ଆଇ ହାଭ ବିନ ଟୁ ଲଣ୍ଡନ୍ ଟୁ ଲୁକ୍ ଆଟ୍ ଦି କୁଇନ୍…
ଆଇ ହାଭ ବିନ ଟୁ ଲଣ୍ଡନ୍….

ଆଇ ହାଭ ବିନ ଟୁ ଲଣ୍ଡନ୍ ଟୁ ଲୁକ୍ ଆଟ୍ ଦି କୁଇନ୍…

ଚାଟଶାଳୀରେ ବସି ପଣିକିଆ ଘୋଷୁଥିବା ବୟସରେ ହାତରେ କିଏ ଧରାଇଦେଇଥିଲା ନର୍ସରୀ ରାଇମ୍ ବହିଟିଏ । ଗୀତଗୁଡ଼ିକ ମଧ୍ୟରେ ସୁପ୍ରସିଦ୍ଧ ଶିଶୁ ଗୀତିକା “ପୁଷି କ୍ୟାଟ୍” ମୋର ସବୁଠାରୁ ପ୍ରିୟ ଥିଲା । ଗୀତଟିର ସାର ହେଲା ଏକ ବିଲେଇ ବିଲାତ ଭ୍ରମଣରେ ଯାଇ ସେଠି ରାଣୀଙ୍କ ଆସନ ତଳେ ଲୁଚିଥିବା କୁନି ମୂଷାଟିକୁ କିପରି ଡରାଇ ଦେଇଛି । ମୁଁ ସବୁବେଳେ କଳ୍ପନା କରୁଥାଏ ସତରେ ମୁଁ କେବେ ସ୍ଵଚକ୍ଷୁରେ ଦେଖି ପାରିବି ଇଂଲଣ୍ଡ ରାଣୀ ଏଲିଜେବେଥଙ୍କୁ । କଥା ରେ ଅଛି ନା, “ଏ ମନ ଭାବୁଥାଏ ଯାହା କାଳେ ପ୍ରାପ୍ତ ହୁଏ ତାହା ।” ୨୦୧୬ ମସିହାରେ ମୋତେ ମଧ୍ୟ ସୁଯୋଗ ମିଳିଥିଲା ସୁଦୂର ଇଂଲଣ୍ଡ ଏବଂ ସ୍କଟ୍‌ଲାଣ୍ଡ ଯାତ୍ରା କରିବା ପାଇଁ । ମୋର ପିଏଚଡ଼ି ଶେଷ ବର୍ଷ ବିଶ୍ୱପ୍ରସିଦ୍ଧ ଇଉନିଭର୍ସିଟି ଅଫ୍ ଲଣ୍ଡନ୍‌ରେ ଅନୁଷ୍ଠିତ ହେଉଥିବା ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ମୋ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନା କରିବା ଲାଗି ଯୋଗ୍ୟ ବିବେଚିତ ହେଲା ।

ମୁଁ ଓଡ଼ିଶା ଛାଡ଼ିବା ବେଳେ ତାହା ଥିଲା ମାର୍ଚ୍ଚ ମାସ, ଦୋଳ ପୁର୍ଣିମା ସମୟ । ସ୍କଟ୍‌ଲାଣ୍ଡର ଏଡିନବରାରେ (Edinburgh) ସେତେବେଳେ ବସନ୍ତ ଋତୁର ପ୍ରାରମ୍ଭିକ ସମୟ, କିନ୍ତୁ କାହିଁ ଆମ ମୌସୁମୀ ଜଳବାୟୁର ୪୦ ଡିଗ୍ରୀ ଆଉ ସେଠି ୪ ଡିଗ୍ରୀ । ସମ୍ମିଳନୀ ଥିଲା ଅପ୍ରେଲ ମାସର ପ୍ରଥମ ସପ୍ତାହରେ । ଏକ କୁହୁଡ଼ିଭରା ସକାଳୁ ଆମେ ବାହାରିଗଲୁ ୱେଭର୍ଲି (Waverley) ଷ୍ଟେସନ ଅଭିମୁଖେ । ଇଷ୍ଟ୍‌କୋଷ୍ଟ୍ ଲୋଥିଆନ (East coast Lothian) ରେଳସେବା ଦ୍ୱାରା ପରିଚାଳିତ ଭର୍ଜିନ୍ ଟ୍ରେନ୍ ମାଧ୍ୟମରେ ବୁକିଂ ହୋଇଥିବା ଟ୍ରେନ୍‌ଟି ସତେ ଯେପରି ଆମକୁ ଅପେକ୍ଷା କରି ବସିଥିଲା । ନିର୍ଦ୍ଧିଷ୍ଟ ବଗିଟି ଖୋଜି ସଂରକ୍ଷିତ ସିଟ୍‌ଟି ପାଖକୁ ଗଲାବେଳେ ମୁଁ ଅବାକ ହୋଇଗଲି ଟ୍ରେନ୍‌ର ଆଭ୍ୟନ୍ତରୀଣ ସଜ୍ଜସଜ୍ଜା ଦେଖି । ସତେ ଯେପରି ଏକ ବିଳାସପୂର୍ଣ୍ଣ ରେସ୍ତୋରାଁ । ମୁହାଁମୁହିଁ ହୋଇ ରହିଥିବା ଦୁଇଟି ସିଟ୍ ମଝିରେ ଗୋଟିଏ ଟେବୁଲ ଏବଂ ତା’ ମଧ୍ୟରେ କଫି କପ୍, ଚିନି ଇତ୍ୟାଦି ସଜାଇ ହୋଇ ରହିଥାଏ । ଘୋଷଣା ସହ ଟ୍ରେନଟି ଗତିଶୀଳ ହେଲା । ପରେ ପରେ ରେଳ ପରିଚାରିକାମାନେ ଖାଦ୍ୟ ତାଲିକାଟିଏ ବଢ଼ାଇଦେଲେ । ସାଣ୍ଡଉଇଚ୍, ଲସାନା (Lasagne), ସୁବାସିତ ମିଠା ଦହି (yoghurt), କଫି, ବିସ୍କୁଟ୍, ଥଣ୍ଡା ପାନୀୟ, ଜୁସ୍, ବିଅର୍ ଇତ୍ୟାଦି ଯିଏ ଯାହାର ଆବଶ୍ୟକ ଅନୁସାରେ ମଗାଇ ପାରିବ ଏବଂ ମାଗଣା ୱାଇ-ଫାଇ ସେବାର ବି ଆନନ୍ଦ ଉଠାଇ ପାରିବ ।

ମୁଁ ଝରକା କଡ଼ ସିଟ୍‌ଟି ଅକ୍ତିଆର କରି ମଜ୍ଜି ଯାଇଥିଲି ବାହାରର ସବୁଜ ବନାନୀକୁ ଦେଖିବାରେ । ରାସ୍ତାସାରା ସବୁଜ ଘାସର ପଡ଼ିଆ, ରଙ୍ଗ ବିରଙ୍ଗୀ ଫୁଲର ଆସ୍ଥରଣ, ପାହାଡ଼, ହ୍ରଦର ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା । ସବୁଜ ରଙ୍ଗର ପଡ଼ିଆଗୁଡ଼ିକ ମଝିରେ ଚରୁଥିବା ଲୋମଶ ମେଣ୍ଢାଗୁଡ଼ିକ ଦେଖା ଯାଉଥାନ୍ତି ଧଳା ଧଳା ବଲ୍ ସଦୃଶ ଏବଂ କେଉଁ କେଉଁ ଜାଗାରେ ଦେଖା ଯାଉଥାଏ ଓଟ୍, ବାଜରା କ୍ଷେତ । କ୍ଷେତଗୁଡ଼ିକ ମଧ୍ୟରେ ଖୁଣ୍ଟ ସଦୃଶ ବନ୍ଧା ହୋଇଥିବା ଘୋଡ଼ା ଏବଂ ଲୋମଶ ହୃଷ୍ଟପୃଷ୍ଠ ଗାଈଗୁଡ଼ିକ । ପୁଣି କୋଉଠି ବିରାଟ ଖେଳ ପଡ଼ିଆ ମଧ୍ୟରେ ଚାଲିଥିବା ଧଳା ପୋଷାକ ପରିହିତ ଖେଳାଳିମାନଙ୍କ କ୍ରିକେଟ୍ ମ୍ୟାଚ । ଏହା ହିଁ ସ୍କଟିୟ ରେଳଯାତ୍ରାର ବିଶେଷତ୍ୱ ।

ଦୀର୍ଘ ଛଅ ଘଣ୍ଟାର ଯାତ୍ରା ପରେ ପହଞ୍ଚିଲୁ ଲଣ୍ଡନର ଭିକ୍ଟୋରିଆ (Victoria) ଷ୍ଟେସନରେ । ପ୍ରବଳ ଗହଳିମୟ ସ୍ଥାନ । ଭାରତ ଓ ପାକିସ୍ତାନୀ ବଂଶଜଙ୍କ ଆତଯାତ ପ୍ରବଳ ସେଠାରେ । ଜିନିଷ ପତ୍ରକୁ ହୋଟେଲରେ ରଖି ଅଳ୍ପ ବିଶ୍ରାମ ପରେ ବାହାରିଯିବାକୁ ହେଲା Bloomsbury ସେଣ୍ଟ୍ରାଲ୍ ଲଣ୍ଡନରେ ଅବସ୍ଥିତ ଇଉନିଭର୍ସିଟି ଅଫ ଲଣ୍ଡନ ଅଭିମୁଖେ ।

୧୮୦ଟି ଅଟ୍ଟାଳିକାକୁ ନେଇ ଗଠିତ ଏହା ଇଂଲଣ୍ଡର ଏକ ପୁରାତନ ଓ ଦ୍ୱିତୀୟ ବୃହତ୍ତମ ବିଶ୍ୱବିଦ୍ୟାଳୟ ଯାହାକି ୧୮୩୬ ମସିହାରେ ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିଥିଲା । ପୃଥିବୀର କୋଣ ଅନୁକୋଣରୁ ହଜାର ହଜାର ଛାତ୍ରଛାତ୍ରୀ ଏଠାକୁ ପାଠ ପଢ଼ିବା ଲାଗି ଆସିଥାନ୍ତି । ଏହି ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ, ନେଲସନ୍ ମାଣ୍ଡେଲା, ମହମ୍ମଦ ଅଲ୍ଲୀ ଜିନ୍ନା, ଚର୍ଚିଲ୍, ମହାନ ବୈଜ୍ଞାନିକ ଆଇନଷ୍ଟାଇନ୍, ଏବଂ ଟେଲିଫୋନର ଉଦ୍ଭାବକ ଗ୍ରାହାମବେଲ୍ ଆଦି ବିଶିଷ୍ଟ ବ୍ୟକ୍ତିମାନେ ଅନ୍ତର୍ଗତ । ସମ୍ମିଳନୀ ଅନୁଷ୍ଠିତ ହେଉଥିଲା ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସିନେଟ୍ ହାଉସ୍‌ଠାରେ, ଯେଉଁଠି ଲାଇବ୍ରେରୀ, School of Slavonic and East European Studies ଏବଂ ଅନ୍ୟାନ୍ୟ school of advance studies ଅବସ୍ଥିତ ।

