You are currently viewing ନିଜକୁ ହଜେଇ ପୁଣି ଖୋଜି ପାଇବାର ଜାଗା: ଇଶା ଯୋଗା
ନିଜକୁ ହଜେଇ ପୁଣି ଖୋଜି ପାଇବାର ଜାଗା: ଇଶା ଯୋଗା

ନିଜକୁ ହଜେଇ ପୁଣି ଖୋଜି ପାଇବାର ଜାଗା: ଇଶା ଯୋଗା

ଆମେ ଯେତେବେଳେ କୋଇମ୍ବାଟୁର ଆସିଥିଲୁ ସେତେବେଳେ ଆମ ଫ୍ଲାଟକୁ ଦେଖି ଯେତିକି ଖୁସି ହେଇଥିଲି ତା’ର ଅବସ୍ଥିତି ଦେଖି ସେତିକି ଦୁଃଖୀ ହେଇଥିଲି । ସହରତଳି ଅଞ୍ଚଳରେ ଗଢ଼ିଉଠିଥିଲା ଆପାର୍ଟମେଣ୍ଟଟି । ସହର ରହିଯାଇଥିଲା ବହୁତ ଦୂରରେ । ତେବେ ତିନିପଟୁ ଆମକୁ ବେଢ଼ି ରହିଥିବା ଭେଲିଆନଗିରି ପାହାଡ଼ ଶୃଙ୍ଖଳା ଆଉ ତାକୁ ଚୁମି ଯାଉଥିବା ଭସା ବାଦଲ ଦେଖି ମୁଁ ସେଇ ଘରର ପ୍ରେମରେ ପଡ଼ିଯାଇଥିଲି । କିଛି ଦିନରେ ମୁଁ ଆଉରି ଖୁସି ହେଇଗଲି ଯେବେ ଜାଣିଲି ସଦଗୁରୁ ଜାଗି ବାସୁଦେବଙ୍କର ଇଶା ଯୋଗ ସେଣ୍ଟରଠୁ ମୋର ମାତ୍ର ପନ୍ଦର କିଲୋମିଟର ଦୂର । ଯଦିଓ ମୁଁ ସଦଗୁରୁଙ୍କର ଆଧ୍ୟାତ୍ମିକ ବାଣୀ ଓ ଲେଖନର ବହୁତ ବଡ଼ ସ୍ତାବିକା ତେବେ ତାଙ୍କର ଇଶା ଯୋଗ ସେଣ୍ଟର ବୁଲିଯିବାର ସୁଯୋଗ ସେଯାଏଁ ମିଳିନଥିଲା ମୋତେ । ତେଣୁ ନୂଆ ଘର ସଜଡ଼ା ହେଇଯିବାର ପ୍ରଥମ ରବିବାର ଆମେ ଇଶା ଯୋଗ ବୁଲିଯିବାପାଇଁ ସ୍ଥିର କଲୁ । ୟା ଭିତରେ ମୁଁ କେତେଥର ଯେ ଜାଗାଟି ବୁଲି ଆସିସାରିଲିଣି ସେକଥା ମୋର ବି ଆଉ ମନେ ନାହିଁ ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋଇମ୍ବାଟୁର ସହରର ବିମାନଘାଟିରୁ ପ୍ରାୟ ୩୫ କିଲୋମିଟର ଦୂରରେ ଅବସ୍ଥିତ ପ୍ରାୟ ଦୁଇ ଦଶନ୍ଧି ତଳେ ସଦଗୁରୁନଙ୍କ ଦ୍ୱାରା ସ୍ଥାପିତ ଇଶା ଯୋଗ ସେଣ୍ଟର । ଇଶା ହେଲା ପାର୍ବତୀଙ୍କ ଅନ୍ୟ ନାମ ଆଉ ଶିବ ହେଲେ ଆଦି ଯୋଗୀ, ଯୋଗର ଅନ୍ୱେଷକ । ଏଣୁ ଶିବ ଆଉ ଶକ୍ତିଙ୍କ ମିଳନରେ ତିଆରି ହେଇଚି ଇଶା ଯୋଗ । ଆଉ ଯଦିଓ ମୁଁ ଉଭୟ ଚାରିଚକିଆ ଆଉ ଦୁଇଚକିଆରେ ଯାଇଛି ଜାଗାଟିକୁ । ତେବେ ମୁଁ କହିବି ଦୁଇଚକିଆରେ ସେଇ ଜାଗାକୁ ଯିବାର ମଜା ହିଁ କିଛି ଅଲଗା । ଲୋକେ କୁହନ୍ତି ଗନ୍ତବ୍ୟ ସ୍ଥଳ ଠାରୁ ଯାତ୍ରାକୁ ବେଶୀ ଉପଭୋଗ କରିବା କଥା । ଇଶା ଯୋଗକୁ ଗଲାବେଳେ ହିଁ ଏଇ ବାକ୍ୟର ଅର୍ଥ ପ୍ରକୃତରେ ବୁଝିହୁଏ । ମନ୍ଦମନ୍ଦ ପବନ ସାଙ୍ଗକୁ ଦୁଇକଡ଼େ ସୁନ୍ଦର ବନରାଜି, ସବୁଜ ଚାଷ ଜମି, ଧାଡ଼ିଧାଡ଼ି ନଡ଼ିଆ ଓ ଗୁଆ ଗଛର ସମ୍ଭାର ଆଉ କଅଁଳିଆ କଦଳୀ ଗଛର ଅଗଣିତ ବଗିଚା ସତେ ବା ଡାକୁଥାନ୍ତି ତାଙ୍କ ସାଙ୍ଗରେ ଟିକିଏ ସମୟ ବିତେଇବା ପାଇଁ । ତିରିଶରୁ ପଇଁତିରିଶ ମିନିଟର ସେଇ ଅଙ୍କାବଙ୍କା କିନ୍ତୁ କଳା ମଚମଚ ମସୃଣ ରାସ୍ତାରେ ଆସେ କେତେଗୁଡିଏ ଗାଁ । ମନେ ପଡ଼ିଯାଏ ଭୁବନେଶ୍ୱରରୁ ପୁରୀ ରାସ୍ତାରେ ପଡ଼ୁଥିବା ଗାଁ ଗୁଡ଼ିକ କଥା । ଲାଗେ ବୋଧହୁଏ ଭାରତର ସବୁ ଗାଁ ସମାନ । କାରଣ ସବୁ ଗାଁରେ ଲୋକମାନେ ବି ସମାନ । ଏଇ ଗାଁଗୁଡ଼ିକରେ ବି ସାନପିଲାଏ ବାଟି ଖେଳୁଥାନ୍ତି । ସ୍ତ୍ରୀଲୋକ ଗରା କାଖେଇ ଯାଉଥାନ୍ତି । ଆଉ ଜେଜେବାପା ମାନେ ଗଛତଳ ଚଉତରାରେ ବସି ତାସ ଖେଳିବାରେ ବ୍ୟସ୍ତ ଥାଆନ୍ତି ।

ଏମିତି ରାସ୍ତା ଉପଭୋଗ କରୁକରୁ ପହଁଚିଯାଉ ଆମେ ଇଶା ଯୋଗ ସେଣ୍ଟରର ମୁଖ୍ୟଦ୍ୱାରରେ । ସେଇଠି ଗୋଟିଏ ବିରାଟ ବଡ଼ ପଥରର ସାପ ଅପେକ୍ଷା କରିଥାଏ ଆମକୁ ସ୍ୱାଗତ କରିବା ପାଇଁ । ଏଇଠି କହି ରଖେ, ଇଶା ଯୋଗରେ ସାପର ବିଭିନ୍ନ ଆକାରର ଛବି ଓ ପ୍ରତିକୃତି ଦେଖିବା ଏକ ସାଧାରଣ କଥା । କାରଣ ସଦଗୁରୁଙ୍କ ପାଇଁ ସାପଙ୍କ ମହତ୍ତ୍ୱ ବହୁତ ଅଧିକ । ସେ କୁହନ୍ତି ଆଧ୍ୟାତ୍ମିକ ଜୀବନରେ ସାପ ହେଲେ କୁଣ୍ଡଳିନୀର ପ୍ରତୀକ ଆଉ ଅର୍ବାଚୀନ ଯୋଗର ଗୁରୁ ପାତଞ୍ଜଳିଙ୍କ ସହିତ ସାପର ସମ୍ପର୍କ ଅତ୍ୟନ୍ତ ନିବିଡ଼ । ନିଜ ଗାଡ଼ି ପାର୍କିଂଲଟରେ ରଖି ଇଶା ଯୋଗର ମୁଖ୍ୟ ଦ୍ୱାରରେ ପଶିଲେ ବାଁ ପଟେ ପଡ଼େ ଗୁଆଗଛର ଜଙ୍ଗଲ । ସେଇ ପାଦଚଲା ରାସ୍ତାରେ ସତୁରି ମିଟର ଖଣ୍ଡେ ଆଗକୁ ଗଲେ ଜୋତାରଖିବା ଜାଗା ଆସେ । ଫୋନ ସାଙ୍ଗରେ ନେଇହେବ କିନ୍ତୁ ତାକୁ ସାଇଲେଣ୍ଟ ମୋଡ଼ରେ ରଖିବାକୁ ହବ । ଜୋତା ରଖି ଆଗକୁ ଗଲେ ବାଁ ପଟରେ ପଡ଼େ ଆଧ୍ୟାତ୍ମିକ ବହି ଦୋକାନ । ସେଇଠି ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, ମାଲୟାଲମ, ଓଡ଼ିଆ ସବୁ ଭାଷାରେ ସଦ୍‌ଗୁରୁଙ୍କ ଲିଖିତ (ତଥା ଅନୁବାଦିତ) ବହି ମିଳେ । ସେଇଠୁ ଟିକିଏ ଆଗକୁ ଯାଇ ପାହାଚରେ ଉଠିଯିବାକୁ ପଡ଼େ ଉପରକୁ । ପ୍ରାଙ୍ଗଣଟି ଅତି ସଫା ସୁତୁରା ।

ପଥର ପାହାଚରେ ଉପରକୁ ଉଠିଗଲେ ପଡ଼େ ସୂର୍ଯ୍ୟକୁଣ୍ଡ । ଭିତରେ ଆଉ ଗୋଟିଏ କୁଣ୍ଡ ଅଛି ଚନ୍ଦ୍ରକୁଣ୍ଡ । ସେଇଟା ଟିକିଏ ଭିତରକୁ । ଭିଡ଼ରୁ ଉହାଡ଼ ହେଇ । ସୂର୍ଯ୍ୟକୁଣ୍ଡ ପୁଅଙ୍କ ପାଇଁ ଉଦ୍ଧିଷ୍ଟ ଆଉ ଚନ୍ଦ୍ରକୁଣ୍ଡ ଝିଅଙ୍କ ପାଇଁ । ଏଇ ଦୁଇ କୁଣ୍ଡକୁ ତୀର୍ଥକୁଣ୍ଡ ମଧ୍ୟ କୁହାଯାଏ । ଏଇ କୁଣ୍ଡ ହେଲା ୧୩୦ * ୪୦ର । ଦେଖିବାକୁ ପଥରର ସୁଇମିଙ୍ଗ ପୁଲ ଭଳି ତେବେ ଉପରୁ ଝରଣା ଭଳି ପାଣି ବି ଝରୁଥାଏ । କୁହାଯାଏ କୁଣ୍ଡର ମଝିରେ ଥିବା ୬୬୦ କେଜିର ଶିବଲିଙ୍ଗ ଏଇ ପାଣିର ଉର୍ଜାକୁ ସକ୍ରିୟ କରେ । ଇଶା ଯୋଗର ମୁଖ୍ୟ ଉର୍ଜା ସ୍ଥଳୀକୁ ଯିବାପୂର୍ବରୁ ନିଜକୁ ଶୁଦ୍ଧ କରିବା ପାଇଁ ଭକ୍ତମାନେ ଲୁଗା ବଦଳେଇ ଏଇ କୁଣ୍ଡରେ ବୁଡ଼ ଦିଅନ୍ତି । ତେବେ ଏହା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । କିନ୍ତୁ ଏ କଥା ସତ ଯେ ଏଇ ପାଣିରେ ବୁଡଦେଲେ ଏକ ଅଜଣା ପ୍ରକାରର ପୁଲକର ଅନୁଭବ ହୁଏ ନିଜର ସମ୍ପୂର୍ଣ ଶରୀରରେ । ୟା ଆଗକୁ ମୁଁ ହୁଏତ ଅନେକ ବାର ପୁଲକ, ଶିହରଣ, ଉତ୍ତେଜନା, ସଂବେଦନା ଭଳି ଶବ୍ଦର ପ୍ରୟୋଗ କରିବି । କିନ୍ତୁ ଏଥିରେ ମୋର କିଛି ଦୋଷ ନାହିଁ । କାରଣ ଏଇ ଶବ୍ଦ ଗୁଡ଼ିକ ହିଁ ହେଉଛି ସେଇ ଅନୁଭବ ଯେଉଁଟା ଇଶା ଯୋଗ ଭିତରେ ପଶିଲେ ସବୁ ଭକ୍ତ ଅନୁଭବ କରନ୍ତି ।

୧୫୦ ଏକର ଜମିରେ ତିଆରି ହେଇଥିବା ଇଶା ଯୋଗ ସେଣ୍ଟରର ସୂର୍ଯ୍ୟକୁଣ୍ଡ ଆଉ ଚନ୍ଦ୍ରକୁଣ୍ଡ ପରେ ପରବର୍ତ୍ତୀ ଆକର୍ଷଣ ହେଲେ ମା ଲିଙ୍ଗ ଭୈରବୀ । ସୂର୍ଯ୍ୟକୁଣ୍ଡରୁ ସୁନ୍ଦର ବଗିଚା ଭିତରେ ଚାଲିଚାଲି ପ୍ରାୟ ୧୫୦ ମିଟରପରେ ପଡ଼େ ଆକାରରେ ଛୋଟ କିନ୍ତୁ ଅତ୍ୟନ୍ତ ଶକ୍ତିଶାଳୀ ମା ଲିଙ୍ଗ ଭୈରବୀଙ୍କ ମନ୍ଦିର । ଲିଙ୍ଗ ଭୈରବୀ ଗୋଟିଏ ତନ୍ତ୍ର ପୀଠ ମଧ୍ୟ । କୁହାଯାଏ ମାଙ୍କର ଉର୍ଜା କୁଆଡ଼େ ଏଇ ପୀଠରୁ ଦଶ କିଲୋମିଟର ପର୍ଯ୍ୟନ୍ତ ଗୋଲେଇରେ ଭକ୍ତଙ୍କର ରକ୍ଷା କରେ । ଲିଙ୍ଗ ଭୈରବୀ ମନ୍ଦିରରେ ଡାହାଣ ଗୋଡ଼ ଆଉ ଡାହାଣ ହାତକୁ ବାଁ ପଟକୁ ଭାଙ୍ଗି ଗୋଟିଏ ଅଲଗା ପ୍ରକାରର ମୁଣ୍ଡିଆ ମାରିବାକୁ ପଡ଼େ । ମନ୍ଦିର ସାମ୍ନାରେ ଗୋଟିଏ ପଥର ମୂର୍ତ୍ତିକୁ ଦେଖି ଶିଖିହେବ ସେଇ ମୁଣ୍ଡିଆ ମରିବାର ଶୈଳୀ । ଦିନରେ ୧-୪ ଯାଏଁ ବନ୍ଦ ରହେ ମନ୍ଦିର । ମନ୍ଦିର ସାମ୍ନାରେ ଅଛି ଏକ ବଟ ଗଛ । ବହୁତ କିଛି ଆମ କଳ୍ପବୃକ୍ଷ ଭଳି । ସେଥିରେ ହଳଦିଆ ସୁତା ବାନ୍ଧି ଲୋକେ ନିଜ ମନସ୍କାମନା ଜଣାନ୍ତି ମା’ଙ୍କୁ । ଏଠି ମା ଲିଙ୍ଗ ଭୈରବୀ ହେଉଛନ୍ତି ଦୈବ୍ୟ ମାତୃଶକ୍ତି ରୂପ । ତାଙ୍କର ମୂର୍ତ୍ତି ମତେ ବହୁତ କିଛି ଆମ ତାରିଣୀଙ୍କ ଭଳି ଲାଗେ । ମୁଁ ଜାଣିପାରେ ଭାରତର ଲୋକଙ୍କ ଭଳି ଭାରତର ସବୁଆଡ଼େ ମା ମାନେ ବି ସମାନ । କାରଣ ସେମାନେ ସବୁବେଳେ ବୋଧେ କେବଳ ଗୋଟିଏ ଜିନିଷ ବିଷୟରେ ଚିନ୍ତିତ । ନିଜ ପିଲାଙ୍କ ସୁଖ ଓ ସମୃଦ୍ଧି ପାଇଁ । ସେଇ ମନ୍ଦିରରେ ପଶି ବାହାରକୁ ବାହାରିବା ପର୍ଯ୍ୟନ୍ତ କେମିତି ଏକ ମୋହାଚ୍ଛନ୍ନ ହେଇ ରହିଲା ଭଳି ଲାଗେ । ମା’ ଯେମିତି ନିଜ ରୂପରେ ସମସ୍ତଙ୍କୁ ସମ୍ମୋହିତ କରି ପକଉଛନ୍ତି । କାହିଁକି କେଜାଣି ତାଙ୍କୁ ଦେଖି ଯେତିକି ଭକ୍ତି ଆସେ ସେତିକି ଡର ବି ଲାଗେ । ମନେହୁଏ ମା ଯେମିତି ନିଜ ବଡ଼ବଡ଼ ଆଖିରେ ପଢ଼ି ପକାଉଛନ୍ତି ଆମ ପାପୀ ମନର ଚରମ ଗାଥା ।

ମା ଲିଙ୍ଗ ଭୈରବୀଙ୍କୁ ଦର୍ଶନ କରିବା ପରେ ସେଠିକାର ମୁଖ୍ୟ ଆକର୍ଷଣକୁ ଯାଉ ଆମେ । ସେଇଟା ହେଲା ଧ୍ୟାନଲିଙ୍ଗମ । ସେଠିକି ଯିବା ରାସ୍ତା ଦୁଇକଡ଼ରେ ଜାତିଜାତିକା ଫୁଲଗଛ । ସବୁଆଡ଼େ ସ୍ଵୟଂସେବକ ମାନେ ଶୃଙ୍ଖଳା ରକ୍ଷା କରୁଥାନ୍ତି । ସେ ମଧ୍ୟରୁ ଅନେକ ବିଦେଶୀ । ବୋଧହୁଏ ନିଜ ଲୋକ ନିଜ ଦେଶର ଜ୍ଞାନକୁ ହେୟ ବୋଧ କଲେ ଅନ୍ୟ ଦେଶର ଲୋକ ଆଗେଇ ଆସନ୍ତି ତାକୁ ଆପଣେଇ ନେବାପାଇଁ । ଆମେ ଧ୍ୟାନଲିଙ୍ଗମର ଦ୍ୱାର ଦେଶରେ ପହଞ୍ଚୁ । ଧ୍ୟାନଲିଙ୍ଗମକୁ ପ୍ରବୋଧନ ଆଉ ଆଧ୍ୟାତ୍ମିକ ବିମୁକ୍ତିର ଏକ ମାର୍ଗଦ୍ୱାର କହିଲେ ଅତ୍ୟୁକ୍ତି ହେବନାହିଁ । ଏହା ହେଲା ୧୩ * ୯ ଫୁଟର ଏକ ବହୁତ ବଡ଼ ଶିବଲିଙ୍ଗ ଏବଂ ଏକ ଅତ୍ୟନ୍ତ ଶକ୍ତିଶାଳୀ ଉର୍ଜା କ୍ଷେତ୍ର । ତିନି ବର୍ଷର କଠୋର ଧ୍ୟାନ ପ୍ରକ୍ରିୟାପରେ ସେଇ ଲିଙ୍ଗରେ ପ୍ରାଣ ପ୍ରତିଷ୍ଠା ହେଇଛି ସଦଗୁରୁଙ୍କ ଦ୍ୱାରା । କଥା କହୁଥିବା ଲୋକଙ୍କୁ ଏଇ ଜାଗାରେ ଟିକିଏ କଷ୍ଟ ହେଇପାରେ । କାରଣ ସେଠି କଥା କହିବା ସମ୍ପୂର୍ଣ ମନା । ସେଠିଯାଇ ବାହାରେ ଅପେକ୍ଷା କରିବାକୁ ପଡ଼େ । ପ୍ରତି ପନ୍ଦର-କୋଡ଼ିଏ ମିନିଟରେ ଧ୍ୟାନ କରିବା ପାଇଁ ଭକ୍ତଙ୍କୁ ଛଡ଼ା ହୁଏ ଭିତରକୁ ।

କ୍ଷୀଣ ଆଲୁଅରେର ଏକ ରହସ୍ୟମୟ ଜାଗା ସେଇ ସ୍ଥାନ । ଭିତରକୁ ପଶିଗଲେ ହିଁ ଜଣେ ଶିହରଣ ଅନୁଭବ କରିପାରିବ ଗୋଡ଼ଠୁ ମୁଣ୍ଡଯାଏଁ । କୁହନ୍ତି ସେଇଠି ଆମର ସାତୋଟି ଚକ୍ର ଖୋଲିଯାଏ । ଆଉ ଥରେ ଥରେ ସେଇ ପ୍ରକ୍ରିୟାକୁ ତୀବ୍ର କରିବା ପାଇଁ ବଂଶୀ ଆଉ ମୃଦଙ୍ଗବାଦନ ବି ହୁଏ । ସେଇଠି ସମସ୍ତେ ଲିଙ୍ଗ ଚାରିପଟେ ଗୋଲେଇ ହେଇ ଧ୍ୟାନରେ ବସନ୍ତି ପନ୍ଦର ମିନିଟ ପାଇଁ । ଇଛା ହେଲେ ଅଧିକ ସମୟ ମଧ୍ୟ ବସିହେବ । ସବା ଶେଷକୁ କାନ୍ଥକୁ ଲାଗି ଗୁମ୍ଫା ଭଳି ଖୋପ ତିଆରି ହେଇଚି ଧ୍ୟାନ କରିବାକୁ । ଭଗବାନଙ୍କ ଦୟାରୁ ସେଇ ଖୋପରୁ ସବୁବେଳେ ଆମକୁ ମିଳିଯାଏ ଧ୍ୟାନ ପାଇଁ । ପନ୍ଦର ମିନିଟ ସମୟ ପନ୍ଦର ସେକେଣ୍ଡ ଭଳି ପାର ହେଇଯାଏ । ସେଇ ଗଭୀର ନୀରବତାରେ ମୁଁ ବୁଝିପାରେ ଯେ ଯେଉଁ ଶାନ୍ତି ପାଇଁ ଆମେ ସାରା ଦୁନିଆ ଖୋଜୁ ବୁଲୁଛୁ ସେଇଟା ଆଉ କୋଉଠି ନାହିଁ । ଅଛି ଆମ ଭିତରେ । ଆଉ ତାକୁ ପାଇବାକୁ ହେଲେ କୁଆଡ଼େ ଯିବାକୁ ହବନି । ଖାଲି ହଜି ଯିବାକୁ ପଡ଼ିବ ନିଜ ଭିତରେ ।

ଧ୍ୟାନଲିଙ୍ଗମରୁ ବାହାରକୁ ଆସିବା ପରେ ଆମେ ସେଠିକା ଭୋଜନାଳୟରେ କିଛି ଖାଉ । ସେଠି ବହୁ ପ୍ରକାରର ନିରାମିଷ ତଥା ସ୍ୱାସ୍ଥ୍ୟକର ଖାଇବା ଜିନିଷ ମିଳେ । ପୋଙ୍ଗଲ, ଖେଚୁଡ଼ି, ସାଉଥ ଥାଳି, ଫଳ ସାଲାଡ, ପଇଡ଼ ପାଣି ଆଉ ଲେମ୍ବୁ ପାଣି ବି ମିଳେ । ପାଖ ଦୋକାନରେ ଇଶା ଯୋଗରେ ତିଆରି ହେଉଥିବା ବିଭିନ୍ନ ପ୍ରକାର ଆୟୁର୍ବେଦିକ ଔଷଧ ମିଳେ ଆଉ ତା ପାଖ ଦୋକାନରେ ସେଠି ତିଆରି ହେଉଥିବା ଲୁଗାପଟା, ବ୍ୟାଗ, ଚପଲ ଆଉ ଘରସଜା ସାମଗ୍ରୀ । ଏଇଟା ସତ ଯେ ସେଇ ସବୁ ଜିନିଷର ଦାମ ଟିକିଏ ଅଧିକ ଲାଗେ । ତେବେ ତାଙ୍କର ପ୍ରକୃତ ଗରାଖ ହେଲେ ବିଦେଶୀମାନେ । ଭାରତୀୟମାନେ ସେଠୁ କମ ହିଁ କିଣନ୍ତି ଜିନିଷ । ତେଣୁ ପଇସା ଅଧିକ ହେଲେ ବି ବିଦେଶୀଙ୍କ କିଛି ଅସୁବିଧା ନାହିଁ ।

ସେଠୁ ବୁଲି ସାରିଲା ପରେ ସେଠିକାର ଶେଷ ଆକର୍ଷଣକୁ ଯାଉ ଆମେ । ସେ ହେଲା ଆଦି ଯୋଗୀଙ୍କର ବିଶାଳ ପ୍ରତିମୂର୍ତ୍ତି । ଆଦି ଯୋଗୀଙ୍କର ଏଇ ପ୍ରତିମୂର୍ତ୍ତି ନୂଆ ହେଇ ପ୍ରତିଷ୍ଠା ହେଇଛି । ୨୪ ଫେବୃଆରୀ ୨୦୧୭ରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପବିତ୍ର ଶିବରାତ୍ରି ଅବସରରେ ଏହାକୁ ଉନ୍ମୋଚନ କରିଥିଲେ । ଆଦି ଯୋଗୀ ମୂର୍ତ୍ତିର ଉଚ୍ଚତା ୧୧୨ ଫୁଟ ଆଉ ଏହା ୧୧୨ ଗୋଟି ଯୋଗମୁଦ୍ରାର ପ୍ରତୀକ । ଆଦି ଯୋଗୀଙ୍କର ଏଇ ପ୍ରତିମାର ଉଚ୍ଚତା ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛି । ସେଠିକି ଯିବା ମୋର ସବୁଠୁ ପ୍ରିୟ କାରଣ ସେଠିକି ବଳଦ ଗାଡ଼ିରେ ଯିବାକୁ ହୁଏ । ପାହାଡ଼ ତଳେ ସୁନ୍ଦର ବନରାଜି ଭିତରେ ଶଗଡ଼ରେ ଯିବାର ମଜା ବୋଧହୁଏ ଭାରତ ଆଉ କେଉଁ ଜାଗାରେ ଆଜିକା ଦିନରେ ମିଳିନପାରେ । ସେଠିକି ପହଞ୍ଚିବାକୁ ଆଉ ଦଶ ମିନିଟ ଲାଗେ । ନୀଳ ଆକାଶର ଖୋଲା ମଞ୍ଚରେ ଆଦିମ ଯୋଗର ପ୍ରତିଷ୍ଠାତା ଆଦି ଯୋଗୀଙ୍କର ସେଇ ସୌମ୍ୟ ଶାନ୍ତ ସୁନ୍ଦର ମୁଖମଣ୍ଡଳୀକୁ ଦେଖିଦେଲେ ଲାଗେ ଯେମିତି ଜନ୍ମ ଜନ୍ମାନ୍ତରର ଦୁଃଖକଷ୍ଟରୁ ମୁକ୍ତି ମିଳିଯାଇଛି । ମୁଁ ଯେମିତି ନିଜକୁ ହରେଇ ଦଉଛି । ଆଉ ତାଙ୍କ ଭିତରେ ମିଶିଯାଉଛି ।

ଇଶା ଯୋଗରୁ ଫେରିଲା ବେଳକୁ ସବୁବେଳେ ଏକ ନୂଆ ଉଦ୍ଦୀପନାର ଅନୁଭବ ହୁଏ ମନ ଭିତରେ । ଯେମିତି କିଛି ଗୋଟିଏ ବଦଳି ଯାଇଛି ମୋ ଭିତରେ । କିଛି ମରିଯାଇ କିଛି ଗୋଟିଏ ପୁଣି ନୂଆ ହେଇ ଜନ୍ମ ହେଇଛି । ନିଜକୁ ଯେମିତି ପୁଣିଥରେ ନୂଆ କରି ଚିହ୍ନଛି ମୁଁ । ଇଶା ଯୋଗରୁ ଆସିଲା ବେଳେ ମୁଁ ଥରେ ଫେରିକି ଚାହେଁ । ତେବେ ମତେ ଉଦାସ ଲାଗେନି । ମୁଁ ତାକୁ ବିଦାୟ ଜଣାଏନି । କାରଣ ମନର କୋଉ ଗୋଟିଏ କୋଣରେ ମୁଁ ଠିକ ଜାଣିଥାଏ ମୁଁ ପୁଣିଥରେ ଫେରିବି ଏଇ ଜାଗାକୁ । ଖୁବ ଶୀଘ୍ର । ନିଜକୁ ଟିକିଏ ହଜେଇବା ପାଇଁ ଆଉ ନିଜକୁ ଟିକିଏ ଫେରି ପାଇବା ପାଇଁ ।

ଡ. ସୁଲଗ୍ନା ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ସୁଲଗ୍ନା ମହାନ୍ତି, ପେଶାରେ ଜଣେ ଇଂରାଜୀ ଅଧ୍ୟାପିକା । ମାତ୍ର ଓଡ଼ିଆ ଗଳ୍ପ ରଚନାରେ ସେ ବେଶ୍ ପରିଚିତା । ତାଙ୍କର ପ୍ରଥମ ଗଳ୍ପ ସଂକଳନ ନାଲି ଚୁଡ଼ାର ଅଭୁତପୂର୍ବ ସଫଳତା ପରେ ପ୍ରଥମ ଉପନ୍ୟାସ ଆନିର ରୋଷେଇ ଘର ପ୍ରକାଶ ପାଇଥିଲା ।