✍ ଷଷ୍ଠ ସମ୍ପାଦକୀୟ
Shubhapallaba Online Magazine 6th Edition Editorial

✍ ଷଷ୍ଠ ସମ୍ପାଦକୀୟ

ଏ ଦୁନିଆର ପ୍ରାୟତଃ ସଭିଏଁ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ଆଉ ଏ ବ୍ୟସ୍ତବହୁଳ ଦୁନିଆରୁ ତାଙ୍କୁ ଟିକିଏ ଦୂରେଇ ଯିବାକୁ ହେଲେ ଅଧିକାଂଶ ମନୋରଞ୍ଜନ କରିବାକୁ ଗୀତ ଶୁଣନ୍ତି, ନାଟକ, ଫିଲ୍ମ ଇତ୍ୟାଦି ଦେଖନ୍ତି । ଏବେ ବୋଧେ ବିଶ୍ୱର ସବୁଠାରୁ ଅଧିକ ଆୟ କରୁଥିବା ଜିନିଷ ମଧ୍ୟରେ ଫିଲ୍ମ ଆଗରେ ଆସିବ । କଥାଚିତ୍ରର ରୂପରେଖ ଧୀରେ ଧୀରେ ବଦଳି ଆସିଛି ଆଉ ଏବେ ପ୍ରାୟ ଅନେକ ଜାତୀୟ ତଥା ଆଞ୍ଚଳିକ ଭାଷାରେ ଫିଲ୍ମ ନିର୍ମାଣ ହେଉଛି ।

ସେହି ଧାରାରେ ଓଡ଼ିଆ କଥାଚିତ୍ର ଜଗତର ଅୟମାରମ୍ଭ ହୋଇଥିଲା ୧୯୩୬ ମସିହାରେ, ଯେତେବେଳେ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଅନେକ ପ୍ରଚେଷ୍ଟାରେ ଅପ୍ରେଲ ୨୮, ୧୯୩୬ରେ ପୁରୀର ଲକ୍ଷ୍ମୀ ସିନେମା ହଲ୍‌ରେ ସୀତା ବିବାହ ପ୍ରଦର୍ଶିତ ହୋଇଥିଲା । ଅବଶ୍ୟ ଏକ ଦୁର୍ଘଟଣାରେ ଏହି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ସମସ୍ତ ଜିନିଷ ନଷ୍ଟ ହୋଇଗଲା, କିନ୍ତୁ ଓଡ଼ିଆ ଭାଷା ନିଜର ଏକ କଥାଚିତ୍ର ପାଇଲା । ପରେ ଅନେକ ବର୍ଷର ବ୍ୟବଧାନ ପରେ ପୁଣି ଓଡ଼ିଆରେ ଚଳଚ୍ଚିତ୍ରଟିଏ ନିର୍ମାଣ ହେଲା ଆଉ ଧୀରେ ଧୀରେ ଚଳଚ୍ଚିତ୍ର ନିର୍ମାଣର ସଂଖ୍ୟା ବଢ଼ିଲା, ଅଭିନେତା ଅଭିନେତ୍ରୀମାନେ ମଧ୍ୟ ବଢ଼ିଲେ ଆଉ ୧୬ ଜୁଲାଇ ୧୯୭୬ରେ ପ୍ରଥମ ଓଡ଼ିଆ ରଙ୍ଗୀନ କଥାଚିତ୍ର ଗପ ହେଲେ ବି ସତ ମୁକ୍ତିଲାଭ କଲା । ଏହାପରଠାରୁ ଓଡ଼ିଆ କଥାଚିତ୍ର ଜଗତ ଅନେକ ବାଟ ଆଗକୁ ଆସିସାରିଲାଣି । ଏବେ ବର୍ଷକୁ ପ୍ରାୟ ୩୦ – ୩୫ରୁ ଅଧିକ କଥାଚିତ୍ର ମୁକ୍ତିଲାଭ କରୁଛି ।

ଯଦି ଆପଣମାନେ ଲକ୍ଷ୍ୟ କରିଥିବେ, ତେବେ ଦେଖିବେ ଆମ ଓଡ଼ିଆ କଥାଚିତ୍ର ଜଗତ ବଢ଼ିବା ସହ ଦର୍ଶକଙ୍କ ସଂଖ୍ୟା କମିବାରେ ଲାଗୁଛି । ଅନେକ ଦର୍ଶକ ତ ଏବେ ଆଉ ଓଡ଼ିଆ କଥାଚିତ୍ର ଦେଖୁନାହାନ୍ତି ଆଉ କେତେକ ଡହରାଙ୍କ ମତରେ କୁଆଡ଼େ ଓଡ଼ିଆ କଥାଚିତ୍ର ଦେଖିଲେ ନିଜର ସମ୍ମାନ ପଳେଇବ । ଏମିତିକି କେତେଙ୍କଠାରୁ ଶୁଣିଛି, ସେମାନେ ଓଡ଼ିଆ କଥାଚିତ୍ର ଦେଖିବାକୁ ଗଲେ ସାଙ୍ଗମାନଙ୍କ ପାଖରେ କୁହନ୍ତିନି କୁଆଡ଼େ ଯାଉଛନ୍ତି ଆଉ ଦୁଇ ସାଙ୍ଗ ପ୍ରେକ୍ଷାଳୟରେ ଭେଟ ହେଇଗଲେ ବିଭିନ୍ନ ବାହାନା କରି ନିଜର ଇଜ୍ଜତ ବଞ୍ଚାଇବାକୁ ଚେଷ୍ଟା କରନ୍ତି ।

ଆଗରୁ କଥାଚିତ୍ରଟିଏ ମୁକ୍ତିଲାଭ ହେଲେ ଅନେକ ଦିନ ଧରି ଚାଲୁଥିଲା, ଏମିତିକି ମୁକ୍ତିଲାଭର ବର୍ଷେ ପରେ ବି ଅନେକ ପ୍ରେକ୍ଷାଳୟକୁ ପ୍ରଥମ କରି ଆସୁଥିଲା ହେଲେ ଏବେ ଦୁଇ ଦିନ ଚାଲିବା ବେଳକୁ ସେ କୁଆଡ଼େ ପୁରୁଣା ହେଇଯାଉଛି । ଏ ଦୁଇ ଦିନରେ ପୁରୁଣା ହେବାର କାରଣ ଅଛି ଅଲଗା । ଯିଏ କଥାଚିତ୍ରଟିର ପ୍ରଥମ ଦିନ ଦେଖିବାକୁ ଯାଉଛି, ସେ ଆସିକି ତା’ର ମୂଳ କଥାଚିତ୍ରର ଲିଙ୍କ୍ ଇଣ୍ଟରନେଟ୍‌ରୁ ସେୟାର କରିଦେଉଛି, ଫଳରେ ଲୋକେ ଅନେକ ବ୍ୟୟ କରି ହୋଇଥିବା ସେ ପୁରୁଣା ଫିଲ୍ମଟିକୁ ଦେଖିବାକୁ ଅଧିକ ଭଲ ପାଉଛନ୍ତି । ଆଉ ଗୋଟିଏ କଥା, ଯଦି ଆପଣ କୌଣସି ଫିଲ୍ମକୁ ପ୍ରଥମେ ଦେଖିବେ, ତାହା ଆପଣଙ୍କୁ ଭଲ ଲାଗିବ ଆଉ ପରେ ଯଦି ତା’ର ମୂଳ ଫିଲ୍ମକୁ ଦେଖିବେ ସେତେ ଭଲ ଲାଗିବନି । କିନ୍ତୁ ଏଠାରେ ଓଲଟା ହେବାର କାରଣ ହେଲେ କଥାଚିତ୍ର ନିର୍ମାଣରେ ଆବଶ୍ୟକ ହେଉଥିବା ଅର୍ଥ । ଓଡ଼ିଆ କଥାଚିତ୍ର ଜଗତରେ ନିର୍ମାଣ କରାଯାଉଥିବା ଚଳଚ୍ଚିତ୍ରର ଖର୍ଚ୍ଚ ଏତେ କମ୍‌ ଯେ ଅନ୍ୟ ଭାଷାର ଚଳଚ୍ଚିତ୍ରର ନିର୍ଦ୍ଦେଶକ ତା’ଠାରୁ ଅଧିକ ଟଙ୍କା ନେଉଛନ୍ତି ।

ଓଡ଼ିଆରେ ଗୋଟେ କଥା ଅଛି, “ଶସ୍ତାରୁ ହିନସ୍ତା” । ଏବେ ଓଡ଼ିଆ କଥାଚିତ୍ର ଜଗତର ସେଇ ଅବସ୍ଥା ହେଇଯାଇଛି । କିନ୍ତୁ ମୂଳ ପ୍ରଶ୍ନ ହେଲା, ଏତେ ଶସ୍ତାରେ ଫିଲ୍ମ କରିବାର କାରଣ କ’ଣ?? ଏହାର ମୂଳ କାରଣ ହେଉଛି ଆୟ । ଜଣେ ବ୍ୟବସାୟୀଙ୍କୁ ଆୟ ଦେଖି ବ୍ୟୟ କରିବାକୁ ପଡ଼େ । ଏବେ ଓଡ଼ିଶାରେ ଗୋଟିଏ କଥାଚିତ୍ର ମୁକ୍ତିଲାଭ କଲେ ତା’ର ପ୍ରଥମ ପ୍ରଦର୍ଶନ ପାଇଁ ଗୋଟିଏ ପ୍ରେକ୍ଷାଳୟ ମିଳିବା କଷ୍ଟକର ହେଇପଡ଼ୁଛି । ଜଣେ ଅଭିନେତାଙ୍କର ସାକ୍ଷାତକାର ଥରେ ଦେଖୁଥିଲି, ତାଙ୍କ ମତରେ ଓଡ଼ିଶାରେ ଏତେ ପ୍ରେକ୍ଷାଳୟର ସଂଖ୍ୟା ବୋଧେ ୭୦ରୁ କମ୍ ହେବ । ଆଉ ମୁଁ ନିଜେ ଦେଖିଛି ଅନେକ ପ୍ରେକ୍ଷାଳୟ, ଯେଉଁଠି ଓଡ଼ିଆ ଫିଲ୍ମଟିଏ ପଡ଼ିଲେ ଏବେ ବି ରଜ, ଦୁର୍ଗାପୂଜା କି ନୂଆ ବର୍ଷ ସମୟରେ ଟିକେଟ ବ୍ଲାକ୍‌ରେ ବିକ୍ରି ହୁଏ, ସେଗୁଡ଼ାକ ବନ୍ଦ ହେଇଗଲାଣି । ଏହାର କାରଣ ଜାଣିବା ପାଇଁ ଥରେ ମୁଁ ବନ୍ଦ ହୋଇଯାଇଥିବା ଗୋଟିଏ ହଲ୍‌ର ମ୍ୟାନେଜରଙ୍କୁ ପଚାରିଲି । ଆଉ ତାଙ୍କର ଉତ୍ତର ଥିଲା କି, “ବର୍ଷରେ ସିନା ଏକ ତିନିଟା ଋତୁରେ ୭/୮ ଦିନ ବେପାର ହୁଏ, କିନ୍ତୁ ବାକିଦିନମାନଙ୍କରେ ତ ସେତେ ଭଲ ବେପାର ହୁଏନି । ହିନ୍ଦୀ କି ଇଂରାଜୀ କଥାଚିତ୍ର ପାଇଁ ଆମକୁ ଆମ ହଲ୍‌କୁ ଉନ୍ନତୀକରଣ କରିବାକୁ ହେବ । ଏବେ ତ ଏଥିରେ ଚଳିବା କଷ୍ଟ, ତା’ ସାଙ୍ଗରେ ଆଉ ଅର୍ଥ ବ୍ୟୟ କରି ତାକୁ ଉନ୍ନତୀ କରଣ କରିବାପରେ ଲୋକେ ଦେଖିବେ ବୋଲି ଗ୍ୟାରେଣ୍ଟି କିଏ ଦେବ ।”

ତାଙ୍କର ଏ କଥା ବି ଯୁକ୍ତ ସଙ୍ଗତ । ଏବେ ସିନେମା ହଲ୍ ବଦଳରେ ଚାରିଆଡ଼େ ମଲ୍ଟିପ୍ଲେକ୍ସ ନିର୍ମାଣ ଚାଲିଛି, କିନ୍ତୁ କେତେଟା ମଲ୍ଟିପ୍ଲେକ୍ସରେ ଓଡ଼ିଆ କଥାଚିତ୍ର ପଡ଼ୁଚି ତାହା ଦେଖିବା କଥା । ଯଦି କଥାଚିତ୍ରଟିର ନିର୍ମାଣ ହେଉଛି, ତା’ ମଧ୍ୟରୁ ପ୍ରଯୋଜକକୁ କିଛି ଅର୍ଥ ମିଳିବା ବଦଳରେ କେବଳ କ୍ଷତି ସହିବାକୁ ପଡ଼ିବ, ସେତେବେଳେ କଥାଚିତ୍ରର ପ୍ରଯୋଜକମାନେ କଥାଚିତ୍ର ନିର୍ମାଣ କରିବା ହିଁ ବନ୍ଦ କରିବେ ଆଉ ଓଡ଼ିଆ କଥାଚିତ୍ର ଜଗତରେ ସେହି ସମାନ ଅବସ୍ଥା ହୋଇଛି । ତେଣୁ ବାହାର ପ୍ରଯୋଜକମାନେ କିମ୍ବା କିଛି ବାହାର ବ୍ୟବସାୟୀମାନେ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ଆଉ କାହାଣୀ ଲେଖୁଛନ୍ତି ସେମାନଙ୍କର ସମ୍ପର୍କୀୟ କିମ୍ବା ଘର ଲୋକ, ଯେଉଁମାନେ ଆଦୌ କାହାଣୀକାର ନୁହନ୍ତି ।

ଏ କାହାଣୀ ଆସୁଛି କେଉଁଠୁ?? ଏ କାହାଣୀ ଆସୁଛି କୌଣସି ବାହାର କଥାଚିତ୍ର ଜଗତରୁ । କୌଣସି କଥାଚିତ୍ରର କାହାଣୀକୁ ନେଇ ପୁଣିଥରେ ଚଳଚ୍ଚିତ୍ର ନିର୍ମାଣ କରିବାରେ କିଛି ଅସୁବିଧା ନାହିଁ, କିନ୍ତୁ ମୂଳ ଚଳଚ୍ଚିତ୍ରଠରୁ ଯଦି ଆମେ ନୂଆ ଚଳଚ୍ଚିତ୍ର ମାନ କମ୍ କରିବା ଦର୍ଶକ ଆଦୌ ପସନ୍ଦ କରିବେନାହିଁ । କାରଣ ଏବେ ଇଣ୍ଟନରନେଟ୍ ଆଉ ସାଟେଲାଇଟ୍ ଟିଭିର ଯୁଗ, ଲୋକମାନେ ପ୍ରାୟତଃ ସବୁ ଭାଷାର ଚଳଚ୍ଚିତ୍ର ଦେଖୁଛନ୍ତି ଆଉ ପୂର୍ବରୁ ଯେମିତି ଲେଖିଥିଲି, ହଲ୍‌ରେ ସେମାନେ ଦେଖିଥିବା ସେହି ସମାନ କାହାଣୀକୁ ଦେଖିଲାପରେ ଆଉ ଥରେ ହଲ୍‌କୁ ଯିବାକୁ ଇଚ୍ଛା ପ୍ରକଟ କରୁନାହାନ୍ତି ।

ଏଠାରେ ଆଉ ଏକ ପ୍ରଶ୍ନ ଉଠେ, ଯଦି ଏତେ ଅସୁବିଧା ହେଉଛି ବାହାର କାହାଣୀକୁ ନେଇ ତେବେ ଓଡ଼ିଆରେ ତ ଅନେକ କାହାଣୀ ଅଛି, ଅନେକ ପୁସ୍ତକ ଅଛି, ତାକୁ କାହିଁକି କଥାଚିତ୍ରରେ ସ୍ଥାନିତ କରାଯାଉନାହିଁ?? ଏହାର ଉତ୍ତର ଥରେ ଜଣେ ଓଡ଼ିଆ ନିର୍ଦ୍ଦେଶକ ଏକ ଦୂରଦର୍ଶନ ସାକ୍ଷାତକାରରେ ଦେଇଥିଲେ । ତାଙ୍କ କହିବା ଅନୁସାରେ, “ଆମେ ଯଦି କୌଣସି ନୂଆ କାହାଣୀକୁ ନେଇ କୌଣସି ପ୍ରଯୋଜକଙ୍କ ପାଖକୁ ଯାଉଛୁ, ସେମାନେ ସେହି କାହାଣୀକୁ ଗ୍ରହଣ କରିପାରୁନାହାନ୍ତି । କାରଣ ସେ କାହାଣୀକୁ ଚିତ୍ରନାଟ୍ୟ ନୂଆ କରି ରଚନା କରିବାକୁ ହେବ, ସଂଳାପ ଲେଖିବାକୁ ହେବ, ଆଉ ଏ ସବୁର ଖର୍ଚ୍ଚ ଅନେକ ପଡ଼ିଯିବ, ତେଣୁ ଗୋଟେ ଦୁଇଟା କାହାଣୀକୁ ମିଶେଇଦିଅ ଆଉ ସେଥିରେ କିଛି ଲଙ୍କାଗୁଣ୍ଡ, ଜିରାଗୁଣ୍ଡ ଆଦି ମିଶେଇ ଦିଅ । ସ୍ୱଳ୍ପ ମୂଲ୍ୟରେ ଖେଚୁଡ଼ି ଖାଇବାକୁ ଦେଇଦିଅ ।

ଏ ପରିସ୍ଥିତି ଭିତରେ ଓଡ଼ିଆ ଗୀତର ଅବସ୍ଥା କହିଲେ ନ ସରେ । ଓଡ଼ିଆ କଥାଚିତ୍ରରେ ସ୍ଥାନିତ ହେଉଥିବା ଗୀତଗୁଡ଼ିକ ଏବେ ଆଉ ଓଡ଼ିଆରେ ହେଉନାହିଁ, ସେଥିରେ ଅନେକ ବାହାର ଶବ୍ଦ ପୁରାଇ ତାକୁ କଦର୍ଯ୍ୟ କରାଯାଉଛି । ଏଥିପାଇଁ ଅନେକ ସବୁବେଳେ ଗୀତିକାରମାନଙ୍କୁ ଦାୟୀ କରି ଆସିଛନ୍ତି । ଏହି ଉପରେ ଥରେ ମୁଁ ନିଜେ ବୈଦ୍ୟନାଥ ଦାଶ, ପଞ୍ଚାନନ ନାୟକ ଓ ନିର୍ମଳ ନାୟକଙ୍କର ଭିନ୍ନ ଭିନ୍ନ ସାକ୍ଷାତକାର ଦେଖିଲି । ଆଉ ସେମାନଙ୍କର କଥିତ ଭାଷା ଦେଖି ମୁଁ ନିଜେ ବି ଆଶ୍ଚର୍ଯ୍ୟ ହେଲି କି ଏମାନେ ଏମିତି ଗୀତ କେମିତି କରିପାରୁଛନ୍ତି ! ଯେଉଁମାନଙ୍କର କଥିତ ଓଡ଼ିଆ ଏତେ ମାର୍ଜିତ, ଯେଉଁମାନେ ବ୍ୟବହାରିକ ଅଳ୍ପ କେତୋଟି ଇଂରାଜୀ ବା ହିନ୍ଦୀ ଶବ୍ଦକୁ ଛାଡ଼ିଦେଲେ ପ୍ରାୟତଃ ସମୁଦାୟ ଓଡ଼ିଆରେ କଥା ହେଉଛନ୍ତି, ସେମାନେ ତ ଗୀତ ଲେଖିଲାବେଳେ ନିଶ୍ଚୟ ସମ୍ପୂର୍ଣ୍ଣ ଓଡ଼ିଆରେ ଗୀତ ଲେଖିପାରିବେ । ଏ ଓଡ଼ିଆ ଗୀତରେ ବାହାର ଶବ୍ଦ ପଶିବା ବାବାଦରେ ପ୍ରାୟ ସମସ୍ତଙ୍କୁ ପ୍ରଶ୍ନ କରାଯାଇଥିଲା ଆଉ ସମସ୍ତଙ୍କର ଉତ୍ତର ସେହି ଗୋଟିଏ ଥିଲା । ସେମାନଙ୍କ ଉତ୍ତର ବିଷୟରେ ଆମେ ପରେ ଆଲୋଚନା କରିବା, କିନ୍ତୁ ତା’ ଆଗରୁ ବାହାର ଶବ୍ଦ ପଶିବାର କିଛିଟା କାରଣ ଉପରେ ଆଲୋଚନା କରିବା ।

କୌଣସି ଚଳଚ୍ଚିତ୍ରରେ ବାହାର ଭାଷାର ଗୋଟିଏ ପଞ୍ଚ୍ ଡାଇଲଗ୍ ପୁରାଇଲେ ଦର୍ଶକଙ୍କର ତାଳି ସେଇଠି ଟିକିଏ ବେଶି ପଡ଼େ ଆଉ ଏହାର ଅନେକ ଉଦାହରଣ ଅଛି । ଏମିତିକି ଇଂରାଜୀ ଚଳଚ୍ଚିତ୍ରରେ ମଧ୍ୟ ବାହାର ଭାଷାରୁ ପଦେ ଦି ପଦ ପୁରାଇଦେଉଛନ୍ତି । ଆମ ଆଞ୍ଚଳିକ ଭାଷାର କଥାଚିତ୍ରରେ ମଧ୍ୟ ହିନ୍ଦୀ କି ଇଂରାଜୀ ଧାଡ଼ିଟିଏ ପୁରେଇଦେଲେ ଲୋକେ କଥାକଥାରେ ତାକୁ ବ୍ୟବହାର କରନ୍ତି ଆଉ ଅନେକ ସମୟରେ “କ’ଣ କଲା ସେ” ଭଳିଆ ସେ ଧାଡ଼ିଟା ବି ଲୋକ ମୁଖରେ ଉଚ୍ଚାରିତ ହୁଏ । ତେଲୁଗୁ କଥାଚିତ୍ର ଜଗତର NTR(jr)ଙ୍କର ଗୋଟେ କଥାଚିତ୍ର ଥିଲା ବାଦ୍‌ଶାହାଃ, ଯେଉଁଥିରେ ବ୍ରହ୍ମାନନ୍ଦମ୍‌ଙ୍କର ଏକ ଇଂରାଜୀ ସଂଳାପ ଥିଲା, “Don’t mesh with fire. When fire fires fire, fire will be fired.” ଏହି ସଂଳାପଟି ସେତେବେଳେ ଅନେକ ପ୍ରଶଂସା ସାଉଁଣ୍ଟିଥିଲା । ସେହି ଭଳି ଭାବରେ ଗୀତରେ ମଧ୍ୟ କିଛି ବାହାର ଶବ୍ଦ ପୁରାଇଦିଆଗଲେ, ସେ ଗୀତ ଅନେକ ଲୋକ ଶୁଣୁଛନ୍ତି । ଏହା ମଧ୍ୟ ଉଦାହରଣ ଅନେକ ଅଛି ।

ଓଡ଼ିଆ ଗୀତିକାରମାନେ ମଧ୍ୟ ସେହିଭଳି କିଛି ଗୀତରେ ବାହାର ଶବ୍ଦ ପୂରେଇ ପ୍ରଥମେ ଦେଖିଲେ ଆଉ ସେ ଗୀତ ଅନେକ ଲୋକ ପସନ୍ଦ କଲେ । ଧୀରେ ଧୀରେ ସେହିଭଳି ଗୀତ ବଢ଼ିବାରେ ଲାଗିଛି । ଆଉ ଅନେକ ସ୍ଥାନରେ ଏହିଭଳି ଗୀତ ଅଧିକ ବାଜୁଛି । ଆପଣମାନେ ଯଦି ଲକ୍ଷ୍ୟ କରିଥିବେ ଭସାଣୀ ହେଉ କି ବରଯାତ୍ରୀ ସବୁଠାରେ ଏମିତି ଗୀତ ହିଁ ବାଜୁଛି । ଏବେ ଆଲୋଚନା କରିବା ସେମାନେ ସେମାନଙ୍କର ସାକ୍ଷାତକାରରେ କ’ଣ କହିଥିଲେ । ସମସ୍ତଙ୍କର ଗୋଟିଏ ଉତ୍ତର ଥିଲା, “ଆମେ ଏହାକୁ ପେଶା କରିକି ବଞ୍ଚୁଛୁ ଆଉ ପ୍ରଯୋଜକର କଥା ଉପରେ ଆମକୁ ଚାଲିବାକୁ ହେବ । ଆମ ଅନୁରୋଧରେ ହୁଏତ ଗୋଟିଏ ସମ୍ପୂର୍ଣ୍ଣ ଓଡ଼ିଆ ଗୀତ ଆମେ ରଖିପାରିବୁ, କିନ୍ତୁ ସେହି ଓଡ଼ିଆ ଗୀତଟିକୁ ଯେତେ ଅଧିକ ଲୋକ ନ ଶୁଣୁଛନ୍ତି, ବାକି ମିଶ୍ରିତ ଗୀତକୁ ଅଧିକ ଲୋକ ପସନ୍ଦ କରୁଛନ୍ତି । ତେଣୁ ଏମିତି ଗୀତ କରିବାକୁ ଆମେ ବାଧ୍ୟ ହେଉଛୁ ।” ବୈଦ୍ୟନାଥ ଦାଶଙ୍କର ଉତ୍ତର ଆଉ ଟିକିଏ ଅଧିକ ଥିଲା, “ମୁଁ ଅନେକ ଦିନରୁ ଓଡ଼ିଆରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଆସିଲିଣି ଆଉ ଆପଣ ଶୁଣିବେ ସେ ଗୀତଗୁଡ଼ିକ ଶ୍ରୁତି ମଧୁର ହେବା ସହ ଓଡ଼ିଆ ଶବ୍ଦରେ ନିର୍ମିତ, କିନ୍ତୁ ମୋତେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ସେତେବେଳେ ଗଣାଗଲା, ଯେତେବେଳେ ମୁଁ ମଧ୍ୟ ସେହିଭଳି ମିଶ୍ରିତ ଓଡ଼ିଆକୁ ପ୍ରଶ୍ରୟ ଦେଲି । ଆମେ ଗୀତ ତିଆରି କରି ଶିଖିଛୁ, ତେଣୁ କରୁଛୁ ଆଉ ଶ୍ରୋତାଙ୍କର ପସନ୍ଦରେ ଗୀତ ଆମେ କରି ଚାଲିଛୁ ।”

ଆମେ କିନ୍ତୁ ସବୁବେଳେ ଅନ୍ଧ ଭାବରେ ଯଦି ଖାଲି ସେମାନଙ୍କୁ ଦୋଷ ଦେବା, ତେବେ କିଛି ବି ଉନ୍ନତୀ ହେବ ନାହିଁ । ଆଗରୁ ମଧ୍ୟ ଓଡ଼ିଆ କଥାଚିତ୍ର ଜଗତରେ ଅନେକ ବଡ଼ ବଡ଼ କଥାଚିତ୍ର ନିର୍ମାଣ ହେଇଛି, ଯାହାକି ହିନ୍ଦୀ, ତେଲୁଗୁ, ତାମିଲ ଭଳି କଥାଚିତ୍ରର ମୂଳ କାହାଣୀରୁ ନିର୍ମିତ ହେଇଛି । ସେତେବେଳେ କିନ୍ତୁ ଲୋକମାନେ ସେ ବାହାର କଥାଚିତ୍ରକୁ ଦେଖିନଥିଲେ, ଫଳରେ ଏ କାହାଣୀ ଆମକୁ ନୂଆ ଲାଗୁଥିଲା ଆଉ ଏ ଫିଲ୍ମ ଏତେ ବଡ଼ ହେଉଥିଲା । ମନ୍ମଥ ମିଶ୍ରଙ୍କର ଫଟୋ ଦେଖି ଚିହ୍ନିପାରୁନଥିବା ବ୍ୟକ୍ତି ଓଡ଼ିଆ କଥାଚିତ୍ର ଓ ସଙ୍ଗୀତ ଜଗତ ଉପରେ ଭଲ କଟାକ୍ଷ କରିପାରନ୍ତି, କିନ୍ତୁ ଓଡ଼ିଆ କଥାଚିତ୍ର ଜଗତକୁ ଯେମିତି ଯାହାବି କରି ବଞ୍ଚେଇ ରଖୁଥିବା ଲୋକଙ୍କୁ କେମିତି ଉତ୍ସାହିତ କରିହେବ, ସେ ଉପରେ କେବେ ବି ସେମାନେ ଭାବନ୍ତିନି । ଓଡ଼ିଆ ଭାଷା ପଛରେ ଅଛି ବୋଲି କହୁଥିବା ଲୋକ ଅନେକ, କିନ୍ତୁ ଆଗକୁ ନେବାପାଇଁ କାମ କରୁଥିବା ଲୋକ କେତେଜଣ ଅଛନ୍ତି??

ମୋର ଏ ଆଲୋଚନା ଅନେକ ଦିନରୁ ଦେଖିଆସୁଥିବା ଆଉ ଅନୁଭବ କରୁଥିବା କଥାକୁ ନେଇକି ମୁଁ ଉଲ୍ଲେଖ କରିଛି । ମୁଁ ବି ଅନେକ କଥାଚିତ୍ର ଦେଖିଛି, ସମାନ କାହାଣୀକୁ ନେଇ ନିର୍ମିତ ହୋଇଥିବା ୫ରୁ ୬ଟି କଥାଚିତ୍ରକୁ ଦେଖିଛି । ସେଥିରେ ଥିବା ଫରକକୁ ଅନୁଭବ କରିଛି ଆଉ ଆମର ଏ ପ୍ରେକ୍ଷାଳୟ ନୂଆ ତିଆରି ହେବା ଦେଖିଛି, ଭଲ ବ୍ୟବସାୟ ବି ଦେଖିଛି, ନ ଚାଲି ବନ୍ଦ ହେବା ବି ଦେଖିଛି । ଏଥର ଶୁଭପଲ୍ଲବର ସମ୍ପାଦକୀୟ ଲେଖିବାକୁ ମୋତେ ପ୍ରଥମଥର ସୁଯୋଗ ମିଳିଛି, ମୋ ଆଲୋଚନାରେ ଯଦି କିଛି ତ୍ରୁଟି ବିଚ୍ୟୁତି ଥାଏ, ମାର୍ଜନା କରିବେ ।

ଆମର ପୂର୍ବ ସଂସ୍କରଣ ଭଳି ଏହି ସଂସ୍କରଣଙ୍କୁ ଆପଣମାନେ ଭଲ ପାଇବେ ବୋଲି ଆମେ ଆଶା କରୁଛୁ । ଆରମ୍ଭରୁ ଏବେଯାଏଁ ଆମେ ଅନେକ ସମୟ ନେଇଥିଲେ ମଧ୍ୟ ଆମେ ୱେବ ପୋର୍ଟଲ୍‌ଟି ଉପଲବ୍ଧ ହେଇପାରିନଥିବାରୁ ଅନେକଙ୍କର ଗାଳି ମଧ୍ୟ ଖାଇଛୁ, କିନ୍ତୁ ଏବେ ତାହା ମଧ୍ୟ ଉପଲବ୍ଧ । ଏବେ ଆଉ ଆପଣମାନଙ୍କର ଲେଖା ପ୍ରକାଶ କରିବାକୁ ତିନି ମାସ ଧରି ଅପେକ୍ଷା କରିବାକୁ ପଡ଼ିବନି, ଯେତେବେଳେ ଚାହିଁବେ, ସେତେବେଳେ ଆପଣମାନଙ୍କର ଲେଖା ପ୍ରକାଶ ପାଇବ ଆଉ ଏହି ନୂଆ ଉଦ୍ୟମ ପାଇଁ ମଧ୍ୟ ଆପଣମାନଙ୍କର ଭଲପାଇବା ଆବଶ୍ୟକ କରୁଛୁ ।

ଜୟ ଜଗନ୍ନାଥ !!

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।

Leave a Reply

Close Menu