ନୀଳନଦୀରେ ନୌବିହାର
ନୀଳନଦୀରେ ନୌବିହାର

ନୀଳନଦୀରେ ନୌବିହାର

ଇତିହାସକୁ ଗପ ଭାବରେ ପଢ଼ିଲେ ବୁଝିବାକୁ ଭାରି ସହଜ ହୁଏ । ଆଉ ଯେତେଦୂର ମୋର ମନେପଡ଼ୁଛି, ଏହାକୁ ବିଷୟ ଭାବେ ଷଷ୍ଠ କି ସପ୍ତମ ଶ୍ରେଣୀରେ ପ୍ରଥମଥର ପାଇଁ ପଢ଼ିବାକୁ ପଡ଼ିଥିଲା । ମୋଗଲ ଶାସନ, ବିଶ୍ୱଯୁଦ୍ଧ ଓ ସ୍ୱାଧୀନତା ସଂଗ୍ରାମ ବିଷୟରେ ପଢ଼ି ଭୟ ଲାଗୁଥିଲା କେମିତି ଏସବୁ ଘଟଣାର ମସିହା ମନେରଖି ପରୀକ୍ଷାରେ ଲେଖିବା । କିନ୍ତୁ ଯେତେବେଳେ ମହେଞ୍ଜୋଦାର ଓ ହରପ୍ପା ଭଳି ସଭ୍ୟତା ବିଷୟରେ ପଢ଼ିବାକୁ ପଡ଼ିଲା, ସେବେ ଭାରି ରୋମାଞ୍ଚକର ଲାଗିଲା । ସବୁଠାରୁ ରୋଚକ ଥିଲା ଯେବେ ମିଶର ସଭ୍ୟତା ବିଷୟରେ ପଢ଼ୁଥିଲୁ ଆଉ ପରୀକ୍ଷାରେ ପ୍ରଶ୍ନ ଆସିଥିଲା ମିଶରକୁ ନୀଳ ନଦୀର ଦାନ କାହିଁକି କୁହାଯାଏ? ସେତେବେଳେ ଉତ୍ତର ଖାତାରେ ଉତ୍ତର ଲେଖିଲାବେଳେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି କେବେ ସୁଯୋଗ ମିଳିବ ନୀଳନଦୀ ଉପତ୍ୟକା ପରିଭ୍ରମଣ କରିବାକୁ ।

ପୂରାତନ ଯୁଗର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ପିରାମିଡ଼୍ ଅନ୍ୟତମ କିନ୍ତୁ ମିଶର ଦେଶରେ ପିରାମିଡ଼ ଛାଡ଼ି ଏମିତି ଅନେକ କିଛି ଅଛି ଯାହା ଅତ୍ୟନ୍ତ ଆକର୍ଷଣୀୟ । ସେମିତି କିଛି ସ୍ଥାନକୁ ଯିବାପାଇଁ ମୋତେ ୱତନୀୟା ରେଳର ସାହାଯ୍ୟ ନେବାପାଇଁ ପଡ଼ିଥିଲା । ନିକଟସ୍ଥ ଷ୍ଟେସନ ଥିଲା ଗିଜା, ଯାହା କି ପିରାମିଡ଼୍‌ର ଘର । ଅବଶ୍ୟ ଗିଜା ସହରର ଛଅ ପିରାମିଡ଼୍ ଛାଡ଼ି ଅନ୍ୟତ୍ର ବି କିଛି ସ୍ଥାନରେ ଅଛି ଆଉ ଏବେବି ସେ ବିଷୟରେ ଆହୁରି ଅଧିକ ଅନୁସନ୍ଧାନ ଚାଲିଛି…

ୱତନୀୟା ରେଳ କହିଲେ ପ୍ରାୟ ଆମ ଦେଶର ପ୍ରଥମ ଶ୍ରେଣୀ ବାତାନୁକୁଳ ଏକ୍ସପ୍ରେସ ସହ ତୁଳନୀୟ, ସଂପୂର୍ଣ୍ଣ ଭାବେ ବିଦେଶୀ ନାଗରିକଙ୍କ ପାଇଁ ସଂରକ୍ଷିତ ଶୟନ ଯାନ । ଗିଜା ସହର ଯେହେତୁ ୧୩୦୦/୧୪୦୦ ବର୍ଷ ପୁରୁଣା, ମୋର ଧାରଣାଥିଲା ଷ୍ଟେସନ ବି ସେମିତି ପୁରୁଣା ହୋଇଥିବ । ହେଲେ ମୋ ଧାରଣାର ବିପରୀତ ସେ ଛୋଟ ଷ୍ଟେସନଟି ଥିଲା, ବେଶ ସଫାସୁତୁରା । ଅଧିକାଂଶ ଯାତ୍ରୀ ବିଦେଶୀ ହିଁ ଥିଲେ ଆଉ ବହୁତ ବଡ଼ ସଂଖ୍ୟାରେ ଚୀନ ଦେଶର ନାଗରିକମାନେ ଥିଲେ ମୋ ସହଯାତ୍ରୀ । ଦୁଇଜଣ ସହଜରେ ଶୋଇଲା ଭଳି କ୍ୟାବିନ, ତା ଭିତରେ ହାତ ମୁହଁ ଧୋଇବାକୁ ବେସିନ୍ । ସଂଧ୍ୟା ୮ଟାରେ ଟ୍ରେନ ଚଢ଼ିବା ମାତ୍ରେ କୋଚ ସହାୟକ ଗରମ ଖାଦ୍ୟ ଓ ପାନୀୟରେ ଆପ୍ୟାୟିତ କଲେ । ଖାଇବା ଅବଶ୍ୟ ହାଲୁକା ଥିଲା । ଆମର ଏପଟ କାନିକା ଭଳି ଭାତ ଆଉ ସିଝା ପନିପରିବା, ତା’ସହ ଆଳୁ, ବାଇଗଣ ଭଜା, ପାଉଁରୁଟି ଏବଂ ସାଲାଡ୍ ।

ୱତନୀୟା ରେଳ

ଭ୍ରମଣ ଜନିତ କ୍ଳାନ୍ତି ପାଇଁ ନିଦ୍ରାଦେବୀ ଯଥାଶୀଘ୍ର ଆସିଯାଇଥିଲେ ଆଉ ସକାଳେ କ୍ୟାବିନ କବାଟରେ ଠକ୍ ଠକ୍ ଶବ୍ଦରେ ନିଦ ଭାଙ୍ଗିଲା ବେଳକୁ ଗରମ କଫିଧରି ଛିଡ଼ା ହୋଇଥାନ୍ତି ସହାୟକ ମହାଶୟ । ଗନ୍ତବ୍ୟ ସ୍ଥାନରେ ପହଞ୍ଚିବାକୁ ଆହୁରି କିଛି ଘଣ୍ଟା ବାକି ଥାଏ, ସକାଳର ସୂର୍ଯ୍ୟ ନୀଳନଦୀର ସେପାରିରୁ ମୁଣ୍ଡ ଟେକି ଚାହିଁ ସାରିଥିଲେ । କଫିର ମଜା ନେଉନେଉ ଝରକାରୁ ଲକ୍ଷ୍ୟକଲି, ଆମର ଟ୍ରେନ ଠିକ୍ ନୀଳନଦୀର କୂଳେକୂଳେ ଚାଲିଥାଏ, ଅବଶ୍ୟ ନଦୀ ପ୍ରବାହର ବିପରୀତ ଦିଗରେ । ମାଳମାଳ ଖଜୁରୀ ଗଛ, ବିସ୍ତୃତ ଧାନ, ମକା ଓ ଆଖୁ ଖେତ ସବୁ ଯୋରରେ ପଛକୁ ଦୌଡ଼ୁଥାନ୍ତି । ଯଦିଓ କପାତୁଳା ବହୁବର୍ଷ ଧରି ମିଶରର ମୂଖ୍ୟ ଫସଲ ଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତି ଭିନ୍ନ । ଲୋକମାନେ ସାଧାରଣତଃ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଉପରେ ଧ୍ୟାନ ଦେଉଛନ୍ତି । ନୀଳନଦୀରୁ ଛୋଟଛୋଟ କେନାଲ ମାଧ୍ୟମରେ ପାଣି ଆଣି ସେଇ ପୂରାତନ ପଦ୍ଧତିରେ ଚାଷ କରୁଛନ୍ତି । ଅବଶ୍ୟ ଏବେ ଏବେ ଆଧୁନିକ ସିଞ୍ଚନ ପ୍ରଣାଳୀରେ ମଧ୍ୟ ଚାଷ କରିବାକୁ ଆଗ୍ରହୀ ହେଲେଣି । ସକାଳ ନଅଟାରେ ପହଞ୍ଚି ଯାଇଥିଲି ମୋର ଗନ୍ତବ୍ୟ ତଥା ଟ୍ରେନର ଶେଷ ଷ୍ଟେସନ “ଅଶୱାନ୍”ରେ । ସେଠାରେ ସ୍ଥାନୀୟ ଗାଇଡ୍ ମହୋଦୟ ନାମ ଲେଖାଥିବା କାଗଜ ଖଣ୍ଡେ ଧରି ଅପେକ୍ଷା କରିଥିଲେ । ବିଳମ୍ବପାଇଁ କ୍ଷମା ମାଗି ଷ୍ଟେସନ ବାହାରକୁ ବାହାରିଲା ବେଳକୁ ଗରମର ମାତ୍ରା ବଢ଼ିଯାଇଥିଲା କିନ୍ତୁ ଅପେକ୍ଷାରତ ଟୟୋଟା ଭ୍ୟାନ୍ ଭିତରେ ପଶିଯାଇ ମନ୍ଦାର ଫୁଲର ଥଣ୍ଡାପାନୀୟ ପିଇଲା ପରେ ଯାଇ ଶାନ୍ତି ଲାଗିଲା । ଅଶୱନ୍ ସହର ନୀଳନଦୀର ଉପରମୁଣ୍ଡରେ ରାଜଧାନୀ କାଇରୋ ସହରଠାରୁ ପାଖାପାଖି ୭୦୦ କିଲୋମିଟର ଦୂର । ପଡ଼ୋଶୀ ଦେଶ ସୁଦାନ ସୀମାରେ ଏବଂ ମରୁଭୂମି ପରିବେଷ୍ଟିତ ହୋଇଥିବାରୁ ଏଠାର ତାପମାତ୍ରା ଅନ୍ୟାନ୍ୟ ଅଞ୍ଚଳଠାରୁ ସାମାନ୍ୟ ଅଧିକ ।

ନାଇଲ୍ ଡଲଫିନ୍

ଗାଇଡ୍ ମହାଶୟ ଅଶୱନ୍ ସହର ବିଷୟରେ ସମ୍ୟକ ସୂଚନା ଦେଉଦେଉ ଗାଡ଼ି ଅଟକିଲା ନଦୀ କୂଳରେ । ଓହ୍ଲାଇ ଆସି ଦେଖିଲାବେଳକୁ ଧାଡ଼ି କି ଧାଡ଼ି ଛୋଟଛୋଟ ଜାହାଜ ସବୁ ଭାସୁଥାନ୍ତି ନୀଳନଦୀର ନୀଳ ଜଳରାଶୀ ଉପରେ । ଆଗାମୀ ଚାରିଦିନ ପାଇଁ ଏମିତି ଏକ ପଞ୍ଚ ତାରକା ଜାହାଜ ଥିଲା ମୋର ସାଥି, ଯାହାର ନାମ ଥିଲା “ନାଇଲ୍ ଡଲଫିନ୍” ବା ନୀଳ ନଦୀର ଡଲଫିନ ।

ପ୍ରେମର ମନ୍ଦିର……

ଗରିବ ଯୁବକ ଜଣେ ଭଲପାଇ ବସିଲେ ସମ୍ଭ୍ରାନ୍ତ ପରିବାରର ଝିଅକୁ । ଅତ୍ୟନ୍ତ ସାହସୀ, ପରୋପକାରୀ ଓ ପଶୁପକ୍ଷୀଙ୍କୁ ଭଲ ପାଉଥିବା ଏ ଯୁବକଙ୍କ ପ୍ରେମ ନିବେଦନକୁ ମନା କରିପାରିନଥିଲେ ସେ ଝିଅ ଜଣକ । କିନ୍ତୁ ପିତାଙ୍କ ଅନୁମତି ଦରକାର ବିବାହ ପାଇଁ । ଯୁବକ ଜଣକ ଯେବେ ବିବାହ ପ୍ରସ୍ତାବ ନେଇ ଯାଆନ୍ତି, କନ୍ୟା ପିତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୁଅନ୍ତି ନିଜର ଗରିବ ପୃଷ୍ଠଭୂମି ପାଇଁ । କ୍ରୋଧ ଜର୍ଜରିତ କନ୍ୟାପିତା ନିଅନ୍ତି କଠୋର ପଦକ୍ଷେପ ଆଉ ଝିଅକୁ ନେଇ ଲୁଚାଇ ଦିଅନ୍ତି ହ୍ରଦ ମଧ୍ୟରେ ଥିବା ଏକ ଅଜଣା ଦ୍ୱୀପରେ । ବିରହ ଯନ୍ତ୍ରଣାରେ ଜର୍ଜରିତ ଅସହାୟ ଯୁବକ ଯେବେ ହ୍ରଦ କୂଳରେ ବସି କାନ୍ଦନ୍ତି, ପାଣି ଭିତରୁ କୁମ୍ଭୀରଟିଏ ବାହାରି ପ୍ରେମିକାକୁ ଖୋଜିବାରେ ସହାୟତା ପାଇଁ ବଚନ ଦିଏ ଏବଂ ନିଜ ପିଠିରେ ବସାଇ ପହଞ୍ଚାଏ ସେ ଦ୍ୱୀପରେ । କନ୍ୟାପିତାଙ୍କ ହୃଦୟ ପରିବର୍ତ୍ତନ ହୁଏ ଏମିତି ଅନାବିଳ ପ୍ରେମ ଦେଖି ଏବଂ ତତ୍‌କ୍ଷଣାତ୍ ରାଜି ହୁଅନ୍ତି ବିବାହ ପ୍ରସ୍ତାବରେ । ସେବେଠୁ ସେଇ ମନ୍ଦିରର ନାମ ଫିଲେ (Philae) । (ଗ୍ରୀକ ଭାଷାରେ ଫିଲେ ଅର୍ଥ ପ୍ରେମ)

ମଧ୍ୟାହ୍ନ ଭୋଜନ ପରେ କିଛିସମୟ ବିଶ୍ରାମ ନେଇ ମଟର ଚାଳିତ ଛୋଟ ନୌକାରେ ବାହାରିଲି ଏଇ ଦ୍ୱୀପରେ ଥିବା ମନ୍ଦିରକୁ । ବାରମ୍ବାର ବନ୍ୟାରେ ମନ୍ଦିର ବୁଡ଼ି ଯାଉଥିବାରୁ ୧୯୭୦ ମସିହାରେ ମିଳିତ ଜାତିସଂଘ ସାଂସ୍କୃତିକ ପରିଷଦ ଦ୍ୱାରା ଉଦ୍ଧାର କରାଯାଇ ନିକଟସ୍ଥ ଆଜିଲିକା (Agilkia) ଦ୍ୱୀପରେ ପୁନଃ ପ୍ରତିଷ୍ଠା କରାଯାଇଥିଲା ଆଇସିସ (Isis) ଦେବୀଙ୍କ ଏ ମନ୍ଦିର । ସମଗ୍ର ମିଶରରେ ଏଇ ଦେବୀଙ୍କୁ ପ୍ରେମ ଓ ହର୍ଷ ଉଲ୍ଲାସର ଦେବୀ ବୋଲି ମାନନ୍ତି । ଅନେକ ଲୋକ କାହାଣୀସବୁ ପ୍ରଚଳିତ ଏ ବିଷୟରେ ।

ଫିଲେ ମନ୍ଦିର

ମନ୍ଦିରରୁ ଫେରିବା ବେଳକୁ ସୂର୍ଯ୍ୟ ଅସ୍ତ ହେବା ସମୟ ହୋଇଯାଇଥିଲା । ଗାଇଡ୍ ମହାଶୟ ପ୍ରସ୍ତାବ ଦେଲେ ପାଲଟଣା ନୌକାରେ ବୁଲି ନୀଳନଦୀରେ ସୂର୍ଯ୍ୟାସ୍ତ ଦେଖିବାକୁ ଓ ନଦୀ ମଝିରେ ଥିବା ବଗିଚା ବୁଲିବାକୁ । ବିନା ଦ୍ବିଧାରେ ରାଜି ହୋଇଗଲି କାରଣ ଏମିତି ସୁଯୋଗ ହାତଛଡ଼ା କରିବାକୁ ଚାହୁଁ ନଥିଲି ।

“ଯା ରେ ଭାସି ଭାସି ଯା
ନଉକା ମୋର ଭାସି ଯା
ନୀଳନଦୀର ନୀଳ ଢେଉରେ
ନାଚି ନାଚି ତୁ ଭାସିଯା…”

ଖୋକାଭାଇଙ୍କ ଗୀତରେ ମିଶରୀୟ ଛୁଙ୍କ ଦେଇ ଗୁଣୁଗୁଣୁ କରି ଗୀତକୁ ଗାଇ ଚାଲିଥାଏ, ନୌକା ଆମର ପହଞ୍ଚିଗଲା ଯାଇ ବଗିଚା ପାଖରେ । ଏସିଆ ମହାଦେଶରୁ ଅଣାଯାଇଥିବା ବିଭିନ୍ନ ଫୁଲ, ଫଳ ଓ ଗୁଳ୍ମ ସବୁରେ ସୁସଜ୍ଜିତ ଥିଲା ଏ ଉଦ୍ଭିଦ ଉଦ୍ୟାନ । ଏଠାକୁ ଆସିବା ପଛରେ ଆଉ ଏକ କାରଣ ଥିଲା ଏଠାରେ ମିଳୁଥିବା ପାପିରସ୍ ଗଛ ।

ଯେଉଁ ଗଛର ନଡ଼ାରୁ ପ୍ରସ୍ତୁତ ହୁଏ କାଗଜ । ପ୍ରାଚୀନ ମିଶରବାସୀ ବିଭିନ୍ନ ଚିତ୍ର ଓ କାହାଣୀ ଏଇଥିରେ ହିଁ ଲେଖିଥିବାର ପ୍ରମାଣ ମିଳେ । ଏବେର ପେପର ଶବ୍ଦର ଉତ୍ପତ୍ତି ଏଇ ପାପିରସ୍‌ରୁ ହିଁ । ପାପିରସ୍ ଚିତ୍ର ପ୍ରାୟତଃ ଆମର ପଟ୍ଟଚିତ୍ର ଭଳି ଅବଶ୍ୟ ପଟ୍ଟରେ କପଡ଼ା ମୂଖ୍ୟ base ଆଉ ଏଥିରେ ଗଛର ନଡ଼ାକୁ ପାଣିରେ ବତୁରାଇ ତାକୁ ଯୋଡ଼ି ଶୁଖାଇ base ତିଆରି କରାଯାଏ, କିନ୍ତୁ ତା’ଉପରେ ପ୍ରାକୃତିକ ରଙ୍ଗ ବ୍ୟବହାର କରି ପୌରାଣିକ କିମ୍ବଦନ୍ତୀ ଓ ଦେବାଦେବୀଙ୍କ ଚିତ୍ର ଆଙ୍କିବାର ଶୈଳୀ ଏକ ପ୍ରକାରର ।

ନୋବା ବା ନୁବିଆ ଜନଜାତିଙ୍କ ଗାଁ….

ସଞ୍ଜ ଗଡ଼ି ଆସିବା ପରେ ନଦୀ ମଝିରେ ଥିବା ଏକ ଦ୍ୱୀପରେ ଚା’ ପିଇବା ପାଇଁ ଜଣେ ନୁବିଆ ଜନଜାତିର ପରିବାରର ନିମନ୍ତ୍ରଣ ରକ୍ଷାକରି ତାଙ୍କ ଘରକୁ ଯାଇଥିଲି ।
ସାଧାରଣତଃ ନୁବିଆ ଜନଜାତିର ଲୋକ ମାନେ ଆଫ୍ରିକାର ଅତି ପୁରାତନ ବାସିନ୍ଦା ମାନଙ୍କ ମଧ୍ୟରୁ ଅନ୍ୟତମ । ଅଶ୍ୱ ଚାଳନା ଓ ତୀର ଚାଳନାରେ ଦକ୍ଷ ଏହି ଜନଜାତିର ଲୋକମାନେ ଦକ୍ଷିଣ ମିଶର ଏବଂ ସୁଦାନ ଦେଶରେ ବସବାସ କରୁଥିଲେ । ‘ଅଶୱନ୍’ ଉଚ୍ଚ ବନ୍ଧ ନିର୍ମାଣ ସମୟରେ ବିସ୍ଥାପିତ ହୋଇ ନୀଳନଦୀ ମଧ୍ୟରେ ଥିବା ଏଲିଫାଣ୍ଟାଇନ୍ ଦ୍ୱୀପରେ ନିଜର ନୂତନ ବାସସ୍ଥାନ ନିର୍ମାଣ କରିଛନ୍ତି । କୁମ୍ଭୀରଙ୍କୁ ଶୁଭ ମାନୁଥିବା ନୁବିଆମାନଙ୍କ ଘରର ଦୁଆର ମୁହଁରେ ମୃତ କୁମ୍ଭୀରର ଶରୀର ଟଙ୍ଗା ହୋଇଥାଏ ଏବଂ ଘର ଭିତରେ ପ୍ରାୟତଃ ଛୋଟଛୋଟ ଜୀବନ୍ତ କୁମ୍ଭୀର ପାଳନ କରାଯାଇଥାଏ । ଚା’ ପିଇବା ସହ କୁମ୍ଭୀରକୁ ହାତରେ ଧରି ସାହାସର ସହ ଫଟୋ ଉଠାଇବାର ସୁଯୋଗ ମଧ୍ୟ ନେଇଥିଲି ।

ଦୁଆର ମୁହଁରେ ମୃତ କୁମ୍ଭୀରର ଶରୀର

ବିଭିନ୍ନ ମସଲା, ପାରମ୍ପାରିକ ଲୁଗାପଟା ଓ ହସ୍ତଶିଳ୍ପର ଛୋଟ ବଜାର ମଧ୍ୟ ବେଶ୍ ଆକର୍ଷଣୀୟ । ବଜାର ପାରି ହେଲା ପରେ ସରକାରଙ୍କ ଦ୍ୱାରା ନିର୍ମିତ ଏକ ସ୍କୁଲ ଘରେ ସ୍ଥାନୀୟ ଶିକ୍ଷକଙ୍କ ସହ ମିଶିବାର ସୌଭାଗ୍ୟ ମଧ୍ୟ ମିଳିଥିଲା । ଯେହେତୁ ନୁବିଆନ୍ ଏକ କଥିତ ଭାଷା, କିଛି ନୁବିଆ ଶବ୍ଦ ଶିଖିବା ଭାରି କଷ୍ଟକର ବୋଧ ହେଉଥିଲା କିନ୍ତୁ ଶିକ୍ଷକଙ୍କ ସହାୟତାରେ ଅଳ୍ପ କିଛି ବାକ୍ୟ ଗଠନ କରି ପାରିଥିଲି ।
ଏହି ଭ୍ରମଣର ବାକିତକ କାହାଣୀ ଜଣେଇବି ଆଉ କେବେ….

ଆବୁ ସିମ୍ୱଲ…ବିଶ୍ୱ ଐତିହ୍ୟ ସ୍ଥଳୀ…

ପ୍ରାୟ ୩୩୦୦ ବର୍ଷ ତଳେ ଫାରୋ ରାମସିସ୍ ଦ୍ୱିତୀୟ ତାଙ୍କ ଅତି ପ୍ରିୟ ରାଣୀ ନେଫ୍ରିତିରିଙ୍କ ପାଇଁ ତିଆରି କରିଥିଲେ ଆବୁ ସିମ୍ୱଲ ମନ୍ଦିର । ଦୀର୍ଘ କୋଡ଼ିଏ ବର୍ଷ ଲାଗିଥିଲା ସଂପୂର୍ଣ୍ଣ ହୋବାକୁ ଏହି ବିଶାଳକାୟ ମନ୍ଦିର ଯାହାକି ଏବେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ । ୨୦୦ ବର୍ଷ ତଳେ ଯେତେବେଳେ ଏହା ଆବିଷ୍କୃତ ହେଲା ସେତେବେଳେ ୧୮ ମିଟର ଉଚ୍ଚ ମନ୍ଦିରର ଅଧିକାଂଶ ଅଂଶ ବାଲିରେ ପୋତି ହୋଇ ରହିଥିଲା । ୧୯୬୮ ମସିହାରେ ଅଶୱନ ବନ୍ଧ ନିର୍ମାଣ ସମୟରେ ପାଣି ଘେରରେ ଆସୁଥିବାରୁ ମନ୍ଦିରକୁ ସଂପୂର୍ଣ୍ଣ ଭାବରେ ଅନ୍ୟ ଏକ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରାଗଲା । ଅଶୱନ୍ ସହରଠାରୁ ୩୦୦ କିମି ଦୂର ନାସୀର ହ୍ରଦ କୂଳରେ ଅବସ୍ଥିତ ଏହି ମନ୍ଦିରର ସ୍ଥାପତ୍ୟ ବିସ୍ମୟକର । ତତ୍କାଳୀନ ମିଶରିୟ ସ୍ଥପତିମାନେ ପଥର ଦେହରେ ଅତି ସୁନ୍ଦର କାରୁକାର୍ଯ୍ୟ କରିଥିଲେ ଯାହା ସ୍ୱଚକ୍ଷୁରେ ଦେଖିଲେ ହିଁ ବିଶ୍ୱାସ କରିହେବ ।

ଆବୁ ସିମ୍ୱଲ ପରିସରରେ ପ୍ରକୃତରେ ଦୁଇଟି ମନ୍ଦିର । ବିଶାଳକାୟ ମନ୍ଦିରଟି ଆମୁନ୍, ରାମସିସ୍, ରା-ହୋରକ୍ଥୀ ଏବଂ ପିତହଃ ( Amun, Rameses, Ra-Horakhty and Ptah) ଏଇ ଚାରିଜଣଙ୍କୁ ସମର୍ପିତ । ପ୍ରତିବର୍ଷ ଫେବୃଆରୀ ଏବଂ ଅକ୍ଟୋବର ମାସ ୨୨ ତାରିଖରେ ସୂର୍ଯ୍ୟ କିରଣ ମନ୍ଦିର ଭିତରେ ପ୍ରବେଶ କରି ତିନିଜଣଙ୍କ ଉପରେ ପଡ଼ିଥାଏ କିନ୍ତୁ ଯେହେତୁ ପିତହଃଙ୍କୁ ପ୍ରାଚୀନ ମିଶରିୟମାନେ ଅନ୍ଧକାରର ଦେବତା ମାନୁଥିଲେ ତାଙ୍କ ଉପରେ ସୂର୍ଯ୍ୟ କିରଣ ପଡ଼ିନଥାଏ । ତେଣୁ ଏହି ଦୃଶ୍ୟ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥାଏ ।

ଫେରିବା ସମୟରେ ରାସ୍ତା ପାର୍ଶ୍ଵରେ ଥିବା ଢାବାରେ ମିଶରିୟ ଚା’ ପିଇବାର ସୁଯୋଗ ମିଳିଥିଲା । ସାଧାରଣତଃ ଏଠାକାର ଲୋକମାନଙ୍କୁ କୁଆଡ଼େ ଭାରତୀୟ ଚା’ ଭାରି ପସନ୍ଦ । ଏକଥା ଢାବା ମାଲିକ ମଧ୍ୟ କଥାବାର୍ତ୍ତା ମଝିରେ ସ୍ୱୀକାର କରିଥିଲେ । ଆମ ପ୍ରଭୁ ଶ୍ରୀଜଗନ୍ନାଥ ପାଖରେ ଲାଗୁଥିବା ଦୟଣା ତୁଳସୀର କିଛି ଗଛ ମଧ୍ୟ ଦେଖିବାକୁ ପାଇଲି ସେହି ଢାବାରେ । ମଧ୍ୟାହ୍ନ ୩ଟାରେ ଆମ ଜାହାଜ ଛାଡ଼ିବାର ସମୟ ଥିଲା, ତଥାପି କିଛି ସମୟ ବାହାର କରି ନୀଳନଦୀରେ ଋଷିଆ ସହାୟତାରେ ନିର୍ମିତ ଅଶୱନ୍ ଉଚ୍ଚ ବନ୍ଧରେ କିଛି ସମୟ ଅତିବାହିତ କରି ପୁଣିଥରେ ସେଇ ମରୁଭୂମି ରାସ୍ତାରେ ଫେରିଥିଲୁ ଅଶୱନ୍ ସହରକୁ । ଗୋଟିଏ ପାର୍ଶ୍ଵରେ ରହି ଯାଇଥିଲା ସୁଦାନ ଦେଶର ସୀମା ଓ ଅନ୍ୟ ପାଖରେ ନାସୀର ହ୍ରଦ ।

ଜାହାଜର କର୍ମଚାରୀ ଅପେକ୍ଷା କରିଥିଲେ ମୋ ଫେରିବା ବାଟକୁ । ଯେମିତି ଜାହାଜରେ ପାଦ ଦେଇଛି ଳଙ୍ଗର ଉଠିଲା ଏବଂ ନୀଳନଦୀର ଅତାଳ ଜଳରାଶିରେ ମାଡ଼ି ଚାଲିଲା ତଳମୁଣ୍ଡ ଆଡ଼କୁ । ଜାହାଜରେ ଥିବା ଭୋଜନାଳୟଟି ସଭା ତଳ ସ୍ତରରେ ଥିବାରୁ ମଧ୍ୟାହ୍ନ ଭୋଜନ ସମୟରେ ଢେଉ ମାନଙ୍କ ଛିଟା ସବୁ କାଚର ଝରକା ଉପରେ ପଡ଼ିବାର ଦୃଶ୍ୟ ଅନନ୍ୟ ଥିଲା ।

ପିଆଜ ମିଶରର ଆଉ ଏକ ମୁଖ୍ୟ ଫସଲ ଆଉ ମୋ ମଧ୍ୟାହ୍ନ ଭୋଜନରେ ଥିଲା ପିଆଜସୁପ୍, ଭାରତୀୟ ଶୈଳୀରେ ଆଳୁ ମଟର ତରକାରୀ, ଭାତ, ବିନ୍‌ସ୍ ଭଜା ଇତ୍ୟାଦି ଖାଇବା ସଂପୂର୍ଣ୍ଣ ଘରୋଇ ପରିବେଶ ଭଳି ଅନୁଭବ ହୋଇଥିଲା ।

 

ଦୁଇ ମନ୍ଦିର…

ଜାହାଜ ଛାଡ଼ିବାର ପ୍ରାୟ ଘଣ୍ଟାଏ ପରେ ଆମେ ପହଞ୍ଚିଲୁ ଅଶୱନ୍ ସହରଠାରୁ ୪୫ କିମି ଦୂରରେ ଅବସ୍ଥିତ କୋମ୍ଓମ୍ୱୋ (Kom ombo) ସହରରେ । ଠିକ୍ ଜାହାଜ ଲଙ୍ଗର ପକାଇବା ସ୍ଥାନରୁ ଦେଖା ଯାଉଥିଲା କୁମ୍ଭୀର ଓ ଛଞ୍ଚାଣ ମୁହଁ କିନ୍ତୁ ମଣିଷ ଶରୀର ଧାରି ଦେବତା ସବେକ୍ (Sobek) ଏବଂ ହରୋସଙ୍କ (Horus) ଅପୂର୍ବ ମନ୍ଦିର । ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣରେ ସୁବର୍ଣ୍ଣ ରଙ୍ଗର ଦୃଶ୍ୟମାନ ହେଉଥିଲା ଏହି ମନ୍ଦିର । ପ୍ରାଚୀନ କାଳରେ ସୁନା ଖଣି ଏହି ସହର ଆଖପାଖରେ ଥିବାରୁ ‘ସୁବର୍ଣ୍ଣ ସହର’ ନାମରେ ପରିଚିତ ଥିଲା ଏହି ସହରଟି । ଇମୋହଟପ୍ (Imhotep) ଅସ୍ତ୍ରୋପଚାରର ଦେବତା ବୋଲି ମିଶରିୟଙ୍କ ବିଶ୍ୱାସ । ତେଣୁ ମନ୍ଦିର କାନ୍ଥରେ ବିଭିନ୍ନ ଡାକ୍ତରି ସରଞ୍ଜାମ ସହ ପ୍ରସବ ପ୍ରଣାଳୀର ଚିତ୍ର ଅତି ସୁନ୍ଦର ଭାବରେ ଖୋଦେଇ ହୋଇଛି ।

କୁମ୍ଭୀର ସହ ମଣିଷର ସମୟ ସମୟରେ ସଂଘର୍ଷ ପାଇଁ ମନ୍ଦିରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଏହି ବିଭାଜନର ଚିତ୍ର ମଧ୍ୟ କାନ୍ଥରେ ଅଙ୍କିତ । ଲୋକ କାହାଣୀ ଅନୁସାରେ ଦେବତା ସବେକ୍, ହରୋସଙ୍କ ଲୋକପ୍ରିୟତାରେ ଇର୍ଷାପରାୟଣ ହୋଇ ତାଙ୍କୁ ମନ୍ଦିରରୁ ବାହାର କରିଦେଲେ । ଚତୁର ହରୋସ୍ ନିଜ ସହିତ ସହରର ସମସ୍ତ କୃଷକମାନଙ୍କୁ ନେଇ ଚାଲିଗଲେ । କୃଷି କାର୍ଯ୍ୟ ବନ୍ଦ ହେବାରୁ ମରୁଡ଼ି ପଡ଼ି କିଛି ବର୍ଷ ମଧ୍ୟରେ ସେ ଅଞ୍ଚଳ ମରୁଭୂମିରେ ପରିଣତ ହେଇଯାଏ । ଖାଦ୍ୟାଭାବରେ ଅତିଷ୍ଠ ଲୋକମାନେ ନ୍ୟାୟର ଦେବୀ ମାତ୍‌ଙ୍କ (Maat) ପାଖରେ ଅଭିଯୋଗ କରନ୍ତି, ତାଙ୍କ ଆଦେଶ ଅନୁସାରେ ମନ୍ଦିର ସମାନ ଭାଗରେ ବିଭାଜିତ ହୁଏ ଏବଂ ପୁଣିଥରେ ମନ୍ଦିରକୁ ଫେରିଆସନ୍ତି ଦେବତା ହରୋସ୍ ।

ମନ୍ଦିର ପରିସର ମଧ୍ୟରେ ଏକ କୂଅ ଅଛି ଯାହାକୁ “ନାଇଲୋମିଟର” କୁହାଯାଏ । ଫସଲ ଅମଳ ସମୟରେ ଫାରୋମାନେ ଟିକସ ଧାର୍ଯ୍ୟ କରିବା ପାଇଁ ଏହାର ସହାୟତା ନେଉଥିଲେ । କୂଅର ପାଣି ଯେତେ ଉପରକୁ ଟିକସ ପରିମାଣ ସେତେ ଅଧିକ । ଅତି ସରଳ ହିସାବ….

ପୂଜାର୍ଚ୍ଚନା ପାଇଁ ମନ୍ଦିର ମଧ୍ୟରେ ଏକ ଆସ୍ଥାନ ଅଛି ଯାହା ତଳେ ଗମ୍ଭୀରାଘର ପରି ଏକ ଛୋଟ ଗୁମ୍ଫା । ଗାଇଡ଼ଙ୍କ କହିବା ଅନୁଯାୟୀ ପୂଜାରୀ ଜଣେ ସେଭିତରେ ଲୁଚିରହି ଯାଚଣା ପାଇଁ ଲୋକଙ୍କୁ କହୁଥିଲେ ଏବଂ ସମସ୍ତଙ୍କୁ ଲାଗୁଥିଲା ଯେମିତି ଦେବତା କଥା ହେଉଛନ୍ତି । ସେ ସମୟରେ ବି ଭଗବାନଙ୍କ ନାମରେ ଏପ୍ରକାର କାର୍ଯ୍ୟ ହେଉଥିଲା ତାହା ଅବଶ୍ୟ ବିଶ୍ୱାସଯୋଗ୍ୟ ହେଉନାହିଁ ।

ଅର୍ଦ୍ଧ ଭଗ୍ନ ପ୍ରାୟ ବିରାଟକାୟ ପଥର ଖମ୍ୱ ସବୁରେ ବିଭିନ୍ନ ସମୟର ଫାରୋମାନଙ୍କ କାହାଣୀସବୁ ଖୋଦିତ ହୋଇ ମନ୍ଦିର ଶୋଭା ବୃଦ୍ଧି କରୁଛି । ପାଖାପାଖି ୩୦୦ ମମିଫାଏଡ଼ କୁମ୍ଭୀର ଖୋଦନ ସମୟରେ ଏହି ସ୍ଥାନରେ ମିଳିଥିଲା ତେଣୁ ମନ୍ଦିର ପରିସରକୁ ଲାଗି ଏକ କୁମ୍ଭୀର ସଂଗ୍ରହାଳୟ ରହିଛି ଯେଉଁଠି ଅନେକ ଛୋଟ ବଡ଼ କୁମ୍ଭୀରଙ୍କୁ ସ୍ଥାନ ଦିଆଯାଇଛି ।

(Edfu) ଏଡୁଫୁ ମନ୍ଦିର…

ରାତି ୯ଟା ସମୟରେ ଜାହାଜ ଯାଇ ପହଞ୍ଚିଲା ଏଡୁଫୁ ସହରରେ । ରାତ୍ରି ଭୋଜନ ପରେ ପାରମ୍ପାରିକ ମିଶରିୟ ନୃତ୍ୟଗୀତର ଆୟୋଜନ ଜାହାଜ ମଧ୍ୟରେ କରାଯାଇଥିଲା । ଆମର ଖଞ୍ଜଣି ତଥା ବଂଶୀ ଓ ଢୋଲକ ଭଳି ଏକ ବାଦ୍ୟର (Darbuka) ତାଳେତାଳେ ମିଶରିୟ ପୁରଷ ଓ ମହିଳାମାନଙ୍କ ନୃତ୍ୟ ଖୁବ୍ ଆକର୍ଷଣୀୟ ଥିଲା । ସକାଳ ଛଅଟାରେ ଘୋଡ଼ାଗାଡ଼ି ନେଇ ବାହାରିଲୁ ୨୨୦୦ ବର୍ଷ ଧରି ଅକ୍ଷୂର୍ଣ୍ଣ ଥିବା ଏଡୁଫୁ ମନ୍ଦିରକୁ । ସବୁଠାରୁ ମଜାଦାର କଥା ହେଲା ମନ୍ଦିର ଯିବାପାଇଁ ଘୋଡ଼ାଗାଡ଼ି ହିଁ ଏକମାତ୍ର ପନ୍ଥା । କୌଣସି ମଟର ଚାଳିତ ଯାନବାହନ ଅନୁମତି ନାହିଁ । ପ୍ରଦୂଷଣମୁକ୍ତ ଓ ପୂରାତନ ଯୁଗର ଗମନାଗମନର ଅନୁଭୂତି ଅତି ସୁନ୍ଦର ଥିଲା ।

ଏଡୁଫୁ ମନ୍ଦିର ହରୋସ୍ ଦେବତାଙ୍କୁ ଉତ୍ସର୍ଗୀକୃତ, ଯାହାଙ୍କ ଶରୀର ମଣିଷ ଓ ମସ୍ତିଷ୍କ ଛଞ୍ଚାଣର । ମିଶରିୟ ମାନେ ତାଙ୍କୁ ସୁରକ୍ଷାର ଦେବତା ଭାବେ ବିଶ୍ୱାସ କରନ୍ତି । ଏହି ମନ୍ଦିରର ଉତ୍ତରରେ ପ୍ରାୟ ୬୦ କିମି ଦୂରରେ ଅବସ୍ଥିତ ଦେନ୍ଦେରା (Dendera) ସହର । ହରୋସ୍‌ଙ୍କ ପତ୍ନୀ ଦେବୀ ହାଥୋରଙ୍କ ମନ୍ଦିର ସେଇ ସହରରେ । ବର୍ଷରେ ଥରେ ବନ୍ୟା ସମୟରେ ଦେବୀ ଦକ୍ଷିଣମୁହାଁ ନିଜ ସ୍ୱାମୀଙ୍କ ଘରକୁ ଆସିଥାନ୍ତି । ତେଣୁ ପ୍ରତିବର୍ଷ ଏହି ଦିନକୁ ପବିତ୍ର ବିବାହ ଉତ୍ସବ ଭାବେ ଖୁବ୍ ଜାକଜମକରେ ପାଳନ କରାଯାଇଥାଏ । ଗାଈ ପରି ବଡ଼ କାନ ଓ ଶିଙ୍ଗ କିନ୍ତୁ ମଣିଷ ଶରୀର ଧାରୀ ଦେବୀ ହାଥୋରଙ୍କୁ (Hathor) ମିଶରିୟମାନେ ସଙ୍ଗୀତ ଓ ସୁଖ ସମୃଦ୍ଧିର ଦେବୀ ବୋଲି ବହୁ ଶ୍ରଦ୍ଧାର ସହ ବିଶ୍ୱାସ କରନ୍ତି ।

ମାଟି କାଦୁଅରେ ଇଟା ତିଆରି କରିବାର କଳା ପ୍ରାଚୀନ ମିଶରିୟମାନଙ୍କ ଦ୍ୱାରା ବିକଶିତ ବୋଲି ଶୁଣିବାକୁ ମିଳିଥାଏ । ଏବେବି ମନ୍ଦିର ପରିସରରେ ଇଟାସବୁର ଭଗ୍ନାବଶେଷ ଏକ ବିରାଟ ପ୍ରାଚୀର ଭାବରେ ବିରାଜମାନ । ମନ୍ଦିର ମଧ୍ୟରେ ପ୍ରଶସ୍ତ ଅଗଣା, ବିଭିନ୍ନ ଦାନ ଯାଚଣାକୁ ସଂରକ୍ଷିତ କରିବାପାଇଁ ଛୋଟ ଛୋଟ ଘର ଏବଂ ବିରାଟକାୟ ଖମ୍ୱସବୁ । ମୁଖ୍ୟ ମନ୍ଦିରର ଉଚ୍ଚତା ପାଖାପାଖି ୩୫ ମିଟର । ମନ୍ଦିର କାନ୍ଥରେ ବିଭିନ୍ନ ସମୟର ଫାରୋଙ୍କ ବିଜୟଗାଥା ଏବଂ କାଳକ୍ରମେ ଖ୍ରୀଷ୍ଟ ଧର୍ମ ଓ ଇସଲାମ ଧର୍ମର ବିଭିନ୍ନ ଚିତ୍ର ସବୁ ଖୋଦେଇ ହୋଇଥିଲା । ଏମିତି ଏକ କାନ୍ଥରେ ମହାତ୍ମାଗାନ୍ଧୀଙ୍କର ସେ ତିନି ମାଙ୍କଡ଼ଙ୍କ ଚିତ୍ର ବି ହୋଇଥିବା କଥା ଗାଇଡ଼ ବର୍ଣ୍ଣନା କରିଥିଲେ । ଅବଶ୍ୟ କାଳକ୍ରମେ ତାହା କାନ୍ଥରୁ ବିସ୍ମୃତ ହେଲାଣି । ଲୋକ କାହାଣୀ ଅନୁସାରେ ଅରାଜକତାର ଦେବତା ସେଥ୍ ବା ସ୍ଥ (Seth) ନିଜ ଭାଇ ତଥା ଦେବତା ଓଜରିସଙ୍କୁ (Osiris) ଶତୃ ବିବେଚନା କରି ଯୁଦ୍ଧରେ ପରାସ୍ତ କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ପୋତି ଦେଇଥିଲେ । ଦେବତା ଓଜରିସଙ୍କ ସ୍ତ୍ରୀ ଦେବୀ ଆଇସିସଙ୍କୁ ଯେତେବେଳେ ଏ ସମ୍ୱାଦ ମିଳେ, ନିଜ ସ୍ୱାମୀଙ୍କ ଶରୀରର ଏମିତି ୧୪ ଖଣ୍ଡ ଅଂଶକୁ ଯୋଡ଼ି ପୁନଃ ଜୀବନ ଦିଅନ୍ତି ଏବଂ ନିଜ ବଂଶ ବଞ୍ଚାଇବା ପାଇଁ ଜନ୍ମ ଦିଅନ୍ତି ପୁତ୍ର ଦେବତା ହରୋସଙ୍କୁ । ମିଶରୟଙ୍କ ବିଶ୍ୱାସ ପୁନର୍ଜନ୍ମର ଦେବତା ଓଜରିସଙ୍କ ଶରୀର ଏବେବି ଏଇ ଏଡୁଫୁ ମନ୍ଦିରରେ ସମାଧିସ୍ଥ ।

ଏସ୍ନା (Esna) ସହର ଓ ବନ୍ଧ…

ଏଡୁଫୁ ସହରରୁ ପାଖାପାଖି ଦେଢ ଘଣ୍ଟା ପରେ ଆସେ ଏସ୍ନା ସହର । ନୀଳନଦୀରେ ଜାହାଜ ଚଳାଚଳର ସୁବିଧା ପାଇଁ ଇଂରେଜମାନେ ୧୯୦୬ ମସିହାରେ ନିର୍ମାଣ କରିଥିଲେ ଏକ ବନ୍ଧ । ପ୍ରତିଟି ଜାହାଜ ଏଇ ବନ୍ଧର ଫାଟକ ଦେଇ ପାରି ହେଲାପରେ ହିଁ ଲକ୍ସର ସହରକୁ ଯାଇପାରିବେ । ଜାହାଜ ଲକ୍ ମଧ୍ୟରେ ପ୍ରବେଶ କଲାପରେ ସ୍ୱୟଂଚାଳିତ ଫାଟକସବୁ ବନ୍ଦ ହୋଇଯାଏ ଏବଂ ବଡ଼ ବଡ଼ ମଟର ସାହାଯ୍ୟରେ ଅଧିକ ପାଣିସବୁକୁ ବାହାର କରିଦିଆଯାଏ । ତଳ ସ୍ତରର ପାଣି ସହ ସମାନ ହେଲା ପରେ ଆଗ ଫାଟକ ଖୋଲିଲେ ପୁଣି ଜାହାଜ ଚାଲିବା ଆରମ୍ଭ ହୁଏ । ଏଇ ପାଣି ନିଷ୍କାସନ ସମୟ ପ୍ରାୟ ୫/୬ ମିନିଟର କିନ୍ତୁ ଗୋଟିଏ ପରେ ଗୋଟିଏ ଜାହାଜ ଧାଡ଼ି ବାନ୍ଧି ଯାଉଥିବାରୁ ଘଣ୍ଟା ଘଣ୍ଟା ସମୟ ବିତିଯାଏ । ତେଣୁ ମଧ୍ୟାହ୍ନ ଭୋଜନ ପରେ ଯାତ୍ରୀମାନେ ପ୍ରାୟତଃ ଜାହାଜ ଛାତ ଉପରେ ଛିଡ଼ା ହୋଇ ଏହି ଦୃଶ୍ୟର ମଜା ନିଅନ୍ତି । ତା’ସହ ଭାସମାନ ଛୋଟ ଛୋଟ ଡଙ୍ଗାରେ ମିଶରିୟ ଚାଦର ଓ ତଉଲିଆର ଭ୍ରାମ୍ୟମାନ ବିକ୍ରେତାମାନଙ୍କଠାରୁ କିଣାକିଣି ବି ହୁଏ । ଏହି ସମୟର ସୁଯୋଗ ନେଇ ମୁଁ ଜାହଜର ଇଞ୍ଜିନ ଘର ବୁଲାବୁଲି ଏବଂ ମୁଖ୍ୟ କ୍ୟାପଟେନଙ୍କୁ ଭେଟିଥିଲି ।

ପ୍ରାଚୀନ ମିଶରର ରାଜଧାନୀ…ଲକ୍ସର ସହର

ନୀଳନଦୀ କୂଳରେ ଅବସ୍ଥିତ ଏଇ ସହରର ପୂର୍ବତଟରେ ବହୁ ପ୍ରାଚୀନ ମନ୍ଦିର ସବୁ ଅଛି ସେ ମଧ୍ୟରୁ ଲକ୍ସର ମନ୍ଦିର ଓ କର୍ଣ୍ଣକ୍ ମନ୍ଦିର ଅନ୍ୟତମ । ଜାହାଜ ରହଣୀ ସ୍ଥାନର ଠିକ୍ ବିପରୀତ ପାର୍ଶ୍ଵରେ ଅବସ୍ଥିତ ଲକ୍ସର ମନ୍ଦିର । ପ୍ରାୟ ୩୪୦୦ ବର୍ଷ ତଳେ ରାମସିସ୍ ଦ୍ୱିତୀୟଙ୍କ ଦ୍ୱାରା ନିର୍ମିତ ଏଇ ମନ୍ଦିର ବିଶେଷକରି କୌଣସି ଦେବତାଙ୍କୁ ଉତ୍ସର୍ଗ କରାଯାଇ ନାହିଁ । କିନ୍ତୁ, ଯେହେତୁ ଲକ୍ସର ସହର ପ୍ରାଚୀନ ମିଶରର ରାଜଧାନୀ ଥିଲା ଏହି ମନ୍ଦିରରେ ବିଭିନ୍ନ ସମୟରେ ବିଭିନ୍ନ ରାଜାଙ୍କର ରାଜାଭିଷେକ ହୋଇଛି । କିଛି ଐତିହାସିକଙ୍କ ମତରେ ସିକନ୍ଦରଙ୍କ ରାଜାଭିଷେକ ମଧ୍ୟ ଏହି ମନ୍ଦିରରେ ହୋଇଛି । Temple of Authority ଭାବରେ ଜଣା ଏହି ମନ୍ଦିର ସହରର ମୁଖ୍ୟ ଦେବତା ଆମୁନ୍‌-ରା (Amun_Ra) ବା ସୂର୍ଯ୍ୟ ଦେବତାଙ୍କ ରାଣୀ ଦେବୀ ମଟ୍‌ଙ୍କ (Mut) ବାସସ୍ଥାନ ଭାବେ ମଧ୍ୟ ଜଣା ।

ଓପେଟ୍ (Opet) ପର୍ବ…

ପ୍ରାଚୀନ କାଳରେ ଥିବାନ୍ ତ୍ରିଦେବ ଆମୁନ୍ ରା, ମଟ୍ ଏବଂ ତାଙ୍କ ସନ୍ତାନ ଖୋନ୍‌ସୁଙ୍କୁ (Khonsu) ବର୍ଷରେ ଥରେ ବିରାଟକାୟ ଶୋଭାଯାତ୍ରାରେ କର୍ଣ୍ଣକ ମନ୍ଦିରରୁ ଲକ୍ସର ମନ୍ଦିର ପର୍ଯ୍ୟନ୍ତ ଅଣାଯାଉଥିଲା । କିଛିଦିନ ଏହି ମନ୍ଦିରରେ ଅବସ୍ଥାନ ପରେ ପୁଣି ଡଙ୍ଗାରେ ଫେରି ଯାଉଥିଲେ କର୍ଣ୍ଣକ ମନ୍ଦିର । ଲକ୍ସର ମନ୍ଦିର ସାମନାରୁ କର୍ଣ୍ଣକ ମନ୍ଦିର ପର୍ଯ୍ୟନ୍ତ ପାଖାପାଖି ୪ କିମି ରାସ୍ତାର ଉଭୟ ପାର୍ଶ୍ଵରେ ସ୍ପିଙ୍କସ୍ ମୂର୍ତ୍ତିସବୁ ଧାଡ଼ି ହୋଇ ଥିବାର ଦେଖିବାକୁ ମିଳିଥାଏ । ଏପର୍ଯ୍ୟନ୍ତ ମଧ୍ୟ କିଛି ସ୍ଥାନରେ ଖୋଦନ କାମ ଜାରି ରହିଛି କାରଣ କାଳକ୍ରମେ ଏଇ ରାସ୍ତା ସ୍ଥାନୀୟ ଲୋକଙ୍କ ଦ୍ୱାରା ଅକ୍ତିଆର ହୋଇଥିଲା । ଥିବାନ୍ ଏକ ପର୍ବତ ଶୃଙ୍ଖଳ ଯାହା ନଦୀର ପଶ୍ଚିମ ତଟରେ ଅବସ୍ଥିତ । ଯେମିତି ଆମ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଆମେ ତ୍ରିମୂର୍ତ୍ତି ଓ ନୀଳକନ୍ଦର ନିବାସୀ ଭାବରେ ସମ୍ୱୋଧନ କରିଥାଉ ଏବଂ ପ୍ରତିବର୍ଷ ଆଷାଢ଼ ମାସରେ ରଥଯାତ୍ରାରେ ଶ୍ରୀମନ୍ଦିରରୁ ମାଉସୀମା ମନ୍ଦିରକୁ ନେଇଥାଉ, ଠିକ୍ ସେହିପରି ଏଇ ପୂରାତନ ଓପେଟ୍ ପର୍ବ ବନ୍ୟା ଋତୁର ଦ୍ୱିତୀୟ ମାସରେ ବହୁ ଆଡ଼ମ୍ୱରରେ ପାଳିତ ହେଉଥିବା ବିଷୟରେ ବିଭିନ୍ନ ଲୋକ କାହାଣୀରୁ ଜାଣିବାକୁ ମିଳିଥାଏ । ଲକ୍ସର ମନ୍ଦିର ପରିସରରେ ପ୍ରାୟ ସବୁ ଧର୍ମର ପ୍ରଭାବ ଦେଖିବାକୁ ମିଳିଥାଏ । ପ୍ରାଚୀନ ମିଶରିୟ ଧର୍ମ, ପରେ ଖ୍ରୀଷ୍ଟ ଧର୍ମର ପ୍ରଭାବ ଏବେବି କାନ୍ଥର ଚିତ୍ରସବୁରୁ ଜଣାପଡ଼େ ଏବଂ ଇସଲାମ ଧର୍ମର ମଧ୍ୟ ଏକ ମସଜିଦ ପରିସରରେ କାର୍ଯ୍ୟକ୍ଷମ ଅଛି ।

ବିଶାଳତମ କର୍ଣ୍ଣକ୍ ମନ୍ଦିର

ଥିବାନ୍ ତ୍ରୀଦେବଙ୍କୁ ଉତ୍ସର୍ଗୀକୃତ ପୂର୍ବ ତଟର ଅନ୍ୟ ଏକ ପ୍ରମୁଖ ମନ୍ଦିର ହେଉଛି କର୍ଣ୍ଣକ୍ । ପ୍ରାଚୀନ କାଳରେ ନୀଳନଦୀ କୂଳରେ ଥିବା ଏହି ମନ୍ଦିର ମିଶରର ବୃହତ୍ତମ ମନ୍ଦିର । ୧.୭ ମାଇଲ୍ ବିସ୍ତୃତ ପରିସରରେ ବିଭିନ୍ନ ଦେବାଦେବୀଙ୍କୁ ଉତ୍ସର୍ଗ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ମନ୍ଦିର ରହିଛି । ଦୀର୍ଘ ୧୫୦୦ ବର୍ଷ ଧରି ବିଭିନ୍ନ ସମୟର ଫାରୋମାନଙ୍କ ଦ୍ୱାରା ଏହି ମନ୍ଦିର ନିର୍ମିତ ବୋଲି ଐତିହାସିକମାନେ ମତ ପୋଷଣ କରନ୍ତି । ଏବେ ନଦୀ ଅବଶ୍ୟ କିଛି ଦୂରକୁ ଘୁଞ୍ଚି ଯାଇଛି କିନ୍ତୁ ତା’ର ଅବସ୍ଥିତ ବିଷୟରେ ଏବେ ମଧ୍ୟ ମନ୍ଦିର ଆଗରେ ଥିବା ଧାରାରୁ ଜଣାପଡ଼ିଥାଏ । ୧୦ ରୁ ୨୦ ମିଟର ଉଚ୍ଚ ପାଖାପାଖି ୧୩୪ଟି ଖମ୍ୱ ୧୬ ଧାଡ଼ିରେ ଛିଡ଼ା ହୋଇ ମନ୍ଦିରର ଶୋଭାବର୍ଦ୍ଧନ କରିଥାନ୍ତି । ପ୍ରତି ଖମ୍ୱର ଉପର ଭାଗର କାରୁକାର୍ଯ୍ୟ ସବୁ ପଦ୍ମ ଓ ପାପିରସ୍ ଫୁଲର ପାଖୁଡ଼ା ସଦୃଶ । ମନ୍ଦିର ମଧ୍ୟ ଭାଗରେ ବିଶାଳ ଜଳାଶୟ । ପ୍ରାଚୀନ ସମୟରେ ଶୁଦ୍ଧ ହେବାପାଇଁ ଏହାର ବ୍ୟବହାର କରାଯାଉଥିବା କଥା ଲୋକ କାହାଣୀରୁ ଜଣା ପଡ଼େ । ଆଉ ଏକ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଜଳାଶୟ ସନ୍ନିକଟରେ ଥିବା ପବିତ୍ର ପଥର, ଯାହା ଚତୁର୍ପାଶ୍ୱରେ ପ୍ରଦକ୍ଷିଣ କଲେ ସୌଭାଗ୍ୟ ମିଳେ ବୋଲି ଲୋକଙ୍କ ବିଶ୍ୱାସ । ସ୍ୱାଭାବିକ ଭାବରେ ମନ୍ଦିର ମଧ୍ୟରେ ଏହି ସ୍ଥାନରେ ଭିଡ଼ ମଧ୍ୟ ସବୁଠାରୁ ବେଶି ଥିଲା । ବିଭିନ୍ନ ସମୟର ପାଖାପାଖି ତିରିଶ ଜଣ ଫାରୋଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିରର ଅନ୍ୟ ଏକ ବିଶେଷତ୍ୱ ହେଉଛି ବିଶାଳ ସ୍ମାରକ-ସ୍ତମ୍ଭ (Obelisk) ସବୁ । ଏକକ ପଥରରୁ ନିର୍ମିତ ଏଇ ସ୍ମାରକ-ସ୍ତମ୍ଭ ସବୁ ପ୍ରାଚୀନ ମିଶରର ସ୍ଥାପତ୍ୟ କଳାର ଚରମ ନିଦର୍ଶନ । ଲକ୍ସର ଓ କର୍ଣ୍ଣକ ମନ୍ଦିର ଏବଂ ମିଶରର ଅନ୍ୟାନ୍ୟ ସ୍ଥାନକୁ ଛାଡ଼ି ଏବେ ଏହି ସ୍ମାରକ-ସ୍ତମ୍ଭ ଗ୍ରୀସ, ଫ୍ରାନ୍ସ ଏବଂ ରୋମ୍‌ରେ ଦେଖିବାକୁ ମିଳିଥାଏ । ସନ୍ଧ୍ୟା ସମୟରେ ମିଶରିୟ ସ୍ଥାପତ୍ୟ ଓ ବୀରତ୍ୱର କାହାଣୀ ଶବ୍ଦ ଓ ଆଲୁଅ ମାଧ୍ୟମରେ ମନ୍ଦିରର ବିଶାଳ କାନ୍ଥରେ ପ୍ରଦର୍ଶିତ ହୋଇଥାଏ ।

ପଶ୍ଚିମ ତଟର ରାଜା ଓ ରାଣୀଙ୍କ ଉପତ୍ୟକା…

ନୀଳନଦୀ ଅବବାହିକାରେ ଶେଷ ଦିନରେ ଗାଇଡ଼ ପ୍ରସ୍ତାବ ଦେଲେ ଗରମ ବାଷ୍ପ ବେଲୁନରେ (Hot air balloon) ଉଡ଼ି ଉପତ୍ୟକାର ସୁନ୍ଦରତା ଉପଭୋଗ କରିବା ପାଇଁ କିନ୍ତୁ ମୁଁ ରାଜି ନହେବା ପଛରେ ଦୁଇଟି କାରଣ ଥିଲା । ପ୍ରଥମଟି ବଡି ଭୋରରୁ ଉଠିବାକୁ ପଡ଼ିବ ଓ ଦ୍ୱିତୀୟ ହେଉଛି ନଦୀର ପଶ୍ଚିମ ତଟରେ ଥିବା ଅତି ଆକର୍ଷଣୀୟ ସ୍ଥାନ ସବୁ ଦେଖି ହେବନାହିଁ । ଶେଷରେ ଜଳଖିଆ ସାରି ବାହାରିଲୁ ନଦୀର ପଶ୍ଚିମ ତଟକୁ । ସବୁଜିମାରେ ଭରପୁର ରାସ୍ତା ସବୁ ଦେଖିଲେ ମନେ ହେଉଥିଲା ଆମ ଓଡ଼ିଶାର କୌଣସି ଗ୍ରାମାଞ୍ଚଳର ରାସ୍ତା କିନ୍ତୁ କିଛି କିଲୋମିଟର ଯିବା ପରେ ଥିଲା ପଥୁରିଆ ରାସ୍ତା । କାରଣ ଆମେ ଯାଉଥିଲୁ ଥିବାନ୍ ପର୍ବତ ପାଦଦେଶରେ ଥିବା ତିନିତଳ ବିଶିଷ୍ଟ ବିଶାଳ Hatshepsut ମନ୍ଦିର । ରାସ୍ତାରେ ଯିବା ସମୟରେ Colossi of Memnon ନାମରେ ବିଖ୍ୟାତ ଫାରୋ ଆମେନଟପ୍ (Amenhotep) ତୃତୀୟଙ୍କ ୬୦ ଫୁଟ ଉଚ୍ଚର ଦୁଇ ବିଶାଳ ମୂର୍ତ୍ତି ଦୀର୍ଘ ୩୪୦୦ ବର୍ଷ ଧରି ପୂର୍ବ ତଟକୁ ମୁହଁ କରି ଛିଡ଼ା ହୋଇଥିବାର ଦୃଶ୍ୟ ଦେଖି ପ୍ରାଚୀନ ମିଶରିୟମାନଙ୍କ କଳା ଭାସ୍କର୍ଯ୍ୟର ନିପୂଣତାରେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲି । ପଥର ଖୋଦେଇ ଉପରେ ମୋର ଆଗ୍ରହ ଦେଖି ଗାଇଡ଼ ନେଇ ଯାଇଥିଲେ Alabaster କାରଖାନା ଏବଂ ବିକ୍ରୟସ୍ଥଳୀକୁ । Alabaster ଅତି ନରମ ପଥର, ତେଣୁ ସେଥିରେ କାରୁକାର୍ଯ୍ୟ କରିବା ଅତି ସହଜ କିନ୍ତୁ ରକ୍ଷଣା ବେକ୍ଷଣ କରିବା ଅତିବ କଷ୍ଟକର । ଅଳ୍ପ ସମୟ ଏହି କାରଖାନାରେ ଅତିବାହିତ କରି ବାହାରିଲୁ ରାଣୀ Hatshepsutଙ୍କ ମନ୍ଦିର ଆଡ଼କୁ । ପୁରାତନ ମିଶର ଇତିହାସର ଦ୍ୱିତୀୟ ମହିଳା ଶାସକ ବୋଲି ଐତିହାସିକମାନଙ୍କ ଦ୍ୱାରା ବର୍ଣ୍ଣିତ ଏହି ରାଣୀ ପ୍ରାଚୀନ ପଣ୍ଟ ବା ସୋମାଲିଆ ସହ ବାଣିଜ୍ୟ କାରବାର କରୁଥିବା କଥା ଖୋଦନ ସମୟରେ ମିଳିଥିବା ଏକ ଗଛରୁ ଜଣାପଡ଼ିଛି । ବିଶାଳ ମନ୍ଦିର ଆଗରେ ଅତି ରମଣୀୟ ଉଦ୍ୟାନ ଥିବା କଥା ମଧ୍ୟ ଐତିହାସିକମାନେ ସ୍ୱୀକାର କରିଛନ୍ତି । ଦେବୀ ହାଥୋରଙ୍କ ବିଷୟରେ ଉପରେ ଲେଖିଛି । ଏହି ମନ୍ଦିରରେ ଏକ ଦୃଶ୍ୟ ଯେଉଁଥିରେ ଗାଈଠୁ ଜଣେ ମହିଳା କ୍ଷୀର ପିଇବା ଅଙ୍କିତ ହୋଇଛି । ସଙ୍ଗୀତ ଓ ହର୍ଷ ଉଲ୍ଲାସର ଦେବୀଙ୍କୁ ଅନେକ ମିଶରିୟ ପ୍ରଜନନର ଦେବୀ ହିସାବରେ ଆରାଧନା କରିବାର ଦୃଷ୍ଟାନ୍ତ ମଧ୍ୟ ଅଛି । ମନ୍ଦିରରେ ସ୍ଥାନୀୟ ଭାଷାରେ ଅଶୱନ୍ ସହରର ଇତିହାସ ଉପରେ ଏକ ଚଳଚ୍ଚିତ୍ରର ସୁଟିଙ୍ଗ ଚାଲିଥିବାରୁ କିଛି କଳାକାରଙ୍କ ସହ ମିଶିବାର ସୌଭାଗ୍ୟ ମିଳିଥିଲା । ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନଙ୍କ ବହୁ ପ୍ରଶଂସକ ଥିଲେ ଏହି କଳାକାର ଦଳ ମଧ୍ୟରେ ।

ଇଂରେଜ ପୁରାତତ୍ତ୍ୱବିତ ହାଓ୍ୱାର୍ଡ଼ କାର୍ଟର ୧୯୨୨ ମସିହାରେ ନିଜ ସାଥିଙ୍କ ସହ ଏହି ଥିବାନ୍ ପର୍ବତ ମଧ୍ୟରୁ ଖୋଜି ଖୋଜି ବିଭିନ୍ନ ସମୟର ଫାରୋଙ୍କ ସମାଧିସ୍ଥଳ ଗୁମ୍ଫା ଗୁଡ଼ିକ ଆବିଷ୍କାର କରିଥିଲେ । ପ୍ରାୟ ୬୨ ଜଣ ଫାରୋଙ୍କ ମମିଫାଏଡ଼ ଶରୀର ଏହି ପର୍ବତର ଗୁମ୍ଫା ମଧ୍ୟରୁ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇ ସାରିଛି । ଗୁମ୍ଫାର କାନ୍ଥରେ ମିଶରିୟ ଶାସକମାନଙ୍କ ମୃତ୍ୟୁ ପରର ଯାତ୍ରା ଏବଂ ବିଭିନ୍ନ ଦେବାଦେବୀଙ୍କ ସହ ସମ୍ପର୍କ ବିଷୟରେ ଚିତ୍ରିତ, ଏକ ଆକର୍ଷଣୀୟ ଚିତ୍ର ଥିଲା ଦେବୀ ମଟ୍‌ଙ୍କ, ଯେଉଁଠି ତାଙ୍କୁ ଏକ ଉଦିତ ସୂର୍ଯ୍ୟଙ୍କୁ ଉଦରସ୍ଥ କରି ପୁଣିଥରେ ରାତିରେ ଚନ୍ଦ୍ର ଭାବରେ ଜନ୍ମ ଦେବାର ଦୃଶ୍ୟ ।ଏବେବି ଏଇ ପରିସରର ଅନ୍ୟାନ୍ୟ ସ୍ଥାନରେ ଖୋଦନ ଜାରି ରହିଛି କିନ୍ତୁ ପ୍ରଫେସର କାର୍ଟରଙ୍କ ଅନନ୍ୟ ଅବଦାନ ହେଉଛି ବାଳକ ଫାରୋ ତୁତ୍ । ସବୁଠାରୁ କମ୍ ବୟସରେ ମିଶର ସାମ୍ରାଜ୍ୟର ଶାସନ ଭାର ହାତକୁ ନେଇଥିବା ଏହି ରାଜାଙ୍କ ବିଷୟରେ ଇତିହାସ ଓ ଲୋକ କାହାଣୀ ଅନେକ ଶୁଣିବାକୁ ମିଳିଥାଏ । ଏବେବି ତାଙ୍କ ମମିଫାଏଡ଼ ଶରୀର ଏହି ଗୁମ୍ଫା ମଧ୍ୟରେ ପ୍ରଦର୍ଶିତ, ଖନନ ସମୟରେ ମିଳିଥିବା ତାଙ୍କର ସେ ପ୍ରସିଦ୍ଧ ସୁବର୍ଣ୍ଣ ମୁଖା ଓ ଅନ୍ୟାନ୍ୟ ବସ୍ତୁ ସବୁ କାଇରୋ ସହରର ମିଶର ଜାତୀୟ ସଂଗ୍ରାହାଳୟରେ ସ୍ଥାନିତ ।

ପଶ୍ଚିମ ତଟ କଦଳୀ ବଗିଚାରେ ସୂର୍ଯ୍ୟାସ୍ତ…

ରାଜା ଓ ରାଣୀଙ୍କ ଉପତ୍ୟକାରୁ ଫେରି ଏକ ଛୋଟ ମଟର ଚାଳିତ ନୌକାରେ ବାହାରିଲୁ ନଦୀ ମଝିରେ ଥିବା ଏକ ଦ୍ୱୀପକୁ । କଦଳୀ ଚାଷ ପାଇଁ ଆବଶ୍ୟକ ପଟୁ ମାଟିରେ ସମୃଦ୍ଧ ଏହି ଦ୍ୱୀପକୁ ସ୍ଥାନୀୟ ଲୋକ ବନାନା ଆଇଲାଣ୍ଡ ବା କଦଳୀ ଦ୍ୱୀପ କୁହନ୍ତି । ମାଇଲ୍ ମାଇଲ୍ ବିସ୍ତୃତ କଦଳୀ ବଗିଚା ମଝିରେ ମଝିରେ ଆମ୍ୱ ଓ ଅର୍ଥକାରୀ ଫସଲର ବଗିଚା ବେଶ୍ ଆକର୍ଷଣୀୟ ଥିଲା । ତା’ସହ ଆମ ଦେଶର ଗ୍ରାମାଞ୍ଚଳର ଅନୁଭବ ହେଉଥିଲା । ସେଇ ବଗିଚା ମଧ୍ୟରେ ଥିବା ଏକ ଛୋଟ ରେସ୍ତୋରାରେ ବସି କଦଳୀ ଓ ଅନ୍ୟ ଫଳର ସରବତ ପିଇବାର ଆନନ୍ଦ ସହ ଅସ୍ତଗାମୀ ସୂର୍ଯ୍ୟଙ୍କର ରୂପ ନୀଳନଦୀ ଜଳରେ ପ୍ରତିଫଳିତ ହେବାର ଦୃଶ୍ୟ ଥିଲା ଅତୀବ ଅନନ୍ୟ ।

ସଞ୍ଜ ଗଡ଼ିବାରୁ ଜାହାଜକୁ ଫେରି ବିଦାୟ ନେବାର ସମୟ ଆସି ଯାଇଥିଲା । ଜାହାଜର ମୁଖ୍ୟ ରୋଷେଇଆ ଯିଏ ଚାରିଦିନ ଧରି ମୋ ପସନ୍ଦ ମୁତାବକ ନିରାମିଷ ଭୋଜନ ଭାରତୀୟ ଶୈଳୀରେ ପରସିଥିଲେ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇ ବାହାରିଲି ଲକ୍ସର ସହର ମଝିରେ ଥିବା ବ୍ରିଟିଶ ନାଗରିକଙ୍କ ଭାରତୀୟ ରେସ୍ତୋରାକୁ । ସୁସ୍ୱାଦୁ ଭାରତୀୟ ମିଠା ଓ ବ୍ୟଞ୍ଜନରେ ଆପ୍ୟାୟିତ କରିଥିଲେ ସ୍ଥାନୀୟ ମ୍ୟାନେଜର ମହାଶୟ । କିଛି ସମୟ ନିକଟସ୍ଥ ଚମଡ଼ା ପୋଷାକ ବଜାର ଏବଂ ପାପିରସ୍ ସଂଗ୍ରହାଳୟ ବୁଲି ରାତ୍ରି ଦଶରେ ବାହାରିଲି ରେଳ ଷ୍ଟେସନକୁ ଫେରନ୍ତା ଯାତ୍ରା ପାଇଁ । ସାଥିରେ ଆଣିଲି ଅନେକ ଶିକ୍ଷଣୀୟ ଅନୁଭୂତି । ଟ୍ରେନରେ ବସି ଭାବୁଥିଲି ପ୍ରାଚୀନ କୀର୍ତ୍ତିରାଜିକୁ ପରବତ୍ତୀ ପିଢ଼ି ପାଇଁ କିପରି ସୁରକ୍ଷିତ ରଖି ହେବ ଏ ବିଷୟରେ ମିଶରଠୁ ଆମକୁ ଅନେକ କିଛି ଶିକ୍ଷା କରିବାକୁ ପଡ଼ିବ ଏବଂ ଆମର ଗଙ୍ଗା କି ମହାନଦୀରେ ଏପରି ଛୋଟ ଜାହାଜ ଚଳାଚଳ କରି ପର୍ଯ୍ୟଟନ ବିକାଶ କିପରି କରାଯାଇ ପାରିବ । ଏମିତି ଭାବୁଭାବୁ କେତେବେଳେ ନିଦ୍ରା ଦେବୀ ମତେ ନିଜ କୋଳକୁ ଟାଣି ନେଇଥିଲେ ଜାଣିପାରିଲିନି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu