You are currently viewing ଶୁଭପଲ୍ଲବ
ଶୁଭପଲ୍ଲବ

ଶୁଭପଲ୍ଲବ

ବିଭାବରୀ ଅନ୍ତେ ଉଷା ପ୍ରବେଶିଲା
ପଲ୍ଲବରେ ଶୁଭ ଆସିଲା
ପଲ୍ଲବେ ନୀହାର ମୁକ୍ତା ପରି ଦିଶେ
ରବି ରଶ୍ମି ଯେଣୁ ପଡ଼ିଲା । (୧)

ମଧୁମୟ ବନେ ବିହଙ୍ଗ ସଙ୍ଗୀତ
ସମୀରଣେ ଭାସି ଆସିଲା
ମଧୁପର ମଧୁ ଗୁଞ୍ଜେ ଗୁଞ୍ଜରଣ
ଝିଙ୍କାରି ଝଙ୍କାର ସରିଲା । (୨)‌

ପ୍ରାଚୀ ଗ‌ଗନରେ କୁଆଁତାରା ଧୀରେ
ଅଳପ ଅଳପ ଲୁଚିଲା
ନବପଲ୍ଲବରେ ଶୁଭ ଆସିଗଲା
ଫୁଲେ ଫୁଲେ ବାସ ଛୁଟିଲା । (୩)

କଜଳପାତିଟି ନିଦରେ ଚମକେ
ତରୁର ଗ‌ହଳ ଶାଖାରେ
ସୁରଭି ନର୍ତ୍ତନେ ବନରାଜି ଶୋଭା
କିଏ ତା’ ବଖାଣି ପାରେ । (୪)

ମଧୁମୟ ସୃଷ୍ଟି ସୁଧାମୟ ହେଲା
ବିଶ୍ୱନିୟନ୍ତାଙ୍କ ଇଙ୍ଗିତେ
ଅଚେତନ ଥିଲେ ଧରଣୀ ସନ୍ତାନ
ଜାଗିଲେ ନବୀନ ପ୍ରଭାତେ । (୫)

ଦିନବୃଦ୍ଧି ଦେଖି ପଦ୍ମ ବିକଶିତ
ଭୁରୁ ଭୁରୁ ବାସ ଚ‌ହଟିଲା
କଳକଣ୍ଠ କଣ୍ଠୁ ପଞ୍ଚମ ତାନରେ
ସୁର ସମୀରଣେ ମିଶିଲା । (୬)

ମୁନି ମୁଖୁ ବେଦ ଧ୍ୱନିର ଓଁ କାର
ବନେ ଉପବନେ ଶୁଭିଲା
ଦେବ ବିଭାବସୁ ଗଗନେ ଉଠିଲେ
ନବୀନ ଆଲୋକ ଆସିଲା । (୭)

ବନ ଲତା ରାଜି ହରଷିତ ହେଲେ
ଫୁଲ ଫଳ ହସି ଉଠିଲା
କଳିରେ କଳିରେ ଅଳିର ଗୁଞ୍ଜନ
ଶୁଭ ପଲ୍ଲବ କଲ୍ଲୋଳ ଦିଶିଲା । (୮)

ସଦାନନ୍ଦ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଦାନନ୍ଦ ପାଣିଗ୍ରାହୀ ପେଶାରେ ଜଣେ ଶିକ୍ଷକ ଏବଂ ନିଶା ତାଙ୍କର କବିତା ଲେଖିବା । ସେ କବିତା ଲିଖନ ପାଇଁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।