You are currently viewing ସାଗରିକା ଏବଂ ସ୍ୱାଗତିକାଙ୍କ ସହ ଆଳାପ
Interview with thefoodiwiththebook aka Sagarika and Swagatika

ସାଗରିକା ଏବଂ ସ୍ୱାଗତିକାଙ୍କ ସହ ଆଳାପ

କଥାରେ ଅଛି, “ଆଘ୍ରାଣେ ଅର୍ଦ୍ଧ ଭୋଜନଂ” ଆଉ ଦର୍ଶନେ କେତେ କ’ଣ ହୁଏ ସେ କଥା ନ ପଚାରିବା ଭଲ । ମୋର ଗୋଟିଏ ସାଙ୍ଗ ଅଛି, ତା’କଥା ଆମ କଲେଜଠାରୁ ଆରମ୍ଭ କରି ସେଠାକାର ଆଖପାଖର ଲୋକ ବି ବହୁତ ଜାଣିଛନ୍ତି, ସେ ତ କେବେ କେବେ ଖାଇବା ଖରାପ ହେଇଥିଲେ ୟୁ-ଟ୍ୟୁବ୍‌ କି ଇନ୍‌ଷ୍ଟାଗ୍ରାମ୍‌ରୁ ସୁସ୍ୱାଦୁ ବ୍ୟଞ୍ଜନର ଫଟୋ ଦେଖି ଖାଇଦିଏ । ଅବଶ୍ୟ ଏ କଥାଟା ସୀତା ବିବାହ ଚଳଚ୍ଚିତ୍ରରେ ବହୁତ ଭଲ ଭାବରେ ଦର୍ଶାଯାଇଥିଲା, ଯେତେବଳେ ଅଭିନେତା ଜୟୀରାମ ସାମଲ କୁକୁଡ଼ା ଟାଙ୍ଗିକୁ କୁକୁଡ଼ା ମାଂସ ଖାଇବା କଥା ଭାବିକି ଖାଦ୍ୟ ଖାଉଥିଲେ ।

ଆଜି ଏହି ସବୁ ଏତେ କଥା କହିବାର କାରଣ ହେଉଛି, ଆଜି ମୁଁ ଦୁଇଜଣଙ୍କର ସାକ୍ଷାତକାର ନେବାକୁ ଯାଉଛି, ଯିଏକି ଇନ୍‌ଷ୍ଟାଗ୍ରାମ୍‌ରେ _thefoodiewiththebook_ ଭାବରେ ପରିଚିତା । ପେଶାରେ ଦୁଇଜଣ ବ୍ୟାଙ୍କର୍ ଏବଂ ଇଞ୍ଜିନିୟର୍ ହେଲେ ମଧ୍ୟ ଖାଦ୍ୟ ପ୍ରସ୍ତୁତି ଏବଂ ଖାଦ୍ୟ ପରଶିବାରେ ଓସ୍ତାଦ । ଏ ଦୁଇଜଣ ହେଉଛନ୍ତି, ସାଗରିକା ଏବଂ ସ୍ୱାଗତିକା ।

ପାଖାପାଖି ବର୍ଷେ ହେବ ତାଙ୍କର ପ୍ରୋଫାଇଲ୍‌କୁ ମୁଁ ଦେଖି ଆସୁଛି ଏବଂ ଅନେକ ସମୟରେ ଅନେକ ପ୍ରଶ୍ନ ଉଠିଛି ମୋ ମନରେ । ଅବଶ୍ୟ କେବେ କେବେ ତାଙ୍କୁ ପଚାରିଥିଲି ଓ ଆଉ କିଛି ପ୍ରଶ୍ନକୁ ଆଜିପାଇଁ ସାଇତି ରଖିଥିଲି । ଆସନ୍ତୁ ଏହି ଦୁଇଜଣଙ୍କୁ କିଛି ପ୍ରଶ୍ନ ପଚାରିବା ଏବଂ ତା’ର ଉତ୍ତର ତାଙ୍କଠାରୁ ହିଁ ଜାଣିବା ।

୧) ନମସ୍କାର ଆଜ୍ଞା । ଆମର ଶୁଭପଲ୍ଲବ ପୋର୍ଟାଲ୍‌ର ଏହି ପ୍ରଥମ ସାକ୍ଷାତକାରଙ୍କୁ ଆପଣ ଦୁହିଁଙ୍କୁ ସ୍ୱାଗତ । ମୋର ପ୍ରଥମ ପ୍ରଶ୍ନ ରହିବ ଦୁଇଜଣଙ୍କ ପାଇଁ । ଆପଣ ଦୁହିଁଙ୍କ ନାମ ଏକାଭଳିଆ, ଆଉ ମୁଁ ଫଟୋ ଯେତିକି ଦେଖିଛି, ଦେଖିବାକୁ ପ୍ରାୟତଃ ଏକାଭଳିଆ । ସେଥିପାଇଁକି ମୋତେ ମଧ୍ୟ ପ୍ରଥମ ଅଡ଼ୁଆରେ ପକେଇଥିଲା କି ଆପଣ ଦୁଇଜଣ କ’ଣା ଯମଜ (twins) କି ! ଆପଣ ଦୁହେଁ କେବେ ସେମିତି କାହାକୁ ଭେଟିଛନ୍ତି କି, ଯିଏକି ମୋ ଭଳିଆ ଦ୍ୱନ୍ଦରେ ପଡ଼ିଥିବେ??

ଆପଣ ପ୍ରଥମ ବ୍ୟକ୍ତି ନୁହନ୍ତି ଯାହାକୁ ଏପରି ଲାଗିଛି, ପ୍ରକୃତରେ ତ ଆମେ ଦୁଇଜଣ ତ ଦେଖିବାକୁ ଏକାଭଳି ନୁହେଁ, କିନ୍ତୁ ମାଆ କୁହନ୍ତି ଆମ ହସ ଏକା ଭଳିଆ । ସେଇଥିପାଇଁ ବୋଧେ ଆମ ଫଟୋରେ ଏକା ପରି ଲାଗୁ । ଆଉ ହଁ ଆମେ ଦୁଇଜଣ ମଧ୍ୟ ଯାଅଁଳା ନୁହେଁ ।

୨) ଆଶା କରୁଛି, ଏବେ ଆଉ କେହି ଏହାକୁ ନେଇ ଦ୍ୱନ୍ଦରେ ପଡ଼ିବେନି । ଏବେ ଆସିବା ଟିକିଏ ବ୍ୟକ୍ତିଗତ ପ୍ରଶ୍ନ ଉପରକୁ । ଏହି ପ୍ରଶ୍ନଟି ସମାନ, କିନ୍ତୁ ଆପଣ ଦୁହିଁଙ୍କୁ ଉତ୍ତର ଦେବାକୁ ହେବ । ମୋର ପ୍ରଶ୍ନ ହେଉଛି, ଆପଣ ଦୁଇଜଣଙ୍କ ଭିତରୁ ଜଣେ ବଡ଼ ଆଉ ଜଣେ ସାନ, ତେଣୁ କେବେ ଆପଣମାନଙ୍କ ମନରେ ଆସେ କି ମୁଁ ସାନ କି ବଡ଼ ହେଇଥିଲେ ଭଲ ହେଇଥାନ୍ତା??

ସାଗରିକା: ମୋ ମନରେ ପିଲାଦିନରୁ ଗୋଟିଏ ପ୍ରଶ୍ନ, ସାନମାନଙ୍କୁ ଏତେ ଶ୍ରଦ୍ଧା କ’ଣ ପାଇଁ ମିଳେ?? ସେ ସାନ ହୋଇଥିବାରୁ ତା’ର ସବୁ ଭୁଲ୍‌କୁ କ୍ଷମା ମିଳିଯାଏ ଏବଂ “ସେ ସାନ, ତାକୁ କିଛି କହନି” ବୋଲି ଶୁଣିବାକୁ ମିଳିଥାଏ ।

ସ୍ୱାଗତିକା: ଏମିତିରେ ତ ମୁଁ ସାନ ହୋଇ ବହୁତ ଖୁସି, କିନ୍ତୁ ପ୍ରଥମାଷ୍ଟମୀ ସମୟରେ ମୋତେ ଭାରି ଇର୍ଷା ହୁଏ କି, ମୁଁ କାହିଁକି ବଡ଼ ହେଲିନି ।

୩) ମୁଁ ସାଗରିକା ମାଡାମ୍‌ଙ୍କ କଥାରେ ଟିକିଏ ଅଧିକ ଏକମତ, କାରଣ ଆମେ ଦୁହିଁଙ୍କର ପରିସ୍ଥିତି ସମାନ । ହେଲେ ସ୍ୱାଗତିକା ମାଡାମ୍ ପ୍ରଥମାଷ୍ଟମୀରେ ହଳେ ନୂଆ ଡ୍ରେସ୍ ଦେଇକି ଯେଉଁ ବୋଝ ମିଳିଯାଏ, ସେଥିରୁ ଆପଣ ବଞ୍ଚିଗଲେ, ସେଇଥିପାଇଁ ଆପଣଙ୍କର ଡବଲ୍ ଖୁସି । ହଉ, ଏବେ ଟିକିଏ ଆପଣଙ୍କର ଏ ଫୁଡ୍ ବ୍ଲଗିଙ୍ଗ୍ ଉପରେ ଚର୍ଚ୍ଚା କରିବା । ଆପଣ ଦୁହେଁ ଦୁଇଟି ଭିନ୍ନ ପେଶାରେ ଚାକିରୀ କରୁଛନ୍ତି, ହେଲେ ଫୁଡ୍ ବ୍ଲଗିଙ୍ଗ୍‌ରେ ଆପଣ ଦୁହେଁ ବହୁତ ଆଗରେ ଅଛନ୍ତି । ପାଖାପାଖି ବର୍ଷେ ହେବ ପ୍ରତ୍ୟେକଦିନ ମୁଁ ଆପଣମାନଙ୍କର ଇନ୍‌ଷ୍ଟାଗ୍ରାମ୍ ପେଜ୍ ଦେଖି ଆସୁଛି । ଆପଣ ଦୁହେଁ ଏ ପେଜ୍‌ଟି ଆରମ୍ଭ କରିବାପାଇଁ କିଛି ଯୋଜନା କରି ଆରମ୍ଭ କରିଥିଲେ ନା ଆଉ କିଛି ଥିଲା?

ଏହି ଇନ୍‌ଷ୍ଟାଗ୍ରାମ୍ ପେଜ୍ ଆରମ୍ଭ କରିବାରେ ଆମର ସେମିତି କିଛି ଯୋଜନା ତ ନଥିଲା । କିନ୍ତୁ କଲେଜ ସମୟରୁ ହିଁ ଆମ ଦୁହିଁଙ୍କୁ ଖାଦ୍ୟର ଫଟୋ ନେବାକୁ ଭଲ ଲାଗେ । ଏମିତି ହିଁ ଦିନେ ଦୁଇଜ ଜଣ ବସି କଥା ହେଉଥିଲୁ, କାହିଁକି ଆମର ଯେ ଖାଦ୍ୟ ପ୍ରତି ଥିବା ଆଦରକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ ନ କରିବା । ଆମେ ଦୁଇ ଭଉଣୀ ହେଲେ ବି ଆମର ପସନ୍ଦ ପ୍ରାୟ ଏକା ଭଳିଆ, ଯେମିତି ଆମେ ଦୁହିଁଙ୍କୁ ଉପନ୍ୟାସ ପଢ଼ିବାକୁ ବହୁତ ଭଲ ଲାଗେ, ତେଣୁ ଆମେ ଖାଦ୍ୟରେ ଥିବା ରୁଚି ସହ ଆମର ପଢ଼ିବାର ରୁଚିକୁ ମିଶାଇଦେଲୁ । ଆଉ ଏହି ଦୁଇଟି ଜିନିଷକୁ ହିଁ କେବଳ ଆଖି ଆଗରେ ରଖି ଏହି ଫୁଡ଼ି ଉଇଥ୍ ବ ବୁକ୍ ନାଆଁଟି ଭାବିଥିଲୁ ।

Sagaraika and Swagarika

୪) ବହୁତ ଭଲ କଲେ । ହେଲେ ଆପଣ ଦୁହେଁ ଏ ପୃଷ୍ଠା ପ୍ରଥମେ କେବେ ଆରମ୍ଭ କରିଥିଲେ?

୨୦୧୮ ମଇ ୫ରେ ଆମେ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ପୃଷ୍ଠାଟି ତିଆରି କରିଥିଲୁ ଏବଂ ସେବେଠାରୁ ଆମର ଏ ଯୁଗଳଯାତ୍ରା ଚାଲିଛି । ହେଲେ ସେତେବେଳେ କେବେ ବି ଆମେ ଭାବିନଥିଲୁ କି ଏତେ ପରିମାଣରେ ଆପଣମାନଙ୍କର ଶ୍ରଦ୍ଧା ଭଲପାଇବା ମିଳିବ ।

୫) ଆପଣ ଦୁହେଁ ଫୁଡ୍ ବ୍ଲଗିଙ୍ଗ୍‌ରେ ଏବେ ମହାରଥୀ ହେଇଗଲେଣି, କିନ୍ତୁ ଆପଣମାନେ କାହାକୁ ଆରମ୍ଭରେ ଫଲୋ କରୁଥିଲେ ଆଉ କାହିଁକି ତାଙ୍କ ଭଳି ହେବାକୁ ଚାହୁଁଥିଲେ?

ହାହାହା… ମହାରଥୀ ତ କେବେ ବି ଆମେ ଆମକୁ କହିବୁନି, କାହିଁକିନା ଆମଠାରୁ ବହୁତ ଗୁଣୀ ବ୍ଲଗର୍‌ସ୍‌ମାନେ ଅଛନ୍ତି, ଯେଉଁମାନଙ୍କଠାରୁ ଅନେକ କିଛି ଶିଖିବାର ଅଛି । ଆଉ ଆମେ କେବେ କାହାପରି ହେବାକୁ ଚାହିଁନାହୁଁ, କିନ୍ତୁ ସମସ୍ତଙ୍କଠାରୁ କିଛି ନା କିଛି ଶିଖିବାକୁ ମିଳୁଛି ।

୬) ଇଷ୍ଟାଗ୍ରାମ୍‌ରେ ଫଲୋଅର୍‌ସ୍ ବଢ଼ିଲେ, କିଛି ଲୋକଙ୍କର ଘୃଣାଭାବ ବଢ଼ିଥାଏ । ଆପଣମାନଙ୍କ ସହ ବି ସେମିତି ହେଇଥାଇପାରେ । ସେହିଭଳି ଲୋକମାନଙ୍କୁ ଆପଣ କେମିତି ବ୍ୟବହାର କରନ୍ତି?

ଏଇଟା ତ କେବଳ ଇନ୍‌ଷ୍ଟାଗ୍ରାମ୍‌ରେ ନୁହେଁ, ଏଇଟା ତ ଏ ଦୁନିଆର କଥା । ଏହି ସବୁକୁ ଧରିକି ବସିଲେ ଆମେ କେବେ ବି ଆଗକୁ ବଢ଼ି ପାରିବାନି । ସେ ଭଳି ଲୋକମାନଙ୍କ କଥାକୁ ଆମେ କେବେ ବି ଧ୍ୟାନ ଦଉନା, ସବୁବେଳେ ନିଜ କାମରେ ହିଁ ଲାଗି ଥାଉ ।

୭) ଭଲ କଥାଟିଏ କହିଲେ ଆଜ୍ଞା, ଏହା ଦୁନିଆର ରୀତି ଆଉ ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ବୋଧେ କହିବାକୁ ହିଁ ଜନ୍ମିଛନ୍ତି । ଏବେ ଟିକିଏ ଆପଣଙ୍କର ଖାଦ୍ୟର ପସନ୍ଦ ଉପରେ କଥା ହେବା । ଆପଣ ଦୁଇଜଣଙ୍କର ପ୍ରାୟତଃ ଅଧିକାଂଶ ଫଟୋରେ ଦକ୍ଷିଣ ଭାରତୀୟ ଖାଦ୍ୟର ଛୁଙ୍କ ଟିକିଏ ଅଧିକା ଥାଏ । ଆପଣମାନେ ସେଠାରେ ରହିବା ଫଳରେ ଏମିତି ହେଇଛି ନା ଆରମ୍ଭରୁ ସେଠାକାର ଖାଦ୍ୟ ବେଶି ଭଲ ଲାଗେ?

ଦକ୍ଷିଣ ଭାରତୀୟ ଜଳଖିଆ କାହାକୁ ପସନ୍ଦ ନୁହେଁ ଯେ । ଭୁବନେଶ୍ୱରରେ ପଢ଼ିଥିଲାବେଳେ ଅଧିକାଂଶ ସମୟରେ ଆମର ଜଳଖିଆ ଥିଲା ଦକ୍ଷିଣ ଭାରତୀୟ ଖାଦ୍ୟ । ହେଲେ ଓଡ଼ିଶାରେ ଦକ୍ଷିଣ ଭାରତୀୟ ଖାଦ୍ୟ ସେତେ ଅଧିକ ମିଳେନି, କିନ୍ତୁ ଏଠିକୁ ଆସିଲାପରେ ଦକ୍ଷିଣ ଭାରତୀୟ ଖାଦ୍ୟର କେତେ ପ୍ରକାର ଅଛି ଦେଖିବାକୁ ପାଇଲୁ ଏବଂ ଧୀରେ ଧୀରେ ଏହି ଖାଦ୍ୟ ଆହୁରି ପସନ୍ଦ ଆସିବାକୁ ଲାଗିଲା । ଆମେ ସୁବେଳେ ଏହି ଚେଷ୍ଟାରେ ଥାଉ କି କେମିତି କିଛି ନୂଆ ଖାଦ୍ୟ ପ୍ରସ୍ତୁତ କରିପାରିବୁ । ଆଉ ସେଇଥିପାଇଁ ଆମେ ଧୀରେ ଧୀରେ ଅନେକ କିଛି ଶିଖିପାରିଲୁ ।

୮) ଆପଣ ଦୁଇଜଣ ଗୋଟେ ପେଜ୍‌‌କୁ ହ୍ୟାଣ୍ଡେଲ୍ କରୁଛନ୍ତି । କେବେ କେବେ ଅସୁବିଧା ହୁଏନି କାହା ସହ ସିଧାସଳଖ ମେସେଜ୍‌ରେ କଥା ହେଲାବେଳେ? (ଧରାଯାଉ ମୁଁ କୌଣସି ଗୋଟିଏ ବିଷୟରେ କଥା ହେଉଥିଲି ସାଗରିକା ମ୍ୟାମ୍‌ଙ୍କ ସହ ଆଉ ପରେ ସ୍ୱାଗତିକା ମ୍ୟାମ୍ ନୂଆ ମେସେଜ୍ ଦେଖିଲେ, ସେତେବେଳେ କେମିତି କ’ଣ କରନ୍ତି?)

ନାଇଁ ସେମିତକି ତ କିଛି ହେଇନି, କାରଣ ମେସେଜ୍‌ର ରିପ୍ଲାଏ ସ୍ୱାଗତିକା ହିଁ କରେ ।

୯) ଏବେ ପ୍ରଶ୍ନ ଉଭଙ୍କ ପାଇଁ, କିନ୍ତୁ ଉତ୍ତର ଦୁଇଜଣଙ୍କର ଦରକାର । ଆପଣଙ୍କୁ ରୋଷେଇ କରିବାକୁ କେତେ ଭଲ ଲାଗେ ଆଉ ଆପଣଙ୍କର ମନ ପସନ୍ଦର ଖାଦ୍ୟ କ’ଣ, ଯାହାକୁ ଆପଣ ସବୁବେଳେ ଏକା ଖାଇଦେବାକୁ ମନ କରନ୍ତି?

ଆମ ଦୁଇଜଣଙ୍କୁ ରୋଷେଇ କରିବାକୁ ସ୍କୁଲବେଳୁ ହିଁ ବହୁତ ଭଲ ଲାଗେ ।
ସାଗରିକା: ଯେହେତୁ ମୁଁ ହଷ୍ଟେଲରେ ରହୁଥିଲି, ତ ସାଙ୍ଗମାନଙ୍କ ସହ ମିଶି ଛୁଟି ଦିନରେ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରୁ । ପ୍ରାୟତଃ ମୋତେ ସବୁ ଓଡ଼ିଆ ଖାଦ୍ୟ ବହୁତ ପସନ୍ଦ ଆଉ ମାଛ ବେଶର ମୋର ବହୁତ ପ୍ରିୟ ।

ସ୍ୱାଗତିକା: ଇଞ୍ଜିନିୟରିଂ ହଷ୍ଟେଲ ଖାଦ୍ୟ କଥା ତ ସମସ୍ତଙ୍କୁ ଜଣା । ସେଇଥିପାଇଁ ସେତେବେଳେ ନିଜେ ହିଁ ରୋଷେଇ କରିବା ବହୁତ ଆବଶ୍ୟକ ଥିଲା । ସେ ଆବଶ୍ୟକତାଟା କେବେ ସଉକରେ ପରିଣତ ହେଇଗଲା ମୁଁ ନିଜେ ବି ଜାଣିନାହିଁ । ଆଉ ମୋର ସବୁଠାରୁ ପ୍ରିୟ ଖାଦ୍ୟ ହେଲା, ଓଡ଼ିଆ ଷ୍ଟାଇଲ୍‌ରେ ଚିକେନ୍ ଝୋଳ ।

୧୦) ଥରେ ସ୍ୱାଗତିକା ମ୍ୟାମ୍ କହୁଥିଲେ କି ଆପଣମାନେ ରୋଷେଇ ଆପଣଙ୍କର ମାଆଙ୍କଠାରୁ ଶିଖିଛନ୍ତି । ଏବେ ଆପଣମାନେ ଘରକୁ ଗଲେ ରୋଷେଇ କରିକି ମାଉସୀଙ୍କୁ ଖାଇବା କେମିତି ହେଇଛି ବୋଲି ପଚାରନ୍ତି?

ଯେହେତୁ ମୁଁ ବ୍ୟାଙ୍କ୍‌ରେ ଚକିରୀ କରୁଛି, ତ ମୋତେ ବହୁତ କମ ଛୁଟି ମିଳେ । ଏବେ ଆମେ ଘରକୁ ଯେବେ ବି ଯାଉଛୁ ବହୁତ କମ ଦିନ ପାଇଁ ହିଁ ଯାଉଛୁ, ସେଥିପାଇଁ ମାଆ ଆମକୁ କିଛି ବି କରିବାକୁ ହିଁ ଦିଅନ୍ତିନି । କିନ୍ତୁ ଆମେ ଯେବେ ବି ଯାହା ରୋଷେଇ କରୁ, ପ୍ରଥମେ ମାଆଙ୍କୁ ଦେଇକି ପଚାରୁ କେମିତି ହେଇଛି କୁହ ।

୧୧) ଶେଷରେ ଆଉ କେତୋଟି ପ୍ରଶ୍ନ ପଚାରିବି; ଏହା ଟିକିଏ ବ୍ୟକ୍ତିଗତ ପ୍ରଶ୍ନ । ଆପଣମାନେ କେବେ ଆମର ପତ୍ରିକା ପଢ଼ିଛନ୍ତି କି?

ଆଜ୍ଞା, ଆପଣ ଥରେ ଆପଣଙ୍କର ପତ୍ରିକାର ୫ମ ସଂସ୍କରଣର ଲିଙ୍କ୍ ପଠେଇଥିଲେ, ଯେଉଁଥିରେ ଆପଣଙ୍କର ଗପ ଥିଲା, ସେଇଟା ଆମେ ଦୁହେଁ ପଢ଼ିଥିଲୁ ଆଉ ଆମକୁ ବହୁତ ପସନ୍ଦ ଆସିଥିଲା ।

୧୨) ଆପଣ ଦୁହିଁଙ୍କୁ ଅଶେଷ ଧନ୍ୟବାଦ, ଆପଣମାନେ ଆପଣଙ୍କର ମୂଲ୍ୟବାନ ସମୟ ଦେଇ ଆମର ସମସ୍ତ ପ୍ରଶ୍ନର ଉତ୍ତର ରଖିଲେ । ମୋ ନାଆଁଟି ଗପୁ, ଆଉ ଗପିବା ମୋର ଅଭ୍ୟାସ । ଆଶା କରୁଛି ମୋ ଗପରେ ଆପଣଙ୍କୁ ବେଶି ଅସୁବିଧା ହୋଇନଥିବ । କିନ୍ତୁ ମୋର ଶେଷ ପ୍ରଶ୍ନ ରହିବ କି ଆପଣ ଦୁହିଁଙ୍କୁ ମୋର ଏହି ପ୍ରଥମ ସାକ୍ଷାତକାର କେମିତି ଲାଗିଲା?

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆମକୁ ଏହି ସୁଯୋଗ ଦେଇଥିବାରୁ । ଆପଣଙ୍କ ସହ କଥା ହୋଇ ବହୁତ ଭଲ ଲାଗିଲା । ଆମେ ଦୂରରେ ରହିଲେ ବି ଆପଣଙ୍କର କାମ ସବୁବେଳେ ଦେଖିପାରୁଛୁ, ଓଡ଼ିଆ ଲୋକଙ୍କର ଲେଖା ଆମ ପାଖରେ ପହଞ୍ଚିପାରୁଛି, ଯାହାକି ଆଗରୁ ସେତେ ସୁବିଧା ନଥିଲା । ହେଲେ ଆପଣଙ୍କର ପତ୍ରିକା ଭଳି ଏମିତି ୱେବ୍‌ସାଇଟ୍‌ସବୁ ଆସିବାପରେ ଏବେ ଆମେ ଦୂରେରେ ଥାଇକି ବି ଓଡ଼ିଶା ପାଖରେ ଥିଲା ଭଳିଆ ଲାଗୁଛି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।