You are currently viewing ସୁଲଗ୍ନା ମହାନ୍ତିଙ୍କ ସ‌ହ ସାକ୍ଷାତକାର
ସୁଲଗ୍ନା ମହାନ୍ତିଙ୍କ ସ‌ହ ସାକ୍ଷାତକାର

ସୁଲଗ୍ନା ମହାନ୍ତିଙ୍କ ସ‌ହ ସାକ୍ଷାତକାର

ନମସ୍କାର ମାଡାମ ! ନାଲିଚୁଡ଼ା ବହିର ସଫଳତା ପାଇଁ ଆପଣଙ୍କୁ ବହୁତ ଅଭିନନ୍ଦନ ! ନବପଲ୍ଲବର ପାଠକ ପାଠିକାମାନଙ୍କ ପ୍ରତିନିଧି ହିସାବରେ କିଛି ପ୍ରଶ୍ନ ପଚାରିବି । ମୁଣ୍ଡରେ ହାତ ରଖି କୁହନ୍ତୁ ସତ କହିବେ । (ମୋର ନୁହେଁ ଆପଣ ନିଜ ମୁଣ୍ଡରେ ହାତ ରଖି କହିବେ ।)

ପ୍ରଶ୍ନ୧: ଓଡ଼ିଆ ଲୋକ ଆଈମା କାହାଣୀ କଥା ଭୁଲି ଯାଇଥିଲେ । ଆପଣ ଆସିବା ପରେ ଆଶାର ମହମବତୀ ଜଳି ଉଠିଲା ବୋଲି କୁହାଯାଉଛି । ଏ ବିଷୟରେ ଆପଣ କ’ଣ କହିବେ?

ଉତ୍ତର: ଧନ୍ୟବାଦ କୁଷୁ ବାବୁ । ଗୋଟେ ହାତ ମୋ ମୁଣ୍ଡରେ ଆଉ ଆର ହାତଟି ତୁମ ମୁଣ୍ଡ ଉପରେ ରଖି କହୁଛି ଯାହା କହିବି ସତ କହିବି । ସତ ଛଡ଼ା ଆଉ କିଛି କହିବିନି । ଯଦି କିଛି ଖରାପ ହେଲା ଆମ ଦୁଇ ଜଣଙ୍କର ହବ ।

ଏବେ ଆସିବା ତୁମ କୁଶ୍ଚିନ ଉପରକୁ । ଏଇ ଯୋଉ ଆଈମା କାହାଣୀ କଥା ପଚାରିଲ, ସତ କହିବାକୁ ଗଲେ ଆମେ କେବେ ହେଲେ ସେଇ ଆଈମା ଗପ ଗୁଡ଼ିକୁ ଭୁଲିନୁ । ସେଗୁଡ଼ା ଆମ ଘର ସଂସାର, ତେଲ ଲୁଣ, ଲୋନ, ପ୍ରୋଜେକ୍ଟ, ଡେଡ ଲାଇନ, ଇଏମଆଇର ଓଜନିଆ ପଥର ତଳେ ଦବିକି ରହିଥାଏ । ଆଉ ଟିକିଏ କଳଙ୍କି ବି ଲାଗି ଯାଇଥାଏ ତା’ ଉପରେ । ବୋଧେ ମୋ ଗପଗୁଡ଼ା ସେଇ କଳଙ୍କି ସଫା କରି ଦେଇଥିବ ।

ଆଉ ଯୋଉ ଆଶାର ମହମବତୀ କଥା କହିଲ ସେଇ ବିଷୟରେ କହିବି ଏମିତି ଗପ ଲେଖିବାରେ ଓଡ଼ିଶାରେ ମୁଁ ପ୍ରଥମ ନୁହେଁ । ବହୁତ ଲୋକ ଲେଖୁଛନ୍ତି ଆଉ ବଢ଼ିଆ ବି ଲେଖୁଛନ୍ତି । ତେବେ ସେମାନେ ବୋଧହୁଏ କାନ୍ଥରେ ରଖା ଯାଉଥିବା ବହିରେ ବେଶୀ ବିଶ୍ୱାସ ରଖନ୍ତି, ଫେସବୁକ କାନ୍ଥରେ ନୁହେଁ । ସୋସିଆଲ ମିଡ଼ିଆରେ ଆସିଲେ ସେହି ଗପଗୁଡ଼ିକ ବି ବହୁତ ଲୋକପ୍ରିୟ ହେବ ବୋଲି ମୋର ବିଶ୍ୱାସ ।

ପ୍ରଶ୍ନ-୨: ଆପଣଙ୍କ ଗପ ଗୁଡ଼ିକ ପଢ଼ିଲେ ଲାଗେ ସତେ ଯେମିତି ସେଇ ଘଟଣାସବୁ ଆମ ଆଖପାଖରେ ଘଟୁଛି । ଯୋଉମାନଙ୍କ ବିଷୟରେ ଆପଣ ଏସବୁ ଗପ ଲେଖିଛନ୍ତି, ସେମାନେ ଆପଣଙ୍କ ଲେଖା ପଢ଼ି କେବେ ସେଥିପାଇଁ royalty ମାଗି ନାହାନ୍ତି?

ଉତ୍ତର (ସ୍ମିତ ହସି): ମତେ ମାଡ଼ ଖୁଆଇବା ପାଇଁ ଆଜି ପୁରା ପ୍ରସ୍ତୁତି କରିକି ଆସିଛ ବୋଧେ । ବହୁତ ଲୋକ କହିଛନ୍ତି ଯେ ମୋ ଗପର ଚରିତ୍ରମାନେ କୁଆଡ଼େ ତାଙ୍କର ଚାରିକଡ଼େ ବୁଲୁଥିଲା ଭଳି ତାଙ୍କୁ ଲାଗେ । ହୁଏତ ସତ ହେଇପାରେ କାରଣ ମୁଁ ଯାହା ଦେଖେ ସେଇଆ ଲେଖେ । ଯେମିତି ଲୋକଙ୍କ ସାଙ୍ଗେ କଥା କହେ ସେଇ ଶବ୍ଦ ସବୁକୁ ହିଁ କାଗଜରେ ଗାରେଇ ଦିଏ କାରଣ ମୁଁ ଅଳଙ୍କାର ପ୍ରିୟ ନୁହେଁ । ଏଠି ଅଳଙ୍କାର ମାନେ ଉଭୟ ସୁନାର ଅଳଙ୍କାର ଆଉ ଗପର ଭାଷାରେ ଅଳଙ୍କାରକୁ ବୁଝାଏ ।

ତେବେ ଯେଉଁ ରୟାଲଟି କଥାଟି କହିଲ ସେଇଟା ଗୋଟିଏ ବିବାଦୀୟ ବିଷୟ । ଦେଖ ଯଦି ଆମେ ଗୋଟିଏ ଗପର ସକାରାତ୍ମକ ଆଉ ନକରାତ୍ମକ ଅଭିବ୍ୟକ୍ତି କଥା ଚିନ୍ତା କରିବା, ତା’ହେଲେ ଯେଉଁ ଲୋକମାନେ ମତେ ଭଲ ଦିଗ ବା ଗୁଣଟା ଦେଖେଇଛନ୍ତି ସେମାନେ ଖୁସି ହେବେ । କାରଣ ଗପର ଚରିତ୍ରରେ ସେ ସବୁଦିନ ପାଇଁ ଜୀବନ୍ତ ହେଇ ରହିଗଲେ । ସେଇଟା ସେମାନଙ୍କ ପାଇଁ ରୟାଲଟି । ଆଉ ଯାହା ଉପରେ ନକରାତ୍ମକ ଦିଗଟି ଆଧାରିତ ସିଏ କେବେ ମତେ ରୟାଲଟି ମାଗିବେନି, କାରଣ ମାଗିଲେ ସମସ୍ତେ ଜାଣିଯିବେ ସେଇ ଚରିତ୍ରଟି ସିଏ । ସେଥିପାଇଁ ଚୋର ମା ଯେବେ କାନ୍ଦିବ କବାଟ କିଳି କାନ୍ଦିବ । ତେବେ ପୁଅର ଚୋରୀ କରିବା ବନ୍ଦ କରେଇପାରିଲେ ହୁଏତ ରୟାଲଟି କଥା ମୁଁ ଭାବିପାରେ ।

ପ୍ରଶ୍ନ-୩: ଆପଣଙ୍କ ନାଁରେ ଗୋଟେ ଅଭିଯୋଗ ଅଛି । ଆପଣ କୁଆଡ଼େ ଟୁଇଟରିଆଙ୍କ ସାଙ୍ଗରେ ବୈମାତୃକ ବ୍ୟବହାର କରନ୍ତି, ଫେସବୁକିଆଙ୍କ ଅପେକ୍ଷା । କେତେ ଦୂର ସତ ଏକଥା?

ଉତ୍ତର: ଦେଖ ଯୋଉ ହୋଟେଲରେ ଖାଲି ଭାତ ଡାଲି ତରକାରୀ ମିଳୁଛି, ତମେ ସେଇଠି ଖାଇବ ନା ଯୋଉ ହୋଟେଲରେ ଭାତ ଡାଲି ତରକାରୀ ଭଜା ଖଟା ଖିରି ପାମ୍ପଡ଼ ଆଉ ଆଚାର ମିଳୁଛି ସେଇଠି ଖାଇବ? ଟ୍ୱିଟର ମତେ କହିବ ୨୮୦ ଶବ୍ଦରେ ଯାହା କହିବୁ କହ ନହେଲେ ଘରକୁ ଯା । ଆରେ ଭାଇ ମୁଁ ଗପ ଲେଖେ । ତା’ ଉପରେ ପୁଣି ମାଷ୍ଟ୍ରିଆ ଲୋକ ! ଗପିବା ଆମର ଜନ୍ମସିଦ୍ଧ ଅଧିକାର । ଆଉ ଟ୍ୱିଟର ଏମିତି ମୋ ପାଟିରେ କନା ବିଣ୍ଡିଦେଲେ ଚଳିବ? ଆଉ ସେପଟ ଫେସବୁକ ମୋତେ କହୁଛି, “ଆ ଲୋ ଗପୁଡ଼ି ! ଦ ଷ୍ଟେଜ୍ ଇଜ୍ ଅଲ୍ ୟୌର୍ସ ! କେତେ ହେଁହେଁ ଫେଁଫେଁ ହବୁ ହୁଅ ଏଇଠି !”

ସେଥିପାଇଁ ଟ୍ୱିଟରଠୁ ମୁଁ ଫେସବୁକକୁ ଟିକିଏ ଅଧିକା ଯାଏ । ହେଲେ ତା’ ମାନେ ନୁହେଁ ଯେ ଟ୍ୱିଟର ମୋର ସାବତ ପୁଅ । ଦେଖିନ କି ସେ “କେବେ ହସ କେବେ ଲୁହ” ଫିଲିମରେ ଜୟା ଭାଦୁଡ଼ି କେମିତି ସାବତ ପୁଅ ସାରୁ ଖାଁକୁ ବେଶୀ ଗେଲା କରୁଥିଲା ହୀରତିକଠାରୁ?

ପ୍ରଶ୍ନ-୪: ଏହି ପ୍ରଶ୍ନଟି ଆପଣଙ୍କର ବହୁ ଚର୍ଚ୍ଚିତ ବହି ନାଲିଚୁଡ଼ା ଉପରେ । ଆପଣ ବହୁତ ଗୁଡ଼ିଏ ସୁନ୍ଦର ଗପ ଲେଖିଥିଲେ ସୁଦ୍ଧା ବହିର ନାଁ ନାଲିଚୁଡ଼ା କାହିଁକି ରଖିଲେ?

ଉତ୍ତର: ମୁଁ ଟିକିଏ ଓଲଟା ମାଟିରେ ଗଢ଼ା । ମତେ ଯିଏ ଯାହା କହେ ମୁଁ ତା’ର ଓଲଟା କାମ କରେ । ନାଲିଚୁଡ଼ା ନାଁ ଶୁଣି ବହୁତ ଲୋକ କହିଲେ, “ଏହେ, ଇଏ ଗୋଟିଏ କି ନାଁ? ବହିର ଶୀର୍ଷକ ଭଳି ଲାଗୁନି ଏଇଟା । ଲୋକେ ପଚାରିବେନି ବହିର ଦାମ କେତେ, ବରଂ ପଚାରିବେ ନାଲିଚୁଡ଼ା କେଜି କେତେ !” ଆଉ ସେତିକିବେଳେ ମୁଁ ନିଷ୍ପତ୍ତି ନେଇଗଲି ମୋ ବହିର ନାଁ ଯଦି କିଛି ରହିବ ତା’ହେଲେ ସେଇଟା ହେଲା ନାଲିଚୁଡ଼ା ।

ଯଦି ଲୋକ ଭାବୁଛନ୍ତି ଯେ ମୋ ଗପ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର କଥା କୁହେ ତା’ହେଲେ ମୋ ଗପବହିର ନା ଓଡ଼ିଶାର ପାରମ୍ପରିକ ଖାଦ୍ୟ ନାଲିଚୁଡ଼ା ଛଡ଼ା ଆଉ କ’ଣ ହେଇପାରେ?? ଭାବିଲି ବ୍ରେଡ ବଟର ଏବଂ କର୍ଣଫ୍ଲେକ୍ସ ଯୁଗର ଲୋକ ଟିକିଏ ନାଲିଚୁଡ଼ାକୁ ଚିହ୍ନନ୍ତୁ । ସେଥିରେ ଦହି ଚିନି କଦଳୀ ରସଗୋଲା ନଡ଼ିଆ କୋରା ଟିକିଏ ଚକଟନ୍ତୁ । ଦେଖନ୍ତୁ କେମିତି ଲାଗୁଛି !

ଆଉ ଯେଉଁମାନେ ବହିର ନାଁ ଆଉ ମଲାଟ ଦେଖି ବହିକୁ ଜଜ କରନ୍ତି ସେଇ ସୁପ୍ରିମ କୋର୍ଟ ନ୍ୟାୟାଧୀଶ ମାନେ ମୋ ବହିକୁ ନ ପଢ଼ିଲେ ବରଂ ଭଲ ବୋଲି ମୋର ମତ । (ଟିକେ ହାର୍ଡ ହେଇଗଲା ଯଦି କ୍ଷମା ଚାହୁଁଛି!) ।

ପ୍ରଶ୍ନ-୫: ଆଉ ଗୋଟିଏ ଅଭିଯୋଗ ଆସିଛି । ଆପଣ କୁଆଡ଼େ ଲୋକଙ୍କୁ କ୍ଷୁଦ୍ରଗଳ୍ପ ଲେଖିବାର ବେମାର ଲଗେଇ ଦେଇ ଚମ୍ପଟ ମାରିଦେଲେ । ଏ ବିଷୟରେ ଆପଣ କ’ଣ କହିବେ?

ଉତ୍ତର: ହାହା ! ବେମାର ଲଗେଇ ଦେଇ ଭୁତାଣୁମାନେ ଆଉ କ’ଣ ସେଇଠି ରହନ୍ତି? ବିରୁଡ଼ି ବି ଖୁମ୍ପି ଦେଇ ଉଡ଼ିଯାଏ ଆଉ ସାପ କାମୁଡ଼ି ଦେଇ ଗାତରେ ପଶିଯାଏ । ସେଇ ଜାଗାରେ ରହିଲେ ଛେଚା ଖାଇବେନି? ସେଇଥିପାଇଁ ମୁଁ ବି ଦେଖା ଦଉନି ।

ତେବେ ସତ କହିବାକୁ ଗଲେ ମୁଁ କେବେ ଚମ୍ପଟ ମାରିନାହିଁ । ଯୋଉଠି ଥିଲି ଏବେ ବି ସେଇଠି ଅଛି । ପେଟ ପାଟଣା ପାଇଁ ଟିକିଏ ବ୍ୟସ୍ତ ରହେ । ତା’ଛଡ଼ା ମୋ ପାଠକ ପାଠିକାଙ୍କ ପାଇଁ ଖୁବ୍ ଶୀଘ୍ର ନୂଆ କିଛି ନେଇକି ଆସୁଛି । ଚେଷ୍ଟା କରୁଛି ଉପହାରଟି କେମିତି ଅଧିକରୁ ଅଧିକ ସୁନ୍ଦର ହବ । ସେଇଥିରେ ସମୟ ସବୁ ଚାଲି ଯାଉଛି । ଆଶା କରୁଛି ଉପହାରଟି ଭଲ ଲାଗିଲେ ମୋର ସବୁ ଦୋଷ କ୍ଷମା ହବ ।

ପ୍ରଶ୍ନ-୬: ଆପଣ କୁଆଡ଼େ ଖାଲି ବଛା ବଛା ଲୋକଙ୍କୁ ହିଁ ନିଜ ବହିରେ ଦସ୍ତଖତ କରି ଦେଲେ । ମୁଖ୍ୟତଃ ଟୁଇଟର/ଫେସବୁକ ସେଲିବ୍ରିଟି ମାନଙ୍କୁ । ଅନ୍ୟମାନେ କ’ଣ ପାପ କଲୁ?

ଉତ୍ତର: ଶୁଣିନ କି ଶୋଇଲା ପୁଅର ଭାଗ ନାହିଁ? ଯୋଉ ଲୋକମାନେ ନାଲିଚୁଡ଼ାରେ ମୋ ଦସ୍ତଖତ ପାଇଛନ୍ତି ସେମାନେ ବଛାବଛା ଲୋକ କି ସେଲିବ୍ରିଟି ନୁହନ୍ତି । ବରଂ ସେମାନେ ହେଲେ ଆକ୍ଟିଭ ଲୋକ । ଯୋଉ ‘ଶୀଘ୍ର ପକ୍ଷୀ’ ମାନେ ଆର୍ଲି ବାର୍ଡ଼ ଜଲଦି ଜଲଦି ବହି ଅର୍ଡର କରିଥିଲେ ତାଙ୍କୁ ମୋ ଦସ୍ତଖତ ମିଳିଛି । କିନ୍ତୁ ଯେଉଁମାନେ ଟିକିଏ ଅଳସୁଆ ହେଇ ଶୋଇଉଠି ଧୀରେ ସୁସ୍ତେ ବହି ଅର୍ଡର କଲେ ତାଙ୍କୁ ମୋ ଦସ୍ତଖତ ମିଳି ପାରିନି । ସେଥିପାଇଁ ମୁଁ ଦୁଃଖିତ ଅବଶ୍ୟ । ଟେକନିକାଲ ଅସୁବିଧା ଯୋଗୁଁ ଚାହିଁଲେ ସୁଦ୍ଧା ଆଉ କୌଣସି ନୂଆ ବହିରେ ଦସ୍ତଖତ କରି ପାରିଲିନି । ତେବେ ଚେଷ୍ଟା କରୁଛି ମୋର ଆଗାମୀ ବହି ଯଦି ବାହାରେ ତାହେଲେ ସେଇ ବହି ସାଙ୍ଗକୁ ସମସ୍ତ ପାଠକ/ପାଠିକାଙ୍କୁ ମୋ ଦସ୍ତଖତଟିଏ ବି ଯେମିତି ଉପହାର ଦେଇପାରିବି ।

(ବି.ଦ୍ର.: ଏଇ ସାକ୍ଷାତକାରଟି ମୁଁ ଓଡ଼ିଆ ଆଉ ଓଡ଼ିଶାକୁ ହୃଦୟରୁ ଭଲ ପାଉଥିବା ସ୍ୱର୍ଗତ ଅଖିଳ ନାରାୟଣ ଦାସ ଓରଫ ରସଗୋଲା ଭାଇଙ୍କୁ ଉତ୍ସର୍ଗ କରିବି ଯିଏ ନାଲିଚୁଡ଼ା ବହି ଡାକରେ ପାଇ ମତେ ତତକ୍ଷଣାତ ଫୋନ କରି ଜଣେଇଥିଲେ ଆଉ ପରେ ବହିଟିକୁ ସାରି ନିଜର ମୂଲ୍ୟବାନ ସମୟ ଦେଇ ଫୋନରେ ମୋର ସବୁ ଗପର ବିଶ୍ଳେଷଣ କରିଥିଲେ । ଭାଇ, ଆପଣଙ୍କର ଅଭାବ ସବୁବେଳେ ଅନୁଭୂତ ହବ ।)

ଅକାଳ: ଧନ୍ୟବାଦ ମାଡାମ ! ସବୁତକ କୁଷ୍ମାଣ୍ଡିଆ କୁଶ୍ଚେନର ଧୈର୍ଯ୍ୟର ସହ ଉତ୍ତର ଦେଇ ଥିବାରୁ ! ଆପଣଙ୍କ ଆଗାମୀ ବହିପାଇଁ ଶୁଭକାମନା ! ନାଲିଚୁଡ଼ା ଭଳି ଆପଣଙ୍କ ସବୁ ବହିର ଚାହିଦା ରହୁ ପାଠକ ପାଠିକାମାନଙ୍କ ପାଖରେ ।

ବିଶେଷ କରି ଶେଷରେ ସ୍ୱର୍ଗୀୟ ଅଖିଳ ଭାଇଙ୍କୁ ମନେ ପକେଇ ଆମ ସମସ୍ତଙ୍କୁ ଭାବପ୍ରବଣ କରିଦେଲେ । ଅଖିଳ ଭାଇଙ୍କ ସ୍ମୃତି ଆମ ସମସ୍ତଙ୍କ ମାନସପଟରେ ସବୁଦିନ ପାଇଁ ରହିବ । ସେ ଯେଉଁଠି ଥାଆନ୍ତୁ ସୁଖରେ ରୁହନ୍ତୁ ଏଇୟା କାମନା କରିବୁ । ନମସ୍କାର !

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅକାଳ କୁଷ୍ମାଣ୍ଡ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ମୁଖ୍ୟତଃ ସର୍ବସାଧାରଣରେ ଘଟୁଥିବା ଘଟଣା ସହତ ଜଡ଼ିତ ଥାଏ । ତାଙ୍କ ସମସ୍ତ ରଚନାଗୁଡ଼ିକ ଅନେକ ପାଠକୀୟ ଆଦୃତି ଲାଭ କରିଛି ।