ମୁଁ ସେଠି ପହଞ୍ଚି, ରିସେପ୍ସନ୍ ଦାଇତ୍ୱରେ ଥିବା ଅଧିକାରୀଙ୍କ ସହାୟତାରେ ଗଲି ସମ୍ମିଳନୀ ପଞ୍ଜୀକରଣ ହେଉଥିବା କକ୍ଷ ଦିଗରେ । ପଞ୍ଜୀକରଣ କରିସାରିବା ପରେ ମୋ ପାଇଁ ଉଦ୍ଧିଷ୍ଟ ସମ୍ମିଳନୀସମ୍ପୃକ୍ତ ଆବଶ୍ୟକୀୟ ତଥ୍ୟ ଏବଂ ପରିଚୟ ପତ୍ରଟି ଗ୍ରହଣ କଲି । ସୂଚନା ପତ୍ରରେ ଦେଖିଲି ମୋର ଉପସ୍ଥାପନା ଦୁଇ ଦିନ ପରେ ଥିଲା । ତେଣୁ ମୋ ପାଖରେ ଯଥେଷ୍ଟ ସମୟ ଥିଲା ପର୍ଯ୍ୟଟନ ସ୍ଥଳୀସବୁ ବୁଲିଯିବା ପାଇଁ । ମଜାର କଥା ହେଲା, ସମ୍ମିଳନୀ ଅଧକ୍ଷାଙ୍କ ସହ ଔପଚାରିକ ସାକ୍ଷାତ ପରେ ମୁଁ କେତେ ଦିନ ରହିବି, କୋଉ ଜାଗା ଦେଖିବା ଲାଗି ମୁଁ ଆଗ୍ରହୀ ଇତ୍ୟାଦି ପ୍ରଶ୍ନ କରିଥିଲେ । ମୋର ଉତ୍ତର ଥିଲା, ମାଡାମ ତୁଷାଦ ମିଉଜିଅମ (Madam Tusauds Museum) । ସେ କହିଲେ, “ସେଠି ଅନେକ ଭାରତୀୟ କଥାଚିତ୍ର ତାରକାଙ୍କ ମୂର୍ତ୍ତି ଅଛି, ଆପଣ କାହା ସହ ଫୋଟୋ ଉଠାଇବା ଲାଗି ଚାହୁଁଛନ୍ଥି?” ମୁଁ ଉତ୍ତର ଦେଇଥିଲି, ସଲମାନ୍ ଖାନ୍ । ସିଏ ହସି ହସି କହିଥିଲେ, ସିଏ କିନ୍ତୁ ଶାହରୁଖଙ୍କ ପ୍ରଶଂସିକା । ବ୍ରିଟେନରେ ଆମ ବଲିଉଡ୍ ତାରକାଙ୍କ ପ୍ରଶ୍ନସକଙ୍କ ତାଲିକା କିଛି ବି କମ ନୁହେଁ ।

ପଞ୍ଜୀକରଣ ପ୍ରକ୍ରିୟା ସାରିବା ପରେ ନିକଟସ୍ଥ ଥେମସ୍ ନଦୀ କୂଳରେ ଅବସ୍ଥିତ ଲଣ୍ଡନ ବ୍ରିଜ୍ ଏବଂ ଲଣ୍ଡନ ଆଇ ଦେଖିବାପାଇଁ ଗଲୁ । ପ୍ରାୟ ୨୬୯ ମିଟର ଦୀର୍ଘ ଲଣ୍ଡନ ବ୍ରିଜ୍ ବ୍ରିଟେନର ଏକ ପ୍ରମୁଖ ଦର୍ଶନୀୟ ସ୍ଥଳୀ ଏବଂ ସେଠାରୁ ଦୃଶ୍ୟମାନ ପୃଥିବୀର ସବୁଠାରୁ ଦୀର୍ଘ ଚକ୍ରୀ-ଦୋଳି ଲଣ୍ଡନ ଆଇ । ସେଦିନ ତାପମାତ୍ରା ଥିଲା ୧ ଡିଗୀ ସେଲସିଅସ । ତେଣୁ ଆଉ ବୁଲାବୁଲି ନକରି ସ୍ଥାନୀୟ ଭାରତୀୟ ରେସ୍ତୋରାଁରେ ରାତ୍ରିଭୋଜନ ସମାପନ କରି ହୋଟେଲକୁ ଗଲୁ । ତା’ ପରଦିନ ଜଳଖିଆ ସାରି ବାହାରିଲୁ ମାଡାମ ତୁଷାଦ ମିଉଜିଅମ ଅଭିଯାନରେ ।

