ମୁକଂ କରୋତି ବାଚାଳମ୍….
ମୁକଂ କରୋତି ବାଚାଳମ୍....

ମୁକଂ କରୋତି ବାଚାଳମ୍….

ଭଗବାନଙ୍କ କୃପା ବିନା ସାମାନ୍ୟ ମଣିଷ ଯେ କିଛି ବି ନୁହେଁ, ଏକଥାର ଅନୁଭବ ପ୍ରାୟ ପ୍ରତିଦିନ କୌଣସି ନା କୌଣସି ଘଟଣା ଆମକୁ ସୂଚିତ କରିଥାଏ । ଦ୍ୱିତୀୟ ଚାକିରୀରେ ଯୋଗଦେବା ପାଇଁ ପ୍ରିୟ ଓଡ଼ିଶା ମାଟିକୁ ଛାଡ଼ି ସୁଦୂର ଗୁଜରାଟ ଅଭିମୁଖେ ଯାଇ ପ୍ରଥମ ଦିନରେ ହିଁ ଭଗବାନଙ୍କ ପ୍ରଛନ୍ନ ଆଶୀର୍ବାଦ ପାଇଥିଲି ଯେବେ ଜାଣିଲି କମ୍ପାନୀର ମୂଖ୍ୟ ଅଧିକାରୀଙ୍କ ନିଜସ୍ୱ ସହକାରୀ ଥିଲେ ସ୍ଥାନୀୟ ସମିତିର ଆବାହକ । ତାଙ୍କର ପୃଷ୍ଠପୋଷକତାରେ ସତ୍ୟସାଇ ସଂଗଠନରେ ଯୁବ କର୍ମୀ ଭାବେ ସେବା କରିବାର ସୁଯୋଗ ପାଇ କାଳକ୍ରମେ ଯୁବ ସଂଯୋଜକ ଏବଂ ପରେ ରାଜ୍ୟ ସଂଯୋଜକ ହେବାର ସୌଭାଗ୍ୟ ପାଇଥିଲି ।

୨୦୦୭ ମସିହାର କଥା । ଭଗବାନଙ୍କ ସନ୍ନିକଟରେ ଅତିରୁଦ୍ର ମହାଯଜ୍ଞର ଅବ୍ୟବହିତ ସରିଥାଏ । ବିଭିନ୍ନ ରାଜ୍ୟ ସେମିତି ଏକ ବିଶାଳ ଯଜ୍ଞର ଆୟୋଜନରେ ଲାଗି ଥାଆନ୍ତି । ମହାରାଷ୍ଟ୍ର ସଂଗଠନରୁ କିଛି କର୍ମକର୍ତ୍ତା ଆସି ଏକ ସମ୍ୟକ ସୂଚନା ଦେଇ ଯାଇଥାନ୍ତି । ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ପବିତ୍ର ନର୍ମଦା ନଦୀକୂଳ ଭରୁଚ ସହରରେ ଯୁବ ଏବଂ ସଂଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ଚିନ୍ତନ ଶିବିରର ଆୟୋଜନ ହୋଇଥିଲା । ଏହାର କିଛି ଦିନ ପୂର୍ବରୁ ରାଜ୍ୟ ଯୁବ ସଂଯୋଜକଙ୍କ ନିର୍ଦ୍ଦେଶ ମିଳିଲା ସେଇ ଶିବିରରେ ଭଗବାନଙ୍କ ବିଷୟରେ କିଛି କହିବା ପାଇଁ, ଆଉ ବିଷୟବସ୍ତୁ ଥିଲା “ସ୍ୱାମୀ-ଦିବ୍ୟ ମାତା” । ମନେରେ ଆଶଙ୍କା ଓ ଭୟ । କେମିତି ପ୍ରସ୍ତୁତ ହେବି କହିବା ପାଇଁ? ଭଗବାନଙ୍କ ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଛାତ୍ରଙ୍କୁ ଇ-ମେଲରେ ସହାୟତା ମାଗିଲି ଓ ପ୍ରତ୍ୟୁତ୍ତରରେ ସେ ମା’ଙ୍କ ବିଷୟରେ ଅତି ସୁନ୍ଦର କବିତାଟିଏ ପଠାଇଥିଲେ । ପୂର୍ବତନ ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ଅଜା ଯେବେ ପ୍ରଥମଥର ସ୍ୱାମୀଙ୍କ ସମ୍ମୁଖରେ ସମ୍ଭାଷଣ ଦେବାପାଇଁ ପ୍ରସ୍ତୁତ ହେଉଥିଲେ ସେତେବେଳେ ଶ୍ରୀ କସ୍ତୁରୀଙ୍କୁ ପଚାରିଥିଲେ ସେ କ’ଣ କହିବେ? “ଚିନି ଖାଇଛ ପରା ! ତା’ର ସ୍ୱାଦ କେମିତି କହିବାରେ ଭାବିବା କ’ଣ ଦରକାର?” ଥିଲା ଶ୍ରୀକସ୍ତୁରୀଙ୍କ ଉତ୍ତର ।

ବହୁ ପ୍ରତୀକ୍ଷିତ ଚିନ୍ତନ ଶିବିର ଦିନ ଚିନ୍ତାରେ ନିମଗ୍ନ ମୁଁ ଯେବେ ରାଜ୍ୟ ଯୁବ ସଂଯୋଜକ ଭାଇଙ୍କଠାରୁ ଶୁଣିଲି ସମୁଦାୟ ବକ୍ତବ୍ୟ ସମୟ ୭ ମିନିଟ, ସେତେବେଳେ ତାଙ୍କୁ ଅନୁରୋଧ କଲି ମୋ ବକ୍ତବ୍ୟ ଶେଷରେ ରଖିବାକୁ । କାରଣ ଗୁଜୁରାଟି ଭାଷା ମୋତେ କହି ଆସୁ ନଥିଲା ଏବଂ ଇଂରାଜୀରେ କହିଲେ ଭାବ ଆସି ନଥାନ୍ତା । “ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ, “ତମେ ହିଁ ପ୍ରଥମେ କହିବ ଏବଂ ହିନ୍ଦୀ ଇଂରାଜୀ ମିଶାଇ କହିଲେ ଚଳିବ ।” ଏତିକି କହି ସେ ସଭା ଆୟୋଜନରେ ବ୍ୟସ୍ତ ରହିଥିଲେ ।

ରାଜ୍ୟ ସଭାପତି ଓ ଯୁବ ସଂଯୋଜକଙ୍କ ପ୍ରାରମ୍ଭିକ ସ୍ୱାଗତ ସମ୍ଭାଷଣ ପରେ ଯେତେବେଳେ ମୋ ନାମର ଘୋଷଣା ହେଲା, ହୃଦୟର ସ୍ପନ୍ଦନ କ୍ଷୀପ୍ର ଗତିରେ ଦୌଡ଼ୁଥିବାର ଅନୁଭବ ହେଉଥିଲା । ଭୟ ଓ ଭକ୍ତିରେ ନୟନ ଯୁଗଳ ଭଗବାନଙ୍କ ଚରଣ କମଳରେ ମୁଦ୍ରିତ କରି, “ତ୍ୱମେବ ମାତା ଚ ପିତା ତ୍ୱମେବ…” ଶ୍ଳୋକ ସହ ପ୍ରଥମ ଧାଡ଼ି ଏତିକି କହିଥିବାର କେବଳ ମନେ ଅଛି- “ସମସ୍ତଙ୍କ ହୃଦୟରେ ବିରାଜମାନ କରୁଥିବା ହେ ସ୍ୱାମୀ ଆଜି ମୋ ଭିତରୁ ଯାହା କହିବା କଥା ତମେ ହିଁ କୁହ….” କେତେ ସମୟ କହିଥିଲି ଜାଣି ନପାରି ଯେବେ ଆଖି ଖୋଲିଲି, ଯୁବ ସଂଯୋଜକ ଇଙ୍ଗିତରେ ନିର୍ଦ୍ଦେଶ ଦେଉଥିଲେ ଆଉ କିଛି ସମୟ କହିବାକୁ । ପରେ ଯେତେବେଳେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସମାପ୍ତ କଲି, ସଭା ପରିଚାଳନା କରୁଥିବା ଯୁବ ବନ୍ଧୁଙ୍କ କଥାରୁ ଜାଣିଲି ୨୧ ମିନିଟ ଧରି ଅନବରତ କହିଥିଲି ବୋଲି । ପ୍ରସାଦ ସେବନ ସମୟରେ ଯୁବବନ୍ଧୁ ଓ ବରିଷ୍ଠ କର୍ମକର୍ତ୍ତାମାନଙ୍କର ଶୁଭେଚ୍ଛା ବାର୍ତ୍ତା ଶୁଣି ହୃଦୟରୁ ଭଗବାନଙ୍କୁ ପ୍ରଣାମ ଜଣାଇ ମନ ଭରି କାନ୍ଦିଥିଲି…..

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu