You are currently viewing ✍ ତୃତୀୟ ସମ୍ପାଦକୀୟ
Editorial Page of Shubhapallaba 3rd Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ତୃତୀୟ ସମ୍ପାଦକୀୟ

“ନମସ୍ତେ ଦାରୁ ରୂପାୟ ମହାପିପ୍ପଳ ମେବ ଚ,
ସାକ୍ଷାତ ବ୍ରହ୍ମତରୋ ଦେବ ବ୍ରହ୍ମାକ୍ଷରସମନ୍ୱିତମ ।”

ଓଡ଼ିଆ ଘରେ ଶୁଭ କାମଟିଏ ହେଲେ ପ୍ରଥମେ ଖୋଜାଯାଏ ନୀଳାଦ୍ରିବିହାରୀ ନୀଳକନ୍ଦରବାସୀ ପୁରୁଷୋତ୍ତମ ଶ୍ରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କୁ । ସେ ଏ ଜାତିର ପରା ପ୍ରଥମ ବନ୍ଧୁ ! ସାନ ଭାଇର ବାହାଘର ବେଳେ ବାପାଙ୍କର କଡ଼ା ତାଗିଦ । ଜାଇବଡ଼ି ଅନୁକୂଳ ହେଲାପରେ ପ୍ରଥମ ନିମନ୍ତ୍ରଣ ଯେମିତି ଶ୍ରୀମନ୍ଦିର ଯାଏ ! ତା’ପରେ ଯାଇ ମଉଳା ତାଟ ଘରୁ ଉଠିବ । ସୁତରାଂ ନିମନ୍ତ୍ରଣ ନେଇ ଶ୍ରୀମନ୍ଦିର ଯିବାର ଗୁରୁଦାଇତ୍ୱ ମୋ ଉପରେ ନ୍ୟସ୍ତ କରାଗଲା । ନିର୍ଦ୍ଦିଷ୍ଟ ଦିନ ସକାଳୁ ଅନୁକୂଳ ହଳଦୀଲଗା ନିମନ୍ତ୍ରଣ ପତ୍ର ସହ କଡ଼ାଏ ନଡ଼ିଆ, ଦଶଗୋଟି ଗଳିଗୁଆ, ଦୁଇ ସଙ୍ଗଡ଼ା ପଇତା, ଦୁବ-ବରକୋଳି ପତ୍ର ଆଉ କିଛି ଅରୁଆ ଚାଉଳ ଧରି ବାହାରିଲି ଘରୁ । ସବୁ ଜିନିଷକୁ ସଜାଡ଼ି ଧରି ସିଂହଦ୍ଵାର ଆଡ଼େ ଅଗ୍ରସର ହେଲାବେଳେ ଯାହା ଉପରେ ପ୍ରଥମ ନଜର ପଡ଼ିଲା ସେ ଥିଲେ ସମ-ବୟସ୍କ ଜଣେ ପଣ୍ଡା । ତାଙ୍କ ହାତକୁ ସବୁତକ ବଢ଼େଇଦେଇ କହିଲି, “ନନା, ଘରେ ମଙ୍ଗଳ କାର୍ଯ୍ୟଟିଏ ହେବାକୁ ଯାଉଛି । ତେଣୁ ଠାକୁରଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି ।” ମୋ ହାତରୁ ପୁଡ଼ିଆଟି ନେଇ ସବୁ କିଛି ଅଛି କି ନାହିଁ ତଦାରଖ କରିବା ଭିତରେ ମୁଁ ମୋ ପକେଟରୁ ୧୦୧ଟଙ୍କା କାଢ଼ି ତାଙ୍କ ହାତକୁ ବଢ଼େଇ ଦେଲି । ସେ କହିଲେ, “ସବୁ ଜିନିଷ ତ ଯୋଗାଡ଼ି ଆଣିଛ, ଖାଲି ତୁଳସୀ ମାଳ, ଫୁଲ ମାଳ ଆଉ ଦୀପଟିଏ ଆଣିବାକୁ ପଡ଼ିବ ଯାହା । ହଉ ଆସ, ଆଗେ ଅରୁଣ ସ୍ତମ୍ଭ ପଛପଟୁ ସଂକଳ୍ପ କରିଦେବା । ତା’ପରେ ଭିତରକୁ ଯିବା ।” ସଂକଳ୍ପ ସରିବା ପରେ ତାଙ୍କୁ ଅନୁସରଣ କଲି ମନ୍ଦିର ଭିତରକୁ । ବାଇଶି ପାହାଚ ଉପରୁ ସେ ତୁଳସୀ ମାଳ, ଫୁଲ ମାଳ ଓ ଦୀପଟିଏ କିଣି ପଇସା ଦେଇ ସିଧା ଚାଲିଲେ ଗମ୍ଭୀରା ଭିତରକୁ ଆଉ ପଛେ ପଛେ ଅନୁଧାବନ କଲି ମୁଁ ବିନା ବାଧାରେ । କାଳିଆର ଲୀଳା ବିଚିତ୍ର । ରତ୍ନବେଦୀ ପାଖରେ ପହଞ୍ଚିଛୁ କି ନାହିଁ ପରବର୍ତ୍ତୀ ନୀତିକାନ୍ତି ପାଇଁ ପହଡ଼ ପଡ଼ିଗଲା । ଭିତରେ ହାତ ଗଣତି ଯାତ୍ରୀ ମାନଙ୍କ ଭିତରୁ ମୁଁ ଥିଲି ଜଣେ । ରତ୍ନବେଦୀ ତଳେ ହାତ ଯୋଡ଼ି ଲୀଳାମୟଙ୍କ ଶ୍ରୀଚରଣାରବିନ୍ଦରେ ଧ୍ୟାନରଖି ଆଖିବୁଜିଲି ମୁଁ । ମନେ ମନେ କାଳିଆକୁ ଡାକିଲି, ହେ ଦୟାମୟ ! ସତରେ କ’ଣ ଏ ଅକିଞ୍ଚନ ପ୍ରତି ଦୟା ହେବ ପ୍ରଭୁ ! ସତେ କ’ଣ ଏ ଗରିବ ଦୁଆରେ ଆପଣଙ୍କ ଶ୍ରୀ ପୟର ପଡ଼ିବ !

