ବିଚଳିତ ଶୈଶବ
ବିଚଳିତ ଶୈଶବ

ବିଚଳିତ ଶୈଶବ

॥୧॥

“ଝିଅ ! ଖାଇସାରିଲୁଣି? ନା ସେମିତି ବସିଛୁ?”

ଆର ରୁମ୍‌ରୁ ମାମାର ପାଟି ଶୁଣି ଟିଭି ଦେଖାରେ ମଜ୍ଜି ଯାଇଥିବା ଝିଅର ଧ୍ୟାନ ଭାଙ୍ଗିଗଲା ।

ଆରେ ସତେ ତ! ଖାଇବା ଏ ଯାଏ ଆରମ୍ଭ ହେଇନି । ବସ ଆସିବା ସମୟ ହେଇଗଲାଣି । ବ୍ୟାଗ ସଜଡ଼ା ହେଇନି, ଡ୍ରେସ୍ ସେମିତି ଆଇରନ୍ ଦେଇ ଥୁଆଯାଇଛି, ଜୋତା ବ୍ରସ୍ ହେଇନି, ମୋଜା ଦୁଇଟା ବି କୁଆଡ଼େ ଦିଶୁନି ।

ଏ ଡୋରେମନ୍‌ଟା ମହା ବଦମାସ । ତାକୁ ଏତିକି ବେଳେ ନୋବିତାକୁ ପାୱାର ଗାଜେଟ୍ଟା ଦେବାକୁ ଥିଲା….

ଆଜି ବସିବ ପିଠିରେ ଦୁଇଚାରିଟା । ଝିଅର ଆଖିରେ ଆଖିଏ ଲୁହ…….

॥୨॥

ଓହୋ! ଏତେବେଳକୁ ଯାଇ ସ୍କୁଲ୍ ଛୁଟି ହେଲା । ପିଲାଗୁଡ଼ାକ ଦୌଡ଼ିଦୌଡ଼ି ବସ ଭିତରେ ବସିଗଲେଣି । ସମସ୍ତେ ଘରକୁ ଯିବାକୁ ଏତେ ବ୍ୟସ୍ତ କାହିଁକି କେଜାଣେ ! ଛୁଟି ହେଲା, ଟିକେ ଡେରୀରେ ଘରକୁ ଫେରିଲେ କ’ଣ ଅସୁବିଧା ହେଇଯାଉଛି?

ଆଜି ଆଦ୍ୟାଶା କମିକ୍ସ ବହି ଦେବ କହିଥିଲା । ହେଲେ, ଏବେ ଏତେ ପିଲାଙ୍କ ଭିତରେ ଆଦ୍ୟାଶା ତ କୋଉଠି ଦିଶୁନି ! ଘରକୁ ପଳେଇଗଲା କି କ’ଣ ବୋଧେ । ମହା ଫୁଲେଇ ଝିଅଟା ଏ ଆଦ୍ୟାଶା । ବହିଟା ସକାଳୁ ଦେଇଦେଇଥିଲେ କ’ଣ ଅସୁବିଧା ହେଇଯାଉଥିଲା?

ବସ ବାରମ୍ବାର ପିଁପିଁ କଲାଣି । ଡେରୀ କଲେ ମିସ୍‌ଙ୍କ ନାଲି ଆଖି ଆଉ ଅନ୍ୟପିଲାଙ୍କ ମୁହଁରେ ବିରକ୍ତିଭାବ ଦେଖିବାକୁ ପଡ଼ିବ । ହୁଏ ତ ବସରେ ସିଟ୍ ବି ନ ମିଳିପାରେ ।

“ଏ ଝିଅ । ବାହାରେ କ’ଣ ବୁଲୁଛୁ? ଶିଘ୍ର ଆସି ବସରେ ବସିଯା ।”

ଧଇଁସଇଁ ହେଇ ବସରେ ଚଢ଼ିଗଲା ଝିଅ ।

॥୩॥

ଛି ! ଏ ବସରେ ବସିଲେ ଦେହହାତ ଦରଜ ହେଇଯାଉଛି । ଧକଡ଼ଚକଡ଼ କରି ଢଳିଢଳି ବସ୍ ଚାଲୁଛି । ପାପାଙ୍କୁ କହିକହି ଥକିଗଲାଣି ଝିଅ । ଆଦ୍ୟାଶା ଆଉ ଅନୁଷ୍କାଙ୍କ କେତେ ମଜା । ତାଙ୍କ ପାପାମାନେ ତାଙ୍କୁ ନେଇ ଛାଡ଼ନ୍ତି, ଆଣନ୍ତି ବି । ସେମାନେ କେତେଥର ଡାକିଲେଣି, ହେଲେ ମାମା ପରା ମନା କରିଛି ଯେ- ଅଯଥାରେ କାହାର ସାହାଯ୍ୟ ନେବୁନାହିଁ ।

ପାପାଙ୍କୁ ବି ସମୟ କାହିଁ ଯେ? ସକାଳୁ ଅଫିସ୍ ବାହାରିଗଲେ ଘରକୁ ଫେରୁଫେରୁ ରାତି ନଅଦଶ ହେଉଛି । ଫେରିଲା ପରେ ତାଙ୍କ କ୍ଳାନ୍ତି ଦେଖିଲେ କିଛି ଆଉ କହିହୁଏନି ।

ଭଗବାନ ଏ ଅଫିସ୍ ଆଉ ସ୍କୁଲଗୁଡ଼ାକୁ ଅଦୃଶ୍ୟ କରିଦିଅନ୍ତେନି? କେତେ ମଜା ହୁଅନ୍ତା ନୁହେଁ? ଦିନସାରା ଟିଭି ଦେଖା, ଖିଆପିଆ, ମସ୍ତି । ଆହା! ଆଉ ପାପା ଅଫିସ୍ ନଯାଇ ଘରେ ରହିଲେ ମାମା ବି କିଛି କୁହନ୍ତା ନାହିଁ । କହିବ ବି କାହିଁକି ଯେ? କୋଉ ସ୍କୁଲ ଥିବ ନା ପାଠପଢ଼ା ଥିବ । ବାଃ! ଜୀବନଟା ଏକଦମ ଖୁସିରେ ଖୁସିରେ କଟିଯାଆନ୍ତା ।

“ତୁମ ଷ୍ଟପେଜ୍ ଆସିଗଲା ଝିଅ ।”

ଧେତ୍! ଭଲକଥାଟାଏ ବି ଭାବିବାକୁ ଦେବେନି କେହି ।

॥୪॥

ଏ ପରୀକ୍ଷା ଜିନିଷଟା କିଏ ତିଆରି କରିଥିଲା କେଜାଣେ ।

ମାମାକୁ ଯେତେ ବୁଝେଇଲେ ବୁଝୁନି- ପାଠ ପଢ଼, ଭଲ କରି ବୁଝ, ହୋମୱାର୍କଠାରୁ ନେଇ କ୍ଲାସୱାର୍କ ପର୍ଯ୍ୟନ୍ତ ସବୁ କର, ତା’ପରେ ପୁଣି ପରୀକ୍ଷା ବି ଦେବା କ’ଣ ଦରକାର? ପରୀକ୍ଷା ବି ଖାଲି ଦେଲେ ହେବନି, ଭଲ ଗ୍ରେଡ୍ ବି ଦରକାର ।

“ଝିଅ ! Chapter 4ଟା ଶିଘ୍ର ପଢ଼ିଦେବୁ । ଜମା ପଢ଼ିନୁ ସେଥିରୁ କିଛି ।”

Geographyର Chapter 4. ମହାଦେଶ, ମହାସାଗର, ମରୂଭୁମୀ.. ଓହୋ ! ଆଛା ! ସାହାରା ବିଶ୍ୱର ସବୁଠାରୁ ବଡ଼ ମରୁଭୂମୀ, ସେଇଠୁ ହେଲା କ’ଣ? ଆମର ତ ସେଠାକୁ ଯିବାର ନାହିଁ । ପୃଥିବୀର ସ୍ତର କେତେଟା, ପୃଥିବୀ କେଉଁ ପଥରେ ସୂର୍ଯ୍ୟ ଚାରିପାଖରେ ବୁଲେ, Leap year କହିଲେ କ’ଣ ବୁଝାଏ – ଯେମିତି Leap yearର ଅଧିକା ଦିନଟା ଛୁଟି କରିପକେଇବେ । ଟିକି ମୁଣ୍ଡଟା କେତେ କ’ଣ ମନେରଖିବ ଯେ !

ଖୁସି ଦୁଇଚାରିଥର ଫୋନ୍ କଲାଣି, ମାମା ଧରୁଛି ଆଉ ମନା କରିଦେଉଛି । ତା’ ପାପା ଆଜି ଟୁରରୁ ଫେରିଥିବେ, କ’ଣ ଗୋଟେ ଆଣିଥିବେ ବୋଧେ । ସେଇଟା ଆଉ ଗୋଟେ ଫୁଲେଇ, ଫୋନ୍ କରି କହିବ- ପାପା ବଢ଼ିଆ ଗେମ୍‌ଟିଏ ଆଣିଛନ୍ତି, ହେଲେ ଖେଳିବାକୁ ଦେବନି ।

ଛାଡ଼ ! ଆଉ ଖୁସି କଥା ନଭାବି Chapter 4ଟା ଶିଘ୍ର ସାରିଦେବାକୁ ହେବ ।

॥୫॥

ଆର ରୁମ୍‌ରେ ମାମା ମୁହଁ ଶୁଖେଇ ବସିଛି । ରେଜଲ୍ଟ ବାହାରିଛି ଝିଅର । ସବୁଥିରେ ଖରାପ ଗ୍ରେଡ୍ । ହେବନି ଖରାପ? ସବୁ ବୁଝିଲେ କ’ଣ ହେବ? ମିସ୍ ତ ଏଇଟାରେ ‘ଇ’ ଫଳା ନାହିଁ, ଏଠି ଲେଖା ମଝିରେ ସ୍ପେସ୍ ନାହିଁ, ସେଠି ‘କମା’ ଲାଗିନି କହି ମାର୍କ କାଟିଦେବେ । ଆଛା କଥା! ‘କମା’ ଗୋଟେ ନଲାଗିଲେ ପୃଥିବୀ ତା’ର ଗତିପଥ ବଦଳେଇଦେବ ନା ଅଶୋକ ଧର୍ମାଶୋକରୁ ପୁଣି ଚଣ୍ଡାଶୋକ ହେଇଯିବେ? ପୁଣି ସେଦିନ ରାତିସାରା Chapter 4 ପଢ଼ିବା ପରେ ସକାଳୁ ଜଣାପଡ଼ିଲା ସେଥିରୁ କିଛି ପଡ଼ିବନାହିଁ । ଖୁସି ସେଇକଥା କହିବାକୁ ଫୋନ୍ କରିଥିଲା, ହେଲେ ମାମା କୋଉ କଥା ହେବାକୁ ଦେଲା ଯେ?

ମାମା ତ ଆଖି ଛଳଛଳ କରି ବସିଛି, ପାପା କ’ଣ କହିବେ କେଜାଣେ? କାଲି ରାତିରେ ଏତେ ଗେଲ କରୁଥିଲେ, ଗପ କହି କହି ଶୁଏଇ ଦେଲେ । ମାର୍କ ଭଲ ରଖିଲେ ମଲ୍‌ରୁ ଖେଳନା କିଣିଦେବେ ବି କହିଥିଲେ । ଗଲା ଯା ! ଆଉ ମଲ୍ ନା ଫଲ୍? ଆଉ କ’ଣ ନେବେ? ପାପାଙ୍କ ଗାଡ଼ି ହର୍ନ୍ ଶୁଭିଲାଣି । ଆସିଗଲେ ନା କ’ଣ? ପାପା ରେଜଲ୍ଟ ବିଷୟରେ ଜାଣିଲେ ରାଗିଯିବେ କି? ପାପା ରାଗିଲେ କି ଗାଳି କରିଲେ, ଝିଅ ଆଖିରୁ ଗଙ୍ଗାଯମୁନା ଧାରା ବହିଯାଏ । ମାମା ଯେତେ ଗାଳି ଦେଲେ ବି କିଛିନାହିଁ ।

“ଝିଅ ! ପାପାଙ୍କ ପ୍ରମୋଶନ ହେଇଛି, ତୋ ପାଇଁ ଡୋମିନୋଜ୍‌ରୁ ପିଜା ନେଇ ଆସିଛନ୍ତି ।”

ହେଲେ, ଝିଅ ଶୋଇପଡ଼ିଛି, ଦୁଇ ଗାଲରୁ ଦୁଇ ଧାର ଲୁହ ବୋହି କେତେବେଳୁ ଶୁଖିଗଲାଣି ।

॥୬॥

ଆଜି ରବିବାର । ସ୍କୁଲ ଯିବାକୁ ନାହିଁ, ସକାଳୁ ଉଠିବାକୁ ନାହିଁ । ସବୁଦିନ ଏମିତି ରବିବାର ହେଇଯାଆନ୍ତାନି? ରେଜେଇଟାକୁ ଦେହ ଉପରକୁ ଭିଡ଼ିନେଲା ଝିଅ । ଶୀତଦିନରେ ଜମା ସକାଳୁ ଉଠିବାକୁ ଇଚ୍ଛା ହୁଏନି । ରେଜେଇଟା ମାମା କୋଳ ପରି ଉଷୁମ ଲାଗେ । ନିଦ ଭାଙ୍ଗିବା କ୍ଷଣି ପାପାଙ୍କ ପାଖରେ ଲାଖିଯାଏ ଝିଅ । ପାପାଙ୍କ ହାତ ଟାଣିନେଇ ତକିଆ ଭଳିଆ କରି ଶୋଇଯାଏ । ପାପାଙ୍କ ହାତ ଉପରେ ମୁଣ୍ଡ ଦେଇ ଶୋଇବାର ମଜା ଅଲଗା ।

“ଝିଅ ଉଠିଯା, ଟ୍ୟୁସନ ସାର୍ ଆସିଗଲେଣି ।”

ହେତ୍ ! ଟ୍ୟୁସନ ସାର୍‌ଙ୍କ ଝିଅ ନାହିଁ ନା କ’ଣ ଯେ? ସକାଳୁ ସକାଳୁ ଆସିଗଲେଣି । ମାମା ଟିକେ କହିଦିଅନ୍ତାନି- ରବିବାରଟା ଛୁଟି ବୋଲି? ସିଏ ବି ମନାକରୁନି । ସାର୍‌ଙ୍କୁ ବସିବାକୁ କହି ଚାହା ପିଇବେ କି କ’ଣ ପଚାରି ସାରିଲାଣି । ପାପା ତ ବେଶ ଆରାମରେ ଶୋଇଯାଇଛନ୍ତି ।

ଭାରି କଡ଼ା ସାର୍ । ଟିକେ ଭୁଲ କଲେ କାନଟାକୁ ରଗଡ଼ି ଦେବେ । କାନ୍ଦିଲେ ବି କେହି କ’ଣ ଶୁଣିବେ?

ପାପା କାଲି ବୁଝେଉଥିଲେ- ଗୁରୁଜନଙ୍କୁ ଭକ୍ତି କଲେ ବଡ଼ମଣିଷ ହେଇପାରିବ । ଆଛା, ସାର୍ କାନକୁ ରଗଡ଼ିଲେ ଜଣେ କାନ୍ଦିବ ନା ନାହିଁ? କାନ୍ଦିଲେ କ’ଣ ବଡ଼ମଣିଷ ହେବା ବନ୍ଦ ହେଇଯିବ?

ପୁଣି ମାମାର ପାଟି ଶୁଭିଲାଣି । ଉଠିବାକୁ ତ ହେବ ।

ଆରେ ହେ ! ସାର୍ ହୋମୱାର୍କ ଦେଇଯାଇଥିଲେ ତ କରାଯାଇନି ! ଆଜି ପୁଣି କାନ ରଗଡ଼ା !!!

ଝିଅର ଆଖିକୋଣରୁ ଲୁହ ଜକେଇ ଆସିଲାଣି ।

॥୭॥

ଟିଉସନ ସାର୍ ପଢ଼େଇଦେଇ ଗଲେଣି, ହୋମୱାର୍କ ଶେଷ, ମାମା ବି କହିସାରିଲାଣି- ଯା ଖେଳିବୁ । ଖେଳିବାକୁ କିଏ ଅଛି ଯେ? ଏକୁଟିଆ କେତେ ଖେଳିବ ଝିଅ? ସାଇକେଲ ଚଲେଇବାକୁ ଜାଗା ଟିକିଏ ବି ନାହିଁ । ନୂଆ ସାଇକେଲ ସେମିତି ଥୁଆଯାଇଛି । ଖେଳଣା ବି ବହୁତ ଅଛି, ହେଲେ ଏକୁଟିଆ ଖେଳିବାକୁ ଭଲ ଲାଗୁନି ।

ପାପା ଆଜି ହୋଟେଲରେ ଖୁଆଇବାକୁ ନେବେ କହିଥିଲେ । ଆଜି କହିଲେ KFC ନେଇଯିବେ । କେତେଦିନ ଧରି ଯାଇନି ବୋଲି ଝିଅର ମନଦୁଃଖ । ଏଇଥର ପାପା ପକ୍କା ପ୍ରମିଜ୍ କରିଛନ୍ତି ।

ଆରେ ! ଇଏ କ’ଣ? ପାପା ତ ବାହାରି ସାରିଲେଣି ! କହିବା କଥା ନା ! ପାପା ସବୁବେଳେ ସେମିତି । ନିଜେ ଆଗ ବାହାରି ପଡ଼ିବେ ଆଉ ମାମାକୁ କହିବେ ଡେରୀ କାହିଁକି କରୁଛ । ଆମେ ଝିଅପିଲା, ଆମର ବାହାରିବାକୁ ଅଧିକ ସମୟ ଦରକାର କି ନାହିଁ?

ପାପା ଭାରୀ ଭୋଳା ଲୋକ । ଦେଖୁନ- ବୁଲିବାକୁ ଯିବା, ହେଲେ ସୁଟ୍‌ବୁଟ୍ ପିନ୍ଧିଲେଣି । ଏତେ ଟିସାର୍ଟ, ଜିନସ୍ ଅଛି, ହେଲେ ପିନ୍ଧିବାକୁ ଭୁଲିଯାଆନ୍ତି ସବୁବେଳେ । ହେ..ହେ..ହେ..

“ଝିଅ! ମୋର ଗୋଟେ ମିଟିଂ ଅଛି ଆଜି ଅଫିସରେ । ସାଙ୍ଗେସାଙ୍ଗେ କଲ୍ ଆସିଲା । ଯିବାକୁ ହେବ । ଫେରୁଫେରୁ ଡେରୀ ହେଇଯିବ । ଆମେ ଆଉଦିନେ ବାହାରକୁ ବୁଲିବାକୁ ଯିବା । ପକ୍କା ପ୍ରମିଜ୍ । ହେଲା ମାମା?”

ଝିଅ ଆଖିରେ ଆଖିଏ ଲୁହ ନେଇ ମୁଣ୍ଡ ହଲେଇଲା ।

॥୮॥

ଏତେ ଦିନ ପରେ ପାପାଙ୍କୁ ଛୁଟି ମିଳିଛି ।

ବୁଲାବୁଲି, କିଣାକିଣି, ଖିଆପିଆ । ଆହା! ଜୀବନଟା ସବୁବେଳେ ଏମିତି ହେଇଯାଆନ୍ତାନି? ମାମା ବି କେତେ ଖୁସି ଅଛି । ଖାଲି ହସୁଛି । ହସିଲେ କେତେ ସୁନ୍ଦର ଦିଶେ ମାମାଟା । ପାଠ ପଢ଼ିବାକୁ ଜମା କହୁନି, ନିଜେ ଯାଇ ଖେଳଣା, ଡ୍ରେସ୍ ସବୁ ବାଛିବାଛି କିଣିପକେଉଛି । KFCରେ ଖିଆ, INOXରେ ଫିଲ୍ମ ଦେଖା । ପାପାଙ୍କ ଅଫିସ୍ ନାହିଁ, ମିଟିଂ ନାହିଁ । ନିଜେ ସାଇକେଲ୍ ଧରି ପଡ଼ିଆରେ ଶିଖେଇଦେଉଛନ୍ତି । ପାପାଙ୍କ ଆଖି ଖୁସିରେ ଝଲମଲ କରୁଛି । ଝିଅ ପାଇଁ ଖେଳନା ଗୁଡ଼େ କିଣିଆଣିଲେଣି ।

ଲାଇଫ୍ ହୋ ତୋ ଐସି ।

କାଲି ଖୁସିକୁ ଏ ଖେଳଣାତକ ଦେଖେଇଲେ ତା’ ମୁହଁ ଚୁପ ହେଇଯିବ ।

“ଝିଅ ଉଠିପଡ଼ । ସକାଳ ହେଇଗଲାଣି ।”

ଆରେ! ଏଇଟା ସ୍ୱପ୍ନ ଥିଲା?- ଝିଅ ବିଚରା ଆଖି ମଳିମଳି ଉଠିଲା ।

ପୁଣି ସେଇ ସ୍କୁଲ୍, ସେଇ ଟ୍ୟୁସନ୍, ସେଇ କାନ ରଗଡ଼ା, ସେଇ ପରୀକ୍ଷା, ସେଇ ଗ୍ରେଡ୍, ସେଇ ମୁହଁ ଫୁଲା, ସେଇ ମିଟିଂ, ସେଇ ଏକୁଟିଆ ବୋରିଂ ଜୀବନ !!!!!! ଭାବିଭାବି ଝିଅ ଆଖିକୋଣରେ ପୁଣି ଲୁହ ଜକେଇ ଆସିଲାଣି ।

ଝିଅଟା କେବେ ବଡ଼ ହେବ କେଜାଣେ ! ବଡ଼ ହେଲେ ବି କୋଉ ତ୍ରାହି ମିଳିବ ଏସବୁରୁ?

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu