You are currently viewing ବାଘା- କଲିକତାରୁ କପ୍ତିପଦା
ବାଘା- କଲିକତାରୁ କପ୍ତିପଦା

ବାଘା- କଲିକତାରୁ କପ୍ତିପଦା

ଏକ ଶୀତୁଆ ସକାଳରେ ଗାଁ ପାଖ ରେଳ ଷ୍ଟେସନକୁ ଯିବାର ଥିଲା, କଲିକତାରୁ ଆସୁଥିବା ଜଣେ ସମ୍ପର୍କୀୟଙ୍କୁ ପାଛୋଟି ଆଣିବାକୁ। ହେଲେ ଉଠିବା ବେଳକୁ ବିଳମ୍ବ ହୋଇଯାଇଥିଲା। ଯେମିତି ସେମିତି ମୁହଁ ଧୋଇ ଗାଡ଼ି ନେଇ ବାହାରି ପଡ଼ିଲି, ଷ୍ଟେସନ ସାମନାରେ ପହଞ୍ଚି ଶୁଣିଲି ଗାଡ଼ି ଆସିବାରେ ବିଳମ୍ବ ହେବ। ପାଖରେ ଥିବା ଚା’ ଦୋକାନରେ ଗିଲାସେ ଚା’ ମଗାଇ ସକାଳର ଖବରକାଗଜ ଉପରେ ଆଖି ବୁଲାଇଆଣୁଥିଲି, ଜଣେ ଭଦ୍ରବ୍ୟକ୍ତି ଦୌଡ଼ି ଦୌଡ଼ି ଆସି ପଚାରିଲେ ଭାଇ ବାଘା ଆସିଲାଣି?

ବାଘା?
ଆଶ୍ଚର୍ଯ୍ୟ ହୋଇ ମୁହଁକୁ ଚାହିଁ ରହିଥାଏ ମୁଁ !
ନାଁ, ଡେରି ହେବ ।
ଚା’ ଦୋକାନୀଙ୍କ ଉତ୍ତର ଶୁଣି କିଛି ସମୟ ନୀରବ ରହି ପଚାରିଲି, କେଉଁ ବାଘା କଥା କହୁଛନ୍ତି?

ବାଘା ଫାଷ୍ଟ ପାସେଞ୍ଜର ।

ହାୱଡାରୁ ଭଦ୍ରକ ପର୍ଯ୍ୟନ୍ତ ପ୍ରାୟ ୩୦୦ କିମି ଦୂରତା ଅତିକ୍ରମ କରୁଥିବା ଏଇ ଟ୍ରେନକୁ ବାଲେଶ୍ୱର ଜିଲ୍ଲାର ଜୀବନରେଖା କହିଲେ ଅତ୍ୟୁକ୍ତି ହେବନାହିଁ। ପାଖାପାଖି ସବୁ ଷ୍ଟେସନରେ ରହି ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଥାଏ ବାଘା, ସାଥିରେ କଲେଜ ଛାତ୍ରଛାତ୍ରୀଙ୍କ ସାଇକେଲ, ଚାକିରିଆଙ୍କ ଭୁଜାବୁରା, ବେପାରୀଙ୍କ ଲୁଗାବୁରା ସହିତ…

କେଉଁ ମସିହାରେ ଶୁଭାରମ୍ଭ ହୋଇଥିଲା ଏ ଟ୍ରେନ୍ ସେକଥା ଖୋଜିଥିଲେ ମିଳିଥାନ୍ତା ଅବଶ୍ୟ, ହେଲେ ୧୯୧୫ ମସିହାରେ କିଛି ଯୁବକ ଏଇ ରାସ୍ତାରେ ଏକ ଦୁଃସାହସିକ ରେଳଯାତ୍ରା କରିଥିଲେ କଲିକତାରୁ ବାଲେଶ୍ୱର ଏବଂ ତା’ପରେ ଜଙ୍ଗଲ ପଥରେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାକୁ ।

