ ସହରର ଖୋଦନ କାର୍ଯ୍ୟ ସମ୍ପାଦିତ ହୁଏ ବିଭିନ୍ନ ପର୍ଯ୍ୟାୟରେ । ୧୯୪୮ ମସିହାରେ ଏହାର ସର୍ବପ୍ରଥମ ଖନନ କାର୍ଯ୍ୟ ଆରମ୍ଭହୁଏ ଶ୍ରୀ ବି.ବି. ଲାଲ ଏବଂ ସହକର୍ମୀମାନଙ୍କଦ୍ୱାରା । ଖନନରୁ ଉଧୃତ ବସ୍ତୁମାନଙ୍କର କଳାକୃତି ତଥା ସ୍ଥାପତ୍ୟ କଳାରୁ ଶ୍ରୀ ଲାଲ ଏହି ସିଦ୍ଧାନ୍ତରେ ଉପନୀତ ହୁଅନ୍ତି କି ଏହି ପ୍ରାଚୀନ ସହର ଖ୍ରୀ.ପୂ. ୩ୟ ଶତାବ୍ଦିରୁ ଖ୍ରୀ. ୪ର୍ଥ ଶତାବ୍ଦୀ ମଧ୍ୟରେ ବିକାଶଲାଭ କରିଥିଲା । ୨୦୦୧ ମସିହାରେ କିଛି ଆମେରିକୀୟ-ଭାରତୀୟ ଗବେଷକ ଏହା ଉପରେ କାର୍ଯ୍ୟ କରିଥିଲେ କିନ୍ତୁ ୨୦୦୫ ମସିହାରେ କିଛି ଆଧୁନିକ ରାଡ଼ାର ଯନ୍ତ୍ର (ground penetrating radar) ସାହାଯ୍ୟରେ ଏହି ପୁରାତନ ସହରର ଦକ୍ଷିଣ ଭାଗକୁ ଚିହ୍ନଟ କରାଯାଇଥିଲା । ଏହି ନୂତନ ଅନୁସନ୍ଧାନରୁ କୁମାରୀ ମୋନିକା ଏଲ. ସ୍ମିଥ ଏବଂ ଆର.କେ. ମହାନ୍ତି ଏହି ସିଦ୍ଧାନ୍ତରେ ଉପନୀତ ହୁଅନ୍ତି କି ଏହି ଦୁର୍ଗ ସହର ଖ୍ରୀ.ପୂ. ୫ମ ଶତାବ୍ଦୀରୁ ବିକାଶଲାଭ କରିଥିଲା ଏବଂ ସମ୍ଭବତଃ ଖ୍ରୀ. ୪ର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ମଧ୍ୟ ବିଲୁପ୍ତ ହୋଇନଥିଲା । ଯାହା ସୂଚିତ କରେ କି ଏହି ପୁରାତନ ଦୁର୍ଗ ସହର ମୌର୍ଯ୍ୟ ସାମ୍ରାଜ୍ୟର ଅନେକ ବର୍ଷ ପୂର୍ବର ।

ଶିଶୁପାଳଗଡ଼ ଦୁର୍ଗ ସହର ଏକ ‘ଜଳ ଦୁର୍ଗ’ ସୂତ୍ର ଅନୁସାରେ ନିର୍ମିତ ହୋଇଥିଲା, ଯାହାକୁ ସ୍ଥାନୀୟ ଭାଷାରେ ‘ଗଡ଼ଖାଇ ସୂତ୍ର’ କୁହାଯାଏ । ଏହି ସୂତ୍ର ଅନୁସାରେ ଦୁର୍ଗ ଚାରିପାଖରେ କୃତ୍ତିମ ବା ପ୍ରାକୃତିକ ଜଳସ୍ରୋତ ପରିବେଷ୍ଟନ କରିଥାଏ, ଯାହା ଦୁର୍ଗକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ । ଏହା ମୁଖ୍ୟତଃ ଦୁଇ ପ୍ରକାରର । ଅନ୍ତର୍ଦ୍ୱୀପ ଦୁର୍ଗ- ଯାହାର ଚାରିପାଖରେ ନଦୀ ଓ ସମୁଦ୍ର ପରି ପ୍ରାକୃତିକ ଜଳସ୍ରୋତ ଘେରି ରହିଥାଏ, ତଥା ସ୍ଥଳଦୁର୍ଗ- ଯାହାର ଚାରିପାଖରେ ଖନନ କରି କୃତ୍ତିମ ଜଳସ୍ରୋତ କରାଯାଇଥାଏ । କିନ୍ତୁ ଶିଶୁପାଳଗଡ଼ ଏପରି ଏକ ଦୁର୍ଗ ସହର ଥିଲା ଯାହାର ଏକ ପାଖରେ ଗଙ୍ଗବତୀ ନଦୀ (ଅଧୁନା ଗଙ୍ଗୁଆ ନାଳ) ତଥା ଅନ୍ୟ ପାର୍ଶ୍ଵରେ ଖନନ କରାଯାଇ ସୃଷ୍ଟି କରାଯାଇଥିବା ଗଡ଼ଖାଇ ସୁରକ୍ଷା ପ୍ରଦାନ କରୁଥିଲା । ଯେଉଁ ସମୟରେ ଆଧୁନିକ ସହରିକରଣ ବ୍ୟବସ୍ଥା ନଥିଲା, ଦେଖି ଆଶ୍ଚର୍ଯ୍ୟ ଲାଗେ ଯେ ସେ ସମୟରେ ମଧ୍ୟ ଏହି ସହରରେ ଉତ୍କୃଷ୍ଟ ତଥା ସୁବ୍ୟବସ୍ଥିତ ନାଳ ପ୍ରଣାଳୀ ଥିଲା ।

ଏଠାରୁ ଆବିଷ୍କୃତ କାରୁକାର୍ଯ୍ୟପୂର୍ଣ୍ଣ ସ୍ତମ୍ଭ ଅନେକ ଉତ୍ସାହୀ ମସ୍ତିସ୍କ ମାନଙ୍କୁ ଚିନ୍ତାକରିବାର ଖୋରାକ ଯୋଗାଇଥାଏ । କିନ୍ତୁ ଏହି ସ୍ତମ୍ଭ ସେ ସମୟରେ କି କାର୍ଯ୍ୟରେ ଆସୁଥିଲା ତାହା ଏବେ ମଧ୍ୟ ସନ୍ଦେହ ଘେରରେ । ଏହି ସ୍ତମ୍ଭମାନଙ୍କ ନିକଟରେ ଆବିସ୍କୃତ କୋଠରୀ ସଦୃଶ ସ୍ଥାନ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରେ । ଅଦ୍ୟାବଧି ୧୮ ଗୋଟି ସ୍ତମ୍ଭକୁ ଅନାବାରଣ କରାଯାଇ ସାରିଲାଣି କିନ୍ତୁ ସନ୍ଦେହ କରାଯାଉଛି କି ଏପରି ଆହୁରି ଅନେକ ଏବେବି ମାଟିତଳେ ପୋତିହୋଇ ଖନନର ପ୍ରତିକ୍ଷାରେ ଦିନ ଗଣୁଛନ୍ତି । ଏବେ ଏହି ସ୍ଥାନରେ କ୍ଷୁଦ୍ର ଜନବସତିଟିଏ ଗଢ଼ି ଉଠିଛି ଏବଂ ସେମାନଙ୍କ ବ୍ୟବହାର ପାଇଁ ଏକ ପୁଷ୍କରିଣୀ ମଧ୍ୟ । ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ପୁଷ୍କରିଣୀ ଖନନ ସମୟରେ ସେହି ସ୍ଥାନରୁ ଅନେକ ପ୍ରାଚୀନ କାରୁକାର୍ଯ୍ୟ ସମ୍ପନ୍ନ ଦୁର୍ଲଭ ବସ୍ତୁମାନ ଉଧୃତ ହୋଇଥିଲା ଯାହାର ଏବେ କୌଣସି ଖୋଜ ଖବର ବି ନାହିଁ । ଏପରିକି ସେଠାରୁ ଆବିଷ୍କୃତ ଏକ ବିଶେଷ ପ୍ରକାର ସ୍ତମ୍ଭକୁ ସ୍ଥାନୀୟ ବାସିନ୍ଦା ଶିବଲିଙ୍ଗ ଭାବେ ପୂଜା କରୁଛନ୍ତି । ମୁଖ୍ୟ ଦୁର୍ଗର ଭିତର ଅଂଶରେ ଆଉ ଏକ ଛୋଟ ପୁଷ୍କରିଣୀ ଦେଖିବାକୁ ମିଳେ, ଯାହା ସମ୍ଭବତଃ ରାଣୀଙ୍କ ଗାଧୁଆ ପାଇଁ ଉଦ୍ଦିଷ୍ଟ ଥିଲା । ଏହାକୁ ରାଣୀ ଗାଧୁଆ କୁହାଯାଏ । ଏବେ ଏହା ଜରାଜୀର୍ଣ୍ଣ ତଥା ଶୁଷ୍କ ହୋଇ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଦେଖିବାକୁ ମିଳେ ସେଠାରେ ଥିବା ଏକ କୂପ ଓ ସମ୍ଭବତଃ ଜଳ ସଂଗୃହିତ ପାଇଁ ଗଢ଼ାଯାଇଥିବା ଜଳାଶୟର ପ୍ରାଚୀର କାନ୍ଥରେ ଖୋଦିତ ହସ୍ତୀମାନଙ୍କ ଚିତ୍ର । ମୁଖ୍ୟତଃ ଏପରି କାରୁକାର୍ଯ୍ୟ କେବଳ ସେ ସମୟର କୌଣସି ମନ୍ଦିର ବା ଦେବାଳୟର କାନ୍ଥରେ ଦେଖିବାକୁ ମିଳେ ।

ପ୍ରତ୍ନତତ୍ୱବିତମାନଙ୍କ ଲବ୍ଧ ଗବେଷଣା, ପାଖାପାଖି ୫କି.ମି. ପରିମିତ ସ୍ଥାନର ଖନନ ତଥା ଆବିଷ୍କୃତ ଭଗ୍ନାବଶେଷରୁ ଏହି ସିଦ୍ଧାନ୍ତରେ ଉପନୀତ ହୁଅନ୍ତି କି ଏହି ପୁରାତନ ସହରର ଜନସଂଖ୍ୟା ସମ୍ଭବତଃ ୨୦ ହଜାରରୁ ୨୫ ହଜାର ମଧ୍ୟରେ ଥିଲା । ପୁରାତନ ଏଥେନ୍ସ ସହରର ଜନସଂଖ୍ୟା ୧୦ ହଜାର ଥିଲା କିନ୍ତୁ ଏହି ସହରର ଜନସଂଖ୍ୟା ହିଁ ଏହି ସ୍ଥାନଟିର ଗୁରୁତ୍ୱକୁ ପ୍ରତିପାଦନ କରୁଛି । ତେବେ ଐତିହାସିକମାନଙ୍କ କହିବା ଅନୁସାରେ ଏହି ସହରର ଲୋକସଂଖ୍ୟା ଉପରେ ଯେ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଅସମ୍ଭବ କାରଣ ଏବେବି ସହରର ସିଂହଭାଗ ଖନନ ପ୍ରତିକ୍ଷାରେ । ଯେହେତୁ ଐତିହାସିକମାନେ ଏହି ସ୍ଥାନକୁ ମହାମେଘବାହାନ ଐର ଖାରବେଳଙ୍କ ରାଜଧାନୀ କଳିଙ୍ଗ ନଗର ସହ ସୂଚିତ କରୁଛନ୍ତି, ଏହି ସ୍ଥାନର ଗୁରୁତ୍ୱ ବହୁତ ବେଶୀ । କିନ୍ତୁ ପରିତାପର ବିଷୟ ଏହି ଯେ, ଭାରତୀୟ ପ୍ରତ୍ନତାତ୍ଵିକ ବିଭାଗ ୧୯୪୭-୪୮ ମସିହାରେ ଚିହ୍ନିତ ୫୬୨.୬୮ ଏକର ପରିମିତ ଏହି ସ୍ଥାନଟିରୁ ଏବେ ମାତ୍ର .୭୭ ଏକର ସ୍ଥାନ ଶେଷ ରହିଯାଇଛି । ରାଜ୍ୟ ସରକାରଙ୍କ ଚରମ ଅବହେଳା, ଭାରତୀୟ ପ୍ରତ୍ନତାତ୍ଵିକ ବିଭାଗର ମୁହମୋଡ଼ା ତଥା ସ୍ଥାନୀୟ ଜମି ମାଫିଆଙ୍କ ଦୌରାତ୍ମ୍ୟ ଏପରି ରହିଲେ ଉଦୟଗିରିର ହାତିଗୁମ୍ଫାର କାନ୍ଥରେ ସୂଚିତ ଏହି ପୁରାତନ ସହରର ଅବଶିଷ୍ଟ ଅଂଶ ଯେ ଦିନେ ଅଚିରେ ଇତିହାସର କରାଳ ଗର୍ଭରେ ବିଲୀନ ହୋଇଯିବ, ଏଥିରେ ସନ୍ଦେହ ନାହିଁ !

ଶେଷରେ ଏତିକି କହିବି, ସାରା ବିଶ୍ୱରେ କେବଳ ଏକମାତ୍ର ଶିଶୁପାଳଗଡ଼ ଅଛି ଏବଂ ଆମକୁ ଏହାର ସଂରକ୍ଷଣ କରିବାକୁ ହେବ (ବିଖ୍ୟାତ ଜର୍ମାନୀ ଗବେଷକ ପ୍ରଫେସର ପାଉଳ ୟୁଲେ) ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu