You are currently viewing ବସନ୍ତ କଲାଣି ରାଜପଣ
ବସନ୍ତ କଲାଣି ରାଜପଣ

ବସନ୍ତ କଲାଣି ରାଜପଣ

ଋତୁ ରୂପବନ୍ତ ବିଳାସୀ ବସନ୍ତ
କରିଲାଣି ଧରାବତରଣ
କୋକିଳର କୁହୁ ମଧୁପ ଗୁଞ୍ଜନେ
ବସନ୍ତ କଲାଣି ରାଜପଣ ॥୧॥

ଗ୍ରୀଷ୍ମର ରୁକ୍ଷତା ବର୍ଷାର ତାଣ୍ଡବ
ଶୀତର ଶିଶିର ହଜିଲାଣି
ମୁଣ୍ଡିତ ବୃକ୍ଷ ବଲ୍ଳରୀକୁ ଧରି
ନବ କିଶଳୟ ହସିଲାଣି ॥୨॥

ସୁମଞ୍ଜୁଳ ସବୁ ରସାଳ କୁଞ୍ଜର
ବକୁଳ ଭକ୍ଷିବା ଆଶାନେଇ
ପଞ୍ଚମ ତାନରେ କୋକିଳର ସୁର
ଧୀରେ ସମୀରଣେ ଯାଏ ମିଳେଇ ॥୩॥

ରଙ୍ଗବେରଙ୍ଗର ଫୁଲ ମାନଙ୍କର
ସଭା ବସିଲାଣି ତରୁ ଡାଳରେ
ଦକ୍ଷିଣ ଦିଗରୁ ଚୋରା ମଳୟ ଯେ
ଫୁଲର ସୁରଭି ଚୋରିକରେ ॥୪॥

ରସମୟ ଅଟେ ବସନ୍ତ ସମୟ
ଦ୍ରବୀଭୂତ କରେ ପ୍ରାଣୀ ଚିତ୍ତ
ଆମ୍ବ ବଉଳର ମଧୁବାସନାରେ
କନ୍ଦର୍ପର ଦର୍ପ ଅନ୍ତର୍ହିତ ॥୫॥

କ୍ଳାନ୍ତି ଋତୁ ନୁହେଁ କ୍ରାନ୍ତିର ଋତୁ
ହସି ଉଠେ ଏଠି ଫୁଲ ଫଗୁଣ
ପ୍ରକୃତି ହସୁଛି ଜନ ପ୍ରାଣୀ ହସେ
ମନରେ ଆଣଇ ଶିହରଣ ॥୬॥

ପବନରେ ଆସେ ମଧୁର ହିଲ୍ଲୋଳ
ଜନ ଜୀବନ ହୁଅଇ ଉନ୍ମନା
ତାତି ନାହିଁ ଏଠି ବସନ୍ତ ରାତିରେ
ଶାନ୍ତି ଓ ସନ୍ତୋଷ ଉନ୍ମାଦନା ॥୭॥

ଫୁଲର ଉତ୍ସବେ ଫୁଲେଇ ଫଗୁଣ
ଫାଟିପଡ଼େ ହୋଇ ଆତ୍ମହରା
ଫଗୁଖେଳେ ଆଣେ ମନରେ ପୁଲକ
ବିମାନରେ ରାଧାକୃଷ୍ଣ ଯାତରା ॥୮॥

ଅଶୋକାଷ୍ଟମୀ ଓ ରାମନବମୀର
ପରବରେ ଚିତ୍ତ ହୁଅଇ ଖୁସି
ଚଇତିଘୋଡ଼ାର ତାଳେତାଳେ ନାଚ
ଖୁସିର ପୁଲକ ଦିଏ ବରଷି ॥୯॥

ଚିତ୍ର ବିଚିତ୍ର ଡେଣା ଧରିନାଚେ
ଫୁଲରୁ ଫୁଲକୁ ପରଜାପତି
ମଧୁଭିକ୍ଷାକରେ ଫୁଲରେ ଫୁଲରେ
ଫୁଲ ମାଦକତା ଯାଏ ଚହଟି ॥୧୦॥

ରାଜଭୋଗ ଆଉ ରାଜସମ୍ଭାରରେ
ହସିଉଠେ ଋତୁରାଜ ବସନ୍ତ
ଦର୍ଭାଙ୍କୁରେ ଖେଳି ଯାଏ ଶିହରଣ
ପରିବେଶ ସତେ ଲାଗେ ଜୀବନ୍ତ ॥୧୧॥

ସଦାନନ୍ଦ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଦାନନ୍ଦ ପାଣିଗ୍ରାହୀ ପେଶାରେ ଜଣେ ଶିକ୍ଷକ ଏବଂ ନିଶା ତାଙ୍କର କବିତା ଲେଖିବା । ସେ କବିତା ଲିଖନ ପାଇଁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।