ସ୍କୁଲରେ ପଢ଼ୁଥିବା ସମୟରେ କପ୍ତିପଦା ପାଖରେ ଏକ ଗାଁ’କୁ ଯାଇଥିଲି ବାପାଙ୍କ ସହ କୌଣସି ଏକ କାମରେ। ଗାଁ ଲୋକଙ୍କଠାରୁ ଏକ ଜଙ୍ଗଲ ମଧ୍ୟରେ ଥିବା ଏକ ହୁଡ଼ି (ମୟୂରଭଞ୍ଜ ଜିଲ୍ଲାରେ ଛୋଟ ପାହାଡ଼କୁ ସ୍ଥାନୀୟ ଭାଷାରେ ହୁଡ଼ି/ହୁଡ଼ା ବୋଲି କୁହାଯାଏ) ବିଷୟରେ ଶୁଣିଥିଲି, ପରେ ସାଙ୍ଗ ମାନଙ୍କ ସହ ସାଇକେଲରେ ପାଖାପାଖି ୧୦/୧୨ କିଲୋମିଟର ଯାତ୍ରା କରି ମୟୂରହୁଡ଼ା ବୋଲି ଏକ ଛୋଟ ପାହାଡ଼ର ଶୀଖର ପର୍ଯ୍ୟନ୍ତ କୌଣସି ପ୍ରକାର ଚଢ଼ିଯାଇ ଗଡ଼ ଜୟ କଲାଭଳି ଆନନ୍ଦ ଅନୁଭବ କରିଥିଲି। ସେତେବେଳେ ଏ ପାହାଡ଼ ପଛର ଇତିହାସ କିନ୍ତୁ ଜଣାନଥିଲା ।

ଏବେ କଥାକୁ ଇତିହାସ ଆଡ଼କୁ ଟାଣିନେବା…

୧୯୧୫ ମସିହା

ଆଗରୁ ଲେଖିଛି କିଛି ଯୁବକ ଏକ ଦୁଃସାହସିକ ରେଳଯାତ୍ରା ଆରମ୍ଭ କରିଥିଲେ। କଲିକତାର ଗଙ୍ଗା ନଦୀରେ ନୌକାରେ ବସାଇ ବିଦାୟ ଦେଉଛନ୍ତି ରାମଚନ୍ଦ୍ର ମଜୁମଦାର ଏହି ଯୁବକମାନଙ୍କୁ ଓ କୋହଭରା କଣ୍ଠରେ କହୁଛନ୍ତି “ବଙ୍ଗଳାର ପ୍ରାଣ ଆଜି ଆପଣଙ୍କ ହାତରେ ଦେଇଗଲୁ”। ଗଙ୍ଗା ନଦୀ ପାର ହୋଇ ଛଦ୍ମ ବେଶରେ ଚଢ଼ିଲେ ଟ୍ରେନର ସାଧାରଣ କମ୍ପାର୍ଟମେଣ୍ଟରେ। ଦୁଇ ଇଂରେଜ ସିପାହୀ ଆସି ବସିଲେ ଠିକ୍ ଏ ଯୁବକମାନଙ୍କ ଦଳପତିଙ୍କ ପାଖରେ, ଯାହାକି ଅସହ୍ୟ ଥିଲା ଦେଶପ୍ରେମୀ ଯୁବକମାନଙ୍କ ପକ୍ଷରେ। ହିନ୍ଦୀ, ବଙ୍ଗଳା ମିଶାଇ ଦଳପତି କହିଲେ “ଆପଣମାନେ କ’ଣ ଏ କଳା ଲୋକଙ୍କ ସହ ଘସିହୋଇ ଯାଇପାରିବେ?” ସିପାହୀ ଦୁଇଜଣ ଓହ୍ଲାଇ ପଡ଼ିଥିଲେ ଖଣ୍ଡାପୁର ଷ୍ଟେସନରେ। ସହାସ ବଦନରେ ଦଳପତି କହିଲେ, “ମାତୃଭୂମିକୁ ଇଂରେଜ ଶାସନ ମୁକ୍ତ କରିବା ପାଇଁ ଆମେ ଆତ୍ମଗୋପନ କରିଛୁ। ଯେଉଁ ଉଦ୍ଦେଶ୍ୟ ନେଇ ବାହାରିଛୁ ଆତ୍ମସଂଯମ ହରାଇ ତାକୁ ପଣ୍ଡ କରି ଦେଇଥାଆନ୍ତି?” ଗାଡ଼ି ପହଞ୍ଚି ଯାଇଥିଲା ବାଗନାନ୍। ଯୁବ ଦେଶପ୍ରେମୀ କିଛି ଦିନ ସେଠାରେ ରହି ପୁଣି ଟ୍ରେନରେ ବାଲେଶ୍ୱର। ସହର ଭିତରେ ଖୋଲିଲା ୟୁନିଭର୍ସାଲ୍ ଏମ୍ପୋରିୟମ୍। ଲୋକଙ୍କ ନଜରରେ ଏହାର କାମ ଥିଲା ସାଇକେଲ ମରାମତି ଓ ବିକ୍ରି କେନ୍ଦ୍ର, ହେଲେ ସଞ୍ଜ ନଇଁଲେ ଆରମ୍ଭ କରୁଥିଲେ ଇଂରେଜ ଶାସନର ମୂଳୋତ୍ପାଟନର ଯୋଜନା, ସଶସ୍ତ୍ର ସଂଗ୍ରାମର ରୂପରେଖ ଆଉ ଉଇଲିୟମ୍ ଦୂର୍ଗ ଅକ୍ତିଆରର ଅବିଶ୍ୱସନୀୟ ଚିନ୍ତା

ବାଲେଶ୍ୱରରୁ କପ୍ତିପଦା, ପାଖାପାଖି ୪୫ କିଲୋମିଟର ରାସ୍ତା। ନୀଳଗିରି ଓ ସଜନାଗଡ଼ର ଘଞ୍ଜ ଜଙ୍ଗଲ ମଧ୍ୟ ଦେଇ ବିପ୍ଲବୀ ଦଳ ପହଞ୍ଚିଥିଲେ ତାଙ୍କ ନୂଆ କର୍ମ କ୍ଷେତ୍ର କପ୍ତିପଦାରେ। ସାଥିରେ ଥିଲେ ମଣି ଚକ୍ରବର୍ତ୍ତୀ, ଯାହାଙ୍କ ବାପା ଥିଲେ କପ୍ତିପଦା ଦେୱାନ୍। ତାଙ୍କର ସହାୟତାରେ ନିର୍ମାଣ ହେଲା ଏକ କୁଟୀର। ରାମାନନ୍ଦ ସ୍ୱାମୀ ହେଲେ ଦଳପତି, ତାଙ୍କ ଚେଲା ହୋଇ ରହିଲେ ଅନ୍ୟ ବିପ୍ଳବୀ। ଆଖପାଖ ଗାଁ ଲୋକଙ୍କ ପାଇଁ ଆରମ୍ଭ ହେଲା ହୋମିଓପ୍ୟାଥିକ ଚିକିତ୍ସା ଓ ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା ପାଇଁ ଛୋଟ ତେଜରାତି ଦୋକାନ। ଖୁବ୍ କମ୍ ସମୟରେ ଗାଁ ଲୋକଙ୍କର ଆସ୍ଥା ଓ ବିଶ୍ୱାସ “ସ୍ୱାମିଜୀ ରାଜା”ଙ୍କ ଉପରେ ଦୃଢ଼ ହୋଇଯାଇଥିଲା। ଛୋଟ ଛୋଟ ସୁବିଧା ଅସୁବିଧାରେ ମଧ୍ୟ ସରଳ ନିଷ୍ପାପ ଗ୍ରାମବାସୀମାନେ ଦୌଡ଼ି ଆସୁଥିଲେ ଗୋପାଳଡିହାର (ଗୋପାଳ ରାୟ ଥିଲା ବିପ୍ଳବୀ ନଳିନୀ କରଙ୍କ ଛଦ୍ମ ନାମ, ତାଙ୍କ ନାମ ହିସାବରେ ପରେ ଗୋପାଳଡିହା ହିସାବରେ ନାମିତ) ସେଇ କୁଟୀରକୁ, ତାଙ୍କର ଅତି ପ୍ରିୟ ରାମାନନ୍ଦ ସ୍ୱାମୀଙ୍କ ପାଖକୁ। ଶ୍ରୀ ଅକ୍ଷର ବିବର୍ଜିତ ଗ୍ରାମବାସୀଙ୍କୁ କିଛି ବିପ୍ଳବୀ ପାଠଶାଳା ଖୋଲି ଲେଖାପଢ଼ା ବି ଶିଖାଇବା ଆରମ୍ଭ କରିଥିଲେ। ଧୀରେ ଧୀରେ ଦେଶପ୍ରେମୀ ଯୁବକମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ମୁଖ୍ୟତଃ ଏମାନେ କଲିକତାର “ଯୁଗାନ୍ତର” ପୁରୁଣା ସହଯୋଗୀ ଥିଲେ ।

ମେଘାସନ ପର୍ବତମାଳାର ପାଦଦେଶରେ ବିସ୍ତୃତ ଜଙ୍ଗଲ ଶିମିଳିପାଳର ଅପୂର୍ବ ସୌନ୍ଦର୍ଯ୍ୟରେ ବିମୋହିତ ବିପ୍ଳବୀଗଣ ଖୋଜୁଥିଲେ ଏପରି ଏକ ସ୍ଥାନ, ଯେଉଁଠି ରହି ସେମାନେ ଲୁଚିଛପି ଗରିଲା ଯୁଦ୍ଧ କରିପାରିବେ। ଡୁଭିଗଡ଼ ବୋଲି ଏକ ଚୂଡ଼ା ପସନ୍ଦ ହେଲା ବିପ୍ଳବୀଙ୍କର ଆଉ ଅନତି ଦୂରରେ ଆଉଏକ ଚୂଡ଼ା। ଦୁଇଟି ମଧ୍ୟରେ ପାଖାପାଖି ୩୦ ହାତ ଦୂରତା ଆଉ ମାଟି ଓ ପଥର ନିର୍ମିତ ରାସ୍ତା ସଂଯୋଗ କରୁଥିଲା (ସ୍ଥାନୀୟ ଲୋକଙ୍କ ଧାରଣା ମରହଟ୍ଟା ଶାସନ ସମୟରେ ଏ ରାସ୍ତାର ନିର୍ମାଣ)। ପାହାଡ଼ର ଚୂଡା ଥିଲା ସମତଳ, ସହସ୍ରାଧିକ ବିପ୍ଳବୀଙ୍କ ଛାଉଣୀ ସ୍ଥାପିତ କରାଯାଇପାରେ। ଚତୁଃର୍ପାଶ୍ୱରେ ଗଭୀର ଖାଇ ଏବଂ ତଳେ ପ୍ରଚୁର ପାଣି ଥିବା ପୋଖରୀ। ରାମାନନ୍ଦ ସ୍ୱାମୀଙ୍କ ନେତୃତ୍ୱରେ ଆରମ୍ଭ ହେଲା ଏଇ ପାହାଡ଼ରେ ସମରାଭ୍ୟାସ, ଲାଠି ଚାଳନା, ଘୋଡ଼ା ଚାଳନା ଏବଂ ଆଗ୍ନେୟାସ୍ତ୍ର ନିର୍ମାଣ ଓ ବ୍ୟବହାରର ତାଲିମ । ବିପ୍ଳବୀମାନଙ୍କ ପାଇଁ ପତାକା ଆଉ ଖାକି ପୋଷାକ ମଧ୍ୟ ତିଆରି ହୋଇ ମହଜୁଦ ରହିଲା ।

ଲକ୍ଷ୍ୟ ଥିଲା “ମେଭରିକ୍” ଜାହାଜରେ ଆସୁଥିବା ଅସ୍ତ୍ର ନେଇ ବିପ୍ଳବ ଓ ବେଙ୍ଗଲ ନାଗପୁର ରେଳରାସ୍ତାକୁ ଉଡ଼ାଇବା ଓ ଟେଲିଗ୍ରାମ ତାର କାଟିବା, ଫଳରେ ଇଂରେଜ ସୈନ୍ୟବାହିନୀ କଲିକତାରେ ପହଞ୍ଚିବା ପୂର୍ବରୁ ଉଇଲିୟମ୍ ଦୂର୍ଗ ଦଖଲ ।

ହେଲେ ଅସ୍ତ୍ର କେବେ ଆସିବ ସେପର୍ଯ୍ୟନ୍ତ ହାତବାନ୍ଧି ବସିନଥିଲେ ବିପ୍ଲବୀମାନେ। କୁସ୍ତି ଅଭ୍ୟାସ, ଚାଷକାମ ସହ ଗାଁ ଗାଁ ବୁଲି ରୋଗୀ ସେବା ବି ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ଗୀତାପାଠର ଶବ୍ଦରେ ଗୋପାଳଡିହର ପରିବେଶ ହେଉଥିଲା ଆଧ୍ୟାତ୍ମିକ ମୟ।

ବିପ୍ଳବୀମାନଙ୍କ ଦୈନନ୍ଦିନ ଜୀବନ ଏମିତି ଚାଲିଥିଲା ହଠାତ୍ କଲିକତାରୁ ସମ୍ବାଦ ନେଇ ପହଞ୍ଚିଲେ ଦୁଇ ଦୂତ। ଖବରକାଗଜ ଫର୍ଦ୍ଦ ବଢ଼ାଇ ଦେଲେ ସ୍ୱାମିଜୀଙ୍କ ଆଡ଼କୁ। ଲେଖାଥିଲା “ମେଭରିକ୍” ଜାହାଜ ଧରାପଡ଼ିଛି ଇଂରେଜମାନଙ୍କ ହାତରେ। ଶାନ୍ତ ସ୍ୱରରେ କହିଲେ ସ୍ୱାମିଜୀ, “ଭୁଲ୍ କରିବାକୁ ଯାଉଥିଲୁ ଆମେ, ଭଗବାନ ଚେତାଇ ଦେଲେ, ବିଦେଶୀ ସାହାଯ୍ୟ ନେଇ ଦେଶ ସ୍ୱାଧୀନ କରିବାକୁ ଚାହୁଁଥିଲୁ; କିନ୍ତୁ ଏବେ ଦେଶ ଛିଡ଼ା ହେବ ନିଜ ଶକ୍ତିରେ ।”

ଆଉ ଏକ ଦୁଃଖଦ ଖବର ମଧ୍ୟ ଯଥାଶୀଘ୍ର ମିଳିଥିଲା, ତାହା ଥିଲା କଲିକତାରେ ହେରି ଏଣ୍ଡ ସନ୍ସ ଉପରେ ପୋଲିସ ଚଢ଼ାଉ, ଶୈଳେଶ୍ୱର ବସୁଙ୍କ ସାନଭାଇ ସେ ଘଟଣାରେ ଗିରଫ ।

“ଏଥର ଏମାନେ ୟୁନିଭର୍ସାଲ୍ ଏମ୍ପୋରିୟମ୍ ଉପରେ ଚଢ଼ାଉ କରିବେ, ଆମେ ଏଠାରେ ଜାଗତିଆର ରହିବୁ ମୁକାବିଲା ପାଇଁ”- ସ୍ୱାମିଜୀ ତାଙ୍କ ଶିଷ୍ୟଗଣଙ୍କୁ ସତର୍କ ସୂଚନା ଦେଲେ ।

“ଲଢେ଼ଇ କରି ମାରିବୁ ଏବଂ ମରିବୁ ହେଲେ ସେମାନଙ୍କ ହାତରେ ଧରାଦେବୁ ନାହିଁ ।”

୧୯୧୫, ସେପ୍ଟେମ୍ବର ମାସରେ ଇଂରେଜ ପୋଲିସ ଅଫିସର ଚଢ଼ାଉ କଲେ ଶୈଳେଶ୍ୱର ବସୁଙ୍କ ୟୁନିଭର୍ସାଲ୍ ଏମ୍ପୋରିଅମ୍, ତ‌ତ୍‌କ୍ଷଣାତ୍ ଗିରଫ ହେଲେ ସେ ଓ ତାଙ୍କ ସହଯୋଗୀମାନେ। ତନ୍ନ ତନ୍ନ କରି ସବୁକିଛି ଖୋଜିଲା ପରେ ମିଳିଲା “ଗୋପାଲ” ନାମରେ ଦସ୍ତଖତ ଥିବା ଚିଠି, ସନ୍ଦେହ ଦୃଢ଼ିଭୂତ ହେଲା ଯେବେ ସେଥିରୁ ଜାଣିବାକୁ ମିଳଲା କପ୍ତିପଦା ବିଷୟରେ କିଛି ଖବର। ପରଦିନ ସକାଳୁ ଇଂରେଜ ସୈନ୍ୟବାହିନୀ ମୁହାଁଇଲେ କପ୍ତିପଦା ଆଡ଼କୁ ।

ଅଜଣା ଆଶଙ୍କାରେ ଗାଁ ଲୋକମାନେ ଧାଇଁ ଆସିଲେ ସ୍ୱାମିଜୀଙ୍କ ପାଖକୁ ଖବର ଦେବାକୁ। ସାଥିଙ୍କ ଅନୁରୋଧ ଶିମିଳିପାଳର ଘଞ୍ଚ ଜଙ୍ଗଲ ମଧ୍ୟକୁ ଆତ୍ମଗୋପନ ପାଇଁ ପଳାଇବା ଇଂରେଜ ମାନଙ୍କ ଆଖିରେ ଧୂଳି ଦେଇ, ହେଲେ ସ୍ୱାମିଜୀଙ୍କ ରୋକଠୋକ କଥା- “ତାହା ସମ୍ଭବ ନୁହେଁ”, କେମିତି ବା ସମ୍ଭବ ହୋଇଥାନ୍ତା ! ଯିଏ ୨୭ ବର୍ଷ ବୟସରେ ଏକୁଟିଆ ଲଢ଼ି ମହାବଳ ବାଘକୁ ଚିତ୍ କରିଥିଲେ, ତା’ପାଇଁ ପଛଘୁଞ୍ଚା ଦେବା କଥା ଅସମ୍ଭବ ହିଁ ଥିଲା ।

“ସମସ୍ତ ପରିକଳ୍ପନାର ଅନ୍ତ ଘଟିଛି। ସମୟ ଆସିଛି ଏବେ ଦେଶ ପାଇଁ କିଛି ଆଦର୍ଶ ଛାଡ଼ି ଯିବାର। ଦେଶବାସୀ ତାଙ୍କ ଆତ୍ମବିଶ୍ୱାସ ଫେରି ପାଇବେ ଆଉ ଆଗେଇ ଯିବେ ଆମର ପ୍ରଦର୍ଶିତ ବିପ୍ଳବ ପଥରେ। ମନରୁ ମୃତ୍ୟୁଭୟ ପୋଛି ପକାଇବା, ଆମେ ମରିବୁ; କିନ୍ତୁ ଆମର ଛାତିର ତାଜା ରକ୍ତରେ ଜାଗିଉଠିବ ଦେଶ ମାଟି”। ସ୍ୱାମିଜୀ ଓରଫ ଜ୍ୟୋତିଦା ଓରଫ ଯତୀନ୍ଦ୍ରନାଥ ମୁଖାର୍ଜୀ ଓରଫ ବିପ୍ଳବୀବୀର “ବାଘା ଯତୀନ”ଙ୍କ ଏଇ କଥାରେ, ବର୍ଷଣ ମୂଖର ରାତିରେ ଜଙ୍ଗଲ ମଧ୍ୟରେ ନିର୍ଭୀକ ବିପ୍ଳବୀମାନେ ମାଡ଼ିଚାଲିଲେ ପୁଣି ବାଲେଶ୍ୱର ଅଭିମୁଖେ, ଛତିଶ ଘଣ୍ଟା ଅଖିଆ ଅପିଆ, ପାଣିକାଦୁଅକୁ ଖାତିର ନକରି ବୁଢ଼ାବଳଙ୍ଗ କୂଳେ କୂଳେ ପହଞ୍ଚିଗଲେ ଚଷାଖଣ୍ଡ ଗାଁ ପାଖରେ। ଚତୁର ଇଂରେଜ ସରକାର ସେତେବେଳେ ପ୍ରଚାର କରିଦେଇଥାନ୍ତି ବଙ୍ଗାଳୀ ଡକାୟତ ଦଳଙ୍କ ବିଷୟରେ। ଆଖପାଖ ଗାଁ ଲୋକଙ୍କ ସନ୍ଦେହ ଘେରରୁ ଖସିବା ବି ସହଜ ନଥିଲା ଅସ୍ତ୍ରଶସ୍ତ୍ର ଧାରି ବିପ୍ଳବୀଙ୍କ ପକ୍ଷରେ। ସରକାରଙ୍କ ପକ୍ଷରୁ ପୁରସ୍କାର ପାଇବା ଆଶାରେ ଗାଁ ଲୋକେ ଖବର ଦେଲେ ଇଂରେଜ ଅଫିସର କିଲବି ସାହେବଙ୍କୁ। ପୋଖରୀହୁଡ଼ାର ଖାତ ମଧ୍ୟରେ ଆଶ୍ରୟରତ ବିପ୍ଳବୀଙ୍କୁ ଚତୁର୍ପାଶ୍ୱରୁ ଘେରିଗଲେ ଗାଁ ଲୋକ ଓ ପୋଲିସ ଦଳ। ଏକ ଘଣ୍ଟା ପନ୍ଦର ମିନିଟ ଚାଲିଲା ଘମାଘୋଟ ଲଢେ଼ଇ। ଇଂରେଜ ଗୁଳିରେ ଟଳିପଡ଼ିଲେ ବିପ୍ଳବୀ ଚିତ୍ତପ୍ରିୟ ରାୟ ଚୌଧୁରୀ, ଜ୍ୟୋତିଷ ପାଲ୍ ଭୀଷଣ ଆହତ, ଗୁଳି ସରିଯିବାରୁ ମନୋରଞ୍ଜନ ସେନଗୁପ୍ତ ଓ ନୀରେନ୍ଦ୍ରନାଥ ଦାସଗୁପ୍ତ ଜୀବନ୍ତ ଧରାପଡ଼ିଲେ, ଗୁଳି ମାଡ଼ରେ କ୍ଷତାକ୍ତ ବାଘା ଯତୀନ ପାଣି କାଦୁଅରେ ପଡ଼ିଥାନ୍ତି, ସାଥିଙ୍କ ଅନୁରୋଧରେ କିଲବି ସାହେବ ନିଜ ଟୋପିରେ ପାଣି ପିଆଇଲେ ବାଘାଙ୍କୁ। ସଂଜ୍ଞାହୀନ ହେବା ପୂର୍ବରୁ କହିଲେ, “ମୁଁ ଆଉ ବଞ୍ଚିବି ନାହିଁ, ମୋର ଶେଷ ଅନୁରୋଧ, ମୋ ସାଥିମାନେ ନିର୍ଦୋଷ, ସେମାନଙ୍କୁ କ୍ଷମା କରିଦେବେ ।”

୧୯୧୫ ମସିହା ସେପ୍ଟେମ୍ବର ୯ ତାରିଖ,

ଇଂରେଜ ପୋଲିସ ଓ ବିପ୍ଳବୀଙ୍କ ମଧ୍ୟରେ କଥାବାର୍ତ୍ତାରୁ ଗାଁ ଲୋକଙ୍କ ବୁଝିବା ବାକି ରହିଲା ନାହିଁ ଯାହାକୁ ସେମାନେ ଡକାୟତ ଭାବି ଧରାପକାଇଥିଲେ ସେମାନଙ୍କ ପ୍ରକୃତ ପରିଚୟ । ଅନୁତାପ ଦଗ୍ଧ ଗ୍ରାମବାସୀ ରାତି ୧୧ଟାରେ ଶୋଭାଯାତ୍ରାରେ ଆଣି ପହଞ୍ଚାଇଥିଲେ ବାଲେଶ୍ୱର ସରକାରୀ ଚିକିତ୍ସାଳୟରେ ବିପ୍ଳବୀମାନଙ୍କୁ । ଅମର ବୀର ଚିତ୍ତପ୍ରିୟଙ୍କ ଶରୀର ପଠାଗଲା ଶବ ବ୍ୟବଚ୍ଛେଦ ପାଇଁ, ନୀରେନ୍ ଓ ମନୋରଞ୍ଜନଙ୍କୁ ପ୍ରାଥମିକ ଚିକିତ୍ସା ଦେଇ ନିଆଗଲା କାରାଗାରକୁ, ଜ୍ୟୋତିଷ ପାଲଙ୍କୁ ଡାକ୍ତର ହେପାଜତରେ ଛାଡ଼ି ବାଘାଙ୍କୁ ନିଆଗଲା ଅପରେସନ ଟେବୁଲକୁ । ଡାହାଣ ହାତର ବୁଢା ଆଙ୍ଗୁଳି କ୍ଷତାକ୍ତ, ତଳିପେଟ ଓ ନାହି କଡ଼ରେ ଗୁଳିର କ୍ଷତ, ରକ୍ତ ବୋହି ଚାଲିଛି ହେଲେ ବୀର ବାଘାଯତୀନଙ୍କ ଚିନ୍ତା ନିଜ ଅନ୍ୟ ସାଥିଙ୍କ ପାଇଁ । ପୁଣିଥରେ କିଲବି ସାହେବଙ୍କୁ ଅନୁରୋଧ ସାଙ୍ଗମାନଙ୍କୁ ଛାଡ଼ିଦେବାକୁ ।

ସେପ୍ଟେମ୍ବର ୧୦ତାରିଖ,

ଅପରେସନ ପରେ ସଂଜ୍ଞା ଫେରିଲା ବାଘାଙ୍କ, ନିଜ ଦେହରେ ଲାଗିଥିବା ପଟିକୁ ଛିଡ଼ାଇ ଗର୍ଜନ କରିଉଠିଲେ, “ମୋତେ ଫାଶୀରେ ଝୁଲାଇ ଥାଆନ୍ତ, ଗୋଟିଏ ବିପ୍ଳବୀର ରକ୍ତରୁ ଶହଶହ ବିପ୍ଳବୀ ଜନ୍ମ ନେଇ ଇଂରେଜ ଶାସନର ଦମନ ଲୀଳାରୁ ଦେଶକୁ ମୁକ୍ତ କରିବେ । ବନ୍ଦେ ମାତରମ୍ ! ଭାରତ ମାତା କି ଜୟ !! ହେ ମା, ମୁଁ ତୋତେ ମୁକ୍ତ କରିପାରିଲି ନାହିଁ, ମୋତେ କ୍ଷମା କରିଦେ” କହି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ନବ ଭାରତର ହଳଦୀଘାଟ କହି ଚଷାଖଣ୍ଡ ଯୁଦ୍ଧର ବୀରତ୍ୱପୂର୍ଣ ଗାଥା ବର୍ଣ୍ଣନା କରିଥିଲେ କବି କାଜୀ ନଜରୁଲ ଇସଲାମ ତାଙ୍କ କବିତାରେ ।

ଏମିତି ଯବନିକା ପଡ଼ିଥିଲା ବାଘାଙ୍କ କଲିକତାରୁ କପ୍ତିପଦା ଯାତ୍ରାର। ହେଲେ କେତେ ଗୁଡ଼ିଏ କଥା ମନକୁ ଏବେବି ଆନ୍ଦୋଳିତ କରିଥାଏ। ଯଦି ସାଥିଙ୍କ ଅନୁରୋଧ ରକ୍ଷାକରି ଶିମିଳିପାଳ ଭିତରକୁ ପ୍ରବେଶ କରିଥାନ୍ତେ ତେବେ ବୋଧେ ସ୍ୱାଧୀନତା ସଂଗ୍ରାମର ରୂପରେଖ ଅଲଗା ହୋଇଥାନ୍ତା। ଯଦି ଚଷାଖଣ୍ଡ ଆଖପାଖ ଗାଁ ଲୋକ ଏମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ଜାଣିଥାନ୍ତେ ତେବେ ବୋଧେ ସ୍ୱାଧୀନତା ପାଇଁ ୧୯୧୫ରୁ ୧୯୪୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିନଥାନ୍ତା……

ବିଦ୍ର: ଉପରୋକ୍ତ ଲେଖା ୨୦୧୬ ମସିହାରେ କପ୍ତିପଦା ଭ୍ରମଣ ସମୟରେ ଶହୀଦ୍ ବାଘାଯତୀନ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ମହାଳିକଙ୍କ ସହ କଥୋପକଥନ ତଥା ତାଙ୍କ ଦ୍ୱାରା ପ୍ରଦତ୍ତ ବାଘାଯତୀନଙ୍କ ନାତି ପୃଥୀନ୍ଦ୍ର ନାଥଙ୍କ ବହିରୁ ଉଧୃତ ।

ସାଇ ପ୍ରକାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସାଇ ପ୍ରକାଶ ପେଶାରେ ଜଣେ ଇଞ୍ଜିନିୟର ଏବଂ ନିଶା ତାଙ୍କର ଫଟୋଗ୍ରାଫି ଓ ଟ୍ରାଭେଲ୍ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିବା ସହ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି ।