You are currently viewing କଳୁଷିତ ସମାଜ
କଳୁଷିତ ସମାଜ

କଳୁଷିତ ସମାଜ

ପଙ୍ଗୁ ସଭ୍ୟତାକୁ ଏତେ ପାଖରୁ ଦେଖି
ଏକବିଂଶ ଶତାବ୍ଦୀ ଆଜି ଅଟ୍ଟହାସ୍ୟ କରୁଛି,
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର କ୍ରମାଗତ ପ୍ରଗତି
ସତେ ଯେମିତି ମଣିଷକୁ ଆଜି ଯନ୍ତ୍ରରେ ପରିଣତ କରିଛି,
ମଣିଷର ଭାବ ଆଜି
ଖିନଭିନ… ଛିନ୍‌ଛତ୍ର..
ଇଆଡ଼େ.. ସିଆଡ଼େ.. ସବୁଆଡ଼େ ॥

ସବୁଆଡ଼େ ଶୁଭୁଛି ଆଜି
ପାଶ୍ଚାତ୍ୟ ସଭ୍ୟତାର ଜୟ ଜୟକାର,
ଏଠି ଆଜି ଆଉ ନାହିଁ ପରିବାରର ବନ୍ଧନ
ସାମାଜିକ ସମ୍ପର୍କ କି ପଡ଼ୋଶୀର ସ୍ନେହଶ୍ରଦ୍ଧା ।
ସମସ୍ତେ ଏଠି ବ୍ୟସ୍ତ।
ଯେମିତି ଅର୍ଥ ଉପାର୍ଜନର ଏକ ଏକ ମେସିନ୍
କାହାର ନଥାଏ କାହା ପାଇଁ ସମୟ ।

କଅଁଳ ଶିଶୁଟିଏ ଏଠି ଝୁଲୁଥାଏ
କ୍ରେଚରେ ଝୁଲା ଦୋଳିରେ,
ବାଳକଟି ସ୍କୁଲରୁ ଫେରି
କମ୍ପୁଟରର ସାଥି ହୋଇଯାଏ ତ
କିଶୋରଟିଏ କେଉଁ ଅଧା ପୋଷାକ ପିନ୍ଧା କିଶୋରୀ ସହ
ରାସ୍ତା କଡ଼ରେ କି ପାର୍କରେ କି ଲାଇବ୍ରେରୀରେ
ଦେହକୁ ଦେହ ଯୋଡ଼ି ଘଣ୍ଟା ଘଣ୍ଟା ଗପ ମାରୁଥାଏ କି
କାନରେ ମୋବାଇଲଟା ଲଗାଇ
କେଉଁ ଝିଅ ସହ ଗପୁଥାଏ ଘଣ୍ଟା ଘଣ୍ଟା ।

ଇଣ୍ଟରନେଟର ଯୁଗ ଇଏ
ଅନ୍ଲାଇନ୍ରେ ଚାଲେ କାରବାର
ଆଡ୍ମିସନ୍ଠାରୁ ଏକ୍ସାମିନେସନ୍
ପୁଣି କିଣାବିକା ଠାରୁ ବାହାଘର ସିଲେକ୍ସନ୍ ।

ଆଉ ମଣିଷ ମଣିଷ ଭିତରେ ଦେଖାଚାହାଁ ଦରକାର ନାହିଁ
ଦରକାର ନାହିଁ ଭାବ ବିନିମୟର
ସିଧାସାଧା ସମ୍ପର୍କ ବାଣ୍ଟୁଥିବା କାରବାର,
ଜୀବନଯାତ୍ରାକୁ ସହଜ ଆଉ ସୁଲଭ କରିବାକୁ ଯାଇ
ଅନ୍‌ଲାଇନ୍‌ର ଦ୍ୱାହି ଦେଇ
ସମ୍ପର୍କର ଲାଇନ୍‌କୁ କିରିଦିଏ “ଅଫ୍”
ସୋସିଆଲ ମିଡ଼ିଆ ବନିଯାଏ ଯାନ୍ତ୍ରିକ ସଭ୍ୟତାର ଅନନ୍ୟ ପ୍ରତୀକ
“ସମ୍ପର୍କ ଧ୍ୱଂସ”ର ଏକ ସଫଳ ମାଧ୍ୟମ ।
ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇ ନେଇଥିବା ମଣିଷ ମନରେ
ନାହିଁ ଆଉ ଭାବ କି ଆବେଗ
ଅଛି ଖାଲି ପ୍ରତିଯୋଗିତା.. ପ୍ରତିଦ୍ୱନ୍ଦିତା …॥

ମଣିଷ ଆଜି ହରେଇବସିଛି ମାନବିକତା
ହଜିଯାଇଛି ସ୍ନେହ ଶ୍ରଦ୍ଧା, ପ୍ରେମ, ବନ୍ଧନର ଆଲୋକ
ଚାରିଆଡ଼େ ଖାଲି ସ୍ୱାର୍ଥପରତାର କୁଢ଼ କୁଢ଼ ଅନ୍ଧାର,
ଦାୟିତ୍ୱ ଓ କର୍ତ୍ତବ୍ୟକୁ ଭୁଲି ସମାଜ ଆଜି ପଙ୍ଗୁ ସଭ୍ୟତା ।
ଗଣ ବଳାତ୍କାରର ଶିକାର ହେଉଥିବା ଝିଅଟି
ଏଠି ପାଲଟିଯାଏ
ନାମହୀନ “ପୀଡ଼ିତା” – ମୃତା ବା ଜୀବିତା ।
କେବେ କେମିତି ମରିଗଲେ ଝିଅଟି,
ପ୍ରତିବାଦର ପ୍ରତୀକ ସ୍ୱରୂପ ଚାଲେ କ୍ୟାଣ୍ଡେଲ ଶୋଭାଯାତ୍ରା ।
ଧାରଣାରେ ବସି ମାଗିଥାନ୍ତି ଅଧିକାରର ସ୍ୱର ॥

ରାତିରେ ମାଦକ ନିଶାରେ ମସଗୁଲ ହୋଇ
ଯୁବକ ଜଣକ କରିଚାଲିଥାଏ ସ୍ତ୍ରୀ ଉପରେ ପାଶବିକ ଅତ୍ୟାଚାର
ବା କେଉଁ ପଞ୍ଚ ତାରକା ହୋଟଲରେ
ରୁମ୍ ସର୍ଭିସ୍ ଦେଉଥିବା ନାରୀ ଉପରେ
କରୁଥାଏ ବାରମ୍ବାର ବଳାତ୍କାର ।
କାହିଁକିନା …
ଏସବୁ ତାଙ୍କର ଅଧିକାର ॥

ଆମ ସମାଜର ଏହା ଏକ ମହାନ ଅବଦାନ
ସବୁଠି ସମସ୍ତେ ଖୋଜନ୍ତି ଅଧିକାର
ନିଜ ଅହଂଭାବର ଶୀର୍ଷସୀମା ପର୍ଯ୍ୟନ୍ତ ॥
ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ
ପାଦ ପରେ ପାଦ ଆଗକୁ ବଢ଼ାଇ
ଆମେ କିନ୍ତୁ ଗାଇ ହେଉଥିବା ଯେ
ଆମେ ଏକ ବିଂଶ ଶତାବ୍ଦୀର ସନ୍ତାନ
ଆମେ ମହାନ
ଆମ ସଭ୍ୟତା ମହାନ
ଆମ ସଂସ୍କୃତି ମହାନ…
ନ ଥିବ ସେଥିରେ ପ୍ରାଣସତ୍ତା
ସୁଦୁ ଫମ୍ପା ଆବାଜ
ପଶ୍ଚାତ୍ୟ ସଂସ୍କୃତିର ଯନ୍ତ୍ରଣାରେ
ଏ ସଭ୍ୟତା ଆଜି
ରକ୍ତାକ୍ତ…. କ୍ଷତବିକ୍ଷତ
ରକ୍ତାକ୍ତ…. କ୍ଷତବିକ୍ଷତ ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭଶ୍ରୀ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।