You are currently viewing ପଖାଳ ଦିବସ ଯୋଜନା
ପଖାଳ ଦିବସ ଯୋଜନା

ପଖାଳ ଦିବସ ଯୋଜନା

ଗ ବାବୁ ଭାରି ଚିନ୍ତିତ, ଏଣେ ପଖାଳ ଦିବସ ପାଖେଇ ଆଇଲାଣି । ଯଦି ସିକ୍ରେଟ ମିଶନଟି ବାହାରକୁ ପ୍ରଘଟ ହେଇଯାଏ ତେବେ ଗଲା ଜାଣ, ଏହାର ଜିଆଇ ଟାଗ ବି ହାତରୁ ଚାଲିଯିବ । ପଡ଼ୋଶୀ ରାଇଜ ବାଲାଏ ଏଡ଼େବଡ଼ ନଦୀରେ ପୁଞ୍ଜାଏ ବନ୍ଧ ବାନ୍ଧି ଦେଲେ, ଆମେ ଟେର୍ ବି ପାଇଲୁନି ହେଲେ ଆମ ରସଗୋଲା ଜିଆଇ ଟିଆଗ ପାଇଁ ତୟାର ହଉ ହଉ ତେଣେ ଦିଦି ଖେଳ କରିଦେଲେ ।

ମୁମ କହିଛନ୍ତି ଖବରଦାର ଗ ବାବୁ, ଜିଆଇ ଟିଆଗ ନପାଇଲା ଯାଏଁ ତୁମ ମାଇପ କାନକୁ ମଧ୍ୟ ଏକଥା ନଯାଏ । ଗ ବାବୁ ମନ୍ତ୍ରୀ ହେଲେ କ’ଣ ହେଲା ବିଭାଗ ବିହୀନ । ବିଭାଗଟିର ନାମକରଣ ସରିଛି ହେଲେ ଘୋଷଣା ହେବ ପଖାଳ ଦିବସରେ, ନୂଆ କାନୁନ ବି ଘୋଷଣା ହେବ ।

ଗ ବାବୁ ଚୂଡ଼ାନ୍ତ ପ୍ରସ୍ତୁତି ସଭା ଡକାଇଛନ୍ତି । କାନୁନ ମନ୍ତ୍ରୀ କିଛି ନୂଆ ଡ୍ରାଫ୍ଟ ଆଣି ଆସିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କ ବିଭଗୀୟ ଗବେଷଣା ଲବ୍ଧ ଜ୍ଞାନ ମଧ୍ୟ ଚର୍ଚ୍ଚା ପାଇଁ ଆଣିଛନ୍ତି । ସୂଚନା ପ୍ରସାରଣ ମନ୍ତ୍ରୀ ତାଙ୍କ ସୋସିଆଲ ମେଡ଼ିଆ ସେକ୍ରେଟେଙ୍କୁ ସାଙ୍ଗରେ ଧରି ଲଟର ପଟର ହେଉଥାନ୍ତି । ବାହାରେ ସିଆଡ଼ିକା ପ୍ରତିନିଧି ଏହି ମିଟିଂର ଟେର ପାଇ ସାରିଥାନ୍ତି । ତାଙ୍କ ଦଳବଳ ଧରି ତଳମହଲରେ ଟହଲ ମାରୁଥାନ୍ତି ।

ମୁମ ଆସି ପହଞ୍ଚି ଗଲେ । ଗ ବାବୁ ତାଙ୍କ ଧୋତି କୁଞ୍ଚ ସଜାଡ଼ି ଠିଆ ହେଇଗଲେ । ସ୍ୱାଗତ ସମ୍ଭାଷଣ ପରେ ଘମାସନ ଆଲୋଚନା ସୁରୁ ହେଇଗଲା । ମୁମ ଭାରି ସିରିୟସ, ଆଗାମୀ ନିର୍ବାଚନରେ ଏହି ପ୍ରୋଗ୍ରାମଟି, ଛତା, ଜୋତା, ସାଇକଲଠୁଁ ଭଲ ସ୍କୋର ଦବ । ତା’ଛଡ଼ା ଜିଆଇ ଟିଆଗ ଯଦି ହାତରୁ ଚାଲିଯାଏ ଜାଣ ନିର୍ବାଚନ ହାରିବା ସାରା, ହୁଏତ ‘କ’ ପାର୍ଟି ସଙ୍ଗେ ମେଣ୍ଟ ପାଇଁ ବାଟ ପ୍ରସ୍ତୁତ ହେଇଯିବ ବା ଦିଲ୍ଲୀ ଫେରିଯିବାକୁ ପଡ଼ିବ । ଆଉ ଯଦି ଟିଆଗ ମିଳିଯାଏ ତା’ହେଲେ ରସଗୋଲା ଟିଆଗ ଫେଲ ଦୋଷ କଟିଯିବା ।

ଗ ବାବୁ ଆଲୋଚନା ବୁଲେଟ ପଇଣ୍ଟ ସବୁ ପଢ଼ି ଶୁଣାଇ ଦେଲେ;