“ଏଇ ଦେଖ”, ନନାଙ୍କର ଡାକରେ ମୋହ ଭଙ୍ଗ ହେଲା ।

“ଦେଖ ଦେଖ ! ମହାପ୍ରଭୁ ତୁମ ନିମନ୍ତ୍ରଣ ରଖିଛନ୍ତି ! ବଡ଼ପଣ୍ଡା ମହାଶୟ କହିଲେ ତୁମ ପୂଜା କଲାବେଳେ ତାଙ୍କ ହାତରୁ ଏ ତୁଳସୀ ମାଳ ଖସିପଡ଼ିଲା । ତୁମେ ଭାଗ୍ୟବାନ ! ତୁମେ ଭାଗ୍ୟବାନ !!”

ଭାବବିହ୍ଵଳ ହୋଇଉଠୁଥିଲେ ସେ । ଆଉ ମୁଁ ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲି ସବୁ । ଲୋତକ ପ୍ଲାବିତ ନେତ୍ର ଯୁଗଳ ବନ୍ଦ ହେଇଗଲା ଆଉ ହାତଦ୍ୱୟ ଶୂନ୍ୟକୁ ଉଠିଗଲା ଆପେ ଆପେ । ମୁଦ୍ରିତ ନେତ୍ରରେ ଆଉ ଥରେ ସ୍ମରଣକଲି ।

“ହେ ମହାବାହୁ ! ସତେ କ’ଣ ତୁମେ ଆସିବ ପ୍ରଭୁ !! ମୋ ଭଙ୍ଗାଘରେ ତୁମ ପାଦ ପଡ଼ିବ !”

ମୁଁ ବିସ୍ମିତ ହେଉଥିଲି ଘଟଣା ପ୍ରବାହରେ, ତଲ୍ଲୀନ ହେଉଥିଲି ତାଙ୍କ ଭକ୍ତିରେ, ବିଲୀନ ହେଉଥିଲି ସେଇ ବ୍ରହ୍ମତ୍ୱରେ ! ଆଖିର ଲୁହ ପଦ ପ୍ରକ୍ଷାଳନ କରୁଥିଲା ଅମାନିଆ ଶ୍ରାବଣର ମତ୍ତ ନଦୀ ପରି । ଲାଗୁଥିଲା ସତେ ଯେମିତି ମୁଁ ଶୂନ୍ୟ ହେଉଛି, ମିଶିଯାଉଛି ସେ ମହାଶୂନ୍ୟରେ ! ବ୍ରହ୍ମମୟ ହୋଇ ଉଠୁଛି ମୋ ଚତୁଃପାର୍ଶ୍ୱ । ଜୀବ ଜଡ଼ ଏକାକାର ହୋଇ ଉଠୁଛନ୍ତି ଯେମିତି ! ଆଉ ତା’ ଭିତରେ ମୁଁ ମୋର ପରିଚୟ ହାରାଉଛି । ଆଃ ! କି ଆନନ୍ଦ ସେ ମୁହୂର୍ତ୍ତ !!

“ଏଇ ନିଅ, ପଚାଶ ଟଙ୍କାର ଶୁଖିଲା ଭୋଗ କରିଦେଲି ତୁମ ପାଇଁ” ନାନାଙ୍କର ଡାକରେ ସାଷ୍ଟାଙ୍ଗ ହେଲି । ଫେରି ଆସିଲି ପୁଣି ଚେତନା ରାଜ୍ୟକୁ । ଆଖି ଖୋଲିଲି । ଦୁଷ୍ଟ ଲୁହ ସେମିତି ଝରି ଚାଲୁଥାଏ ଅମାନିଆ ହୋଇ । ଚର୍ମ ନେତ୍ର ତୋଳି ଚାହିଁଲି ଥରେ କୋଟି କନ୍ଦର୍ପ ନିନ୍ଦିତ ସେହି ଭୁବନମୋହନ ରୂପକୁ । ନାଲିଆ ଓଠରେ ଚିମୁଟାଏ ହସ ଖେଳାଇ ସତେ ଯେମିତି କାଳିଆ ଠାକୁର ଆଶ୍ୱାସନା ଦେଉଥାନ୍ତି ମତେ, “ଚିନ୍ତା କରନି ବନ୍ଧୁ, କଥା ଦେଲି ବନ୍ଧୁ ନିମନ୍ତ୍ରଣ ରଖିବି । ନିଶ୍ଚିତ ଯାଇ ପହଞ୍ଚିବି ତୁମ ଘରେ ।”

ଏବେ ଫେରିବାର ବେଳ । ଠାକୁରଙ୍କ ପରବର୍ତ୍ତୀ ନୀତିକାନ୍ତିରେ ବିଳମ୍ବ ହେଉଛି ଯେ ! ମନଭରି ଆଉଥରେ ଦେଖିନେଲି ସେହି ରୂପକୁ । ଜଗଜ୍ଜନନୀ ମହାମାୟୀ ମାଆ ଲକ୍ଷ୍ମୀଙ୍କୁ ମୁଣ୍ଡିଆ ମାରି ଚାଲି ଆସିଲି ବାଇଶି ପାହାଚ ଉପରକୁ । ବିଦାୟ ନେବା ଆଗରୁ ଆଉ ପଚାଶ ଟଙ୍କା ବଢ଼େଇଲି ନନାଙ୍କୁ । ହେଲେ ସେ କହିଲେ, “ନାଇଁ ଭାଇ, ମୁଁ ମୋ ଦକ୍ଷିଣା ପାଇସାରିଛି । ଆଉ ଦରକାର ନାହିଁ ।”

“ହେଲେ ନନା, ମୁଁ ଆପଣଙ୍କୁ ମାତ୍ର ୧୦୧ଟଙ୍କା ଦେଇଥିଲି । ସେଥିରୁ ଆପଣ ତୁଳସୀ/ଫୁଲ/ଦୀପ ଆଣିଲେ ୪୦ଟଙ୍କାର, ଭୋଗ କଲେ ୫୦ଟଙ୍କାର ଆଉ ଆପଣଙ୍କ ପାଇଁ ରହିଲା ମାତ୍ର ୧୧ ଟଙ୍କା । ସେତିକି କ’ଣ ଆପଣଙ୍କ ପ୍ରାପ୍ୟ?”

“ଚିନ୍ତା କରନି ଭାଇ, କାଳିଆ କୃପାରୁ ତୁମଠାରୁ ଯେତିକି ଦକ୍ଷିଣା ମିଳିଲା ସେତିକି ଯଥେଷ୍ଟ । ଯାଅ, ମହାବାହୁଙ୍କ କୃପାରୁ ତୁମ କାର୍ଯ୍ୟ ସୁରୁଖୁରୁରେ ହୋଇଯାଉ” ହାତଟେକି ଆଶୀର୍ବାଦ କଲେ ସେ ଆଉ ଚାହୁଁ ଚାହୁଁ ହଜିଗଲେ ମନ୍ଦିରର ଭିଡ଼ ଭିତରେ ।

ମୁଁ ସେମିତି ହାତଯୋଡ଼ି ଚାହିଁ ରହିଥାଏ ତାଙ୍କ ଯିବା ବାଟକୁ ଆଉ ଭାବୁଥାଏ, କିଏ କହିଲା ଶ୍ରୀମନ୍ଦିରର ପଣ୍ଡାମାନେ ଉତ୍ସୃଙ୍ଖଳିତ, ବିଶୃଙ୍ଖଳିତ ବୋଲି? କିଏ କହିଲା ସେମାନେ ଯାତ୍ରୀଙ୍କୁ ଶୋଷଣ କରନ୍ତି ବୋଲି? ହାତ ଗଣତି କେତୋଟି ଘଟଣା ପାଇଁ ଗୋଟେ ଜାତିକୁ ବଦନାମ କରିବା କେତେଦୂର ଠିକ? ମନ୍ଦିରରେ ଯାତ୍ରୀମାନଙ୍କୁ ଦୁର୍ବ୍ୟବହାର ନିଶ୍ଚିତ ନିନ୍ଦନୀୟ । ବିଭିନ୍ନ ଗଣମାଧ୍ୟମରେ ସେମାନଙ୍କର କୁତ୍ସିତ କାର୍ଯ୍ୟ ବିରୋଧରେ ଯଦି ଲେଖାଯାଉଛି, ସେମାନଙ୍କର ମହନୀୟତା ସପକ୍ଷରେ ଲେଖାଯାଉନି କ’ଣ ପାଇଁ? ଯେଉଁମାନଙ୍କ ହାତରେ ଆମ ସଂସ୍କୃତିର ଉତ୍ତରଦାଇତ୍ୱ ସେମାନଙ୍କୁ ସେମାନଙ୍କ କୌଳିକ ବୃତ୍ତିରୁ ଦୂରେଇ ରଖିବା କେତେଦୂର ସମୀଚିନ? ସମୟ ହିଁ ଏହାର ଉତ୍ତର ଦେବ ।

ଗତ ଦୁଇଥର ଭଳି ଏଥର ମଧ୍ୟ ଅନେକ ସଂଖ୍ୟାରେ ଲେଖା ଆସି ପହଞ୍ଚିବା ଆମକୁ ବିସ୍ମିତ କରିଛି । ଫୋନ, ଟ୍ୱିଟ ଆଉ ମେସେଜ ମାଧ୍ୟମରେ ପହଁଚିଥିବା ଶୁଭେଚ୍ଛା ବାର୍ତ୍ତା ଆମ ପାଠକୀୟ ଆଦୃତାକୁ ଯେ ଆହୁରି ପ୍ରତିପାଦନ କରିଛି ତାହା ନିଃସନ୍ଦେହ । ଆପଣ ସମସ୍ତେ ଧନ୍ୟବାଦାର୍ହ ।

ଆମର ୟୁ-ଟ୍ୟୁବ ଚ୍ୟାନେଲ ପାଇଁ ନିୟମିତ ସ୍ୱର ଦେଉଥିବା ଇତିଶ୍ରୀ ନାୟକ ମହାଶୟା, ଶୁଭଶ୍ରୀ ମିଶ୍ର ମହାଶୟା, ପଲ୍ଲବୀ ପୂଜାପଣ୍ଡା ମହାଶୟା, ରଶ୍ମିତା ସାହୁ ମହାଶୟା, ସୁରଜିତ ମିଶ୍ର ମହାଶୟ ତଥା ଅନ୍ୟମାନଙ୍କୁ ଅନ୍ତରରୁ ଧନ୍ୟବାଦ ଓ ଶୁଭେଚ୍ଛା ।

ପବିତ୍ର ନୀଳାଦ୍ରି ବିଜେର ଅମୃତ ବେଳାରେ ମହାପ୍ରଭୁ ସମସ୍ତଙ୍କୁ ଆଶିଷ ପ୍ରଦାନ କରନ୍ତୁ ।

ଓଡ଼ିଶାର ଗର୍ବ ଓ ଗୌରବ ରସଗୋଲା ପାଇଁ ସମର୍ପିତ ଏହି ରସଗୋଲା ଦିବସର ମିଠା ମିଠା ଅଭିନନ୍ଦନ ସହ….

ଜୟ ଜଗନ୍ନାଥ !!!!

Tapas Ranjan Signature

 

 

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।