ଏହି ସଂଗ୍ରାହାଳୟଟି ଏକ ମହମ କଳାକୃତିରେ ଧୁରନ୍ଧର ଫରାସୀ ମହିଳା ମେରୀ ତୁଷାଦଙ୍କ ସ୍ମରଣିକା । ଏହାର ଶାଖା ଅନ୍ୟାନ୍ୟ ଦେଶରେ ଥିଲେ ମଧ୍ୟ ଲଣ୍ଡନରେ ଏହାର ମୁଖ୍ୟ କେନ୍ଦ୍ର ଅବସ୍ଥିତ । ସେଠି ବିଶ୍ୱ ପ୍ରସିଦ୍ଧ ସିନେମା ତାରକାଙ୍କଠାରୁ ଆରମ୍ଭ କରି ଖେଳାଳି, ବୈଜ୍ଞାନିକ, ରାଜନୀତିଜ୍ଞ, ଧର୍ମଗୁରୁ, କାର୍ଟୁନ୍ ଚରିତ୍ର, ସଙ୍ଗୀତଜ୍ଞମାନଙ୍କର ଅବିକଳ ପ୍ରତିରୂପ ମହମ ମୂର୍ତ୍ତିଗୁଡ଼ିକ ସ୍ଥାପିତ ।

ବ୍ରିଟିଶ ରାଜପ୍ରାସାଦ ବଙ୍କିମହାମ୍ ପାଲେସ୍ ଗସ୍ତବେଳେ ପ୍ରହରୀ ବଦଳ (Change of Guards) କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିଲା । ବିରାଟ ବିରାଟ ଘୋଡ଼ା ଉପରେ ନାଲି ପୋଷାକରେ ବ୍ରିଟିଶ ସୈନିକମାନେ ବାଦ୍ୟ ସଙ୍ଗୀତ ତାଳେ ତାଳେ ପ୍ୟାରେଡ୍ କରି ଯିବାର ଦୃଶ୍ୟ ଚମତ୍କାର ଥିଲା । ନିକଟବର୍ତ୍ତୀ କିଛି ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଯେପରିକି ସେଣ୍ଟ୍ ଜେମ୍‌ସ୍ ପାର୍କ, ଟ୍ରାଫେଲଗର୍ ସ୍କୁଏର୍, ଲଣ୍ଡନ୍ ମିଉଜିଅମ୍, ହାଇଡ୍ ପାର୍କ, ନାସନାଲ୍ ଆର୍ଟ୍ ଗ୍ୟାଲେରୀ, ସେନ୍ଟ ମାର୍ଗାରେଟ୍ ଚର୍ଚ୍ଚ, ୱେଷ୍ଟ୍ ମିନିଷ୍ଟାର୍ ଆବେ, ବିଗ୍ ବେନ୍ ଘଡ଼ି ଏବଂ ବ୍ରିଟିଶ ପାର୍ଲାମେଣ୍ଟ ହାଉସ୍, ଯେଉଁଠାରେ ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ଅଛି । ଦେଖିବା ପରେ ସେଦିନ ବିଳମ୍ବିତ ସନ୍ଧ୍ୟାରେ ଆମର ଗସ୍ତ ଥିଲା ଲଣ୍ଡନଠାରୁ ପ୍ରାୟ ୩୬ ମାଇଲ ଦୂର ବଙ୍କିମହାମଷୈରରେ (Buckinghamshire) ଅବସ୍ଥିତ ଆଇଲସବରୀ (Aylesbury) ଅଭିମୁଖେ । ସେଠି ଗୋଟିଏ ଦିନର ରହଣି ପରେ ତୃତୀୟଦିନ ଦେଢ଼ ଘଣ୍ଟାର ଟ୍ରେନ ଯାତ୍ରା ଆଉ ସିଧା ଇଉନିଭର୍ସିଟି ଅଫ୍ ଲଣ୍ଡନ ।

ସେଠି ଆମ ଭଳିଆ ସିକ୍ୟୁରିଟି ଗାର୍ଡମାନେ ଇଉନିଭର୍ସିଟି ଫାଟକ ପାଖରେ ଛିଡ଼ା ହୋଇନଥାନ୍ତି । ସମସ୍ତଙ୍କର ଅବାଧ ପ୍ରବେଶ । ଦଳ ଦଳ ଛାତ୍ରଛାତ୍ରୀ, କିଏ କ୍ଲାସ୍‌କୁ ଯାଉଛି, କିଏ ଲାଇବ୍ରେରୀ ତ କିଏ ଲାପଟପ୍ ଧରି କଫି ସପ୍‌ରେ କଫି ପିଉ ପିଉ କାମ କରିବାରେ ମଗ୍ନ, କିମ୍ବା କେଉଁଠି ବରିଷ୍ଠ ଅଧ୍ୟାପକ ଜଣେ ହାତରେ ସାଣ୍ଡଉଇଚ୍‌ଟିଏ ଧରି ମନେ ମନେ କିଛି ଜଟିଳ ଗାଣିତିକ ସମସ୍ୟାର ସମାଧାନ ଖୋଜିବାରେ ବ୍ୟସ୍ତ । ମୋର ପରିଚୟ ପତ୍ର ଦେଖାଇ ସମ୍ମିଳନୀ ହେଉଥିବା ସିନେଟ୍ ହଲ୍‌ରେ ପହଞ୍ଚିଲି । ସଭା ଆରମ୍ଭ ହୋଇ ଯାଇଥିଲା । ବିରାଟ ହଲ୍, ସୁସଜ୍ଜିତ ଭାବେ ଗ୍ୟାଲେରୀରେ ବସିବାପାଇଁ ବ୍ୟବସ୍ଥା ହୋଇଥାଏ । ସବୁ ଟେବୁଲ୍‌ରେ ମାଇକ୍‌ର ବନ୍ଦୋବସ୍ତ । ସମଗ୍ର ହଲଟି ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିକ୍ଷାବିତ୍‌ମାନଙ୍କ ଦ୍ୱାରା ଭରି ଯାଇଥିଲା ।

ମୋର ସନ୍ଦର୍ଭର ବିଷୟ ଥିଲା ପର୍ଯ୍ୟଟନ ବିକାଶରେ ଭାରତର ପୁରାତନ ପ୍ରାକୃତିକ ଚିକିତ୍ସା ବିଧିର ଭୂମିକା । ପୋଲାଣ୍ଡ୍, ନାଇଜେରିଆ, ଆରବ, ଇଜିପ୍ଟ, ଅଷ୍ଟ୍ରେଲିଆ, ଏବଂ ଇଂଲଣ୍ଡରୁ ଆସିଥିବା ଶିକ୍ଷାବିତମାନେ ଆଗ୍ରହ ସହକାରେ ମୋର ଉପସ୍ଥାପନାକୁ ଶୁଣୁଥିଲେ । ବକ୍ତବ୍ୟ ଶେଷରେ ସମ୍ମିଳନୀ ଅଧିକ୍ଷକମାନେ ତାଙ୍କର ଟିପ୍ପଣୀ ଓ ମନ୍ତବ୍ୟ ରଖିଲେ ଏବଂ କେହି କେହି ନିଜର ଯାହା ସନ୍ଦେହ ଥିଲା ମୋ’ଠାରୁ ପଚାରି ବୁଝିଲେ । ମତେ ସ୍ୱପ୍ନ ଦେଖୁଥିବା ପରି ଅନୁଭବ ହେଉଥିଲା । ସଭା ଶେଷରେ ସଭିଏଁ ଭୋଜନ କକ୍ଷରେ ମିଳିତ ହେଲୁ । ସମସ୍ତଙ୍କ ସହ ପରିଚୟ ଆଦାନ ପ୍ରଦାନ ଏବଂ ଗ୍ରୁପ ଫୋଟୋ ଉଠା ହେବା ସହ ବିଭିନ୍ନ ଦେଶର ସଂସ୍କୃତି ଓ ପରମ୍ପରା ବିଷୟରେ ଚର୍ଚ୍ଚା ହେଲା । ମୁଁ ସେଠି ଏକମାତ୍ର ଭାରତୀୟ ହେତୁ ଅଷ୍ଟ୍ରେଲିଆରୁ ଆସିଥିବା ମହିଳା ପ୍ରଫେସର ଜଣକ ମତେ ବାରମ୍ବାର ମିସ୍ ଇଣ୍ଡିଆ ବୋଲି ସମ୍ବୋଧନ କରୁଥିଲେ । ପାରମ୍ପରିକ ଆଫ୍ରିକୀୟ ପୋଷାକ ପରିହିତା ନାଇଜେରିଆରୁ ଆସିଥିବା ପ୍ରଫେସର ଡକ୍ଟର ଫ୍ରାଙ୍କା ମୋ’ଠାରୁ ଆୟୁର୍ବେଦ ଓ ପଞ୍ଚକର୍ମ ଚିକିତ୍ସା ପଦ୍ଧତି ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । କତାର୍‌ରୁ ଆସିଥିବା ଆରବୀୟ ପ୍ରଫେସର୍ ଇମାନ୍ ମଧ୍ୟ ହିଜାବ୍ ପିନ୍ଧିଥିଲେ । ମୋର ବି ଆମ ସଂସ୍କୃତିକୁ ସମ୍ମାନ ଜଣାଇ ଶାଢ଼ୀ ପିନ୍ଧିବାର ଇଛା ଥିଲେ ମଧ୍ୟ ମାତ୍ରାଧିକ ଶୀତ ଏବଂ କୋହଲା ପବନ ଯୋଗୁଁ ଓଡ଼ିଶା ହସ୍ତତନ୍ତ୍ର କଳାର କୁର୍ତ୍ତା ପିନ୍ଧିଥିଲି କିନ୍ତୁ ଗରମ କୋଟ୍‌କୁ ପିନ୍ଧିବାକୁ ହୋଇଥିଲା । ଏହି ପରି ସ୍ମରଣୀୟ ଅନୁଭୂତିକୁ ନେଇ ବିଦାୟ ନେବାକୁ ହେଲା ଲଣ୍ଡନରୁ ।

ଆପଣ ମାନେ ଭାବୁଥିବେ ଲଣ୍ଡନ ଯାଇଥିଲି ହେଲେ ରାଣୀଙ୍କୁ ଦେଖିପାରିଲି ନା ନାହିଁ !! ସେକଥା ତ ମୁଁ ବର୍ଣ୍ଣନା କରିନି । ବଙ୍କିମହାମ୍ ପାଲେସ୍‌ରେ ସେଦିନ ରାଣୀଙ୍କୁ ଦେଖିବା ସମ୍ଭବ ହେଇନଥିଲା, କିନ୍ତୁ ପରେ ସେ ସୁଯୋଗ ମିଳିଥିଲା ଏଡିନବରାରେ; ତାଙ୍କର ବାର୍ଷିକ ଗ୍ରୀଷ୍ମକାଳୀନ ସ୍କଟଲାଣ୍ଡ୍ ଗସ୍ତ “ହଲିରୁଡ଼୍ ସପ୍ତାହ” (Holy-rood Week) ଅବସର ବେଳେ । ବର୍ତ୍ତମାନ ମୁଁ ବି କହିପାରିବି ଆଇ ହାଭ୍ ବିନ୍ ଟୁ ଲଣ୍ଡନ୍ ଟୁ ଲୁକ୍ ଆଟ୍ ଦି କୁଇନ୍…..

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu