You are currently viewing ପାରିଜାତ
ପାରିଜାତ

ପାରିଜାତ

ସୁପ୍ରଭାତ ବନ୍ଧୁଗଣ ।
ରେଡ଼ିଓ ରକ୍ସକୁ ସ୍ୱାଗତ କରୁଛି ଆପଣଙ୍କୁ, ମୁଁ ସମୀର ।

ଆଜି ଆପଣଙ୍କ ସମୀର ପୁରା ଅନ୍-ପ୍ରିପେୟାର୍ଡ୍ । ଏ ଗୋଟେ ଲାଇନରେ ଭାବୁଥିବେ, ସମୀରର ମୁଣ୍ଡ ମାଡ଼ ହେଇ ଯାଇଛି ବୋଧେ । ପ୍ରଥମେ ତ ପୂର୍ବ ପ୍ରସ୍ତୁତିର ଘର ଶୂନ, ଦ୍ୱିତୀୟରେ ଏ ଓଡ଼ିଆ ଟୋକାର ଜିଭଟା ଅଂଗ୍ରେଜି କହିବାକୁ କେମିତି ଲେଉଟିଲା । ଏଇଟା ତ ଆଜିର ମିଷ୍ଟ୍ରି । ହଁ ବନ୍ଧୁଗଣ ମିଷ୍ଟ୍ରି ଭିତରେ ଅଛି ଆପଣଙ୍କ ଭଳି କେହି ଜଣଙ୍କର ହିଷ୍ଟ୍ରି । ତେବେ କାର୍ଯ୍ୟକ୍ରମରେ ଆଗେଇବା ଆଗରୁ ସେମାନଙ୍କୁ ପ୍ରଥମେ ଧନ୍ୟବାଦ, ଯେଉଁମାନେ ବରାବର ଆମ ପାଖକୁ ଚିଠି ଲେଖନ୍ତି । ଏମିତି ଲେଖିଚାଲନ୍ତୁ, ଆଉ ଅତୀତର ଭାରକୁ ଟିକେ କମ୍ କରିଦିଅନ୍ତୁ ।

ସୋ, ରେଡ଼ିଓ ରକ୍ସ ପାଇଁ ଆଜିର ପ୍ରଥମ ଚିଠି, ଗୋଟେ ସୁନ୍ଦର ଗୋଲାପୀ ଲଫାପାରେ । ୱାଓ୍, ଆଏ କ୍ୟାଚିଂ ହ୍ୟାଣ୍ଡରାଇଟିଂ । ତେବେ ଏ ଚିଠିଟିକୁ ଲେଖିଛନ୍ତି……. ପ୍ରେରକ ଘର ଖାଲି । ନାଁ ନାହିଁ କି ଠିକଣା ନାହିଁ । ମିଷ୍ଟ୍ରି ଟୁ ଦି ପାୱାର୍ ଟେନ୍ । ତେବେ ନୋ ଇସୁ । ଆମେ ତ ଆଗକୁ ହିଁ ବଢ଼ିବୁ ।

ପରିଜାତ,
ଭାବି ପାରିଲିନି, କ’ଣ କହିବି । ନାଁ ତ କହି ପାରିବିନି, ଜୀବନର ଶେଷ କଣ୍ଡିସନକୁ ତ ସମ୍ମାନ ଦେବାକୁ ପଡ଼ିବ । ସମୁଦ୍ର କୂଳରେ ବଗୁଲିଆ ଗୋଟେ ଆଜି ବଜଉଥିଲା, “ସୀମାହୀନ ଦରିଆ, ସାଥୀହୀନ ଦୁନିଆ”, ଏ ଗୀତଗୁଡ଼ାକ ବି ଜୀବନଟାକୁ ଖୋଳିଖୋଳି, ତା’ ଭିତରୁ ଅର୍ଥ ବାହାର କରନ୍ତି । ତମେ ତ ସବୁବେଳେ ମନରେ ସାଇତା ହେଇ ଥାଅ, ଆଜି କିନ୍ତୁ ସଜଫୁଟା ଫୁଲ ପରି ଖେଳିଗଲ ।

ତମେ ଖାଲି କଲମ ଧରେଇଥିଲ, ମନ ମୋର, ଲେଖା ବି ମୋର । ଆଜି ଭାବୁଛି କିଛି ନହେଲେ ବି ପ୍ରୁଫ୍ ରିଡିଂର ବୋଝଟା ଆଟଲିଷ୍ଟ୍ ମୁଣ୍ଡେଇ ଥାଆନ୍ତ । ନିଷ୍ପତ୍ତି ତ ମୋର ଥିଲା, ତମେ ଖାଲି ନୀରବରେ ସମର୍ଥନ ଯାହା ଜଣେଇଥିଲ । ମୁହଁ ଖୋଲି କିଛି ବି କହିଲନି । ଆଜି ବି ଲାଗେ, ସବୁ ଠିକ୍ ଅଛି, କିନ୍ତୁ ନିଃଶବ୍ଦର ବି ତ ଶବ୍ଦ ଅଛି । ମୋ ଇଚ୍ଛାକୁ ସମ୍ମାନ ଜଣେଇଲ, ଥରେ ପଜେସ୍ ତ କରିଥାଆନ୍ତ ।

ଜୀବନଟା ଫିଲୋସୋଫିରେ ଭରା । ହେଇପାରେ ସମସ୍ତଙ୍କ ପାଇଁ ଅଲଗା ପ୍ଲାଟଫର୍ମ । କ’ଣ ଭାବିକି ସେ ଗପଟା ଚିରି ଦେଇଥିଲ? ଜୀବନକୁ କାଗଜ ଉପରେ ସଜେଇଦେବାଟା କ’ଣ ଭୁଲ? ସମ୍ପର୍କର ସୂତା ଯେତେବେଳଯାଏଁ ଗଣ୍ଠି ନପଡ଼ିଛି, ସେତେବେଳ ଯାଏଁ ସବୁ ସୁନ୍ଦର । ଥରେ ଗଣ୍ଠି ପଡ଼ିଗଲେ ଅଧିକାର ଆସିଯାଏ । ଲାଇକ୍ ଫର୍ ଏଭର୍ ଗ୍ରାଣ୍ଟେଡ୍ । ଅଭ୍ୟାସ ଛାଡ଼ିଯାଏ, କିନ୍ତୁ ଅଧିକାରର ସେ ସାହସ ବି ନାହିଁ ।

ରେଡ଼ିଓ ରକ୍ସରେ ଯଦି କେବେ ଶୁଣିବ, ଭାବିବନି ଦୁଃଖରେ ଅଛି । ହଁ, ସ୍ମୃତି ଯେବେ ଲେଉଟି ଆସେ, ଶବ୍ଦଗୁଡ଼ା ସହଜେ ଧରା ଦିଅନ୍ତିନି । କାହା ପରେ କ’ଣ ଲେଖୁଛି, କିଛି ଜଣା ନାହିଁ । ଜାଣିଛି କେବଳ ତମ ପାଇଁ ଲେଖୁଛି । ବାକି ସମସ୍ତେ ତ ଶବ୍ଦକୁ ଶୁଣିବେ; ତମେ କିନ୍ତୁ ମୋତେ ଶୁଣିପାରିବ, ସେତିକି ମୋ ପାଇଁ ସବୁକିଛି । ବେଶ୍ କେତେ ଦିନ ହେଇଗଲାଣି, କିଛି ବି ଲେଖାଲେଖି କରିନି । ଆଜି ମନ ହେଲା, ହେଲେ ଖାଲି ତମେ ହିଁ ଦେଖାଯାଉଛ, ଆଉ ଲେଖିବି ବା କ’ଣ ! ଅତୀତର ଚାପରେ ବର୍ତ୍ତମାନଟା ଭୁଲି ଯାଉଛି ।

ଜହ୍ନ ରାତି ଆଉ କଷ୍ଟ ଦଉନି । ୱାର୍ଡରୋବରେ ଗ୍ରୀନ୍ କଲର୍ ସହ ଅଲଗା ରଙ୍ଗର ଡ୍ରେସ୍ ବି ଜାଗା ପାଇଲାଣି । ଆଉ କିଏ କୃଷ୍ଣଚୂଡ଼ା ଫୁଲ ନେଇଗଲେ, ଜେଲସ୍ ଫିଲ୍ ହଉନି; ଆମ ପସନ୍ଦର ଫୁଲକୁ କିଏ ଆଦରରେ ତ ନଉଛି । ତମେ ମନ ପଡ଼ିଲେ ଖୁସିର ଲୁହ ଆପେ ବହିଯାଉଛି । ତମକୁ ଝୁରି ହେବାରେ ବି ଶାନ୍ତି ମିଳୁଛି । ଏଇ ଦିନକୁ ନେଇ ବୋଧହୁଏ କେବେ ସ୍ୱପ୍ନ ଦେଖିଥିଲି । ସମାଜଠୁ ଦୂରରେ ଗୋଟେ ଅଦେଖା ସୂତାରେ ବାନ୍ଧି ହେଇଯିବାର ସ୍ୱପ୍ନ, ସବୁଦିନ ପାଇଁ ମୁକ୍ତ ହେଇଯିବାର ସ୍ୱପ୍ନ ।

ଏତେ ସବୁ ଲେଖିଲା ପରେ ବି ବହୁତ କିଛି ବାକି ରହିଗଲା । କାଗଜ ଅଭିଧାନରେ ଶବ୍ଦର ଅଭାବ । ଜୀବନର ଆଶା ତ ସୀମାହୀନ ସିକତା ରାଶି ଭଳି । ଇଚ୍ଛା ହୁଏ, ଆଜି ତମେ ଆଖି ଆଗରେ ଥାଆନ୍ତ, ତମକୁ ସବୁଦିନ ପାଇଁ ଦେଖି ରହିଯାଆନ୍ତି ।

*******************

କ୍ଷମା ଚାହୁଁଛି, ଶ୍ରୋତା ବନ୍ଧୁ, ବେଶ୍ କିଛି ସମୟର ନୀରବତା ପାଇଁ । ଭାବୁଥିଲି, ଏ ଚିଠି ଏଇଠି ସରିଗଲା କାହିଁକି? ତା’ପରେ ଜାଣିପାରିଲି, ଏ ତ ଏକ ଅସରନ୍ତି ଅକୁହା କଥାର କେତୋଟି ଧାଡ଼ି । ସେଇଥିପାଇଁ ତଳେ “ଇତି” ବି ଲେଖା ନାହିଁ । ସମ୍ପର୍କର ଇତି ନାହିଁ, କେବଳ ଶବ୍ଦର ଇତି ଥାଏ ଯାହା । ଭାବସାଗରରେ ଭାସିଯିବା ପାଇଁ ଭାବଟିଏ ଲୋଡ଼ା, ଅଭିଧାନର ନାଆ ତ ଅଧାରେ ବୁଡ଼ିଯାଏ । ସବୁ ସମ୍ପର୍କର ଉପରେ କାହାର ନିଜର ହେଇଯିବାରେ ବି ଖୁସି ଥାଏ । ରେଡ଼ିଓ ରକ୍ସର ଶବ୍ଦ ତରଙ୍ଗ ପାରିଜାତଙ୍କ କାନରେ ପଡ଼ୁଥିବ କି ନାଇଁ ଜାଣେନା, କିନ୍ତୁ ଆଶା କରୁଛି ପ୍ରେୟସୀର ହୃଦୟ ଝଙ୍କାର ନିଶ୍ଚେ ଶୁଣି ପାରୁଥିବେ ।
ଏବେ ପଢ଼ିବା ଆଉ ଏକ ଚିଠି, କିନ୍ତୁ ତା’ ପୂର୍ବରୁ ନେଇଯିବା ଏକ ଛୋଟ ବିରତି ।

ଆଭା ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଭା ପ୍ରଧାନ ତାଙ୍କ ଛୋଟବେଳୁ ସାହିତ୍ୟ ପ୍ରତି ଅଧିକ ଆକର୍ଷିତ ଥିଲେ । ବିଭିନ୍ନ ପ୍ରକାରର ରଚନା ରହିଛି ତାଙ୍କର । ପାଠକମାନେ ସବୁବେଳେ ତାଙ୍କର ଲେଖାରେ ଥିବା ନିଜର ପଣିଆକୁ ସବୁବେଳେ ପସନ୍ଦ କରିଆସିଛନ୍ତି ।