୧. ପଖାଳ ଓଡ଼ିଶାର ଜାତୀୟ ଖାଦ୍ୟ ଘୋଷଣା ।
୨. ସବୁ ସରକାରୀ ଗେଷ୍ଟହାଉସ, କ୍ୟାଣ୍ଟିନରେ ପଖାଳ ବ୍ୟବସ୍ଥା ଅନିର୍ବାଯ୍ୟ ।
୩. ଏଣିକି ୫ ଟଙ୍କିଆ ମିଲରେ ଖରାଦିନେ ପଖାଳ ଭାତ ବ୍ୟବସ୍ଥା ।
୪. ପଖାଳ ସାଙ୍ଗରେ ଯେଉଁ ସାଇଡ ଆଇଟମ ଦିଆଯିବ ତା’ର ବିବରଣୀ ପ୍ରସ୍ତୁତ କରି ବୋର୍ଡ଼ରେ ଟଙ୍ଗାଇ ଦିଆଯିବ ।
୫. ଖାଦ୍ୟକେନ୍ଦ୍ର ଆଗରେ ଲୁଣ, ଲଙ୍କା, ଲେମ୍ବୁ ବିକିବା ପାଇଁ ପିଣ୍ଡି ବ୍ୟବସ୍ଥା କରାଯିବ ।
୬. ଭାତକୁ ପଖାଳି ଖାଇଲେ ସେଥିରେ କୋଉ ଖାଦ୍ୟପ୍ରାଣ ଓ ଖଣିଜ ଲବଣ ବଢ଼ିଯାଏ ତା’ର ପ୍ରସାର ସୂଚନା ବିଭାଗ ଦ୍ଵାରା କରାଯିବ ।
୭. ନିଦ୍ରାହୀନତା ଭୋଗୁଥିବା ବ୍ୟକ୍ତିଙ୍କୁ ଏଣିକି ସରକାରୀ ହସ୍ପାତାଳରେ ପଖାଳ ଡୋଜ୍ ଦିଆଯିବ ।
୮. ପ୍ରଦେଶରେ ଲକ୍ଷେ ପଖାଳ ସେଣ୍ଟର ଖୋଲାଯିବ ।
୯. ଲୋକେ ତୋରାଣି ବୋତଲରେ ଘରକୁ ନେଇ ପାରିବେ ।
୧୦. ଖାଦ୍ୟ ବିଭାଗ ଅଥେଣ୍ଟିକେଟ ପଖାଳ ବ୍ୟାକ୍ଟେରିଆ, ସବୁ ପଖାଳକେନ୍ଦ୍ରକୁ ଯୋଗାଇଦେବେ ।
୧୧. ପଖାଳରେ ସୁରାସାରର ମାତ୍ରା ଯେମିତି ମାନକ ମାତ୍ରା ମଧ୍ୟରେ ରହେ ତା’ର ତଦାରଖ ହେବ ।
୧୨. ଟୁଇଟରରେ ତୁରନ୍ତ ସାନଅଜା ନାଁରେ, ଏକାଉଣ୍ଟ ଖୋଲି ସୋସିଆଲ ମେଡ଼ିଆରେ ପ୍ରଚାର ପ୍ରସାର କାମଟିକୁ ଆଗେଇ ନିଆଯିବ ।

ମୁମ ପ୍ରସ୍ତାବ ଗୁଡ଼ିକ ଶୁଣି ପ୍ରସନ୍ନ ଦିଶିଲେ ଓ ନିଜ ତରଫରୁ ଦୁଇଟି ପ୍ରସ୍ତାବ ଦେଲେ- ପଖାଳ କେନ୍ଦ୍ରର ପଛ ପାଖରେ, ସରକାରୀ ଖର୍ଚ୍ଚରେ ବିରାଟ ଅନ୍ଧାରିଆ ହଲ୍‌ମାନ ତିଆରି କରାଯିବ ଏବଂ ଲଙ୍କା, ଲେମ୍ବୁ ଓ ଲୁଣ ଦଳ ତରଫରୁ ପାକେଟ କରି, ଦଳୀୟ ଚିହ୍ନ ସହିତ ମାଗଣାରେ ଯୋଗାଣ ହେବ ।

ଗ ବାବୁ କହିଲେ ଆଜ୍ଞା ଗୁଡ଼ାଏ ପଇସା ଦଳୀୟ ପାଣ୍ଠିରୁ ଚାଲିଯିବ, ହେଲେ ଲାଭ? ମୁମ କହିଲେ ଆରେ ଲୋକେ ଯାହାର ଲୁଣ ଖାଇବେ ତାକୁପରା ଭୋଟ ଦେବେ ।

ସଭା ସଙ୍ଗ ହେଲା, ଏଥର ମଧ୍ୟାନ ଭୋଜନ ବ୍ୟବସ୍ତା । ଗ ବାବୁ ଇସାରା କଲେ, ଆଉ ସଙ୍ଗେ ସଙ୍ଗେ ପଖାଳ କଂସା ଆସିଗଲା ଟେବୁଲ ଉପରକୁ । ମୁମଙ୍କର ଯେମିତି ପଖାଳ କଂସା ନଜର ପଡ଼ିଛି, ତୁରନ୍ତ ଚେୟାରରୁ ଉଠି ରାଗି ପାଚି ବାହାରିଗଲେ, ଆଉ କହିଗଲେ ହେଃ ଆକୁ ମଣିଷ……, ତାଙ୍କ ପଛେ ପଛେ ଗ ବାବୁ ନିଜ ଖୋଲି ଯାଇଥିବା କଛାକୁ ସମ୍ଭାଳୁ ସମ୍ଭାଳୁ ଦୌଡ଼ିଲେ ।

ପରାଶର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପରାଶର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି ।