କାବ୍ୟ ସାହିତ୍ୟାକାଶର ଅନନ୍ୟ ବିନ୍ଧାଣି- ସୌରୀନ୍ଦ୍ର ବାରିକ
କାବ୍ୟ ସାହିତ୍ୟାକାଶର ଅନନ୍ୟ ବିନ୍ଧାଣି- ସୌରୀନ୍ଦ୍ର ବାରିକ

କାବ୍ୟ ସାହିତ୍ୟାକାଶର ଅନନ୍ୟ ବିନ୍ଧାଣି- ସୌରୀନ୍ଦ୍ର ବାରିକ

ଜଣେ ପ୍ରତିଷ୍ଠିତ କବି ଓ ସମାଲୋଚକ ଭାବେ ଓଡ଼ିଆ ସାହିତ୍ୟାକାଶରେ ସୌରୀନ୍ଦ୍ର ବାରିକ ଥିଲେ ବହୁ ପରିଚିତ । ସେ ଥିଲେ ଏକାଧାରରେ କବି, ସମାଲୋଚକ, ଅନୁବାଦକ, ଅଧ୍ୟାପକ, ସରଳ ମିଷ୍ଟଭାଷୀ ସ୍ନେହୀ ମଣିଷ ଓ ନିରାଡ଼ମ୍ବର ସ୍ୱଭାବର ।

ସରଳତା, ପ୍ରଭାବୀ କଥନ ଭଙ୍ଗୀ ଓ ଜଟିଳ ଘଟଣାର ସହଜ ପ୍ରକାଶ ଏବଂ ଶଦ୍ଧ ବସାଣର ଅନନ୍ୟତା ହେଉଛି ତାଙ୍କ କବିତାର ବିଶେଷତ୍ୱ । ଭଲ ଲେଖକଟିଏ ହେବାକୁ ହେଲେ ଜଣକୁ ପ୍ରଥମେ ଭଲ ମଣିଷଟିଏ ହେବାକୁ ସେ କହିଥିଲେ ଏବଂ ସେ ତା’ର ସମାଜ ଓ ପରିବେଶକୁ ଭଲ ପାଇବ । ଆଜିକାଲିର ତଥାକଥିତ ପୁରସ୍କାର ପଛରେ ନ ଧାଇଁ ନିଜ ପାଖରେ ସତ୍ୟଶୀଳ ହେବ । ବ୍ୟାପକ ଅଧ୍ୟୟନ କରି ନିଜ ମନକୁ ଉଦାର ଓ ପ୍ରଶସ୍ତ କରିବ ଏବଂ ଏଥି ସଙ୍ଗେ ସଙ୍ଗେ ଅନୁଭବର ଗଭୀରତାକୁ ଭାଷାରେ ବ୍ୟକ୍ତ କରିବା ଦକ୍ଷତା ଅର୍ଜ୍ଜନ କରିବାକୁ ହେବ ।

ତାଙ୍କର ପ୍ରଥମ କବିତା ପୁସ୍ତକ ହେଉଛି- “ସାମାନ୍ୟ କଥନ” । ଏହା ୧୯୭୫ ମସିହାରେ ପ୍ରକାଶିତ ହୋଇଥିଲା ଏବଂ ୧୯୮୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସେ ଏ ପୁସ୍ତକ ନିମନ୍ତେ ପୁରସ୍କୃତ ହୋଇଥିଲେ । “ଆକାଶ ପରି ନିବିଡ଼” କବିତା ସଂକଳନ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ବିଷୁବ ପୁରସ୍କାର ଓ ସମାଲୋଚନା ପାଇଁ ସମ୍ମାନ ଜନକ ‘ଧରିତ୍ରୀ’ ସମ୍ମାନ ପାଇଥିଲେ । ଏତଦ୍‌ବ୍ୟତୀତ ସେ ଓଡ଼ିଆ କବିତାରେ ଜଣେ ତପସ୍ୱୀ ହିସାବରେ ଏକାଧିକ ଅନୁଷ୍ଠାନ ଦ୍ୱାରା ସମ୍ମାନୀତ ହୋଇଥିଲେ ।

ଏହି ପ୍ରତିଭା ସଂପନ୍ନ ବ୍ୟକ୍ତିଙ୍କର ଆବିର୍ଭାବ ହୁଏ ୧୯୩୮ ମସିହା ଅକ୍ଟୋବର ମାସ ୩ ତାରିଖରେ ମୟୁରଭଞ୍ଜ ଜିଲ୍ଲାର ଅମରଦାଠାରେ । ତାଙ୍କ ପିତାଙ୍କ ନାମ ଦୈତାରି ବାରିକ ଓ ମାତାଙ୍କ ନାମ ଶଙ୍କରି ଦେବୀ । ତାଙ୍କ ପିତା ଥିଲେ ରାଇରଙ୍ଗପୁର ହାଇସ୍କୁଲର ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ । ସେ ବାପାଙ୍କ ଦ୍ୱାରା ବହୁ ଭାବରେ ପ୍ରଭାବିତ ହୋଇଥିଲେ । ରାଇରଙ୍ଗପୁରରେ ନିଜ ଶିକ୍ଷା ଆରମ୍ଭ କରି ପରବର୍ତ୍ତୀ ସମୟରେ ବାରିପଦା କଲେଜ ଓ ରେଭେନ୍ସାରେ ଅଧ୍ୟୟନ କରିଥିଲେ । ତାଙ୍କର ସହପାଠୀ ଥିଲେ କବି ନୃସିଂହ ରଥ । ଇଂରାଜୀ ସାହିତ୍ୟରେ ରେଭେନ୍ସାରୁ ସ୍ନାତକୋତ୍ତର କଲାପରେ ଅଧ୍ୟାପନାକୁ ବୃତ୍ତିକରି ନେଇଥିଲେ । ୧୯୬୧ ମସିହାରେ ଚାକିରି ଆରମ୍ଭ କରିଥିଲେ ଏମ୍.ପି.ସି. କଲେଜରୁ । ବିଭିନ୍ନ ସମୟରେ ସରକାରୀ ମହାବିଦ୍ୟାଳୟ ସୁନ୍ଦରଗଡ଼, ଜି.ଏମ୍. କଲେଜ, ସମ୍ବଲପୁର, ଭଦ୍ରକ କଲେଜ, ରମାଦେବୀ ମହିଳା ମହାବିଦ୍ୟାଳୟ, ଭୁବନେଶ୍ୱର ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ ଆଦିରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ଏହା ସହ ଅନୁଗୁଳ କଲେଜର ଅଧ୍ୟକ୍ଷ ଦାୟିତ୍ୱ ପରେ ସେ ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଏବଂ ପରେ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ସଂସ୍ଥାର ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟକରି ଅବସର ନେଇଥିଲେ ।

ତାଙ୍କ କବିତାରେ ବଞ୍ଚିବାର ସୂକ୍ଷ୍ମ ଅନୁଭୂତି, ନିଜ ଭାବଚେତନାର ଛନ୍ଦ ପତନର ସ୍ୱର ଅତ୍ୟନ୍ତ ପ୍ରକୃତିଗତ, ସରଳ ଭାବରେ ପ୍ରକାଶିତ । ମଣିଷର ସ୍ୱପ୍ନ, ସମ୍ପର୍କ, ସ୍ନେହ, ପ୍ରେମ ହିଁ ହେଉଛି ମୂଳ ଆଧାର । ତେଣୁ କାବ୍ୟ ଜଗତରେ କବିତାର ସ୍ୱରୂପ ବର୍ଣ୍ଣନା କରିବାକୁ ଯାଇ କବି କହନ୍ତି-

“ମୋ କବିତା ତ / ଲୁହ ଆଉ ସ୍ୱପ୍ନ ବୋଳା
ଶବ୍ଦର ଦର୍ପଣଟିଏ / ଯିଏ ମୁହଁ ଦେଖେ
ତାଆର ମୁହଁ ଦିଶେ / ତାରି ନୂଆ ନୂଆ ମୁହଁ ॥”

ସେ କହିଥିଲେ- “କବିତାଟିଏ ମାଡ଼ିଲେ ସବୁ ଅବସ୍ଥା କାବ୍ୟିକ ଅବସ୍ଥା ହୋଇଯାଏ । ମୁଁ ଆଉ ମୋର ହୋଇ ରହେ ନାହିଁ । ପରୀକ୍ଷା କେନ୍ଦ୍ର, ନିଛାଟିଆ ପଢ଼ାଘର ଏପରିକି ଚଳନ୍ତି ଟ୍ରେନ ମଧ୍ୟ କବିତାର ଏନ୍ତୁଡ଼ିଶାଳ ହୋଇଯାଏ ।” ଭଲ କବିତା ସମ୍ପର୍କରେ ସେ କହନ୍ତି- “ଭଲ କବିତା ମୋତେ ଭଲ ଲାଗେ । ଭଲ କବିତାର ସଂଜ୍ଞା ମଧ୍ୟ ମୋ’ ପାଖରେ ଅତି ସରଳ । ମୁଁ କବିତାର ବିଭିନ୍ନ ଗୁଣ, ବିଭବ ଖୋଜି ପାଇବାରେ ଅସମର୍ଥ । କାରଣ ମୁଁ କବିତା ପଣ୍ଡିତ ନୁହେଁ, ମୁଁ କବିତା ରସିକ । ପଢ଼ିବା ମାତ୍ରେ ଯେଉଁ କବିତା ମୋ’ ମନକୁ ଛୁଇଁଲା ମୁଁ ତାକୁ ଭଲ କବିତା ବୋଲି ଗ୍ରହଣ କରେ । ଏ ଛୁଇଁବା ଅତି ସ୍ୱାଭବିକ ହେବା ପ୍ରୟୋଜନ । ଏହା ମୋ’ ବୁଦ୍ଧିକୁ ନୁହେଁ, ମୋ’ ହୃଦୟକୁ ଛୁଇଁଥାଏ । ଏହି ପ୍ରଥମ ଛୁଇଁବାଟି ମୋ ପାଖରେ ବଡ଼କଥା । ପରେ ଧୀରେ ଧୀରେ ଏହା ମୋ’ ଚେତନାର ବିଭିନ୍ନ ସ୍ତରକୁ ଛୁଇଁଥାଏ । ଏ ଛୁଇଁବା ତେଣୁ ବାହାରିଆ କୁତୁକୁତୁ ନୁହେଁ । ଏହା ରସ ଘନ ଆବେଗମୟୀ ସ୍ପର୍ଶ । ଏହି ଛୁଆଁ, କବିତାର ଶବ୍ଦ-ସଂପର୍କ ଏବଂ ତା’ର ଗତି ଓ ଛନ୍ଦରୁ ଆସିଥାଏ । ଆସିଥାଏ ଅନୁଭବର ଆନ୍ତରିକତାରୁ । ବୈାଦ୍ଧିକ କସରତରୁ ନୁହେଁ । ଭଲ କବିତା ମୋ’ ପାଖରେ ଶବ୍ଦ ଧନ୍ଦା ନୁହେଁ । ଏହା ନଡ଼ିଆ ଜାତୀୟ ନୁହେଁ । ଏହାର ଆବେଦନ ଲହୁଣୀରେ ତାତିଲା ଛୁରୀପରି । ସିଧାସଳଖ ମନକୁ ଭେଦିଯାଏ । ତରଳାଇ ଦିଏ ଆବେଗକୁ ଅନୁଭବର ଉଷ୍ଣତାରେ । ତା’ପରେ ଛାଇଯାଏ ଚିନ୍ତା, ବୁଦ୍ଧି, ଏମିତିକି ମୋର ସମସ୍ତ ସତ୍ତା ।”

ମହାଭାରତୀୟ ଚେତନାକୁ ନେଇ କବି ଉପଭାରତ ଓ ଅନୁଭାରତ ନାମରେ ଦୁଇଟି କବିତା ଗ୍ରନ୍ଥ ରଚନା କରିଛନ୍ତି । ଏ ସମସ୍ତ ପାଠ କଲେ ମନେହୁଏ ସତେ ଯେମିତି ଏ ଏକ ମିନି-ମହାଭାରତ । ମହାଭାରତର କଥା, ଚରିତ୍ର, ପ୍ରସଙ୍ଗ ଓ ଭାବ ନିର୍ଯ୍ୟାସକୁ ଏକ କାବ୍ୟିକ ଦୃଷ୍ଟିରେ ଦେଖିବା ସଙ୍ଗେ କବି ସେ ସବୁ ଚରିତ୍ର ମାନଙ୍କ ସହିତ ଏକାତ୍ମ ହେଲାବେଳେ ଏକ ନିର୍ଲିପ୍ତ ଦୃଷ୍ଟିରେ ଅନ୍ତଃକରଣରୁ ସେମାନଙ୍କ ସ୍ୱରୂପ ଉଦ୍ଘାଟନ କରିଛନ୍ତି ଯାହାକି ଅତ୍ୟନ୍ତ ହୃଦ୍ୟ ଓ ତାଙ୍କର ନିଷ୍ଠାପର ପ୍ରୟାସ ବୋଲି ମନେହୁଏ । ଉଦାହରଣତଃ- ଧୃତରାଷ୍ଟ୍ର ଚରିତ୍ର ଆଶ୍ରିତ କବିତାରେ ଧୃତରାଷ୍ଟ୍ରଙ୍କ ଅନ୍ଧ-ପିତୃପଣର ମୋହ ଓ ହାହାକାର ରୂପ ପାଇଛି । ଧୃତରାଷ୍ଟ୍ରଙ୍କ ଭକ୍ତି କବିଙ୍କ ଭାଷାରେ- “ଇଚ୍ଛାହୁଏ ଧର୍ମର ଶୋଣିତ ଶୋଷି / ମେଣ୍ଟାନ୍ତି ମୋ ପିତୃ ହାହାକାରା / ଧର୍ମ, ଅଧର୍ମ କିଛି ମୁଁ ବୁଝେନା, ମୁଁ କିଛି ବୁଝେନା ସେ ନୀତି ଓ ଅନୀତି / ପିତା ମୁହିଁ ଚାହେଁ ଖାଲି ପୁତ୍ରର ବିଜୟ ।”

ବିଭିନ୍ନ ପ୍ରାଣୀ, ହଂସ, ମାର୍ଜାର, ସାପ, ମାଛ, ବାଦୁଡ଼ି, ଚଢ଼େଇ, ଖଦ୍ୟୋତ, ଆଦି ପ୍ରାଣୀ ଜଗତକୁ ପ୍ରତୀକାତ୍ମକ ଭାବେ ନେଇ ସେ ଅନେକ କବିତା ରଚନା କରିଛନ୍ତି । ଏତଦ୍‌ବ୍ୟତୀତ ସାଇକେଲକୁ ନେଇ ‘ଆମେ ଦୁହେଁ’, ‘ଆମ ଦୁହିଁଙ୍କ କଥା’ କବିତା ସଂକଳନ ପ୍ରକାଶିତ । ପୁଣି ଛୋଟ ଛୋଟ ଜିନିଷ ଯଥା- ଛତା, ଜୋତା, ଚଷମା, ଘଡ଼ି, ନୌକା ଆଦି ବସ୍ତୁକୁ ନେଇ ସେ ବହୁତ କବିତା ରଚନା କରିଛନ୍ତି । ସୌନ୍ଦର୍ଯ୍ୟର ପ୍ରତୀକ ହଳଦୀ ବସନ୍ତକୁ କବି ପାଚିଲା ଧାନ କ୍ଷେତ, କୁଆଁରୀ ଦେହର ମଙ୍ଗୁଳା ହଳଦୀ, ଧୂ ଧୂ ଜହ୍ନରାତି ଆଦି ଚିତ୍ର କଳ୍ପରେ ସଜାଇଛନ୍ତି । କବିଙ୍କ ଲେଖନୀ ନିଃସୃତ ପଂକ୍ତି ଦ୍ରଷ୍ଟବ୍ୟ-

“ଆଜି ତୋ’ ରାବର ହଳଦୀ-ଲୀଳା
ଗୋଳି ପାଣିକୁ ଫିଟିକିରି ପରି
ମୋତେ ସଫାକଲା, ନିର୍ମଳ କଲା
ଝଟକି ଉଠିଲି ମୁଁ ଶରତର ନଈ
ଆକାଶ ଆଉ ଜହ୍ନପରି ।”

‘ପବନକୁ ମାଗିଲି’ ଏକ କବିତାରେ କବି କାହାଠୁ କ’ଣ ଶିକ୍ଷଣୀୟ ଗୁଣ ଶିଖିବା ଉଚିତ ବର୍ଣ୍ଣନା କରିଛନ୍ତି । ପବନଠୁ ମହକ, ନଈଠୁ କୁଳୁକୁଳୁ ଗୀତ, ପାହାଡ଼ଠୁ ମଉନବ୍ରତର ଦୀକ୍ଷା, ସମୁଦ୍ରଠୁ ଗଭୀରତା, ଜହ୍ନଠୁ ରୂପ, ଶୀତଳତା, ସୂର୍ଯ୍ୟଙ୍କଠୁ ଭଲ ନିଜେଇ ନେବାର ଗୁଣ ନିଜ ବ୍ୟବହାରିକ ଜୀବନ ସହିତ ସାମିଲ କଲେ ଆମେ ନିଶ୍ଚିତ ଉପକୃତ ହେବା ବର୍ଣ୍ଣନା କରିଛନ୍ତି । କବିଙ୍କ ଲେଖନୀ ନିଃସୃତ ପଂକ୍ତିଟିଏ ଦ୍ରଷ୍ଟବ୍ୟ-

“ପବନକୁ ମାଗିଲି
ମୋତେ ଆଣିଦିଅ
ଦୂର ବଣର ମହକ ।
ନଈକୁ କହିଲି
କୁଳୁ କୁଳୁ ଗୀତରେ ଶୁଣାଅ
ଆଗେଇ ଚାଲିବାର ମଜା ।
ପାହାଡ଼କୁ ନେହୁରା ହେଲି
ମୋତେ ଦିଅ
ମଉନ ବ୍ରତର ଦୀକ୍ଷା ।”

‘ତାଙ୍କ ଯିବାପରେ’ ହେଉଛି ତାଙ୍କର ଏକ ଶିକ୍ଷଣୀୟ କବିତା । ଏଥିରେ ଆମେ ବୁଦ୍ଧିର ଆବେଗରେ କିପରି ବିଭକ୍ତ ହୋଇଛେ, ଶକ୍ତିର ଔଦ୍ଧତ୍ୟରେ ଅସହାୟ ମଣୁଛେ, ଜ୍ଞାନର ପ୍ରାବଲ୍ୟରେ ଦିଗହରା ହୋଇ ପ୍ରାପ୍ତିର ପୂର୍ଣ୍ଣତାରେ ଶୂନ୍ୟ ଅନୁଭବ କରିବା ସାଙ୍ଗକୁ ଭାଇରସ ଖିଆ କମ୍ପୁଟର ପାଲଟି ଯାଉଛେ କବି ବର୍ଣ୍ଣନା କରିଛନ୍ତି । କବିତାର ପଂକ୍ତିଟିଏ ଦ୍ରଷ୍ଟବ୍ୟ-

“ଆଜି ଆମେ ବୁଦ୍ଧିର ଆବେଗରେ ବିଭକ୍ତ
ଶକ୍ତିର ଔଦ୍ଧତ୍ୟରେ ଅସହାୟ, ଜ୍ଞାନର ପ୍ରାବଲ୍ୟରେ
ଦିଗହରା । ଯନ୍ତ୍ରର ଈଶ୍ୱର ପଣରେ ଅଣ-ମଣିଷ । ଆଉ
ପ୍ରାପ୍ତିର ପୂର୍ଣ୍ଣତାରେ ଶୂନ୍ୟ । ପ୍ରତିଟି ମୁହୂର୍ତ୍ତ ଯେମିତି
ଭାଇରସ ଖିଆ କମ୍ପୁଟର ।”

‘ବିକଳ୍ପ ଈଶ୍ୱର’ ହେଉଛି ତାଙ୍କ ରଚିତ ଏକ ଉଚ୍ଚମାନର ପ୍ରବନ୍ଦ । ଏଥିରେ ସେ କଳାର ଉପଯୋଗିତା ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବା ସାଙ୍ଗକୁ ଏ ସଂପର୍କରେ କହନ୍ତି- “କଳା ଜଟିଳ ଜୀବନର ଜଟିଳତାକୁ ସରଳ ଅବା ଜଟିଳ ଭାବରେ ଦେଖାଇ ଦିଏ ନାହିଁ । ଏହା ଦେଖିବାର ନୂଆ ଦୃଷ୍ଟିଟି ଗଢ଼ିଦିଏ । ସଞ୍ଜୟର ଆଖି ନେଇ ଯାହା ଘଟୁଛି ତାକୁ ସଠିକ୍ ଭାବରେ ଖାଲି ଦେଖେ ନାହିଁ କିମ୍ବା ବେଲାଳସେନ ପରି ସବୁ ବାହ୍ୟ ନିଜସ୍ୱ ଘଟଣା ଭିତରେ ଲୁଚି ଥିବା ଅସଲ ସତ୍ୟଟିକୁ ଦେଖେନାହିଁ । ଶିଳ୍ପୀ ନିଜସ୍ୱ ସତ୍ୟଟିଏ ସୃଷ୍ଟି କରେ । ସେ ରଚନା କରେ କଳାର ବିକଳ୍ପ ପୃଥିବୀ । ସେଇଥିପାଇଁ ତ’ ସିଏ ଏକ ବିକଳ୍ପ ଈଶ୍ୱର ।” ଅତ୍ୟନ୍ତ ହୃଦ୍ୟ ମନେହୁଏ ।

‘କବି କବିତା ଓ ପାଠକ’ ହେଉଛି ତାଙ୍କ ରଚିତ ଅନ୍ୟ ଏକ ଉପାଦେୟ ପ୍ରବନ୍ଧ । ସେ ଏଥିରେ ଭଲ ପାଠକଟିଏ ହେବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି । ତାଙ୍କ ଲେଖନୀ ନିଃସୃତ ପଂକ୍ତିରୁ କିଞ୍ଚିତ ଉଦ୍ଧୃତ- “ଆଜି କବିତା ଯେତେ ଲେଖା ହେଉଛି, ସେହି ପରିମାଣରେ ତାହା ପଢ଼ା ହେଉ ନାହିଁ । ଆଜି ସମସ୍ତେ କବି ହେବାପାଇଁ ଇଚ୍ଛୁକ ମାତ୍ର ରସଗ୍ରାହୀ ପାଠକଟିଏ ହେବାର ଆଗ୍ରହର ଏକାନ୍ତ ଅଭାବ । ରସିକପଣ ଜନ୍ମଗତ ହେଲେ ମଧ୍ୟ ତାକୁ ଋଦ୍ଧିମନ୍ତ ଏବଂ ଶାଣିତ କରିବା ପାଇଁ ପ୍ରସ୍ତୁତିର ପ୍ରୟୋଜନ । ସାଧନାର ପ୍ରୟୋଜନ । ଭ୍ରମ ଧାରଣାଟିଏ ଆଜି କେମିତି ଗଢ଼ି ଉଠିଛି । ସମସ୍ତେ ଭାବୁଛନ୍ତି କବିତା ଲେଖିବା ଖୁବ୍ ସହଜ ମାତ୍ର ଦରଦୀ ପାଠକଟିଏ ହେବା କଷ୍ଟକର । ତେଣୁ ଆଜି ଆମେ ଏକ ବିରୋଧାଭାଷର ସମ୍ମୁଖୀନ ।” ଏହା ଅତ୍ୟନ୍ତ ଯୁକ୍ତିଯୁକ୍ତ ମନେହୁଏ ।

ତାଙ୍କର କବିତା ସଂକଳନ ଗୁଡ଼ିକ ମଧ୍ୟରେ- ସାମାନ୍ୟ କଥନ, ଆକାଶ ପରି ନିବିଡ଼, ଗୁଣୁଗୁଣୁ ଚିତ୍ରପଟ୍ଟ, ଲୁହଠୁ ବି ଅନ୍ତରଙ୍ଗ, ଅନୁଭାରତ, ଆମେ ଦୁହେଁ, ଚହଲା ଛାଇରେ ଘଡ଼ିଏ, ପଢ଼ ବା ନପଢ଼, ହଳଦୀବସନ୍ତ, ଆମ ଦୁହିଁଙ୍କ କଥା, ଯେତେ ସବୁ ବିଧିକୁ ନେଇ, ଭାରି ମନେ ପଡ଼େ, ଜୀବନ ଯେମିତି ପ୍ରଭୃତି ଉଲ୍ଲେଖନୀୟ । ସମାଲୋଚନା ଗ୍ରନ୍ଥ ମଧ୍ୟରେ- ଅନ୍ୱେଷାର ସ୍ୱର, ଉଦାର ନରସିଂହ, ଚେତନାର ଚୌହଦୀ, ସତ୍ୟର କୁହୁକ, ବାମନର ପାଦ ଓ ଶବ୍ଦ ସବୁ ସରିଗଲେ ଇତ୍ୟାଦି । ସେ ଏଡ୍‌ମାଣ୍ଡ୍ ବାର୍କଙ୍କ ସୃଜନଶୀଳ ସମାଲୋଚନା ପ୍ରବନ୍ଧ- ‘ମହାନ୍ ଓ ସୁନ୍ଦର ଧାରଣାର ମୂଳଉତ୍ସ’ ପୁସ୍ତକର ଅନୁବାଦ କରିଥିଲେ । ସବୁଜ କବି ବୈକୁଣ୍ଠ ନାଥ ପଟ୍ଟନାୟକଙ୍କ ଉପରେ କେନ୍ଦ୍ର ସାହିତ୍ୟ ଏକାଡେମୀଙ୍କ ଆନୁକୁଲ୍ୟରେ ଇଂରାଜୀ ମନୋଗ୍ରାଫ ଲେଖିଥିଲେ । ପ୍ରାୟ ଅଠରରୁ କୋଡିଏ ଖଣ୍ଡ କବିତା ସଂକଳନ ସାଙ୍ଗକୁ ନଅଟି କଳା-ପ୍ରବନ୍ଧ ସମାଲୋଚନା ପୁସ୍ତକର ସେ ରଚୟିତା । ଶିଶୁ ସାହିତ୍ୟରେ ମଧ୍ୟ ରୁଚି ରଖିଥିଲେ ।

ସର୍ବୋପରି କବିଙ୍କ କବିତାର ଜଗତ ଯେମିତି ମାନବିକତା, ସରଳତା, ସଂପ୍ରୀତି, ସାଂସ୍କୃତିକ ଅବବୋଧର ମହାସମାହାର ସେମିତି ସ୍ୱାତନ୍ତ୍ର୍ୟ ବାରିହୋଇ ପଡ଼େ । ତାଙ୍କ ସହ ଦୀର୍ଘ ବର୍ଷ ହେବ ପରିଚିତ ଥିଲା । ତାଙ୍କର ଗତ ତା.୨୩-୨-୧୬ରେ ପରଲୋକ ହୋଇଥିଲା । ସେ ଆଜି ନାହାନ୍ତି ସତ, ହେଲେ ରଖିଦେଇ ଯାଇଛନ୍ତି ଚିରନ୍ତନ ସ୍ମୃତି । ଓଡିଆ କାବ୍ୟ ସାହିତ୍ୟକାଶରେ ଚିରସ୍ମରଣୀୟ ହୋଇ ରହିବେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu