You are currently viewing ପ୍ରାଗ୍: ମୋ ସ୍ମୃତି ମୋ ଅନୁଭୂତି
ପ୍ରାଗ୍: ମୋ ସ୍ମୃତି ମୋ ଅନୁଭୂତି

ପ୍ରାଗ୍: ମୋ ସ୍ମୃତି ମୋ ଅନୁଭୂତି

ଏମିତିରେ ଲୋକମାନେ ଛୁଟି କଟାଇବାକୁ ଭଲ ଭଲ ସହର ଚୟନ କରିଥାନ୍ତି । ମୋ କ୍ଷେତ୍ରରେ ଏମିତି ଏକ ସୁନ୍ଦର ସହରକୁ ଉଚ୍ଚଶିକ୍ଷା ପାଇଁ ଯିବାର ସୁଯୋଯ ମିଳିଥିଲା । ଆସିବା ପୂର୍ବରୁ ଅବଶ୍ୟ ମୋର ବନ୍ଧୁମାନଙ୍କଠାରୁ ପ୍ରାଗ୍ ବିଷୟରେ ବହୁତ କିଛି ଶୁଣିଥିଲି । ଆସିବା ପରେ ଓ ମୋର ରହଣି ଭିତରେ ଏହି ସହର, ଏହାର ଇତିହାସ, ଏହାର ଲୋକମାନେ ଓ ତାଙ୍କ ଚାଲିଚଳନ ବିଷୟରେ ଅତି ନିକଟରୁ ଜାଣିବାର ସୁଯୋଗ ମିଳିଥିଲା । ପ୍ରାଗ୍, ଇଉରୋପ ମହାଦେଶରେ ଅବସ୍ଥାପିତ ଚେକ୍ ରିପବ୍ଲିକ ଦେଶର ରାଜଧାନୀ । ଦ୍ୱିତୀୟ ବିଶ୍ୱଯୁଧ୍ୟରେ ଏହା ବିଶେଷ କ୍ଷତିଗ୍ରସ୍ତ ହୋଇ ନ ଥିବାରୁ ଏହାର ସୌନ୍ଦର୍ଯ୍ୟ ଏବେବି ଅତୁଟ ରହିଛି । ଏହାର ସ୍ଥାନ ବିଶ୍ୱର ସବୁଠୁ ଲୋକପ୍ରିୟ ପର୍ଯ୍ୟଟକ ସହର ମଧ୍ୟରେ ସପ୍ତମ ସ୍ଥାନରେ ଗଣାଯାଏ । ଏହି ସୁନ୍ଦର ସହରକୁ ଦେଖିବାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ବିଭିନ୍ନ ଦେଶରୁ ଏଠାକୁ ଆସିଥାନ୍ତି । ବିଗତ ୧୦ ମାସର ରହଣି ଭିତରେ ପ୍ରାଗ୍‌ରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖିବାର ଓ ଆୟୋଜିତ କିଛି କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ମିଳିଥିଲା ଯାହା ନିମ୍ନରେ ବର୍ଣନା କରୁଛି ।

ଚାର୍ଲସ ବ୍ରିଜ୍: ପଥର ନିର୍ମିତ ଏହି ପୋଲୋଟି ପ୍ରାଗ୍ ସହରର ପ୍ରମୁଖ୍ୟ ଆକର୍ଷଣ । ପୋଲୋର ଉଭୟ ପାର୍ଶରେ ପ୍ରାୟ ୩୦ ଗୋଟି ପଥର ନିର୍ମିତ ମୂର୍ତି ଏହାର ଶୋଭା ବଢ଼ାଉଛି । ପୋଲୋ ଉପରୁ ସହରର ଦୃଶ୍ୟ ବିଶେଷ କରି ପ୍ରାଗ କ୍ୟାସେଲ ଅତି ସୁନ୍ଦର ଦେଖାଯାଏ । ଏଠାରେ ଥିବା ବିଭିନ୍ନ ଚିତ୍ରକର ଓ ସଙ୍ଗୀତକାରମାନେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥାନ୍ତି । ଶୀତଦିନେ ବରଫରେ ଢାଙ୍କି ହୋଇ ଏହା ଆହୁରି ଆକର୍ଷଣୀୟ ଦେଖାଯାଏ । ଅବଶ୍ୟ ମୁଁ ବହୁବାର ଏଠାକୁ ଯାଇଛି ଓ ପ୍ରତିଥର ଏଠିକାର ପରିବେଶ ଓ ପର୍ଯ୍ୟଟକମାନଙ୍କ ଭିଡ଼ ଏବଂ କୋଳାହଳ ମଧ୍ୟରେ ନିଜକୁ ହଜାଇ ଦେଇଛି ।

ଚିତ୍ର ୧: ଚାର୍ଲସ ବ୍ରିଜ୍
ଚିତ୍ର୨: ପ୍ରାଗ୍ କ୍ୟାସେଲ୍

ପ୍ରାଗ୍ କ୍ୟାସେଲ୍: ଏହା ପୃଥିବୀର ସବୁଠୁ ପୁରାତନ ବିଶାଳ କ୍ୟାସେଲ ଭାବରେ ଗଣାଯାଏ । ଏହା ମଧ୍ୟରେ ମୁଖ୍ୟତଃ ଚର୍ଚ୍ଚ, ରାଷ୍ଟ୍ରପତିଙ୍କ ବାସସ୍ଥଳୀ ଓ ଏକ ବଡ଼ ବଗିଚା ଅବସ୍ଥିତ । କ୍ୟାସେଲ ମଧ୍ୟରେ ଥିବା ସେଣ୍ଟ ଭିଟସ କାଥେଡ୍ରାଲଟି ବହୁତ ବଡ଼ ଓ ଏହା ଏକ ପ୍ରମୁଖ କାଥେଡ୍ରାଲ ମଧ୍ୟରେ ଗଣାଯାଏ । ଏହାର ନିର୍ମାଣ ଶୈଳୀ ଇଉରୋପରେ ଥିବା ଅନ୍ୟାନ ପୁରାତନ ଚର୍ଚ୍ଚ ଭଳି, ଯାହା ଗୋଥିକ ଆର୍କିଟେକଚର ଭାବେ ଜଣାଯାଏ । ଏଠାରେ ଥିବା ବଗିଚାଟି ଶୀତଦିନେ ବରଫରେ ଢାଙ୍କି ହୋଇ ଆହୁରି ସୁନ୍ଦର ଦେଖାଯାଏ ।

ନେସନାଲ ମ୍ୟୁଜିୟମ୍: ପ୍ରାୟତଃ ଯେଉଁ ଦେଶକୁ ମୁଁ ଯାଏ, ସେଠାକାର ମ୍ୟୁଜିୟମ୍ ଥରେ ଦେଖିବାକୁ ନିଶ୍ଚୟ ଚେଷ୍ଟା କରେ । ପ୍ରାଗ୍‌ରେ ଥିବା ଅନେକ ମ୍ୟୁଜିୟମ୍ ମଧ୍ୟରେ ନେସନାଲ ମ୍ୟୁଜିୟମ୍ ପ୍ରମୁଖ । ଏଠାରେ ସଂଗ୍ରହିତ ଜିନିଷ ମଧ୍ୟରେ ବହୁ ପୁରାତନ ମୁଦ୍ରା, ପୁରାତନ ଯୁଗର ନିତ୍ୟ ବ୍ୟବହାର ସାମଗ୍ରି ଅନ୍ୟତମ । ସମଗ୍ର ମ୍ୟୁଜିୟମ୍‌ଟି ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଛି ଓ ଜଣେ ନିଜ ରୁଚି ଅନୁସାରେ ଟିକେଟ୍ କରି ଯେ କୌଣସି ବିଭାଗ ବୁଲି ପରିବ ।

ଚିତ୍ର ୩: ନେସନାଲ ମ୍ୟୁଜିୟମ୍

ଡ୍ୟାନ୍ସିଗ୍ ହାଉସ୍: ଏହାର ନାମ ଅନୁସାରେ ଏହି ଘରଟି ଦେଖିବାକୁ ସମ୍ପୂର୍ଣ ଅଲଗା ଦେଖାଯାଏ । ସତେ ଯେମିତି ଦୁଇ ଜଣ ଡ୍ୟାନ୍ସର ଠିଆ ହୋଇଛନ୍ତି । ଏହାର ନିର୍ମାଣ ଶୈଳୀ ଓ ଗଠନ ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଆସୁଛି, ଯାହା ସବୁ ପର୍ଯ୍ୟଟକମାନଙ୍କୁ ଥରେ ଦେଖିବାକୁ ବାଧ୍ୟ କରିଥାଏ । ଯେତେଥର ମୁଁ ଏହାକୁ ପାଖରୁ ଦେଖିଚି, ପ୍ରତି ଥର ଏହାର ନିର୍ମାଣ ଶୈଳୀକୁ ବୁଝିବାକୁ ଚେଷ୍ଟା କରିଥାଏ ।

ଚିତ୍ର ୪: ଡ୍ୟାନ୍ସିଗ୍ ହାଉସ୍

ଓଲଡ୍ ଟାଓନ୍ ସ୍କୋୟାର୍: ପ୍ରାଗ୍‌ରେ ଥିବା ପ୍ରମୁଖ ଦର୍ଶନୀୟ ସ୍ଥାନ ମଧ୍ୟରେ ଏହା ଅନ୍ୟତମ । ଏଠାରେ ଏକ ବଡ଼ ଖୋଲା ପଡ଼ିଆ ଭଳି ଜାଗା ଅଛି ଯାହା ଚାରିପଟେ ବହୁ ପୁରାତନ ଅଟାଳିକା, ଚର୍ଚ୍ଚ ଓ ମୂର୍ତ୍ତି ସବୁ ଅବସ୍ଥିତ । ଖୋଲା ପଡ଼ିଆରେ ବହୁ କଳାକାରମାନେ ନିଜ ନିଜ କଳାଦ୍ଵାରା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ଲାଗିଥାନ୍ତି ଆଉ ସବୁବେଳେ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିରହିଥାଏ । ଏଠାରେ ପ୍ରସିଦ୍ଧ ଆଷ୍ଟ୍ରୋନାମିକାଲ ଘଡ଼ି ରହିଛି, ଯାହା ପୃଥିବୀର ପୁରାତନ ସଚଳ ଆଷ୍ଟ୍ରୋନାମିକାଲ ଘଡ଼ି ମଧ୍ୟରେ ଅନ୍ୟତମ । ଅବଶ୍ୟ ମୋର ଗସ୍ତ ସମୟରେ ମରାମତି କାରଣରୁ ଏହାକୁ ସାମୟିକ ଭାବରେ ବନ୍ଦ କରା ଯାଇଥିଲା । ତେଣୁ ଏହା ଚାଲୁଥିବା ଦେଖିବାର ସୁଯୋଗ ଏପର୍ଯ୍ୟନ୍ତ ମିଳିନି ।

ଚିତ୍ର ୫: ଓଲଡ୍ ଟାଓନ୍ ସ୍କୋୟାର୍
ଚିତ୍ର ୬: ପାଉଡର୍ ଟାୱାର୍

ପାଉଡର୍ ଟାୱାର୍ : ଏହି ବିଶାଳ ବିଲଡିଂଟି ମୁଖ୍ୟତଃ ଏକ ଦ୍ଵାର, ଯାହା ଓଲଡ୍ ଟାଓନ୍ ସ୍କୋୟାର୍‌କୁ ଯିବା ବାଟରେ ପଡ଼େ । ପୂର୍ବରୁ ଏଠି ଗନ୍ ପାଉଡର୍ ରଖା ଯାଉଥିବାରୁ ଏହାର ନାମକରଣ ଏପରି ହୋଇଛି । ଏହା ପାର୍ଶ ଦେଇ ଗଲାବେଳେ ଏହା ସହ ଫୋଟୋ ନ ଉଠାଇ ରହି ହୁଏ ନାହିଁ ।
ପେଟ୍ରିନ୍ ଲୁକ୍ ଆଉଟ୍ ଟାୱାର୍: ପହାଡ଼ ଉପରେ ଅବସ୍ତିତ ଲୁହାରେ ନିର୍ମିତ ଏହି ବିଶାଲ ଟାୱାର୍‌ଟି ଦେଖିବକୁ ଅବିକଳ ପାରିସ୍‌ର ଈଫେଲ୍ ଟାୱାର୍ ଭଳି । ପାହାଡ଼ ଉପରକୁ ଯିବାକୁ ମେଟ୍ରୋ ଗାଡ଼ିର ବ୍ୟବସ୍ତା ଅଛି । କିନ୍ତୁ ଚାଲିଚାଲି ପାହାଡ଼ ଉପରକୁ ଗଲାବେଳେ ପ୍ରାଗ୍ ସହରର ଦୃଶ୍ୟ ଦେଖିବାର ମଜା ଓ ଗଛରୁ ତଳେ ପଡ଼ିଥିବା ସେଓ ଓ ଅନ୍ୟାନ୍ୟ ଫଳ ଖାଇବାର ମଜା ଏକ ନିଆରା ଅନୁଭୁତି ।

ଚିତ୍ର ୭: ପେଟ୍ରିନ୍ ଲୁକ୍ ଆଉଟ୍ ଟାୱାର୍

ପ୍ରାଗ୍ ରଥଯାତ୍ରା: ପୃଥିବୀର ଅନ୍ୟ ଦେଶ ଭଳି ପୁରୀ ରଥଯାତ୍ରାକୁ ଏଠାରେ ଥିବା ଇସ୍କନ ଭକ୍ତମାନେ ବହୁତ ଭଲ ଭାବରେ ପାଳନ କରିଥାନ୍ତି । ଇଉରୋପରେ ଥିବା ବହୁ ଇସ୍କନ ଭକ୍ତ ଏଠାକୁ ଆସିଥାନ୍ତି । ଏ ବର୍ଷ ମୋତେ ପ୍ରାଗ୍ ରଥଯାତ୍ରା ଦେଖିବାର ସୌଭାଗ୍ୟ ମିଳିଥିଲା, ଯାହା ଚିର ସ୍ମରଣୀୟ ହୋଇ ରହିବ । ବିଦେଶୀ ଭକ୍ତମାନଙ୍କ ଜଗନ୍ନାଥଙ୍କ ପ୍ରତି ଥିବା ଭକ୍ତି ଓ ରଥଯାତ୍ରାର ଆୟୋଜନ ମୋତେ ଅଭିଭୂତ କରିଦେଇଥିଲା ଓ ନିଜକୁ ଓଡ଼ିଆ ହେବାର ଗର୍ବ ହୋଇଥିଲା । ଆୟୋଜକମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରିଥିଲେ, ଯେଉଁଥିରେ ପ୍ରାଗ୍‌ରେ ରହୁଥିବା ଭାରତୀୟମାନଙ୍କ ସହ ବହୁ ବିଦେଶୀ ଭକ୍ତ ଯୋଗ ଦେଇଥିଲେ ।

ଚିତ୍ର ୮: ପ୍ରାଗ ରଥ ଯାତ୍ରା

ଏସବୁ ପ୍ରମୁଖ ଦର୍ଶନୀୟ ସ୍ଥାନକୁ ଛାଡ଼ି ପ୍ରାଗ୍‌କୁ ଆସୁଥିବା ପର୍ଯ୍ୟଟକମାନେ ଏଠିକାର ବିୟର, ଚକୋଲେଟ ଓ କଫିକୁ ବହୁତ ପସନ୍ଦ କରିଥାନ୍ତି । ଇଉରୋପର ଅନ୍ୟାନ୍ୟ ଦେଶ ଅପେକ୍ଷା ତୁଳନାତ୍ମକ ଭାବରେ ଶସ୍ତା ହୋଇଥିବାରୁ ବହୁ ପର୍ଯ୍ୟଟକ ଏଠାକୁ ଆସିବାକୁ ପସନ୍ଦ କରିଥାନ୍ତି । ଭାରତୀୟମାନଙ୍କ ପାଇଁ ଏଠାରେ ବହୁ ଭାରତୀୟ ହୋଟେଲ ରହିଛି । ଏହା ବ୍ୟତୀତ ସମ୍ପୂର୍ଣ୍ଣ ନିରାମିଷ ଭାରତୀୟ ହୋଟେଲ ମଧ୍ୟ ଏଠାରେ ଅବସ୍ଥିତ, ଯାହା ଏଠାରେ ରହୁଥିବା ଇସ୍କନ ଭକ୍ତଙ୍କ ଦ୍ଵାରା ପରିଚାଳିତ । ଅବଶ୍ୟ ଏଠାରେ ରହିବା ଭିତରେ ମୁଁ ଏଠିକାର କିଛି ଖାଦ୍ୟ ଖାଇବାର ସୁଯୋଗ ଲାଭ କରିଛି, ଯାହା ମଧ୍ୟରେ “ଫ୍ରାଏଡ୍ ଚିଇଜ” (Fried Cheese) ବହୁତ ଭଲ ଲାଗେ ।

ଚିତ୍ର ୯: ଫ୍ରାଏଡ ଚିଇଜ

ଶେଷରେ ଏତିକି କହିବି ଯେ କର୍ମମୟ ଜୀବନରେ ପୁଣି କେବେ କେଉଁ ସହରକୁ ଯିବାକୁ ପଡ଼ିବ ଜାଣିନି କିନ୍ତୁ ଏତେ ଦିନର ରହଣି ଭିତରେ ଏହି ସହର ପ୍ରତି ଓ ମୋ ସହକର୍ମୀମାନଙ୍କ ପ୍ରତି ଏକ ଅଜଣା ସମ୍ପର୍କ ଗଢ଼ି ଉଠିଛି ଯାହା ସ୍ମୃତିରେ ଚିରସ୍ଥାୟୀ ହୋଇ ରହିଥିବ ।

ଡ. ଶାନ୍ତିପ୍ରିୟ ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ଶାନ୍ତିପ୍ରିୟ ପରିଡ଼ା ପେଶାରେ ଜଣେ ଇଞ୍ଜିନିୟର୍ ଏବଂ ନିଶାର ତାଙ୍କର ନୂଆ ନୂଆ ଜାଗା ବୁଲିବା ଆଉ ସେହି ସ୍ଥାନଗୁଡ଼ିକର ବର୍ଣ୍ଣନ କରନ୍ତି ସେ କାହାଣୀ ମାଧ୍ୟମରେ ।